ହିମାଳୟ

ଉଇକିପିଡ଼ିଆ ରୁ
Jump to navigation Jump to search
ହିମାଳୟ ପର୍ବତଶ୍ରେଣୀ
ଆକାଶ ମାର୍ଗରୁ ଏଭେରେଷ୍ଟ ଶୃଙ୍ଗ ଓ ତାହାର ଚତୁଃପାର୍ଶ୍ଵର ଦୃଶ୍ୟ
Highest point
Peakଏଭେରେଷ୍ଟ୍ ଶୃଙ୍ଗ (ନେପାଳ ଏବଂ ଚୀନ)
Elevation୮୮୫୦ ମିଟର୍
Dimensions
Length୨୪୦୦
Geography
Countries
State/Provinceଏସିଆ
Range coordinates27°59′N 86°55′E / 27.983°N 86.917°E / 27.983; 86.917Coordinates: 27°59′N 86°55′E / 27.983°N 86.917°E / 27.983; 86.917

ହିମାଳୟ ପର୍ବତଶ୍ରେଣୀ ବା ହିମାଳୟ ପର୍ବତମାଳା ବା କେବଳ ହିମାଳୟ (ଇଂରାଜୀରେ Himalayas) ଏସିଆ ମହାଦେଶର ଏକ ପର୍ବତଶ୍ରେଣୀ ଯାହା ଭାରତୀୟ ଉପମହାଦେଶ ଓ ତିବ୍ବତୀୟ ମାଳଭୂମି ମଧ୍ୟରେ ଅବସ୍ଥିତ ।

ପୃଥିବୀର ଅନେକ ଉଚ୍ଚ ଗିରିଶୃଙ୍ଗ ଏହି ପର୍ବତମାଳାର ଅଂଶବିଶେଷ । ତନ୍ମଧ୍ୟରୁ ବିଶ୍ଵର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ୍ ଅନ୍ୟତମ । ହିମାଳୟ ପର୍ବତମାଳାରେ ୫୦ରୁ ଅଧିକ ପର୍ବତ ରହିଛି ଯାହାର ସମୁଦ୍ରପତନରୁ ଉଚ୍ଚତା ୭୨୦୦ ମିଟର୍ ବା ତତୋଧିକ । ୮୦୦୦ ମିଟର୍‍ରୁ ଉଚ୍ଚ ୧୪ଟି ଶୃଙ୍ଗ ମଧ୍ୟରୁ ୧୦ଟି ହିମାଳୟରେ ରହିଛି । ଏସିଆ ବାହାରେ ରହିଥିବା ସର୍ବୋଚ୍ଚ ଗିରିଶୃଙ୍ଗ ହେଉଛି ଆଣ୍ଡିଜ୍ ପର୍ବତମାଳାଆକାଙ୍କାଗୁଆ (୬୯୬୧ ମିଟର୍) ।[୧]

ଭାରତୀୟ ପ୍ଲେଟ୍ ସଞ୍ଚାଳିତ ହୋଇ ୟୁରେସିଆ ପ୍ଲେଟ୍ ସହିତ ଧକ୍କା ହେବା ପରେ ଦୁଇଟି ପ୍ଲେଟ୍ ଯଥାକ୍ରମେ ନିମ୍ନ ଓ ଉର୍ଦ୍ଧ୍ଵଗାମୀ ହେଲେ ଓ ସେଥିରୁ ହିମାଳୟ ସୃଷ୍ଟି ହୋଇଥିଲା । ହିମାଳୟ ପର୍ବତମାଳା ପଶ୍ଚିମ-ଉତ୍ତରପଶ୍ଚିମ ଓ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୨୪୦୦ କିଲୋମିଟର୍ ବ୍ୟାପ୍ତ ଏକ ବିଶାଳ ତୋରଣ ପରି ।[୨] ହିମାଳୟର ପଶ୍ଚିମସୀମା ହେଉଛି “ନଙ୍ଗା ପର୍ବତ”, ଯାହା ସିନ୍ଧୁ ନଦୀର ଉତ୍ତରତମ ବାଙ୍କର ଠିକ୍ ଦକ୍ଷିଣପଟକୁ ଅବସ୍ଥିତ । ହିମାଳୟର ପୂର୍ବ ସୀମା “ନାମ୍‍ଚା ବରୁଆ” ୟାର୍‍ଲୁଂ ତ୍ସାଂଗପୋ ନଦୀର (ନିଜର ଉପରମୁଣ୍ଡରେ ବ୍ରହ୍ମପୁତ୍ର ନଦୀ ଏହି ନାମରେ ଜଣାଶୁଣା) ବଡ଼ ବାଙ୍କର ଠିକ୍ ପଶ୍ଚିମ ପଟକୁ ରହିଛି । ହିମାଳୟର ଉତ୍ତର-ପୂର୍ବ ଦିଗକୁ କାରାକୋରମ୍ ଓ ହିନ୍ଦୁକୁଶ ପର୍ବତଶ୍ରେଣୀ ରହିଛନ୍ତି । ୫୦-୬୦ କିଲୋମିଟର୍ ପ୍ରସ୍ଥ ବିଶିଷ୍ଟ “ଇଣ୍ଡସ୍-ତ୍ସାଙ୍ଗପୋ ସୁଚ୍ୟର୍” ନାମକ ଟେକ୍ଟୋନିକ୍ ଉପତ୍ୟକା ହିମାଳୟର ଉତ୍ତରାଂଶକୁ ତିବ୍ବତୀୟ ମାଳଭୂମିଠାରୁ ବିଚ୍ଛିନ୍ନ କରୁଛି ।[୩] ହିମାଳୟ ବଳୟର ଦକ୍ଷିଣ ପଟକୁ ଗାଙ୍ଗେୟ ସମତଳ ଭୂମି ଅବସ୍ଥିତ ।[୪] ପଶ୍ଚିମ ପାକିସ୍ତାନରେ ହିମାଳୟ ପର୍ବତଶ୍ରେଣୀର ପ୍ରସ୍ଥ ୩୫୦ କି.ମି. ହୋଇଥିବା ବେଳେ ପୂର୍ବରେ (ଅରୁଣାଚଳ ପ୍ରଦେଶ) ଏହାର ପ୍ରସ୍ଥ ପ୍ରାୟ ୧୫୦ କି.ମି. ।[୫] ଯଦିଓ ହିମାଳୟ ଏସିଆର ଅନ୍ୟାନ୍ୟ ଉଚ୍ଚ ପର୍ବତଶ୍ରେଣୀଙ୍କଠାରୁ ପୃଥକ୍, କିନ୍ତୁ ବ୍ୟବହାରିକ ଇଂରାଜୀ ଶବ୍ଦ “ଗ୍ରେଟର୍ ହିମାଲୟା (Greater Himalaya)” କାରାକୋରମ୍ ଓ ଅନ୍ୟ କିଛି ପର୍ବତଶ୍ରେଣୀକୁ ମିଳିତ ଭାବେ ବୁଝାଇଥାଏ ।


ହିମାଳୟରେ ପ୍ରାୟ ୫୨୭ ଲକ୍ଷ ଲୋକ ବସବାସ କରନ୍ତି[୫] ଯେଉଁମାନେ ନେପାଳ, ଭାରତ, ଭୁଟାନ, ଚୀନ ଓ ପାକିସ୍ତାନ ଆଦି ଦେଶର ନାଗରିକ । ବିଶ୍ଵର କିଛି ପ୍ରମୁଖ ନଦୀ ଯଥା – ସିନ୍ଧୁ ନଦୀ, ଗଙ୍ଗା ନଦୀ, ୟାର୍‍ଲୁଂ-ତ୍ସାଂଗପୋ ନଦୀ (ବା ବ୍ରହ୍ମପୁତ୍ର ନଦୀ) ହିମାଳୟରୁ ବାହାରି ତଳକୁ ପ୍ରବାହିତ ହୁଅନ୍ତି ଓ ଏମାନଙ୍କ ଅବବାହିକାରେ ପାଖାପାଖି ୬୦୦ ଲକ୍ଷ ଲୋକ ବସବାସ କରନ୍ତି । ଭାରତର ଜଳବାୟୁ ଉପରେ ହିମାଳୟର ଖୁବ୍ ପ୍ରଭାବ ରହିଛି । ହିମାଳୟ ଯୋଗୁଁ ମୌସୁମୀ ବାୟୁ ଭାରତୀୟ ଉପମହାଦେଶରୁ ଖସି ତିବ୍ବତୀୟ ଉଚ୍ଚଭୂମିକୁ ଯାଇପାରେ ନାହିଁ । ପୁଣି ଭାରତୀୟ ଉପମହାଦେଶର ସଂସ୍କୃତିରେ ମଧ୍ୟ ହିମାଳୟର ଗଭୀର ଛାପ ରହିଛି ; ହିନ୍ଦୁ ଧର୍ମବୌଦ୍ଧ ଧର୍ମରେ ହିମାଳୟର ଶୃଙ୍ଗମାନଙ୍କୁ ପବିତ୍ର ବୋଲି କୁହାଯାଇଛି ।

ନାମକରଣ[ସମ୍ପାଦନା]

ସଂସ୍କୃତ ଶବ୍ଦ "ହିମ" (ଅର୍ଥାତ୍ ତୁଷାର) ଓ "ଆଳୟ" (ଅର୍ଥାତ୍ ଘର)ର ସନ୍ଧି ଘଟି "ହିମାଳୟ" ଶବ୍ଦର ସୃଷ୍ଟି ।[୬] ତେବେ “ହିମର ଆଳୟ : ହିମାଳୟ”କୁ ତତ୍‍ପୁରୁଷ ସମାସ ବୋଲି ମଧ୍ୟ କୁହାଯାଇପାରେ । ଏମିଲି ଡିକିନ୍‍ସନ୍ ନିଜ କବିତାରେ ଓ ହେନେରି ଡେଭିଡ୍ ଥୋରୁ ନିଜ ପ୍ରବନ୍ଧରେ ଏହାକୁ “ହିମାଲେଃ” ବୋଲି କହିଛନ୍ତି ।[୭][୮]

ନେପାଳୀ ଓ ତିବ୍ବତୀୟ ଭାଷାରେ ମଧ୍ୟ ଏହି ପର୍ବତମାଳାକୁ “ହିମାଲୟ” ବୋଲି କୁହାଯାଏ । ଉର୍ଦ୍ଦୁରେ ଏହାକୁ “ହିମାଲେଃ” ଓ ଚୀନୀ ଭାଷାରେ “ଜିମାଲୟା” ବୋଲି ଉଚ୍ଚାରଣ କରାଯାଏ ।

ଭୌଗୋଳିକ ବିଶେଷତା[ସମ୍ପାଦନା]

ହିମାଳୟର ତୋରଣ ବା ବଳୟ ଦର୍ଶାଉଥିବା ଏକ ଉପଗ୍ରହ ଚିତ୍ର
ମର୍ସ୍ୟାଙ୍ଗଡି ଉପତ୍ୟକା ଓ ଅନ୍ନପୂର୍ଣ୍ଣା-୨ ଶୃଙ୍ଗ

ହିମାଳୟ ବଳୟର ମଝାମଝି ନେପାଳରେ ୮୦୦୦ମି.ରୁ ଅଧିକ ଉଚ୍ଚତା ବିଶିଷ୍ଟ ଅନ୍ନପୂର୍ଣ୍ଣାଧୌଲାଗିରି ଶୃଙ୍ଗ ରହିଛନ୍ତି ଓ ଏମାନଙ୍କୁ କାଳୀ ଗଣ୍ଡକୀ ଗଣ୍ଡ ବିଭକ୍ତ କରୁଛି । ଏହି ଗଣ୍ଡ ହିମାଳୟକୁ ଦୁଇ ଭାଗରେ (ପୂର୍ବ ଭାଗ ଓ ପଶ୍ଚିମ ଭାଗ) ବିଭକ୍ତ କରିଥାଏ । କାଳୀ ଗଣ୍ଡକୀର ଉପର ପଟକୁ ଏକ ଗିରିପଥ ରହିଛି ଯାହାର ନାମ “କୋରା ଲା” ଗିରିପଥ । ଏଭେରେଷ୍ଟ୍ ଓ କେ-୨ (କେ-ଟୁ) ମଧ୍ୟବର୍ତ୍ତୀ ଉଚ୍ଚଭୂମିର ସର୍ବନିମ୍ନ ବିନ୍ଦୁଟି ହେଉଛି କୋରା-ଲା ଗିରିପଥ । ଅନ୍ନପୂର୍ଣ୍ଣାର ପୂର୍ବକୁ ୮୦୦୦ମି.ରୁ ଅଧିକ ଉଚ୍ଚତାବିଶିଷ୍ଟ ଶୃଙ୍ଗ ହେଲା “ମନାସ୍ଲୁ” ଓ ତିବ୍ବତର “ଶୀଶାପାଙ୍ଗମା” । ଏହି ଦୁଇ ଶୃଙ୍ଗର ଦକ୍ଷିଣକୁ ନେପାଳର ରାଜଧାନୀ ଓ ହିମାଳୟରେ ଥିବା ନଗରମାନଙ୍କ ମଧ୍ୟରେ ବୃହତ୍ତମ କାଠମାଣ୍ଡୁ ଅବସ୍ଥିତ । କାଠମାଣ୍ଡୁ ଉପତ୍ୟକାର ପୂର୍ବକୁ ତିବ୍ବତରୁ ବାହାରିଥିବା ଭୋତେ ବା ସୁନ୍ କୋଶୀ ନଦୀ ପ୍ରବାହିତ ହେଉଛି ଓ ଏଠାରେ ନେପାଳ-ଚୀନକୁ ସଂଯୋଗ କରୁଥିବା ଆରାନିକୋ ରାଜପଥ (ଚୀନର ଜାତୀୟ ରାଜପଥ - ୩୧୮) ଅବସ୍ଥିତ । ସେଠାରୁ ପୂର୍ବ ଦିଗକୁ ହିମାଳୟର “ମହାଲଙ୍ଗୁର ହିମାଳ” ଅଂଶ ରହିଛି ଏବଂ ବିଶ୍ଵର ସର୍ବୋଚ୍ଚ ୬ଟି ଶୃଙ୍ଗରୁ ଚାରୋଟି ପର୍ବତ ଚୋ ଓୟୁ, ଏଭରେଷ୍ଟ, ଲୋତ୍ସେମକାଲୁ ଅବସ୍ଥିତ । ଏଭେରେଷ୍ଟ୍ ଯିବାବାଟରେ ଦକ୍ଷିଣ-ପଶ୍ଚିମ ପଟକୁ ଖୁମ୍ଵୁ ଅଞ୍ଚଳ ରହିଛି ଯାହା ଟ୍ରେକିଂ (ପାହାଡ଼ରେ ଭ୍ରମଣ ଓ ପଦଚାରଣ) ପାଇଁ ପ୍ରସିଦ୍ଧ । ଏଠାକାର ଉତ୍ତର ପଟର ପର୍ବତର ଢାଲୁଆ ଅଂଶରେ ଅରୁଣ ନଦୀ ପ୍ରବାହିତ ଯାହା ପରେ ଦକ୍ଷିଣକୁ ବୁଲି ମକାଲୁର ପୂର୍ବ ପଟର ପାହାଡ଼ ଉପତ୍ୟକାକୁ ଅତିକ୍ରମ କରି ବହି ଯାଇଛି ।

ନେପାଳର ସୁଦୂର ପୂର୍ବରେ ହିମାଳୟ ବକ୍ଷରେ ଓ ଭାରତର ସୀମାରେ ପୃଥିବୀର ତୃତୀୟ ସର୍ବୋଚ୍ଚ ଶୃଙ୍ଗ କାଞ୍ଚନଜଙ୍ଘା ଦଣ୍ଡାୟମାନ । ୮୦୦୦ ମି.ରୁ ଉଚ୍ଚତର ଏହା ହିମାଳୟର ଶେଷ ଶୃଙ୍ଗ ଓ ଭାରତରେ ରହିଥିବା ସର୍ବୋଚ୍ଚ ଗିରିଶୃଙ୍ଗ । କାଞ୍ଚନଜଙ୍ଘାର ପୂର୍ବ ପଟକୁ ସିକ୍କିମ ରାଜ୍ୟ ଅବସ୍ଥିତ । ଭାରତରୁ ତିବ୍ବତର ଲାସାକୁ ଯିବା ରାସ୍ତାଟି ସିକ୍କିମ ରାଜ୍ୟ ଦେଇ ଯାଇଛି । ଏହି ରାସ୍ତାଟି ହିମାଳୟକୁ “ନାଥୁ ଲା” ଗିରିପଥଦ୍ଵାରା ଅତିକ୍ରମ କରିଛି । ସିକ୍କିମର ପୂର୍ବ ପଟକୁ ପ୍ରାଚୀନ ବୌଦ୍ଧ ରାଜ୍ୟ ଭୁଟାନ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କେହି ବି ଆରୋହଣ କରିପାରିନଥିବା ଅନ୍ୟତମ ଉଚ୍ଚ ଶୃଙ୍ଗ ଓ ଭୁଟାନର ଉଚ୍ଚତମ ପର୍ବତଟି ହେଲା ଗଂଗଖାର ପ୍ୟୁନ୍ସୁମ୍ । ଏହି ପାଖରୁ ହିମାଳୟର ଉପତ୍ୟକାରେ ଘନଜଙ୍ଗଲ ତଥା ଅଧିକ ଗଭୀର ଢଳାଣି ଦେଖିବାକୁ ମିଳେ । ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢ଼ିଲେ ଅରୁଣାଚଳ ପ୍ରଦେଶ ଓ ତିବ୍ବତ ଅତିକ୍ରମ କରିବା ପରେ ପୂର୍ବ ପଟର ଶେଷ ଶୃଙ୍ଗ “ନାମଚେ ବରୁଆ” ରହିଛି । ୟାରଲୁଂ ତ୍ସାଂଗପୋ ନଦୀର ବିରାଟ ବାଙ୍କରେ ଏହି ଗିରିଶୃଙ୍ଗ ଅବସ୍ଥିତ । ତ୍ସାଂଗପୋର ଅପର ପାର୍ଶ୍ଵରେ “କାଂଗ୍ରି ଗାର୍ପୋ” ପର୍ବତ ରହିଛି । ତ୍ସାଂଗପୋର ଉତ୍ତର ପଟକୁ ରହିଥିବା ସମସ୍ତ ଉଚ୍ଚ ପର୍ବତ ମଧ୍ୟରେ “ଗ୍ୟାଲା ପେରି” ଅନ୍ୟତମ ଏବଂ କେହିକେହି ଏମାନଙ୍କୁ ହିମାଳୟର ଅଂଶ ବୋଲି ଗଣନା କରିଥାନ୍ତି ।

ଧୌଲାଗିରି (ଧବଳଗିରି)ର ପଶ୍ଚିମକୁ ଗଲେ ପଶ୍ଚିମ-ନେପାଳରେ କୌଣସି ମହତ୍ତ୍ଵପୂର୍ଣ୍ଣ ପର୍ବତ ନାହିଁ କିନ୍ତୁ ନେପାଳର ବୃହତ୍ତମ ହ୍ରଦ ରାରା ହ୍ରଦ ଏହି ଅଞ୍ଚଳରେ ରହିଛି । ତିବ୍ବତରୁ ବାହାରିଥିବା କର୍ଣ୍ଣାଳୀ ନଦୀ ଏହି ଅଞ୍ଚଳ ଦେଇ ପ୍ରବାହିତ ହୋଇଛି । ଆଉ ପଶ୍ଚିମକୁ ଭାରତୀୟ ସୀମା ନିକଟରେ ସାରଦା ନଦୀ ପ୍ରବାହିତ ହେଉଛି । ଏଠାରେ ଚୀନକୁ ସଂଯୋଗ କରୁଥିବା ବାଣିଜ୍ୟ ପଥ ଓ ତିବ୍ବତୀୟ ଉଚ୍ଚଭୂମିର ଏକ ମୁଖ୍ୟ ଶୃଙ୍ଗ “ଗୁର୍ଲା ମାନ୍ଧାତା” ମଧ୍ୟ ରହିଛି । ମାନସରୋବର ହ୍ରଦର ଅପର ପାର୍ଶ୍ଵରେ କୈଳାସ ପର୍ବତ ରହିଛି । କୈଳାସ ପର୍ବତ ହିମାଳୟର ଅନେକ ମୁଖ୍ୟ ନଦୀର ଉତ୍ସ । ହିନ୍ଦୁ, ବୌଦ୍ଧ, ସୁଫି, ଜୈନ ଓ ବୋନ୍ପୋ ଧର୍ମରେ କୈଳାସ ପର୍ବତକୁ ଅତି ପବିତ୍ର ବୋଲି ପୂଜା କରାଯାଏ । ଭାରତର ନୂତନ ରାଜ୍ୟ ଉତ୍ତରାଖଣ୍ଡରେ ଥିବା ହିମାଳୟର ଅଂଶକୁ ଗଡ଼ୱାଲ ହିମାଳୟ ବୋଲି କୁହାଯାଏ । ଏହି ଅଂଶର ସର୍ବୋଚ୍ଚ ଶୃଙ୍ଗଗୁଡ଼ିକ ହେଲେ ନନ୍ଦାଦେବୀକାମେତ୍ବଦ୍ରିନାଥ ମନ୍ଦିର, କେଦାରନାଥ ମନ୍ଦିର, ଗଙ୍ଗାଯମୁନା ନଦୀର ଉତ୍ସ ଗଙ୍ଗୋତ୍ରୀଯମୁନୋତ୍ରୀ ରହିଥିବାରୁ ତୀର୍ଥଯାତ୍ରୀଙ୍କ ପାଇଁ ଉତ୍ତରାଖଣ୍ଡ ଏକ ମୁଖ୍ୟ ଆକର୍ଷଣ ।

ସେଠାରୁ ପଶ୍ଚିମକୁ ହିମାଚଳ ପ୍ରଦେଶ ରାଜ୍ୟ ଅବସ୍ଥିତ ଓ ବ୍ରିଟିଶ୍ ଶାସନ ସମୟରେ ଗ୍ରୀଷ୍ମକାଳର ରାଜଧାନୀ ବୋଲାଉଥିବା ଶୈଳନିବାସ ଶିମଳା ରହିଛି । ତିବ୍ବତରୁ ନିର୍ବାସିତ ଗୋଷ୍ଠୀଙ୍କ ମୁଖ୍ୟ ସ୍ଥଳ ଧର୍ମଶାଳା ସହର ମଧ୍ୟ ଏଠାରେ ରହିଛି । ଏଠାରୁ ପଶ୍ଚିମ ଭାଗକୁ ପଞ୍ଜାବ ହିମାଳୟ କୁହନ୍ତି ଓ ସିନ୍ଧୁ ନଦୀର ଏକ ମୁଖ୍ୟ ଉପନଦୀ ଶତଦ୍ରୁ (ଶତଲେଜ୍) ଏହି ଅଂଶକୁ ବିଖଣ୍ଡିତ କରି ପ୍ରବାହିତ ହେଉଛି । ସେଠାରୁ ପଶ୍ଚିମକୁ ହିମାଳୟ ଜମ୍ମୁ ଓ କାଶ୍ମୀର ରାଜ୍ୟର ଦକ୍ଷିଣାଂଶ ଦେଇ ଯାଇଛି । ଏହି ଅଂଶରେ ଥିବା ଯାଆଁଳା ଶୃଙ୍ଗ “ନୁନ୍ କୁନ୍” ୭୦୦୦ ମିଟର୍‍ରୁ ଅଧିକ ଉଚ୍ଚ । ତାହା ପରେ ପ୍ରସିଦ୍ଧ କାଶ୍ମୀର ଉପତ୍ୟକା ଏବଂ ଶ୍ରୀନଗରର ହ୍ରଦମାନ ଅବସ୍ଥିତ । ଏହାପରେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ହିମାଳୟ ପାକିସ୍ତାନରେ ପ୍ରବେଶ କରିଛି । ପଶ୍ଚିମତମ ଶୃଙ୍ଗ “ନଙ୍ଗା ପର୍ବତ” ୮୦୦୦ ମି.ରୁ ଅଧିକ ଉଚ୍ଚ ଓ ସିନ୍ଧୁ ନଦୀର ଉପତ୍ୟକାରୁ ହଠାତ୍ ୭୦୦୦ମି.ରୁ ଉଚ୍ଚ ଉଠିଛି ।

ଭୂବୈଜ୍ଞାନିକ ତଥ୍ୟ[ସମ୍ପାଦନା]

୪୦୦-୫୦୦ ଲକ୍ଷ ବର୍ଷ ପୂର୍ବେ ୟୁରେସୀୟ ପ୍ଲେଟ୍ ସହ ଧକ୍କା ହେବା ପୂର୍ବରୁ ଭାରତୀୟ ପ୍ଲେଟ୍‍ର ୬୦୦୦ କିଲେମିଟର୍ ଲମ୍ୱା ଯାତ୍ରା[୯]

ବୟସ ଦେଖିଲେ ହିମାଳୟ ବିଶ୍ଵର ନୂତନତମ ପର୍ବତମାଳାମାନଙ୍କ ମଧ୍ୟରେ ପରିଗଣିତ ହୋଇଥାଏ । ଆଧୁନିକ ପ୍ଲେଟ୍ ତଥ୍ୟ ଅନୁସାରେ ୟୁରେସୀୟ ଓ ଭାରତ-ଅଷ୍ଟ୍ରେଲୀୟ ପ୍ଲେଟ୍‍ର ଧକ୍କା ଫଳରେ ଉଭୟଙ୍କ ସୀମା ନିକଟରେ ଭୂପୃଷ୍ଠ ଉପରକୁ ଉଠି ହିମାଳୟ ସୃଷ୍ଟି ହୋଇଛି । ବ୍ରହ୍ମଦେଶଆରାକାନ୍ ୟୋମା ଉଚ୍ଚଭୂମି ଓ ବଙ୍ଗୋପସାଗରରେ ସ୍ଥିତ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ମଧ୍ୟ ଏହି ମହାଦେଶୀୟ ସଞ୍ଚାଳନ ଯୋଗୁଁ ସୃଷ୍ଟି ହୋଇଛନ୍ତି ।

ପ୍ରାୟ ୭୦୦ ଲକ୍ଷ ବର୍ଷ ପୂର୍ବେ ପର-କ୍ରିଟେସିୟସ୍ କାଳରେ ଉତ୍ତରକୁ ଗତି କରୁଥିବା ଭାରତ-ଅଷ୍ଟ୍ରେଲୀୟ ପ୍ଲେଟ୍ ବାର୍ଷିକ ୧୫ ସେଣ୍ଟିମିଟର୍ ଆଗକୁ ବଢ଼ୁଥିଲା ଓ ପରେ ବିଭକ୍ତ ହୋଇ ଭାରତୀୟ ପ୍ଲେଟ୍ ଓ ଅଷ୍ଟ୍ରେଲୀୟ ପ୍ଲେଟ୍ ସୃଷ୍ଟି ହେଲା ।[୧୦] ୫୦୦ ଲକ୍ଷ ବର୍ଷ ପୂର୍ବେ ଏହି ଭାରତ-ଅଷ୍ଟ୍ରେଲୀୟ ପ୍ଲେଟ୍‍ର ଗତି ଯୋଗୁଁ ଟିଥାଇସ୍ ମହାସାଗରର ବିଲୋପ ଘଟିଲା । ଏହାର ପ୍ରମାଣ ମହାସାଗର ଗର୍ଭରେ ଥିବା ପ୍ରସ୍ତରରୁ ମିଳେ । ଧକ୍କା ଖାଉଥିବା ଉଭୟ ପ୍ଲେଟ୍‍ର ଧାର ନିମ୍ନ ସାନ୍ଦ୍ରତା ବିଶିଷ୍ଟ ହୋଇଥିବାରୁ ଧକ୍କା ପରେ ମହାସାଗରୀୟ ଖାଇ ସୃଷ୍ଟି ହେବା ପରିବର୍ତ୍ତେ, ସେମାନେ ସ୍ତରୀଭୂତ ହୋଇ ପର୍ବତ ଆକାର ଧାରଣ କରିଥିଲା ।[୯] ଏଭେରେଷ୍ଟ ଶୃଙ୍ଗର ଗଠନରେ ପ୍ରାଚୀନ ମହାସାଗରର ସାମୁଦ୍ରିକ ଚୂନପଥର ଏକ ଉପାଦାନ ହୋଇଥିବାର ଯୁକ୍ତି ଏହି ପ୍ରକ୍ରିୟା ଘଟିଥିବାର ପ୍ରମାଣ ଦିଏ ।[୧୧]

ବର୍ତ୍ତମାନ ସୁଦ୍ଧା ଭାରତୀୟ ପ୍ଲେଟ୍ ତିବ୍ବତୀୟ ଉଚ୍ଚଭୂମିକୁ ଧକ୍କା ଦେଉଛି ଏବଂ ଫଳରେ ତିବ୍ବତୀୟ ଉଚ୍ଚଭୂମିର ସମୁଦ୍ରପତନରୁ ଉଚ୍ଚତା ପ୍ରତିବର୍ଷ ବଢ଼ୁଛି ।[୧୨] ବର୍ତ୍ତମାନ ସମୟରେ ଭାରତୀୟ ପ୍ଲେଟ୍‍ର ବେଗ ହେଲା ବର୍ଷକୁ ୬୭ ମିଲିମିଟର୍ ଓ ଏହି ବେଗରେ ବଢ଼ିଲେ ଆଗାମୀ ୧ କୋଟି ବର୍ଷରେ ଏହା ଏସିଆ ଭୂଖଣ୍ଡର ୧୫୦୦ କି.ମି. ଭିତରକୁ ପଶିଯିବ । ହିମାଳୟ ପର୍ବତଶ୍ରେଣୀ ପ୍ରତିବର୍ଷ ଏହି ସଞ୍ଚାଳନରୁ ୨୦ ମି.ମି. ଧକ୍କା ଗ୍ରହଣ କରିନେଇଥାଏ । ଏହି କାରଣରୁ ହିମାଳୟର ଉଚ୍ଚତା ପ୍ରତିବର୍ଷ ୫ ମି.ମି. ବଢ଼ୁଥାଏ ଓ ଭୂବିଜ୍ଞାନ ଦୃଷ୍ଟିକୋଣରୁ ହିମାଳୟ ଅତ୍ୟନ୍ତ ସକ୍ରିୟ । ଏହି ସଞ୍ଚାଳନ ଯୋଗୁଁ ହିମାଳୟ ଅଞ୍ଚଳରେ ପ୍ରତିବର୍ଷ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଥାଏ ।

ହିମଯୁଗରେ କାଞ୍ଚନଜଙ୍ଘା ଓ ନଙ୍ଗା ପର୍ବତ ମଧ୍ୟରେ ଏକ ଗ୍ଲେସିଅର୍ ସଂଯୋଗ ରହିଥିଲା ।[୧୩][୧୪] ପଶ୍ଚିମରେ ଏହି ଗ୍ଲେସିଅର୍ କାରାକୋରମ୍ ପର୍ବତଶ୍ରେଣୀ ଓ ଉତ୍ତରରେ ତିବ୍ବତୀୟ ବରଫାବୃତ ଅଞ୍ଚଳ ପର୍ଯ୍ୟନ୍ତ ସଂଯୁକ୍ତ ଥିଲା । ଦକ୍ଷିଣକୁ ୧୦୦୦-୨୦୦୦ମି. ଉଚ୍ଚତାରୁ ଉପରକୁ ଏହି ଗ୍ଲେସିଅର୍ ରହିଥିଲା ଓ ତଳ ପଟକୁ ଏହାର ସତ୍ତା କ୍ଷୀଣ ହୋଇ ଆସିଥିଲା ।[୧୩][୧୫] ଏବେ ହିମାଳୟର କିଛି ଗ୍ଲେସିଅର୍ ୨୦ରୁ ୩୨ କି.ମି. ବ୍ୟାପ୍ତ ଥିବା ବେଳେ ହିମଯୁଗରେ ଅନେକ ଗ୍ଲେସିଅର୍ ୬୦ରୁ ୧୧୨ କି.ମି. ପର୍ଯ୍ୟନ୍ତ ବ୍ୟାପ୍ତ ଥିଲେ ।[୧୩] ସେତେବେଳର ହାରାହାରି ତାପମାତ୍ରା ଏବେଠାରୁ ଅତି କମରେ ୭-୮.୩° ସେଲ୍‍ସିୟସ୍ କମ୍ ଥିଲା ।[୧୬]

ଜଳ ସମ୍ପଦ[ସମ୍ପାଦନା]

ହିମାଳୟର ଉପତ୍ୟକାରେ ସିନ୍ଧୁ ଓ ଜାନ୍ସକାର୍ ନଦୀର ସଙ୍ଗମ ସ୍ଥଳ
ସିକ୍କିମର ୟୁମତାଂଗ୍ ନଦୀ ଉପତ୍ୟକା ଓ ୟୁମସୋଂଡୋଂରେ ହିମାଳୟର ଅଂଶ

ଅନେକ ନଦୀ ହିମାଳୟକୁ ସ୍ଥାନେ ସ୍ଥାନେ ବିଶେଷ କରି ପୂର୍ବ ପାର୍ଶ୍ଵରେ ବିଖଣ୍ଡିତ କରି ବହି ଯାଇଛନ୍ତି । ହିମାଳୟର ନଦୀଗୁଡ଼ିକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରିହେବ ।

  • ପଶ୍ଚିମ ପଟର ନଦୀଗୁଡ଼ିକ ମୁଖ୍ୟତଃ ସିନ୍ଧୁ ନଦୀ ଅବବାହିକାକୁ ଜଳ ନିଷ୍କାସନ କରନ୍ତି । ସିନ୍ଧୁ ନଦୀ ହିମାଳୟର ଉତ୍ତର-ପଶ୍ଚିମ ସୀମା ନିର୍ଦ୍ଧାରଣ କରିଥାଏ । ଏହା ତିବ୍ବତରେ ସୃଷ୍ଟି ହୋଇ ଭାରତ ଓ ପାକିସ୍ତାନ ମଧ୍ୟଦେଇ ପ୍ରବାହିତ ହେବା ପରେ ଆରବ ସାଗରରେ ପ୍ରବେଶ କରେ । ହିମାଳୟର ଦକ୍ଷିଣକୁ ପଞ୍ଜାବର ପାଞ୍ଚଟି ଉପନଦୀ ଝେଲମ୍, ଚେନାବ୍, ରାବି, ବେଆସ୍ଶତଲେଜ୍ ସିନ୍ଧୁ ନଦୀକୁ ନିଷ୍କାସିତ ହୁଅନ୍ତି ।
  • ପୂର୍ବ ପଟର ନଦୀଗୁଡ଼ିକ ଗଙ୍ଗା-ବ୍ରହ୍ମପୁତ୍ର ଅବବାହିକାକୁ ଜଳ ନିଷ୍କାସନ କରିଥାନ୍ତି । ଗଙ୍ଗା, ବ୍ରହ୍ମପୁତ୍ର, ଯମୁନା ଓ ଏମାନଙ୍କ ବହୁ ଉପନଦୀ ଏହି ଶ୍ରେଣୀର ମୁଖ୍ୟ ନଦୀ । ବ୍ରହ୍ମପୁତ୍ର ତିବ୍ବତରେ ୟାରଲୁଂ-ତ୍ସାଂଗପୋ ନାମରେ ପ୍ରବାହିତ ହୁଏ ଓ ପରେ ଆସାମ ରାଜ୍ୟ ଦେଇ ପ୍ରବାହିତ ହୁଏ । ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀ ବଙ୍ଗଳାଦେଶରେ ମିଳିତ ହେବା ପରେ ବିଶ୍ଵର ସର୍ବବୃହତ୍ ତ୍ରିକୋଣଭୂମି (ସୁନ୍ଦରବନ) ସୃଷ୍ଟି କରି ବଙ୍ଗୋପସାଗରରେ ନିଷ୍କାସିତ ହୋଇଥାନ୍ତି ।[୧୭]

ଗ୍ୟାଲା ପେରି ଓ ୟାରଲୁଂ ତ୍ସାଂଗପୋର ଉତ୍ତରକୁ ରହିଥିବା ପର୍ବତମାନଙ୍କରେ ପ୍ରବାହିତ ସ୍ରୋତଗୁଡ଼ିକ ଈରାବତୀ ନଦୀରେ ମିଳିତ ହୋଇଥାନ୍ତି । ଈରାବତୀ ନଦୀ ତିବ୍ବତରୁ ବାହାରି ବ୍ରହ୍ମଦେଶ ମଧ୍ୟ ଦେଇ ପ୍ରବାହିତ ହୁଏ ଓ ଆଣ୍ଡାମାନ ସାଗରରେ ମିଳିତ ହୁଏ । ତିବ୍ବତୀୟ ମାଳଭୂମିରୁ ବାହାରୁଥିବା ସାଲୱିନ୍, ମେକଂ, ୟାଂଗଜେପୀତ ନଦୀ ହିମାଳୟ ବ୍ୟବସ୍ଥାର ନଦୀ ରୂପେ ପରିଗଣିତ ହୁଅନ୍ତି ନାହିଁ । କିଛି ଭୂବିଜ୍ଞାନବିତ୍ ଏମାନଙ୍କୁ ପରି-ହିମାଳୟ ନଦୀ (circum-Himalayan rivers) ବୋଲି କୁହନ୍ତି ।[୧୮]

ଗ୍ଲେସିଅର୍ (ତୁଷାର ସ୍ରୋତ)[ସମ୍ପାଦନା]

ଦକ୍ଷିଣ ଅନ୍ନପୂର୍ଣ୍ଣା ଗ୍ଲେସିଅର୍

ହିମାଳୟକୁ ମିଶାଇ କେନ୍ଦ୍ରୀୟ ଏସିଆର ପର୍ବତଶ୍ରେଣୀମାନଙ୍କରେ ପୃଥିବୀର ତୃତୀୟ ସର୍ବାଧିକ ବରଫ ଓ ତୁଷାର ଦେଖିବାକୁ ମିଳେ । ଏହି ତାଲିକାରେ ପ୍ରଥମ ଦୁଇଟି ସ୍ଥାନ ଆଣ୍ଟାର୍କଟିକା (କୁମେରୁ) ଓ ସୁମେରୁ ଅକ୍ତିଆର କରିଛନ୍ତି ।[୧୯] ହିମାଳୟ ପର୍ବତମାଳାରେ ୧୫୦୦୦ଟି ଗ୍ଲେସିଅର୍ ରହିଛନ୍ତି ଓ ଏହି ଗ୍ଲେସିଅର୍‍ମାନଙ୍କର ମଧୁର ଜଳର ଘନତା ୧୨୦୦୦ ବର୍ଗ କିଲୋମିଟର୍ ।[୨୦] ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ, ଏଭେରେଷ୍ଟର ଖୁମ୍ଵୁ ଗ୍ଲେସିଅର୍, ଲାଂଗ୍‍ତାଂଗ୍‍ର ଲାଂଗ୍‍ତାଂଗ୍ ଗ୍ଲେସିଅର୍ ଏବଂ ସିକ୍କିମର ଜେମୁ ଗ୍ଲେସିଅର୍‍ମାନଙ୍କ ମଧ୍ୟରେ ଉଲ୍ଲେଖନୀୟ ।

ହିମାଳୟର ଅକ୍ଷାଂଶ କର୍କଟ କ୍ରାନ୍ତିର ନିକଟବର୍ତ୍ତୀ ହୋଇଥିବା ଯୋଗୁଁ ଏହାର ବରଫ ଓ ତୁଷାର ପରିମାଣ ସାମାନ୍ୟ ଅଧିକ ।[୨୧] ନିଉ ଗିନିଆ, ରେଞ୍ଜୋରିସ୍କଲୋମ୍ଵିଆ ବିଷୁବ ରେଖା ନିକଟବର୍ତ୍ତୀ ହୋଇଥିବାରୁ ଏଠାରେ ଅପେକ୍ଷାକୃତ କମ୍ ତୁଷାର ଗଚ୍ଛିତ ରହିପାରେ ।[୨୨] ହିମାଳୟର ଅତ୍ୟୁଚ୍ଚ ଶିଖରଗୁଡ଼ିକ ବର୍ଷ ତମାମ ବରଫାବୃତ ରୁହନ୍ତି ଓ ବିଭିନ୍ନ ଚିରସ୍ରୋତା ନଦୀର ଉତ୍ସର ଭୂମିକା ଗ୍ରହଣ କରିଥାନ୍ତି ।

ବିଶ୍ଵତାପନ ଯୋଗୁଁ ବର୍ତ୍ତମାନ ସମୟରେ ଗ୍ଲେସିଅର୍‍ଗୁଡ଼ିକ କମିବାରେ ଲାଗିଛି ।[୨୩] ଉଦାହରଣ ସ୍ଵରୂପ ଭୁଟାନରେ ଅନେକ ତୁଷାର ସ୍ରୋତରୁ ଉତ୍ପନ୍ନ ହ୍ରଦ ଦେଖିବାକୁ ମିଳୁଛି । ଯଦିଓ ନିକଟ ଭବିଷ୍ୟତରେ ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ, ପରେ ଏହା ଶୁଷ୍କ ଋତୁରେ ପାଣିର ସମସ୍ୟା ସୃଷ୍ଟି କରିବ ।[୨୪]

ହ୍ରଦ[ସମ୍ପାଦନା]

ସିକ୍କିମର ଗୁରୁଡୋଂଗମାର୍ ହ୍ରଦ

ହିମାଳୟ ସାରା ବହୁତ ଗୁଡ଼ିଏ ହ୍ରଦ ରହିଛି । ଆକାରରେ ବଡ଼ ହ୍ରଦମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତର ପଟକୁ ରହିଛନ୍ତି । ଏହି ହ୍ରଦମାନଙ୍କ ମଧ୍ୟରୁ ସବୁଠାରୁ ପ୍ରସିଦ୍ଧ ହେଉଛି କୈଳାସ ପର୍ବତ ନିକଟରେ ରହିଥିବା ପବିତ୍ର ମାନସରୋବର ହ୍ରଦ (କ୍ଷେତ୍ରଫଳ – ୪୧୦ ବର୍ଗ କିଲୋମିଟର୍ ଓ ସମୁଦ୍ରପତନରୁ ଉଚ୍ଚତା ୪୫୯୦ ମିଟର୍) । ନିକଟରେ ଥିବା ରାକ୍ଷସତାଲ୍ ହ୍ରଦକୁ (କ୍ଷେତ୍ରଫଳ ୨୫୦ ବର୍ଗ କିଲୋମିଟର୍, ସମୁଦ୍ରପତନରୁ ଉଚ୍ଚତା ୪୫୭୫ ମିଟର୍‍ରୁ କମ୍) ମାନସରୋବରରୁ ପାଣି ପ୍ରବାହିତ ହୁଏ । ପାଂଗୋଂଗ୍ ତ୍ସୋ ହ୍ରଦ (କ୍ଷେତ୍ରଫଳ ୭୦୦ ବର୍ଗ କିଲୋମିଟର୍) ଭାରତ ଓ ଚୀନର ଅନ୍ତର୍ଜାତୀୟ ସୀମାକୁ ବ୍ୟାପି ରହିଛି । ଦକ୍ଷିଣ ତିବ୍ବତରେ ୟମଦ୍ରୋକ୍ ତ୍ସୋ (କ୍ଷେତ୍ରଫଳ ୬୩୮ ବର୍ଗ କିଲୋମିଟର୍) ନାମକ ହ୍ରଦ ରହିଛି । ପୁମା ୟୁମକୋ ହ୍ରଦ ନାମକ ଆଉ ଏକ ବଡ଼ ହ୍ରଦ ୫୦୩୦ ମିଟର୍ ଉଚ୍ଚତାରେ ରହିଛି ।

ପର୍ବତଶ୍ରେଣୀର ଦକ୍ଷିଣ ପଟକୁ ରହିଥିବା ହ୍ରଦଗୁଡ଼ିକ ଆକାରରେ କ୍ଷୁଦ୍ରତର । ନେପାଳର ଅନ୍ନପୂର୍ଣ୍ଣା ପର୍ବତ ନିକଟରେ ଥିବା ତିଲିଚୋ ହ୍ରଦ ପୃଥିବୀର ଉଚ୍ଚତମ ହ୍ରଦମାନଙ୍କ ମଧ୍ୟରେ ଗଣା । ଅନ୍ୟ କିଛି ଉଲ୍ଲେଖଯୋଗ୍ୟ ହ୍ରଦ ହେଲେ – ପଶ୍ଚିମ ନେପାଳର ରାରା ହ୍ରଦ, ନେପାଳର ଶେ ଫୋକ୍‍ସୁଂଦୋ ଜାତୀୟ ଉଦ୍ୟାନରେ ରହିଥିବା ଶେ ଫୋକ୍‍ସୁଂଦୋ ହ୍ରଦ, ଉତ୍ତର ସିକ୍କିମରେ ଥିବା ଗୁରୁଡୋଂଗମାର ହ୍ରଦ, ନେପାଳର ସୋଲୁଖୁମ୍ଵୁ ଜିଲ୍ଲାରେ ଥିବା ଗୋକ୍ୟୋ ହ୍ରଦ, ଭାରତ-ଚୀନ ସୀମା ନିକଟରେ ରହିଥିବା ସିକ୍କିମର ତ୍ସୋଂଗମୋ ହ୍ରଦ

କିଛି ହ୍ରଦ ଗ୍ଲେସିଅର୍ ଯୋଗୁଁ ସୃଷ୍ଟ ହୋଇଥିବାରୁ ଏମାନଙ୍କଠାରୁ ବିପଦର ସମ୍ଭାବନା ରହିଛି । ନେପାଳର ରୋୱାଲିଂ ଉପତ୍ୟକାତ୍ସୋ ରୋଲ୍ପା ଏକ ଅତି ବିପଦପୂର୍ଣ୍ଣ ହ୍ରଦ ଯାହା ଭବିଷ୍ୟତରେ ବନ୍ୟା ସମ୍ଭାବନା ସୃଷ୍ଟି କରିପାରେ । ଗ୍ଲେସିଅର୍ ତରଳୁଥିବାରୁ ୪୫୮୦ ମିଟର୍ ଉଚ୍ଚତାରେ ଥିବା ଏହି ହ୍ରଦର କ୍ଷେତ୍ରଫଳ ଗତ ୫୦ ବର୍ଷ ହେଲା କ୍ରମାଗତ ବଢ଼ିଚାଲିଛି । [୨୫][୨୬] ଗ୍ଲେସିଅର୍ ଯୋଗୁଁ ପାର୍ବତୀୟ ହ୍ରଦ ସୃଷ୍ଟି ହେଲେ ସେମାନଙ୍କୁ “ଟାର୍ଣ୍ଣ୍” ବୋଲି କୁହାଯାଏ । ହିମାଳୟର ଉଚ୍ଚ ଅଂଶରେ (ସମୁଦ୍ରପତନରୁ ୫୫୦୦ ମିଟର୍‍ରୁ ଅଧିକ ଉଚ୍ଚରେ) ଏହି ଟାର୍ଣ୍ଣ୍ ସବୁ ରହିଥାଏ ।[୨୭]

ଜଳବାୟୁ ଓ ପାଣିପାଗ[ସମ୍ପାଦନା]

ଉପର ମଷ୍ଟାଂଗ୍
ଅନ୍ନପୂର୍ଣ୍ଣା ପର୍ବତଶ୍ରେଣୀ

ପରିବ୍ୟାପ୍ତ, ଉଚ୍ଚ ଓ ଜଟିଳ ଭୂଗଠନ ଯୋଗୁଁ ହିମାଳୟର ବିଭିନ୍ନ ଅଂଶରେ ଭିନ୍ନ ଜଳବାୟୁ ଅନୁଭୂତ ହୋଇଥାଏ । ନିମ୍ନ ଦେଶରେ ଆର୍ଦ୍ର ଉପକ୍ରାନ୍ତୀୟ ଓ ତିବ୍ବତ ପଟେ ଶୁଷ୍କ ଶୀତଳ ମରୁଭୂମି ଦେଖିବାକୁ ମିଳେ । ପଶ୍ଚିମାଂଶକୁ ଛାଡ଼ିଦେଲେ ହିମାଳୟ ପର୍ବତମାଳାର ଦକ୍ଷିଣ ପଟର ଭୂଭାଗ ମୌସୁମୀ ପ୍ରବାହର ବଳୟରେ ଆସେ । ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ଯୋଗୁଁ ଏଠାରେ ଜୁନ୍ ମାସରୁ ନେଇ ସେପ୍ଟେମ୍ଵର ମାସ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥାଏ । ହିମାଳୟରେ ବର୍ଷ ଯୋଗୁଁ ଗମନାଗମନ ଓ ପରିବହନ ବାଧାପ୍ରାପ୍ତ ହୋଇଥାଏ ଓ ସ୍ଥାନେ ସ୍ଥାନେ ଅତଡ଼ା ଧସିଯାଏ । ତେଣୁ ମୌସୁମୀ ସମୟରେ (ଅପ୍ରେଲ୍-ମଇରୁ ସେପ୍ଟେମ୍ଵର-ଅକ୍ଟୋବର ପର୍ଯ୍ୟନ୍ତ) ପର୍ଯ୍ୟଟନ, ପର୍ବତାରୋହଣ, ଟ୍ରେକିଂ ଇତ୍ୟାଦି କାର୍ଯ୍ୟକଳାପ ବାଧାପ୍ରାପ୍ତ ହୁଏ । ନେପାଳ ଓ ସିକ୍କିମର ଲୋକେ ୫ଟି ଋତୁ ଥିବା ବିଶ୍ଵାସ କରନ୍ତି – ଗ୍ରୀଷ୍ମ, ବର୍ଷା, ଶରତ, ଶୀତ ଓ ବସନ୍ତ ।

କୋପ୍ପେନ୍ ଜଳବାୟୁ ବର୍ଗୀକରଣ ଅନୁସାରେ ହିମାଳୟର ନିମ୍ନ ଓ ମଧ୍ୟ ଦେଶରେ ଆର୍ଦ୍ର ଉପକ୍ରାନ୍ତୀୟ ଜଳବାୟୁ ଓ ଶୀତ ଦିନରେ ଶୁଷ୍କ ଜଳବାୟୁ ଅନୁଭୂତ ହୁଏ । ଉଚ୍ଚ ଦେଶରେ ଉପକ୍ରାନ୍ତୀୟ ଉଚ୍ଚଭୂମି ଜଳବାୟୁ ଅନୁଭୂତ ହୋଇଥାଏ ।

ପଶ୍ଚିମ ପାର୍ଶ୍ଵର ସିନ୍ଧୁ ଓ କାଶ୍ମୀର ଉପତ୍ୟକାରେ ମୌସୁମୀ ପ୍ରବାହ ଯୋଗୁଁ ଅଧିକ ବୃଷ୍ଟିପାତ ହୋଇନଥାଏ ବରଂ ବସନ୍ତ ସମୟରେ ଅଧିକ ବର୍ଷା ହୋଇଥାଏ । ଶ୍ରୀନଗରରେ ୭୨୩ ମି.ମି. ବୃଷ୍ଟିପାତ ହୁଏ, ଯାହା ଶିମଳା ଓ କାଠମାଣ୍ଡୁର ବୃଷ୍ଟିପାତର ପ୍ରାୟ ଅଧା ଭାଗ ମାତ୍ର ଓ ମାର୍ଚ୍ଚ୍-ଅପ୍ରେଲ୍ ମାସରେ ଶ୍ରୀନଗରରେ ସର୍ବାଧିକ ବର୍ଷା ହୋଇଥାଏ ।

ଉତ୍ତର ପଟର ତିବ୍ବତୀୟ ହିମାଳୟ ଶୁଷ୍କ ଶୀତଳ ମରୁ ଅଞ୍ଚଳ ଓ ଏହାର ପଶ୍ଚିମାଂଶରେ ବାୟୁ ପ୍ରବାହର ମାତ୍ରା ଅଧିକ । ଏଠାରେ ସବୁଜିମାର ଅଭାବ ଦେଖାଯାଏ ଓ ଶୀତ ଦିନେ ଅସହ୍ୟ ଥଣ୍ଡା ହୁଏ । ଶୀତ ଋତୁର ଶେଷ ଓ ବସନ୍ତ ଋତୁରେ ଏଠାରେ ତୁଷାରପାତ ରୂପେ ବର୍ଷା ହୁଏ ।

ଭାରତୀୟ ଉପମହାଦେଶ ଓ ତିବ୍ବତୀୟ ମାଳଭୂମିର ଜଳବାୟୁ ଉପରେ ହିମାଳୟର ଗଭୀର ପ୍ରଭାବ ରହିଛି । ହିମାଳୟ ଯୋଗୁଁ ଦକ୍ଷିଣମୁଖୀ ଶୀତଲହରି ଭାରତୀୟ ଉପମହାଦେଶରେ ପ୍ରବେଶ କରିପାରେ ନାହିଁ, ତେଣୁ ଦକ୍ଷିଣ ଏସିଆର ଜଳବାୟୁକୁ ଉଷ୍ମ ରଖିବାରେ ସହାୟକ ହୁଏ । ପୁଣି ହିମାଳୟ ଯୋଗୁଁ ଉତ୍ତରମୁଖୀ ମୌସୁମୀ ପ୍ରବାହ ଭାରତ ବାହାରକୁ ଯାଇପାରେ ନାହିଁ । ହିମାଳୟ ଯୋଗୁଁ କେନ୍ଦ୍ରୀୟ ଏସିଆରେ ତାକ୍‍ଲାମାକାନ୍ ଓ ଗୋବି ମରୁଭୂମି ସୃଷ୍ଟି ହୋଇଥିବା ବିଶ୍ଵାସ କରାଯାଏ ।[୨୮]

ଜୀବମଣ୍ଡଳ[ସମ୍ପାଦନା]

ପରିବେଶ, ବୃଷ୍ଟିପାତ, ସମୁଦ୍ରପତନରୁ ଉଚ୍ଚତା ଓ ମୃତ୍ତିକା ଅନୁସାରେ ହିମାଳୟର ଜୀବମଣ୍ଡଳରେ ସାମାନ୍ୟ ବିଭିନ୍ନତା ଦେଖାଯାଏ । ହିମାଳୟର ପାଦଦେଶର ଜଳବାୟୁ କ୍ରାନ୍ତୀୟ ହୋଇଥିବା ବେଳେ ଉଚ୍ଚ ପର୍ବତମାନ ବର୍ଷସାରା ବରଫାବୃତ । ଦକ୍ଷିଣ-ହିମାଳୟର ପଶ୍ଚିମ ପଟ ତୁଳନାରେ ପୂର୍ବ ପଟକୁ ବୃଷ୍ଟିପାତର ମାତ୍ରା ଅଧିକ ହୋଇଥାଏ । ବୃଷ୍ଟିପାତ, ଉଚ୍ଚତା ଓ ମୃତ୍ତିକାର ପ୍ରକାରରେ ବିଭିନ୍ନତା ତଥା ତୁଷାରାଚ୍ଛନ୍ନ ପର୍ବତ ଯୋଗୁଁ ଏଠାକାର ଜୈବମଣ୍ଡଳରେ ବିଭିନ୍ନ ଜୀବଜନ୍ତୁ ବାସ କରିବା ଦେଖାଯାଏ । ସମୁଦ୍ରପତନରୁ ଅତ୍ୟଧିକ ଉଚ୍ଚତା ଓ ନିମ୍ନ ବାୟୁମଣ୍ଡଳୀୟ ଚାପ ପରି କଠୋର ଜଳବାୟୁ ସହନ କରିବାର କ୍ଷମତା ଏହି ଜୀବମାନଙ୍କଠାରେ ଦେଖିବାକୁ ମିଳେ ।[୨୯]

ଅତ୍ୟଧିକ ଉଚ୍ଚତାରେ ହିମାଳୟର ଲୁପ୍ତପ୍ରାୟ ଓ ମାୟାବୀ ଜନ୍ତୁ ହିମ କଲରାପତ୍ରିଆ ବାଘ ବସବାସ କରେ ଓ ସେ ଏଠାକାର ଖାଦ୍ୟ ଶୃଙ୍ଖଳର ସର୍ବୋଚ୍ଚ ଜୀବ । ତୁଷାର ଓ ପଥୁରିଆ ଶିଖରରେ ରହୁଥିବା ଭରାଲ୍ (ବା ହିମାଳୟ ନୀଳ ମେଣ୍ଢା) ପରି ଜୀବ ହିମ କଲରାପତ୍ରିଆ ବାଘର ମୁଖ୍ୟ ଆହାର । ଅଧିକ ଉଚ୍ଚତାରେ ହିମାଳୟ କସ୍ତୁରୀ ମୃଗ ମଧ୍ୟ ଦେଖାଯାଏ । କସ୍ତୁରୀ ପାଇଁ ଏମାନଙ୍କୁ ବହୁମାତ୍ରାରେ ଶିକାର କରାଯାଇ ଆସୁଥିବାରୁ ବର୍ତ୍ତମାନ ଏମାନେ ବିରଳ ଓ ଲୁପ୍ତପ୍ରାୟ । ହିମାଳୟ ଥାର୍, ତେକିନ୍, ସିରୌ ଛେଳି, ଗୋରାଲ୍ ଛେଳି ପ୍ରଭୃତି ଏହି ଅଞ୍ଚଳର ମୁଖ୍ୟ ତୃଣଭୋଜୀ ପ୍ରାଣୀ । ହିମାଳୟରେ ଅଧିକ ସଂଖ୍ୟାରେ ହିମାଳୟ କଳା ଭାଲୁ ଓ ବର୍ତ୍ତମାନ ଅତି ବିରଳ ହିମାଳୟ ମାଟିଆ ଭାଲୁ ଅଳ୍ପ କିଛି ସ୍ଥାନରେ ଦେଖାଯାନ୍ତି । ପୂର୍ବ ହିମାଳୟର ମିଶ୍ରିତ ପର୍ଣ୍ଣମୋଚୀ ଓ ଆଲପୀୟ ଜଙ୍ଗଲରେ ଲାଲ୍ ପାଣ୍ଡା ଦେଖିବାକୁ ମିଳନ୍ତି । ନିମ୍ନ ଦେଶର ଜଙ୍ଗଲମାନଙ୍କରେ ଗିସ୍ ସୁବର୍ଣ୍ଣ ହନୁ, କାଶ୍ମୀର ପାଉଁଶିଆ ହନୁ ଓ ଅନ୍ୟ ବହୁ ପ୍ରଜାତିର ଆଦିବାନର ବସବାସ କରନ୍ତି ।

ପୃଥିବୀର ଜଳବାୟୁ ପରିବର୍ତ୍ତନ ଓ ବିଶ୍ଵତାପନ ଯୋଗୁଁ ହିମାଳୟର ସ୍ଵତନ୍ତ୍ର ଜୈବମଣ୍ଡଳ କ୍ରମଶଃ ପରିବର୍ତ୍ତିତ ହେବାରେ ଲାଗିଛି । ହାଇଡ୍ରାଞ୍ଜିଆ ହିର୍ଟା ନାମକ ଏକ ଉଦ୍ଭିଦ ହିମାଳୟର ଜଳବାୟୁରେ ଦେଖିବାକୁ ମିଳେ । ତାପମାତ୍ରା ବୃଦ୍ଧି ଯୋଗୁଁ ବହୁ ଉଦ୍ଭିଦ ବର୍ତ୍ତମାନ କେବଳ ଉପରି ଭାଗରେ ଦେଖିବାକୁ ମିଳିବେ ଯାହା ଏକଦା ତଳ ଦେଶରେ ମଧ୍ୟ ବଢ଼ୁଥିଲେ । ଗଡ଼ୱାଲ୍-ହିମାଳୟରେ ପାଇନ୍ ଗଛ ଲଗାଯିବା ଫଳରେ ଓକ୍ ଗଛ ସଂଖ୍ୟା କମିବାକୁ ବସିଛି । ରୋଡୋଡେନ୍‍ଡ୍ରନ୍, ସେଓ ଓ ବକ୍ସ ମାର୍ଟେଲ୍ ପରି ଗଛରେ ଶୀଘ୍ର ଫୁଲ ଓ ଫଳ ଲାଗିବା ପରି ଘଟଣା ମଧ୍ୟ ଏହି ଜଳବାୟୁ ପରିବର୍ତ୍ତନର ଏକ ସଙ୍କେତ । “ଜୁନିପରସ୍ ତିବେଟିକା” ଦକ୍ଷିଣ ତିବ୍ବତର ଏକ ଉଦ୍ଭିଦ ପ୍ରଜାତି ଯାହା ୪୯୦୦ ମିଟର୍ ଉଚ୍ଚତା ପର୍ଯ୍ୟନ୍ତ ଅଞ୍ଚଳରେ ବଢ଼ିପାରେ ।[୩୦]

ସଂସ୍କୃତି[ସମ୍ପାଦନା]

ଜୈନ ତୀର୍ଥଯାତ୍ରୀମାନେ କୈଳାସ ପର୍ବତରେ ତୀର୍ଥଙ୍କର ଋଷଭନାଥଙ୍କୁ ପୂଜା କରୁଛନ୍ତି

ହିମାଳୟ ନିବାସୀ ଜନ ସମୁଦାୟକୁ ୪ଟି ବିଭିନ୍ନ ସାଂସ୍କୃତିକ ଗୋଷ୍ଠୀରେ ବିଭକ୍ତ କରିହେବ । ବିଭିନ୍ନ ଦେଶରୁ ଆସିଥିବା ଓ ହିମାଳୟରେ ସ୍ଥାୟୀ ଭାବେ ରହିଯାଇଥିବା ହିନ୍ଦୁ (ଭାରତ), ବୌଦ୍ଧ (ତିବ୍ବତ), ଇସଲାମୀୟ (ଆଫଗାନିସ୍ତାନ-ଇରାନ) ଓ ପ୍ରକୃତି ଉପାସକ (ବ୍ରହ୍ମଦେଶ) ସଂସ୍କୃତିର ଛାପ ଏଠାରେ ଦେଖିବାକୁ ମିଳେ ।[୫] ବର୍ତ୍ତମାନ ସମୟରେ ଅଳ୍ପ ବ୍ୟତିକ୍ରମ ସହିତ ଏହି ଗୋଷ୍ଠୀମାନେ ନିଜର ସ୍ଵତନ୍ତ୍ର ଅଞ୍ଚଳରେ ରହୁଥିବାର ଦେଖିବାକୁ ମିଳେ ।

ହିମାଳୟରେ ଅନେକ ସାଂସ୍କୃତିକ ଦୃଷ୍ଟିକୋଣ ଦେଖିବାକୁ ମିଳେ । ଜୈନ ଧର୍ମାନୁଯାୟୀ ହିମାଳୟରେ ରହିଥିବା ଅଷ୍ଟପଦ ପର୍ବତରେ ପ୍ରଥମ ଜୈନ ତୀର୍ଥଙ୍କର ଋଷଭନାଥ ମୋକ୍ଷ ପ୍ରାପ୍ତ କରିଥିଲେ । ଋଷଭନାଥଙ୍କ ନିର୍ବାଣ ପ୍ରାପ୍ତି ପରେ ତାଙ୍କ ପୁତ୍ର ଚକ୍ରବର୍ତ୍ତୀ ଭରତ ୩ଟି ସ୍ତୁପ ଓ ୨୪ ଜଣ ତୀର୍ଥଙ୍କରଙ୍କ ଉଦ୍ଦେଶ୍ୟରେ ୨୪ଟି ପୂଜାସ୍ଥଳ ନିର୍ମାଣ କରାଇଥିଲେ । ତୀର୍ଥଙ୍କରମାନଙ୍କ ମୂର୍ତ୍ତି ବହୁ ମୂଲ୍ୟବାନ ପଥରରୁ ନିର୍ମିତ ହୋଇଥିଲା ।[୩୧][୩୨][୩୩] ହିନ୍ଦୁ ଧର୍ମାବଲମ୍ଵୀମାନେ ହିମାଳୟଙ୍କୁ “ହିମାବତ” ବୋଲି ସମ୍ଵୋଧିତ କରିଥାନ୍ତି ଓ ସେ ଦେବୀ ପାର୍ବତୀଙ୍କର ପିତା ବୋଲି ଉଲ୍ଲେଖ ରହିଛି ।[୩୪] ହିମାଳୟକୁ ଗଙ୍ଗାଙ୍କ ଜନକ ବୋଲି ମଧ୍ୟ କୁହାଯାଇଥାଏ । ହିମାଳୟରେ ହିନ୍ଦୁମାନଙ୍କର ଆଉ ଦୁଇଟି ପ୍ରମୁଖ ତୀର୍ଥସ୍ଥଳୀ ହେଲା ପଶୁପତିନାଥମୁକ୍ତିନାଥ । ମୁକ୍ତିନାଥଙ୍କୁ ଶାଳିଗ୍ରାମ ବୋଲି ମଧ୍ୟ କୁହାଯାଏ କାରଣ ଏଠାରେ ବହୁମାତ୍ରାରେ “ଶାଳଗ୍ରାମ ଶିଳା” ରହିଛି ।[୩୫]

ବୌଦ୍ଧ ଧର୍ମାବଲମ୍ଵୀମାନେ ମଧ୍ୟ ହିମାଳୟକୁ ଖୁବ୍ ମହତ୍ତ୍ଵ ଦେଇଆସିଛନ୍ତି । ପାରୋ ତକତ୍ସଂଗ ନାମକ ସ୍ଥାନରୁ ଭୁଟାନରେ ବୌଦ୍ଧ ଧର୍ମ ପ୍ରଚାରିତ ଓ ପ୍ରସାରିତ ହୋଇଥିଲା ; ତେଣୁ ଏହାକୁ ଏକ ପବିତ୍ର ସ୍ଥଳର ମାନ୍ୟତା ଦିଆଯାଇଛି ।[୩୬] ତିବ୍ବତୀୟ ବୌଦ୍ଧମାନଙ୍କ ପାଇଁ ମୁକ୍ତିନାଥ ମଧ୍ୟ ଏକ ତୀର୍ଥସ୍ଥଳୀ । ୮୪ ଜଣ ମହାସିଦ୍ଧଙ୍କ (ପ୍ରାଚୀନ ବୌଦ୍ଧ ଜାଦୁଗର) ଆଶାବାଡ଼ିରୁ ଏଠାକାର ଏକ ଉଦ୍ୟାନର ଗଛ ସମସ୍ତ ସୃଷ୍ଟି ହୋଇଛନ୍ତି ବୋଲି ଉପାସକମାନେ ବିଶ୍ଵାସ କରନ୍ତି । ଶାଳଗ୍ରାମ ଶିଳା ତିବ୍ବତୀୟ ସର୍ପ ଦେବତା “ଗାୱୋ ଜାଗ୍‍ପା”ଙ୍କ ପ୍ରତିନିଧି ବୋଲି ମଧ୍ୟ ବିଶ୍ଵାସ ରହିଛି ।[୩୭]

ଜୈନ ପୁରାଣ କଥା ଅନୁଯାୟୀ ଋଷଭନାଥଙ୍କ ପୁତ୍ର ଚକ୍ରବର୍ତ୍ତୀ ସମ୍ରାଟ ଭରତ (ଯାହାଙ୍କ ନାମରୁ “ଭାରତବର୍ଷ” ନାମର ସୃଷ୍ଟି) କୈଳାସ ପର୍ବତରେ ନିର୍ବାଣ ଲାଭ କରିଥିଲେ[୩୮]

ହିମାଳୟ ନିବାସୀଙ୍କ ବିବିଧତା ଅନ୍ୟ ସବୁ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହୁଏ । ସ୍ଥାପତ୍ୟ, ଭାଷା, କଥିତ ଭାଷା, ବିଶ୍ଵାସ, ବେଶଭୂଷା ଓ ଦୈନନ୍ଦିନ ବିଧିରେ ଏହା ପ୍ରସ୍ଫୁଟିତ ହୋଇଥାଏ ।[୩୭] ଗୃହ ନିର୍ମାଣରେ ବ୍ୟବହୃତ କଞ୍ଚାମାଲ ଓ ପଦାର୍ଥ ଲୋକଙ୍କ ଆବଶ୍ୟକତା ଓ ବିଶ୍ଵାସର ପ୍ରତିଫଳନ । ହାତବୁଣା ଲୁଗାରେ ଅନେକ ରଙ୍ଗର ପ୍ରୟୋଗ ଓ ସେଥିରେ ରହିଥିବା ଚିତ୍ରଶୈଳୀରେ ଏହି ବିବିଧତାର କିଛି ଝଲକ ଦେଖିବାକୁ ମିଳେ । କିଛି ସମ୍ପ୍ରଦାୟ ଅଳଙ୍କାରକୁ ବହୁତ ମହତ୍ତ୍ଵ ଦିଅନ୍ତି । ରାଏ ଓ ଲିମ୍ଵୁ ମହିଳାମାନେ ସୁନାର ବଡ଼ ବଡ଼ କାନଫୁଲ ଓ ନାକଗୁଣା ପିନ୍ଧି ନିଜ ସମ୍ପତ୍ତି ବିଷୟରେ ଜଣାଇଥାନ୍ତି ।[୩୭]

ଧାର୍ମିକ ବିଶ୍ଵାସ[ସମ୍ପାଦନା]

ଭୁଟାନର ପାରୋ ତକତ୍ସଂଗ (ଅପଭ୍ରଂଶ ଶବ୍ଦ ତତ୍‍ସଙ୍ଗ) ବୌଦ୍ଧ ମନ୍ଦିରକୁ “ବାଘର ବସା (Tiger's Nest)” ବୋଲି ମଧ୍ୟ କୁହାଯାଏ
ଲଦାଖ୍‍ର ଲିକିର୍ ବୌଦ୍ଧମଠ

ସ୍ଥାନ ଅନୁସାରେ ହିମାଳୟରେ ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ମତବାଦର ମହତ୍ତ୍ଵ ଦେଖିବାକୁ ମିଳିଥାଏ । ଏହାର ଏକ ଉଦାହରଣ ହେଲା ପାରୋ ତକତ୍ସଙ୍ଗ, ଯେଉଁଠାରୁ ପଦ୍ମସମ୍ଭବ ଭୁଟାନରେ ବୌଦ୍ଧ ଧର୍ମର ପ୍ରଚାର ଆରମ୍ଭ କରିଥିଲେ ।[୩୯] ସିକ୍କିମ ରାଜ୍ୟରେ ମଧ୍ୟ ପଦ୍ମସମ୍ଭବ ଜଣେ ମହାନ ସନ୍ଥ ଭାବେ ପୂଜିତ ଓ ସମ୍ମାନିତ ହୁଅନ୍ତି । କାଶ୍ମୀରରେ ହିନ୍ଦୁ ଧର୍ମର ଶୈବ ପରମ୍ପରାର ଅନୁସରଣ କରୁଥିବା କାଶ୍ମୀରୀ ପଣ୍ଡିତ ଓ ମୁସଲମାନ ଧର୍ମର ଲୋକେ ବାସ କରନ୍ତି ।

ପୁଣି ହିନ୍ଦୁ ଧର୍ମରେ ହିମାଳୟକୁ ଗିରିରାଜ ହିମାବତ ବୋଲି ସମ୍ଵୋଧନ କରାଯାଏ । ହିମାଳୟକୁ ମାନବ ତୁଲ୍ୟ ମନେ କରାଯାଏ । ସେ ଗଙ୍ଗା ଓ ପାର୍ବତୀଙ୍କ ଜନକ ବୋଲି ହିନ୍ଦୁ ପୁରାଣ ଓ କିମ୍ଵଦନ୍ତୀରେ ଉଲ୍ଲିଖିତ ଅଛି ।[୪୦]

ହିମାଳୟ ବକ୍ଷରେ ତିବ୍ବତ, ଭୁଟାନ, ଭାରତର ସିକ୍କିମ, ଲଦାଖ୍, ଅରୁଣାଚଳ ପ୍ରଦେଶ, ସ୍ପିଟି ଉପତ୍ୟକା, ଦାର୍ଜିଲିଂ ପ୍ରଭୃତି ସ୍ଥାନରେ ବହୁ ସଂଖ୍ୟକ ବଜ୍ରଯାନ ବୌଦ୍ଧ ସ୍ଥଳ ଅବସ୍ଥିତ । ତିବ୍ବତରେ ଦଲାଇ ଲାମାଙ୍କ ବିହାରକୁ ମିଶାଇ ୬୦୦୦ରୁ ଅଧିକ ମଠ ଓ ବିହାର ରହିଥିଲା ।[୪୧] ଭୁଟାନ, ସିକ୍କିମ ଓ ଲଦାଖରେ ମଧ୍ୟ ବହୁ ସଂଖ୍ୟକ ବୌଦ୍ଧ ମଠ ଓ ବିହାର ରହିଛି । ଲାସା ଓ ଶିଗାତ୍ସେରେ ତିବ୍ବତୀୟ ମୁସଲମାନମାନଙ୍କର ମସ୍‍ଜିଦ୍ ମଧ୍ୟ ରହିଛି ।[୪୨]

ସମ୍ଵଳ[ସମ୍ପାଦନା]

ହିମାଳୟରେ ଅନେକ ଔଷଧୀୟ ବୃକ୍ଷଲତା ଓ ଜଡ଼ିବୁଟି ରହିଛି । ସାମାନ୍ୟ ଥଣ୍ଡା କାଶରୁ ନେଇ ସାପ କାମୁଡ଼ା ପର୍ଯ୍ୟନ୍ତ ବିଭିନ୍ନ ବ୍ୟାଧିର ଉପଚାର ପାଇଁ ହିମାଳୟର ଔଷଧି ବୃକ୍ଷ ବ୍ୟବହୃତ ହୋଇ ଆସିଛି ।[୩୫] ଏହି ସବୁ ଔଷଧୀୟ ଗଛର ମୂଳ, ଫୁଲ, ଡାଙ୍ଗ, ପତ୍ର, ବକ୍କଳ ବ୍ୟବହାର କରି ଔଷଧ ପ୍ରସ୍ତୁତ କରାଯାଏ । ଏବିସ୍ ପିଣ୍ଡ୍ରୋ (abies pindrow) ନାମକ ଗଛର ବକ୍କଳରୁ କାଶଶ୍ୱାସନଳୀ ପ୍ରଦାହ (ବ୍ରୋଂକାଇଟିସ୍) ପରି ରୋଗର ଔଷଧ ତିଆରି ହୁଏ । ଆରାକ୍ନେ କୋର୍ଡିଓଫୋଲିଆ (arachne cordifolia) ଗଛର ପତ୍ର ଓ ନାଡ଼କୁ ବାଟି ପ୍ରସ୍ତୁତ କରାଯାଇଥିବା ରସକୁ ଘା’ରେ ପ୍ରୟୋଗ କରିବା ପାଇଁ ଓ ସାପ କାମୁଡ଼ାର ଉପଚାର ପାଇଁ ବ୍ୟବହାର କରାଯାଏ । କେଲିକେର୍ପା ଆର୍ବୋରିଆ (callicarpa arborea) ଗଛର ବକ୍କଳ ଚର୍ମ ରୋଗର ଉପଚାର ପାଇଁ ଉପଯୋଗୀ ।[୩୫] ହିମାଳୟରେ ଦେଖାଯାଉଥିବା ଜିମ୍ନୋସ୍ପର୍ମ୍, ଏଞ୍ଜିଓସ୍ପର୍ମ୍ଟେରିଡୋଫାଇଟ୍ ପ୍ରଜାତିର ଏକ-ପଞ୍ଚମାଂଶ (୨୦%) ଗଛରେ ଔଷଧୀୟ ଗୁଣ ରହିଛି ଓ ଆହୁରି ଅଧିକ ପ୍ରଜାତିର ଔଷଧୀୟ ବୃକ୍ଷଲତା ଆବିଷ୍କାର ହୋଇପାରେ ବୋଲି ଆଶା କରାଯାଉଛି ।[୩୫]

ଏସିଆଆଫ୍ରିକାର ଜନସଂଖ୍ୟାର ଏକ ବଡ଼ ଭାଗ ଆଧୁନିକ ଔଷଧ ଅପେକ୍ଷା ପ୍ରାକୃତିକ ଜଡ଼ିବୁଟି ଔଷଧକୁ ଅଧିକ ମାନନ୍ତି ।[୩୪] ହିମାଳୟର ବହୁ ଲୋକ ଏହି ଔଷଧୀ ବୃକ୍ଷ ଉପରେ ନିର୍ଭର କରୁଥିବାରୁ କିଛି ଲୋକଙ୍କ ପାଇଁ ଏହା ଆମଦାନୀର ଏକ ମାଧ୍ୟମ ହୋଇଥାଏ । ଏହି ଔଷଧୀୟ ଗଛର ବ୍ୟବସାୟ ହିମାଳୟରେ ଓ ଅନ୍ୟତ୍ର ଅର୍ଥନୈତିକ ଓ ଔଷଧୋଦ୍ୟୋଗ ବିକାଶରେ ସହାୟକ ହୁଏ ।[୩୪] କିନ୍ତୁ ଜାଳେଣୀ ଓ ବ୍ୟବହାର ପାଇଁ ସ୍ଥାନୀୟ ଲୋକେ ବେଆଇନ୍ ଭାବେ ଜଙ୍ଗଲ ସଫା କରୁଥିବାରୁ ବର୍ତ୍ତମାନ ଏହି ଔଷଧ ସମ୍ଵଳ ପାଇଁ ଏକ ବିପତ୍ତି ସୃଷ୍ଟି ହୋଇଛି ।[୪୩] ଏହାର ଅର୍ଥ ହେଲା ଔଷଧୀ ବୃକ୍ଷଲତା କ୍ରମଶଃ କମି ଆସୁଛି ଏବଂ କିଛି ଦିନ ପରେ କିଛି ପ୍ରଜାତିର ଔଷଧି ବୃକ୍ଷ ବିରଳ ବା ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯିବେ ।

ସ୍ଥାନୀୟ ଲୋକେ ହିମାଳୟର କିଛି ଅଂଶର ବଣ ସଫା କରିସାରିଥିବା ସତ୍ତ୍ଵେ, ଏଠାରେ ଏବେ ବି କ୍ରାନ୍ତୀୟ ଓ ପାଇନ୍ ବଣର ଏକ ବଡ଼ ଭାଗ ଜୀବିତ ରହିଛି । ଏହି ବଣରୁ ଜାଳେଣୀ କାଠ ଓ ଶିଳ୍ପୋଦ୍ୟୋଗ ପାଇଁ କଞ୍ଚାମାଲ ମିଳିଥାଏ । ଗୋରୁ ଓ ବଣର ତୃଣଭୋଜୀଙ୍କ ଚରିବା ପାଇଁ ଅନେକ ଢାଲୁଆ ତୃଣଭୂମି ରହିଛି । ତେବେ ଜୀବମାନଙ୍କ ଚରିବା ସ୍ଥାନର ଉଚ୍ଚତା ଅଲଗା ଅଲଗା ହୋଇଥାଏ । ଗଣ୍ଡାହାତୀ ପରି ଜୀବ ହିମାଳୟର ତଳ ଦେଶରେ (ତେରାଇ ଅଞ୍ଚଳରେ) ଚରାବୁଲା କରନ୍ତି । ଏହାଛଡ଼ା ହିମାଳୟରେ କାଶ୍ମୀରୀ ହରିଣ, କଳା ଭାଲୁ, କସ୍ତୁରୀ ମୃଗ, ହନୁ ମାଙ୍କଡ଼ ଓ ହିମ କଲରାପତ୍ରିଆ ପରି ଜୀବ ମଧ୍ୟ ବାସ କରନ୍ତି । ହିମାଳୟରେ ତିବ୍ବତୀୟ ୟାକ୍ ମଧ୍ୟ ରହିଛନ୍ତି ଯାହାଙ୍କୁ ଲୋକେ ଦୈନନ୍ଦିନ ଜୀବନରେ ପରିବହନ ପାଇଁ ବ୍ୟବହାର କରନ୍ତି । କିନ୍ତୁ ବହୁ ଜୀବଙ୍କ ସଂଖ୍ୟା କ୍ରମାଗତ ଭାବେ କମି ଚାଲିଛି ଓ କିଛି ଜୀବ ଲୁପ୍ତ ପ୍ରାୟ ହେବା ଅବସ୍ଥାରେ ଅଛନ୍ତି ।

ହିମାଳୟ ବିଭିନ୍ନ ଖଣିଜ ପଦାର୍ଥ ଓ ମୂଲ୍ୟବାନ୍ ପଥରର ଉତ୍ସ । ଏହାର ପ୍ରସ୍ତର ଶଯ୍ୟା ତଳେ ପ୍ରାକୃତିକ ତୈଳ ଗଚ୍ଛିତ ଥିବାର ସମ୍ଭାବନା ମଧ୍ୟ ରହିଛି । କାଶ୍ମୀରରେ କୋଇଲା ରହିଥିବାର ଠାବ ହୋଇଛି । ୧୦୦ରୁ ଅଧିକ ସ୍ଥାନରେ ସୁନା, ରୂପା, ତମ୍ଵା, ଅଭ୍ର ପରି ବହୁ ଧାତବ ପଦାର୍ଥ ଗଚ୍ଛିତ ଥିବାର ମଧ୍ୟ ଜଣାପଡ଼ିଛି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Yang, Qinye; Zheng, Du (2004). Himalayan Mountain System. ISBN 978-7-5085-0665-4. Retrieved 30 July 2016.
  2. Wadia, D. N. (1931), "The syntaxis of the northwest Himalaya: its rocks, tectonics and orogeny", Record Geol. Survey of India, 65 (2), pp. 189–220
  3. Valdiya, K. S. (1998), Dynamic Himalaya, Hyderabad: Universities Press
  4. Le Fort, P. (1975), Himalayas: The collided range. Present knowledge of the continental arc (PDF), American Journal of Science 275A: 1–44.
  5. ୫.୦ ୫.୧ ୫.୨ Apollo, M. (2017). The population of Himalayan regions – by the numbers: Past, present and future. [In:] R. Efe, M. Öztürk (eds.), Contemporary Studies in Environment and Tourism, Chapter: 9 (pp.143–159). Publisher: Cambridge Scholars Publishing.
  6. "Definition of Himalayas". Oxford Dictionaries Online. Retrieved 9 May 2011.
  7. Dickinson, Emily, "The Himmaleh was known to stoop".
  8. Thoreau, Henry David (1849), A Week on the Concord and Merrimack Rivers.
  9. ୯.୦ ୯.୧ "The Himalayas: Two continents collide". USGS. 5 May 1999. Retrieved 3 January 2015.
  10. (1995) Geologists Find: An Earth Plate Is Breaking in Two
  11. Mount Everest – Overview and Information by Matt Rosenberg. ThoughtCo Updated 17 March 2017
  12. "Plate Tectonics -The Himalayas". The Geological Society. Retrieved 13 September 2016.
  13. ୧୩.୦ ୧୩.୧ ୧୩.୨ Kuhle, M. (2011). "The High Glacial (Last Ice Age and Last Glacial Maximum) Ice Cover of High and Central Asia, with a Critical Review of Some Recent OSL and TCN Dates". In Ehlers, J.; Gibbard, P.L.; Hughes, P.D. Quaternary Glaciation – Extent and Chronology, A Closer Look. Amsterdam: Elsevier BV. pp. 943–965.
  14. glacier maps downloadable
  15. Kuhle, M. (1987). "Subtropical mountain- and highland-glaciation as ice age triggers and the waning of the glacial periods in the Pleistocene". GeoJournal. 14 (4): 393–421. doi:10.1007/BF02602717.
  16. Kuhle, M. (2005). "The maximum Ice Age (Würmian, Last Ice Age, LGM) glaciation of the Himalaya – a glaciogeomorphological investigation of glacier trim-lines, ice thicknesses and lowest former ice margin positions in the Mt. Everest-Makalu-Cho Oyu massifs (Khumbu- and Khumbakarna Himal) including information on late-glacial-, neoglacial-, and historical glacier stages, their snow-line depressions and ages". GeoJournal. 62 (3–4): 193–650. doi:10.1007/s10708-005-2338-6.
  17. "Sunderbans the world's largest delta". gits4u.com. Archived from the original on 3 January 2015. Retrieved 3 January 2015.
  18. Gaillardet, J.; Métivier, F.; Lemarchand, D.; Dupré, B.; Allègre, C.J.; Li, W.; Zhao, J. (2003). "Geochemistry of the Suspended Sediments of Circum-Himalayan Rivers and Weathering Budgets over the Last 50 Myrs" (PDF). Geophysical Research Abstracts. 5: 13,617. Bibcode:2003EAEJA....13617G. Abstract 13617. Retrieved 4 November 2006.
  19. "The Himalayas – Himalayas Facts". Nature on PBS. 2011-02-11. Retrieved 21 January 2014.
  20. "the Himalayan Glaciers". Fourth assessment report on climate change. IPPC. 2007. Retrieved 22 January 2014.
  21. Shi, Yafeng; Xie, Zizhu; Zheng, Benxing; Li, Qichun (1978). "Distribution, Feature and Variations of Glaciers in China" (PDF). World Glacier Inventory. Archived from the original (PDF) on 16 December 2012.
  22. Henderson-Sellers, Ann; McGuffie, Kendal (2012). The Future of the World's Climate: A Modelling Perspective. pp. 199–201. ISBN 978-0-12-386917-3.
  23. "Vanishing Himalayan Glaciers Threaten a Billion". Reuters. 4 June 2007. Retrieved 13 March 2018.
  24. "Glaciers melting at alarming speed". People's Daily Online. 24 July 2007. Retrieved 17 April 2009.
  25. Photograph of Tsho Rolpa
  26. Tsho Rolpa
  27. Drews, Carl. "Highest Lake in the World". Retrieved 14 November 2010.
  28. Devitt, Terry (3 May 2001). "Climate shift linked to rise of Himalayas, Tibetan Plateau". University of Wisconsin–Madison News. Retrieved 1 November 2011.
  29. Hogan, C. Michael (2010). Monosson, E., ed. "Extremophile". Encyclopedia of Earth. Washington, DC: National Council for Science and the Environment.
  30. Miehe, Georg; Miehe, Sabine; Vogel, Jonas; Co, Sonam; Duo, La (May 2007). "Highest Treeline in the Northern Hemisphere Found in Southern Tibet" (PDF). Mountain Research and Development. 27 (2): 169–173. doi:10.1659/mrd.0792. Archived from the original (PDF) on 6 June 2013.
  31. Jain, Arun Kumar (2009). Faith & Philosophy of Jainism. ISBN 978-81-7835-723-2.
  32. "To heaven and back". Articles.timesofindia.indiatimes.com. 2012-01-11. Retrieved 2012-03-02.
  33. Jain, Arun Kumar (2009). Faith & Philosophy of Jainism. ISBN 978-81-7835-723-2.
  34. ୩୪.୦ ୩୪.୧ ୩୪.୨ Gupta, Pankaj; Sharma, Vijay Kumar (2014). Healing Traditions of the Northwestern Himalayas. Springer Briefs in Environmental Science. ISBN 978-81-322-1925-5.
  35. ୩୫.୦ ୩୫.୧ ୩୫.୨ ୩୫.୩ Jahangeer A. Bhat; Munesh Kumar; Rainer W. Bussmann (2 January 2013). "Ecological status and traditional knowledge of medicinal plants in Kedarnath Wildlife Sanctuary of Garhwal Himalaya, India". Journal of Ethnobiology and Ethnomedicine. 9: 1. doi:10.1186/1746-4269-9-1. PMC 3560114. PMID 23281594.
  36. Cantor, Kimberly (2016-07-14). "Paro, Bhutan: The Tiger's Nest". Huffington Post (in ଇଂରାଜୀ). Retrieved 2018-06-09.
  37. ୩୭.୦ ୩୭.୧ ୩୭.୨ Zurick, David; Julsun, Pacheco; Basanta, Raj Shrestha; Birendra, Bajracharya (2006). Illustrated Atlas of the Himalaya. Lexington: U of Kentucky.
  38. Jain Pooja-Kavya: Ek Chintan. ISBN 978-81-263-0818-7.
  39. Pommaret, Francoise (2006). Bhutan Himalayan Mountains Kingdom (5th ed.). Odyssey Books and Guides. pp. 136–137. ISBN 978-962-217-810-6.
  40. Dallapiccola, Anna (2002). Dictionary of Hindu Lore and Legend. ISBN 978-0-500-51088-9.
  41. "Tibetan monks: A controlled life". BBC News. 20 March 2008.
  42. "Mosques in Lhasa, Tibet". People's Daily Online. 27 October 2005.
  43. "Himalayan Forests Disappearing". Earth Island Journal. 21 (4): 7–8. 2006.

ଆହୁରି ପଢ଼ନ୍ତୁ[ସମ୍ପାଦନା]

  • Aitken, Bill, Footloose in the Himalaya, Delhi, Permanent Black, 2003. ISBN 81-7824-052-1
  • Berreman, Gerald Duane, Hindus of the Himalayas: Ethnography and Change, 2nd rev. ed., Delhi, Oxford University Press, 1997.
  • Bisht, Ramesh Chandra, Encyclopedia of the Himalayas, New Delhi, Mittal Publications, c2008.
  • Everest, the IMAX movie (1998). ISBN 0-7888-1493-1
  • Fisher, James F., Sherpas: Reflections on Change in Himalayan Nepal, 1990. Berkeley, University of California Press, 1990. ISBN 0-520-06941-2
  • Gansser, Augusto, Gruschke, Andreas, Olschak, Blanche C., Himalayas. Growing Mountains, Living Myths, Migrating Peoples, New York, Oxford: Facts On File, 1987. ISBN 0-8160-1994-0 and New Delhi: Bookwise, 1987.
  • Gupta, Raj Kumar, Bibliography of the Himalayas, Gurgaon, Indian Documentation Service, 1981
  • Hunt, John, Ascent of Everest, London, Hodder & Stoughton, 1956. ISBN 0-89886-361-9
  • Isserman, Maurice and Weaver, Stewart, Fallen Giants: The History of Himalayan Mountaineering from the Age of Empire to the Age of Extremes. Yale University Press, 2008. ISBN 978-0-300-11501-7
  • Ives, Jack D. and Messerli, Bruno, The Himalayan Dilemma: Reconciling Development and Conservation. London / New York, Routledge, 1989. ISBN 0-415-01157-4
  • Lall, J.S. (ed.) in association with Moddie, A.D., The Himalaya, Aspects of Change. Delhi, Oxford University Press, 1981. ISBN 0-19-561254-X
  • Nandy, S.N., Dhyani, P.P. and Samal, P.K., Resource Information Database of the Indian Himalaya, Almora, GBPIHED, 2006.
  • Palin, Michael, Himalaya, London, Weidenfeld & Nicolson Illustrated, 2004. ISBN 0-297-84371-0
  • Swami Sundaranand, Himalaya: Through the Lens of a Sadhu. Published by Tapovan Kuti Prakashan (2001). ISBN 81-901326-0-1
  • Swami Tapovan Maharaj, Wanderings in the Himalayas, English Edition, Madras, Chinmaya Publication Trust, 1960. Translated by T.N. Kesava Pillai.
  • Tilman, H. W., Mount Everest, 1938, Cambridge University Press, 1948.
  • 'The Mighty Himalaya: A Fragile Heritage,’ National Geographic, 174:624–631 (November 1988).
  • Turner, Bethan, et al. Seismicity of the Earth 1900–2010: Himalaya and Vicinity. Denver, United States Geological Survey, 2013.

ବାହ୍ୟ ଲିଂକ୍[ସମ୍ପାଦନା]