କ୍ଷୀରଚୋରା ଗୋପୀନାଥ ମନ୍ଦିର

ଉଇକିପିଡ଼ିଆ ରୁ
କ୍ଷୀରଚୋରା ଗୋପୀନାଥ ମନ୍ଦିର
କ୍ଷୀରଚୋରା ଗୋପୀନାଥ ମନ୍ଦିର ଓଡ଼ିଶାରେ ଅବସ୍ଥିତ ।
କ୍ଷୀରଚୋରା ଗୋପୀନାଥ ମନ୍ଦିର
କ୍ଷୀରଚୋରା ଗୋପୀନାଥ ମନ୍ଦିର
ଓଡ଼ିଶା
ଦିଗବାରେଣି: 21°32′15.8″N 86°52′46.03″E / 21.537722°N 86.8794528°E / 21.537722; 86.8794528
ଅବସ୍ଥାନ
ଦେଶ: ଭାରତ
ରାଜ୍ୟ: ଓଡ଼ିଶା
ଜିଲ୍ଲା: ବାଲେଶ୍ଵର

କ୍ଷୀରଚୋରା ଗୋପୀନାଥ ମନ୍ଦିର ରେମୁଣା ରେ ଅବସ୍ଥିତ । ଏହା ବାଲେଶ୍ଵରଠାରୁ ୯ କିମି ପୂର୍ବରେ ହାଉଡ଼ା ଓ ଭୁବନେଶ୍ଵର ମଝିରେ ପଡ଼େ । ରେମୁଣା ନାମଟି ରମଣୀୟ ଶବ୍ଦରୁ ଆସିଛି ଜାହାର ଅର୍ଥ ସୁନ୍ଦର । କ୍ଷୀରଚୋରା ଗୋପୀନାଥ ମନ୍ଦିର ଓଡ଼ିଶାର ହିନ୍ଦୁ ମନ୍ଦିର ମାନଙ୍କ ଭିତରେ ଏକ ଜଣାଶୁଣା ଏବଂ ପ୍ରସିଦ୍ଧ ଆନ୍ତର୍ଜାତୀୟ ମନ୍ଦିର । ଏହା ଗଙ୍ଗବଂଶର ରାଜା ଲାଙ୍ଗୁଳା ନରସିଂହଦେବଙ୍କ ଦ୍ଵାରା ତିଆରି କରାଯାଇଥିଲା ଯେକି ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ । ବୃନ୍ଦାବନର ତିନି ଠାକୁର ଶ୍ରୀ ମଦନମୋହନ(ସମ୍ବନ୍ଧ ତତ୍ତ୍ଵ), ଶ୍ରୀ ଗୋବିନ୍ଦ(ଅବିଧେୟ ତତ୍ତ୍ଵ), ଶ୍ରୀ ଗୋପୀନାଥ(ପ୍ରୟୋଜନ ତତ୍ତ୍ଵ)ଭଳି ଏଠାରେ ଏହି ତିନି ଠାକୁର ବିରାଜିତ ହୋଇଥିବାରୁ ଏହାକୁ ପୂର୍ବ ଭାରତର ଗୁପ୍ତ ବୃନ୍ଦାବନ ଧାମ ମଧ୍ୟ କୁହାଯାଏ ରେମୁଣାର ଗଛଲତା ଭରା ଏକ ଶୀତଳ ପରିବେଶ ଭିତରେ ଗୋପୀନାଥ ପୂଜା ପାଇଥାନ୍ତି । ବର୍ଷ ସାରା ଏହି ମନ୍ଦିରକୁ ଅନେକ ଭକ୍ତଙ୍କ ସୁଅ ଛୁଟିଥାଏ ।

ଇତିହାସ[ସମ୍ପାଦନା]

ଏହା ୧୩ଶ ଶତକରେ ଉତ୍କଳର ଗଙ୍ଗ ବଂଶର ନରପତି ଲାଙ୍ଗୁଳା ନରସିଂହ ଦେବଙ୍କ ଦେଇ ତିଆରି ହୋଇଥିଲା । ଶ୍ରୀପାଦ ମାଧବେନ୍ଦ୍ର ପୁରୀ ଗୋସାଇଁ, ଶ୍ରୀ ଶ୍ରୀ ରସିକାନନ୍ଦ ଦେବ ଗୋସାଇଁ ପ୍ରମୁଖ ସନ୍ଥ ଏଠାରେ ଅନେକ କାଳ କାଟିଛନ୍ତି । ମନ୍ଦିରଠୁ ୧ କି.ମି. ଦୂରରେ ରାଜା ଲାଙ୍ଗୁଳା ନରସିଂହ ଦେବ ଓ ରାଣୀଙ୍କ ଅବସ୍ଥାନର ପ୍ରତୀକ ସ୍ଵରୂପ ଦୁଇଟି ପୋଖରୀ, କୂଟପୋଖରୀ ଓ ବଜ୍ର ପୋଖରୀ ରହିଅଛି । ଏହା କୂଳରେ ଜଗନ୍ନାଥ ମନ୍ଦିର ଓ ଭାରତର ଦ୍ଵିତୀୟ ଅଷ୍ଟଭୁଜା ମନ୍ଦିର ଅବସ୍ଥିତ । [୧]

କିମ୍ବଦନ୍ତୀ[ସମ୍ପାଦନା]

କ୍ଷୀରଚୋରା ଗୋପୀନାଥ ମନ୍ଦିର, ରେମୁଣା

କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ର ସୀତାଙ୍କୁ ଗଙ୍ଗାରେ ସ୍ନାନ କରାଇବା ଉଦ୍ଦ୍ୟେଶ୍ୟରେ ଏଠାରେ ଗଙ୍ଗାଙ୍କୁ ସ୍ମରଣ କରି ସାତଟି ଶର ମୁନରେ ସପ୍ତରେଖା ନଦୀ ଖନନ କରିଥିଲେ , ଅଧୁନା ଏହା ନାଳରେ ପରିଣତ ହୋଇଛି ।[୧]

କୁହାଯାଏ ଥରେ ଜଣେ ଭକ୍ତ ମାଧବେନ୍ଦ୍ର ପୁରୀ, ବୃନ୍ଦାବନର ତାଙ୍କର ସେବିତ ଠାକୁର ଶ୍ରୀ ଗୋପାଳଙ୍କ ପାଇଁ ଜଗନ୍ନାଥ ପୁରୀରୁ ମଲୟ ଚନ୍ଦନ ନେବା ଉଦେଶ୍ୟରେ ବୃନ୍ଦାବନରୁ ଚାଲି ଚାଲି ଆସି ରେମୁଣା ଗୋପୀନାଥ ମନ୍ଦିରରେ ବିଶ୍ରାମ କରିଥିଲେ । ଗୋପୀନାଥଙ୍କ ଠାରେ ଲାଗିଥିବା କ୍ଷୀରଭୋଗ(ଅମୃତକେଳି)କୁ ଦେଖି ଭୋଗ ପାଇବାର ଇଚ୍ଛା ହୋଇଥିଲା । କିନ୍ତୁ ସେ ଅଯାଚିତ ହୋଇଥିବାରୁ ମନର ଇଚ୍ଛା ପ୍ରକାଶ କଲେ ନହିଁ । ଶ୍ରୀ ଗୋପୀନାଥ ଭକ୍ତର ମନକଥା ଜାଣିପାରି ବାରଟି କ୍ଷୀରଭୋଗ ମଧ୍ୟରୁ ଗୋଟିଏ କ୍ଷୀରଭୋଗ ତାଙ୍କ ପିନ୍ଧିଥିବା ଧୋତିତଳେ ଲୁଚାଇ ରଖି ପୂଜକ କୁ ଅର୍ଦ୍ଧରାତ୍ରିରେ ଉଠାଇ ଭକ୍ତ ମାଧବେନ୍ଦ୍ରଙ୍କୁ କ୍ଷୀରଭୋଗ ଦେଇଆସିବା ପାଇଁ ନିର୍ଦେଶ ଦେଲେ । ପୂଜକ ଉଠି ସ୍ନାନକରି ସତକୁ ସତ ଦେଖିଲେ ଗୋପୀନାଥଙ୍କ ଧୋତିତଳେ କ୍ଷୀରଭୋଗଟିଏ ଅଛି । ସେ ତୁରନ୍ତ କ୍ଷୀରଭୋଗଟି ନେଇ ଅନତି ଦୂରରେ ବସି କୀର୍ତନ କରୁଥିବା ମାଧବେନ୍ଦ୍ରଙ୍କୁ ଦେଇଥିଲେ । ମାଧବେନ୍ଦ୍ର ପୁରୀ ସେଇ କ୍ଷୀରଭୋଗ ପାଇ ଆନନ୍ଦରେ ନୃତ୍ୟ କରି ମୁର୍ଚ୍ଛିତ ହୋଇପଡ଼ିଲେ, ପୁଣି ଉଠି ନିଜକୁ ଧିକାର କଲେକି ପ୍ରଭୁ ଗୋପୀନାଥ ତାଙ୍କ ପାଇଁ ରାତ୍ରି ଅନିଦ୍ରା ରହି ଏତେ କଷ୍ଟ କଲେ । ତତ୍ପରେ ସେ ପ୍ରତିଷ୍ଠା ଭୟରେ ସକାଳ ହେବା ପୂର୍ବରୁ ରେମୁଣା ଛାଡି ପୁରୀ ଅଭିମୁଖେ ପଳାୟନ କଲେ। ସେହିଦିନଠାରୁ ଶ୍ରୀ ଗୋପୀନାଥ କ୍ଷୀରଚୋରା ଗୋପୀନାଥ ନାମରେ ପ୍ରସିଦ୍ଧ ହେଲେ । ଭକ୍ତ ମାଧବେନ୍ଦ୍ର ପୁରୀରୁ ମଲୟ ଚନ୍ଦନ ଆଣି ରେମୁଣା ଦେଇ ଫେରିବା ବାଟରେ ଏଠାକାର ଭକ୍ତ ମାନେ ଏଠାରେ ରହିବା ପାଇଁ ଅନୁରୋଧ କଲେ । ସେ ଏଠାରେ ରହଣି ସମୟରେ ତାଙ୍କ ବୃନ୍ଦାବନର ଠାକୁର ଶ୍ରୀ ଗୋପାଳ ନିର୍ଦ୍ଦେଶ ଦେଲେ ଯେ ମୁଁ ଯିଏ ରେମୁଣାର ଗୋପୀନାଥ ସିଏ । ତୁମେ ଗୋପୀନାଥଙ୍କ ଶ୍ରୀଅଙ୍ଗରେ ମଲୟ ଚନ୍ଦନ ଲେପନ କରିଦେଲେ ମୁଁ ପାଇଯିବି । ସେହିଦିନଠାରୁ ଅକ୍ଷୟ ତୃତୀୟା ଓ ଚନ୍ଦନ ପୂର୍ଣ୍ଣମୀରେ ଗୋପୀନାଥଙ୍କ ସର୍ବାଙ୍ଗ ଚନ୍ଦନ ବେଶ ହୁଏ । ଏବଂ ଅକ୍ଷୟ ତୃତୀୟା ଠାରୁ ୪୫ ଦିନଧରି ଭକ୍ତଶ୍ରେଷ୍ଠ ମାଧବେନ୍ଦ୍ର ପୁରୀ ଗୋସ୍ଵାମୀଙ୍କ ସ୍ମୃତି ଉଦେଶ୍ୟରେ ଚନ୍ଦନ ଲାଗି ହୁଏ । ତାଙ୍କୁ ଏହିଠାରେ ସ୍ଥୂଳ ସମାଧି ଦିଆଯାଇଛି ଓ ଏବେ ସେଠାରେ ତାଙ୍କର ସମାଧି ମନ୍ଦିର ମଧ୍ୟ ଅଛି ।

ବିଗ୍ରହ[ସମ୍ପାଦନା]

ଦେଉଳ ଗର୍ଭଗୃହରେ ମଦନମୋହନ, ଗୋପୀନାଥଗୋବିନ୍ଦଙ୍କ ବିଗ୍ରହ

ଭଗବାନ ଗୋପୀନାଥଙ୍କ ଡାହାଣରେ ମଦନମୋହନ ଓ ବାମରେ ଗୋବିନ୍ଦ ଅଛନ୍ତି । ମଦନମୋହନ ଓ ଗୋବିନ୍ଦଙ୍କୁ ଶ୍ରୀ ରସିକାନନ୍ଦ ପ୍ରଭୁ ୩୫୦ ବର୍ଷ ତଳେ ତାଙ୍କର ଶିଷ୍ୟ ତିହିଡି ସାମନ୍ତ ରାଜାଙ୍କ ଦ୍ଵାରା ପ୍ରତିଷ୍ଠା କରାଇଥିଲେ । ତା ପୂର୍ବରୁ କେବଳ ଶ୍ରୀ ଗୋପୀନାଥ ଥିଲେ । ଶ୍ରୀ ଗୋପୀନାଥ ସ୍ଵୟଂଭୂ ବିଗ୍ରହ ଅଟନ୍ତି, ଯାହାଙ୍କୁ ଲାଙ୍ଗୁଳା ନରସିଂହଦେବ ତୀର୍ଥଯାତ୍ରା ଯାଇଥିବା ସମୟରେ ସ୍ଵପ୍ନାଦେଶ ପାଇ ଚିତ୍ରକୁଟ ପର୍ବତରୁ ପୁରୀ ନେଇଯାଉଥିବା ବେଳେ ପୁଣି ସ୍ଵପ୍ନାଦେଶ ପାଇ ରେମୁଣାରେ ପ୍ରତିଷ୍ଠା କଲେ । କୁହାଜାଏ ଯେ ଏହି ଗୋପୀନାଥଙ୍କ ମୂର୍ତିଙ୍କୁ ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଚନ୍ଦ୍ର ସିତା ଦେବୀଙ୍କ ଅନୁରୋଧରେ ନିଜ ଧନୁତୀରରେ ଚିତ୍ରକୁଟରେ ଗଢ଼ିଥିଲେ । ସିତା ଦେବୀଙ୍କ ସ୍ପର୍ଶରେ ଏହି ମୂର୍ତି ଜୀବନ୍ତ ହୋଇଯାଇଥିଲେ, ସେହିଦିନଠାରୁ ବ୍ରହ୍ମା ପୂଜା କରୁଥିଲେ । ଏହି ବିରାଟ ସ୍ଵୟଂଭୂ ମୂର୍ତିଙ୍କ ପାଦତଳେ ଚାରି ଶଖାଙ୍କ ସହିତ ଗୋଚାରଣ ଦୃଶ୍ୟ, ତାହାତଳେ ଅଷ୍ଟସଖୀ ସେବାରତ ଥିବାର ଦୃଶ୍ୟ ଅଛି । ତାଙ୍କ ମସ୍ତକରେ ଶେଷଦେବ ଅଛନ୍ତି, ତିନୋଟି ଜମ୍ବୂ ଫଳ ଅଛି, ମସ୍ତକର ଉପରି ଭାଗରେ ବାମ ଓ ଡାହାଣପାର୍ଶ୍ଵରେ ଚାଣୁର ଏବଂ ମୁଷ୍ଟିକ ସହିତ ଯୁଧ୍ୟ କରୁଥିବାର ଦୃଶ୍ୟ ଅଛି । ତାଙ୍କର ନଟବର ବେଶରେ ଛନ୍ଦା ଚରଣରେ ମୁରଲୀ ବଜାଉଥିବାର ମୂର୍ତିଙ୍କୁ ଯେକେହି ଦେଖିବ ସେ ତାର ନୟନ ସହଜରେ ଫେରାଇ ପାରିବ ନହିଁ ।

ଭୋଗ[ସମ୍ପାଦନା]

ଏଠାରେ କ୍ଷୀର ଭୋଗ "ଅମୃତ କେଳି" ନମରେ ଦିଅଁଙ୍କ ପାଖରେ ଅର୍ପଣ କରାଯାଇଥାଏ । କ୍ଷୀର, ଚିନି, ଖୁଆ ଓ ଗୁଜୁରାତି ଅଳେଇଚରେ ଏହା ତିଆରି କରାଯାଏ । ଏଠାରେ ନିତି ଅନ୍ନ ପ୍ରସାଦ ମଧ୍ୟ ମିଳେ ।

କିଣାକିଣି[ସମ୍ପାଦନା]

ରେମୁଣା ସହର କଂସା ଓ ପିତଳ ବାସନ ପାଇଁ ଓଡ଼ିଶା ପ୍ରସିଦ୍ଧ । ସୁନ୍ଦର କୋଟିକମକରା ଭଳିକି ଭଳି ବାସନ ଓ ଘର ସଜେଇବା ଜିନିଷ ଏଠାରେ ମିଳିପାରେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ପ୍ରଦୀପ୍ତ ଦାସ. ବାଲେଶ୍ଵର ଜିଲ୍ଲାର ଦର୍ଶନୀୟ ସ୍ଥାନ. ଉନ୍ନୟନୀ (୨୦୦୬) ପୃ. ୭୭-୭୮