ଭଦ୍ରକାଳୀ ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
ଭଦ୍ରକାଳୀ ମନ୍ଦିର
ଭଦ୍ରକାଳୀ ମନ୍ଦିରର ମୁଖ୍ୟଦ୍ୱାର ।
ଭଦ୍ରକାଳୀ ମନ୍ଦିରର ମୁଖ୍ୟଦ୍ୱାର ।
ଭଦ୍ରକାଳୀ ମନ୍ଦିର is located in ଓଡ଼ିଶା
ଭଦ୍ରକାଳୀ ମନ୍ଦିର
ଭଦ୍ରକାଳୀ ମନ୍ଦିର
ଭଦ୍ରକାଳୀ ମନ୍ଦିରର ଅବସ୍ଥାନ
ଭୌଗୋଳିକ ଅବସ୍ଥିତି
ଦିଗବାରେଣି 21°0′54.98″N 86°32′12.19″E / 21.0152722°N 86.5367194°E / 21.0152722; 86.5367194
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ଭଦ୍ରକ
ସ୍ଥାନ ଆହାରପଡ଼ା
ପରମ୍ପରା
ମୁଖ୍ୟ ଆରାଧ୍ୟ ଭଦ୍ରକାଳୀ

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ମନ୍ଦିର ଭଦ୍ରକ ସହରଠାରୁ ପ୍ରାୟ ୭ କି.ମି.ଦୂରରେ ଅବସ୍ଥିତ ।[୧] ଚତୁର୍ଭୁଜା ଭଦ୍ରକାଳୀ ଏଠାରେ ସିଂହପୃଷ୍ଠରେ ପଦ୍ମାସନରେ ବିଜେ କରିଅଛନ୍ତି ।[୨] ଉପର ଭୁଜ ଦୁଇଟି ମଧ୍ୟରୁ ଦକ୍ଷିଣରେ ଖଡ୍‌ଗ ଓ ବାମ ଭୁଜରେ ଖର୍ପର ଧାରଣ କରିଛନ୍ତି । ତଳଭୁଜ ଦୁଇଟି ମଧ୍ୟରୁ ବାମଭୁଜରେ ଜପାମାଳି ଓ ଦକ୍ଷିଣ ଭୁଜରେ ଶିଶୁ କୃଷ୍ଣଙ୍କୁ କୋଳରେ ଧରିଛନ୍ତି । ଏହା ଏକମାତ୍ର ଶକ୍ତିପୀଠ ଯେଉଁଠି କାଳୀ ଶ୍ରୀକୃଷ୍ଣଙ୍କୁ କୋଳରେ ଧରିଛନ୍ତି ।[୩] ଏହି ପୀଠକୁ ଦୂର୍ଗା ମାଧବ ପୀଠ ମଧ୍ୟ କୁହାଯାଏ ।[୪]

ଇତିହାସ[ସମ୍ପାଦନା]

ଏକୈବ ଶକ୍ତି ପରମେଶ୍ୱରସ୍ୟ,
ବିବିଧା ବଦନ୍ତି ବ୍ୟବ‌ହାର କାଳେ,
ଭୋଗେ ତୁ ଭବାନି ପୁରୁଷେଷୁ ଲକ୍ଷ୍ମୀ,
ଶକ୍ତେ ତୁ ଦୁର୍ଗା ପ୍ରଳୟେ ତୁ କାଳି ।।

ପ୍ରାଚୀନ ମନୁସ୍ମୃତି ଏବଂ ତନ୍ତ୍ରଶାସ୍ତ୍ର ଅନୁସାରେ ଜଣାଯାଏ ଯେ, ୩ୟ-୪ର୍ଥ ଶତାବ୍ଦୀରୁ ୧୨ଶ ଶତାବ୍ଦୀ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶକ୍ତିପୀଠଗୁଡ଼ିକ ପ୍ରସିଦ୍ଧିଲାଭ କରିଥିଲା । ତନ୍ତ୍ର ଶାସ୍ତ୍ରାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ପୀଠ ଭାଗରେ ଗଣାଯାଏ ।

ଓଦ୍ରାଖ୍ୟମ୍ ପ୍ରଥମ ପୀଠ,
ଦ୍ୱିତୀୟ ଜଳ ଶୈଳକାମୀ,
ତୃତୀୟ ପୂର୍ଣ୍ଣପୀଠସ୍ତୁ,
କାମରୂପମ୍ ଚତୁର୍ଥକମ୍ ।।

ଓଦ୍ରାଖ, ଶ୍ରୀହଟ୍ଟ, ପୂମାକୋଟୀ ଏବଂ କାମାକ୍ଷ୍ୟା ଚାରୋଟି ଶକ୍ତିପୀଠ ମଧ୍ୟରୁ ଓଦ୍ରାଖ ବା ଓଡ଼ିଶା ପ୍ରଥମ ପୀଠ ବୋଲି ଡଃ ହରେକୃଷ୍ଣ ମହତାବ ମତ ଦେଇଥିଲେ ।[୫] ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠଗୁଡ଼ିକ ହେଉଛି: ଝଙ୍କଡ଼ ଶାରଳା, କଟକ ଚଣ୍ଡୀ, ବ୍ରହ୍ମ‌ପୁରର ଭଗବତୀ, ଖିଚିଙ୍ଗର କୀଚକେଶ୍ୱରୀ, ବାଙ୍କୀର ଚର୍ଚ୍ଚିକା, କାକଟପୁରର ମଙ୍ଗଳା ପୁରୀର ବିମଳା ପୀଠ, ଯାଜପୁରର ବିରଜା, ସମ୍ବଲପୁରର ସମଲେଶ୍ଵରୀ ଏବଂ ଭଦ୍ରକର ଭଦ୍ରକାଳୀ । ସେମାନେ ମହାକାଳ ଶିବଙ୍କର ଶକ୍ତି ।[୫]

ଏହି ମନ୍ଦିରର ମୂଳ ସ୍ଥାନ ଏଠାରେ ନୁହେଁ ବୋଲି ସର୍ବସାଧାରଣରେ ବିଶ୍ୱାସ କରାଯାଏ । ବିଭିନ୍ନ ମହାପୁରଷମାନେ ମଧ୍ୟ ଏହି କଥାକୁ ମାନିଆସିଛନ୍ତି । ଯଦି ଇତିହାସ ସଭ୍ୟତାର ଜୀବନ ହୁଏ, ତେବେ କଥା ହେଉଛି ଆମର ଆତ୍ମା । ଯଦିଓ ମହାପୁରୁଷଗଣ ଇତିହାସ ଭଳି ଅନୁସଂଧାନମୂଳକ ତ‌ଥ୍ୟ ପାଇନାହାନ୍ତି, ତ‌ଥାପି ସେମାନେ ଏହି ଇତିହାସର ଗାଥାକୁ ଗୁରୁତ୍ୱ ଦେଇଆସିଅଛନ୍ତି ।

ଏକ ପୌରାଣିକ କଥାବସ୍ତୁ ଅନୁସାରେ ଭଦ୍ରକାଳୀଙ୍କର ମୂଳ ପ୍ରତିମା ଭଦ୍ରକ ସ‌ହରର ପୂର୍ବଦିଗରେ ଭୁଇଁଆ ମହଲରେ ଏକ ଅତୀବ ସୁନ୍ଦର ମନ୍ଦିରରେ ପୂଜା ପାଉଥିଲେ । ଓଡ଼ିଶାରେ ମୁସଲମାନ ଶାସନ ମନ୍ଦିର ଏବଂ ହିନ୍ଦୁ ପୂଜାସ୍ଥଳୀଗୁଡ଼ିକୁ ଧ୍ୱଂସାଭିମୁଖି କରାଇଥିଲା । ଦେବୀଙ୍କର ମୂଳ ମନ୍ଦିର ମଧ୍ୟ ମୁସଲମାନଙ୍କ ଆକ୍ରମଣର ଶିକାର ହୋଇଥିଲା । ଏହାପରେ ଭୁଇଁଆ ରାଜବଂଶ ମାଆଙ୍କୁ ପ୍ରାର୍ଥନା କଲେ ଏବଂ ମାଆ ସ୍ୱପ୍ନରେ ତାଙ୍କର ପୂଜାସ୍ଥଳୀ ସ୍ଥାନାସ୍ତର କରିବାର ନିର୍ଦ୍ଦେଶ ଦେଲେ । ଏହା ପରେ ଭକ୍ତବୃନ୍ଦ ମାଆଙ୍କ ପ୍ରତିମାକୁ ସାଙ୍ଗରେ ଧରି ସାଳନ୍ଦୀ ନଦୀରେ ପୂର୍ବାଭିମୁଖି ହେଲେ । ଏହା ପରେ ମାଆ ନ‌ଦୀର ଏକ ଅଦୃଶ୍ୟ ହୋଇ ରହିଗଲେ ।

ଏକଦା ସ୍ଥାନୀୟ ପିଲାମାନେ ସେହି ନ‌ଦୀକୂଳରେ ଏକ ଭୋଜିର ଆୟୋଜନ କରିଥିଲେ । ପିଲାମାନଙ୍କୁ ସ୍ନେହ କରୁଥିବା ଏହି ଦେବୀ ସେଠାରେ ପିଲାମାନଙ୍କ ସ‌ହ ସାଧାରଣ ବେଶରେ ମିଶିଥିଲେ ଏବଂ ସେହି ପିଲାମାନଙ୍କ ମେଳରେ ସେଠାରେ ଭୋଜନ ଗ୍ରହଣ କରିଥିଲେ, ସେଥିପାଇଁ ସେହି ସ୍ଥାନର ନାମ ଆହାରପଦା(ଖାଦ୍ୟଗ୍ରହଣ କରିବାର ସ୍ଥାନ) ହୋଇଛି । ଏହା ପରେ ମୁସଲମାନମାନଙ୍କର ବିପଦ ଟଳିଯିବା ପରେ ଏକ ଛୋଟ ମନ୍ଦିର ନିର୍ମାଣ କରାଗଲା ଏବଂ ଦେବୀ ଜଳରୁ ସେହି ମନ୍ଦିରକୁ ସ୍ଥାନସ୍ତର ହୋଇଗଲେ । ସାଳନ୍ଦୀ ନଦୀର ସେହି ଭାଗଟି ଆଜିଯାଏ ଭଦ୍ରକାଳୀ ଗଣ୍ଡ ନାମରେ ନାମିତ ହୋଇ ରହିଛି । କିମ୍ବଦନ୍ତୀ ଅନୁସାରେ ଭୁଇଁଆମାନେ ଦେବୀଙ୍କ ପୂଜା କରିବା ପାଇଁ ଯାଜପୁରର ସିଦ୍ଦେଶ୍ୱର ଗ୍ରାମରୁ ବ୍ରାହ୍ମଣମାନଙ୍କୁ ଆଣିଥିଲେ । ଛୋଟ ମନ୍ଦିରଟି ସମୟକ୍ରମେ ଧିରେ ଧିରେ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା । ତେଣୁ ବର୍ତ୍ତମାନର ମନ୍ଦିରଟି ୧୯୫୩ରୁ ୧୯୫୯ ମଧ୍ୟରେ ନିର୍ମାଣ ହୋଇଛି ।

ଅନ୍ୟ ଏକ କଥାନୁସାରେ ଦେବୀଙ୍କର ମୂଳ ମନ୍ଦିର ମୟୂରଭଞ୍ଜ ଜିଲ୍ଲାର ମେଘାସନ ପର୍ବତରେ ଥିଲା । କୁହାଯାଏ ଶିବଙ୍କର ତାଣ୍ଡବ ନୃତ୍ୟ ସମୟରେ ଶକ୍ତିଙ୍କର ଏକ ଅଂଶ ଆସି ପଡିଥିଲା ମେଘାସନ ପର୍ବତରେ ।[୩] ଏହି ପର୍ବତରୁ ସାଳନ୍ଦୀ ନଦୀର ଉତ୍ପତ୍ତି ହୋଇଛି । ସେହି ସ୍ଥାନରେ ତାପସ ବାବା ନାମକ ଜଣେ ତାନ୍ତ୍ରିକ ମାଆ ଭଦ୍ରକାଳୀଙ୍କୁ ପୂଜା କରୁଥିଲେ । ଏକଦା ଦେବୀଙ୍କର ବାମ‌ପଟ ସ୍ତନରୁ ଦୁଗ୍ଧ ଝରିବା ଆରମ୍ଭ ହେଲା ଏବଂ ଗୋଟିଏ ଝରଣା ମିଶି ନ‌ଦୀର ରୂପ ନେଲା । ଯେହେତୁ ଏହି ନ‌ଦୀଟି ଶାଳବଣ ଦେଇ ପ୍ରବାହିତ ହେଲା, ଏହାର ନାମ ସମୟାନୁକ୍ରମେ ସାଳନ୍ଦୀ ନଦୀ ନାମରେ ନାମିତ ହୋଇଥିଲା । ଏହା ଦେଖି ଋଷି ତାପସ ଅତ୍ୟନ୍ତ ଖୁସି ହେଲେ ଏବଂ ଦେବୀଙ୍କର ଆଶୀର୍ବାଦ ସ୍ୱରୂପ ସେହି ନ‌ଦୀର ଜଳକୁ ପାନ କଲେ । ଏହାପରେ ତାଙ୍କର ଆତ୍ମା ପରମାତ୍ମାଙ୍କ ସ‌ହ ମିଳନ ହୋଇଗଲା । ଏହା ପରେ ତାଙ୍କର ଶିଷ୍ୟ ଭଦ୍ରନାଥ ଋଷି ତାପସଙ୍କର ଗୋଟିଏ କବର ସ୍ଥାପନ କରି ସେଠାରେ ଦେବୀଙ୍କର ଆରାଧନା କଲେ ।

ଏକଦା ଆଶ୍ଚର୍ଯ୍ୟାନ୍ୱିତ ଭାବରେ ତାଙ୍କର ଗୁରୁଙ୍କର ଶରୀର ସେହି କବରରୁ ବାହାରକୁ ବାହାରିବା ସେ ଦେଖିଲେ । ବିଚଳିତ ହୋଇ ସେ ପ୍ରାର୍ଥନା କରିବା ଆରମ୍ଭ କରିଦେଲେ । ଅଚାନ‌କ ସେ ଏକ ସ୍ୱର୍ଗୀୟ ସ୍ୱର ଶୁଣିବାକୁ ପାଇଲେ ଯେ, ତାଙ୍କୁ ତାଙ୍କର ଗୁରୁଙ୍କର ପିଣ୍ଡଦାନ କରି ନ‌ଦୀର ଭସାଇବା ସ‌ହ ପବିତ୍ର ହୃଦୟରେ ଦେବୀଙ୍କର ପ୍ରତିମାକୁ ଜଳରେ ସ୍ଥାପନ କରିବା ଉଚିତ । ସେ ମାଆଙ୍କ ପାଦରେ ଥିବା ପାଉଁଜିର ଶବ୍ଦକୁ ଅନୁସରଣ କରିବ ଏବଂ ତାଙ୍କର ପାଉଁଜିର ଶବ୍ଦ ବନ୍ଦ ହେବା ପର୍ଯ୍ୟନ୍ତ ସେ ତାଙ୍କର ଯାତ୍ରା ଚାଲୁ ରଖିବେ । ଭଦ୍ରନାଥ ମଧ୍ୟ ସେହିପରି କଲେ । ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ସେ ମାଆଙ୍କର ପାଉଁଜିର ଶବ୍ଦ ଶୁଣିପାରିଲେ ନାହିଁ । ସନ୍ଦେହର ସ‌ହ ସେ ଯେତେବେଳେ ପଛକୁ ଚାହିଁଲେ, ସେତେବେଳେ ସେଠାରେ ରହିବାକୁ ତାଙ୍କୁ ସେହି ସ୍ୱର୍ଗୀୟ ଶବ୍ଦ ନିର୍ଦ୍ଦେଶ ଦେଲା । ଭଦ୍ରନାଥ ସେଠାରେ ରହିଲେ ଏବଂ ଦେବୀଙ୍କର ପୂଜା କରିବା ଆରମ୍ଭ କରିଦେଲେ ।

ଏକଦା ଦୁଇ ଚୌହାନ ମରାଠା ଭାଇ ପୁରୁଷୋତ୍ତମ କ୍ଷେତ୍ରକୁ ତୀର୍ଥ ପାଇଁ ଆସିଥିଲେ । ସେମାନେ ସେମାନଙ୍କର ମାର୍ଗ ଭୂଲିଗଲେ ଏବଂ ଗୋଟିଏ ଘଞ୍ଚ ଜଙ୍ଗଲରେ ପ୍ରବେଶ ହୋଇଲେ । ଅଚାନ‌କ ସେମାନେ ଉଜ୍ଜ୍ୱଳ ଆଲୋକର ସଂସ୍ପର୍ଶରେ ଆସିଲେ ଏବଂ ତାକୁ ପିଛା କରି କରି ଯାଇ ଏକ କୁଡ଼ିଆରେ ପ‌ହ‌ଞ୍ଚିଲେ । ସେହି କୁଡ଼ିଆଟି ଯୋଗୀ ଭଦ୍ରନାଥଙ୍କର ଥିଲା ଏବଂ ସେଠାରେ ସେ ଦୁଇ ଭାଇ ବିଶ୍ରାମ ନେଲେ । ପରଦିନ ସାନଭାଇଟି ଅସୁସ୍ଥ ହୋଇପଡ଼ିଲା । ସେହି କୁଡ଼ିଆରେ ର‌ହି କିଛିଦିନ ବିଶ୍ରାମ ନେବା ପରେ ତାଙ୍କର ଯାତ୍ରା ଆରମ୍ଭ କରିବାକୁ ତାଙ୍କର ବଡ଼ଭାଇ ଉପଦେଶ ଦେଲେ । ଯୋଗୀ ଭଦ୍ରନାଥଙ୍କର କନ୍ୟା ଅତ୍ୟନ୍ତ ଯତ୍ନ ଏବଂ ଆଦରର ସ‌ହ ସାନଭାଇଟିର ଚିକିତ୍ସା କଲେ । ଯେତେବେଳେ ସେ ଭଲ ହେବାକୁ ଲାଗିଲେ ଉଭୟଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଲା । ଚୌହାନ ବାଳକ ଗୋଟିଏ ଅଜବ କଥା ଲକ୍ଷ କଲେ କି ପ୍ରତିଦିନ ଭଦ୍ରନାଥ ଏକ ଅଜଣା ଜାଗାକୁ ଯାଉଛନ୍ତି । ସେ ତାଙ୍କୁ ଅନୁସରଣ କଲେ ଏବଂ ଦିନେ କିଛି ଦୂରରେ ଗୋଟିଏ ଜାଗାରେ ପ‌ହଞ୍ଚିଲେ । ସେଠାରେ ପ‌ହ‌ଞ୍ଚି ସେ ଦେଖିଲେ କି ଏକାନ୍ତରେ ପୂଜା ପାଉଥିବା ସେ ଦେବୀଜଣକ ଆଉ କେହି ନୁହ‌ନ୍ତି ସ୍ୱୟଂ ମହାମାୟା ଭଦ୍ରକାଳୀ । ସେହିଦିନ ରାତିରେ ଯୁବକ ଜଣକ ଗୋଟିଏ ସ୍ୱପ୍ନ ଦେଖିଲେ । ଦେବୀ ତାଙ୍କୁ ଗୋଟିଏ ଫୁଲ ଦେଲେ ଏବଂ ତାଙ୍କ ସକ୍ଷମତାରେ ସର୍ବାଧିକ ଦୂରକୁ ଯିବାକୁ ଆଦେଶ ଦେଲେ, ଯାହାଦ୍ୱାରା ସେ ସେହି କ୍ଷେତ୍ରର ପଥପ୍ରଦର୍ଶକ ବନିପାରିବେ ।

ପରଦିନ ସେହି ଯୁବକଟି ଦେବୀଙ୍କ ପ୍ରଦତ୍ତ ଫୁଲଟି ଧରି ମହାମାୟାଙ୍କୁ ନେଇ ଯାତ୍ରା ଆରମ୍ଭ କଲା । ପାଉଁଜି ଶବ୍ଦ ସ‌ହ ଦେବୀ ପଛେ ପଛେ ଚାଲିଲେ । ଯେତେବେଳେ ଯୁବକଟି ସାଳନ୍ଦୀ ନ‌ଦୀର ଶୁଖିଲା ଉପତ୍ୟକା ଦେଇ ଗତି କରୁଥିଲା, ସେହି ସମୟରେ ସେ ଆଉ ଦେବୀଙ୍କର ପାଉଁଜିର ଶବ୍ଦ ଶୁଣିପାରିଲା ନାହିଁ । ତେଣୁ ସେ ପଛକୁ ବୁଲି ଦେଖିଲା କି ମାଆ ଏକ ପଥର ମୂର୍ତ୍ତୀ ହୋଇଯାଇଛନ୍ତି । ରତ୍ନ‌କୋଷର ବର୍ଣ୍ଣାନାନୁସାରେ ମାଆ ଭଦ୍ରକାଳୀ ଭୁଇଁଆ ବଂଶର କୁଳଦେବୀ ଥିଲେ । ଏହି ମରାଠା ଯୁବକଟି ଭୁଇଁଆ ବଂଶର ପ୍ରତିଷ୍ଠାତା ଥିଲା । ସେହି ସ୍ଥାନଟିର ନାମ ଥିଲା ଭୁଇଁଆ ମ‌ହଲ, ଯେଉଁଟାକି ପ୍ରାଚୀନ ଭଦ୍ରକର ରାଜଧାନୀ ଥିଲା । ଭୁଇଁଆ ମାନେ ସାଳନ୍ଦୀ ନଦୀର ଆଖପାଖ ଅଞ୍ଚଳର ଶାସକ ଥିଲେ । ସେମାନେ ମାଆ ଭଦ୍ରକାଳୀଙ୍କର ପୂଜକ ଥିଲେ । ପରବର୍ତ୍ତୀ ସମୟରେ କ୍ରୁର ଆଫଗାନମାନଙ୍କର ଆକ୍ରମଣ ଫଳରେ ସେମାନେ ଦୋଳସାହିକୁ ସ୍ଥାନାନ୍ତରିତ ହୋଇଗଲେ । ସେମାନଙ୍କର ଉତ୍ତରାଧିକାରମାନେ ଯେଉଁ ସ୍ଥାନରୁ ବିଭିନ୍ନ କ୍ଷେତ୍ରକୁ ପଳାୟନ କରିଥିଲେ ସେହି ସ୍ଥାନଟି ଭୁଇଁଆ ଉଆସ ନାମରେ ଜଣା । ସେମାନେ ଏବେ ତାଳପଦା ସାହିର ସାମନ୍ତରାୟ ପରିବାର, କୁବେରଭୁଇଁଆ ଏବଂ ନ‌ଦୀଗାଆଁକାନୁନ୍‌ଗୋ ପରିବାର ଭାବରେ ଜଣା ।

ବର୍ତ୍ତମାନର ଭଦ୍ରକାଳୀ ମନ୍ଦିର ସୀମାରୁ ଉଦ୍ଧାର କରାଯାଇଥିବା ଶିଳାଲେଖରୁ ଦେବୀଙ୍କ ଐତିହାସିକ ପୃଷ୍ଠଭୂମି ବିଷୟରେ ଜଣାଯାଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀଗୁମ୍ପାରେ ଖାରବେଳଙ୍କ ଶିଳାଲେଖ ପରେ ଏହିଟିକୁ ଦ୍ୱିତୀୟ ଶିଳାଲେଖ ଭାବରେ ଗଣାଯାଏ । ଏହି ଶିଳାଲେଖଟିରେ ବ୍ରାହ୍ମୀ ଲିପିରେ ପାଳି ଭାଷାରେ ଉଲ୍ଲେଖ ରହିଛି । ଗବେଶକଙ୍କ ମତରେ ଏହି ଶିଳାଲେଖତି ୩ୟ ଶତାବ୍ଦୀର ବୋଲି ଅନୁମାନ କରାଯାଏ ଯାହାକି ବର୍ତ୍ତମାନର ଭଦ୍ରକର ଗଣରାଜାଙ୍କଦ୍ୱାରା ନିର୍ମିତ ହୋଇଥିଲା । ହରେକୃଷ୍ଣ ମହତାବଙ୍କ ଅନୁସାରେ ଭଦ୍ରକାଳୀ ଶିଳାଲେଖର ମହାରାଜା ଶ୍ରୀ ଗଣ, ଗୁପ୍ତ ରାଜବଂଶର ସଂସ୍ଥାପକ ଥିଲେ । କିନ୍ତୁ ଭୁଇଁଆ ମହଲରେ ଥିବା ଭଦ୍ରକାଳୀ ଗୁପ୍ତ ବଂଶର ପ୍ରତିଷ୍ଠାର ଅନେକ ବର୍ଷ ପୂର୍ବରୁ ପୂଜା ପାଇଆସୁଛନ୍ତି ।[୬]

କିଛି ବିଦ୍ୱାନଙ୍କ ମତାନୁସାରେ ମାଆ ଭଦ୍ରକାଳୀଙ୍କର ନାମାନୁସାରେ ଭଦ୍ରକର ନାମକରଣ ହୋଇଛି । ପଣ୍ଡିତ ଭାଗିରଥି ନନ୍ଦ ଶର୍ମାଙ୍କ ଅନୁସାରେ ବରେଶ୍ୱରଙ୍କ ଅନୁସାରେ ବାଲେଶ୍ୱର, ସମଲେଇରୁ ସମ୍ବଲପୁର, ଭୁବନେଶ୍ଵରୀରୁ ଭୁବନେଶ୍ୱର ଏବଂ ଦେବୀ ଭଦ୍ରକାଳୀଙ୍କ ଠାରୁ ଭଦ୍ରକ ହୋଇଛି । ଅନ୍ୟକେତେକ ମଧ୍ୟ ମତ ଦିଅନ୍ତି କି ମାଆ ଭଦ୍ରକାଳୀଙ୍କର ସମ୍ପୂର୍ଣ୍ଣନାମରୁ ଭଦ୍ରକ ଉଧୃତ ହୋଇଛି, ଯେପରିକି ପୁରୁଷୋତ୍ତମ ପୁରୀରୁ ପୁରୀ ହୋଇଛି ।

ପୂଜା ଓ ପର୍ବ[ସମ୍ପାଦନା]

ପ୍ରତ୍ୟହ ପ୍ରାତଃ ୬.୩୦ରୁ ୧ ଘଟିକା ଓ ପୁନଃ ଅପରାହ୍ଣ ୩ଘଟିକାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିଥାଏ ।[୭] ଦୀକ୍ଷିତ ବଂଶର ପରିବାରଗଣ ଦେବୀଙ୍କର ପୂଜାକାର୍ଯ୍ୟ କରିଥାନ୍ତି । [୮] ଭଦ୍ରକାଳୀ ପୀଠରେ ପ୍ରତ୍ୟେକ ଦିନ ପାରମ୍ପରିକ ରୀତିନୀତିରେ ପୂଜା ହୋଇଥାଏ । ପ୍ରାତଃରେ ମଙ୍ଗଳ ଆରତି ଓ ସ୍ନାନ ଆଦି ନିତ୍ୟକ୍ରିୟା ସମାପନ ପରେ କଦଳୀ, କ୍ଷୀର, ଉଖୁଡା ଓ ଫଳମୂଳଦ୍ଵାରା ବାଳଭୋଗ ହୋଇଥାଏ । ଦ୍ଵିପ୍ରହର ଓ ରାତ୍ରିରେ ଅନ୍ନଭୋଗ ହୋଇଥାଏ । ପ୍ରତିବର୍ଷ କେତେକ ବିଶିଷ୍ଟ ପର୍ବ ଯଥା: ମହାବିଷୁବ ସଂକ୍ରାନ୍ତି, ରଜପର୍ବ, ଦୁର୍ଗାପୂଜା, କାଳୀପୂଜା, ଓ ଚୈତ୍ର ପୂର୍ଣ୍ଣିମା ଇତ୍ୟାଦି ପାଳନ କରାଯାଇଥାଏ । ମହାବିଷୁବ ସଂକ୍ରାନ୍ତିରେ ଝାମୁ ଓ ପାଟୁଆ ଯାତ୍ରା ଅନୁଷ୍ଠିତ ହୋଇଥାଏ । ରଜପର୍ବର ତିନିଦିନ ଯଜ୍ଞ ହୋଇଥାଏ ଓ ଏହି ପୀଠରେ ଏକ ମେଳା ବସିଥାଏ । ଦୁର୍ଗାପୂଜାରେ ପ୍ରତିଦିନ ନଅଟି କଳସ ସ୍ଥାପନ ପୂର୍ବକ ପ୍ରତିଦିନ ଯଜ୍ଞ ସହିତ ଚଣ୍ଡୀପାଠ ହୋଇ ଦଶହରା ଦିନ ପୂର୍ଣ୍ଣାହୁତି ହୋଇଥାଏ । ଏହାସହ ଦଶରାତ୍ରିରେ ତନ୍ତ୍ରମନ୍ତ୍ରରେ ଭଦ୍ରକାଳୀଙ୍କଠାରେ ବିଶେଷ ପୂଜାମାନ କରାଯାଇଥାଏ । ଯଥା:

  • ଦାରୁଣ ରାତ୍ରି: ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା)
  • ସିଦ୍ଧ ରାତ୍ରି: ମହାବିଷୁବ ସଂକ୍ରାନ୍ତି (ଝାମୁ ଯାତ୍ରା)
  • ଦିବ୍ୟ ରାତ୍ରି: ଜ୍ୟୈଷ୍ଠ ଶୁକ୍ଳ ଦଶମୀ (ଗଙ୍ଗା ଦଶହରା)
  • ମୋହ ରାତ୍ରି: (ଜନ୍ମାଷ୍ଟମୀ)
  • ମହା ରାତ୍ରି: ଆଶ୍ଵିନ ଶୁକ୍ଳ ଅଷ୍ଟମୀ (ଦୁର୍ଗା ମହାଷ୍ଟମୀ)
  • କାଳ ରାତ୍ରି: କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ (ମହାଳୟା)
  • ଘୋର ରାତ୍ରି: ପୌଷ କୃଷ୍ଣ ଅଷ୍ଟମୀ
  • ବୀର ରାତ୍ରି: ମାଘ କୃଷ୍ଣ ଚତୁର୍ଦ୍ଦଶୀ (ରଟନ୍ତି କାଳୀପୂଜା)
  • ଗଣପତି ରାତ୍ରି: ମାଘ ଶୁକ୍ଳ ଚତୁର୍ଦ୍ଦଶୀ (ବରଦା ଗଣେଶ ପୂଜା)
  • ଅବଳା ରାତ୍ରି: ଚୈତ୍ର କୃଷ୍ଣ ଏକାଦଶୀ (ପାପମୋଚନ ଏକାଦଶୀ, ଦେବୀ କମଳାଙ୍କ ଜନ୍ମଦିନ)

ବେଶ[ସମ୍ପାଦନା]

ଦୁର୍ଗାପୂଜା ପାର୍ବଣରେ ଦେବୀଙ୍କର ପାର୍ବଣ ବେଶମାନ ଅନୁଷ୍ଠିତ ହୋଇଥାଏ, ଯଥା:

  • ଦୁର୍ଗା ସପ୍ତମୀ: ରାଜରାଜେଶ୍ଵରୀ ବେଶ ବା ବଡ଼ସିଂହାର ବେଶ
  • ଅଷ୍ଟମୀ: ତାରା ବେଶ
  • ନବମୀ: ଭୁବନେଶ୍ଵରୀ ବେଶ
  • ଦଶମୀ ଓ ଏକାଦଶୀ: ମାତଙ୍ଗିନୀ ବେଶ
  • ଦ୍ଵାଦଶୀ (ମଳ): ଗାୟତ୍ରୀ ବେଶ
  • ତ୍ରୟୋଦଶୀ: ସାବିତ୍ରୀ ବେଶ/ ଅନ୍ନପୂର୍ଣ୍ଣା ବେଶ
  • ଚତୁର୍ଦ୍ଦଶୀ: ତ୍ରିପୁର ସୁନ୍ଦରୀ ବା ଷୋଡ଼ଶୀ ବେଶ
  • ଅମାବାସ୍ୟା: ବୈଷ୍ଣବୀ ବେଶ
  • ପ୍ରତିପଦ: ମହାକାଳୀ ବେଶ
  • ଦ୍ଵିତୀୟା: ଶ୍ୟାମାକାଳୀ ବେଶ
  • ତୃତୀୟା: ମହାଲକ୍ଷ୍ମୀ ବେଶ
  • ଚତୁର୍ଦ୍ଦଶୀ: ରୁଦ୍ରାଣୀ ବେଶ
  • ପୂର୍ଣ୍ଣୀମା: ମହାମାୟା ବେଶ

କାଳୀ ପୂଜା[ସମ୍ପାଦନା]

ଶ୍ରୀମଦ ଭଗବତ ଗୀତାର ତୃତୀୟ ଅଧ୍ୟାୟ ଅନୁସାରେ:

"ଅନ୍ନାଦ୍‌ଦ୍ଭବନ୍ତି ଭୂତାନି ପର୍ଜନ୍ୟାଦନ୍ନ ସମ୍ଭବଃ ।
ଯଜ୍ଞାଦ୍‌ଦ୍ଭବତି ପର୍ଜନ୍ୟୋ ଯଜ୍ଞକର୍ମ ସମୁଦ୍ଭବଃ ।। ୧୪ ।।
କର୍ମ ବ୍ରହ୍ମେଦ୍ଭବଂ ବିଦ୍ଧି ବ୍ରହ୍ମାକ୍ଷର ସମୁଦ୍ଭବମ୍ ।
ତସ୍ମାତ୍ ସର୍ବ ଗତଂ ବ୍ରହ୍ମ ନିତ୍ୟଂ ଯଜ୍ଞେ ପ୍ରତିଷ୍ଠିତମ୍ ।। ୧୫ ।।

ଅର୍ଥାତ ପ୍ରାଣୀମାନେ ଉତ୍ପନ୍ନ ହୁଅନ୍ତି ଅନ୍ନରୁ । ଅନ୍ନର ଉତ୍ପତ୍ତି ବୃଷ୍ଟିରୁ । ବୃଷ୍ଟିର ସୃଷ୍ଟି ଯଜ୍ଞରୁ ଏବଂ ଯଜ୍ଞ ବିହିତ କର୍ମରୁ ଉତ୍ପନ୍ନ ହୁଏ । କର୍ମ ସମୁଦାୟ ବେଦର ଉତ୍ପନ୍ନ ହେ । ପରମାତ୍ମାଙ୍କ ଠାରୁ ସୃଷ୍ଟି ବେଦ । ତେଣୁ ଏହା ନିରାଟ ସତ୍ୟ ଯେ ପରମ ଅକ୍ଷର ପରମାତ୍ମା ସଦା ସର୍ବଦା ଯଜ୍ଞରେ ପ୍ରତିଷ୍ଠିତ ।

ଏଣୁ କାଳୀପୂଜା ସମୟରେ ଭଦ୍ରକାଳୀ ମନ୍ଦିରରେ ସାତ ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ । ଶତଚଣ୍ଡି ମହାଯଜ୍ଞ ୨୦୦୨ ମସିହା ଦୀପାବଳୀଠାରୁ ପ୍ରଥମ କରି ଆରମ୍ଭ କରାଯାଇଥିଲା । ଶତଚଣ୍ଡି ମହାଯଜ୍ଞ ସମୟରେ ଜଗନ୍ନାଥ ମନ୍ଦିର, ପୁରୀ, ତାରିଣୀ ମନ୍ଦିର, ଘଟଗାଁ ଏବଂ ବିରଜା ମନ୍ଦିର, ଯାଜପୁରରୁ ଆଜ୍ଞାମାଳ ଆସିଥାଏ ।[୪] ସପ୍ତଦିବସ ବ୍ୟାପୀ ଏହି ପୀଠରେ ସପ୍ତସତୀ ଚଣ୍ଡୀପାଠ, ଗୀତାଯଜ୍ଞ, ବେଦ ପାଠ, ନାମ ସଂକୀର୍ତ୍ତନ ଓ ପ୍ରବଚନର ଏକ ନିଆରା ଆଧ୍ୟାତ୍ମିକ ପରିବେଶ ଲାଗିରହିଥାଏ । ଏହି ସାତ ଦିନରେ ମାଆ ଭଦ୍ରକାଳୀଙ୍କର ସପ୍ତମାତୃକା ବେଶ ଅନୁଷ୍ଠିତ ହୋଇଥାଏ । ଏହି ଯଜ୍ଞର ପ୍ରାରମ୍ଭ ଦିବସରେ ଘଟସ୍ଥାପନା କରିବା ସ‌ହ ଆହାରପଦା ନ‌ଦୀ ଘାଟ‌ଠାରୁ ଭଦ୍ରକାଳୀ ମନ୍ଦିର ପର୍ଯ୍ୟନ୍ତ ମାସିକ କଳସ ଶୋଭାଯାତ୍ରା କରାଯାଇଥାଏ । ଏହା ପରେ ଜଗନ୍ନାଥଙ୍କ ଛାମୁରେ ଭାଗପାଠ ଏବଂ ମା' ଭଦ୍ରକାଳୀଙ୍କ ଛାମୁରେ ଚଣ୍ଡୀପାଠ ଆଦି କରାଯାଇଥାଏ ।

କାଳୀପୂଜା ଅବସରରେ ମା' ଭଦ୍ରକାଳୀଙ୍କ ନିକଟରେ ସପ୍ତଚଣ୍ଡି ମହାଯଜ୍ଞ

ସପ୍ତଚଣ୍ଡି ମହାଯଜ୍ଞ ସମୟରେ ସାତ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ସପ୍ତମାତୃକା ବେଶ ସମୂହ :

ଦିନ ବେଶ
ପ୍ରଥମ ଦିନ ବେଦମାତା ବେଶ
ଦ୍ୱିତୀୟ ଦିନ ମହାକାଳୀ ବେଶ
ତୃତୀୟ ଦିନ ରାଜରାଜେଶ୍ୱରୀ ବେଶ
ଚତୁର୍ଥ ଦିନ ସିଂହବାହିନୀ ବେଶ
ପଞ୍ଚମ ଦିନ ଜଗଦ୍ଧାତ୍ରୀ ବେଶ
ଷଷ୍ଠ ଦିନ ମହାସରସ୍ୱତୀ ବେଶ
ସପ୍ତମ ଦିନ ମହାଲକ୍ଷ୍ମୀ ବେଶ

ବେଦମାତା ବେଶ[ସମ୍ପାଦନା]

ମା' ଭଦ୍ରକାଳୀଙ୍କର ବେଦମାତା ବେଶ ।

କାଳୀ ପୂଜା ସମୟରେ ଅନୁଷ୍ଠିତ ବିଶ୍ୱଶାନ୍ତି ମହାଯଜ୍ଞର ପ୍ରଥମ ଦିନର ବେଶ ହେଉଛି ବେଦମାତା ବେଶ । ବେଦମାତା ବେଶରେ ମାଆ ଭଦ୍ରକାଳୀ ପଦ୍ମ ଆସନରେ ବିରାଜମାନ କରିବା ସ‌ହ ହଂସ ବାହାନ ସାଜିଥାନ୍ତି । ଏହି ବେଶରେ ମାଆଙ୍କର ମୁଖମଣ୍ଡଳ ହଳଦିଆ ରଙ୍ଗ ହେବା ସ‌ହ ହଳଦିଆ ରଙ୍ଗର ପାଟବସ୍ତ୍ର ପରିଧାନ କରିଥାନ୍ତି ଏବଂ ସ୍ୱର୍ଣ୍ଣ-ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଦକ୍ଷିଣ ହସ୍ତରେ ଜପାମାଳୀ ଏବଂ ବାମ ହସ୍ତରେ ଶଙ୍ଖ ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ।

ଭଦ୍ର ଶବ୍ଦର ଅର୍ଥ ହେଉଛି କଲ୍ୟାଣ । ଉଦିତ୍ ସୂର୍ଯ୍ୟ ଓ ଅସ୍ତଗାମୀ ସୂର୍ଯ୍ୟ ସଦୃର୍ଶ ଏହି ପୀଠର ମା' ଶାନ୍ତ, ଶିଷ୍ଟ, ଭଦ୍ର ଓ କଲ୍ୟାଣମୟୀ ରୂପେ ବିରାଜମାନ । ବେଦ ହେଉଛି ସର୍ବଜ୍ଞାନର ଭଣ୍ଡାର । ବେଦମାତା ବେଶରେ ମା'ଙ୍କୁ ଦର୍ଶନ କଲେ ଭକ୍ତର ଜ୍ଞାନ ଚକ୍ଷୁ ଉନ୍ମୁକ୍ତ ହୁଏ । ଭକ୍ତ ସବୁ କ୍ଷେତ୍ରରେ ବିଜୟୀ ହୁଏ ବୋଲି ବିଶ୍ୱାସ ରହିଛି । ସଂସାରରୁ ଅଜ୍ଞାନ ରୂପକ ଅନ୍ଧକାରକୁ ବିନାଶ କରି ଜ୍ଞାନାଲୋକରେ ଦୀପ୍ତ କରିବା ସକାଶେ ଆଲୋକର ପର୍ବ ଦୀପାବଳୀର ପ୍ରଥମ ଦିନରେ ମା' ବେଦମାତା ରୂପରେ ଦର୍ଶନ ଦେଇଥାନ୍ତି ।[୯]

ମହାକାଳୀ ବେଶ[ସମ୍ପାଦନା]

ମା' ଭଦ୍ରକାଳୀଙ୍କର ମହାକାଳୀ ବେଶ ।

ବିଶ୍ୱଶାନ୍ତି ମହାଯଜ୍ଞର ଦ୍ୱିତୀୟ ଦିନର ବେଶ ହେଉଛି ମହାକାଳୀ ବେଶ । ମା' ଭଦ୍ରକାଳୀ ମହାକାଳୀ ବେଶରେ ନାଲି ପାଟ ବସ୍ତ୍ର ପରିଧାନ କରିବାସ‌ହ ମା'ଙ୍କର ମୁଖ ମଣ୍ଡଳ ଶ୍ୟାମଳ ବର୍ଣ୍ଣ ହୋଇଥାଏ । ମୁକ୍ତକେଶ, ରକ୍ତ ଜିହ୍ୱା ଏବଂ ହାତରେ ଖଡ଼୍‌ଗ ଓ ତ୍ରିଶୂଳ ଧାରଣ କରି ମୁଣ୍ଡମାଳରେ ମା' ସାଜିଥାନ୍ତି ଉଗ୍ରରୂପା ।

ମା' ଭଦ୍ରକାଳୀ ପରମ ବୈଷ୍ଣବୀ ଓ ଜଗତ କଲ୍ୟାଣକାରୀ ଅଟନ୍ତି । ମା ନିଜ କୋଳରେ ବାଳ କୃଷ୍ଣଙ୍କ ବିଗ୍ରହକୁ ଧାରଣ କରି ସ୍ନେହ‌ମୟୀ ଓ ମଙ୍ଗଳମୟୀର ପରିଚୟ ଦେଇଥାନ୍ତି । କଳିଯୁଗରେ ସଂସାରରୁ ପାପର ବିନାଶ ସ‌ହିତ ଗର୍ବ, ଅହଂକାର ଓ ଆସୁରିକ ପ୍ରବୃତିକୁ ବିନାଶ କରି ସତ୍ୟ-ଧର୍ମର ବାର୍ତ୍ତା ଦେଇଥା'ନ୍ତି ମା' । [୧୦]

ରାଜରାଜେଶ୍ୱରୀ ବେଶ[ସମ୍ପାଦନା]

ମା' ଭଦ୍ରକାଳୀଙ୍କର ରାଜରାଜେଶ୍ୱରୀ ବେଶ ।

ମହାଯଜ୍ଞର ତୃତୀୟ ଦିନରେ ମା' ଭଦ୍ରକାଳୀ ରାଜରାଜେଶ୍ୱରୀ ବେଶରେ ସୁସଜ୍ଜିତ ହୋଇଥାନ୍ତି । ଏହି ବେଶରେ ମା' ସିଂହ ଓ ହସ୍ତୀ ବାହାନରେ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଗୋଲାପି ପାଟ ବସ୍ତ୍ର ପରିଧାନ କରିଥାନ୍ତି । ଶଙ୍ଖ-ଚକ୍ର, ଗଦା, ପଦ୍ମ ସ‌ହିତ ଚତୁର୍ଦ୍ଧା ମୂର୍ତ୍ତିରେ ମା' ସୃଷ୍ଟିର ସମସ୍ତ ଶକ୍ତିର ଅଧିକାରିଣୀ ବୋଲି ସମଗ୍ର ଜଗତକୁ ବାର୍ତ୍ତା ଦେଇଥାନ୍ତି ।

ମା' ଭଦ୍ରକାଳୀଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ କଲେ ଶୁଭଫଳ ପ୍ରାପ୍ତି ହେବା ସ‌ହ ଉତରତ୍ତୋର ଉନ୍ନତି ଏବଂ ପଦମର୍ଯ୍ୟାଦା ଅକ୍ଷୂର୍ଣ୍ଣ ରହିଥାଏ ବୋଲି ବିଶ୍ୱାସ ରହିଛି ।[୧୦]

ସିଂହବାହିନୀ ବେଶ[ସମ୍ପାଦନା]

ମା' ଭଦ୍ରକାଳୀଙ୍କର ସିଂହବାହିନୀ ବେଶ ।

ବିଶ୍ୱଶାନ୍ତି ମହାଯଜ୍ଞର ଚତୁର୍ଥଦିନରେ ବେଶ ହେଉଛି ସିଂହବାହିନୀ ବେଶ । ଏହି ସିଂହବାହିନୀ ବେଶରେ ସିଂହ ସାଜିଥାନ୍ତି ମା' ଭଦ୍ରକାଳୀଙ୍କର ବାହାନ । ନାଲିପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ, ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଚାରି ହାତରେ ଖଡ଼୍‌ଗ, ତ୍ରିଶୂଳ, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ପ୍ରକଟିତ ହୋଇଥାନ୍ତି ମା' ଭଦ୍ରକାଳୀ ।

ସିଂହବାହିନୀ ବେଶକୁ ଦର୍ଶନ କଲେ ଭକ୍ତଙ୍କର ଗ୍ରହଦଶା, ରିଷ୍ଟ ଖଣ୍ଡନ ତ‌ଥା ସମସ୍ତ ବିପଦ ଦୂର ହୁଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ ।[୧୧]

ଜଗଦ୍ଧାତ୍ରୀ ବେଶ[ସମ୍ପାଦନା]

ମା' ଭଦ୍ରକାଳୀଙ୍କର ଜଗଦ୍ଧାତ୍ରୀ ବେଶ ।

ସପ୍ତମାତୃକା ବେଶର ପଞ୍ଚମ ଦିନର ବେଶ ହେଉଛି ଜଗଦ୍ଧାତ୍ରୀ ବେଶ । ଏହି ବେଶରେ ବାଘ ବାହାନ ସାଜିଥିବା ବେଳେ ମା' ଭଦ୍ରକାଳୀଙ୍କର ମୁଖମଣ୍ଡଳ କୃଷ୍ଣ ବର୍ଣ୍ଣ ହୋଇଥାଏ । ମା' ନାଲି ପାଟ ବସ୍ତ୍ର ପରିଧାନ କରିଥିବା ବେଳେ ସ୍ୱର୍ଣ୍ଣ-ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଥାନ୍ତି । ହସ୍ତରେ ଖଡ଼୍‌ଗ, ଗଦା, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟ ହୋଇଥାନ୍ତି ।

ଆଦ୍ୟାଶକ୍ତି ମା' ଭଦ୍ରକାଳୀ ସୃଷ୍ଟିର ସମସ୍ତ ଶକ୍ତିର ଅଧିକାରିଣୀ । ଜଗଦ୍ଧାତ୍ରୀ ବେଶରେ ମା'ଙ୍କୁ ଦର୍ଶନ କଲେ ଭକ୍ତର ମାନସିକ ପୂରଣ ହୋଇଥାଏ ବୋଲି ଦୃଢ଼ ବିଶ୍ୱାସ ରହିଛି ।[୧୨]

ମହାସରସ୍ୱତୀ ବେଶ[ସମ୍ପାଦନା]

ମା' ଭଦ୍ରକାଳୀଙ୍କର ମହାସରସ୍ୱତୀ ବେଶ ।

ସପ୍ତମାତୃକାବେଶରେ ଷଷ୍ଠଦିନର ବେଶ ହେଉଛି ମହାସରସ୍ୱତୀ ବେଶ । ଏହି ବେଶରେ ହଂସ ମା' ଭଦ୍ରକାଳୀଙ୍କର ବାହାନ ହୋଇଥିବା ବେଳେ ମୁଖମଣ୍ଡଳ ଶ୍ୱେତ ବର୍ଣ୍ଣା ହୋଇଥାଏ । ମା' ଭଦ୍ରକାଳୀ ଶ୍ୱେତ ବସ୍ତ୍ର ପରିଧାନ କରିବା ସ‌ହ ପଦ୍ମାସନରେ ବିରାଜମାନ କରିଥାନ୍ତି । ଏହି ବେଶରେ ମା' ଭଦ୍ରକାଳୀ ହସ୍ତଯୁଗଳରେ ବୀଣା, ତୃତୀୟ ଓ ଚତୁର୍ଥ ହସ୍ତରେ ଜପାମାଳି ଏବଂ ପୁସ୍ତକ ଧାରଣ କରିଥାନ୍ତି । ସ୍ୱର୍ଣ୍ଣ ଏବଂ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଚତୁର୍ଦ୍ଧାମୂର୍ତ୍ତୀରେ ପ୍ରକଟ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ।

ମହାସରସ୍ୱତୀ ବେଶରେ ମା' ଭଦ୍ରକାଳୀଙ୍କୁ ଦର୍ଶନ କଲେ ବିଦ୍ୟା, ବୁଦ୍ଧି ଓ ଜ୍ଞାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସଂସାରରୁ ଅଜ୍ଞାନ ଓ ଅନ୍ଧକାରକୁ ଦୂରକରି ଜ୍ଞାନଲୋକରେ ଦିପ୍ତ କରିବା ସକାଶେ ମା' ଭଦ୍ରକାଳୀ ମହାସରସ୍ୱତୀ ବେଶ ଧାରଣ କରିଥାନ୍ତି ।[୧୩]

ମହାଲକ୍ଷ୍ମୀ ବେଶ[ସମ୍ପାଦନା]

ମହାଲକ୍ଷ୍ମୀ ବେଶ

ମା' ଭଦ୍ରକାଳୀଙ୍କର ସପ୍ତମାତୃକା ବେଶ ମଧ୍ୟରେ ମହାଲକ୍ଷ୍ମୀ ବେଶ ହେଉଛି ଅନ୍ତିମ ବା ସପ୍ତମ ବେଶ । ମହାଲକ୍ଷ୍ମୀ ବେଶରେ ମା' ଭଦ୍ରକାଳୀ ହଳଦିଆ ବସ୍ତ୍ର ପରିଧାନ କରିବା ସ‌ହ ମା'ଙ୍କର ମୁଖମଣ୍ଡଳ ହଳଦୀଆ ବର୍ଣ୍ଣ ହୋଇଥାଏ । ପଦ୍ମାସନରେ ମା' ଭଦ୍ରକାଳୀ ବିରାଜମାନ କରିଥିବା ବେଳେ ହସ୍ତୀ ଏବଂ ପେଚା ତାଙ୍କର ବାହାନ ହୋଇଥାନ୍ତି । ସ୍ୱର୍ଣ୍ଣ-ରୌପ୍ୟ ଅଳଙ୍କାରରେ ସଜ୍ଜିତ ହୋଇ ମା' ଭଦ୍ରକାଳୀ ଚାରି ହସ୍ତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥାନ୍ତି ।

ମହାଲକ୍ଷ୍ମୀ ବେଶରେ ମା' ଭଦ୍ରକାଳୀଙ୍କୁ ଦର୍ଶନ କଲେ ଧନ, ଜନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସପ୍ତମାତୃକା ବିଶ୍ୱଶାନ୍ତି ମହାଯଜ୍ଞର ଅନ୍ତିମ ଦିନ ହୋଇଥିବାରୁ ଏହିଦିନରେ ପୂର୍ଣ୍ଣାହୂତି ଦେଖିବା ପାଇଁ ଅନେକ ଭକ୍ତଙ୍କର ଭିଡ଼ ଲାଗିଥାଏ ।[୧୪]

ଆଧାର[ସମ୍ପାଦନା]

  1. "Bhadrakali temple | Religious Place | Bhadrak - IndiaOnAPage". indiaonapage.com. Retrieved 2 January 2013. 7-km distance from main Bhadrak city. 
  2. "~* Welcome to Bhadrak (Orissa) : The Official Website *~". bhadrak.nic.in. 2010. Retrieved 2 January 2013. The statue of Goddess is of black granite and is seated in lotus posture on a lion. 
  3. ୩.୦ ୩.୧ ପଣ୍ଡା, ହରିହର (27 October 2015). "ଅନ୍ତରଙ୍ଗ ଓଡ଼ିଶା: ଭଦ୍ରକର ପ୍ରସିଦ୍ଧ ଶୈବ ପୀଠ: ବାବା ଆଖଣ୍ଡଳ ମଣି". ଓଡ଼ିଶା ଟାଇମ୍. http://odishatime.com/odiya/%E0%AC%85%E0%AC%A8%E0%AD%8D%E0%AC%A4%E0%AC%B0%E0%AC%99%E0%AD%8D%E0%AC%97-%E0%AC%93%E0%AD%9C%E0%AC%BF%E0%AC%B6%E0%AC%BE-%E0%AC%AD%E0%AC%A6%E0%AD%8D%E0%AC%B0%E0%AC%95%E0%AC%B0-%E0%AC%AA%E0%AD%8D/. Retrieved 14 September 2016. 
  4. ୪.୦ ୪.୧ "ମା' ଭଦ୍ରକାଳୀଙ୍କ ସିଂହବାହିନୀ ବେଶ: ଶ୍ରଦ୍ଧାଳୁଙ୍କ ଭିଡ଼". ସମୟ. 2 November 2016. http://www.samayaepaper.com/epaper/20161102/12.php. Retrieved 2 November 2016. 
  5. ୫.୦ ୫.୧ Chand, Dr. Soma (1 September 2009). "Bhadrakali : A Complete Study" (PDF). Orissa Review: 126. Retrieved 10 September 2016. 
  6. Epighaphia Indica - Vol.XXIX
  7. "orissa tourism -Bhadrakali Temple". orissadiary.com. Retrieved 2 January 2013. The temple remains open for visitors and devotees everyday from 6.30 am to 1pm and again from 3pm to 9.30 pm. 
  8. "Orissa.net : Bhadrakali Temple". orissa.net. Retrieved 2 January 2013. Dixits from Jajpur to perform regular seva-puja & niti (daily worshiping and care taking). 
  9. "ଭଦ୍ରକାଳୀ ପୀଠରେ ମହାଯଜ୍ଞ ଆରମ୍ଭ: ମାଆଙ୍କ ବେଦମାତା ବେଶ". ସମାଜ. 30 October 2016. http://216.151.160.34/epaper/transparent.gif. Retrieved 2 November 2016. 
  10. ୧୦.୦ ୧୦.୧ "ମହାକାଳୀ ଓ ରାଜରାଜେଶ୍ୱରୀ ବେଶରେ ମା' ଭଦ୍ରକାଳୀ". ସମାଜ. 1 November 2016. http://216.151.160.34/epaper/transparent.gif. Retrieved 2 November 2016. 
  11. "ମା' ଭଦ୍ରକାଳୀଙ୍କ ସିଂହବାହିନୀ ବେଶ". ସମାଜ. 2 November 2016. http://216.151.160.34/epaper/pdf/2016/11/02/20161102a_001109009.jpg. Retrieved 4 November 2016. 
  12. "ମା' ଭଦ୍ରକାଳୀଙ୍କ ଜଗଦ୍ଧାତ୍ରୀ ବେଶ". ସମାଜ. 3 November 2016. http://216.151.160.34/epaper/pdf/2016/11/03/20161103a_001109007.jpg. Retrieved 4 November 2016. 
  13. "ଆଜି ମହାଲକ୍ଷ୍ମୀ ବେଶ ଓ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି". ସମୟ. 4 November 2016. http://www.samayaepaper.com/epaper/20161104/big/12.jpg. Retrieved 4 November 2016. 
  14. "ଭଦ୍ରକାଳୀଙ୍କ ମହାଲକ୍ଷ୍ମୀ ବେଶ". ସମାଜ. 5 November 2016. http://216.151.160.34/epaper/pdf/2016/11/05/20161105a_001109010.jpg. Retrieved 5 November 2016. 

ଅଧିକ ତଥ୍ୟ[ସମ୍ପାଦନା]

  • ସମାଜ ସାପ୍ତାହିକ, ୧୦-୧୬ ନଭେମ୍ବର ୨୦୧୨, ପୃଷ୍ଠା: ୧୦-୧୧