ବିରଞ୍ଚିନାରାୟଣ ମନ୍ଦିର, ପାଳିଆ
ବିରଞ୍ଚିନାରାୟଣ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଭଦ୍ରକ |
Location | |
Country | ଭାରତ |
ବିରଞ୍ଚିନାରାୟଣଙ୍କ ମନ୍ଦିର ଭଦ୍ରକ ଜିଲ୍ଲା ସଦରମହକୁମାଠାରୁ ଦକ୍ଷିଣକୁ ୧୫କିଲୋମିଟର ଦୂର ତିହିଡ଼ି ବ୍ଳକର ପାଳିଆବିନ୍ଧାଠାରେ ଅବସ୍ଥିତ । କୋଣାର୍କ ଭଳି ଏହି ମନ୍ଦିର ୧୬ଟି ରଥ ଚକ ଉପରେ ଦଣ୍ଡାୟମାନ ।[୧] ଏହି ମନ୍ଦରର ଉପସ୍ଥିତି ପୁରୁଣା ଯୁଗରେ ଓଡ଼ିଶାରେ ସୂର୍ଯ୍ୟପୂଜାର ମୂକସାକ୍ଷି । ବିରିଞ୍ଚି ନାରାୟଣ ହେଉଛି ସୂର୍ଯ୍ୟଦେବଙ୍କ ଅନ୍ୟ ଏକ ନାମ । ଏହି ମନ୍ଦିରରେ ବିରଞ୍ଜିନାରାୟଣଙ୍କ ଚତୁର୍ମୁଖ ବିଗ୍ରହ ରହିଛି । ମନ୍ଦିରର ଉତ୍ତର ଦିଗରେ ସାଳନ୍ଦୀ ନଦୀରୁ ବାହାରିଥିବା ଶାଖା ନଦୀ କୁଣ୍ଡୀ ନଦୀ ବହିଯାଉଛି ଓ ପଶ୍ଚିମ ଦିଗରେ ହିନ୍ଦୁ ବସ୍ତି ରହିଛି । କିମ୍ବଦନ୍ତୀ ମତେ କଳାପାହାଡ଼ ଯୁଦ୍ଧ କରୁଥିବା ବେଳେ ତାହାର ସେନାପତି ମନସୁର ଅଲ୍ଲୀ ମରିଯିବାରୁ ବିରଞ୍ଚି ନାରାୟଣଙ୍କ ଦକ୍ଷିଣ ଦିଗରେ କବର ଦେଇଥିଲେ । ଏହାକୁ ମୁସଲମାନମାନେ ଦେବତା ରୂପେ ପୂଜା କରିଆସୁଛନ୍ତି । ଏହି ମନ୍ଦିରଟି ୧୩ଶହ ଖ୍ରୀଷ୍ଟାବ୍ଦର ବୋଲି ଏହାର ନିର୍ମାଣ ଶୈଳୀରୁ ଜଣପଡ଼େ । ପରବର୍ତ୍ତୀ ସମୟରେ ୨୦ଶହ ଶତାବ୍ଦୀରେ ସେଠାକାର ସ୍ଥାନୀୟ ଜମିଦାରଙ୍କଦ୍ୱାରା ଏହି ମନ୍ଦିରଟିର ମରାମତୋ କରାଯାଇଥିଲା ।
ସୂର୍ଯ୍ୟପୂଜା ଅନେକ ଦିନରୁ ଆମ ପରମ୍ପରାରେ ଚାଲିଆସିଛି । ଓଡ଼ିଶାର ସୂର୍ଯ୍ୟପୂଜାର ପ୍ରମୁଖ କୀର୍ତ୍ତି ହେଉଛି କୋଣାର୍କ ସୂର୍ଯ୍ୟ ମନ୍ଦିର । ଏତଦ୍ ବ୍ୟତୀତ ଓଡ଼ିଶାରେ ଆଉ ଦୁଇଟି ସୂର୍ଯ୍ୟ ମନ୍ଦିର ଦେଖିବାକୁ ମିଳେ । ଗଞ୍ଜାମର ବୁଗୁଡ଼ାଠାରେ ଏବଂ ଅନ୍ୟଟି ଭଦ୍ରକର ପାଳିଆଠାରେ ।[୨]
ଅବସ୍ଥିତି
[ସମ୍ପାଦନା]ଏହି ମନ୍ଦିରଟି ଭଦ୍ରକ ଜିଲ୍ଲା ସଦରମହକୁମାଠାରୁ ଦକ୍ଷିଣରେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ୧୫ କିଲୋମିଟର ଦୂରରେ ଅବସ୍ଥିତ ।
ସୂର୍ଯ୍ୟଦେବଙ୍କର ଅନ୍ୟନାମ ବିରଞ୍ଚି ନାରାୟଣ । ଏଠାରେ ଥିବା ମନ୍ଦିରଟିରେ ପ୍ରମୁଖ ଦେବତା ଭାବରେ ବିରଞ୍ଚିନାରାୟଣ ଅର୍ଥାତ ସୂର୍ଯ୍ୟଦେବଙ୍କର ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଉଛନ୍ତି । ଗୋଟିଏ ଚାରିକୋଣିଆ ପଥର ଏହି ସବୁ ମୁଖର ଅଗ୍ରଭାଗରେ ଖୋଦିତ ହୋଇଛି । ଏହି ମୂର୍ତ୍ତିର ହସ୍ତଦ୍ୱୟରେ ପଦ୍ମଫୁଲ ଶୋଭାପାଏ । ଏହି ମୂର୍ତ୍ତିଟି ସାତଟି ଘୋଡ଼ାରେ ଯୋଖାଯାଇଥିବା ଏକ ରଥ ଉପରେ ଶୋଭା ପାଉଛି ।
ଏଠାରେ ଏକ ଦେଉଳ, ବେଢ଼ା ରହିଛି ଏବଂ ମୁଖ୍ୟଦ୍ୱାର ସହ ଚାରିପଟରୁ ବାଡ଼ାଦ୍ୱାରା ଆବଦ୍ଧ ହୋଇଛି । ଏହି ମନ୍ଦିରଟି ୩ଫୁଟ ୩ଇଞ୍ଚର ଏକ ଚଟାଣ ଉପରେ ଅବସ୍ଥିତ । ଏହାର ଚାରିପାଖରେ ବିଭିନ୍ନ ପ୍ରକାରର ମୂର୍ତ୍ତି ଖୋଦିତ ହୋଇଛି । ଯାହାକି କୋଣାର୍କର ସୂର୍ଯ୍ୟ ମନ୍ଦିର ପରି ହୋଇଛି । ଏହି ନିର୍ମାଣଶୈଳୀରେ ଜଗମୋହନ ଏବଂ ନାଟମନ୍ଦିର ମନ୍ଦିର ସାମ୍ନାରେ ରହିବା ପ୍ରାୟ ଗଙ୍ଗ ବଂଶ ସମୟରେ ହିଁ ଆରମ୍ଭ ହୋଇଥିଲା ।
ନିର୍ମାଣ ଶୈଳୀ
[ସମ୍ପାଦନା]ଏହି ମନ୍ଦିରର ନିର୍ମାଣଶୈଳୀ କଳିଙ୍ଗ ମନ୍ଦିର ନିର୍ମାଣଶୈଳୀ ଭିତ୍ତିକ । ଏହି ମନ୍ଦିରର ବିଚିତ୍ରତା ହେଉଛି ଏହାର ଦୁଆର, ଯହାକି ପୂର୍ବରୁ ଶିବ ମନ୍ଦିରରେ ବ୍ୟବହାର ହୋଇଥିଲା, ମାତ୍ର ମରାମତି କାର୍ଯ୍ୟବେଳେ ଏହି ଦ୍ୱୟକୁ ମୁଖ୍ୟମନ୍ଦିରର ଦ୍ୱାରକୁ ସ୍ଥାନାନ୍ତରିତ କରାଯାଇଛି । ଏହି ମନ୍ଦିରର ମୂର୍ତ୍ତିର ନିର୍ମାଣ ଶୈଳୀ ୧୦ଶ ବା ୧୧ଶହ ଖ୍ରୀଷ୍ଟାବ୍ଦର ବୋଲି ଅନୁମାନ କରାଯାଏ ।
କିମ୍ବଦନ୍ତୀ
[ସମ୍ପାଦନା]କଥିତ ଅଛି ଠାକୁରଙ୍କ ପୂର୍ବ ଦିଗକୁ ସମୁଦ୍ର ଥିଲା, ଧୀବରମାନେ ଏଠାରେ ବସବାସ କରି ସମୁଦ୍ରକୁ ମାଛ ମାରିବାକୁ ଯାଉଥିଲେ । ଡଙ୍ଗାର ପାଲ ବୁଣିବା ଓ ସିଲାଇ କରିବା ଏଠାକାର ଲୋକଙ୍କ ବ୍ୟବସାୟ ହେଇଥିବାରୁ ପାଲ ବନ୍ଧାରୁ ଗ୍ରାମର ନାମ ପାଳିଆବିନ୍ଧା ହୋଇଛି ।
ପର୍ବପର୍ବାଣି
[ସମ୍ପାଦନା]ମକରମେଳା ଓ ଗୁଣ୍ଡୁଣୀ ମେଳା ଦିନ ଭକ୍ତମାନେ ଫୁଲ ଛଉ ଓ କୁଷ୍ଠ ରୋଗର ନିବାରଣ ପାଇଁ ଫୁଲ ଛତା ଓ ଫୁଲ ବିଞ୍ଚଣା ଠାକୁରଙ୍କ ଉପରେ ଚଢ଼ାନ୍ତି । ମାଘ ଷଷ୍ଠି ଦିନ ବିରଞ୍ଚିନାରାୟଣଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥାଏ । ଏହି ଦିନ ବ୍ୟାଧିଗ୍ରସ୍ତ ଲୋକମାନେ ମନ୍ଦିରର ଉତ୍ତରପାର୍ଶ୍ୱରେ ଅଧିଆ ପଡ଼ିଲେ ଆରୋଗ୍ୟ ଲାଭ କରନ୍ତି ବୋଲି ବିଶ୍ୱାସ ରହିଛି । ମନ୍ଦିର ନିକଟରେ ଏକ ଗୁଣ୍ଡିଚା ମଣ୍ଡପ ରହିଛି । ପୂର୍ବେ ଗୁଣ୍ଡୁଣୀ ମେଳା ଦିନ ଏଠାରେ ରଥ ଯାତ୍ରା ହେଉଥିଲା । ଏହି ଗୁଣ୍ଡୁଣୀ ରଥ ଶୋହଳ ଚକ ଓ ଏହାକୁ ସାତଟି ଅଶ୍ୱ ଗୁଣ୍ଡିଚା ମଣ୍ଡପ ଯାଏ ଟାଣୁଥିଲେ । ଏବେ ସେସବୁ ପରମ୍ପରା ଲୁପ୍ତ ।
ଆଧାର
[ସମ୍ପାଦନା]- ↑ ବଳ, ସଞ୍ଜିତ. "ଭିନ୍ନ ଏକ ଅର୍କ କ୍ଷେତ୍ର". ଧରିତ୍ରୀ. Retrieved 24 November 2016.
- ↑ Aich, Harekrushna (April 2006). "A Little Known Sun Temple At Palia" (PDF). Orissa Review: 13. Retrieved 16 February 2017.