କୈଳାସ ପର୍ବତ

ଉଇକିପିଡ଼ିଆ ରୁ
(Mount Kailash ରୁ ଲେଉଟି ଆସିଛି)
Jump to navigation Jump to search
କୈଳାସ ପର୍ବତ
ଗାଂଗ୍ ରିଂପୋଛେ (གངས་རིན་པོ་ཆེ)
Mt Kailash Another View.jpg
କୈଳାସ ପର୍ବତର ଉତ୍ତର ପାର୍ଶ୍ୱ
Elevation୬୬୩୮ ମିଟର
Prominence୧୩୧୯ ମିଟର
Location
Locationତିବ୍ବତ, ଚୀନ
Rangeଟ୍ରାନ୍ସ-ହିମାଳୟ
Coordinates31°4′0″N 81°18′45″E / 31.06667°N 81.31250°E / 31.06667; 81.31250Coordinates: 31°4′0″N 81°18′45″E / 31.06667°N 81.31250°E / 31.06667; 81.31250
Climbing
First ascentଅଦ୍ୟାବଧି ଅନାରୋହିତ
ଚକ୍ରବର୍ତ୍ତୀ ସମ୍ରାଟ ଭରତ (ଯାହାଙ୍କ ନାମରୁ ଭାରତର ନାମ ‘ଭାରତବର୍ଷ’ ଦିଆଯାଇଥିଲା) କୈଳାସ ପର୍ବତରେ ନିର୍ବାଣ ପ୍ରାପ୍ତ କରିଥିଲେ ।[୧]

କୈଳାସ ପର୍ବତ ବା କୈଳାସଗିରି ବା କେବଳ କୈଳାସ (ଇଂରାଜୀରେ Mount Kailash ବା Kailasa; ତିବ୍ବତୀୟ ଭାଷାରେ କାଂରିଂପୋଛେ ବା ଗାଂଗ୍ ରିଂପୋଛେ; གངས་རིན་པོ་ཆེ) ଚୀନର ସ୍ୱୟଂଶାସିତ ତିବ୍ବତ ଅଞ୍ଚଳସ୍ଥ ଟ୍ରାନ୍ସହିମାଳୟ ପର୍ବତମାଳାର ଏକ ପର୍ବତଶୃଙ୍ଗ । ସମୁଦ୍ରପତନରୁ କୈଳାସର ଉଚ୍ଚତା ୬୬୩୮ ମିଟର (୨୧୭୭୮ ଫୁଟ) ।

ମାନସରୋବର ହ୍ରଦ ଓ ରାକ୍ଷାସତାଲ ହ୍ରଦ ନିକଟରେ ଏହି ପର୍ବତ ଅବସ୍ଥିତ । ଏହି ପର୍ବତ ଆଖପାଖରୁ ସିନ୍ଧୁ, ବ୍ରହ୍ମପୁତ୍ର, ଶତଲେଜ, କର୍ଣ୍ଣାଳୀ (ଘାଘରା) ପ୍ରଭୃତି ନଦୀ ନିଃସୃତ ହୋଇଛନ୍ତି । ହିନ୍ଦୁ, ବୌଦ୍ଧ, ଜୈନ ଓ ବୋନ ଧର୍ମରେ କୈଳାସ ପର୍ବତକୁ ଅତି ପବିତ୍ର ବୋଲି ବିଶ୍ୱାସ ରହିଛି ।

ନାମକରଣର ଇତିହାସ[ସମ୍ପାଦନା]

ସଂସ୍କୃତ ଭାଷାରେ ଏହି ପର୍ବତର ନାମ କୈଳାସଃ ବା କୈଳାଶଃ ।[୨][୩] ଏହି ଶବ୍ଦଟି "ସ୍ଫଟିକ"କୁ ସୂଚାଉଥିବା ଶବ୍ଦ କେଳାସରୁ ସୃଷ୍ଟି ହୋଇଥିବା ସମ୍ଭବପର ।[୪] ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ “କେଳାସ” ଶବ୍ଦର ଦୁଇଟି ଅର୍ଥ ଲିଖିତ । ଗୋଟିଏ “ସ୍ଫଟିକ” ଓ ଅନ୍ୟଟି “(ସ୍ଫଟିକ ପରି ସ୍ୱଚ୍ଛ ହୋଇଥିବାରୁ) କୈଳାସ ପର୍ବତ” ।[୫] ଚନ୍ଦ୍ରଙ୍କ ତିବ୍ବତୀୟ-ଇଂରାଜୀ ଅଭିଧାନରେ (୧୯୦୨, ପୃଷ୍ଠା ୩୨) କୈ ଲା ସା ବୋଲି ଏକ ଶବ୍ଦ ସ୍ଥାନ ପାଇଛି ଯାହା ସଂସ୍କୃତ ଶବ୍ଦରୁ ଉଦ୍ଧୃତ ।[୬]

ସାମାନ୍ୟ ତିବ୍ବତୀୟ ଭାଷାରେ କୈଳାସ ପର୍ବତର ନାମ ହେଲା – ଗାଂଗ୍ ରିଂପୋଛେ (གངས་རིན་པོ་ཆེ)। ତିବ୍ବତୀୟ ଭାଷାରେ ଗାଂଗ୍ ଶବ୍ଦର ଅର୍ଥ ହେଲା ହିମାବୃତ ଶୃଙ୍ଗ ବା ତୁଷାରାଚ୍ଛନ୍ନ ଶୃଙ୍ଗ ଏବଂ ରିଂପୋଛେ ଶବ୍ଦର ଅର୍ଥ ହେଲା ମୂଲ୍ୟବାନ । ତେଣୁ ଗାଂଗ୍ ରିଂପୋଛେ ଅର୍ଥ ‘ହିମାବୃତ ଶୃଙ୍ଗଙ୍କ ମଧ୍ୟରେ ମୂଲ୍ୟବାନ ମଣି (ଶ୍ରେଷ୍ଠ)’ ବୋଲି ବୁଝିବାକୁ ହେବ । ଏଲିସ୍ ଆଲ୍‍ବିନିଆ କୈଳାସର ଅନେକ ନାମ ଓ ବିଭିନ୍ନ ଧାର୍ମିକ ବିଶ୍ୱାସରେ ସେମାନଙ୍କ ମହତ୍ତ୍ୱ ବର୍ଣ୍ଣନା କରିଛନ୍ତି :

"ତିବ୍ବତୀୟ ବୌଦ୍ଧମାନେ କୈଳାସକୁ “କାଂଗ୍‍ରି ରିଂପୋଛେ” (ମୂଲ୍ୟବାନ ହିମାବୃତ ପର୍ବତ) ବୋଲି କୁହନ୍ତି । ବୋନ ଲେଖାମାନଙ୍କରେ କୈଳାସକୁ ‘ଜଳର ପୁଷ୍ପ’, ‘ସମୁଦ୍ରଜଳର ପର୍ବତ’, ‘୯ ସୋପାନବିଶିଷ୍ଟ ସ୍ୱସ୍ତିକା ପର୍ବତ’ ବୋଲି ବର୍ଣ୍ଣନା କରାଯାଇଛି । ହିନ୍ଦୁମାନେ କୈଳାସ ପର୍ବତକୁ ମହାଦେବ ଶିବଙ୍କ ଆବାସସ୍ଥଳୀ ବୋଲି ବିଶ୍ୱାସ କରନ୍ତି । ଜୈନମାନେ ବିଶ୍ୱାସ କରନ୍ତି ଯେ ତାଙ୍କର ପ୍ରଥମ ଧର୍ମଗୁରୁ କୈଳାସରେ ଜ୍ଞାନାଲୋକ ପ୍ରାପ୍ତ କରିଥିଲେ । ବୌଦ୍ଧଙ୍କ ପାଇଁ କୈଳାସ ସମଗ୍ର ବ୍ରହ୍ମାଣ୍ଡର ନାଭି ଓ ବୋନ ଧର୍ମୀଙ୍କ ପାଇଁ କୈଳାସ ହେଲା ଆକାଶର ଦେବୀ ସିପାଇମେନଙ୍କ ଆବାସସ୍ଥଳ ।"[୭]

ଝାଂଗ୍ ଝୁଆଂଗ୍ ଭାଷାରେ କୈଳାସ ପର୍ବତର ଆଉ ଏକ ନାମ ହେଲା ତି ସେ ପର୍ବତ । ଏହି ନାମଟି ସେହି ଭାଷାର ଶବ୍ଦ ତି ତ୍ସେରୁ ଗୃହୀତ, ଯାହାର ଅର୍ଥ ହେଲା “ଜଳ ଶୃଙ୍ଗ” ବା “ନଦୀ ଶୃଙ୍ଗ” । ଏହି ପର୍ବତରୁ ପୌରାଣିକ ସିଂହ ସ୍ରୋତ, ମୟୂର ସ୍ରୋତ ଏବଂ ହସ୍ତୀ ସ୍ରୋତ ବାହାରିଥିବାରୁ ଏପରି ନାମ ରଖାଯାଇଛି । ପ୍ରକୃତରେ କୈଳାସ ନିକଟସ୍ଥ ମାନସରୋବର ଅଞ୍ଚଳରୁ ସିନ୍ଧୁ ନଦୀ, ୟାରଲୁଂ ତ୍ସାଙ୍ଗପୋ ନଦୀ, ଝେଲମ ନଦୀ ଓ ଘାଘରା ନଦୀ ବାହାରିଛନ୍ତି ।[୮]

ଭୂବିଜ୍ଞାନ[ସମ୍ପାଦନା]

ଉପଗ୍ରହରୁ ଉତ୍ତୋଳିତ ଚିତ୍ରରେ କୈଳାସ ପର୍ବତ, ମାନସରୋବର ହ୍ରଦ (ଡାହାଣ) ଏବଂ ରାକ୍ଷସତାଲ ହ୍ରଦ (ବାମ)

କୈଳାସ ପର୍ବତ ଏବଂ ସିନ୍ଧୁ ନଦୀର ଉତ୍ପତ୍ତି ସ୍ଥଳର ଭୂବୈଜ୍ଞାନିକ ଅଧ୍ୟୟନରୁ ଏଠାକାର ଶିଳା କ୍ରିଟେସିୟସ୍ କଳ୍ପରୁ ନେଇ ସେନୋଜୋଇକ୍ କଳ୍ପ ସମୟର ବୋଲି ଅନୁମାନ କରାଯାଉଛି । ଏହି ଅଞ୍ଚଳରେ ସ୍ତରୀଭୂତ ଶିଳା ପ୍ରମୁଖ ଉପାଦାନ ହୋଇଥିବା ବେଳେ ସ୍ଥାନେ ସ୍ଥାନେ ଆଗ୍ନେୟ ଶିଳା ମଧ୍ୟ ପରିଲକ୍ଷିତ ହୋଇଥାଏ । କୈଳାସ ପର୍ବତ ଏକ ବୃହତ ମୁଗୁନି ପଥର ଭିତ୍ତି ଉପରେ ଦଣ୍ଡାୟମାନ । ଟେଥିଜ୍ ସାଗର ପୋତି ହେବା ପରେ ସେଠାରେ ସେନୋଜୋଇକ୍ କାଳରୁ ରହିଥିବା ସାମୁଦ୍ରିକ ଚୂନପଥର କୈଳାସର ଶୈଳସଜ୍ଜାର ଅଂଶ ପାଲଟିଯାଇଛି । ଭାରତୀୟ ପ୍ଲେଟ୍ ଏସୀୟ ପ୍ଲେଟ୍ ସହ ଧକ୍କା ପୂର୍ବରୁ ଏହି ସ୍ତରୀଭୂତ ଶିଳାଗଣ ସୃଷ୍ଟି ହୋଇଥିଲେ ।[୯][୧୦]

ଧାର୍ମିକ ମହତ୍ତ୍ୱ[ସମ୍ପାଦନା]

କୈଳାସରେ ଶିବ ନିଜ ପରିବାର (ପାର୍ବତୀ, ଗଣେଶକାର୍ତ୍ତିକେୟଙ୍କ ସହ ବିଦ୍ୟମାନ ରହିଥିବାର ଏକ ଚିତ୍ର

ହିନ୍ଦୁ ଧର୍ମ[ସମ୍ପାଦନା]

ରାବଣର କୈଳାସ ପର୍ବତ ଉପାଡ଼ିବାର ଅପଚେଷ୍ଟା, କୈଳାସରେ ଶିବ, ପାର୍ବତୀ, ଗଣେଶକାର୍ତ୍ତିକେୟ ଉପସ୍ଥିତ ଏବଂ ଅନ୍ୟ ଦେବାଦେବୀମାନେ ସ୍ୱର୍ଗରୁ ସବୁ ଘଟଣା ଦେଖୁଥିବା ଦର୍ଶାଯାଇଛି । ଏହି ମୂର୍ତ୍ତି ଏଲୋରା ଗୁମ୍ଫାର ଗୁମ୍ଫା କ୍ରମାଙ୍କ-୨୯ରେ ରହିଛି

କୈଳାସ ପର୍ବତ ଉପରେ ମହାଦେବ ଶିବ ନିଜ ପତ୍ନୀ ମାତା ପାର୍ବତୀ, ଦୁଇ ପୁତ୍ର ଗଣେଶକାର୍ତ୍ତିକେୟଙ୍କ ସହ ବାସ କରନ୍ତି ବୋଲି ହିନ୍ଦୁ ଧର୍ମାବଲମ୍ବୀମାନେ ବିଶ୍ୱାସ କରନ୍ତି ।

ଲେଖକ ଚାର୍ଲସ୍ ଆଲେନ୍ ବିଷ୍ଣୁ ପୁରାଣରେ କୈଳାସ ପର୍ବତ ବିଷୟରେ ବର୍ଣ୍ଣନା ରହିଥିବା କଥା ଉଲ୍ଲେଖ କରିଛନ୍ତି । ବିଷ୍ଣୁପୁରାଣରେ କୈଳାସର ଚାରି ପାର୍ଶ୍ୱକୁ ସ୍ଫଟିକ, ରୁବି, ସୁନା ଓ ଲାପିସ୍ ଲାଜୁଲିରେ ଗଠିତ ବୋଲି ସେ ଲେଖିଛନ୍ତି ।[୧୧] ୬ଟି ପର୍ବତଦ୍ୱାରା ଘେରି ହୋଇ ରହିଥିବା କୈଳାସ ଏକ ପଦ୍ମପୁଷ୍ପର ମଧ୍ୟଭାଗ ପରି ବୋଲି ପୁରାଣରେ କୁହାଯାଇଛି ।[୧୧]

ରାବଣାନୁଗ୍ରହ ପୌରାଣିକ ଗଳ୍ପରେ କୈଳାସ ପର୍ବତର ଉଲ୍ଲେଖ ରହିଛି । ଶିବଭକ୍ତ ରାବଣ ମହାଦେବଙ୍କୁ ସପରିବାର ଲଙ୍କାକୁ ସ୍ଥାନାନ୍ତରିତ ହେବାକୁ ପ୍ରାର୍ଥନା କରିଥିଲା । ଶିବ ଏହାକୁ ଅଗ୍ରାହ୍ୟ କରନ୍ତେ ରାବଣ କୈଳାସ ପର୍ବତ ଉପାଡ଼ି ଦେବାକୁ ଉଦ୍ୟମ କରିଥିଲା । ରାବଣର ଗର୍ବ ଭାଙ୍ଗିବା ପାଇଁ ଶିବ ନିଜ ପାଦର ବୁଢ଼ାଆଙ୍ଗୁଠିରେ କୈଳାସ ଓ ତାହାକୁ ଧରିଥିବା ରାବଣକୁ ଦବାଇ ରଖିଲେ ।[୧୨] ରାବଣ ଶିବଙ୍କ ଉଦ୍ଦେଶ୍ୟରେ ସ୍ୱରଚିତ ଶିବତାଣ୍ଡବ ସ୍ତୋତ୍ର ଗାଇ ଶିବଙ୍କୁ ତୁଷ୍ଟ କରିବାରୁ ଶିବ ତାହାକୁ କ୍ଷମା ପ୍ରଦାନ କରିଥିଲେ ।[୧୩] [୧୪] କୈଳାସ ଓ ମାନସରୋବର ରହିଥିବାରୁ ସ୍କନ୍ଦ ପୁରାଣରେ ହିମାଳୟକୁ ପର୍ବତଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି କୁହାଯାଇଛି । ଶ୍ରୀମଦ ଭଗବତ ଗୀତାରେ ଶ୍ରୀକୃଷ୍ଣ ନିଜକୁ ସମସ୍ତ ପର୍ବତଙ୍କ ମଧ୍ୟରେ କୈଳାସ (ମେରୁ) ବୋଲି କହିଛନ୍ତି । ରାମାୟଣ କାବ୍ୟର କିସ୍କିନ୍ଧା କାଣ୍ଡ ଓ ବାଳ କାଣ୍ଡରେ ଏବଂ ମହାଭାରତ କାବ୍ୟର ଭୀଷ୍ମ ପର୍ବ, ଦ୍ରୋଣ ପର୍ବ, ବନ ପର୍ବ ଓ ଅନୁଶାସନ ପର୍ବରେ କୈଳାସ ପର୍ବତର ଉଲ୍ଲେଖ ରହିଛି । ଏହା ବ୍ୟତୀତ କବୀରଙ୍କ ଗୀତ ଓ ଆଦି ଶଙ୍କରାଚାର୍ଯ୍ୟଙ୍କ ଚନ୍ଦ୍ରଶେଖର ଅଷ୍କକରେ ମଧ୍ୟ କୈଳାସର ଉଲ୍ଲେଖ ରହିଛି । [୧୫]

ଜୈନ ଧର୍ମ[ସମ୍ପାଦନା]

ଋଷଭନାଥ କୈଳାସରେ ନିର୍ବାଣ ପ୍ରାପ୍ତ କରିଥିଲେ

ଜୈନ ଶାସ୍ତ୍ର ଅଷ୍ଟପଦ ଅନୁସାରେ ପ୍ରଥମ ଜୈନ ତୀର୍ଥଙ୍କର ଋଷଭନାଥଙ୍କୁ କୈଳାସସଂଲଗ୍ନ ପର୍ବତରେ ମୋକ୍ଷପ୍ରାପ୍ତି ହୋଇଥିଲା ।[୧୬] ଜୈନ ପରମ୍ପରାନୁଯାୟୀ ଋଷଭନାଥ ନିର୍ବାଣ ଲାଭ କରିବା ପରେ ତାଙ୍କ ପୁତ୍ର ଚକ୍ରବର୍ତ୍ତୀ ସମ୍ରାଟ ଭରତ ସେଠାରେ ତିନୋଟି ସ୍ତୁପ, ୨୪ ତୀର୍ଥଙ୍କରଙ୍କ ପାଇଁ ୨୪ଟି ପୀଠ ଓ ମୂଲ୍ୟବାନ ପଥର ଖଚିତ ୨୪ଟି ମୂର୍ତ୍ତି ନିର୍ମିତ କରାଇଥିଲେ ।[୧୭]

ଜୈନ କଥା ଅନୁସାରେ ଶେଷ (୨୪ତମ) ତୀର୍ଥଙ୍କର ବର୍ଦ୍ଧମାନ ମହାବୀରଙ୍କ ଜନ୍ମ ପରେ ଇନ୍ଦ୍ର ମହାବୀରଙ୍କ ମାତା ତ୍ରିଶାଳାଙ୍କୁ ଗଭୀର ନିଦ୍ରାରେ ଶୁଆଇ ଦେଇ ମହାବୀରଙ୍କୁ ଧରି ମେରୁ ପର୍ବତର ଶିଖରକୁ ଚାଲି ଯାଇଥିଲେ । ସେଠାରେ ମହାବୀରଙ୍କୁ ସ୍ନାନ କରାଇ ଅଭିଷିକ୍ତ କରାଯାଇଥିଲା ।[୧୮][୧୯]

ବୌଦ୍ଧ ଧର୍ମ[ସମ୍ପାଦନା]

ଥଂଗ୍‍କା କଳାରେ କୈଳାସ ପର୍ବତ

ବୌଦ୍ଧ ଶାସ୍ତ୍ରମାନଙ୍କରେ କୈଳାସ ପର୍ବତକୁ “ମେରୁ ପର୍ବତ” ବୋଲି କୁହାଯାଇଛି । ବୌଦ୍ଧ ସଂସ୍କୃତିରେ କୈଳାସ ଏକ ମୁଖ୍ୟ ତୀର୍ଥସ୍ଥଳ ଭାବେ ପରିଗଣିତ ।[୨୦]

ବଜ୍ରଯାନ ବୌଦ୍ଧ ଧର୍ମାବଲମ୍ବୀମାନେ କୈଳାସକୁ ଚକ୍ରସମ୍ବର ବୁଦ୍ଧଙ୍କ (ବା ଡେମଚୋକ) ଆବାସସ୍ଥଳୀ ବୋଲି ବିଶ୍ୱାସ କରନ୍ତି ।[୨୧] ଡେମଚୋକ ହେଉଛନ୍ତି ପରମାନନ୍ଦର ପ୍ରତୀକ ।

ଖ୍ରୀଷ୍ଟାବ୍ଦ ୭ମ-୮ମ ଶତାବ୍ଦୀରେ ତିବ୍ବତ ଅଞ୍ଚଳରେ ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାରର ଶ୍ରେୟ ପଦ୍ମସମ୍ଭବ ତନ୍ତ୍ର ପରମ୍ପରାକୁ ଦିଆଯାଏ ଓ ଏହି ପରମ୍ପରାର ଅନେକ ପୀଠ କୈଳାସରେ ବିକ୍ଷିପ୍ତ ଭାବରେ ରହିଛନ୍ତି ।[୨୨]

ଏକ ଲୋକକଥାନୁସାରେ, ବଜ୍ରଯାନ ତାନ୍ତ୍ରିକ ମିଳାରେପା (ଆନୁମାନିକ ୧୦୫୨ରୁ ୧୧୩୫) ବୋନ ତାନ୍ତ୍ରିକ ନାରୋ ବୋଞ୍ଚୁଂଗଙ୍କୁ ଆହ୍ୱାନ ଦେବା ପାଇଁ ତିବ୍ବତରେ ପହଞ୍ଚିଥିଲେ । ଉଭୟ ତାନ୍ତ୍ରିକ ଏକ ତନ୍ତ୍ରଯୁଦ୍ଧରେ ମାତିଗଲେ କିନ୍ତୁ କେହି ବିଜୟଲାଭ କରିପାରିଲେ ନାହିଁ । ଯିଏ ସର୍ବ ପ୍ରଥମେ କୈଳାସ ପର୍ବତ ଉପରକୁ ଚଢ଼ିପାରିବ ତାକୁ ବିଜୟୀ ଘୋଷିତ କରାଯିବ ବୋଲି ସ୍ଥିର କରାଗଲା । ନାରୋ ବୋଞ୍ଚୁଂଗ୍ ନିଜ କୁହୁକ ଢୋଲ ଉପରେ ବସି କୈଳାସ ଆରୋହଣ କରିବା ଆରମ୍ଭ କଲେ । ମିଳାରେପା କିନ୍ତୁ ଧ୍ୟାନମଗ୍ନ ବସି ରହିବା ତାଙ୍କ ସମର୍ଥକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା । ନାରୋ ବୋଞ୍ଚୁଂଗ୍ ଶିଖରକୁ ପହଞ୍ଚିବାକୁ ଆଉ ଅଳ୍ପ ବାଟ ଥିବା ବେଳେ ହଠାତ୍ ମିଳାରେପା ସୂର୍ଯ୍ୟକିରଣଙ୍କୁ ନିଜ ବାହନ କରି ତୁରନ୍ତ ଶିଖରକୁ ଚଢ଼ିଯାଇଥିଲେ ଓ ବିଜୟୀ ହୋଇଥିଲେ । ସେ କୈଳାସ ଉପରେ କିଛି ତୁଷାର ଛିଞ୍ଚି ଦେଇଥିଲେ ଯାହାକୁ ବୋନ୍ରି କୁହାଯାଏ ଓ ଏହି ଅଞ୍ଚଳ ସହିତ ରହିଥିବା ବୋନ୍‍ପୋ ସମ୍ପର୍କକୁ ପୃଷ୍ଠପୋଷକତା ପ୍ରଦାନ କରିଥାଏ ।[୨୩][୨୪][୨୫]

ବୋନ ଧର୍ମ[ସମ୍ପାଦନା]

ତିବ୍ବତରେ ଜାତ ବୋନ ଧର୍ମରେ ରହସ୍ୟମୟ କୈଳାସକୁ "ନଅ ତଳବିଶିଷ୍ଟ ସ୍ୱସ୍ତିକା ପର୍ବତ" ଓ ଜଗତର ଅକ୍ଷ “ତାଗ୍‍ଜିଗ୍ ଓଲ୍ମୋ ଲୁଂଗ୍ ରିଂଗ୍” ବୋଲି କୁହାଯାଏ ।

କୈଳାସ ପର୍ବତ ତୀର୍ଥଯାତ୍ରା[ସମ୍ପାଦନା]

ତୀର୍ଥଙ୍କର ଋଷଭନାଥଙ୍କୁ ପୂଜା କରୁଥିବା ଜୈନ ତୀର୍ଥଯାତ୍ରୀ

ହଜାର ବର୍ଷରୁ ରହି ଆସିଥିବା ପରମ୍ପରା ଅନୁଯାୟୀ ପ୍ରତିବର୍ଷ ବହୁ ସଂଖ୍ୟକ ତୀର୍ଥଯାତ୍ରୀ କୈଳାସ ଅଭିମୁଖେ ଯାତ୍ରା କରିଥାନ୍ତି । ଅନେକ ଧର୍ମାବଲମ୍ବୀ ତୀର୍ଥଯାତ୍ରୀ ବିଶ୍ୱାସ କରନ୍ତି ଯେ ଚାଲି ଚାଲି କୈଳାସ ପର୍ବତର ପ୍ରଦକ୍ଷିଣା କଲେ ସୌଭାଗ୍ୟ ଲାଭ ହୋଇଥାଏ । ହିନ୍ଦୁ ଓ ବୌଦ୍ଧମାନେ ଘଣ୍ଟାକଣ୍ଟା ଦିଗରେ ଏବଂ ଜୈନ ଓ ବୋନମାନେ ଘଣ୍ଟାକଣ୍ଟା ବିପରୀତ ଦିଗରେ ପ୍ରଦକ୍ଷିଣା କରିଥାନ୍ତି ।[୨୬]

କୈଳାସର ପରିକ୍ରମା ପଥ ୫୨ କିଲୋମିଟର ଦୀର୍ଘ । କିଛି ତୀର୍ଥଯାତ୍ରୀଙ୍କ ଅନୁସାରେ ଗୋଟିଏ ଦିନରେ ଏହି ପରିକ୍ରମା ସମ୍ପୂର୍ଣ୍ଣ ହେବା ଉଚିତ । କିନ୍ତୁ ଗୋଟିଏ ଦିନରେ ଓ ନିମ୍ନ ତାପମାତ୍ରାରେ ଏହି ପରିକ୍ରମା କରିବା ଆଦୌ ସରଳ କାର୍ଯ୍ୟ ନୁହେଁ । ଉତ୍ତମ ସ୍ୱାସ୍ଥ୍ୟାବସ୍ଥାରେ ଥିବା ଜଣେ ମନୁଷ୍ୟ ୧୫ ଘଣ୍ଟା ଚାଲିଲେ ଏହି ପ୍ରଦକ୍ଷିଣା ସମ୍ପୂର୍ଣ୍ଣ ହୋଇପାରେ । ବନ୍ଧୁର ପଥ, ଉଚ୍ଚତା ବେମାରୀ ଓ ଅସହ୍ୟ ଥଣ୍ଡା ଓ କାଲୁଆ ପବନ ସତ୍ତ୍ୱେ କିଛି ଭକ୍ତ ଏହି ପ୍ରଦକ୍ଷିଣା ପୂର୍ଣ୍ଣ କରିବାରେ ସମର୍ଥ ହୋଇଥାନ୍ତି । ଆଉ କିଛି ଭକ୍ତ ପଥସାରା ଆଣ୍ଠୁରେ ବସି ସାଷ୍ଟାଙ୍ଗ ପ୍ରଣାମ କରି ପ୍ରଦକ୍ଷିଣା କରନ୍ତି ଯାହା ଅଧିକ କଷ୍ଟଦାୟକ । ଏପରି କରିବାକୁ ଅତି କମରେ ଚାରି ସପ୍ତାହ ପର୍ଯ୍ୟନ୍ତ ଶାରୀରିକ କଷ୍ଟ ଭୋଗ କରିବାକୁ ପଡ଼ିଥାଏ । କୈଳାସ ପର୍ବତ ନିକଟରେ ପହଞ୍ଚିବା ପାଇଁ ତିବ୍ବତୀୟ ହିମାଳୟର ଦୁର୍ଗମ୍ୟ ପଥ ଓ ଅସହ୍ୟ ଜଳବାୟୁ ଅତିକ୍ରମ କରିବାକୁ ପଡ଼ିଥାଏ । ଆଧୁନିକ କାଳରେ ଯାତ୍ରାପଥରେ ତୀର୍ଥଯାତ୍ରୀଙ୍କ ବସିବା ଓ ଶୋଇବା ପାଇଁ ବିଶ୍ରାମ ସ୍ଥାନ, ମେଜ, ରିଫ୍ରେସମେଣ୍ଟ୍ କିଓସ୍କ ଆଦି ସ୍ଥାପିତ ହୋଇଛି । ଯେହେତୁ ସବୁ ଧର୍ମ ପାଇଁ କୈଳାସ ଏକ ପବିତ୍ର ସ୍ଥଳ, ତେଣୁ ଏହା ଉପରେ ପାଦ ଦେବା ସବୁ ଧର୍ମରେ ମହାପାପ ବୋଲି କୁହାଯାଇଛି । କୈଳାସରୁ ସ୍ୱର୍ଗକୁ ପାହାଚ (ସୋପାନ) ରହିଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି ।

ବିଭିନ୍ନ ସ୍ତୁପର ପୃଷ୍ଠଭୂମିରେ କୈଳାସ ପର୍ବତ

ଭାରତ-ଚୀନ ସୀମା ବିବାଦ ଯୋଗୁଁ ୧୯୫୪ରୁ ନେଇ ୧୯୭୮ ପର୍ଯ୍ୟନ୍ତ କୈଳାସ ଯାତ୍ରା ସ୍ଥଗିତ ରହିଥିଲା । ପରବର୍ତ୍ତୀ ସମୟରେ ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ କୈଳାସ ଯାତ୍ରା ପୁଣି ଖୋଲାଗଲା । କିନ୍ତୁ ପୂର୍ବ ତୀର୍ଥ ସଡ଼କ ପରିବର୍ତ୍ତେ ହିମାଳୟର ଅତି ଦୁର୍ଗମ୍ୟ ପଥରେ ଭାରତୀୟ ଓ ଚୀନୀ ସେନାଙ୍କ ଗୋଚରରେ ପଦଚାରଣ କରି କିମ୍ବା କାଠମାଣ୍ଡୁରୁ ଲାସା ପର୍ଯ୍ୟନ୍ତ ବିମାନରେ ଓ ଲାସାରୁ ଆଗକୁ ଗାଡ଼ିରେ ଯିବାର ବ୍ୟବସ୍ଥା କରାଗଲା । ଚାରି ଦିନର ଏହି ଯାତ୍ରା ପରେ ସମୁଦ୍ରପତନରୁ ୪୬୦୦ ମିଟର ଉଚ୍ଚତାରେ ଥିବା ଡାର୍ଚେନରେ ବିଭିନ୍ନ ପାନ୍ଥନିବାସରେ ରହିବାକୁ ପଡ଼େ । ତୀର୍ଥଯାତ୍ରୀ ନିଜ ତମ୍ବୁରେ ମଧ୍ୟ ବିଶ୍ରାମ କରନ୍ତି । ୧୯୯୭ ମସିହାରେ ସ୍ୱିସ୍ ଙ୍ଗାରି କୋର୍ସୁମ୍ ଫାଉଣ୍ଡେସନଦ୍ୱାରା ଏଠାରେ ଏକ କ୍ଷୁଦ୍ର ଚିକିତ୍ସାଳୟ ପ୍ରତିଷ୍ଠା କରାଯାଇଥିଲା ।

କୈଳାସର ପରିକ୍ରମା ପଥ ଏହାର ଉଦ୍ୟାନର ଏକ ଅଂଶ । ଏହା ଚାରିପଟେ ପାଦରେ, କୁଜି ଘୋଡ଼ା ବା ଗୃହପାଳିତ ୟାକ୍ ପିଠିରେ ବସି ପୂର୍ଣ୍ଣ କରାଯାଏ । ଚାଲି ପରିକ୍ରମା କରିବା ପାଇଁ ୧୫୦୦୦ ଫୁଟ ଉଚ୍ଚତାରୁ ଆରମ୍ଭ କରି, ଟାର୍ବୋଚେ ଧ୍ୱଜସ୍ତମ୍ଭ ଅତିକ୍ରମ କରି ଡ୍ରୋଲ୍‍ମା ଗିରିପଥ (୧୮୨୦୦ ଫୁଟ ଉଚ୍ଚତା) ଦେଇ ଯିବାକୁ ହୋଇଥାଏ । ବାଟରେ ଦୁଇ ରାତି କଟାଇବାକୁ ପଡ଼େ । ଏହି ପଥରେ ଯିବାବେଳେ ଦୂରରୁ ଗୌରୀ କୁଣ୍ଡକୁ ଦେଖିହେବ ।

ଜୀବଜନ୍ତୁ[ସମ୍ପାଦନା]

କୈଳାସ ପର୍ବତ ନିମ୍ନ ଭାଗରେ କିଆଂଗ୍ (ବନ୍ୟ ଗଧ), ତିବ୍ବତୀୟ ଆଣ୍ଟିଲୋପ, ବନ୍ୟ ୟାକ୍, ହଂସ, କଳାବେକିଆ ବଗ ପ୍ରଭୃତି ଜୀବଜନ୍ତୁ ପରିଲକ୍ଷିତ ହୁଅନ୍ତି ।[୨୭]

ପର୍ବତାରୋହଣ[ସମ୍ପାଦନା]

ସୂର୍ଯ୍ୟ କିରଣରେ ଉଦ୍ଭାସିତ କୈଳାସର ଉତ୍ତର ମୁଖ
କୈଳାସକୁ ଯିବା ରାସ୍ତାରେ ଥିବା ପାର୍ବତୀ କୁଣ୍ଡ ବା ଗୌରୀ କୁଣ୍ଡ ପୁଷ୍କରିଣୀ

ଧାର୍ମିକ ବିଶ୍ୱାସ ଯୋଗୁଁ କୈଳାସ ପର୍ବତରେ ଆରୋହଣ କରାଯାଏନାହିଁ । ୧୯୨୬ ମସିହାରେ ହ୍ୟୁଗ୍ ରଟଲେଜ୍ କୈଳାସ ପର୍ବତର ଉତ୍ତର ପଟର ଅନୁଶୀଳନ କରିଥିଲେ । ୬୦୦୦ ଫୁଟ (୧୮୦୦ ମିଟର) ଉଚ୍ଚ ଏହି ପଟରୁ ଆରୋହଣ ଅତି କଷ୍ଟକର ବୋଲି ସେ ଅନୁମାନ କରିଥିଲେ ।[୨୮] ସେ ପର୍ବତର ଉତ୍ତର-ପୂର୍ବ ପଟରୁ ଆରୋହଣ କରିବାକୁ ସ୍ଥିର କଲେ କିନ୍ତୁ ବହୁ ସମୟ ଅତିବାହିତ ହେବାରୁ ଆରୋହଣ କରିପାରିନଥିଲେ । ରଟଲେଜ୍‍ଙ୍କ ସହିତ ପର୍ବତ ଅପର ପାର୍ଶ୍ୱରୁ କର୍ଣ୍ଣେଲ୍ ଆର୍. ସି. ୱିଲ୍‍ସନ୍ ଓ ତାଙ୍କ ଶେର୍ପା ତ୍ସେଟେନ୍ କୈଳାସକୁ ଆରୋହଣ ବାଟ ଖୋଜୁଥିଲେ ଏବଂ ଏହି ଅଞ୍ଚଳର ଅନୁଧ୍ୟାନ କରିଥିଲେ । ପର୍ବତର ଦକ୍ଷିଣ-ପୂର୍ବ ପଟ ଆରୋହଣ ଯୋଗ୍ୟ ବୋଲି ତ୍ସେଟେନ୍ ୱିଲ୍‍ସନ୍‍ଙ୍କୁ ଜଣାଇଥିଲେ ।[୨୯] ଆଲ୍‍ପାଇନ୍ ଜର୍ଣ୍ଣାଲ୍‍ର (୧୯୨୮) ଖଣ୍ଡ-୪୦ରେ ପ୍ରକାଶିତ ୱିଲ୍‍ସନ୍‍ଙ୍କ ଲେଖାରୁ ଜଣାପଡ଼େ ଯେ କୈଳାସ ଆରୋହଣ କରିବାକୁ ସେ ଅତି ଆଗ୍ରହୀ ଥିଲେ କିନ୍ତୁ ଆରୋହଣ ସମୟ ଉପନୀତ ହୁଅନ୍ତେ ଭୀଷଣ ତୁଷାରପାତ ହୋଇ ଆରୋହଣ ଅସମ୍ଭବ ହୋଇପଡ଼ିଥିଲା । ୧୯୩୬ ମସିହାରେ ହର୍ବର୍ଟ୍ ଟିଚି “ଗୁର୍ଲା ମାନ୍ଧାତା” ପର୍ବତର ଆରୋହଣ କରିବା ପାଇଁ ଏହି ଅଞ୍ଚଳକୁ ଆସିଥିଲେ । କୈଳାସ ପର୍ବତ ଆରୋହ୍ୟ ନା ନୁହେଁ ସେ ଙ୍ଗାରିର ଗାର୍ପୋମାନଙ୍କୁ ପଚାରିଥିଲେ । ପ୍ରତ୍ୟୁତ୍ତରରେ ଗାର୍ପୋ ଜଣେ କହିଲା, “କେବଳ ସମ୍ପୂର୍ଣ୍ଣ ପାପମୁକ୍ତ ବ୍ୟକ୍ତି କୈଳାସକୁ ଚଢ଼ିପାରିବ । ତା’କୁ କୈଳାସର ବରଫାବୃତ ଚଟ୍ଟାଣ କଷ୍ଟକରି ଚଢ଼ିବାର ଆବଶ୍ୟକତା ନଥିବ । ସେ ପକ୍ଷୀଟିଏ ହୋଇ କୈଳାସର ଶିଖରକୁ ଉଡ଼ିଯିବ ।“[୩୦] ଚୀନ ସରକାର ୧୯୮୦ ଦଶନ୍ଧିରେ ରାଇନହୋଲ୍ଡ ମେସ୍‍ନରଙ୍କୁ କୈଳାସ ପର୍ବତ ଆରୋହଣ କରିବା ପାଇଁ ଆମନ୍ତ୍ରଣ କରିଥିଲେ ଯାହାକୁ ମେସ୍‍ନର୍ ପ୍ରତ୍ୟାଖ୍ୟାନ କରିଥଦେଇଥିଲେ ।[୩୧]

୨୦୦୧ ମସିହାରେ କୈଳାସ ଚଢ଼ିବା ପାଇଁ ଏକ ସ୍ପେନୀୟ ପର୍ବତାରୋହୀ ଦଳକୁ ଚୀନ ସରକାର ଅନୁମତି ପ୍ରଦାନ କରିଥିଲେ । ଏହାକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଇଥିଲା । ପରେ କିନ୍ତୁ ଚୀନୀ ଅଧିକାରୀମାନେ କୈଳାସ ଉପରକୁ କେହି ମଧ୍ୟ ଚଢ଼ିବା ନିଷିଦ୍ଧ ଓ ଅନ୍ତର୍ଜାତୀୟ ସ୍ତରରେ ଏପରି ଚୀନର ନିନ୍ଦା ଅମୂଳକ ବୋଲି କହିଥିଲେ ।[୩୧] ପୂର୍ବରୁ ଚଢ଼ିବାକୁ ମନା କରିଥିବା ମେସ୍‍ନର୍ ସ୍ପେନୀୟ ପର୍ବତାରୋହଣକାରୀ ଦଳର ଯୋଜନାକୁ ନିନ୍ଦା କରି କହିଥିଲେ :

ଯଦି ଏହି ପର୍ବତ ଶିଖରକୁ ଆମେ ଆରୋହଣ କରିବା, ତେବେ ଆମେ ବହୁ ଲୋକଙ୍କ ଆତ୍ମାର ଭାବନାକୁ ପଦାଘାତ କରିବା । ବରଂ ମୁଁ କହିବି ଯେ ଆମେ କୌଣସି କଷ୍ଟ ଓ ଉଚ୍ଚ ପାହାଡ଼ ଚଢ଼ିବାକୁ ଚେଷ୍ଟା କରିବା ଉଚିତ । କୈଳାସ ବେଶୀ ଉଚ୍ଚ ନୁହେଁ କିମ୍ବା ଏହା ଚଢ଼ିବା ସେତିକି କଷ୍ଟସାଧ୍ୟ ନୁହେଁ ।[୩୨]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Jain Pooja-Kavya: Ek Chintan. ISBN 9788126308187.
  2. Monier-Williams Sanskrit Dictionary, page 311 column 3
  3. Entry for कैलासः in Apte Sanskrit-English Dictionary
  4. Williams, Monier. "Monier-Williams Sanskrit-English Dictionary". kelāsa m. crystal W
  5. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.
  6. Sarat Chandra Das (1902). Tibetan-English Dictionary with Sanskrit Synonyms. Calcutta, India: Bengal Secretariat Book Depot, page 32.
  7. Alice Albinia (2008). Empires of the Indus: The Story of a River. John Murray. p. 288. ISBN 9780719560033.
  8. Camaria, Pradeep (1996), Kailash Manasarovara on the Rugged Road to Revelation, New Delhi: Abhinav, ISBN 9788170173366, retrieved 11 June 2010
  9. Geology and Geography of the Mt. Kailash area and Indus River headwaters in southwestern Tibet Pete Winn, Science Director Earth Science Expeditions. Accessed January 2014.
  10. Plate Tectonic & northern Pacific Accessed January 2014.
  11. ୧୧.୦ ୧୧.୧ Allen, Charles. (1982). A Mountain in Tibet, pp. 21–22. André Deutsch. Reprint: 1991. Futura Publications, London. ISBN 0-7088-2411-0.
  12. http://www.nationalmuseumindia.gov.in/prodCollections.asp?pid=19&id=3&lk=dp3
  13. https://www.punjabkesari.in/dharm/news/what-is-shiva-tandava-924252
  14. Shiv Tandav Stotra (Hindi Edition).
  15. ଡଃ ବିନୋଦ ସିଂହ, A literature review of the mention of the sacred mountain “Kailash Mansarovar” in the ancient Indian Classics and Mythology, Journal of Indian Research. ISSN 2321-4155. mujournal.mewaruniversity.in/JIR%202-2/4.pdf
  16. "To heaven and back – Times Of India". Articles.timesofindia.indiatimes.com. 2012-01-11. Retrieved 2012-03-02.
  17. Jain, Arun Kumar (2009). Faith & Philosophy of Jainism. ISBN 9788178357232.
  18. Welch, Stuart Cary; Metropolitan Museum Of Art (New York, N.Y.) (1985). India: Art and Culture, 1300-1900. ISBN 9780030061141.
  19. "Jainism Literature Center - Rituals".
  20. Robert E. Buswell (2004). Encyclopedia of Buddhism: A-L. Macmillan Reference. pp. 407–408. ISBN 978-0-02-865719-6.
  21. "Heruka Chakrasamvara". Khandro.net. Retrieved 2012-03-02.
  22. The Sacred Mountain, pp. 39, 33, 35, 225, 280, 353, 362–363, 377–378
  23. The Sacred Mountain, pp. 31, 33, 35
  24. The World's Most Mysterious Places Published by Reader's Digest ISBN 0-276-42217-1 pg.85
  25. The Sacred Mountain, pp. 25–26
  26. "Mt Kailash and Lake Manasarovar pilgrim tour in 2018 - Explore China Tibet Travel". Tibet & China Travel Services by Locals.
  27. https://www.tibettravel.org/reviews/wild-animals-for-kailash-tour.html
  28. The Sacred Mountain, p. 120
  29. The Sacred Mountain, p. 116
  30. The Sacred Mountain, p. 129
  31. ୩୧.୦ ୩୧.୧ "China to Ban Expeditions on Mt Kailash". tew.org. Archived from the original on 18 July 2011. Retrieved 16 September 2016.
  32. "Scaling a Mountain to Destroy The Holy Soul of Tibetans". tew.org. Archived from the original on 27 April 2011. Retrieved 18 September 2016.

ଆଉ ପଢ଼ନ୍ତୁ[ସମ୍ପାଦନା]

  • Albinia, Alice. (2008) Empires of the Indus: The Story of a River. First American Edition (2010) W. W. Norton & Company, New York. ISBN 978-0-393-33860-7.
  • Nomachi, Kazuyoshi. Tibet. Boston: Shambhala, 1997.
  • Thurman, Robert and Tad Wise, Circling the Sacred Mountain: A Spiritual Adventure Through the Himalayas. New York: Bantam, 1999. ISBN 0-553-37850-3 — Tells the story of a Western Buddhist making the trek around Mount Kailash.
  • Snelling, John. (1990). The Sacred Mountain: The Complete Guide to Tibet's Mount Kailas. 1st edition 1983. Revised and enlarged edition, including: Kailas-Manasarovar Travellers' Guide. Forwards by H.H. the Dalai Lama of Tibet and Christmas Humphreys. East-West Publications, London and The Hague. ISBN 0-85692-173-4.
  • (Elevation) Chinese Snow Map "Kangrinboqe", published by the Lanzhou Institute of Glaciology, Chinese Academy of Sciences.
  • Allen, Charles (1982) A Mountain in Tibet: The Search for Mount Kailas and the Sources of the Great Rivers of Asia. (London, André Deutsch).
  • Allen, Charles. (1999). The Search for Shangri-La: A Journey into Tibetan History. Little, Brown and Company. Reprint: Abacus, London. 2000. ISBN 0-349-11142-1.
  • "A Tibetan Guide for Pilgrimage to Ti-se (Mount Kailas) and mTsho Ma-pham (Lake Manasarovar)." Toni Huber and Tsepak Rigzin. In: Sacred Spaces and Powerful Places In Tibetan Culture: A Collection of Essays. (1999) Edited by Toni Huber, pp. 125–153. The Library of Tibetan Works and Archives, Dharamsala, H.P., India. ISBN 81-86470-22-0.
  • Stein, R. A. (1961). Les tribus anciennes des marches Sino-Tibétaines: légends, classifications et histoire. Presses Universitaires de France, Paris. (In French)
  • Johnson, Russell, and Moran, Kerry. (1989). The Sacred Mountain of Tibet: On Pilgrimage to Kailas. Park Street Press, Rochester, Vermont. ISBN 0-89281-325-3.
  • Govinda, Lama Anagarika. (1966). The Way of the White Clouds: A Buddhist Pilgrim in Tibet. Shambhala Publications, Inc. Boulder, Colorado. Reprint with foreword by Peter Matthiessen: Shambhala Publications, Inc. Boston, Massachusetts. 1988. ISBN 0-87773-007-5
  • Thubron, Colin. (2011). "To a Mountain in Tibet." Chatto & Windus, London. ISBN 978-0-7011-8380-6

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]