ଭାରତ-ଚୀନ ସୀମା ବିବାଦ

ଉଇକିପିଡ଼ିଆ‌ରୁ
ଭାରତୀୟ ସୀମାବର୍ତ୍ତୀ ବିବାଦୀୟ ଭୂଖଣ୍ଡ ମାନଚିତ୍ରରେ ପ୍ରଦର୍ଶିତ

ଭାରତର ଉତ୍ତରତମ ଓ ଚୀନ ଓ ତିବ୍ୱତର ଦକ୍ଷିଣରେ ଥିବା ଭୂଖଣ୍ଡକୁ ନେଇ ଭାରତ ଓ ଚୀନ ମଧ୍ୟରେ ଅନେକ ସମୟରେ ସୀମାରେଖା ସମ୍ବନ୍ଧୀୟ ବିବାଦ ଲାଗି ରହିଛି । “ଅକ୍ସାଇ ଚୀନ” ଅଞ୍ଚଳ ଜାମ୍ମୁ ଓ କାଶ୍ମୀରର ଅଂଶ ବୋଲି ଭାରତ ଦାବୀ କରୁଥିଲା ବେଳେ ଏହି ଅଞ୍ଚଳ ଚିନ୍-ଜିଆଂଗ୍ ଅଞ୍ଚଳର ବୋଲି ଚୀନ ଦାବୀ କରୁଛି । ଅକ୍ସାଇ ଚୀନ ଅଞ୍ଚଳ ସମୁଦ୍ର ପତନଠାରୁ ବହୁତ ଉର୍ଦ୍ଧ୍ୱରେ ଓ ଏଠାରେ ମନୁଷ୍ୟ ବସବାସ କରନ୍ତି ନାହିଁ । କିନ୍ତୁ ଚୀନ ଏହି ସ୍ଥାନରେ ଜିନ୍-ଜିଆଂଗ୍ ଓ ତିବ୍ୱତକୁ ସଂଯୋଗ କରୁଥିବା ଏକ ସଡକପଥ ନିର୍ମାଣ କରିଛି ଓ ଏହି ଅଞ୍ଚଳକୁ ନିୟନ୍ତ୍ରଣ କରୁଛି । ମ୍ୟାକ୍-ମୋହନ୍ ରେଖାର ଦକ୍ଷିଣ ପାର୍ଶ୍ୱରେ ମଧ୍ୟ କିଛି କ୍ଷେତ୍ର ବିବାଦିତ । ଅରୁଣାଚଳ ପ୍ରଦେଶ ନାମକ ଭାରତୀୟ ରାଜ୍ୟ ପୂର୍ବେ ଉତ୍ତର-ପୂର୍ବ ଫ୍ରଣ୍ଟିୟର୍ ଏଜେନ୍ସି ନାମରେ ଜଣା ଥିଲା ଓ ଏହା ଚୀନର ଅଂଶ ବୋଲି ଚୀନ ଦାବୀ କରି ଆସୁଛି । ୧୯୧୪ ମସିହାରେ ସିମଳାରେ ସୀମାରେଖାକୁ ନେଇ ତତ୍କାଳୀନ ବ୍ରିଟିଶ୍ ଶାସନାଧୀନ ଭାରତ ଓ ତିବ୍ୱତ୍ ମଧ୍ୟରେ ଚୁକ୍ତି ହୋଇ ମ୍ୟାକ୍-ମୋହନ ରେଖା ନିରୂପିତ ହୋଇଥିଲା । କିନ୍ତୁ ଚୀନ ସର୍ବଦା ଏପରି କୌଣସି ଚୁକ୍ତି ହୋଇନଥିଲା ବୋଲି କହି ଏହାର ପ୍ରତ୍ୟାଖ୍ୟାନ କରିଆସୁଛି । 

ଏହି ଦୁଇଟି ବିବାଦୀୟ କ୍ଷେତ୍ରକୁ ନେଇ ଭାରତ ଓ ଚୀନ ମଧ୍ୟରେ ୧୯୬୨ ମସିହାରେ ଏକ ଯୁଦ୍ଧର ସୂତ୍ରପାତ ହୋଇଥିଲା । ପରସ୍ପର ପ୍ରତି ବିଶ୍ୱସନୀୟତାରେ ଅଭିବୃଦ୍ଧି ଓ ଦୁହିଁଙ୍କ ସମର୍ଥନରେ ନିୟନ୍ତ୍ରଣରେଖା ନିର୍ଦ୍ଧାରଣ କରି ସମସ୍ତ ବିବାଦର ସମାଧାନ ପାଇଁ ୧୯୯୬ ମସିହାରେ ଏକ ଆଲୋଚନା ହୋଇଥିଲା । ସମଗ୍ର ଅରୁଣାଚଳ ପ୍ରଦେଶ ପ୍ରକୃତରେ ଚୀନର ଅଂଶ ବୋଲି ୨୦୦୬ ମସିହାରେ ଭାରତରେ ରହିଥିବା ଚୀନର ରାଷ୍ଟ୍ରଦୂତ କହିଥିଲେ[୧] ଓ ଏହା ଫଳରେ ସେଠାରେ ଉଭୟ ପକ୍ଷରୁ ନିୟୋଜିତ ସାମରିକ ବାହିନୀ ସଂଖ୍ୟାରେ ବୃଦ୍ଧି ଘଟିଲା ।[୨] ଅନେକ ସମୟରେ ଉଭୟ ଦେଶ ଭାରତର ସିକ୍କିମ୍ ରାଜ୍ୟର ଉତ୍ତରୀୟ ଅଞ୍ଚଳରେ ପ୍ରାୟ ୧ କି.ମି. ଭିତରକୁ ଅପରପକ୍ଷ ଅନୁପ୍ରବେଶ କରୁଥିବାର ଅଭିଯୋଗ କରିଆସିଛନ୍ତି ।[୩] ୨୦୦୯ ମସିହାରେ ଭାରତ ଏହାର ସୀମାରେଖାରେ ଅଧିକ ସୈନ୍ୟବଳ ନିୟୋଜିତ କରିବା ସମ୍ବନ୍ଧୀୟ ଘୋଷଣା କରିଥିଲା ।[୪] ୨୦୧୪ ମସିହାରେ “ଏକ ଭାରତ” ନୀତିର ଆଦର କରି ଚୀନ ଭାରତ ସହିତ ସମସ୍ତ ସୀମା ବିବାଦ ସମାଧାନ କରିବା ଉଚିତ୍ ବୋଲି ଭାରତ ପ୍ରସ୍ତାବ ରଖିଥିଲା । [୫][୬]

ପୃଷ୍ଠଭୂମି[ସମ୍ପାଦନା]

ଅକ୍ସାଇ ଚୀନ[ସମ୍ପାଦନା]

ଅକ୍ସାଇ ଚୀନ କ୍ଷେତ୍ରର ସର୍ବନିମ୍ନ ଅଂଶରେ କାରାକାଶ୍ ନଦୀ ପ୍ରବାହିତ ହେଉଛି ଓ ସମୁଦ୍ରପତନଠାରୁ ଏହି ସ୍ଥାନ ପ୍ରାୟ ୧୪୦୦୦ ଫୁଟ୍ (୪୩୦୦ ମିଟର୍) ଉଚ୍ଚତାରେ ଅବସ୍ଥିତ । ଅକ୍ସାଇ ଚୀନ କ୍ଷେତ୍ରର ସର୍ବୋଚ୍ଚ ଅଂଶ ସମୁଦ୍ରପତନଠାରୁ ପ୍ରାୟ ୨୨୦୦୦ ଫୁଟ୍ (୬୯୦୦ ମିଟର୍) ଉଚ୍ଚରେ ହିମାବୃତ୍ତ ଶୃଙ୍ଗଙ୍କ ମଧ୍ୟରେ ଅବସ୍ଥିତ । ଏହି ସମ୍ପୂର୍ଣ୍ଣ ଅଞ୍ଚଳ ଏକାକୀ ଓ ପ୍ରାୟତଃ ଜନବସତି ବିହୀନ । ସମ୍ପୂର୍ଣ୍ଣ ଅଞ୍ଚଳର କ୍ଷେତ୍ରଫଳ ପ୍ରାୟ ୩୭୨୪୪ ବର୍ଗ କିଲୋମିଟର୍ (୧୪୩୮୦ ବର୍ଗ ମାଇଲ୍) ହେବ । ଅକ୍ସାଇ ଚୀନ ଅଞ୍ଚଳରେ ଏପରି ଜନବସତି ଶୂନ୍ୟତା ଓ ନିଛାଟିଆ ହେବାର ପ୍ରମୁଖ କାରଣ ହେଲା ଏଠାକାର ଜଳବାୟୁ ବସବାସ ଦୃଷ୍ଟିରୁ ଅନୁପଯୋଗୀ, ତେଣୁ ମନୁଷ୍ୟଙ୍କଦ୍ୱାରା ପରିତ୍ୟକ୍ତ ।  କେବଳ ଏଠାକାର ଗିରିପଥ ଆଦିମକାଳରୁ ବାଣିଜ୍ୟପଥ ରୂପେ ଚିହ୍ନଟ କରାଯାଇଛି ଓ ଏବେ ମଧ୍ୟ ଗ୍ରୀଷ୍ମଋତୁରେ ୟାକ୍ ମାନଙ୍କଦ୍ୱାରା ଏହାର ଗିରିପଥର ଉପଯୋଗ କରି ଜିନ୍-ଜିଆଂଗ୍ ଓ ତିବ୍ୱତ୍ ମଧ୍ୟରେ ଯୋଗାଯୋଗ ସମ୍ପନ୍ନ ହୁଏ ।[୭] 

୧୮୪୨ ମସିହାରେ ପଶ୍ଚିମ ପ୍ରାନ୍ତର ସୀମା ନିର୍ଦ୍ଧାରଣ ପାଇଁ ଚୁକ୍ତି ହୋଇଥିବା ଜଣାପଡେ । ୧୮୩୪ ମସିହାରେ ଶିଖ୍ ସାମ୍ରାଜ୍ୟ ଲଦାଖ୍ ଅଞ୍ଚଳକୁ ଜାମ୍ମୁ ରାଜ୍ୟର ଅନ୍ତର୍ଭୁକ୍ତ କରିଥିଲା । ୧୮୪୧ ମସିହାରେ ସେମାନେ ତିବ୍ୱତ ଅକ୍ତିଆର କରିବା ଉଦ୍ଦେଶ୍ୟ ନେଇ ଆକ୍ରମଣ କରିଥିଲେ । ଚୀନର ସୈନ୍ୟବଳ ଶିଖ୍ ସେନାକୁ ପରାସ୍ତ କରି ଲଦାଖ୍ ଅଞ୍ଚଳରେ ପ୍ରବେଶ କଲେ ଓ ଲେହ ଅଧିକାର କରିନେଲେ । ସେଠାରେ ପୁଣି ଶିଖ୍ ସେନାର ପ୍ରତିରୋଧ ପରେ ଯୁଦ୍ଧର ଅବସାନ ହେଲା ଓ ୧୮୪୨ ମସିହା ସେପ୍ଟେମ୍ବରରେ ଚୀନୀ ଓ ଶିଖ୍ ସେନାଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହେଲା । ଏହି ଚୁକ୍ତିର ନିୟମ ଅନୁସାରେ ପରସ୍ପର କ୍ଷେତ୍ରରେ ଅନୁପ୍ରବେଶ କରିବାରୁ ବିରତ ରହିବେ ବୋଲି ଦୁଇ ପକ୍ଷ ରାଜି ହେଲେ ।[୮] ବ୍ରିଟିଶ୍ ସେନା ୧୮୪୬ ମସିହାରେ ଶିଖମାନଙ୍କୁ ପରାସ୍ତ କରି ଲଦାଖ୍ ଅଞ୍ଚଳ ନିଜ ଅକ୍ତିଆରକୁ ନେଇଥିଲେ । ଏହାପରେ ବ୍ରିଟିଶ୍ ସେନାଧ୍ୟକ୍ଷମାନେ ଚୀନୀ ସେନାମୁଖ୍ୟଙ୍କ ସହିତ ସୀମାରେଖା ନିରୂପଣ ସମ୍ବନ୍ଧରେ ଆଲୋଚନା କରିବାକୁ ଚେଷ୍ଟା କଲେ ।  କିନ୍ତୁ ଉଭୟ ପକ୍ଷ ପାରମ୍ପରିକ ଶୈଳୀରେ ରେଖା ନିର୍ଦ୍ଧାରଣ କଲେ, ନିଜ ନିଜ ପଟର ପ୍ରାକୃତିକ ସମ୍ବଳ ଚିହ୍ନଟ କଲେ, କିନ୍ତୁ କୌଣସି ଚିହ୍ନ ବା ବାଡଦ୍ୱାରା ସୀମାରେଖା ଚିହ୍ନିତ କଲେନାହିଁ । ଅକ୍ସାଇ ଚୀନ ଅଞ୍ଚଳର ଦୁଇ ପ୍ରାନ୍ତବିନ୍ଦୁ କାରାକୋରମ୍ ଗିରିପଥ ଓ ପାଂଗୋଂଗ୍ ହ୍ରଦଦ୍ୱାରା ଚିହ୍ନଟ ହୋଇଥାଏ ।  କିନ୍ତୁ ଏହି ଦୁଇ ପ୍ରନ୍ତ ମଧ୍ୟରେ ରହିଥିବା ସ୍ଥାନ ଚିହ୍ନଟ ହୋଇନଥିବାରୁ ସର୍ବଦା ବିବାଦୀୟ ହୋଇ ରହିଗଲା ।[୭][୯] 

ଜନ୍‍ସନ୍ ରେଖା[ସମ୍ପାଦନା]

୧୮୭୮ ସମୟର କେନ୍ଦ୍ରୀୟ ଏସିଆର ମାନଚିତ୍ରରେ ଖୋଟାନ୍ ଦର୍ଶିତ । ବ୍ରିଟିଶ୍ ଶାସକମାନଙ୍କଦ୍ୱାରା ଦାବୀ କରାଯାଉଥିବା ପୂର୍ବ ସୀମାରେଖାରେ ଶାହିଦୁଲ୍ଲା, କିଲିକ୍ ଓ ସାଞ୍ଜୁ ଗିରିପଥ ସୀମାର ଉତ୍ତରପଟେ ରହିଛନ୍ତି
ଏହି ମାନଚିତ୍ରରେ ଅକ୍ସାଇ ଚୀନ ଅଞ୍ଚଳରେ ଚୀନ ଓ ଭାରତଦ୍ୱାରା ଦାବୀ କରାଯାଉଥିବା କ୍ଷେତ୍ର,ମକାର୍ଟ୍‍ନେ-ମ୍ୟାକ୍‍ଡନାଲ୍ଡ୍ ରେଖା, ଭାରତ-ଚୀନ ଯୁଦ୍ଧ ପରେ ଚୀନ ନିୟନ୍ତ୍ରଣକୁ ଚାଲିଯାଇଥିବା ଅଞ୍ଚଳ ମଧ୍ୟ ଦର୍ଶିତ
ଏହି ମାନଚିତ୍ରରେ ଅକ୍ସାଇ ଚୀନ ଅଞ୍ଚଳରେ ଚୀନ ଓ ଭାରତଦ୍ୱାରା ଦାବୀ କରାଯାଉଥିବା କ୍ଷେତ୍ର,ମକାର୍ଟ୍‍ନେ-ମ୍ୟାକ୍‍ଡନାଲ୍ଡ୍ ରେଖା, ଭାରତ-ଚୀନ ଯୁଦ୍ଧ ପରେ ଚୀନ ନିୟନ୍ତ୍ରଣକୁ ଚାଲିଯାଇଥିବା ଅଞ୍ଚଳ ମଧ୍ୟ ଦର୍ଶିତ

୧୮୬୫ ମସିହାରେ ଭାରତୀୟ ସର୍ବେକ୍ଷଣ ସଂସ୍ଥାରେ କାର୍ଯ୍ୟରତ ଡବ୍ଲୁ. ଏଚ୍. ଜନ୍‍ସନ୍ ନାମକ ଜଣେ ପ୍ରଶାସନିକ ଅଧିକାରୀ “ଜନ୍‍ସନ୍ ରେଖା”ର ପ୍ରସ୍ତାବ ରଖିଲେ ଓ ଅକ୍ସାଇ ଚୀନ ଅଞ୍ଚଳକୁ ଜାମ୍ମୁ ଓ କାଶ୍ମୀରର ଅଂଶ ବୋଲି କହିଲେ । ଚୀନରେ ସେହି ସମୟରେ ଡୁଂଗାନ୍ ବିଦ୍ରୋହ ଚାଲିଥିବାରୁ ଚୀନ ଜିନ୍-ଜିଆଂଗ୍ ଅଞ୍ଚଳର ଅଧିକାରୀ ନଥିଲା ଓ ଚୀନ ସମ୍ମୁଖରେ ଜନସନ୍ ରେଖାର ସୀମାର ପ୍ରସ୍ତାବ ରଖାଯାଇ ନଥିଲା । ଜନ୍‍ସନ୍ ନିଜର ପ୍ରସ୍ତାବ ଜାମ୍ମୁ ଓ କାଶ୍ମୀରର ମହାରାଜାଙ୍କ ସମ୍ମୁଖରେ ରଖିଥିଲେ । ଜାମ୍ମୁ କାଶ୍ମୀରର ରାଜା ଅକ୍ସାଇ ଚୀନର ପ୍ରାୟ ୧୮୦୦୦ ବର୍ଗ କି.ମି. ଅଞ୍ଚଳ ତାଙ୍କର ଅଧୀନରେ ଥିବା କଥା କହିଲେ[୧୦] ଓ ଅନ୍ୟ କେତେକ ସୂତ୍ରାନୁସାରେ[ଆଧାର ଲୋଡ଼ା] ସେ ଉତ୍ତର ପଟରେ ରହିଥିବା  ସଂଜୁ ଗିରିପଥ ଓ କୁନ୍ ଲୁନ୍ ପର୍ଯ୍ୟନ୍ତ ବ୍ୟାପ୍ତ ଅଞ୍ଚଳ ତାଙ୍କ ଅଧୀନରେ ରହିଥିବା ମଧ୍ୟ କହିଥିଲେ । ଜନ୍‍ସନ୍ ରେଖାରେ ଅନେକ ଭୁଲ ତଥ୍ୟ ଥିବା ଦର୍ଶାଇ ଏହାର କଠୋର ସମାଲୋଚନା କରାଯାଇଥିଲା ।[୧୧] ତାଙ୍କୁ ବ୍ରିଟିଶ୍ ସରକାର ଭର୍ତ୍ସନା କରିବା ପରେ ସେ ଭାରତୀୟ ସର୍ବେକ୍ଷଣ ସଂସ୍ଥାରୁ ଇସ୍ତଫା ଦେଇଥିଲେ ।[୧୦][୧୨] ଜାମ୍ମୁ ଓ କାଶ୍ମୀରର ମହାରାଜା ଶାହିଦୁଲ୍ଲା ଦୁର୍ଗ ନିର୍ମାଣ କରିଥିଲେ ଓ ଏଥିରେ ରହିଥିବା ସୈନ୍ୟମାନେ ବାଣିଜ୍ୟ ଓ ଗମନାଗମନପାଇଁ ଉଦ୍ଦିଷ୍ଟ ଗାଡିକୁ ସୁରକ୍ଷା ପ୍ରଦାନ କରୁଥିଲେ । ବର୍ତ୍ତମାନ ସମୟରେ ଏହି ଦୁର୍ଗ ଜାଇଦୁଲ୍ଲା ଦୁର୍ଗ ଭାବରେ ପରିଚିତ । ସମୟକ୍ରମେ ସମସ୍ତ ସୂତ୍ର ଶାହିଦୁଲ୍ଲା ଓ କାରାକାଶ୍ ନଦୀର ଉତ୍ତରାଞ୍ଚଳ ଜିନ୍‍ଜିଆଂଗ୍‍ର କ୍ଷେତ୍ରଭାବେ ଚିହ୍ନଟ କଲେ । ୧୮୮୦ ଦଶକର ଶେଷ ଭାଗରେ ଏହି ଅଞ୍ଚଳର ସର୍ବେକ୍ଷକ ଥିବା ଫ୍ରାଂସିସ୍ ୟଂଗ୍‍ହଜ୍‍ବ୍ୟାଣ୍ଡଙ୍କ ମତାନୁସାରେ ସେହି ଅଞ୍ଚଳରେ କେବଳ ଏକ ପରିତ୍ୟକ୍ତ ଦୁର୍ଗ ରହିଥିଲା ଓ ସେ ଯାଇଥିବା ସମୟରେ ଶାହିଦୁଲ୍ଲାର କୌଣସି ଘରେ ଜନବସତି ନଥିଲା ।  ଏହା ଯାଯାବର କିର୍‍ଗିଜ୍‍ମାନଙ୍କ ଆଶ୍ରୟସ୍ଥଳୀ ପାଲଟି ଯାଇଥିଲା ।[୧୩] ପରବର୍ତ୍ତୀ ସମୟରେ ଡୋଗ୍‍ରା ମାନଙ୍କଦ୍ୱାରା ଏହି ପରିତ୍ୟକ୍ତ ଦୁର୍ଗର ପୁନରୁତ୍ଥାନ ହେଲା ।[୧୪] ୧୮୪୮ ମସିହାବେଳକୁ ଚୀନୀ ସେନା ଜିନ୍‍ଜିଆଂଗ୍ ଅଞ୍ଚଳ ନିଜ ଅକ୍ତିଆରକୁ ଆଣିସାରିଥିଲା । ୧୮୯୦ ମସିହା ସମୟ ବେଳକୁ କୌଣସି ଆଲୋଚନା ବିନା ଚୀନୀ ସେନା ଶାହିଦୁଲ୍ଲା ଅକ୍ତିଆର କରିନେଲା । ୧୮୯୨ ବେଳକୁ ଚୀନ କାରାକୋରମ୍ ଗିରିପଥ ନିକଟରେ ଏକ ପାଚେରୀ ବା ଅନ୍ୟ ଚିହ୍ନଦ୍ୱାରା ଏଠାକାର ସୀମାରେଖା ଚିହ୍ନଟ କରିଛନ୍ତି । 

୧୮୯୭ ମସିହାରେ ସାର୍ ଜନ୍ ଆର୍ଦାଘ୍ ନାମକ ଜଣେ ବ୍ରିଟିଶ୍ ସୈନିକ ୟାର୍କଣ୍ଡ୍ ନଦୀର ଉତ୍ତର ପାର୍ଶ୍ୱରେ ରହିଥିବା କୁନ୍‍ଲୁନ୍ ପର୍ବତର ଉପତ୍ୟକାକୁ ସୀମାରେଖା ଭାବେ ଗ୍ରହଣ କରିବାର ପ୍ରସ୍ତାବ ଦେଇଥିଲେ ।[୧୫] ସେହି ସମୟରେ ବ୍ରିଟିଶ୍‍ମାନେ କେବଳ ଚୀନ ଦୁର୍ବଳ ହୋଇଗଲେ ଋଷ୍‍ର ଚୀନ ମଧ୍ୟକୁ ସଂପ୍ରସାରଣ ହେବାର ବିପଦପ୍ରତି ସଜାଗ ରହିଥିଲେ । ତାଙ୍କ ଦର୍ଶିତ ସୀମାରେଖା ଏହି ବିପଦର ମୁକାବିଲା କରିବାପାଇଁ ସହାୟକ ହେବ ବୋଲି ଆର୍ଦାଘ୍‍ ଯୁକ୍ତି ବାଢିଥିଲେ । ଆର୍ଦାଘ୍ ରେଖା ଜନ୍‍ସନ୍ ରେଖାର ଅନୁରୂପ ଥିଲା ଓ ପରବର୍ତ୍ତୀ ସମୟରେ ଏହା “ଆର୍ଦାଘ୍-ଜନ୍‍ସନ୍ ରେଖା” ନାମରେ ବିଦିତ ହେଲା । 

ମକାର୍ଟ୍‍ନେ-ମ୍ୟାକ୍‍ଡନାଲ୍ଡ୍ ରେଖା[ସମ୍ପାଦନା]

୧୮୯୩ ମସିହାରେ ହୁଂଗ୍ ତା-ଚେନ୍‍ଙ୍କ ପ୍ରଦତ୍ତ ମାନଚିତ୍ର । ସୀମା ଦର୍ପଶାଉଥିବା ତଳା ବିଖଣ୍ଡିତ ରେଖା ଜନ୍‍ସନ୍ ରେଖା ସହିତ ପ୍ରାୟ ସମାନ

ସେଣ୍ଟ୍ ପିଟର୍‍ସ୍‍ବର୍ଗ୍‍ରେ କାର୍ଯ୍ୟରତ ଚୀନୀ ଅଧିକାରୀ ହୁଂଗ୍ ତା-ଚେନ୍ ୧୮୯୩ ମସିହାରେ କାଶ୍‍ଗାର୍‍ର ବ୍ରିଟିଶ୍ କନ୍‍ସୁଲ୍ ଜେନେରାଲ୍ ଜର୍ଜ୍ ମକାର୍ଟ୍‍ନେଙ୍କୁ ଅକ୍ସାଇ ଚୀନ ଇଲାକାର କେତୋଟି ମାନଚିତ୍ର ପ୍ରଦାନ କରିଥିଲେ । ମକାର୍ଟ୍‍ନେଙ୍କ ପ୍ରସ୍ତାବର ଅନୁଶୀଳନ କରି ଭାରତର ତତ୍କାଳୀନ ଗଭର୍ଣ୍ଣର୍ ଜେନେରାଲ୍ ଲର୍ଡ୍ ଏଲ୍‍ଗିନ୍ ଏକ ନୂତନ ମାନଚିତ୍ର ଓ ସୀମାରେଖା ନିରୂପଣ କଲେ ଏବଂ ୧୮୯୯ ମସିହାରେ ବ୍ରିଟେନ୍ ଏକ ନୂଆ ଓ ପରିବର୍ତ୍ତିତ ସୀମାରେଖାର ପ୍ରସ୍ତାବ ରଖିଲା । ଏହି ନୂଆ ମାନଚିତ୍ର ଓ ସୀମାରେଖା ଅନୁସାରେ ଲକ୍ତ୍‍ସାଂଗ୍ ପର୍ବତର ଦକ୍ଷିଣ ପାର୍ଶ୍ୱରେ ଥିବା ଲିଂଗ୍‍ଜି ତାଂଗ୍ ସମତଳଭୂମି ଭାରତୀୟ ସୀମାରେ ଓ ଲକ୍ତ୍‍ସାଂଗ୍ ପର୍ବତର ଉତ୍ତର ପାର୍ଶ୍ୱରେ ଥିବା ଅକ୍ସାଇ ଚୀନ ଅଞ୍ଚଳ ଚୀନ ଅଧୀନସ୍ଥ ବୋଲି କୁହାଗଲା । କାରାକୋରମ୍ ପର୍ବତମାଳା ଧାରରେ ଥିବା ଏହି ନୂଆ ସୀମାରେଖାଦ୍ୱାରା ବ୍ରିଟିଶ୍‍ମାନଙ୍କ ସ୍ୱାର୍ଥ ସାଧିତ ହେଉଥିଲା । କାରାକୋରମ୍ ପର୍ବତ ଏକ ପ୍ରାକୃତିକ ସୀମାରେଖା ସଦୃଶ ଓ ନୂଆ ସୀମାରେଖା ଯୋଗୁଁ ବ୍ରିଟିଶ୍‍ମାନଙ୍କଦ୍ୱାରା ସିନ୍ଧୁ ନଦୀର ଉପତ୍ୟକା ଓ ଚୀନ‍ର ସୈନିକମାନଙ୍କଦ୍ୱାରା ତରିମ୍ ନଦୀର ଉପତ୍ୟକା ନିୟନ୍ତ୍ରିତ ହୋଇପାରିବ ଏବଂ ଯଦି ମଧ୍ୟ ଏସିଆ ପଟରୁ ଋଷ୍‍ ଆକ୍ରମଣ କରେ ତେବେ ତାହାର କଡା ଜବାବ ଦିଆଯାଇପାରିବ । ବ୍ରିଟିଶ୍‍ମାନେ ଏହାକୁ “ମକାର୍ଟ୍‍ନେ-ମ୍ୟାକ୍‍ଡନାଲ୍ଡ୍ ରେଖା” ନାମରେ ଅଭିହିତ କରି ୧୮୯୯ ମସିହାରେ ସାର୍ କ୍ଲଡେ ମ୍ୟାକ୍‍ଡନାଲ୍ଡ୍‍ଙ୍କ ଲିଖିତ ଏକ ଚିଠି ସହିତ ଚୀନ‍ର ଅଧିକାରୀଙ୍କ ନିକଟକୁ ପଠାଇଲେ । ସେତେବେଳେ ଚୀନ‍ର ଶାସନ କରୁଥିବା ଚିଂଗ୍ ସରକାର କୌଣସି ପ୍ରତ୍ୟୁତ୍ତର ଦେଲାନାହିଁ । “ମୌନଂ ସମ୍ମତି ଲକ୍ଷଣମ୍” ନୀତିରେ ବ୍ରିଟିଶ୍‍ମାନେ ଏହାକୁ ଚୀନ‍ର ସ୍ୱୀକୃତିଭାବେ ଗ୍ରହଣ କଲେ । ଯଦିଓ ଏହି ସମୟରେ କୌଣସି ନିର୍ଦ୍ଦିଷ୍ଟ ସୀମାରେଖା ଚିହ୍ନଟ କରାଯାଇନଥିଲା ଚୀନ ଏଯାବତ୍ ଏହାକୁ ସର୍ବସମ୍ମତ ସୀମାରେଖା ବୋଲି କହିଆସୁଛି । 

୧୮୯୯ରୁ ୧୯୪୭ ମଧ୍ୟରେ ବିବାଦ[ସମ୍ପାଦନା]

ଉଭୟ ଆର୍ଦାଘ୍-ଜନ୍‍ସନ୍ ରେଖା ଓ ମକାର୍ଟ୍‍ନେ-ମ୍ୟାକ୍‍ଡନାଲ୍ଡ୍ ରେଖା ବ୍ରିଟେନ୍ଦ୍ୱାରା ପ୍ରସ୍ତୁତ ଓ ମୁଦ୍ରିତ ଭାରତ ମାନଚିତ୍ରରେ ଅଙ୍କିତ ହେଉଥିଲା । ୧୯୦୮ ମସିହାରେ ବ୍ରିଟିଶ୍‍ମାନେ ମକାର୍ଟ୍‍ନେ-ମ୍ୟାକ୍‍ଡନାଲ୍ଡ୍ ରେଖାକୁ ପ୍ରକୃତ ସୀମାରେଖା ବୋଲି ସ୍ୱୀକୃତି ଦେଲେ । ୧୯୧୧ ମସିହା ବେଳକୁ ଚୀନରେ ଜିନ୍‍ହାଇ ବିପ୍ଳବ ମୁଣ୍ଡ ଟେକିଲା ଓ ଚୀନର କେନ୍ଦ୍ରୀୟ ସରକାର ଭୁଷୁଡି ପଡିଥିଲା । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ୍‍ମାନେ ସରକାରୀ ମାନଚିତ୍ରରେ ଜନ୍‍ସନ୍ ରେଖାକୁ ପ୍ରକୃତ ନିୟନ୍ତ୍ରଣରେଖା ବୋଲି କହିବା ଆରମ୍ଭ କଲେ । କିନ୍ତୁ ବ୍ରିଟିଶ୍‍ମାନଙ୍କ ତରଫରୁ ଜନ୍‍ସନ୍ ରେଖା ଉପରେ କୌଣସି ଛାଉଣୀ ବା ଶିବିର ଗଠନ କରାଗଲା ନାହିଁ । ୧୯୨୭ ମସିହା ବେଳକୁ ନିଜର ସୁବିଧାନୁସାରେ ବ୍ରିଟିଶ୍ ସେନା ପୁଣି କାରାକୋରମ୍ ପର୍ବତର ଦକ୍ଷିଣ ପଟକୁ ଚାଲିଯାଇଥିଲେ । ତଥାପି ମାନଚିତ୍ରରେ ଜନ୍‍ସନ୍ ରେଖାକୁ ପ୍ରକୃତ ନିୟନ୍ତ୍ରଣ ରେଖାଭାବେ ପ୍ରଦର୍ଶିତ କରାଯାଉଥିଲା ଓ ଏହାର ପରିବର୍ତ୍ତନ କରାଗଲା ନାହିଁ ।  

୧୯୧୭ ମସିହାରୁ ୧୯୩୩ ମସିହା ପର୍ଯ୍ୟନ୍ତ ଚୀନ ସରକାରଙ୍କଦ୍ୱାରା ପେକିଂରେ ପ୍ରକାଶିତ “ପୋଷ୍ଟାଲ୍ ଏଟ୍‍ଲାସ୍ ଅଫ୍ ଚାଇନା”ରେ ଜନ୍‍ସନ୍ ରେଖାକୁ (ଯହାକି କୁନ୍‍ଲୁନ୍ ପର୍ବତର ଧାରରେ ଅକ୍ସାଇ ଚୀନର ସୀମା ନିର୍ଦ୍ଧାରଣ କରେ) ପ୍ରକୃତ ନିୟନ୍ତ୍ରଣ ରେଖା ବୋଲି କୁହାଗଲା । “ପେକିଂ ବିଶ୍ୱବିଦ୍ୟାଳୟ ଏଟ୍‍ଲାସ୍‍”ରେ ମଧ୍ୟ ଅକ୍ସାଇ ଚୀନ ଭାରତର ଅଂଶ ବୋଲି ଦର୍ଶାଯାଇଥିଲା । ୧୯୪୦-୧୯୪୧ ମସିହା ବେଳକୁ ଋଷ୍‍ର ଅଧିକାରୀମାନେ ଜିନ୍‍ଜିଆଂଗ୍‍ର ଜଣେ ବିପ୍ଳବୀ ସର୍ଦ୍ଦାର ଶେଂଗ୍ ଶିକାଇଙ୍କ ପାଇଁ ଅକ୍ସାଇ ଚୀନ ଅଞ୍ଚଳର ସର୍ବେକ୍ଷଣ ଆରମ୍ଭ କଲେ । ବ୍ରିଟିଶ୍‍ମାନଙ୍କୁ ଏହି ଖବର ମିଳିବା ପରେ ସେମାନେ ଜନ୍‍ସନ୍ ରେଖାକୁ ପ୍ରକୃତ ନିୟନ୍ତ୍ରଣ ରେଖା ବୋଲି କହିଲେ । କିନ୍ତୁ ତେବେମଧ୍ୟ ବ୍ରିଟିଶ୍ ସେନା ଅକ୍ସାଇ ଚୀନର ସୀମାରେଖା ପାର୍ଶ୍ୱରେ କୌଣସି ଛାଉଣୀ ଗଠନ କଲେ ନାହିଁ ବା ଚୀନ ଓ ତିବ୍ୱତର ସରକାରଙ୍କ ସହିତ ଏହି ସୀମା ନିର୍ଦ୍ଧାରଣ ବିଷୟରେ କୌଣସି ଆଲୋଚନା କଲେନାହିଁ । ଭାରତର ସ୍ୱାଧୀନତା ପର୍ଯ୍ୟନ୍ତ ଏହି ସୀମାରେଖା ଅନିର୍ଦ୍ଦିଷ୍ଟ ହୋଇ ରହିଥିଲା । 

୧୯୪୭ ପରବର୍ତ୍ତୀ ସମୟରେ ବିବାଦ[ସମ୍ପାଦନା]

୧୯୪୭ ମସିହାରେ ବ୍ରିଟିଶ୍ ଅଧୀନରୁ ଭାରତ ସ୍ୱାଧୀନ ହେଲା । ସ୍ୱାଧୀନ ଭାରତର ସରକାର ପୂର୍ବରୁ ବ୍ୟବହୃତ ଜନ୍‍ସନ୍‍ ରେଖାକୁ ନିୟନ୍ତ୍ରଣ ରେଖା ଭାବେ ବିବେଚିତ କରି ଓ ପଶ୍ଚିମ ପଟରେ ଅକ୍ସାଇ ଚୀନ‍କୁ ଭାରତର ଅଂଶ ବୋଲି ଅଭିହିତ କଲେ । ଅକ୍ସାଇ ଚୀନ‍ର ଉତ୍ତରାଂଶରେ ଥିବା ଶାହିଦୁଲ୍ଲା ଓ ଖୋଟାନ୍ ଉପରେ କିନ୍ତୁ ଭାରତ ସରକାର କୌଣସି ଦାବୀ ଉପସ୍ଥାପନ କଲେନାହିଁ । ଏହି ସବୁ ଅଞ୍ଚଳକୁ ଭାରତର ସୀମା ମଧ୍ୟରେ ଦର୍ଶାଇଥିବାରୁ ଜନ୍‍ସନ୍‍ଙ୍କୁ କଠୋର ସମାଲୋଚନାର ଶିକାର ହେବାକୁ ପଡିଥିଲା । ଭାରତ ଦାବୀ କରୁଥିବା ସୀମାରେଖା ନିର୍ବିବାଦୀୟ କାରାକୋରମ୍ ଗିରିପଥରୁ କାରାକୋରମ୍ ପର୍ବତର ଉତ୍ତର-ପୂର୍ବ ପଟ (ଅକ୍ସାଇ ଚୀନ‍ର ଲବଣାକ୍ତ ସମୋଚ୍ଚଭୂମିର ଉତ୍ତରାଂଶ) ପର୍ଯ୍ୟନ୍ତ, ତା’ପରେ କୁନ୍‍ଲୁନ୍ ପର୍ବତକୁ ସୀମାରେଖା ଭାବେ ଗ୍ରହଣ କରି କାରାକାଶ୍ ନଦୀ ଓ ୟାରକଣ୍ଡ୍ ନଦୀ ନିକଟବର୍ତ୍ତୀ କେତେକ ଅଂଶ ଅତିକ୍ରମ କଲାପରେ ଦକ୍ଷିଣ-ପୂର୍ବ ପଟକୁ ବୁଲି ଅକ୍ସାଇ ଚୀନ, କାରାକୋରମ୍ ପର୍ବତ ଦେଇ ପାଂଗୋଂଗ୍ ତ୍ସୋ ପର୍ଯ୍ୟନ୍ତ ରହିଛି । 

୧୯୫୪ ମସିହା ଜୁଲାଇ ୧ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ଭାରତର ମାନଚିତ୍ର ଗୁଡିକରେ ସବୁ ପଟରୁ ପ୍ରକୃତ ନିୟନ୍ତ୍ରଣ ରେଖା ଦର୍ଶାଇବା ପାଇଁ ଏକ ନିର୍ଦ୍ଦେଶନାମା ଲେଖିଥିଲେ । ସେହି ସମୟ ପର୍ଯ୍ୟନ୍ତ ଜନ୍‍ସନ୍‍ ରେଖାରେ ଅନ୍ତର୍ଭୁକ୍ତ ଅକ୍ସାଇ ଚୀନ ଅଞ୍ଚଳକୁ ବାଡ ପକାଇ ବା ଅନ୍ୟ କୌଣସି ଉପାୟରେ ଚିହ୍ନଟ କରାଯାଇନଥିଲା ।

ଟ୍ରାନ୍ସ୍-କାରାକୋରମ୍ ଟ୍ରାକ୍ଟ୍[ସମ୍ପାଦନା]

କାରାକୋରମ୍ ଗିରିପଥର ପଶ୍ଚିମ ପଟ କ୍ଷେତ୍ର ଗିଲ୍‍ଗିଟ୍-ବାଲ୍‍ଟିସ୍ଥାନ ନାମରେ ଜଣାଶୁଣା ଓ ଏହାକୁ ପାକିସ୍ଥାନ ନିୟନ୍ତ୍ରଣ କରେ । ଏହି ଅଞ୍ଚଳ ପର୍ଯ୍ୟନ୍ତ ଜନ୍‍ସନ୍ ରେଖା ଯାଇନାହିଁ ଓ ବର୍ତ୍ତମାନ ଏହି ଅଞ୍ଚଳର ସୀମାର ଅପରପାର୍ଶ୍ୱରେ ଚୀନ ଅବସ୍ଥିତ । ୧୯୬୨ ମସିହା ଅକ୍ଟୋବର୍ ୧୩ ତାରିଖରେ କାରାକୋରମ୍‍ର ପଶ୍ଚିମ ପାର୍ଶ୍ୱରେ ସୀମା ନିର୍ଦ୍ଧାରଣ କରିବା ପାଇଁ ଚୀନ ଓ ପାକିସ୍ଥାନ ମଧ୍ୟରେ ଆଲୋଚନା ଆରମ୍ଭ ହେଲା । ୧୯୬୩ ମସିହାରେ ଦୁଇ ଦେଶ ମକାର୍ଟ୍‍ନେ-ମ୍ୟାକ୍‍ଡନାଲ୍ଡ୍ ରେଖାକୁ ଭିତ୍ତି କରି ସୀମାରେଖା ନିର୍ଦ୍ଧାରଣ କଲେ । ଏହା ଫଳରେ ଟ୍ରାନ୍ସ୍ କାରାକୋରମ୍ ଟ୍ରାକ୍ଟ୍ (Trans Karakoram Tract) ୫୮୦୦ ବର୍ଗ କି.ମି. / ୫୧୮୦ ବର୍ଗ କି.ମି. ଚୀନ‍ର ଅଂଶ ଭାବେ ପରିଗଣିତ ହେଲା । କାଶ୍ମୀର୍ ବିବାଦର ସମାଧାନ ହେଲେ ଏହି ଅଞ୍ଚଳ ସମ୍ପର୍କରେ ପୁଣି ଆଲୋଚନା ହେବ ବୋଲି ସ୍ଥିର ହେଲା । ଏଥିରେ କିନ୍ତୁ ଭାରତର ସହମତି ନଥିଲା । ଭାରତର ଯୁକ୍ତି ଅନୁସାରେ ପାକିସ୍ଥାନ ଓ ଚୀନ‍ର ସୀମା ସଂଲଗ୍ନ ନୁହେଁ । ପାକିସ୍ଥାନ ସହ ଆଲୋଚନା ପରେ ଚୀନ ଯେଉଁ ଟ୍ରାନ୍ସ୍ କାରାକୋରମ୍ ଟ୍ରାକ୍ଟ୍ ଅଧିକାର କରିଛି ତାହା ୧୯୪୭ ପୂର୍ବର ପରାଧୀନ ଭାରତର ଜାମ୍ମୁ ଓ କାଶ୍ମୀର୍ ରାଜ୍ୟର ଅଂଶ । ଭାରତ କିନ୍ତୁ ଏହାର ଆହୁରି ଉତ୍ତରରେ ଥିବା ଜନ୍‍ସନ୍ ରେଖା ପର୍ଯ୍ୟନ୍ତ ଅଞ୍ଚଳ ଉପରେ ଅଧିକାର ଦାବୀ କରିନାହିଁ । ଏହି ଅଞ୍ଚଳରେ ଚୀନ ଓ ଭାରତ ମଧ୍ୟରେ ଏଯାବତ୍ ସୀମା ବିବାଦ ଲାଗି ରହିଛି । 

ମ୍ୟାକ୍‍-ମୋହନ ରେଖା[ସମ୍ପାଦନା]

ପ୍ରଥମ ଈଂରାଜୀ-ବ୍ରହ୍ମଦେଶୀ ଯୁଦ୍ଧ ୧୮୨୪ ମସିହାରୁ ୧୮୨୬ ମସିହା ପର୍ଯ୍ୟନ୍ତ ଚାଲିଥିଲା । ୧୮୨୬ ମସିହାରେ ୟାନ୍ଦାବୋ ଚୁକ୍ତି ପରେ ଆସାମ ବ୍ରିଟିଶ୍ ଭାରତରେ ମିଶିଲା । ତେଣୁ ବ୍ରିଟିଶ୍ ଶାସନାଧୀନ ଭାରତ ଓ ଚୀନ ପୁଣି ପଡୋଶୀଭାବେ ସୀମାରେଖାର ଦୁଇ ପାର୍ଶ୍ୱରେ ଉଭା ହେଲେ । ପରବର୍ତ୍ତୀ ଈଂରାଜୀ-ବ୍ରହ୍ମଦେଶୀ ଯୁଦ୍ଧମାନଙ୍କରେ ବିଜୟଲାଭ କରି ବ୍ରିଟିଶ୍‍ମାନେ ପୂର୍ବ ଦିଗରେ ଭୂମି ଅକ୍ତିଆର କରି ଚାଲିଲେ ଓ ବ୍ରହ୍ମଦେଶ ସୀମା ପାଖରେ ପହଞ୍ଚିଗଲେ । ଏହି କାରଣରୁ ଭାରତ ଓ ଚୀନ ମଧ୍ୟରେ ଥିବା ସୀମାରେଖା ଆହୁରି ବଢିଗଲା ।

୧୯୧୩-୧୪ ମସିହାରେ ବ୍ରିଟେନ୍, ଚୀନ ଓ ତିବ୍ୱତ୍‍ର ପ୍ରତିନିଧିମାନେ ଭାରତର ସିମଳାଠାରେ ଏକ ବୈଠକରେ ଯୋଗଦେଇ ତିବ୍ୱତ୍‍ର ଅବସ୍ଥା ଓ ରାଷ୍ଟ୍ରୀୟ ସୀମା ସମ୍ପର୍କରେ ସହମତି ପାଇଁ ଚେଷ୍ଟା କରାଗଲା । ତିବ୍ୱତ୍ ଓ ଭାରତ ମଧ୍ୟବର୍ତ୍ତୀ ସୀମା ଚିହ୍ନଟ କରି ବ୍ରିଟିଶ୍ ପ୍ରତିନିଧି ହେନେରି ମ୍ୟାକ୍-ମୋହନ ଏହି ଚୁକ୍ତିପତ୍ର ସହିତ ଏକ ମାନଚିତ୍ର ସଂଲଗ୍ନ କଲେ । ଏହି ରେଖା ମ୍ୟାକ୍-ମୋହନ ରେଖା ଭାବେ ପରିଚିତ । ବୈଠକରେ ସମସ୍ତ ପ୍ରତିନିଧି ଏଥିରେ ସହମତ ହେଲେ କିନ୍ତୁ କିଛିଦିନ ପରେ ବେଜିଂ ଏହି ଭାରତ-ଚୀନ ସୀମାକୁ ଅମାନ୍ୟ କଲା ଓ ବିସ୍ତୃତ ମାନଚିତ୍ର ଓ ଚୁକ୍ତିପତ୍ରରେ ସ୍ୱାକ୍ଷର କଲାନାହିଁ । ସ୍ୱାକ୍ଷର ନକଲେ ଏହି ଚୁକ୍ତିରେ ରଖାଯାଇଥିବା ଅନ୍ୟାନ୍ୟ ସୁବିଧାରୁ ଚୀନ ବଞ୍ଚିତ ହେବ ବୋଲି ଘୋଷଣା କରି ବ୍ରିଟିଶ୍ ଓ ତିବ୍ୱତୀୟ ପ୍ରତିନିଧିମାନେ ଚୀନ‍ର ଅନୁପସ୍ଥିତି ସତ୍ତ୍ୱେ ସିମଳା ଚୁକ୍ତିରେ ସ୍ୱାକ୍ଷର କଲେ । ନେଭିଲ୍ ମ୍ୟାକ୍ସୱେଲ୍‍ଙ୍କ ମତରେ ଚୀନ ସ୍ୱାକ୍ଷର ନ କଲେ ତିବ୍ୱତ୍ ସହିତ ଦ୍ୱିପାକ୍ଷିକ ଭାବେ ସ୍ୱାକ୍ଷର କରାଯିବ ନାହିଁ ବୋଲି ମ୍ୟାକ୍-ମୋହନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ସେ ଏହି ଆଦେଶ ମାନିନଥିଲେ ଓ ଏହାର ଘୋଷଣାନାମାକୁ ଲୁଚାଇ ରଖାଗଲା ।

ଭି. କେ. ସିଂହ ଯୁକ୍ତି ବାଢନ୍ତି ଯେ ହିମାଳୟ ପର୍ବତଶ୍ରେଣୀ ଭାରତର ଉତ୍ତର ସୀମା ଓ ସେଠାରୁ ଦକ୍ଷିଣରେ ଥିବା ଭୂଖଣ୍ଡ ଭାରତ ଭାବେ ପରିଚିତ ବୋଲି ଭାରତର ପ୍ରାଚୀନ ଇତିହାସରେ ଉଲ୍ଲେଖ ଅଛି, ସାହିତ୍ୟ ଓ ସଂସ୍କୃତିରେ ମଧ୍ୟ ଏହାର ପ୍ରମାଣ ମିଳେ । ଏହି ସବୁ ତଥ୍ୟକୁ ଆଧାର କରି ବ୍ରିଟିଶ୍ ଭାରତ ଓ ତିବ୍ୱତ୍ ମଧ୍ୟରେ ସୀମା ନିରୂପଣ କରାଯାଇଥିଲା । ହିମାଳୟର ଉଚ୍ଚଭୂମିର ଜଳବିଭାଜକରୁ ଉତ୍ତର ପଟ ପଡୋଶୀଙ୍କ ଅଞ୍ଚଳ ବୋଲି ପ୍ରସ୍ତାବ ରଖାଗଲା । ବ୍ରିଟିଶ୍ ଭାରତ ଏବଂ ସ୍ୱାଧୀନ ଭାରତର ସରକାରମାନେ ହିମାଳୟ ଭାରତର ଅଭିନ୍ନ ଅଂଗ ଓ ଏହା ଉତ୍ତର ଭାରତର ପ୍ରକୃତ ସୀମାରେଖା ବୋଲି ମତ ରଖିଆସୁଛନ୍ତି ।

ଚୀନ ତରଫରୁ ସୀମାରେଖା ନିର୍ଣ୍ଣୟ କରୁଥିବା ସଂସ୍ଥା ୱାଲୋଂଗ୍ ଏହାର ଅଞ୍ଚଳ ବୋଲି ୧୯୧୪ ମସିହା ପର୍ଯ୍ୟନ୍ତ ଦାବୀ କରି ଆସୁଥିଲା । ଟି. ଓ’କାଲାଘାନ୍ ସେ ସମୟରେ ଉତ୍ତର-ପୂର୍ବ ଫ୍ରଣ୍ଟିୟର୍ ଏଜେନ୍ସିରେ ଜଣେ ସହ-ତତ୍ତ୍ୱାବଧାରକ ଥିଲେ । ଓ’କାଲାଘାନ୍ ଚୀନ ସୈନିକଙ୍କୁ ମ୍ୟାକ୍-ମୋହନ ରେଖା ଦିଗରେ ଆଉ ଏକ ସ୍ଥାନକୁ ସ୍ଥାନାନ୍ତରିତ କରାଇବାରେ ସଫଳ ହୋଇଥିଲେ (ତଥାପି ଏହି ସ୍ଥାନଟି ମ୍ୟାକ୍-ମୋହନ ରେଖାରୁ ଯଥେଷ୍ଟ ଦକ୍ଷିଣକୁ ରହିଥିଲା) । ତାହାପରେ ସେ ରିମା ନାମକ ସ୍ଥାନକୁ ଯାଇ ତିବ୍ୱତ୍ ଅଧିକାରୀଙ୍କ ସହିତ ସାକ୍ଷାତ କରିଥିଲେ ଓ ଏଠାରେ ଚୀନ‍ର କୌଣସି ପ୍ରଭାବ ବିସ୍ତାର ଦେଖିବାକୁ ପାଇନଥିଲେ ।

ତିବ୍ୱତ୍ ସହ ସିମଳା ଚୁକ୍ତି ସ୍ୱାକ୍ଷର କରିବାଦ୍ୱାରା ବ୍ରିଟେନ୍ ଋଷ୍ ସହିତ ପୂର୍ବରୁ କରିଥିବା ୧୯୦୭ ମସିହାର ଈଂରାଜୀ-ଋଷୀୟ ଚୁକ୍ତିନାମାକୁ ଉଲ୍ଲଂଘନ କଲା । ୧୯୦୭ରେ ଋଷ୍ ଓ ବ୍ରିଟେନ୍ “ଚୀନ‍ର ମଧ୍ୟସ୍ଥତା ବିନା ତିବ୍ୱତ୍ ସହ କୌଣସି ଚୁକ୍ତି ନକରିବା” ପାଇଁ ଏକମତ ହୋଇଥିଲେ । ୧୯୦୬ ମସିହାରେ ହୋଇଥିବା ଈଂରାଜୀ-ଚୀନୀ ଚୁକ୍ତିନାମା ଅନୁସାରେ ମଧ୍ୟ ଈଂରାଜୀ ଶାସକ ତିବ୍ୱତ୍‍କୁ ନିଜ ସାମ୍ରାଜ୍ୟରେ ମିଶାଇ ପାରିବେ ନାହିଁ ବୋଲି ସର୍ତ୍ତ ରହିଥିଲା ଯାହା ବ୍ରିଟେନ୍ ଉଲ୍ଲଂଘନ କଲା । ଏହି ସବୁ କାରଣରୁ ମ୍ୟାକ୍-ମୋହନ ରେଖାର ବୈଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ ଭାବି ୧୯୩୭ ମସିହା ପର୍ଯ୍ୟନ୍ତ ବ୍ରିଟିଶ୍‍ମାନେ ନିଜ ମାନଚିତ୍ରରେ ମ୍ୟାକ୍-ମୋହନ ରେଖା ଦର୍ଶାଇ ନଥିଲେ ଓ ସିମଳା ଚୁକ୍ତିନାମାର ସର୍ତ୍ତାବଳୀକୁ ୧୯୩୮ ମସିହା ପର୍ଯ୍ୟନ୍ତ ପ୍ରକାଶିତ କରିନଥିଲେ । ୧୯୧୩ରେ ତିବ୍ୱତ୍‍ର ସ୍ୱାଧୀନତା ଘୋଷଣାକୁ ଚୀନ ପ୍ରତ୍ୟାଖ୍ୟାନ କରିଥିଲା । ଚୀନ ମତ ରଖିଲା ଯେ ସିମଳା ଚୁକ୍ତି ଓ ମ୍ୟାକ୍-ମୋହନ ରେଖା ଅବୈଧ, ତା’ଛଡା ତିବ୍ୱତ୍‍ର ସରକାର ଏକ ସ୍ଥାନୀୟ ସରକାର ଓ ଏହାର ଚୁକ୍ତି ସ୍ୱାକ୍ଷର କରିପାରିବାର କ୍ଷମତା ନାହିଁ । ୧୯୪୭ ମସିହାରେ ମ୍ୟାକ୍-ମୋହନ ରେଖାର ଦକ୍ଷିଣରେ ଅବସ୍ଥିତ ତୱାଂଗ୍ ସହରରେ ତିବ୍ୱତ୍‍ ଓ ଭାରତ ମଧ୍ୟରେ ସୀମା ଓ ନିୟନ୍ତ୍ରଣ କ୍ଷେତ୍ରକୁ ନେଇ ଆପୋଷ ଆଲୋଚନା ହୋଇଥିଲା । ତିବ୍ୱତ୍‍ର ଅନୁରୋଧ କ୍ରମେ ଭାରତ ଏହାର ସୀମା ଓ ଅଧିକାରକୁ ସମ୍ମାନ ଦେବ ବୋଲି ରାଜି ହେଲା, ତିବ୍ୱତ୍ ମ୍ୟାକ୍-ମୋହନ ରେଖାକୁ ନେଇ କୌଣସି ଆପତ୍ତି କଲାନାହିଁ ଓ ବ୍ରିଟିଶ୍-ଭାରତ ସରକାର ପରି ସ୍ୱାଧୀନ ଭାରତ ସରକାର ଓ ତିବ୍ୱତ୍ ନିଜ ସମ୍ପର୍କ ବଜାୟ ରଖିବାକୁ ରାଜି ହେଲେ ।

ବ୍ରିଟିଶ୍ ସୂତ୍ରରୁ ଓ ସରକାରୀ କାଗଜରୁ ଜଣାପଡେ ଯେ ତିବ୍ୱତ୍ ୧୯୧୪ ମସିହାରେ ନିର୍ଣ୍ଣିତ ନୂତନ ସୀମା ଗ୍ରହଣ କରିବା ପାଇଁ ଏକ ସର୍ତ୍ତ ରହିଥିଲା ଓ ଏହି ସର୍ତ୍ତ ହେଲା ଚୀନ ସିମଳା ଚୁକ୍ତିନାମାରେ ସହମତି ପ୍ରକାଶ କରିବ । କିନ୍ତୁ ଚୀନ‍ର ସହମତି ନ ମିଳିବାରୁ ତିବ୍ୱତୀୟମାନେ ମ୍ୟାକ୍-ମୋହନ ରେଖାକୁ ଅକାମୀ ବୋଲି ବିଚାର କଲେ । ୧୯୩୮ ମସିହା ବେଳକୁ ତିବ୍ୱତୀୟ ସେନା ତୱାଂଗ୍ ଅଞ୍ଚଳ ନିୟନ୍ତ୍ରଣ କରୁଥିଲା ଓ ସେହି ବର୍ଷ ହୋଇଥିବା ଏକ ଆଲୋଚନାରେ ଏହି ଅଞ୍ଚଳ ଛାଡିବାକୁ ମଙ୍ଗିଲା ନାହିଁ । ତତ୍କାଳୀନ ଆସାମ ଗଭର୍ଣ୍ଣର୍ “ତୱାଂଗ୍ ନିଶ୍ଚିତ ଭାବେ ବ୍ରିଟିଶ୍ ଅଞ୍ଚଳ ଯାହା ତିବ୍ୱତ୍ ନିୟନ୍ତ୍ରଣରେ ଅଛି” ବୋଲି କହିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ ଆଜାଦ୍ ହିନ୍ଦ ଫୌଜ ଓ ଜାପାନୀ ସେନା ପୂର୍ବ ପଟୁ ଆକ୍ରମଣ କରିପାରନ୍ତି ଓ ତୱାଂଗ୍ ଅଞ୍ଚଳରୁ ଭଲଭାବେ ସେମାନଙ୍କ ଆକ୍ରମଣକୁ ପ୍ରତିରୋଧ କରିହେବ ବୋଲି ବ୍ରିଟିଶ୍‍ମାନେ ବଳପୂର୍ବକ ତୱାଂଗ୍ ଅକ୍ତିଆର କଲେ ।

ପୂର୍ବେ NEFA ପରିସରଭୁକ୍ତ ମ୍ୟାକ୍-ମୋହନ ରେଖାର ଦକ୍ଷିଣାଂଶ ଚୀନ‍ର ପାରମ୍ପରିକ ସୀମା ବୋଲି ଚୀନ ମତ ରଖେ । ଭାରତର ଯୁକ୍ତି ହେଲା ଯେ ଲଦାଖ୍ ଓ ଅରୁଣାଚଳପ୍ରଦେଶ ଅଞ୍ଚଳରେ ଚୀନ ଦାବୀ କରୁଥିବା କ୍ଷେତ୍ର ଚୀନ‍ର ବୋଲି ତା’ ନିଜ ଛଡା ଆଉ କେହି କୁହନ୍ତି ନାହିଁ ଓ ଏଗୁଡିକ ଚୀନ‍ର କ୍ଷେତ୍ର ବୋଲି କେଉଁଠାରେ ମଧ୍ୟ ଲିଖିତ ପ୍ରମାଣ ନାହିଁ । ଚୀନ ଏହି କ୍ଷେତ୍ର ପୂର୍ବେ କବ୍‍ଜା କରିରଖିଥିଲା ବୋଲି ଏବେ ମଧ୍ୟ ନିଜର ବୋଲି ଦାବୀ କରୁଛି । ଅପର ପକ୍ଷେ ଚୀନ‍ର ଯୁକ୍ତି ହେଲା ଯେ ଏହି ଅଞ୍ଚଳ ଚୀନ‍ର ଓପୂର୍ବେ ଏହା ବ୍ରିଟିଶ୍‍ମାନଙ୍କ ଅଧୀନରେ ଥିବାରୁ ଭାରତ ଏହାକୁ ନିଜର ବୋଲି ଦାବୀ କରୁଛି । ଶେଷ ଚିଂଗ୍ ସମ୍ରାଟଙ୍କ ଅଭିଲେଖରେ ଆଗାମୀ ସରକାରଙ୍କୁ ଚୀନ‍ର ପାଞ୍ଚୋଟି ଅଞ୍ଚଳରେ (ଯଥା : ମାଞ୍ଚୁସ୍, ହାନ୍ ଚାଇନିଜ୍, ମଂଗୋଲ୍, ମୁସଲିମ୍ ଓ ତିବ୍ୱତୀୟ) ବସବାସ କରୁଥିବା ସମ୍ପ୍ରଦାୟମାନଙ୍କୁ ସେମାନଙ୍କ ବାସସ୍ଥାନ ସହିତ ରାଷ୍ଟ୍ରରେ ସମ୍ମିଳିତ କରାଇବାର କ୍ଷମତା ଦେଇଛନ୍ତି । କିନ୍ତୁ ପୂର୍ବ ସମୟରେ ମୌର୍ଯ୍ୟ ଓ ଚୋଳ ବଂଶର ସାମ୍ରାଜ୍ୟର ଅନେକ ଅଂଶ ଯେଉଁଠାରେ ବର୍ତ୍ତମାନ ଚୀନ‍ର ନିୟନ୍ତ୍ରଣ ରହିଛି ଓ ଯେଉଁଠାରେ ଭାରତୀୟ ପରମ୍ପରା ଆଜି ବି ଉଦ୍ଜୀବିତ, ସେହି ସବୁ ସ୍ଥାନ ଉପରେ ଭାରତ ନିଜର ଅଧିକାର ଦାବୀ କରେ ନାହିଁ । ଏହା ପରିସ୍ଥିତିକୁ ଆହୁରି ଜଟିଳ କରିପକାଇଛି ।

ପୂର୍ବ ପଟରେ ସୀମା ମ୍ୟାକ୍-ମୋହନ ରେଖା ଅନୁସରଣ କରେ ବୋଲି ଭାରତ ଦାବୀ କରୁଛି । ୧୯୧୪ ମସିହା, ୨୪ ଓ ୨୫ ମାର୍ଚ୍ଚ୍ ମାସରେ ମ୍ୟାକ୍-ମୋହନ ଯେଉଁ ବିସ୍ତୃତ ମାନଚିତ୍ର ଓ ସିମଳା ଚୁକ୍ତିନାମା ପ୍ରସ୍ତୁତ କରିଥିଲେ ତାହା ଅନୁସାରେ ମ୍ୟାକ୍-ମୋହନ ରେଖା ୨୭° ୪୫’ ୪୦"ଉତ୍ତର ଅକ୍ଷାଂଶରୁ ଆରମ୍ଭ ହୋଇ ଭୁଟାନ୍, ଚୀନ ଓ ଭାରତର ତ୍ରିରାଷ୍ଟ୍ରୀୟ ମିଳନ ବିନ୍ଦୁକୁ ଅତିକ୍ରମ କରି ପୂର୍ବ ଦିଗଆଡକୁ ଅଗ୍ରସର ହୋଇଛି । ଯୁଦ୍ଧ ଆଗରୁ ପୂର୍ବାଞ୍ଚଳରେ ହୋଇଥିବା ସମସ୍ତ ସଂଗ୍ରାମ ଏହି ରେଖାର ଉତ୍ତର ପାର୍ଶ୍ୱରେ ହୋଇଥିଲା । ଭାରତ ସବୁବେଳେ କହି ଆସିଛି ଯେ ମ୍ୟାକ୍-ମୋହନଙ୍କ ଲିଖିତ ରିପୋର୍ଟରୁ ଜଣାପଡେ ଯେ ହିମାଳୟ ଅଞ୍ଚଳର ଜଳବିଭାଜକକୁ ଅନୁସରଣ କରିବା ହିଁ ମ୍ୟାକ୍-ମୋହନ ରେଖାର ମୂଳ ଲକ୍ଷ୍ୟ । ଅନୁଧ୍ୟାନ କଲେ ଜଣାପଡେ ଯେ ମ୍ୟାକ୍-ମୋହନ ରେଖାର ୯୦% ହିମାଳୟର ଜଳବିଭାଜକକୁ ଅନୁସରଣ କରେ । ଭାରତର ଯୁକ୍ତି ଅନୁସାରେ ଭୁଟାନ୍ ନିକଟବର୍ତ୍ତୀ ସ୍ଥାନମାନଙ୍କରେ ଓ ମ୍ୟାକ୍-ମୋହନ ରେଖାର ଅନ୍ୟ ସ୍ଥାନମାନଙ୍କରେ ପର୍ବତମାଳାର ଉତ୍ତର ପଟ ଚୀନ ଓ ଦକ୍ଷିଣ ପଟ ଭାରତୀୟ କ୍ଷେତ୍ର ରୂପେ ଚିହ୍ନଟ ହେବା ଉଚିତ୍ । ଦୁଇ ପକ୍ଷର ସେନା ମଧ୍ୟ ପର୍ବତମାଳାଦ୍ୱାରା ପୃଥକ୍ ହୋଇ ରହିବେ ।

୧୯୫୦ ଦଶନ୍ଧି ଓ ତାହା ପରେ ଭାରତୀୟ ସେନା ଏହି ଅଞ୍ଚଳର ନିରୀକ୍ଷଣ କରିବାକୁ ଲାଗିଲେ ଓ ବିସ୍ତୃତ ଭାବେ ମାନଚିତ୍ର ପ୍ରସ୍ତୁତ କଲେ । ଭାରତୀୟ ଅଧିକାରୀମାନେ ୧୯୧୪ର ସିମଳା ଚୁକ୍ତିର ପୁଷ୍ଟି କରି କହିଲେ ଯେ ୬ଟି ନଦୀ ହିମାଳୟର ଏହି ଜଳବିଭାଜକ ରେଖାରେ ବ୍ୟତିକ୍ରମ ସୃଷ୍ଟି କରୁଥିଲେ । ତୱାଂଗ୍‍ର ଉତ୍ତରକୁ ଭୁଟାନ୍ ନିକଟବର୍ତ୍ତୀ ସ୍ଥାନରେ ମାନଚିତ୍ର ସାମାନ୍ୟ ପରିବର୍ତ୍ତିତ କରାଯାଇ ଥାଗ୍ ଲା, ଲୋଂଗ୍‍ଜୁ ଓ ଖିଞ୍ଜେମାନେ ଭାରତୀୟ କ୍ଷେତ୍ରର ଅନ୍ତର୍ଗତ ବୋଲି କୁହାଗଲା । ତେଣୁ ଭାରତୀୟ ମତାନୁସାରେ ଭୁଟାନ୍-ଚୀନ-ଭାରତର ତ୍ରିରାଷ୍ଟ୍ରୀୟ ମିଳନ ବିନ୍ଦୁ ୨୭° ୫୧’ ୩୦"ଉତ୍ତରରେ ଅବସ୍ଥିତ । ଭାରତୀୟ ଦାବୀ ଅନୁସାରେ ମ୍ୟାକ୍-ମୋହନ ରେଖା ଥାଗ୍ ଲା ପରି ପର୍ବତ ଉପତ୍ୟକା ଦେଇ ଗତି କରିଛି । କିନ୍ତୁ ପ୍ରକୃତ ଚୁକ୍ତିନାମା ଓ ମାନଚିତ୍ରରେ କିଛି ସଠିକ୍ ରୂପରେଖ ବା ଭୌଗୋଳିକ ବର୍ଣ୍ଣନା କରାଯାଇନାହିଁ ।

ସୀମାରେଖା ସମ୍ବନ୍ଧୀୟ ଆଲୋଚନା ଓ ବିବାଦ[ସମ୍ପାଦନା]

୧୯୪୭ରୁ ୧୯୬୨[ସମ୍ପାଦନା]

୧୯୫୦ ମସିହାରେ ଚୀନ ଜିନ୍‍ଜିଆଂଗ୍‍ରୁ ପଶ୍ଚିମ ତିବ୍ୱତ୍ ପର୍ଯ୍ୟନ୍ତ ପ୍ରାୟ ୧୨୦୦ କି.ମି. (୭୫୦ ମାଇଲ୍)ର ଏକ ସଡକ ନିର୍ମାଣ କଲା । ଏହି ସଡକର ପ୍ରାୟ ୧୭୯ କି.ମି. ଜନ୍‍ସନ୍‍ ରେଖାର ଦକ୍ଷିଣ ଭାଗରେ ଅକ୍ସାଇ ଚୀନ ଅଞ୍ଚଳରେ ନିର୍ମିତ ହେଲା ଯାହାକୁ ଭାରତ ନିଜର କ୍ଷେତ୍ର ବୋଲି କହିଆସୁଥିଲା । ଅକ୍ସାଇ ଚୀନ ଅଞ୍ଚଳକୁ ଚୀନ‍ ପଟରୁ ପହଞ୍ଚିବା ସହଜ ହୋଇଥିବା ବେଳେ ଭାରତ ପଟରୁ ପହଞ୍ଚିବା ପାଇଁ କାରାକୋରମ୍ ପର୍ବତ ଲଂଘିବାକୁ ହୁଏ । ୧୯୫୭ ମସିହା ପର୍ଯ୍ୟନ୍ତ ଭାରତୀୟ ସେନା ଏହି ସଡକ ବିଷୟରେ ଜାଣି ନଥିଲା । ୧୯୫୮ ମସିହାରେ ଚୀନରୁ ମୁଦ୍ରିତ ମାନଚିତ୍ରରେ ଏହି ସଡକ ସ୍ଥାନ ପାଇବା ପରେ ସଡକର ଉପସ୍ଥିତି ନିଶ୍ଚିତ ହୋଇଗଲା ।

ଭାରତୀୟ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ଭାରତୀୟ ପକ୍ଷ ରଖିଲେ ଯେ ଅକ୍ସାଇ ଚୀନ ଅନେକ କାଳରୁ ଭାରତର ଲଦାଖ୍ ଅଞ୍ଚଳର ଅଂଶ ଭାବେ ପରିଗଣିତ ହୋଇଆସିଛି, ଏହା ନିଶ୍ଚିତ ରୂପେ ଭାରତର ଅଂଶ ଓ ଏହି ଅଂଶ ବିଷୟରେ କୌଣସି ଦେଶ ସହିତ ଭାରତ ଆଲୋଚନା କରିବ ନାହିଁ । ଚୀନ‍ର ମନ୍ତ୍ରୀ ଝୋଉ ଏନ୍‍ଲାଇ ଯୁକ୍ତି ରଖିଲେ ଯେ ଏହି ଅଞ୍ଚଳ କେବେହେଲେ ବାଡ ବା ପାଚେରୀଦ୍ୱାରା ନିର୍ଣ୍ଣିତ ହୋଇନାହିଁ । ଚୀନ ସରକାରକୁ କେବଳ ମକାର୍ଟ୍‍ନେ-ମ୍ୟାକ୍‍ଡନାଲ୍ଡ୍ ରେଖାର ପ୍ରସ୍ତାବ ଦିଆଯାଇଥିଲା ଓ ଏହି ରେଖା ଅନୁସାରେ ଅକ୍ସାଇ ଚୀନ ଅଞ୍ଚଳ ଚୀନ‍ର ଇଲାକା । ଯେକୌଣସି ଆଲୋଚନା ଯଥାସ୍ଥିତିକୁ ବିଚାର କରି କରାଯିବା ଉଚିତ୍ ।

୧୯୬୦ ମସିହାରେ ନେହେରୁ, ଝୋଉ ଏନ୍‍ଲାଇ ଓ ଉଭୟ ଦେଶର ପ୍ରତିନିଧି ଦଳ ଏହି ସୀମା ବିବାଦର ସମାଧାନ ପାଇଁ ଆଲୋଚନାରେ ଯୋଗଦେଲେ । ପଶ୍ଚିମ ପାର୍ଶ୍ୱରେ ଜଳବିଭାଜକ ଓ ସୀମା ନିରୂପଣ ବେଳେ ଦୁହେଁ ଅସହମତି ପ୍ରକାଶ କଲେ । ଦେଖାଯାଇଛି ଯେ ସୀମାରେଖା ସମ୍ବନ୍ଧୀୟ ଚୀନ‍ର ମନ୍ତବ୍ୟ ଅନେକ ସମୟରେ ତଥ୍ୟର ଭୁଲ ରୂପ ପ୍ରକାଶ କରିଥାଏ ।

୧୯୬୩ରୁ ବର୍ତ୍ତମାନ[ସମ୍ପାଦନା]

ପ୍ରକୃତ ନିୟନ୍ତ୍ରଣ ସୀମା କେଉଁଟି ସେ ବିଷୟରେ ଭାରତ ଓ ଚୀନ‍ର ମତ ଭିନ୍ନଭିନ୍ନ । ୨୦୧୩ ମସିହାରେ ଚୀନ‍ର ସୈନିକମାନେ ପ୍ରକୃତ ନିୟନ୍ତ୍ରଣ ସୀମାରୁ ପ୍ରାୟ ୧୦ କି.ମି. ଭିତରକୁ ଅତିକ୍ରମ କରି ଦୌଲତ ବେଗ୍ ଓଲ୍ଡି ଅଞ୍ଚଳରେ ଶିବିର ସ୍ଥାପନା କରିଛନ୍ତି ବୋଲି ଭାରତ ଅଭିଯୋଗ କଲା । ପରବର୍ତ୍ତୀ ସମୟରେ ଏହି ଅନୁପ୍ରବେଶ ପ୍ରାୟ ୧୯ କି.ମି. ଭିତର ପର୍ଯ୍ୟନ୍ତ ବୋଲି କୁହାଗଲା । ଭାରତୀୟ ଗଣମାଧ୍ୟମ ଅନୁସାରେ, ଅନୁପ୍ରବେଶରେ କେବଳ ସ୍ଥଳସେନା ସାମିଲ ନୁହଁନ୍ତି ବରଂ ଚୀନୀ ହେଲିକପ୍ଟର୍ ଭାରତୀୟ ଆକାଶ କ୍ଷେତ୍ରରେ ପ୍ରବେଶ କରି ଖାଦ୍ୟପଦାର୍ଥ ଯୋଗାଉଛନ୍ତି ବୋଲି ପ୍ରକାଶ ପାଇଲା । ଚୀନ‍ର ସେନା ଅଧିକାରୀ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ତା’ ପରେ ଦୁଇ ପକ୍ଷର ସୈନିକ ଛାଉଣୀ ତିଆରି କରି ଏହି କ୍ଷେତ୍ରରେ ଜଗି ରହିଲେ । ମଇ ମାସରେ ଉଭୟ ଦେଶ ନିଜ ସୈନିକମାନଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେବା ପରେ ପରିସ୍ଥିତିରେ ସୁଧାର ଆସିଲା । ୨୦୧୪ ମସିହା ସେପ୍ଟେମ୍ବର୍ ମାସରେ ଭାରତୀୟମାନେ ସୀମାନ୍ତ ଗାଁ ଡେଂଚୋକ୍‍ ନିକଟରେ ଏକ କେନାଲ୍ ନିର୍ମାଣ କରିବା ଅଭିଯୋଗରେ ପୁଣି ଚୀନ‍ର ସୈନ୍ୟ ଓ ସାଧାରଣ ଜନତା ବିଦ୍ରୋହ କଲେ । ସୀମା ନିକଟରେ ସୈନ୍ୟବଳ ପୁଣି ଠିଆ ହେଲେ । ପ୍ରାୟ ୩ ସପ୍ତାହ ପରେ ଦୁଇ ପକ୍ଷ ସେନା ଅପସାରଣ କରିବାରୁ ବିବାଦ ଥମିଲା । ଭାରତୀୟ ସେନାର ଅଭିଯୋଗ ଅନୁସାରେ ସୀମାରୁ ୩ କି.ମି. ଭିତରକୁ ଚୀନ‍ର ଏକ ସୈନ୍ୟ ଶିବିର ରହିଛି । ବି. ବି. ସି. ୱେବ୍‍ସାଇଟରେ ଥିବା ଏକ ସମ୍ପାଦକୀୟରେ ଲେଖାଯାଇଛି ଯେ ପ୍ରତି ଥର ଅନୁପ୍ରବେଶ ବେଳେ ଚୀନ କିଛି ନୂଆ କ୍ଷେତ୍ର ଅକ୍ତିଆର କରିନିଏ ।

ଭାରତୀୟ ସେନାଦ୍ୱାରା ଏକ ବିବାଦୀୟ ଚୀନୀ ନିରୀକ୍ଷଣ ମଞ୍ଚା (watchtower) ଭାଙ୍ଗିଦିଆଯିବା ଅଭିଯୋଗ କରି ଉତ୍ତର ଲଦାଖ୍‍ର ବୁର୍ସ୍ତେ ଅଞ୍ଚଳରେ ଦୁଇ ପକ୍ଷର ସେନା ୨୦୧୫ ମସିହା ସେପ୍ଟେମ୍ବର୍ ମାସରେ ମୁହାଁମୁହିଁ ହୋଇଥିଲେ । ଚୀନ ଏହି ନିରୀକ୍ଷଣ ମଞ୍ଚଟିକୁ ପ୍ରକୃତ ନିୟନ୍ତ୍ରଣ ରେଖାର ଅତି ସମୀପରେ ନିର୍ମାଣ କରୁଥିବା ଭାରତର ଅଭିଯୋଗ ରହିଥିଲା ।

୨୦୧୭ ମସିହା ଜୁନ୍ ମାସରେ ଡୋକଲାମ୍ ମାଳଭୂମିର ଦକ୍ଷିଣ ପାର୍ଶ୍ୱରେସ୍ଥିତ ଡୋକା ଲା ଗିରିପଥ ନିକଟରେ ଚୀନ‍ର ସେନା ଏକ ସଡକର ପ୍ରସାରଣ କରୁଥିବା ସମୟରେ ଭାରତୀୟ ସେନା ଏହାର ବିରୋଧ କଲେ ଓ ଦୁଇ ସେନା ସେଠାରେ ମୁହାଁମୁହିଁ ହୋଇଥିଲେ । ଏହା ଡୋକଲାମ୍ ବିବାଦ ନାମରେ ଜଣାଶୁଣା । ଭାରତ ଭୁଟାନ୍‍କୁ ସାମରିକ ସାହାଯ୍ୟ ଦେଇଆସିଛି ଓ ଭାରତ ଏବଂ ଭୁଟାନ୍ ମଧ୍ୟରେ ଅନେକ “ବିଶେଷ ବୁଝାମଣା” ରହିଛି । ଡୋକଲାମ୍ ନିକଟରେ ବିବାଦୀୟ କ୍ଷେତ୍ରରେ ଚୀନ କରୁଥିବା ସଡକ ସମ୍ପ୍ରସାରଣକୁ ଭୁଟାନ ପୂର୍ବରୁ ବିରୋଧ କରିଆସୁଥିଲା । ଭାରତ ଭୁଟାନ୍‍ର ଅନୁରୋଧ କ୍ରମେ ଚୀନ‍ର ଏହି ସମ୍ପ୍ରସାରଣ ବିରୋଧରେ ସୈନ୍ୟ ନିୟୋଜିତ କରିଥିବାର ଦାବୀ କରିଥିଲା । ୨୦୧୭ ମସିହା ଅଗଷ୍ଟ ୨୮ ତାରିଖରେ ଦୁଇ ଦେଶ ଡୋକଲାମ୍‍ରୁ ନିଜ ନିଜ ସୈନ୍ୟ ପ୍ରତ୍ୟାହାର କରିଥିଲେ । ଗୋଟିଏ ଦିନରେ ଦୁଇ ପକ୍ଷରୁ ସୈନ୍ୟବାହିନୀ ପ୍ରତ୍ୟାହାର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଯାଇଥିଲା ।

ସିକ୍କିମକୁ ନେଇ ବିବାଦ[ସମ୍ପାଦନା]

୧୯୬୭ ମସିହାରେ ଚୀନ ଓ ଭାରତ ମଧ୍ୟରେ ନାଥୁ-ଲା ଓ ଚୋ-ଲା ଗିରିପଥରେ ଓ ସିକ୍କିମ୍‍ ରାଜ୍ୟର କେତେକ ଅଂଶରେ ଅନେକ ସଂଘର୍ଷ ଘଟିଥିଲା । ସେହି ସମୟରେ ସିକ୍କିମ୍‍କୁ ଭାରତର ସୁରକ୍ଷା ପ୍ରଦାନ କରୁଥିଲା । ସଂଘର୍ଷ ସମାପ୍ତି ପରେ ସିକ୍କିମ୍‍ରୁ ଚୀନୀ ସେନା ପ୍ରତ୍ୟାହାର ହୋଇଥିଲା । ୧୯୭୫ ମସିହାରେ ନିଜ ରାଜ୍ୟବାସୀଙ୍କ ବହୁମତ କ୍ରମେ ସିକ୍କିମ୍‍ର ରାଜା ନିଜ ରାଜ୍ୟକୁ ଭାରତ ଦେଶରେ ମିଶାଇବାକୁ ମନସ୍ଥ କଲେ । ଚୀନ ଏହାକୁ ଅବୈଧ କହି ଏହାର ବିରୋଧ କଲା । ୨୦୦୩ରେ ଚୀନ-ଭାରତ ମେମୋରାଣ୍ଡମ୍ ସମୟରେ ଭାରତର ସିକ୍କିମ୍ ଅଧିକାରକୁ ଚୀନ ସ୍ୱୀକୃତି ଦେବାପରେ ଚୀନ‍ର ମାନଚିତ୍ରରେ ସିକ୍କିମ୍ ଏକ ଭାରତୀୟ ରାଜ୍ୟ ଭାବେ ଦର୍ଶିତ ହେଲା ଓ ଚୀନ‍ର ବିଦେଶ ମନ୍ତ୍ରଣାଳୟ ନିଜର “ସୀମାନ୍ତବର୍ତ୍ତୀ ସ୍ୱାୟତ୍ତ ଦେଶ ଓ ରାଜ୍ୟର” ତାଲିକାରୁ ସିକ୍କିମ୍‍ର ନାମ ବାହାର କଲା । କିନ୍ତୁ “ଅଙ୍ଗୁଳି (The Finger)” ନାମରେ ଜଣାଶୁଣା ସିକ୍କିମ୍‍ର ଉତ୍ତରତମ ବିନ୍ଦୁ ବର୍ତ୍ତମାନ ସୁଦ୍ଧା ବିବାଦୀୟ ଓ ସାମରିକ କାର୍ଯ୍ୟକଳାପର କେନ୍ଦ୍ର ହୋଇ ରହିଛି ।

ଚୀନୀ ପ୍ରଧାନମନ୍ତ୍ରୀ ୱେନ୍ ଜିଆବାଓ ୨୦୦୫ ମସିହାରେ ମତ ପୋଷଣ କରିଥିଲେ ଯେ ସିକ୍କିମ୍‍କୁ ନେଇ ଭାରତ ଓ ଚୀନ ମଧ୍ୟରେ କୌଣସି ବିବାଦ ରହିନାହିଁ ।

ଆଧାର[ସମ୍ପାଦନା]

  1. "Arunachal Pradesh is our territory": Chinese envoy Rediff India Abroad, 14 November 2006. Archived 8 November 2011 at the Wayback Machine.
  2. Subir Bhaumik, "India to deploy 36,000 extra troops on Chinese border", BBC, 23 November 2010. Archived 2 January 2012 at the Wayback Machine.
  3. Sudha Ramachandran, "China toys with India's border", Asia Times Online, 27 June 2008. Archived 22 November 2009 at the Stanford Web Archive
  4. "The China-India Border Brawl", Wall Street Journal, 24 June 2009, archived from the original on 23 September 2011
  5. 何, 宏儒 (12 ଜୁନ 2014). "外長會 印向陸提一個印度政策". 中央通訊社. 新德里. Archived from the original on 27 ଫେବୃଆରୀ 2017. Retrieved 27 ଫେବୃଆରୀ 2017.
  6. "印度外長敦促中國重申「一個印度」政策". BBC 中文网. Archived from the original on 27 ଫେବୃଆରୀ 2017. Retrieved 27 ଫେବୃଆରୀ 2017.
  7. ୭.୦ ୭.୧ Maxwell, India's China War (1970)
  8. The Sino-Indian Border Disputes, by Alfred P. Rubin, The International and Comparative Law Quarterly, Vol. 9, No. 1. (Jan. 1960), pp. 96–125. JSTOR 756256.
  9. Guruswamy, Mohan (2006). Emerging Trends in India-China Relations. India: Hope India Publications. p. 222. ISBN 978-81-7871-101-0.
  10. ୧୦.୦ ୧୦.୧ Mohan Guruswamy, Mohan, "The Great India-China Game", Rediff, 23 June 2003. Archived 30 September 2016 at the Wayback Machine..
  11. Calvin, James Barnard (ଅପ୍ରେଲ 1984). "The China-India Border War". Marine Corps Command and Staff College. Archived from the original on 11 ନଭେମ୍ବର 2011.
  12. Noorani, A.G. (30 August), "Fact of History", Frontline, vol. 26, no. 18, archived from the original on 2 October 2011 {{citation}}: Check date values in: |date= (help)
  13. Younghusband, Francis E. (1896). The Heart of a Continent. John Murray, London. Facsimile reprint: (2005) Elbiron Classics, pp. 223–224.
  14. Grenard, Fernand (1904). Tibet: The Country and its Inhabitants. Fernand Grenard. Translated by A. Teixeira de Mattos. Originally published by Hutchison and Co., London. 1904. Reprint: Cosmo Publications. Delhi. 1974, pp. 28–30.
  15. Woodman, Himalayan Frontiers (1970), pp. 101, 360–