ବରାହ ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
ବରାହ ମନ୍ଦିର
ବରାହ ମନ୍ଦିର (ଯାଜପୁର)
ବରାହ ମନ୍ଦିର (ଯାଜପୁର)
ବରାହ ମନ୍ଦିର is located in ଓଡ଼ିଶା
ବରାହ ମନ୍ଦିର
ବରାହ ମନ୍ଦିର
ଓଡ଼ିଶାରେ ଅବସ୍ଥାନ
ନାମ
ଅନ୍ୟ ନାମଆଦି ବରାହ ମନ୍ଦିର, ଯଜ୍ଞ ବରାହ ମନ୍ଦିର
ଭୌଗୋଳିକ ଅବସ୍ଥିତି
ଦିଗବାରେଣି20°51′30″N 86°05′08″E / 20.85833°N 86.08556°E / 20.85833; 86.08556Coordinates: 20°51′30″N 86°05′08″E / 20.85833°N 86.08556°E / 20.85833; 86.08556
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଯାଜପୁର ଜିଲ୍ଲା
ଅବସ୍ଥିତିଯାଜପୁର
ପରମ୍ପରା
ମୁଖ୍ୟ ଆରାଧ୍ୟବରାହ
ତିଆରି ଶୈଳୀକଳିଙ୍ଗ ସ୍ଥାପତ୍ୟ କଳା
ଇତିହାସ ଓ ପାଳନ
ନିର୍ମାଣ କାଳ୧୫ଶ-୧୬ଶ ଶତାବ୍ଦୀ

ଯାଜପୁର ପଞ୍ଚ'ବ'କାର କ୍ଷେତ୍ର ଭାବେ ପରିଚିତ । ପ୍ରଥମରେ ବରାହ, ଦ୍ୱିତୀୟ ବିରଜା, ତୃତୀୟରେ ବେଦ, ଚତୁର୍ଥରେ ବିପ୍ର,ପଞ୍ଚମରେ ବୈତରଣୀ ନଦୀ । ଏହି ପାଞ୍ଚୋଟି ଦୁର୍ଲ୍ଲଭ ରତ୍ନ ଅନ୍ୟ କେଉଁଠି ଦେଖାଯାଏ ନାହିଁ । ପ୍ରଥମେ ବ୍ରହ୍ମା ଏହି ସ୍ଥାନରେ ଯଜ୍ଞ କରିବା ପାଇଁ ବୈତରଣୀକୁ ଏହି କ୍ଷେତ୍ର ମଧ୍ୟରେ ପ୍ରବାହିତ ହେବାକୁ ପୂଜାର୍ଚ୍ଚନା ପୂର୍ବକ ଅନୁରୋଧ କରିଥିଲେ । ବୈତରଣୀ ସନ୍ତୁଷ୍ଟ ହୋଇ ବ୍ରହ୍ମାଙ୍କ ପଛେ ପଛେ ଚାଲିଲେ । କିଛି ବାଟ ଯିବାପରେ ବ୍ରହ୍ମା ଦେଖିଲେ ଆଉ କୁଳୁକୁଳୁ ଶବ୍ଦ ଶୁଭୁନାହିଁ । ଏହାର କାରଣ ଜାଣିବା ପାଇଁ ବ୍ରହ୍ମା ଧ୍ୟାନରେ ବସିଲେ । ବ୍ରହ୍ମାଙ୍କୁ ଶୂନ୍ୟବାଣୀ ଶୁଭିଲା । ନିବିଡ଼ ବନରେ ବାସ କରୁଥିବା ସାନ୍ତାଳ, କନ୍ଧ ରମଣୀମାନଙ୍କ ନଗ୍ନ ରୂପ ଦେଖି ପାପ ଭୟରେ ନଦୀ ଆତ୍ମଗୋପନ କରିଛନ୍ତି । ଯଦି ପ୍ରତିକୋଣରେ ଲିଙ୍ଗ ସ୍ଥାପନ କରାଯାଏ ଶିବ ଦର୍ଶନରେ ପାପ ମୁକ୍ତ ହୋଇ ବୈତରଣୀ ଯଜ୍ଞ ସ୍ଥାନକୁ ଯାଇ ପାରିବେ । ତା’ପରେ ବ୍ରହ୍ମା ପ୍ରତିକୋଣରେ ଲିଙ୍ଗ ସ୍ଥାପନା କରିଥିଲେ । ଶେଷରେ ସ୍ଥାପନା କଲେ ସିଦ୍ଧେଶ୍ୱର ଲିଙ୍ଗ । ଏହିଠାରୁ ବ୍ରହ୍ମା ବୈତରଣୀକୁ ଉତ୍ତରକୁ ପ୍ରବାହିତ ହୋଇଛନ୍ତି ।

କିମ୍ବଦନ୍ତୀ[ସମ୍ପାଦନା]

ବୈତରଣୀ ନଦୀର ଉତ୍ତରରେ ମଣିଚୂଡ଼ ନାମକ ଏକ ରମଣୀୟ ପର୍ବତ ଥିଲା । ଏହି ପର୍ବତର କିଛି ଦୂରରେ ପଶ୍ଚିମକୁ ଏକ ବଣ ଥିଲା । ବଣରେ ମୃଗ, ବରାହ ନିତ୍ୟ ବିଚରଣ କରୁଥିଲେ । ବଣ ନିକଟରେ କୌଶିକ ନାମକ ନଦୀଟିଏ ବହିଯାଉଥିଲା । ସେଠାରେ ବର୍ତ୍ତମାନ କୁଶୀ ଗ୍ରାମ ବିଦ୍ୟମାନ । ଗ୍ରାମର ଉତ୍ତର ପାର୍ଶ୍ୱରେ ନାଳ ଭାବେ ନଦୀର କିଛି ଜଳ ପ୍ରବାହିତ ହୁଏ । ଏହି ଜଳାଶୟ ପାଖରେ ଦୀର୍ଘତପା ନାମରେ ଜଣେ ମୁନି ତପସ୍ୟା କରୁଥିଲେ । ଏକଦା କାମରୂପ ସ୍ୱର ରାଜାଙ୍କ ପୁତ୍ର ଶିକାର କରିବା ପାଇଁ ବୁଲୁବୁଲୁ ଋଷିଙ୍କ ନିକଟରେ ପହଞ୍ଚିଲେ । ଋଷି ତାଙ୍କୁ ଦେଖି କହିଲେ- ‘ହେ ରାଜପୁତ୍ର, ତୁମେ ପବିତ୍ର ରାଜବଂଶରେ ଜନ୍ମଗ୍ରହଣ କରି ପ୍ରାଣୀହତ୍ୟା କରୁଛ କାହିଁକି ? ଏପରି ପାପରେ ତୁମେ ପରଜନ୍ମରେ ବ୍ୟାଧ ଜାତିରେ ଜନ୍ମ ନେବ ।’ ଋଷିଙ୍କ ଠାରୁ ଏ ଅଭିଶାପ ଶୁଣି ରାଜପୁତ୍ର ପଶ୍ଚାତାପରେ ତାଙ୍କର ପାଦତଳେ ପଡ଼ିଗଲେ । ଋଷି କହିଲେ - ‘ପରଜନ୍ମରେ ତୁମେ ଉତ୍ତମ ଜ୍ଞାନର ଅଧିକାରୀ ହେବ ।’ ତା’ପରେ ରାଜପୁତ୍ର ବିଚିତ୍ର ଧନ୍ୱା ନାମରେ ଏକ ବ୍ୟାଧ ଘରେ ଜନ୍ମ ଗ୍ରହଣ କଲେ । କିଛି ଦିନ ବଣରେ ବୁଲି ପଶୁପକ୍ଷୀ ମାରିବା ପରେ ଭୋକ ଶୋଷ ଭୁଲି ନାରାୟଣଙ୍କୁ ପାଇବା ପାଇଁ ସେଇ ବଣରେ ବୁଲିଲେ । ଥରେ ଏକ ବିରାଟକାୟ ବରାହ ଆକ୍ରମଣ କରିବାକୁ ତାଙ୍କ ଆଡକୁ ଦୌଡ଼ି ଆସିଲା । ଏହା ଦେଖି ସେ ତାକୁ ମାରିବାକୁ ଶର ସଂଯୋଗ କରନ୍ତେ, ସେ ଦୌଡ଼ିବାକୁ ଆରମ୍ଭ କଲା । ଧାଇଁଧାଇଁ ମଣିଚୂଡ଼ ପର୍ବତରେ ସେ ଏପରି ଭାବରେ ପିଟି ହେଲା ଯେ ପର୍ବତଟି ରସାତଳକୁ ଚାଲିଗଲା । ଦେଖୁ ଦେଖୁ ପାତଳରୁ ଗଙ୍ଗା ବାହାରି ଆସିଲେ । ବର୍ତ୍ତମାନ ବରାହ ମନ୍ଦିରର ପୃଷ୍ଟ ଭାଗରେ ପୋଖରୀ ପରି ପାଣିଜମି ରହିଛି ତାକୁ ଭକ୍ତମାନେ ‘ପାତାଳୀ ଗଙ୍ଗା’ ବୋଲି କହନ୍ତି । ତା’ପରେ ବିଚିତ୍ର ଧନ୍ୱା ଶର ନିକ୍ଷେପ କରିବାକୁ ଉଦ୍ୟମ ହୁଅନ୍ତେ ଶବ୍ଦ ଶୁଭିଲା - ‘ହେ ଶବର ! ବର୍ତ୍ତମାନ ତୁମର ଏହି ଭ୍ରମଣ ବୃଥା । ମୁଁ ତୁମ ଉପରେ ପ୍ରସନ୍ନ ହେଲି । କି ବର ମାଗୁଛ ମାଗ ।’ ବରାହରୂପୀ ବିଷ୍ଣୁ ଏପରି କହି ପାଞ୍ଚଜନ୍ୟ ଶଙ୍ଖରୁ ଅମୃତ ଖୁଆଇ ଶବରର କ୍ଳାନ୍ତ ଦୂର କଲେ । ଲକ୍ଷ୍ମୀ କୋଳରେ ଥିବା ବରାହକୁ ଦେଖି ବିଚିତ୍ର ଧନ୍ୱା ଭକ୍ତିପୂତ ହୃଦୟରେ ସାଷ୍ଟାଙ୍ଗ ପ୍ରଣାମ କଲେ । ବିଚିତ୍ର ଧନ୍ୱାଙ୍କର ଉପରେ ସନ୍ତୁଷ୍ଟ ହୋଇ ବିଷ୍ଣୁ ବରାହ ସେହିଠାରେ ଆଦି ବରାହ, ଯଜ୍ଞ ବରାହ, ଶ୍ୱେତବରାହ ଓ ଲକ୍ଷ୍ମୀବରାହ ରୂପରେ ଚାରି ମୂର୍ତ୍ତିରେ ଶୋଭା ପାଇଲେ ।

ଐତିହାସିକ ପୃଷ୍ଠଭୂମି[ସମ୍ପାଦନା]

ଭୌମକର ଶାସନର ପୂର୍ବରୁ ବରାହ ବିଷ୍ଣୁଙ୍କର ଏକ ମନ୍ଦିର ଯାଜପୁରରେ ଥିଲା କିମ୍ବା ସେମାନଙ୍କ ସମୟରେ ହୁଏତ ଏକ ମନ୍ଦିର ନିର୍ମିତ ହୋଇଥିଲା । କିମ୍ବଦନ୍ତୀରୁ ଜଣାଯାଏ ଯେ ଯଯାତି କେଶରୀ ବରାହ ମନ୍ଦିର ନିର୍ମାଣ କରିଥିଲେ । ଏହାର ଏକମାତ୍ର କାରଣ ଏହି ଯେ ରାଜା ଯଯାତି ଯଜ୍ଞ ବରାହ ଓ ଲକ୍ଷ୍ମୀ ବରାହ ସ୍ଥାପନ କରି ପ୍ରାଚୀନ ଆରାଧନାର ପରମ୍ପରାକୁ ଉଜ୍ଜୀବୀତ କରିଥିଲେ । କିନ୍ତୁ ତାଙ୍କଦ୍ୱାରା ମନ୍ଦିର ନିର୍ମାଣ ସମ୍ପର୍କରେ କୌଣସି ପ୍ରାମାଣିକ ତଥ୍ୟ ମିଳେ ନାହିଁ । ଯେତେଦୂର ଜଣାଯାଏ ଭୌମିକରମାନଙ୍କ ସମୟରେ ନିର୍ମିତ ବରାହ ବିଷ୍ଣୁଙ୍କର ମୂଳ ମନ୍ଦିରକୁ ସଂସ୍କାର କରାଇଥିଲେ । ଅଧୁନା ଅବସ୍ଥିତ ମନ୍ଦିରକୁ ଐତିହାସିକମାନେ ୧୫୦୦-୧୬୦୦ ଶତାବ୍ଦୀ ମଧ୍ୟରେ ସ୍ଥାପିତ ହୋଇଥିବାର କଥା କୁହନ୍ତି । ମାଦଳା ପାଞ୍ଜିରୁ ଜଣାଯାଏ ଯେ ସୂର୍ଯ୍ୟବଂଶୀ ଗଜପତି ପ୍ରତାପରୁଦ୍ର ଦେବ (୧୪୯୭-୧୫୪୦ଖ୍ରୀଷ୍ଟ) ବୈଷ୍ଣବ ଧର୍ମ ପ୍ରତି ଆକୃଷ୍ଟ ହୋଇ ଯାଜପୁରଠାରେ ବରାହ ମନ୍ଦିର ନିର୍ମାଣ କରିଥିଲେ । ପ୍ରତାପରୁଦ୍ରଙ୍କ ମନ୍ତ୍ରୀ ତଥା ଗୁରୁ କାଶୀ ମିଶ୍ରଙ୍କ ପରାମର୍ଶରେ ସେ ଏହି ମନ୍ଦିର ନିର୍ମାଣ କରିଥିବା କଥା କୁହାଯାଏ । ବର୍ତ୍ତମାନ ମନ୍ଦିରର ବିମାନ ଓ ମୁଖଶାଳାର ଉଚ୍ଚତାରେ ଅସ୍ୱାଭାବିକ ଅସାମଞ୍ଜସ୍ୟ ଲକ୍ଷ୍ୟଣୀୟ । ଏଥିରୁ ଏହା ଏକ ଭଗ୍ନ ମନ୍ଦିର ଓ ପରବର୍ତ୍ତୀ ସମୟରେ ମରାମତି ହୋଇଥିବା କଥା ଜଣାଯାଏ । ବିମାନଟି ରେଖ ଦେଉଳ ଶୈଳୀରେ ନିର୍ମିତ ହେଲେ ମଧ୍ୟ ମୁଖଶାଳାର ଭିତର ଗଠନ ଶୈଳୀ ଅତ୍ୟନ୍ତ ମନୋରମ । ଏହାର ଗମ୍ବୁଜ ସଦୃଶ ଗଠନ ଓ ଚିତ୍ରିତ ଉପରିଭାଗ ଅନ୍ୟତ୍ର କ୍ୱଚିତ୍ ଦେଖିବାକୁ ମିଳେ । ପଞ୍ଚରଥ ଶୈଳୀରେ ନିର୍ମିତ ଏହି ମନ୍ଦିରଟିରେ ନାଗର, ଦ୍ରାବିଡ ଦେଶର ଓ କଳିଙ୍ଗ ଶୈଳୀର ଏକ ସୁନ୍ଦର ସମନ୍ୱୟ ଥିବା ଦୃଷ୍ଟିଗୋଚର ହୁଏ । ସମଗ୍ର ମନ୍ଦିରଟିର ବହିର୍ଭାଗ ବହଳ ଚୂନ ପ୍ରଲେପଦ୍ୱାରା ଆଚ୍ଛାଦିତ । ଏଣୁ କୌଣସି କାରୁକାର୍ଯ୍ୟ ଦୃଷ୍ଟି ଗୋଚର ହୁଏ ନାହିଁ । ଯେତେଦୂର ମନେହୁଏ ଚୂନ ପ୍ରଲେପ ଅନ୍ତରାଳରେ କୌଣସି କାରୁକାର୍ଯ୍ୟ ନାହିଁ । ମନ୍ଦିରର ଚତୁଃପାର୍ଶ୍ୱରେ ବହୁ ସଂଖ୍ୟକ ମିଥୁନ ମୂର୍ତ୍ତି ରହିଛି । ଏହି ମିଥୁନ ମୂର୍ତ୍ତିଗୁଡ଼ିକ ସ୍ଥାପତ୍ୟ ଦୃଷ୍ଟିରୁ ଭୌମିକର ସମୟର । ଏତଦ୍‌ବ୍ୟତୀତ ଭିକ୍ଷାଟନ ମୂର୍ତ୍ତି, ଆସ୍ତିକ କରତ୍‌କାର ମୂର୍ତ୍ତି, ଭୌମିକ ମୂର୍ତ୍ତି ଓ ପ୍ରାଚୀନ ମନ୍ଦିରର ସୂକ୍ଷ୍ମକଳା ସମ୍ପନ୍ନ ଦ୍ୱାରବନ୍ଧ ଇତ୍ୟାଦି ଦେଖାଯାଏ । ସେଗୁଡ଼ିକ ୭ମ- ୮ମ ଶତାବ୍ଦୀର କଳାକୃତି ଅଟେ । ସୋମବଂଶ ଓ ଗଙ୍ଗବଂଶ କାଳୀନ ସ୍ଥାପତ୍ୟରେ ସମଗ୍ର ମନ୍ଦିର ପରିସରଟି ଭରପୂର । ଏପରିକି ୧୫୦୦- ୧୬୦୦ ଶତାବ୍ଦୀର ଦୁର୍ଗାମୂର୍ତ୍ତି, ଗରୁଡ଼ ମୂର୍ତ୍ତି ଇତ୍ୟାଦି ଦୃଷ୍ଟିଗୋଚର ହୁଏ । କଥିତ ଅଛି ୧୫୦୦ ଖ୍ରୀଷ୍ଟାବ୍ଦରେ ଶ୍ରୀଚୈତନ୍ୟ ବରାହନାଥ ଗ୍ରାମରେ ଅବସ୍ଥାନ କରି ବରାହ ବିଷ୍ଣୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ତେଣୁ ସେଠାରେ ଏକ କ୍ଷୁଦ୍ର ମନ୍ଦିରରେ ଚୈତନ୍ୟ ପାଦପୀଠ ସ୍ଥାପନ କରାଯାଇଛି । ସମଗ୍ର ପରିସରଟି ଗୁପ୍ତ ଶାସନ କାଳରୁ ଗଜପତି ଶାସନ କାଳ ପର୍ଯ୍ୟନ୍ତ ନିର୍ମିତ ବିଭିନ୍ନ କଳାତ୍ମକ ମୂର୍ତ୍ତି, ସ୍ଥାପତ୍ୟରେ ପରିପୂର୍ଣ୍ଣ ହୋଇଥିବାରୁ ସମଗ୍ର ଅଞ୍ଚଳଟି ଏକ କ୍ଷୁଦ୍ର ସଂଗ୍ରାହଳୟ ଭଳି ମନେହୁଏ । ଏହି ସମସ୍ତ ସ୍ଥାପତ୍ୟ ଦେଖିଲେ ମନେହୁଏ ଯେ ବରାହ ବିଷ୍ଣୁ ଓ କାଶୀ ବିଶ୍ୱନାଥ ମୁଖଲିଙ୍ଗକୁ କେନ୍ଦ୍ରକରି ଚତୁର୍ଥ ଶତାବ୍ଦୀରୁ ୧୬୦୦ଶତାବ୍ଦୀ ପର୍ଯ୍ୟନ୍ତ ମନ୍ଦିର ଓ ମୂର୍ତ୍ତି ଗଠନରେ ବାରମ୍ବାର ପରିବର୍ତ୍ତନ ଘଟିଛି । ପଶ୍ଚିମ- ଦକ୍ଷିଣ କୋଣରେ ବାରୁଣୀ ତୀର୍ଥ ଓ ବୈତରଣୀ ତୀର୍ଥ ତଥା ଦଶାଶ୍ୱମେଧ ଘାଟର ପାବଚ୍ଛ ଭଳି ବହୁ ସ୍ମୃତି ଓ ସ୍ଥାପତ୍ୟ ନଦୀଗର୍ଭରେ ବିଲୀନ ହୋଇଯାଇଥିବା କଥା ଅସମ୍ଭବ ନୁହେଁ । ବରାହ ଉପାସନର ପରମ୍ପରାରେ ଯାଜପୁର ବ୍ୟତୀତ ଭାରତର ଅନ୍ୟ କୌଣସି ସ୍ଥାନରେ ତ୍ରିବରାହଙ୍କ ଏକତ୍ର ସମାବେଶ ଦେଖିବାକୁ ମିଳେ ନାହିଁ । ତନ୍ମଧ୍ୟରୁ ଲକ୍ଷ୍ମୀ ବରାହ ସମ୍ପୂର୍ଣ୍ଣ ଅଭିନବ ବୋଲି ମନେ ହୁଏ । ବରାହନାଥ ମନ୍ଦିରର ବିଗ୍ରହଗୁଡ଼ିକ ଉତ୍ତରମୁଖୀ ହୋଇ ପଦ୍ମପୁଷ୍ପର ଆସନ ଉପରେ ଚତୁର୍ଭୁଜ ରୂପରେ ଶୋଭିତ । ବିଗ୍ରହଗୁଡ଼ିକର ବାମ ଓ ଦକ୍ଷିଣ ପାର୍ଶ୍ୱର ଉତ୍ତୋଳିତ ହସ୍ତଦ୍ୱୟ ମଧ୍ୟରେ ପ୍ରଳୟ ଜଳରୁ ଉତ୍‌ଥିତ ହୋଇ ଭୂଦେବୀ ଅବସ୍ଥାନ କରିଥିବା ଏବଂ ନିମ୍ନ ହସ୍ତ ଦ୍ୱୟରେ ଶଙ୍ଖ ଓ ଚକ୍ର ଶୋଭା ପାଉଥିବା ଦେଖାଯାଏ । ଶ୍ୱେତ ବରାହଙ୍କ ମସ୍ତକୋପରେ ଲତା ଚିତ୍ରମାନ ଚିତ୍ରିତ । ଯଜ୍ଞ ବରାହ ଓ ଲକ୍ଷ୍ମୀ ବରାହଙ୍କ ଶରୀରରେ ନବୀନ ଶ୍ୟାମଘନ କାନ୍ତି, ତ୍ରିଭଙ୍ଗିମା ଠାଣି ଓ ମୁଖରେ ପ୍ରଣୟ ଭାବ ଦେଖାଯାଏ । ଶାସ୍ତ୍ରୀୟ ନିୟମ ଅନୁସାରେ ଯଜ୍ଞ ବରାହଙ୍କ ପାଖରେ ତାଙ୍କର ଦ୍ୱିପତ୍ନୀ ଭୂଦେବୀ ଓ ଶ୍ରୀଦେବୀ ଥିବାବେଳେ ଏଠାରେ କେବଳ ଭୂଦେବୀଙ୍କୁ ଦେଖିବାକୁ ମିଳେ । ବିଦିଶା ନିକଟବର୍ତ୍ତୀ ଉଦୟଗିରି ଆଦିଶେଷନାଗ ବରାହଙ୍କ ମସ୍ତକ ଉପରେ ତ୍ରେୟାଦଶ ଫଣା ମଧ୍ୟରେ ସର୍ପ ଶରୀର ସହ ମନୁଷ୍ୟ ମସ୍ତକ ମୂର୍ତ୍ତି ସ୍ମୃତି ମୁଦ୍ରାରେ ଦଣ୍ଡାୟମାନ । ପାଦ ପାର୍ଶ୍ୱରେ ସାଗରରାଜା ବରୁଣ ଓ ବରୁଣାଳୀ ମୂର୍ତ୍ତିଦ୍ୱୟ ଯୋଡହସ୍ତ ହୋଇ ଭଗବାନ ବରାହଙ୍କୁ ପୂଜା କରୁଥିବାର ଦୃଶ୍ୟ ପରିଲକ୍ଷିତ ହୁଏ । ଏତତ୍ ବ୍ୟତୀତ ମନ୍ଦିର ଗାତ୍ରମାନଙ୍କରେ ସଂରକ୍ଷିତ ସୂକ୍ଷ୍ମକଳା ମଣ୍ଡିତ ମୂର୍ତ୍ତିଗୁଡ଼ିକର ପୌରାଣିକ କାହାଣୀ ଐତିହାସିକ ତଥ୍ୟର ପ୍ରସ୍ତର ଖୋଦିତ ବର୍ଣ୍ଣନା ଅତ୍ୟନ୍ତ ଚିତ୍ତାକର୍ଷକ । ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ୩ଫୁଟ ୬ଇଞ୍ଚ ବିଶିଷ୍ଟ ଆସ୍ତିକ ଜରଦ୍‌କାରୁ ମୂର୍ତ୍ତି ଆବିଷୃତ । ଏହା ଏକ ମାତୃକା ମୂର୍ତ୍ତି । କୋଳରେ ଶିଶୁ, ମୁଣ୍ଡ ଉପରେ ଫଣାଯୁକ୍ତ ସର୍ପ ଓ ବୃକ୍ଷ ଛାୟା ପରି ଶୋଭିତ । ଏତତ୍‌ଭିନ୍ନ ପ୍ରାଚୀନ ମନ୍ଦିରର ଦ୍ୱାରବନ୍ଧ ୧ଫୁଟ ୮ଇଞ୍ଚ ବିଶିଷ୍ଟ ବୃଦ୍ଧ ଅଭିତାଭ ମୂର୍ତ୍ତି, ଭିକ୍ଷାଟନ ମୂର୍ତ୍ତି ଚତୁର୍ହସ୍ତା ନୃତ୍ୟରତ ଚାମୁଣ୍ଡା, ଭୈରବ ମୂର୍ତ୍ତି ଆଦି ଦେଖିବାକୁ ମିଳେ । ଗବେଷକ ଡଃ ଏକାଦଶୀ ପାଢ଼ୀ ଏହାକୁ ୭ମ-୮ମ ଶତାବ୍ଦୀର ମୂର୍ତ୍ତି ବୋଲି ନିର୍ଦ୍ଧାରଣ କରିଛନ୍ତି ।

ପର୍ବପର୍ବାଣୀ[ସମ୍ପାଦନା]

ପ୍ରତିବର୍ଷ ପୌଷମାସ ବକୁଳ ଅମବାସ୍ୟା ଦିନ ବରାହଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ । ଦୋଳ ପୂର୍ଣ୍ଣିମା ଦିନ ବରାହଙ୍କ ବିଜେ ପ୍ରତିମା ମଦନ ମୋହନଙ୍କୁ ଦୋଳ ମଣ୍ଡପରେ ଦର୍ଶନ କଲେ ସବୁପାପ ନଷ୍ଟ ହୋଇଯାଏ ବୋଲି ବିଶ୍ୱାସ ରହିଛି । ବୈଶାଖ ମାସ ଚନ୍ଦନ ପୂର୍ଣ୍ଣିମାରେ ପୂର୍ବ ତିନି ଦିନରୁ ବରାହଙ୍କ ବିଜେ ପ୍ରତିମାକୁ ବୈତରଣୀ ନଦୀରେ ନୌକା ବିହାର କରାଯାଏ । [୧]

ଆଧାର[ସମ୍ପାଦନା]

  1. ସଂଚାର, ପୃଷ୍ଠା-୧୪, ଗୁରୁବାର, ୮ଅଗଷ୍ଟ ୨୦୧୩