ଅଟଳ ବିହାରୀ ବାଜପେୟୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଅଟଳ ବିହାରୀ ବାଜପେୟୀ
Ab vajpayee.jpg
ଭାରତର ୧୦ମ ପ୍ରଧାନମନ୍ତ୍ରୀ
In office
୧୯ ମାର୍ଚ ୧୯୯୮ – ୧୯ ମଇ ୨୦୦୪
ରାଷ୍ଟ୍ରପତି କେ. ଆର. ନାରାୟଣନଏ.ପି.ଜେ. ଅବଦୁଲ କାଲାମ
Deputy ଲାଲକୃଷ୍ଣ ଆଡ଼ଭାନୀ
ପୂର୍ବ ଅଧିକାରୀ ଇନ୍ଦ୍ର କୁମାର ଗୁଜରାଲ
ପର ଅଧିକାରୀ ମନମୋହନ ସିଂହ
In office
୧୬ ମଇ ୧୯୯୬ – ୧ ଜୁନ ୧୯୯୬
ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା
ପୂର୍ବ ଅଧିକାରୀ ପି.ଭି. ନରସିଂହ ରାଓ
ପର ଅଧିକାରୀ ଏଚ.ଡି. ଦେବଗୌଡ଼ା
ବୈଦେଶିକ ବ୍ୟାପାର ମନ୍ତ୍ରୀ
In office
୨୬ ମାର୍ଚ ୧୯୭୭ – ୨୮ ଜୁଲାଇ ୧୯୭୯
ପ୍ରଧାନ ମନ୍ତ୍ରୀ ମୋରାରଜୀ ଦେଶାଇ
ପୂର୍ବ ଅଧିକାରୀ ଯଶବନ୍ତରାଓ ଚଭନ
ପର ଅଧିକାରୀ ଶ୍ୟାମ ନନ୍ଦନ ପ୍ରସାଦ ମିଶ୍ର
Personal details
ଜନ୍ମ ୨୫ ଡିସେମ୍ବର ୧୯୨୪ (1924-12-25) (୯୨ ବର୍ଷ)
ଗ୍ଵାଲିୟର, ବ୍ରିଟିଶ ଶାସନାଧୀନ ଭାରତ
ରାଜନୀତିକ ଦଳ ଭାରତୀୟ ଜନତା ପାର୍ଟି‎ (୧୯୮୦–ଏପର୍ଯ୍ୟନ୍ତ)
ଅନ୍ୟାନ୍ୟ ରାଜନୈତିକ
ସମ୍ବନ୍ଧ
ଭାରତୀୟ ଜନ ସଂଘ (୧୯୮୦ ପୂର୍ବରୁ)
ଶିକ୍ଷାନୁଷ୍ଠାନ ଭିକ୍ଟୋରିଆ କଲେଜ (ଏବେକାର ଲକ୍ଷ୍ମୀବାଇ କଲେଜ), ଗ୍ଵାଲିୟର
ଡିଏଭି କଲେଜ, କାନପୁର
ପେଷା ରାଜନୀତିଜ୍ଞ, କବି
ଧର୍ମ ହିନ୍ଦୁ

ଅଟଳ ବିହାରୀ ବାଜପେୟୀ, ଜଣେ ରାଜନେତା, ଓଜସ୍ୱୀ ବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଭାବେ ପରିଚିତ । ସ୍ଵାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ମୋଟ ସେ ତିନିଥର (୧୯୯୬ରେ ୧୩ ଦିନ, ୧୯୯୮ରୁ୧୯୯୯ ମଧ୍ୟରେ ୧୩ ମାସ,୧୯୯୯ରୁ୨୦୦୪ ପୁରା ୫ ବର୍ଷ) କାର୍ଯ୍ୟଭାର ସମ୍ଭାଳି ଥିଲେ । ବାଜପେୟୀ ଅବିବାହିତ ଅଟନ୍ତି ।[୧][୨] ବାଜପେୟୀଙ୍କୁ ଜଣେ ଉଦାରବାଦୀ ନେତା ଭାବେ ବିବେଚିତ କରାଯାଇଥାଏ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବାଜପେୟୀଙ୍କ ପିତା କୃଷ୍ଣବିହାରୀ ବାଜପେୟୀ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ପ୍ରାଚୀନ ବଟେଶ୍ୱରର ମୂଳନିବାସୀ । କୃଷ୍ଣବିହାରୀ ଜଣେ କବି ଓ ସେ ନିଜ ଗାଁରେ ଶିକ୍ଷକତା କାର୍ଯ୍ୟ କରୁଥିଲେ । ବାଜପେୟୀଙ୍କ ମାତାଙ୍କ ନାମ ଥିଲା କୃଷ୍ଣା ବାଜପେୟୀ । ମହାତ୍ମା ରାମଚନ୍ଦ୍ର ବୀରଙ୍କଦ୍ୱାରା ରଚିତ ଅମର କୃତି ‘ବିଜୟ ପତାକା’ ପଢ଼ି ବାଜପେୟୀଙ୍କ ଜୀବନର ଗତି ବଦଳି ଯାଇଥିଲା । ସେ ସ୍ନାତକ ଡିଗ୍ରୀ ଗ୍ୱାଲିୟରର ଭିକ୍ଟୋରିଆ କଲେଜ (ବର୍ତ୍ତମାନ ଲକ୍ଷ୍ମୀବାଈ କଲେଜ)ରୁ ପ୍ରାପ୍ତ କରିଥିଲେ । ଛାତ୍ର ଜୀବନରେ ସେ ଆରଏସ୍‍ଏସ୍‍ର ସ୍ୱୟଂସେବକ ହୋଇଥିଲେ ଏବଂ ସେବେଠାରୁ ରାଷ୍ଟ୍ରୀୟସ୍ତରୀୟ ତର୍କ ପ୍ରତିଯୋଗିତାରେ ଭାଗ ନେଉଥିଲେ । ସେ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମ୍‍ଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ।[୩][୪] ଏମ୍‍ଏ ପରେ ପରେ ସେ କାନପୁରରେ ଏଲ୍‍ଏଲ୍‍ବି ପଢ଼ା ଆରମ୍ଭ କରିଥିଲେ । ତେବେ ମଝିରୁ ପାଠପଢ଼ା ଛାଡ଼ି ସଂଘ କାର୍ଯ୍ୟରେ ନିଷ୍ଠାର ସହ ଲାଗିଥିଲେ ।

ସାହିତ୍ୟ ଜୀବନ[ସମ୍ପାଦନା]

ସେ ଦୀର୍ଘବର୍ଷ ଧରି ରାଷ୍ଟ୍ରଧର୍ମ, ପଞ୍ଚଜନ୍ୟ, ବୀରଅର୍ଜୁନ ଆଦି ରାଷ୍ଟ୍ରୀୟ ଭାବନାରେ ଜଡିତ ପତ୍ର-ପତ୍ରିକାର ସଂପାଦନା କରିଥିଲେ । ବାଜପେୟୀଙ୍କ କାବ୍ୟଗୁଣ ବଂଶାନୁଗତ ଭାବେ ପ୍ରାପ୍ତ ହୋଇଛି । ବିଭିନ୍ନ କବି ସମ୍ମିଳନୀରେ ଯୋଗଦେବା ଅବସରରେ ସେ ପିଲାଦିନୁ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ କବିତା ଥିଲା ତାଜମହଲ । ତାଙ୍କର ସଂଘର୍ଷମୟ ଜୀବନ, ପରିବର୍ତ୍ତନଶୀଳ ପରିସ୍ଥିତି, ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ, ଜେଲ-ଜୀବନ ଆଦି ତାଙ୍କ କାବ୍ୟ-କବିତାରେ ପ୍ରକାଶ ପାଇଛି । ତାଙ୍କର କବିତା ସଂକଳନ " ମେରି ଇକ୍ୟାବନ କବିତାୟେଁ' (ମୋର ୫୧ଟି କବିତା) ବେଶ୍ ଲୋକପ୍ରିୟତା ହାସଲ କରିଛି । ପ୍ରସିଦ୍ଧ ଫିଲ୍ମ ପ୍ରଯୋଜକ ୟଶ ଚୋପ୍ରା ବାଜପେୟୀଙ୍କ କେତେକ କବିତାକୁ ନେଇ ତିଆରି କରିଛନ୍ତି ଏକ ଆଲବମ "ଅନ୍ତର୍ନାଦ' । ଏଥିରେ କବିତାଗୁଡିକୁ ସଂଗୀତ ରୂପ ଦେଇଛନ୍ତି ଗଜଲ ଗାୟକ ଜଗଜୀତ ସିଂହ । ଲୋକ ସଭାରେ ତାଙ୍କର ବକ୍ତବ୍ୟକୁ ଅମର ବଳିଦାନ ନାମରେ ସଂଗୃହୀତ କରାଯାଇଛି । କ୍ୟା ଖୋୟା କ୍ୟା ପାୟା, ଶ୍ରେଷ୍ଠ କବିତା ଓ ନୟାଦିଶା ପ୍ରଭୃତି କବିତା ଗ୍ରନ୍ଥ ଏବଂ ବିନ୍ଦୁ ବିନ୍ଦୁ ବିଚାର, ନା ଦୈନ୍ୟମଂ ନା ପଳାୟନଂ, ନୈ ଚୁନୌତି ନୟା ଅବସର ପ୍ରଭୃତି ଗଦ୍ୟ ରଚନା କରିଛନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ୧୯୪୨ରେ ଜେଲ ଯାଇଥିଲେ । ୧୯୭୫ରେ ଇନ୍ଧିରା ଗାନ୍ଧୀଙ୍କ ନିର୍ବାଚନକୁ ଆହ୍ଲାବାଦ ହାଇକୋର୍ଟ ଅସିଦ୍ଧ ଘୋଷଣାପରେ ସେ ଜରୁରୀକାଳୀନ ପରିସ୍ଥିତି ଜାରି କଲେ ଏବଂ ଦେଶର ସବୁ ତୁଙ୍ଗ ବିରୋଧୀ ନେତାମାନଙ୍କୁ ଗିରଫ କରାଗଲା । ବାଜପେୟୀଙ୍କୁ ମଧ୍ୟ ୨୨ ମାସ କାଳ କାରାବରଣ କରିବାକୁ ପଡ଼ିଥିଲା ।

ଭାରତୀୟ ଜନସଂଘର ପ୍ରତିଷ୍ଠାତାଙ୍କ ମଧ୍ୟରେ ବାଜପେୟୀ ଅନ୍ୟତମ । [୫] ଜନସଂଘ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ନାମରେ ରାଜନୈତିକ ଦଳର ମାନ୍ୟତା ପାଇଥିଲା । ୧୯୬୮ରୁ ୧୯୭୩ ପର୍ଯ୍ୟନ୍ତ ବାଜପେୟୀ ଜନସଂଘର ଅଧ୍ୟକ୍ଷ ରହିଥିଲେ । ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପରାମର୍ଶରେ ସେ ରାଜନୀତର ପାଠ ପଢ଼ିଥିଲେ ।

୧୯୫୭ରୁ ୨୦୦୯ ପର୍ଯ୍ୟନ୍ତ ସେ ନଅଥର ଲୋକ ସଭାକୁ ନିର୍ବାଚିତ ହୋଇ ଥିବାବେଳେ ରାଜ୍ୟସଭାକୁ ୧୯୬୨ ଓ ୧୯୮୬ରେ ଦୁଇଥର ନିର୍ବାଚିତ ହୋଇ ମଝିରେ ମାତ୍ର ଦେଢ ବର୍ଷକୁ ଛାଡିଦେଲେ ସଂସଦରେ ୫୦ ବର୍ଷରୁ ଅଧିକ କାଳ ସଦସ୍ୟ ହୋଇ ରହିଛନ୍ତି । ଭାରତବର୍ଷରେ ସେ ଏକମାତ୍ର ସାଂସଦ ଯିଏ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ ଦିଲ୍ଲୀ, ଚାରୋଟି ରାଜ୍ୟରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ସେ ଲଗାତର ଲକ୍ଷ୍ମୌ ନିର୍ବାଚନ ମଣ୍ଡଳୀରୁ ୬ଥର ବିଜୟୀ ହୋଇଛନ୍ତି ।

୧୯୫୫ରେ ପ୍ରଥମ କରି ସେ ଲୋକ ସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ୧୯୫୭ରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ ବାଜପେୟୀ ମାତ୍ର ୩୩ ବର୍ଷ ବୟସରେ ଉତ୍ତରପ୍ରଦେଶର ବଳରାମପୁର ଲୋକ ସଭା ଆସନରୁ ଜନସଂଘର ପ୍ରାର୍ଥୀ ଭାବେ ଜିତି ଲୋକ ସଭାକୁ ପ୍ରଥମ କରି ଯାଇଥିଲେ । ସେତେବେଳେ ସେ ଯେଉଁ ଭାଷଣ ଦେଇଥିଲେ, ତାହା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଏପରିକି ନେହେରୁ କହିଥିଲେ, ଏହି ଯୁବକଜଣକ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ ।[୬]

୧୯୫୯ରୁ ୧୯୭୭ ପର୍ଯ୍ୟନ୍ତ ଜନତା ପାର୍ଟି ପ୍ରତିଷ୍ଠା ହେବା ଯାଏଁ ବାଜପେୟୀ ୨୦ ବର୍ଷ ଧରି ଜନସଂଘ ସଂସଦୀୟ ଦଳର ନେତା ଥିଲେ । ମୋରାରଜୀ ଦେଶାଇ ସରକାରରେ ସେ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ଥିଲେ । ତାଙ୍କ ବିବୃତି; "ଆପଣ ବନ୍ଧୁମାନଙ୍କୁ ପରିବର୍ତ୍ତନ କରିପାରିବେ, ମାତ୍ର ପଡୋଶୀମାନଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ' ଆଜି ବୈଦେଶିକ ନୀତିରେ ଏକ ଜନପ୍ରିୟ ବିବୃତି ଭାବେ ଖ୍ୟାତ ହୋଇଛି । ବାଜପେୟୀ ପ୍ରଥମ ବିଦେଶ ମନ୍ତ୍ରୀ ଥିଲେ; ଯିଏକି ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତକୁ ଗୌରବାନ୍ୱିତ କରିଥିଲେ ।

ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀମନମୋହନ ସିଂହଙ୍କ ପରେ ବାଜପେୟୀ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ଦିନ ଦାୟିତ୍ୱ ତୁଲାଇଛନ୍ତି । ୧୯୯୬ରେ ବାଜପେୟୀ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ତେବେ ସେ ୧୩ ଦିନ ପ୍ରଧାନମନ୍ତ୍ରୀ ପଦରେ ହିଁ ରହିପାରିଥିଲେ । ୧୯୯୮ରେ ସେ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ ୧୯୯୯ରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏହି ସମୟରେ ସେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ।

୧୯୭୯ରେ ଜନତାପାର୍ଟି ସରକାର ଭାଙ୍ଗିବା ପରେ ଏବଂ ମୂଳ ଜସସଂଘର ନେତାମାନଙ୍କର ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ-ଏହି ଦ୍ୱୈତ ସଦସ୍ୟତାକୁ ଦେଇ ବିବାଦ ଉପୁଜିବାରୁ ଅଟଳଙ୍କ ନେତୃତ୍ୱରେ ନାନାଜୀ ଦେଶମୁଖ, ଲାଲକୃଷ୍ଣ ଆଡ଼ଭାନୀ ଓ ବଲରାଜ ମାଧୋକ ପ୍ରମୁଖ ନେତାମାନେ ଜନତାପାର୍ଟିରୁ ଅଲଗା ହୋଇ ଭାରତୀୟ ଜନତା ପାର୍ଟି ଗଠନ କଲେ । ୧୯୮୦ ଏପ୍ରିଲ ୬ରେ ପ୍ରତିଷ୍ଠା ହୋଇଥିବା ବିଜେପିର ଅଧ୍ୟକ୍ଷ ପଦର ଦାୟିତ୍ୱ ମଧ୍ୟ ବାଜପେୟୀଙ୍କୁ ଅର୍ପଣ କରାଯାଇଥିଲା । ଏହିି ପାର୍ଟି ୧୯୮୪ରେ ମାତ୍ର ୨ଟି ଆସନ ଜିତିଥିଲା ବେଳେ ୧୯୯୬ରେ ୧୬୧ଟି ଆସନ ଲାଭ କରି ସରକାର ଗଢିଥିଲା ଏବଂ ଅଟଳବିହାରୀ ବାଜପେୟୀ ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୯୮ରେ ଭାଜପାର ୧୮୨ଟି ଆସନ ସହିତ ୨୪ଟି ଦଳକୁ ନେଇ ଗଠିତ ଗଣତାନ୍ତ୍ରିକ ସମ୍ମୁଖ୍ୟ କ୍ଷମତାକୁ ଆସିଲା ଏବଂ ଅଟଳଜୀ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲୋ ଜୟଲଳିତା ଗଣତନ୍ତ୍ର ସାମ୍ମୁଖ୍ୟରୁ ତାଙ୍କର ସମର୍ଥନ ପ୍ରତ୍ୟାହାର କରିନେବାରୁ ଅଟଳଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିଥିଲା ଏବଂ ସେତେବେଳେ ଓଡ଼ିଶାରେ ମୁଖମନ୍ତ୍ରୀ ହୋଇଥିବା ଗିରିଧର ଗମାଙ୍ଗ ଲୋକ ସଭା ସଭ୍ୟ ପଦରୁ ଇସ୍ତଫା ଦେଇନଥିବାରୁ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ସରକାର ବିରୁଦ୍ଧରେ ଭୋଟ୍ ଦେଇଥିଲେ । ତାଙ୍କର ଏହି ଗୋଟିଏ ଭୋଟରେ ସରକାରର ପତନ ଘଟିଲା । ପୁନଶ୍ଚ ୧୯୯୬ରେ ସଂଖ୍ୟାଗରିଷ୍ଠତା ସହ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ କ୍ଷମତାକୁ ଫେରିଲା ଓ ସେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ । ୨୦୦୪ ମଇ ୧୯ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦବୀରେ ଥିଲେ ।

୧୯୯୮ ମଇ ୧୩ରେ ପୋଖରାନଠାରେ କରାଯାଇଥିବା "ଅପରେସନ ଶକ୍ତି' ଥିଲା ତାଙ୍କର ଆଉ ଏକ ସଫଳତା । ଏହାଦ୍ଵାରା ସେ ବିଶ୍ୱରେ ହାତଗଣତି ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଭାରତକୁ ସାମିଲ କରାଇଥିଲେ । ସେ ଏଭଳି କୌଶଳରେ ପରମାଣୁ ବୋମା ପରୀକ୍ଷା କରାଇଲେ ଏହାର ସୂଚନା ଆମେରିକା ମଧ୍ୟ ପାଇନଥିଲା । ସେ ୧୦୦ ବର୍ଷର ପୁରାତନ କାବେରୀ ଜଳ ବିବାଦର ସମାଧାନ କରିଥିଲେ । ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ଓ ବିମାନ ବନ୍ଦରର ବିକାଶ, ନୂଆ ଟେଲିକମ୍ ନୀତି ତଥା କୋଙ୍କଣ ରେଳବାଇର ଶୁଭାରମ୍ଭ ମାଧ୍ୟମରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲେ । ସେ ରାଷ୍ଟ୍ରୀୟ ସୁରକ୍ଷା ସମିତି, ଆର୍ଥିକ ପରାମର୍ଶଦାତା କମିଟି ଏବଂ ବ୍ୟାପାର ଓ ଉଦ୍ୟୋଗ କମିଟି ଗଠନ କରିଥିଲେ । ୧୯୯୯ରେ କାରଗିଲ ଯୁଦ୍ଧ ଓ ୨୦୦୧ରେ ସଂସଦ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ବାଜପେୟୀଙ୍କ କାର୍ଯ୍ୟକାଳ ମଧ୍ୟରେ ଘଟିଥିଲା । ୨୦୦୧ରେ ଗୁଜରାଟ ଦଙ୍ଗା ସମୟରେ ସେ କହିଥିଲେ ‘ମୋଦି ରାଜଧର୍ମ ପାଳନ କରିନାହାନ୍ତି ।’ ବିଜେପିରେ ବାଜପେୟୀଙ୍କୁ ‘ରାମ’ ଓ ଲାଲକୃଷ୍ଣ ଆଡୱାଣୀଙ୍କୁ ‘ଲକ୍ଷ୍ମଣ’ ଉପାଧି ଦିଆଯାଉଥିଲା । ପାକିସ୍ତାନ ସହିତ ସଂପର୍କରେ ଉନ୍ନତି ଆଣିବା ଲାଗି ୧୯୯୯ ଫେବୃଆରୀ ୧୯ରେ ତାଙ୍କ ଉଦ୍ୟମରେ ଦିଲ୍ଲୀରୁ ପାକିସ୍ତାନର ଲାହୋର ମଧ୍ୟରେ ବସ୍‍ସେବା ଆରମ୍ଭ କରିଥିଲେ । ଦିଲ୍ଲୀରୁ ଲାହୋର ଯାଉଥିବା ପ୍ରଥମ ବସ୍‍ରେ ବସି ସେ ପାକିସ୍ତାନ ଯାଇଥିଲେ । ୧୯୯୯ ଫେବୃଆରୀ ୨୧ରେ ବାଜପେୟୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସହ ଲାହୋର ଘୋଷଣାନାମାରେ ସ୍ୱାକ୍ଷର କରିଥିଲେ ଏବଂ ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ସମସ୍ୟାବଳୀକୁ ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ସମାଧାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ୧୯୯୯ ମଇ ଓ ଜୁଲାଇରେ କାରଗିଲ ଉପରେ ପାକିସ୍ତାନର ସେନାମୁଖ୍ୟ ପରଭେଜ ମୁଶାରଫ ଆକ୍ରମଣ କରିବା ସମୟରେ ବି ବାଜପେୟୀ ଏହି ବସସେବାକୁ ବାତିଲ କରି ନଥିଲେ । ତେବେ ୨୦୦୧ ଡିସେମ୍ବର ୧୩ରେ ସଂସଦ ଉପରେ ଆଇଏସଆଇ ଆକ୍ରମଣ ପରେ ଏହି ବସ୍ ସେବା ବନ୍ଦ ହୋଇ ଯାଇ ଥିଲା । ପରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବନ୍ଦ କରିବା ଏବଂ ନିଜ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ପାକିସ୍ଥାନ ପ୍ରତିଶ୍ରୁତି ଦେବା ପରେ ୨୦୦୩ ଜୁଲାଇ ୧୬ ତାରିଖରେ ଏହି ବସ୍ ସେବା ପୁଣି ଆରମ୍ଭ ହୋଇଥିଲା । ୨୦୦୪ରେ କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ‘ଭାରତ ଉଦୟ’ ସ୍ଲୋଗାନ ଦେଇ ବାଜପେୟୀଙ୍କ ନେତୃତ୍ୱରେ ଏନ୍‍ଡିଏ ନିର୍ବାଚନ ଲଢିଥିଲା, ତେବେ ପରାଜୟବରଣ କରିବାକୁ ପଡ଼ିଥିଲା । ଏହାପରଠାରୁ ବାଜପେୟୀ କ୍ରମଶଃ ରାଜନୀତିରୁ ଦୂରେଇ ଯାଇଥିଲେ ।[୭]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଦେଶପ୍ରତି ବାଜପେୟୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପରିପ୍ରେକ୍ଷୀରେ ୨୦୧୪ ଡିସେମ୍ବର ୨୫ ତାଙ୍କ ୯୦ତମ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।[୮][୯]

  • ୨୦୧୪: ଭାରତ ରତ୍ନ
  • ୧୯୯୪: ଲୋକମାନ୍ୟ ତିଳକ ପୁରସ୍କାର[୧୦]
  • ୧୯୯୪: ସର୍ବଶ୍ରେଷ୍ଠ ସାଂସଦ
  • ୧୯୯୪: ଭାରତରତ୍ନ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ ପୁରସ୍କାର
  • ୧୯୯୩: କାନପୁର ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନଜନକ ଡକ୍ଟରେଟ୍‍ ଉପାଧି[୧୦]
  • ୧୯୯୨: ପଦ୍ମ ବିଭୂଷଣ

ଆଧାର[ସମ୍ପାଦନା]

  1. "The outliers who won the PM's post". Mail Today. 15 April 2014. http://indiatoday.intoday.in/story/outliers-prime-minister-narendra-modi-rss-pracharak-indira-gandhi-p-v-narashima-rao-atal-bihari-vajpayee/1/355731.html. Retrieved 2014-09-29. 
  2. Jaffrelot, Christophe (୧୯୯୬). The Hindu Nationalist Movement and Indian Politics. C. Hurst & Co. Publishers. pp. ୧୩୧–୧୩୨. ISBN ୯୭୮-୧୮୫୦୬୫୩୦୧୧. 
  3. "The Leading Indian Politician Site on the Net". indianpoliticians.com. Retrieved 2012-11-24. 
  4. "The Sangh (RSS) is my Soul; writes Atal Bihari Vajpayee". Vishwa Samvada Kendra. 19 January 2012. Retrieved 2014-09-29. 
  5. Atal Bihari Vajpayee
  6. "India Matters". Indiamatters.in. Retrieved 2012-11-24. 
  7. "ଅଟଳବିହାରୀ ବାଜପେୟୀ: ପ୍ରବୀଣ ରାଷ୍ଟ୍ରନୀତିଜ୍ଞ, ଜନନେତା ଓ ଦରଦୀ କବି" (PDF). ପର୍ଯ୍ୟବେକ୍ଷକ. 26 December 2014. pp. ୨. Retrieved 26 December 2014. 
  8. [୧]
  9. Government to Announce Bharat Ratna for Atal Bihari Vajpayee, Madan Mohan Malaviya Today: Sources
  10. ୧୦.୦ ୧୦.୧ "Prime Minister of India Bio-Data". Parliamentofindia.nic.in. Retrieved 2012-11-24. 

ଅଧିକ ତଥ୍ୟ[ସମ୍ପାଦନା]