ଦେଉଳଝରି ଉଷ୍ଣପ୍ରସ୍ରବଣ

ଉଇକିପିଡ଼ିଆ‌ରୁ
ଦେଉଳଝରି ଉଷ୍ଣପ୍ରସ୍ରବଣ
ଦେଉଳଝରି ଉଷ୍ଣପ୍ରସ୍ରବଣ ଓ ସିଦ୍ଧେଶ୍ୱର ବାବା ମନ୍ଦିର, ଆଠମଲ୍ଲିକ
ଅବସ୍ଥାନଆଠମଲ୍ଲିକ, ଓଡ଼ିଶା, ଭାରତ
ପ୍ରକାରଘୋଡ଼ା ଲାଞ୍ଜ ପରି
ଉଚ୍ଚତା244 metres (801 ft)
ଖାଲମାନଙ୍କ ସଂଖ୍ୟା
ଝରଣାକୋରାପାଣି ନାଳ

ଦେଉଳଝରି ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକରେ ଥିବା ଏକ ଉଷ୍ଣପ୍ରସ୍ରବଣ ।[୧] ଏଠାରେ ବାହାରୁଥିବା ଉଷ୍ମ ଜଳସ୍ରୋତକୁ ୩୬ଟି କୃତ୍ରିମ କୁଣ୍ଡରେ ରଖି ବ୍ୟବହାର କରାଯାଏ ।[୨] ଏଠାରେ ପ୍ରାୟ ୮୪ଟି କୁଣ୍ଡ ଥିବାର ଜଣାଯାଏ କିନ୍ତୁ ସେସବୁ ଆଜି ଭଗ୍ନ ଅବସ୍ଥାରେ ରହିଛି । ଦେଉଳଝରି ଏକ ପୁରାତନ ଶୈବପୀଠ । ୨୪ ଏକର ୫୫ ଡିସିମିଲି ବିଶିଷ୍ଟ ଏହି ଅଞ୍ଚଳଟି କିଆବଣରେ ପରିପପୂର୍ଣ୍ଣ ଏକ ସୁନ୍ଦର ସ୍ଥାନ । ଏହା ମୁଖ୍ୟତ ଉଷ୍ମପ୍ରସବଣ ଏବଂ ବହୁ ପୁରାତନ ଶ୍ରୀ ସିଦ୍ଧେଶ୍ୱର ବାବାଙ୍କ ମନ୍ଦିର ପାଇଁ ପ୍ରସିଦ୍ଧି ଲାଭ କରିଛି | ମନ୍ଦିରର ଦକ୍ଷିଣ ପାର୍ଶରେ ଚିତ୍ରୋତ୍ପଳା ନଦୀ ବହିଯାଉଛି | ଉତ୍ତରରେ ସୁଉଚ୍ଚ ପଞ୍ଚଧାରା ପର୍ବତ | ପୂର୍ବରେ ଆଠମଲ୍ଲିକ ସହର ଓ ପଶ୍ଚିମରେ ଅଳ୍ପଦୂର ଗଲେ ମାଧପୁର ସହର ଦେଇ ମହାନଦୀ ବହିଯାଇଛି |

ଉଷ୍ମପ୍ରସ୍ରବଣ[ସମ୍ପାଦନା]

ଉଷ୍ମ ଜଳ କୁଣ୍ଡ

ପୁରାତନ ତଥ୍ୟ ଅନୁଯାଯୀ ୮୪ଟି ଉଷ୍ମ ଜଳ ବିଶିଷ୍ଟ ମନିଷ୍ୟ କୃତ କୁଣ୍ଡ ଥିଲା | ମାତ୍ର ସମଯକ୍ରମେ କିଛି କୁଣ୍ଡ କିଆବଣ ଭିତରେ ଲୁଚି ଯାଇଥିବା ବେଳେ ଆଉ କିଛି ପୋତି ହୋଇ ଯାଇଛି | ବର୍ତ୍ତମାନ ୩୬ଟି କୁଣ୍ଡ ଦେଖାଯାଉଛି | କୁଣ୍ଡଗୁଡ଼ିକ ପଥର କାନ୍ଥ ଦିଆଯାଇଥିଲା | ଏବେ ସିମେଣ୍ଟ ଢଳେଇ ଦେଇ ପକ୍କା କରିଦିଆଯାଇଛି | ପ୍ରକୃତିର ଆଶ୍ଚର୍ଯ୍ୟାନିତ୍ୱ ଜିନିଷ ଏଠାରେ ଦେଖାଦେଇଛି | ପ୍ରାୟ ସମସ୍ତ ଜଳ କୁଣ୍ଡର ଉଷ୍ମତା ୪୦ ଡିଗ୍ରିରୁ ୬୨ ଡିଗ୍ରି ସେଲସିଅସ୍ ରହିଥାଏ |[୩] ପୂର୍ବରୁ ୧୩୪ ଡିଗ୍ରି ସେଲସିଅସ୍ ଉଷ୍ମତା ରହୁଥିଲା ବୋଲି କିମ୍ବଦନ୍ତୀ ଅଛି | କୁଣ୍ଡରୁ ପାଣି କାଢି ନେଲେ ମଧ୍ଯ ଅଳ୍ପ ସମୟ ମଧ୍ୟରେ କୁଣ୍ତରେ ପୂର୍ଣ୍ଣ ହୋଇଯାଏ | ପୁରାତନ ସମୟରୁ ପ୍ରତ୍ୟେକ କୁଣ୍ଡମାନଙ୍କର ଭିନ୍ନ ଭିନ୍ନ ନାମ ଦିଆଯାଇଛି | ଯଥା - ଅଗ୍ନି କୁଣ୍ଡ, ତପ୍ତ କୁଣ୍ଡ, ହିମ କୁଣ୍ଡ, ଅମୃତ କୁଣ୍ଡ, ଲବକୁଶ କୁଣ୍ଡ ଇତ୍ୟାଦି ଅନେକ ||[୩] ଏହି ଜଳ କୁଣ୍ଡରେ ତୀର୍ଥଯାତ୍ରୀମାନେ ଅରୁଆ ଚାଉଳ ପକାନ୍ତି , ଜଳର ଉଷ୍ମତା ପରୀକ୍ଷା କରିବା ପାଇଁ | କଏନ ଟଙ୍କା ମଧ୍ଯ ପକାଇଥାନ୍ତି | ସମସ୍ତଙ୍କର ବିଶ୍ୱାସ ଯେ, ଟଙ୍କା ପାକାଇଲେ ମନକାମନା ପୂର୍ଣ୍ଣ ହୁଏ | କେତୋଟି ସ୍ଥାନରେ ଥଣ୍ଡା ଜଳ କୁଣ୍ଡ ପାଖରେ ଉଷ୍ମ ଜଳ କୁଣ୍ଡ ଲାଗିକରି ରହୁଅଛି | ଏଭଳି ଘଟଣା ଅନେକଙ୍କୁ ବାରମ୍ବାର ତୀର୍ଥଯାତ୍ରା କରିବା ପାଇଁ ଆଗ୍ରହ ଜନ୍ମାଇଥାଏ |

ପୌରାଣିକ[ସମ୍ପାଦନା]

ପୌରାଣିକ ମତାନୁସାରେ ଉକ୍ତ ସ୍ଥାନରେ ଏକଦା ଚୌରାଅଶୀଟି ଉଷ୍ଣ କୁଣ୍ଡ ଥିଲା । ପ୍ରତ୍ୟେକ କୁଣ୍ଡରେ ଅବଗାହନ କଲେ ଗୋଟିଏ ନର୍କରୁ ମୁକ୍ତି ମିଳେ ବୋଲି ବିଶ୍ୱାସ କରାଯାଏ । ସମ୍ପ୍ରତି ଅଧିକାଂଶ କୁଣ୍ଡ ପୋତି ହୋଇ ପଡିଥିବା ବେଳେ ମାତ୍ର ଚବିଶିଟି କୁଣ୍ଡର ସ୍ଥିତି ଜଣାପଡେ । ପ୍ରତ୍ୟେକ କୁଣ୍ଡର ନାମକରଣ ହୋଇଛି । ଉକ୍ତ କୁଣ୍ଡଗୁଡିକ ମଧ୍ୟରେ ଅଗ୍ନିକୁଣ୍ଡ, ରକ୍ତକୁଣ୍ଡ, ହିମକୁଣ୍ଡ ଓ ଘୃତକୁଣ୍ଡ ଇତ୍ୟାଦି ପ୍ରଧାନ । ମହେଶ୍ୱର, ମାହେଶ୍ୱରୀ ଓ କେଦାରେଶ୍ୱର ମନ୍ଦିର ସମ୍ମୁଖରେ ଅବସ୍ଥିତ ଦୁଇଟି ବିଶାଳ କୁଣ୍ଡ, ଭକ୍ତ ଓ ପର୍ଯ୍ୟଟକମାନଙ୍କ ସ୍ନାନକୁଣ୍ଡ ଭାବରେ ବ୍ୟବହୃତ ହୁଏ । ଏହି ଦୁଇଟି କୁଣ୍ଡ ମଧ୍ୟରୁ ଗୋଟିକର ଜଳ ଉଷ୍ଣ ହୋଇଥିବା ବେଳେ ଅନ୍ୟଟି ଶୀତଳ । ଶୀତ ଦିନରେ ଉଷ୍ଣ କୁଣ୍ଡରେ ଭକ୍ତ ଓ ପର୍ଯ୍ୟଟକମାନେ ସ୍ନାନ କରି ଆନନ୍ଦିତ ହୁଅନ୍ତି । ଆଶ୍ଚର୍ଯ୍ୟର କଥା, ଏହି କୁଣ୍ଡ ଦୁଇଟି ଲାଗି ରହିଥିଲେ ମଧ୍ୟ ଏବଂ ଉଭୟ କୁଣ୍ଡ ମଧ୍ୟରେ ସଂଯୋଗ ଦ୍ୱାରଦେଇ ଜଳ ପ୍ରବାହିତ ହେଉଥିଲେ ମଧ୍ୟ କୌଣସି କୁଣ୍ଡସ୍ଥିତ ଜଳର ତାପମାତ୍ରା କେବେହେଲେ ପରିବର୍ତ୍ତନ ହୁଏ ନାହିଁ ।

ମନ୍ଦିର[ସମ୍ପାଦନା]

୨୪ ଏକର ବିଶିଷ୍ଟ ସ୍ଥାନରେ ୬ଟି ମୁଖ୍ୟ ମନ୍ଦିର ଅଛି | ଅନ୍ଯ କେତେକ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ମଧ୍ଯ ରହିଛି | ସମସ୍ତଙ୍କ ମଧ୍ଯରେ ଶ୍ରୀ ସିଦ୍ଧେଶ୍ୱର ବାବାଙ୍କ ମନ୍ଦିର ମୁଖ୍ୟ | ଅନ୍ଯ ମନ୍ଦିରମାନଙ୍କ ମଧ୍ଯରେ କେଦାରନାଥ ବାବା, ମା ମାହେଶ୍ୱରୀ ମନ୍ଦିର, ଶ୍ରୀ ମହେଶ୍ୱର ବାବା, ଶ୍ରୀ ଯୋଗେଶ୍ୱରୀ ମନ୍ଦିର ଏବଂ ଖମ୍ବେଶ୍ୱରୀ ମନ୍ଦିର ଅନ୍ଯତମ | ମନ୍ଦିରଗୁଡ଼ିକ ଉଚ୍ଚତା ଦୃଷ୍ଟିରୁ ବଡ଼ ହୋଇନଥିଲେ ବି କାରୁକାର୍ଯ୍ୟରେ ପରିପୂର୍ଣ୍ଣ | ମନ୍ଦିରଗୁଡ଼ିକ ସାମାନ୍ଯ ଦୁରତ୍ୱ ଛାଡି ଛାଡି ରହିଛି | ଦେବାଦେବୀଙ୍କୁ ପୂଜା କରିବା ପାଇଁ ଏକ ପୂଜକ ଗୋଷ୍ଠି ଅଛନ୍ତି । ସେମାନେ ଉଭୟଙ୍କ ମଧ୍ଯରେ ପାଳି କରି ପୂଜାର୍ଚ୍ଚନା କରିଥାନ୍ତି ଏବଂ ମନ୍ଦିରରୁ ରୋଜଗାର କରି ଜୀବନ ନିର୍ବାହ କରନ୍ତି |

ପୂଜା ପାର୍ବଣ[ସମ୍ପାଦନା]

ଏଠାରେ ପ୍ରତିଦିନ ଜନସମାଗମ ଲାଗିରହିଥାଏ | ମୁଖ୍ୟ କେତେକ ତିଥିରେ ସ୍ୱତନ୍ତ୍ର ଉତ୍ସବ ପାଳନ ହୁଏ | ସେ ଦିନମାନଙ୍କରେ ବହୁ ସନ୍ଥ ଏବଂ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶରେ ଚଳଚଞ୍ଚଳ ହୋଇଉଠେ ସ୍ଥାନଟି | ସେ ତିଥିମାନଙ୍କ ମଧ୍ୟରେ ପଣା ସଂକ୍ରାନ୍ତି, ଶୀତଳଶଷ୍ଠୀ, କାର୍ତ୍ତିକ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ଶ୍ରାବଣର ପ୍ରତ୍ଯେକ ସୋମବାର ଏବଂ ଶିବରାତ୍ରୀ ଅନ୍ୟତମ | ଏଠାରେ ଜଗନ୍ନାଥ ପଞ୍ଜିକା ଅନୁସାରେ ମନ୍ଦିର ପରିଚାଳନା କରାଯାଏ |

ଇତିହାସ ଓ କିମ୍ବଦନ୍ତୀ[ସମ୍ପାଦନା]

ଇତିହାସ କହେ ବର୍ତ୍ତମାନ ଯେଉ ମନ୍ଦିର ଅଛି ତାହା ୧୯୩୬ ମସିହା କଦମ୍ବ ରାଜ ବଂଶର ରାଜା କିଶୋର ଚନ୍ଦ୍ର ଦେଓ ତିଆରି କରିଥିଲେ |[୪] ପ୍ରାଚୀନକାଳରେ ଆଠମଲ୍ଲିକ ରାଜାଙ୍କଦ୍ୱାରା ମନ୍ଦିରଟି ତିଆରି କରାଯାଇଥିଲା | ରାଜା ଏଇ ଉଷ୍ଣପ୍ରସ୍ରବଣ ଗୁଡିକର ଝରକୁ ସବୁଦିନ ପାଇଁ ବଞ୍ଚେଇ ରଖିବାକୁ ବନ୍ଧ ପକାଇ ରଖିଥିଲେ । ପରେ ଉକ୍ତ ଝରକୁ ଚୂନ ଓ ସିମେଣ୍ଟ କୁଣ୍ଡ ତିଆରି କରି ଏହି ଉଷ୍ଣପ୍ରସ୍ରବଣର ପାଣିକୁ ମହଜୁଦ ରଖିବାର ବ୍ୟବସ୍ଥା କରାଯାଇଥିଲା । ପରେ ଏହାକୁ ସିମେଣ୍ଟ ବାଲିରେ ଯୋଡେଇ କରି ବିକ୍ଷିପ୍ତ ଭାବରେ ବହିଯାଉଥିବା ପାଣିକୁ ଅଟକା ଯାଇପାରିଥିଲା ।[୫] ପରେ ଅନ୍ୟ ପାର୍ଶ୍ୱ ମନ୍ଦିର କେତେକ ଶୈବ ଭକ୍ତଙ୍କଦ୍ୱାରା ତିଆରି ହୋଇଛି |


କିମ୍ବଦନ୍ତୀ ଅଛି ସ୍ଥାନଟି ତ୍ରେତେୟା ଯୁଗରୁ ଜଣାଶୁଣା | ପ୍ରଭୁ ରାମଚନ୍ଦ୍ର, ମାତା ସୀତା ଦେବୀ ଏବଂ ସାନ ଭାଇ ଲକ୍ଷ୍ମଣ ୧୪ ବର୍ଷ ବନବାସ ସମୟରେ ଏହି ସ୍ଥାନରେ ଭଗବାନ ଶିବଙ୍କର ପୂଜା କରିଥିଲେ | କେତେକଙ୍କ ମତରେ ମଧ୍ୟ ସ୍ଥାନଟିକୁ ଜଗତରନାଥ ଜଗନ୍ନାଥଙ୍କ ଆଦିପୀଠ କୁହାଯାଉଛି କିନ୍ତୁ କେବେ ଓ କେମିତି ଏଠାରେ ପୂଜା ଆରମ୍ବ ହେଲା ତାହା ଏବେବି ଗବେଷଣାର ବିଷୟ |

ଅନ୍ଯାନ୍ୟ[ସମ୍ପାଦନା]

ଡାକ୍ତରୀ ବିଜ୍ଞାନ ମତରେ ସ୍ଥାନଟି ଖୁବ ଭଲ | ଖୁବ ଶାନ୍ତ ପରିବେଶ ଯାହା ଅନେକଙ୍କ ମାନସିକ ରୋଗକୁ ଭଲ କରିଦେଇପାରେ | ଏହା ସହିତ ଉଷ୍ମ ଜଳ ଅନେକଙ୍କ ଚର୍ମ ରୋଗ ଭଲ କରିଦିଏ | ସ୍ଥାନଟି ବୃକ୍ଷଲତା ବୃଦ୍ଧି ପାଇଁ ଉପଯୁକ୍ତ ପରିବେଶ ନାହିଁ ତେଣୁ ଏହାର କାରଣ ଜାଣିବା ପାଇଁ ଅନେକ ଗବେଷଣା କରିବା ପାଇଁ ଏଠାକୁ ଆସିଥାନ୍ତି | ସ୍ଥାନଟି ବର୍ଷାଦିନେ ଜଳ ଭର୍ତ୍ତୀ ଥାଏ | ପରେ ବର୍ଷସାରା ସନ୍ତସନ୍ତିଆ ରହିଥାଏ | ଫଳରେ କିଆବଣ ଭିତରେ ଅନେକ ପ୍ରକାରର ସରୀସୃପ ବାସକରନ୍ତି | ବେଶେଷକରି କିଆ ଫୁଲ ଫୁଟିଲା ସମୟରେ ତାର ବାସ୍ନା ପାଇଁ ଅନେକ ଜୀବ ସ୍ଥାନଟିରେ ଦେଖାଯାଆନ୍ତି |

କେମିତି ଯିବେ[ସମ୍ପାଦନା]

ଭୁବନେଶ୍ୱର ସହରଠାରୁ ଟ୍ରେନ କିମ୍ବା ବସ ଯୋଗେ ଅନୁଗୁଳ ଜିଲ୍ଲାର ବଇଣ୍ଡାରେ ପହଞ୍ଚି ସେଠାରୁ ଆଠମଲ୍ଲିକକୁ ବସ କିମ୍ବା ଅଟୋ ଯୋଗେ ଯାଇହେବ | ଅନୁଗୁଳଠାରୁ ମନ୍ଦିରକୁ ୯୦ କିଲୋମିଟର | ଆଠମଲ୍ଲିକରୁ ମନ୍ଦିରକୁ ୬ କିଲୋମିଟର ଦୁରତ୍ୱ |[୬]

ଫଟୋ ସମୂହ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "indiantravelguide.com". Archived from the original on 2016-03-05. Retrieved 2011-12-02.
  2. "Orissa's Hot Water Springs | Odia Express". odiaexpress.in. 2012. Archived from the original on 15 April 2012. Retrieved 15 May 2012. The hot water from the spring is collected in 36 manmade ponds that circumscribe a Shiva temple.
  3. ୩.୦ ୩.୧ "DEULAJHARI, ATHAMALLICK". ଓଡ଼ିଶା ପର୍ଯ୍ୟଟନ ପୋର୍ଟାଲ. Retrieved 18 November 2013.
  4. "DEULAJHARI, ATHAMALLICK". ଓଡ଼ିଶା ପର୍ଯ୍ୟଟନ ବିଭାଗ. Retrieved 18 November 2013.
  5. ୧୬।୩।୨୦୧୮, ପୃଷ୍ଠା-୧୪, ସଂଚାର
  6. "Deulajhari". ଓଡ଼ିଶା ପର୍ଯ୍ୟଟନ. Retrieved 18 November 2013.[permanent dead link]

ବାହାର ଆଧାର[ସମ୍ପାଦନା]

  1. odisha360.com