Jump to content

ଲାଲ ବାହାଦୁର ଶାସ୍ତ୍ରୀ

ଉଇକିପିଡ଼ିଆ‌ରୁ
ଲାଲ ବାହାଦୁର ଶାସ୍ତ୍ରୀ
लालबहादुर शास्त्री
ଭାରତର ୨ୟ ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୭ ନଭେମ୍ବର, ୧୯୬୪ – ୧୧ ଜାନୁଆରୀ,୧୯୬୬
ରାଷ୍ଟ୍ରପତିସର୍ବପଲ୍ଲୀ ରାଧାକୃଷ୍ଣନ
ପୂର୍ବ ଅଧିକାରୀଜବାହରଲାଲ ନେହେରୁ
ପର ଅଧିକାରୀଗୁଲଜାରୀଲାଲ ନନ୍ଦା (Acting)
ବିଦେଶ ମନ୍ତ୍ରୀ
କାର୍ଯ୍ୟକାଳ
୯ ଜୁନ,୧୯୬୪ – ୧୮ ଜୁଲାଇ,୧୯୬୪
ପୂର୍ବ ଅଧିକାରୀଗୁଲଜାରୀଲାଲ ନନ୍ଦା
ପର ଅଧିକାରୀSardar Swaran Singh
ଗୃହ ମନ୍ତ୍ରୀ
କାର୍ଯ୍ୟକାଳ
୪ ଅପ୍ରେଲ,୧୯୬୪ – 29 August 1963
ପ୍ରଧାନ ମନ୍ତ୍ରୀଜବାହରଲାଲ ନେହେରୁ
ପୂର୍ବ ଅଧିକାରୀଗୋବିନ୍ଦ ବଲ୍ଲଭ ପନ୍ତ
ପର ଅଧିକାରୀଗୁଲଜାରୀଲାଲ ନନ୍ଦା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1904-10-02)୨ ଅକ୍ଟୋବର ୧୯୦୪
ମୁଗଲ ସରାଇ,ଉତ୍ତରପ୍ରଦେଶ
ମୃତ୍ୟୁ୧୧ ଜାନୁଆରୀ ୧୯୬୬(1966-01-11) (ବୟସ ୬୧)
ତାସ୍କେନ୍ଟ,ରୂଷିଆ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଲଳିତା ଶାସ୍ତ୍ରୀ
ପେଷାAcademic
Activist

ଲାଲ ବାହାଦୂର ଶାସ୍ତ୍ରୀ (୨ ଅକ୍ଟୋବର ୧୯୦୪ - ୧୧ ଜାନୁଆରୀ ୧୯୬୬) ଜଣେ ଭାରତୀୟ ରାଜନେତା ଯିଏ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଗୁଜରାଟର ଆନନ୍ଦ ଅମୁଲ ଦୁଗ୍ଧ ସମବାୟ ସମିତିକୁ ସମର୍ଥନ ତଥା ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ କରି ଶ୍ଵେତ ବିପ୍ଳବକୁ ପ୍ରୋତ୍ସାହିତ କରିଥିଲେ । ଏହା ଥିଲା ଦୁଗ୍ଧର ଉତ୍ପାଦନ ତଥା ଯୋଗାଣ ବୃଦ୍ଧି ପାଇଁ ଏକ ଜାତୀୟ ଅଭିଯାନ ।[] ଭାରତର ଖାଦ୍ୟ ଉତ୍ପାଦନକୁ ବୃଦ୍ଧି କରିବାର ଆବଶ୍ୟକତାକୁ ଦର୍ଶାଇ ଶାସ୍ତ୍ରୀ ୧୯୬୫ ମସିହାରେ ଭାରତରେ ସବୁଜ ବିପ୍ଳବକୁ ମଧ୍ୟ ପ୍ରୋତ୍ସାହିତ କରିଥିଲେ । ଏହା ଫଳରେ ବିଶେଷ କରି ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନରେ ବୃଦ୍ଧି ଘଟିଥିଲା ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଶାସ୍ତ୍ରୀ, ଏକ କାୟସ୍ଥ ହିନ୍ଦୁ ପରିବାରରେ ଶାରଦା ପ୍ରସାଦ ଶ୍ରୀବାସ୍ତବ ଏବଂ ରାମଦୁଲାରୀ ଦେବୀଙ୍କ ପୁତ୍ରଭାବେ ୨ ଅକ୍ଟୋବର ୧୯୦୪ରେ ଜନ୍ମଗ୍ରହଣ କରିଥିଲେ । ସେ ପୂର୍ବ ସେଣ୍ଟ୍ରାଲ ରେଲୱେ ଇଣ୍ଟର କଲେଜ ଏବଂ ହରିଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଶିକ୍ଷା ଛଡ଼ି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେ ମୁଜାଫରପୁରରେ ହରିଜନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ ଏବଂ ତାଙ୍କର "ଶ୍ରୀବାସ୍ତବ" ନାମକ ଜାତି ଭିତ୍ତିକ ଉପନାମ ପରିତ୍ୟାଗ କରିଥିଲେ । ସ୍ଵାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ ଏବଂ ଆନି ବେସାନ୍ତଙ୍କ ବିଷୟରେ ପଢିବାଦ୍ୱାରା ଶାସ୍ତ୍ରୀଙ୍କ ଚିନ୍ତାଧାରା ବିଶେଷ ପ୍ରଭାବିତ ହୋଇଥିଲା । ଗାନ୍ଧୀଙ୍କଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇ ସେ ୧୯୨୦ ମସିହାରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ସେ ଲାଲା ଲଜପତ ରାୟଙ୍କ ଦ୍ଵାରା ପ୍ରତିଷ୍ଠିତ ଲୋକ ସେବକ ମଣ୍ଡଳର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ୧୯୪୭ ମସିହାରେ ଭାରତର ସ୍ଵାଧୀନତା ପରେ ସେ ଭାରତ ସରକାରରେ ଯୋଗ ଦେଇଥିଲେ ଏବଂ ପ୍ରଧାନମନ୍ତ୍ରୀ ନେହେରୁଙ୍କ ପ୍ରମୁଖ କ୍ୟାବିନେଟ ସହକର୍ମୀ ଭାବେ ପ୍ରଥମେ ରେଳମନ୍ତ୍ରୀ (୧୯୫୧–୫୬), ଏବଂ ପରେ ଗୃହମନ୍ତ୍ରୀ ସମେତ ଅନ୍ୟାନ୍ୟ ପ୍ରମୁଖ ପଦବୀରେ ରହିଥିଲେ ।[]

ଶାସ୍ତ୍ରୀଙ୍କ ପୂର୍ବଜମାନେ ରାମନଗରର ଜମିନ୍ଦାରଙ୍କ ସେବାରେ ଥିଲେ, ଏବଂ ଶାସ୍ତ୍ରୀ ତାଙ୍କ ଜୀବନର ପ୍ରଥମ ବର୍ଷଟି ରାମନଗରରେ ବିତାଇଥିଲେ । ଶାସ୍ତ୍ରୀଙ୍କ ପିତା, ଶରଦ୍ ପ୍ରସାଦ୍ ଶ୍ରୀବାସ୍ତବ, ଗୋଟିଏ ବିଦ୍ୟାଳୟରେ ଶିକ୍ଷକ ଥିଲେ ଏବଂ ପରେ ପ୍ରୟାଗରାଜରେ ରେଭିନ୍ୟୁ କାର୍ଯ୍ୟାଳୟରେ ଗୋଟିଏ କିରାଣୀ ଭାବେ କାମ କରୁଥିଲେ । ଶାସ୍ତ୍ରୀଙ୍କ ମାଆ, ରାମଦୁଲାରୀ ଦେବୀ, ମୁଞ୍ଶୀ ହଜାରୀ ଲାଲଙ୍କ ଝିଅ ଥିଲେ, ଯିଏ ମୁଗଳସରାଇ ଥିବା ଗୋଟିଏ ରେଲୱେ ବିଦ୍ୟାଳୟର ମୁଖ୍ୟ ଶିକ୍ଷକ ତଥା ଇଂରାଜୀ ଶିକ୍ଷକ ଥିଲେ । ଶାସ୍ତ୍ରୀ ତାଙ୍କ ପିତାମାତାଙ୍କ ଦ୍ୱିତୀୟ ସନ୍ତାନ ଏବଂ ବଡ ଝିଅ ପରେ ପ୍ରଥମ ପୁଅ ଥିଲେ । ତାଙ୍କର ଏକ ଜେଷ୍ଠା ଭଉଣୀ ଥିଲେ କୈଳାଶୀ ଦେବୀ। (b. 1900).[][]

ଏପ୍ରିଲ ୧୯୦୬ ରେ, ଯେବେ ଶାସ୍ତ୍ରୀଙ୍କୁ କେବଳ ୧୮ ମାସ ହୋଇଥିଲା, ସେତେବେଳେ ତାଙ୍କ ପିତା, ଯିଏ ନିକଟରେ ଡେପୁଟି ତହସିଲଦାର ଭାବେ ପଦୋନ୍ନତି ପାଇଥିଲେ, ପ୍ଲେଗ୍‌ ମହାମାରୀରେ ପ୍ରାଣ ହରାଇଥିଲେ । ରାମଦୁଲାରୀ ଦେବୀ, ଯିଏ ସେତେବେଳେ କେବଳ ୨୩ ବର୍ଷ ବୟସରେ ଥିଲେ ଏବଂ ତୃତୀୟ ସନ୍ତାନକୁ ଗର୍ଭଧାରଣ କରିଥିଲେ, ସେ ତାଙ୍କର ଦୁଇଟି ସନ୍ତାନଙ୍କୁ ନେଇ ରାମନଗର ଠାରୁ ତାଙ୍କ ବାପାଙ୍କ ଘର, ମୁଗଲସରାଇକୁ ଚାଲିଗଲେ ଏବଂ ସେଠାରେ ସ୍ଥାୟୀ ଭାବରେ ରହିଲେ । ଜୁଲାଇ ୧୯୦୬ ରେ ସେ ଗୋଟିଏ କନ୍ୟା ସନ୍ତାନ, ସୁନ୍ଦରୀ ଦେବୀଙ୍କୁ ଜନ୍ମ ଦେଲେ । ଏଭଳି ଭାବରେ, ଶାସ୍ତ୍ରୀ ଓ ତାଙ୍କର ଭଉଣୀ ତାଙ୍କ ମାମୁଁଘର, ହଜାରୀ ଲାଲଜୀଙ୍କ ଗୃହରେ ବଡ ହେଲେ । କିନ୍ତୁ, ୧୯୦୮ ମଧ୍ୟରେ ହଜାରୀ ଲାଲଜୀ ଏକ ଘାତକ ରୋଗରେ ପ୍ରାଣ ହରାଇଲେ । ତାପରେ, ଶାସ୍ତ୍ରୀଙ୍କ ପରିବାରକୁ ତାଙ୍କର ଜଣେ ସମ୍ପର୍କୀୟ ବଡବାପା ଦରବାରୀ ଲାଲ, ଯିଏ ଘାଜୀପୁରରେ ଓପିଅମ୍ ନିୟନ୍ତ୍ରଣ ବିଭାଗରେ ମୁଖ୍ୟ କିରାଣୀ ଥିଲେ, ଏବଂ ପରେ ତାଙ୍କ ପୁଅ (ରାମଦୁଲାରୀ ଦେବୀଙ୍କ ଭାଗିନା) ବିନ୍ଦେଶ୍ୱରୀ ପ୍ରସାଦ, ମୁଘଲସରାଇରେ ଜଣେ ଶିକ୍ଷକ ଥିଲେ, ସେମାନେ ଦେଖାଶୁଣା କରିଥିଲେ ।[]

ଶାସ୍ତ୍ରୀଜୀଙ୍କ ପରିବାରରେ, ଅନେକ କାୟାସ୍ଥ ପରିବାର ପରି, ସେହି ଯୁଗରେ ପିଲାମାନେ ଉର୍ଦ୍ଦୁ ଭାଷା ଏବଂ ସଂସ୍କୃତିରେ ଶିକ୍ଷା ଗ୍ରହଣ କରିବା ପ୍ରଥା ଥିଲା । ତେଣୁ ଶାସ୍ତ୍ରୀ ଚାରି ବର୍ଷ ବୟସରେ ମୋଗଲସରାଇର ପୂର୍ବ ସେଣ୍ଟ୍ରାଲ ରେଲୱେ ଇଣ୍ଟର କଲେଜରେ ଜଣେ ମୌଲଭି (ମୁସଲମାନ ଧର୍ମଗୁରୁ) ବୁଦ୍ଧ ମିଆନଙ୍କ ଅଧୀନରେ ଶିକ୍ଷା ଆରମ୍ଭ କରିଥିଲେ । ସେ ସେଠାରେ ଷଷ୍ଠ ମାନ୍ୟତା ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ୧୯୧୭ ମସିହାରେ, ବିନ୍ଦେଶ୍ୱରୀ ପ୍ରସାଦ (ଯିଏ ବର୍ତ୍ତମାନ ଘରର ମୁଖ୍ୟ ଥିଲେ) ବାରାଣାସୀକୁ ସ୍ଥାନାନ୍ତରିତ ହୋଇଥିଲେ ଏବଂ ରାମଦୁଲାରୀ ଦେବୀ ଏବଂ ତାଙ୍କର ତିନି ସନ୍ତାନଙ୍କ ସମେତ ସମଗ୍ର ପରିବାର ସେଠାକୁ ଯାଇଥିଲେ । ବାରାଣାସୀରେ ଶାସ୍ତ୍ରୀ ହରିଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଯୋଗ ଦେଇଥିଲେ । ଏହି ସମୟରେ, ସେ "ଶ୍ରୀବାସ୍ତବ"ର ଜାତି-ଉପନାମ (ଯାହା କାୟାସ୍ଥ ପରିବାରର ଏକ ଉପ-ଜାତିର ପାରମ୍ପାରିକ ଉପନାମ) ଛାଡିବାକୁ ନିଷ୍ପତ୍ତି ନେଇଥିଲେ।

ରାଜନୈତିକ ଜୀବନ

[ସମ୍ପାଦନା]

ନେହରୁଙ୍କ ମୃତ୍ୟୁ ପରେ, ଶାସ୍ତ୍ରୀଙ୍କ ସାମ୍ୟବାଦୀ ପୃଷ୍ଠଭୂମି କାରଣରୁ ଶାସକ ଭାରତୀୟ ଜାତୀୟ କଂଗ୍ରେସର କିଛି ନେତା ତାଙ୍କୁ ରୁଢିବାଦୀ ମୋରାରଜୀ ଦେସାଇଙ୍କ ବିପକ୍ଷରେ ଉପସ୍ଥାପନ କରିବା ପାଇଁ ନାମନିର୍ଦ୍ଦେଶ କରିଥିଲେ । ତେବେ କଂଗ୍ରେସ ଅଧ୍ୟକ୍ଷ କୁମାରସ୍ୱାମୀ କାମରାଜଙ୍କ ସମର୍ଥନରେ, ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଦଳର ପସନ୍ଦ ହେଲେ ।[]

୯ ଜୁନ୍ ୧୯୬୪ ରେ ଶାସ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଓ କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ଗୁଲଜାରୀଲାଲ ନନ୍ଦାଙ୍କ ଠାରୁ ପଦ ଗ୍ରହଣ କଲେ ।

୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସେ ଦେଶର ନେତୃତ୍ୱ ନେଇଥିଲେ । ଯୁଦ୍ଧ ସମୟରେ ସେ "ଜୟ ଯବାନ, ଜୟ କିସାନ" ସ୍ଲୋଗାନ ଦେଇଥିଲେ । ୧୦ ଜାନୁଆରୀ ୧୯୬୬ରେ ତାସକେଣ୍ଟ ଚୁକ୍ତିନାମା ସହିତ ଯୁଦ୍ଧ ଆନୁଷ୍ଠାନିକ ଭାବରେ ସମାପ୍ତ ହେଲା; ପରଦିନ ସେ ମୃତ୍ୟୁବରଣ କଲେ । ଏହା ହୃଦ୍‌ଘାତ ବୋଲି ଜଣାଯାଇଥିଲା କିନ୍ତୁ ଏହି କାରଣକୁ ନେଇ ତାଙ୍କ ପରିବାର ସନ୍ତୁଷ୍ଟ ହୋଇନଥିଲେ । ତାଙ୍କୁ ପରବର୍ତ୍ତୀ ସମୟରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା I

ରହସ୍ୟମୟ ମୃତ୍ୟୁ

[ସମ୍ପାଦନା]

ଶାସ୍ତ୍ରୀ ୧୧ ଜାନୁଆରୀ ୧୯୬୬ ରେ ତାଶକେଣ୍ଟ, ଉଜବେକିସ୍ତାନରେ (ସେତେବେଳେ ସୋଭିଏତ ସଂଘର ଅଂଶ) ଭାରତ-ପାକିସ୍ତାନ ୧୯୬୫ ଯୁଦ୍ଧ ଶେଷ କରିବା ପାଇଁ ଶାନ୍ତି ଚୁକ୍ତିରେ ହସ୍ତାକ୍ଷର କରିବା ପରେ ହୃଦ୍‌ରୋଗ ଜନିତ ଆଘାତରେ ମୃତ୍ୟୁବରଣ କରିଥିଲେ । ଶାସ୍ତ୍ରୀଙ୍କ ନିକଟ ସମ୍ପର୍କୀୟମାନେ ସେତେବେଳେ ଓ ପରେ ମଧ୍ୟ ତାଙ୍କ ମୃତ୍ୟୁର ପରିସ୍ଥିତିକୁ ବିଶ୍ୱାସ କରିନଥିଲେ, ଏବଂ ବଦଳରେ ଏହାକୁ ଏକ ଷଡଯନ୍ତ୍ର ଭାବେ ଦାବି କରିଥିଲେ ।[]

ତାଙ୍କ ମୃତ୍ୟୁ ପରେ କେବଳ କିଛି ଘଣ୍ଟା ମଧ୍ୟରେ ଷଡଯନ୍ତ୍ର ତତ୍ତ୍ୱ ଉପସ୍ଥାପିତ ହେବା ଆରମ୍ଭ ହେଲା ଓ ସେଗୁଡିକ ଆଜି ପର୍ଯ୍ୟନ୍ତ ଚାଲିଆସୁଛି । ତାଙ୍କ ମୃତ୍ୟୁ ବିଷୟରେ The Tashkent Files ନାମକ ଏକ ସିନେମା ମଧ୍ୟ ତିଆରି ହୋଇଛି । ଏହି ବିଷୟରେ ଭାରତର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଏକ ସୂଚନା ଅଧିକାର ପତ୍ର (ଆର.ଟି.ଆଇ.) ଦାଖଲ କରାଯାଇଥିଲା, ଯାହାର ଉତ୍ତରରେ କାର୍ଯ୍ୟାଳୟ କହିଥିଲା ଯେ ତାଙ୍କ ମୃତ୍ୟୁ ସଂପର୍କିତ ଗୋଟିଏ ଫାଇଲ୍ ରହିଛି, କିନ୍ତୁ ଏହାକୁ ସାଧାରଣ ଲୋକଙ୍କ ପାଇଁ ପ୍ରକାଶ କରିହେବ ନାହିଁ । ବହୁତ ଲୋକ ଆଜି ମଧ୍ୟ ବିଶ୍ୱାସ କରନ୍ତି ଯେ ତାଙ୍କୁ ବିଷ ଦିଆଯାଇଥିଲା ।

ତାଙ୍କୁ ଜାତୀୟ ବୀର ଭାବରେ ସ୍ମରଣ କରାଯାଇଛି; ତାଙ୍କ ସ୍ମୃତିରେ ବିଜୟ ଘାଟ୍ ସ୍ମୃତିସ୍ଥଳୀ ତିଆରି କରାଯାଇଛି । ଶାସ୍ତ୍ରୀଙ୍କ ମୃତ୍ୟୁ ପରେ, ଗୁଲଜାରୀଲାଲ ନନ୍ଦା ପୁନର୍ବାର କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।[]

ଅଧିକ ତଥ୍ୟ

[ସମ୍ପାଦନା]
  1. "From Jai Jawan, Jai Kisan to White Revolution: Remembering Lal Bahadur Shastri on his death anniversary". www.hindustantimes.com. Retrieved 30 May 2025.
  2. "Lal Bahadur Shastri | Early Life, Freedom Fighter, Political Career, Death, & Legacy | Britannica". www.britannica.com (in ଇଂରାଜୀ). 2025-05-23. Retrieved 2025-05-30.
  3. Bakshi 1991, pp. 1, 2.
  4. Dhawan 1991, p. 81.
  5. Chokkan 2020, p. 9.
  6. U.N. Gupta (2003). Indian Parliamentary Democracy. Atlantic Publishers & Distributors. p. 121. ISBN 8126901934.
  7. Times, Hindustan. "Clear air on father's death: Lal Bahadur Shastri's son - Hindustan Times". http://www.hindustantimes.com/. Archived from the original on 2013-05-13. Retrieved 2025-05-30. {{cite web}}: External link in |website= (help)
  8. U.N. Gupta 2003, p. 121.