ଅମୃତା ସେରଗିଲ

ଉଇକିପିଡ଼ିଆ ରୁ
Jump to navigation Jump to search
ଅମୃତା
ଜନ୍ମ ୩୦ ଜାନୁଆରୀ ୧୯୧୩(1913-01-30)
ବୁଦାପେଷ୍ଟ, ହଙ୍ଗେରୀ
ମୃତ୍ୟୁ ୫ ଡିସେମ୍ବର ୧୯୪୧ (୨୮ ବର୍ଷ)
ଲାହୋର, ବ୍ରିଟିଶ ଭାରତ (ବର୍ତ୍ତମାନର ପାକିସ୍ତାନ)
ଜାତୀୟତା ଭାରତୀୟ
ବିଭାଗ ଚିତ୍ରକାର
ପ୍ରଶିକ୍ଷଣ Grande Chaumiere
École des Beaux-Arts (୧୯୩୦–୩୪)

ଅମୃତା ସେରଗିଲ (୩୦ ଜାନୁଆରୀ ୧୯୧୩[୧]- ୫ ଡିସେମ୍ବର ୧୯୪୧ ) ଭାରତର ଜଣେ ପ୍ରସିଦ୍ଧ ଚିତ୍ରଶିଳ୍ପୀ । ତାଙ୍କର ଜନ୍ମ ବୁଦାପେଷ୍ଟ (ହଙ୍ଗେରୀ)ଠାରେ ହୋଇଥିଲା। ଭାରତୀୟ ପେଣ୍ଟିଂ ଜଗତକୁ ଯେଉଁ କେତେ ଜଣ ମହିଳା ଚିତ୍ରଶିଳ୍ପୀ ସମୃଦ୍ଧ କରିଥିଲେ ସେମାନଙ୍କ ମଧ୍ୟରେ ଅମୃତା ସେରଗିଲ ଅନ୍ୟତମ । [୨]ତାଙ୍କର ଚିତ୍ରରେ ଥିଲା ଭାରତୀୟର ଏକ ବିଶୁଦ୍ଧ ସ୍ପର୍ଶ । ତାଙ୍କୁ ଯଥାର୍ଥରେ କୁହାଯାଉଥିଲା ଭାରତର ଫ୍ରିଡା କାହଲୋ ବୋଲି। [୩]ବିଂଶ ଶତାବ୍ଦୀର ଭାରତରେ ତାଙ୍କୁ ଜଣେ ଅତି ଗୁରୁତ୍ଵପୂର୍ଣ୍ଣ ଚିତ୍ରଶିଳ୍ପୀ ଭାବେ ବର୍ଣ୍ଣନା କରାଯାଏ ଯିଏ ଚିତ୍ରକଳାରେ ଅଦ୍ଭୁତପୂର୍ବ ନଗଜାଗରଣ ସୃଷ୍ଟି କରିଥିଲେ। ଚିତ୍ର ଜଗତରେ ଅମୃତାଙ୍କ ଆବିର୍ଭାବ ସେହି ସମୟରେ ହୋଇଥିଲା ଯେଉଁ ସମୟରେ ବଙ୍ଗଳାରେ ଚିତ୍ରକଳାକୁ ନେଇ ନବଜାଗରଣ ଆରମ୍ଭ ହୋଇ ସାରିଥିଲା ।[୪] [୫] ସେହି ସମୟ ଅମୃତାଙ୍କ ପାଇଁ ଥିଲା ଖୁବ କଠୋର ସମୟ । ମାତ୍ର ନିଜର ପରିଶ୍ରମ, ଧୈର୍ଯ୍ୟ ଆଉ ପ୍ରଚଣ୍ଡ ଇଚ୍ଛାଶକ୍ତି ବଳରେ ସେ ସମସ୍ତ ପ୍ରତିକୂଳତାକୁ ନିଜ ସପକ୍ଷରେ ନେବାକୁ ସମର୍ଥ ହୋଇଥିଲେ ।

ପ୍ରାଥମିକ ଜୀବନ ଓ ଶିକ୍ଷା[ସମ୍ପାଦନା]

୧୯୧୩ ମସିହା ଜାନୁଆରୀ ୩୦ ତାରିଖରେ ହଙ୍ଗେରୀର ବୁଦାପେଷ୍ଟଠାରେ ଅମୃତା ସେରଗିଲଙ୍କ ଜନ୍ମ। [୬]ତାଙ୍କର ବାପା ଉମରାଓ ସିଂହ ସେରଗିଲ ମାଜିଥିଆ ଥିଲେ ଜଣେ ଶିଖ ସମ୍ଭ୍ରାନ୍ତ ପରିବାରର ସନ୍ତାନ । ଉଭୟ ସଂସ୍କୃତ ଓ ପାର୍ସୀ ଭାଷାରେ ଥିଲା ତାଙ୍କର ଗଭୀର ବ୍ୟୁତ୍ପତ୍ତି। ପରପକ୍ଷରେ ତାଙ୍କର ମାଆ ମେରୀ ଅଣ୍ଟୋନିଟେ ଗୋଟେସମାନ ଥିଲେ ଜଣେ ହଙ୍ଗେରୀୟାନ ଗାୟିକା। ସେ ତତ୍କାଳର ଏକ ଅପେରା ଦଳରେ ଜଣେ ନିୟମିତ ଗାୟିକା ଭାବରେ କାର୍ଯ୍ୟ କରୁଥିଲେ। ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ନିମନ୍ତେ ମେରୀ ଭାରତ ଆସିଥିବା ସମୟରେ ତାଙ୍କର ଉମରାଓଙ୍କ ସହିତ ସାକ୍ଷାତ ହୋଇଥିଲା। ଉମରାଓ ଓ ମେରୀଙ୍କ ପ୍ରଥମ ସନ୍ତାନ ହେଉଛନ୍ତି ଅମୃତା । ତାଙ୍କ ସାନ ଭଉଣୀଙ୍କ ନାମ ହେଉଛି ଇନ୍ଦିରା । ଅମୃତାଙ୍କ ଅଧିକାଂଶ ପିଲାଦିନ କଟିଥିଲା ହଙ୍ଗେରୀର ବୁଦାପେଷ୍ଟଠାରେ । ବୁଦାପେଷ୍ଟଠାରେ ହିଁ ତାଙ୍କର ପ୍ରାଥମିକ ଶିକ୍ଷାର ଭିତ୍ତି ପଡିଥିଲା । ୧୯୨୧ ମସିହାରେ ତାଙ୍କର ପରିବାର ଶିମଲାର ସମରହିଲକୁ ସ୍ଥାନାନ୍ତରିତ ହୋଇଥିଲେ। ଶିମଲାକୁ ଆସିବାପରେ ଅମୃତା ପିଆନୋବେହେଲା ଶିଖିଲେ। ମାତ୍ର ୯ ବର୍ଷ ବୟସରେ ସେ ତାଙ୍କର ସାନ ଭଉଣୀ ଇନ୍ଦିରାଙ୍କ ସହିତ ମିଶି ଶିମଲାର ଏକ ଥିଏଟରରେ କନସର୍ଟ ପ୍ରୋଗାମ କରି କରି ଦର୍ଶକମାନଙ୍କୁ ଚମତ୍କୃତ କରିଦେଇଥିଲେ। [୭]ତେବେ ସେ ବିଧିବଦ୍ଧ ଭାବରେ ୮ବର୍ଷ ବୟସରେ ପେଣ୍ଟିଂ ଶିଖିବା ଆରମ୍ଭ କରିଥିଲେ । [୭]

ଅମୃତା ଯେ ଭବିଷ୍ୟତରେ ଜଣେ ଚିତ୍ରଶିଳ୍ପୀ ଭାବରେ ନିଜର ନାମକୁ ସ୍ଵାର୍ଣ୍ଣାକ୍ଷରରେ ଲିପିବଦ୍ଧ କରିବାରେ ସମର୍ଥ୍ୟ ହୋଇ ପାରିବେ ଏକଥା ତାଙ୍କର ମାଆ-ବାପା ହୃଦବୋଧ କରିପାରିଥିଲେ। ସେଥିପାଇଁ ସେମାନେ ଅମୃତାଙ୍କୁ ଚିତ୍ର ପ୍ରତି ଅଧିକ ଧ୍ୟାନ ଦେବାକୁ ଉତ୍ସାହିତ କରିଥିଲେ । ଅମୃତାଙ୍କୁ ୧୬ ବର୍ଷ ହୋଇଥିବା ବେଳେ ତାଙ୍କର ମାଆ ମେରୀ ତାଙ୍କୁ ୟୁରୋପୀୟ ଚିତ୍ରଶିଳ୍ପୀଙ୍କଦ୍ଵାରା ତାଲିମ ପ୍ରଦାନ କରାଇବା ନିମନ୍ତେ ୟୁରୋପ ନେଇଥିଲେ । ସେତେବେଳେ ଚିତ୍ରକଳାରେ ୟୁରୋପ ବିଶ୍ଵବ୍ୟାପୀ ଏକ ନବଜାଗରଣର ମହାସ୍ରୋତ ସୃଷ୍ଟି କରିଥିଲା। ରଙ୍ଗ ଓ ତୁଳିକୁ ନେଇ ସେଠାରେ ଅବିରତ ପରୀକ୍ଷାନିରୀକ୍ଷା ଜାରି ରହିଥିଲା। ଅମୃତା ପ୍ରଥମେ ତତ୍କାଳର ପ୍ରଖ୍ୟାତ ଚିତ୍ରଶିଳ୍ପୀ ପିଏରେ ଭାଇଲ୍ୟାଣ୍ଟଙ୍କ ଠାରୁ ଏବଂ ପରେ ଇକୋଲୋ ଡେସ୍ ବିୟକ୍ସ-ଆର୍ଟ୍ସ ସେଣ୍ଟରରେ ଚିତ୍ରକଳାରେ ତାଲିମ ନେଇଥିଲେ। (୧୯୩୦-୩୪) [୮][୯] ସେହି ସମୟର ସମଗ୍ର ୟୁରୋପରେ ଖ୍ୟାତି ଅର୍ଜନ କରିଥିବା ୟୁରିପୀୟ ଶିଳ୍ପୀ ପଲ ସେଜାନ ଏବଂ ପଲ ଗାଉଗୁଇନଙ୍କ ଚିତ୍ର ସବୁ ଅମୃତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ତାଙ୍କର ବ୍ୟକ୍ତିଗତ ଶିକ୍ଷକ ଥିଲେ ଲୁସିଏନ୍ ସାଇମନ୍ । ଖୁବ କମ ସମୟରେ ମଧ୍ୟ ଚିତ୍ର ସମିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସମର୍ଥ ହୋଇଥିଲେ ଅମୃତା । ପ୍ରାଚ୍ୟ ସହିତ ପାଶ୍ଚାତ୍ୟର ମିଶ୍ରଣ ତାଙ୍କର ଚିତ୍ରକୁ ସବୁବେଳେ ଏକ ନୂତନ ଦିଶା ପ୍ରଦାନ କରୁଥିଲା । ସେହି ସମୟରେ ୟୁରୋପରେ ଏକ ଅତି ଗୁରୁତ୍ଵପୂର୍ଣ୍ଣ ଘଟଣା ଘଟିଲା ଯାହା ପରବର୍ତ୍ତୀ କାଳରେ ସମଗ୍ର ବିଶ୍ଵକୁ ବ୍ୟାପୀ ଯାଇଥିଲା। ତାହା ହେଉଛି ବୋହେମିଆନ୍ ସଂସ୍କୃତି। ବୋହେମିଆନ୍ ସଂସ୍କୃତି ଆଧାରରେ ଅମୃତାଙ୍କ ଅଙ୍କିତ ଚିତ୍ର ତାଙ୍କୁ ଖ୍ୟାତିର ଶୀର୍ଷକୁ ନେଇ ଯାଇଥିଲା ।

ବିବାହ ଓ ଭାରତ ପ୍ରତ୍ୟାବର୍ତ୍ତନ[ସମ୍ପାଦନା]

୧୯୩୮ରେ ଅମୃତାଙ୍କ ବିବାହ ହେଲା ଓ ସେ ତାଙ୍କର ସର୍ମ୍ପକୀୟ ଡାକ୍ତର ଭିକ୍ଟର ଲଗାନଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ସ୍ଵାମୀଙ୍କ ସହିତ ଭାରତ ଚାଲିଆସି ନିଜର ପୈତୃକ ଘର ଉତ୍ତର ପ୍ରଦେଶର ଗୋରଖପୁରଠାରେ ଅବସ୍ଥାନ କଲେ । ସେହି ସମୟରେ ଭାରତୀୟ ଚିତ୍ରକଳାର ଖ୍ୟାତି ମଧ୍ୟ କିଛି କମ ନ ଥାଏ । ବିଶେଷକରି ରବୀନ୍ଦ୍ରନାଥ ଠାକୁର, ଜମିନୀ ରୋୟ ଆଦିଙ୍କଦ୍ଵାରା ପ୍ରଭାବିତ ହେବା ଫଳରେ ଅମୃତା ଚିତ୍ରକଳାର ଏକ ନୂତନ ଦିଗନ୍ତ ଉଦଘାଟନ କଲେ । ୧୯୩୪ ବେଳକୁ ଅମୃତା ଚିତ୍ରକଳା ଜଗତରେ ଏକ ଜଣାଶୁଣା ନାମରେ ପରିଚିତ ହୋଇସାରିଥିଲେ । ସେତେବେଳେ ଭାରତ ବ୍ରିଟିଶ ଶାସନଧୀନ ଥିଲା । ସବୁଠୁ ଗୁରୁତ୍ଵ କଥା ହେଲା ଅମୃତାଙ୍କ ସପରିବାର ବ୍ରିଟିଶ ରାଜଶକ୍ତିର ପ୍ରଶଂସକ ଥିବାବେଳେ ଅମୃତା କିନ୍ତୁ ଭାରତୀୟ ଜାତୀୟ କଂଗ୍ରେସକୁ ସମର୍ଥନ କରୁଥିଲେ । ଗରୀବ, ନିଷ୍ପେଷିତ, ଅବହେଳିତ ଜନତା ପ୍ରତି ବ୍ରିଟିଶ ସରକାରଙ୍କ ଅବିଚାର ତାଙ୍କଦ୍ଵାରା ବରଦାସ୍ତ ହେଉନଥିଲା । ସେହି ସମୟରେ ସେ ସୃଷ୍ଟି କରିଥିବା ଚିତ୍ର ସବୁ ତାହାର ବିରୁଦ୍ଧାଚରଣ କରୁଥିଲା । ସେ ମହାତ୍ମା ଗାନ୍ଧୀଙ୍କଦ୍ଵାରା ଅନୁପ୍ରାଣୀତ ହୋଇଥିଲେ । ତାଙ୍କର ଚିତ୍ର ସବୁ ଦେଖି ଜବାହରଲାଲ ନେହେରୁ ଅତ୍ୟନ୍ତ ଭାବ ବିହ୍ଵଳ ହୋଇ ଉଠିଥିଲେ।[୧୦]

ଶେଷ ଜୀବନ[ସମ୍ପାଦନା]

୧୯୪୧ ମସିହାରେ ନିଜ ସ୍ଵାମୀଙ୍କ ସହିତ ଲାହୋର ଯାତ୍ରା କରି ଥିଲେ ସେଠାରେ ତାଙ୍କର ଚିତ୍ରକଳାର ଏକ ପ୍ରଦର୍ଶନ କରିବା ପାଇଁ । ମାତ୍ର ଠିକ ତାର ପୂର୍ବ ଦିନ ରାତିରେ ସେ ଅସୁସ୍ଥ ହୋଇ ପଡିଲେ ଓ କୋମାକୁ ଚାଲିଗଲେ। [୧୧]ଏହା ଥିଲା ୧୯୪୧ ମସିହା ଡିସେମ୍ବର ୬ ତାରିଖର ଘଟଣା। କୋମାକୁ ଯିବାର କିଛି ଘଣ୍ଟାପରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହି ସମୟରେ ଅମୃତା ଗର୍ଭବତୀ ଥିଲେ। ଅପ୍ରତ୍ୟାଶିତ ଗର୍ଭପାତ ହିଁ ତାଙ୍କର ମୃତ୍ୟୁର କାରଣ ବୋଲି କୁହାଯାଇଥିଲା ଡାକ୍ତରୀ ରିପୋର୍ଟରେ ।

ଗେଲେରୀ[ସମ୍ପାଦନା]

ଅମୃତା ଶେର ଗିଲଙ୍କ ସ୍ଵ ଅଙ୍କିତ ଚିତ୍ର ସମୂହ

ଆଧାର[ସମ୍ପାଦନା]

  1. Great Minds, The Tribune, 10 March 2015.
  2. Most expensive Indian artists. Us.rediff.com.
  3. Amrita Sher-Gill at. Mapsofindia.com.
  4. First Lady of the Modern Canvas Indian Express, 17 October 1999.
  5. Women painters at 21stcenturyindianart.com
  6. "Budapest Diary". Outlook. 20 September 2010. http://www.outlookindia.com/article.aspx?267032. Retrieved 10 March 2015. 
  7. ୭.୦ ୭.୧ Amrita Shergill at sikh-heritage. Sikh-heritage.co.uk (10 March 2015.).
  8. Archives 'Amrita Shergil' project www.hausderkunst.de.
  9. Amrita Sher-Gil profile at. Indianartcircle.com.
  10. "Amrita’s village". Frontline 30 (04). February–March 2013. Retrieved 26 February 2013. 
  11. Laid bare – the free spirit of Indian art The Daily Telegraph, 24 February 2007.

ବାହାର ତଥ୍ୟ[ସମ୍ପାଦନା]

ଜୀବନୀ[ସମ୍ପାଦନା]

ଚିତ୍ରକଳା[ସମ୍ପାଦନା]