ବ୍ରହ୍ମପୁତ୍ର ନଦୀ

ଉଇକିପିଡ଼ିଆ ରୁ
Jump to navigation Jump to search
ବ୍ରହ୍ମପୁତ୍ର
ନଦୀ
ଆସାମ (ଭାରତ)ର ଗୁଆହାଟୀ ନିକଟରେ ବ୍ରହ୍ମପୁତ୍ର ନଦୀ
ନାମର ଉତ୍ପତ୍ତି: ସଂସ୍କୃତ ବ୍ରହ୍ମାଙ୍କ ପୁତ୍ର
ଦେଶ  ଚୀନ,  ଭାରତ,  ବଙ୍ଗଳାଦେଶ
ରାଜ୍ୟ ଆସାମ, ଅରୁଣାଚଳ ପ୍ରଦେଶ
ସ୍ୱାୟତ୍ତ ତିବ୍ୱତ
Tributaries
 - left ଦିବାଙ୍ଗ ନଦୀ, ଲୋହିତ ନଦୀ, ଧନସିରି ନଦୀ, କୋଲୋଙ୍ଗ ନଦୀ
 - right କାମେଂଗ ନଦୀ, ମାନସ ନଦୀ, ବେକି ନଦୀ, ରାଇଦାକ ନଦୀ, ଜଳଧକା ନଦୀ, ତିସ୍ତା ନଦୀ, ସୁବଂଶିରୀ ନଦୀ
Source
 - location ହିମାଳୟ, ତିବ୍ୱତ
 - elevation ୫,୨୧୦ m (୧୭,୦୯୩ ft)
Mouth ବଙ୍ଗୋପ ସାଗର
 - location ଗଙ୍ଗା ନଦୀର ମୁହାଣ, ବଙ୍ଗଳାଦେଶ
ଗଙ୍ଗା, ବ୍ରହ୍ମପୁତ୍ର ଓ ମେଘନା ନଦୀର ମାନଚିତ୍ର

ଚୀନ୍, ଭାରତ ଓ ବଙ୍ଗଳାଦେଶ ମଧ୍ୟ ଦେଇ ପ୍ରବାହିତ ବ୍ରହ୍ମପୁତ୍ର ଏସିଆର ଏକ ପ୍ରମୁଖ ନଦୀ । ତିବ୍ୱତରେ ଏହି ନଦୀ ସାଂଗପୋ ନାମରେ ଜଣା । ତେଣୁ ତିବ୍ୱତ ଓ ଭାରତରେ ପ୍ରବାହିତ ଅଂଶକୁ ଯୋଡି ଏହି ନଦୀକୁ ସାଂଗପୋ-ବ୍ରହ୍ମପୁତ୍ର ମଧ୍ୟ କୁହାଯାଏ । ଭୁଟାନରେ ପ୍ରବାହିତ ମାନସ ନଦୀ ଭାରତର ଜୋଗୀଘୋପାଠାରେ ବ୍ରହ୍ମପୁତ୍ର ନଦୀରେ ସମ୍ମିଳିତ ହୁଏ । ନିଷ୍କାସିତ ଜଳର ପରିମାପ ଅନୁସାରେ ଏହା ବିଶ୍ୱରେ ଦଶମ ବୃହତ୍ ଓ ଦୈର୍ଘ୍ୟରେ ଏହା ବିଶ୍ୱରେ ପଞ୍ଚଦଶ ସ୍ଥାନର ଅଧିକାରୀ । 

ତିବ୍ୱତରେ ଥିବା ଉତ୍ତର ହିମାଳୟର ବୁରାଙ୍ଗ ଅଞ୍ଚଳରେ ଆଙ୍ଗସି ହିମସ୍ରୋତରୁ ଏହି ନଦୀର ଉତ୍ପତ୍ତି । ଉପର ଅଞ୍ଚଳରେ ସାଂଗପୋ ନାମରେ ବିଦିତ ଏହି ନଦୀ ୟାରଲୁଙ୍ଗ-ସାଂଗପୋ ବୃହତ ଗଣ୍ଡ ଦେଇ ଅରୁଣାଚଳ ପ୍ରଦେଶରେ ଭାରତକୁ ପ୍ରବେଶ କରିଛି ।[୧] ୟାରଲୁଙ୍ଗ-ସାଂଗପୋ ସହ ଏହି ନଦୀର ସମ୍ପର୍କ ୧୮୮୪-୮୬ ମସିହାରେ ଜ୍ଞାତସାରକୁ ଆସିଲା । ତେଣୁ ଏହି ନଦୀକୁ କେହି କେହି ସାଂଗପୋ-ବ୍ରହ୍ମପୁତ୍ର ମଧ୍ୟ କୁହନ୍ତି । ତା’ପରେ ଏହା ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଆସାମରେ ବ୍ରହ୍ମପୁତ୍ର ଓ ବଙ୍ଗଳାଦେଶରେ ଜମୁନା ନାମରେ ପ୍ରବାହିତ ହୋଇଛି । ବ୍ରହ୍ମପୁତ୍ର ନଦୀ ବିସ୍ତୃତ ଗାଙ୍ଗେୟ ତ୍ରିକୋଣଭୂମିରେ ପ୍ରଥମେ ପଦ୍ମା ନଦୀ (ବଙ୍ଗଳାଦେଶରେ ଗଙ୍ଗା ନଦୀର ନାମ) ଓ ପରେ ମେଘନା ନଦୀ ସହିତ ମିଳିତ ହୋଇ ବଙ୍ଗୋପସାଗରରେ ନିଷ୍କାସିତ ହୋଇଛି । [୨] 

ପ୍ରାୟ ୩୮୪୮ କି.ମି. ଦୀର୍ଘ ବ୍ରହ୍ମପୁତ୍ର ଜଳସେଚନ ଓ ପରିବହନ ଦୃଷ୍ଟିରୁ ଅତି ମହତ୍ତ୍ୱପୂର୍ଣ୍ଣ । ଏହି ନଦୀର ହାରାହାରି ଗଭୀରତା ପ୍ରାୟ ୩୮୦ ଫୁଟ୍ ବା ୧୨୦ ମିଟର ହେବ । ବସନ୍ତ ଋତୁରେ ହିମାଳୟର ବରଫ ତରଳିଲେ ଏହି ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ । ବର୍ଷରେ ହାରାହାରି ୭୦୦,୦୦୦ ଘନ ଫୁଟ୍ ପ୍ରତି ସେକେଣ୍ଡ୍ ଜଳ ନିଷ୍କାସିତ କରୁଥିବା ବ୍ରହ୍ମପୁତ୍ର ବନ୍ୟା ସମୟରେ ପ୍ରାୟ ୩୫,୦୦,୦୦୦ ଘନ ଫୁଟ୍ ପ୍ରତି ସେକେଣ୍ଡ୍ ଜଳ ନିଷ୍କାସିତ କରିଥାଏ ।[୧] and floods can reach over ୧୦୦,୦୦୦ m/s (୩,୫୦୦,୦୦୦ cu ft/s).[୩] ବ୍ରହ୍ମପୁତ୍ର ବାରମ୍ବାର ନିଜ ଶଯ୍ୟା ପରିବର୍ତ୍ତନ କରେ ଏବଂ ପ୍ରତିବର୍ଷ ଏହାର କୂଳବର୍ତ୍ତୀ ଅଞ୍ଚଳରେ ଉର୍ବର ପଟୁମାଟି ଜମା ହୋଇଥାଏ । ବର୍ଷସାରା ଏହି ନଦୀ ଗମନାଗମନ ଉପଯୋଗୀ । ଭାରତର ଅଧିକାଂଶ ନଦୀଙ୍କ ନାମ ସ୍ତ୍ରୀ-ଲିଙ୍ଗ ବିଶିଷ୍ଟ ହୋଇଥିବା ବେଳେ କେବଳ ଏହି ନଦୀ ପୁଂ-ଲିଙ୍ଗ ବିଶିଷ୍ଟ ନାମରେ ଜଣା । [୪]

ନଦୀର ଗତିପଥ[ସମ୍ପାଦନା]

ତିବ୍ୱତ[ସମ୍ପାଦନା]

ତିବ୍ୱତର ୟାରଲୁଙ୍ଗ-ସାଂଗପୋ ନଦୀ

ବୋଡ଼ୋ ଜନଜାତି ମଧ୍ୟରେ ବୁର୍ଲୁଙ୍ଗ-ବୁଥୁର୍ ଓ ତିବ୍ୱତରେ ୟାରଲୁଙ୍ଗ-ସାଂଗପୋ ନାମରେ ପରିଚିତ ବ୍ରହ୍ମପୁତ୍ର ନଦୀ, ଉତ୍ତର ହିମାଳୟର ବୁରାଙ୍ଗ୍ ଅଞ୍ଚଳରେ ଆଙ୍ଗସି ହିମସ୍ରୋତରୁ ଜନ୍ମଲାଭ କରିଛି । ପୂର୍ବେ ମାନସରୋବରର ଉତ୍ତର-ପୂର୍ବରେ ଅବସ୍ଥିତ ଚେମାୟୁଂଗଡୁଂଗ ହିମସ୍ରୋତ ଏହାର ଉତ୍ପତ୍ତି ସ୍ଥଳ ବୋଲି ଅନୁମାନ କରାଯାଉଥିଲା । ନିଜର ଉତ୍ସରୁ ବାହାରି, ଏହି ନଦୀ, ଉତ୍ତରରେ କୈଳାସ ପର୍ବତ ଶ୍ରେଣୀ ଓ ଦକ୍ଷିଣରେ ହିମାଳୟ ପର୍ବତଶ୍ରେଣୀର ମଧ୍ୟବର୍ତ୍ତୀ ଉପତ୍ୟକାରେ ପ୍ରାୟ ୧୧୦୦ କି.ମି. ପ୍ରବାହିତ ହୋଇଛି । ନିଜର ଉପର ଶଯ୍ୟାରେ ବ୍ରହ୍ମପୁତ୍ର ତିବ୍ୱତୀୟ ଭାଷାରେ ସାଂଗପୋ (ଅର୍ଥାତ୍ ବିଶୁଦ୍ଧକାରୀ), ଚୀନି ଭାଷାରେ ୟାରଲୁଙ୍ଗ ଜାଂଗବୋ ଓ ଅନେକ ସ୍ଥାନୀୟ ପାହାଡି ନାମରେ ଜଣାଶୁଣା । ତିବ୍ୱତରେ ଏହି ନଦୀ ସହିତ ମିଶୁଥିବା ମୁଖ୍ୟ ଉପନଦୀମାନେ ହେଲେ: ରାକା ସାଂଗପୋ, ନ୍ୟାଂଗ୍-କୁ ଇତ୍ୟାଦି ।  

ତିବ୍ୱତରେ ପେ ଅଞ୍ଚଳ ଅତିକ୍ରମ କଲା ପରେ, ବ୍ରହ୍ମପୁତ୍ର ନଦୀ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ମୁହାଁଇଛି । ନିଜ ଗତିପଥରେ ଗ୍ୟାଲା ପେରି ଓ ନାମଚା ବରୁଆ ଅତିକ୍ରମ କରି ବ୍ରହ୍ମପୁତ୍ର ନଦୀ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗ ଆଡକୁ ଅଗ୍ରସର ହୋଇ ୟାରଲୁଙ୍ଗ୍-ସାଂଗପୋର ଗଭୀର ଗଣ୍ଡ ମଧ୍ୟଦେଇ ଗତି କରିଛି । ଏହାପରେ ବ୍ରହ୍ମପୁତ୍ର ନଦୀ ଦିହାଂଗ୍ ବା ସିଆଂଗ୍ ନାମବରଣ କରି ଅରୁଣାଚଳ ପ୍ରଦେଶରେ ପ୍ରବେଶ କରିଛି ।  

ଭାରତ[ସମ୍ପାଦନା]

ଦିବ୍ରୁଗଡ଼ଠାରେ ବ୍ରହ୍ମପୁତ୍ର ନଦୀକୂଳରେ ସୂର୍ଯ୍ୟାସ୍ତର ଏକ ଦୃଶ୍ୟ

ଅରୁଣାଚଳ ପ୍ରଦେଶର ଉଚ୍ଚ ଭୂମିରେ ସିଆଂଗ୍ ନଦୀ ଓ ଅପେକ୍ଷାକୃତ ସମତଳ ଅଞ୍ଚଳରେ ଦିହାଂଗ୍ ନଦୀ ନାମ ସହିତ କିଛି ଦୂର ପ୍ରବାହିତ ହେଲାପରେ ଆସାମରେ ଦିବାଂଗ୍ ଓ ଲୋହିତ ଉପନଦୀମାନଙ୍କ ସହିତ ସମ୍ମିଳିତ ହୋଇଛି । ଲୋହିତ ନଦୀର ମିଳନ ସ୍ଥଳ ପରେ ଏହି ନଦୀ ବ୍ରହ୍ମପୁତ୍ର ନଦୀର ପରିଚୟ ଧାରଣ କରିଛି ଓ ୧୪୫୦ କି.ମି. ପ୍ରବାହିତ ହୋଇ ବଙ୍ଗୋପସାଗରରେ ମିଶିଛି । ଆସାମରେ ନଦୀଶଯ୍ୟାର ପ୍ରସ୍ଥ ପ୍ରାୟ ୧୦ କି.ମି. । ନିଜର କ୍ଷୀଣସ୍ରୋତ ସମୟରେ ମଧ୍ୟ ଏହି ନଦୀ ଆସାମରେ ପ୍ରାୟ ୮ କି.ମି. ପ୍ରସ୍ଥ ବିଶିଷ୍ଟ ଶଯ୍ୟାରେ ପ୍ରବାହିତ ହୁଏ । ଆସାମରେ ଅନେକ ପାହାଡିଆ ସ୍ରୋତ ଓ ନଦୀ (ଯଥା: ସୁବଂଶିରୀ, କାମେଂଗ୍, ଭାରେଲି, ଧାଂଶିରୀ, ମାନସ, ଚମ୍ପାମତୀ, ସରଳଭଙ୍ଗ, ସାଂକୋଶ) ବ୍ରହ୍ମପୁତ୍ର ସହ ମିଳିତ ହୋଇ ଏହାର କାୟାବୃଦ୍ଧି କରିଥାନ୍ତି ।  ଅନ୍ୟ ମୁଖ୍ୟ ଉପନଦୀମାନଙ୍କ ମଧ୍ୟରେ ବୁର୍ହି ଡିହିଙ୍ଗ୍, ଦିସାଂଗ୍, ଦିଖୁ ଓ କୋପିଲି ନଦୀ ଅନ୍ୟତମ । 

ଦିବ୍ରୁଗଡ଼ ଓ ଲକ୍ଷ୍ମୀପୁର ଜିଲ୍ଲା ମଧ୍ୟବର୍ତ୍ତୀ ଏକ ସ୍ଥାନରେ ଏହି ନଦୀ ଦୁଇ ଭାଗରେ ବିଭକ୍ତ ହୋଇଛି । ଉତ୍ତର ସ୍ରୋତକୁ ଖେରକୁଟିଆ ନଦୀ ଓ ଦକ୍ଷିଣ ସ୍ରୋତକୁ ଦକ୍ଷିଣ ବ୍ରହ୍ମପୁତ୍ର ନଦୀ କୁହାଯାଏ । ପୁଣି ପ୍ରାୟ ୧୦୦ କି.ମି. ପରେ ଏହି ସ୍ରୋତ ଦୁଇଟି ମିଳିତ ହୋଇ ପ୍ରବାହିତ ହୁଅନ୍ତି । ଏହି ଦୁଇ ସ୍ରୋତଙ୍କ ମଧ୍ୟରେ ଆବଦ୍ଧ ସ୍ଥଳଭାଗ ମଜୁଲି ଦ୍ୱୀପ ନାମରେ ବିଦିତ ଏବଂ ଏହା ବିଶ୍ୱର ସର୍ବବୃହତ୍ ନଦୀ-ଦ୍ୱୀପ ।[୫] ଗୁଆହାଟୀ ନିକଟରେ ବ୍ରହ୍ମପୁତ୍ର ନଦୀର ପ୍ରସ୍ଥ କମି ପ୍ରାୟ ୧ କି.ମି. ହୋଇଯାଇଛି । ଏହାର କମ୍ ପ୍ରସ୍ଥ ଯୋଗୁଁ ସରାଇଘାଟଠାରେ ୧୯୬୨ ମସିହା ଅପ୍ରେଲ୍ ମାସରେ ବ୍ରହ୍ମପୁତ୍ର ନଦୀ ଉପରେ ପ୍ରଥମ ରେଳ ଓ ସଡକ ସେତୁ ନିର୍ମିତ ହୋଇପାରିଲା । 

ବଙ୍ଗଳାଦେଶ[ସମ୍ପାଦନା]

Rବ୍ରହ୍ମପୁତ୍ର ସମେତ ବଙ୍ଗଳାଦେଶର ନଦୀ ସମୁହ

ବ୍ରହ୍ମପୁତ୍ର ଗାରୋ ପାହାଡ ଅତିକ୍ରମ କଲା ପରେ ଢୁବୁରିଠାରେ ବଙ୍ଗଳାଦେଶର ସମତଳ ଅଞ୍ଚଳରେ ପ୍ରବେଶ କରେ । ନିଜ ଗତିପଥରେ ଚିଲମାରୀ ଅତିକ୍ରମ କଲା ପରେ ବ୍ରହ୍ମପୁତ୍ର ନଦୀ ଏହାର ମୁଖ୍ୟ ଉପନଦୀ ତିସ୍ତା ନଦୀ ସହିତ ମିଳିତ ହୁଏ । ତା’ପରେ ବ୍ରହ୍ମପୁତ୍ର ପୁଣି ଦୁଇଟି ଶାଖା ନଦୀରେ ବିଭକ୍ତ ହୋଇଛି । ଜମୁନା (ବା ଜୋମୁନା) ନାମରେ ପରିଚିତ ଏହାର ପଶ୍ଚିମ ଶାଖାନଦୀ ବିଭାଜିତ ଜଳର ଅଧିକାଂଶ ଭାଗ ସହିତ ଗଙ୍ଗା ନଦୀର ନିମ୍ନ ଶଯ୍ୟା (ଯାହାକୁ ବଙ୍ଗଳାଦେଶରେ ପଦ୍ମା ନଦୀ କୁହାଯାଏ) ସହିତ ଗୋଆଲୁନ୍ଦ ଘାଟଠାରେ ମିଳିତ ହୁଏ ।  ଏହାର ପୂର୍ବ ଶାଖା ନଦୀକୁ ନିମ୍ନ ବ୍ରହ୍ମପୁତ୍ର ବା ପୁରୁଣା ବ୍ରହ୍ମପୁତ୍ର ବୋଲି କୁହାଯାଏ । ପୂର୍ବେ ପ୍ରଶସ୍ତ ଥିବା ନିମ୍ନ ବ୍ରହ୍ମପୁତ୍ର ଏବେ କ୍ରମଶଃ ସଂକୁଚିତ ହୋଇଯାଇଛି । ଢ଼ାକା ନିକଟରେ ଏହା ମେଘନା ନଦୀ ସହ ମିଳିତ ହୋଇଛି । ପୁଣି ଆଗକୁ ପଦ୍ମା ନଦୀ ଏବଂ ମେଘନା ନଦୀ ଚାନ୍ଦପୁର ନିକଟରେ ମିଳିତ ହୋଇ ବଙ୍ଗୋପସାଗରକୁ ପ୍ରବେଶ କରିଛନ୍ତି । ୫୯,୫୭୦ ବର୍ଗ କି.ମି. ବିଶିଷ୍ଟ ଗଙ୍ଗା-ବ୍ରହ୍ମପୁତ୍ରର ତ୍ରିକୋଣଭୂମିରେ ଅନେକ ଛୋଟ ନଦୀ ମିଳିତ ହୋଇଛନ୍ତି ଓ ଏହା ଜୁଆର-ଭଟ୍ଟାଦ୍ୱାରା ସର୍ବଦା ପ୍ରଭାବିତ ।[୬] 

ନଦୀ ଉପତ୍ୟକା[ସମ୍ପାଦନା]

ବ୍ରହ୍ମପୁତ୍ର ନଦୀର ଉପତ୍ୟକା ପ୍ରାୟ ୬,୫୧,୩୩୪ ବର୍ଗ କି.ମି. । ଏହି ଅଞ୍ଚଳ ଭୂମିକମ୍ପପ୍ରବଣ ମଧ୍ୟ ।

ମହାକାଶରୁ ବ୍ରହ୍ମପୁତ୍ର ନଦୀ

 

ଜଳ ନିଷ୍କାସନର ମାପରେ ଗଙ୍ଗା-ବ୍ରହ୍ମପୁତ୍ର ପୃଥିବୀର ନଦୀମାନଙ୍କ ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ନଦୀ ଦ୍ୱୟ ପ୍ରାୟ ୩୦,୭୭୦ ଘନ ମିଟର୍ ପ୍ରତି ସେକେଣ୍ଡ୍ ଜଳ ନିଷ୍କାସନ କରନ୍ତି । ସେଥିରୁ ବ୍ରହ୍ମପୁତ୍ରର ଅବଦାନ ପ୍ରାୟ ୧୯୮୦୦ ଘନ ମିଟର୍ ପ୍ରତି ସେକେଣ୍ଡ୍ । ଅତୀତରେ ବ୍ରହ୍ମପୁତ୍ର ନିମ୍ନ ଭାଗ ଜମାଲପୁର ଓ ମାଇମେନସିଂ ଜିଲ୍ଲା ଦେଇ ପ୍ରବାହିତ ହେଉଥିଲା । ୨ ଅପ୍ରେଲ୍, ୧୯୬୨ରେ ହୋଇଥିବା ଏକ ତୀବ୍ର ଭୂମିକମ୍ପ ଯୋଗୁଁ ଏହା ବାହାଦୁରାବାଦ୍ ନିକଟରେ ଦକ୍ଷିଣାଭିମୁଖୀ ହୋଇ ଜମୁନା ନଦୀରେ ପରିଣତ ହେଲା। 

ବନ୍ୟା[ସମ୍ପାଦନା]

ବ୍ରହ୍ମପୁତ୍ରରେ ବନ୍ୟାର ଦୃଶ୍ୟ

ମୌସୁମୀ ସମୟରେ (ଜୁନରୁ ଅକ୍ଟୋବର) ବ୍ରହ୍ମପୁତ୍ର ନଦୀରେ ଭୀଷଣ ବନ୍ୟା ଆସିଥାଏ । ବ୍ରହ୍ମପୁତ୍ର ଉପତ୍ୟକାରେ ଜଙ୍ଗଲକ୍ଷୟ ଯୋଗୁଁ ନଦୀ ଶଯ୍ୟାରେ ଅଧିକ ବଲିମାଟି ଚରିଯାଏ ଓ ପୁଣି କାଜିରଙ୍ଗା ଜାତୀୟ ଉଦ୍ୟାନରୁ କ୍ରମାଗତ ମୃତ୍ତିକା ଅବକ୍ଷୟ ଘଟେ । ସାମୟିକ ବନ୍ୟା ପ୍ରଭାବେ ଉର୍ବର ପଟୁମାଟି ମାଡ଼ିଯାଇ କୃଷି ପାଇଁ ସହାୟକ ହୁଏ । କିନ୍ତୁ ବ୍ରହ୍ମପୁତ୍ରରେ ଭୟାବହ ବନ୍ୟା ଅନେକ ଧନ ଓ ଜୀବନ ହାନିର କାରଣ ସାଜେ । ୧୯୯୮ ମସିହାର ବନ୍ୟାରେ ପ୍ରାୟ ୩.୧ କୋଟି ଲୋକ ଓ ୨୦୦୪ ମସିହାର ବନ୍ୟାରେ ପ୍ରାୟ ୩.୬ କୋଟି ଲୋକ ପ୍ରଭାବିତ ହୋଇଥିଲେ । ବନ୍ୟା ନିୟନ୍ତ୍ରଣ ପାଇଁ ଅନେକ ଚେଷ୍ଟା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଅବସ୍ଥାରେ କୌଣସି ଉନ୍ନତି ନାହିଁ । ମଜୁଲି ଦ୍ୱୀପର ପ୍ରାୟ ଏକ-ତୃତୀୟାଂଶ ବନ୍ୟା ଜଳରେ ଧୋଇ ହୋଇଗଲାଣି । କଂକ୍ରିଟ୍ ନିର୍ମିତ ସଡ଼କ ଓ ନଦୀଶଯ୍ୟାରୁ ମୃତ୍ତିକା ଖନନଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ରସ୍ତାବ ପରେ ସରକାର ଏ ଦିଗରେ ପଦକ୍ଷେପ ନେଇଛନ୍ତି । ୨୦୧୭ ମସିହାରେ କେନ୍ଦ୍ର ସରକାରଙ୍କଦ୍ୱାରା ବ୍ରହ୍ମପୁତ୍ର ଏକ୍ସପ୍ରେସ୍ ରାଜପଥର ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି ।  

ଆଧାର[ସମ୍ପାଦନା]

  1. ୧.୦ ୧.୧ "Brahmaputra River". Encyclopædia Britannica.
  2. "Brahmaputra River Flowing Down From Himalayas Towards Bay of Bengal". Retrieved 22 November 2011.
  3. "Water Resources of Bangladesh". FAO. Archived from the original on 2009-08-06. Retrieved 2010-11-18.
  4. Gopal, Madan (1990). K.S. Gautam, ed. India through the ages. Publication Division, Ministry of Information and Broadcasting, Government of India. p. 80.
  5. Majuli, River Island. "Largest river island". Guinness World Records. Retrieved 6 September 2016.
  6. Singh, Vijay P.; Sharma, Nayan; C. Shekhar; P. Ojha (2004). The Brahmaputra Basin Water Resources. Springer. p. 113. ISBN 978-1-4020-1737-7. Retrieved 7 February 2011.