ଜେ. ଆର. ଡି. ଟାଟା

ଉଇକିପିଡ଼ିଆ ରୁ
Jump to navigation Jump to search
ଜାହାଙ୍ଗିର୍ ରତନଜୀ ଦାଦାଭୋୟ ଟାଟା (ଜେ. ଆର୍. ଡି. ଟାଟା)
J.R.D. Tata (1955).jpg
ଜେ. ଆର୍. ଡି.ଙ୍କ ୧୯୫୫ ମସିହାର ଏକ ଫଟୋଚିତ୍ର
ଜନ୍ମ ଓ ଜନ୍ମସ୍ଥାନ୨୯-୦୭-୧୯୦୪
ପ୍ୟାରିସ୍, ଫ୍ରାଂସ୍
ମୃତ୍ୟୁ୨୯-୧୧-୧୯୯୩ (୮୯ ବର୍ଷ ବୟସରେ)
ଜେନିଭା, ସ୍ୱିଜରଲ୍ୟାଣ୍ଡ୍
ନାଗରିକତାଫରାସୀ, ଭାରତୀୟ
ଜୀବିକାବ୍ୟବସାୟ
ମୋଟ ସମ୍ପତ୍ତି୫ ଲକ୍ଷ କୋଟି ଡଲାର୍ ($)[୧] (୧୯୯୩ ମସିହା ସମୟର କଳନା ଅନୁସାରେ)
ଜୀବନସାଥିଥେଲମା ଭିକାଜି ଟାଟା
ବାପା ବୋଉରତନଜୀ ଦାଦାଭୋୟ ଟାଟା
ସୁଜାନେ ବ୍ରିଏରେ
ସମ୍ପର୍କୀୟଟାଟା ପରିବାର ଦେଖନ୍ତୁ

ଫରାସୀ ମାଟିରେ ଜନ୍ମଗ୍ରହଣ କରିଥିବା ଜାହାଙ୍ଗିର୍ ରତନଜୀ ଦାଦାଭୋୟ ଟାଟା (ଜେ. ଆର୍. ଡି. ଟାଟା - J. R. D. Tata) ଏକାଧାରରେ ଜଣେ ଭାରତୀୟ ବିମାନଚାଳକ, ବ୍ୟବସାୟିକ ସୁଯୋଗ ସୃଷ୍ଟିକାରକ, ଟାଟା କମ୍ପାନୀପୁଞ୍ଜର ପୂର୍ବତନ ଅଧ୍ୟକ୍ଷ ଓ ଟାଟା ସନ୍ସର ଜଣେ ଶେୟାର୍-ହୋଲଡର୍ । ସେ ୨୯ ଜୁଲାଇ ୧୯୦୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଓ ୨୯ ନଭେମ୍ବର୍ ୧୯୯୩ରେ ତାଙ୍କର ତିରୋଧାନ ହୋଇଥିଲା । ତାଙ୍କୁ ଭାରତ ବର୍ଷରେ ଅନେକ ଲୋକ “ଜେ. ଆର୍. ଡି.” ନାମରେ ମଧ୍ୟ ସମ୍ବୋଧନ କରୁଥିଲେ ।

ପାରସି ସମ୍ପ୍ରଦାୟର ସମ୍ଭ୍ରାନ୍ତ ଟାଟା ପରିବାରରେ ତାଙ୍କର ଜନ୍ମ । ତାଙ୍କ ପିତା ରତନଜୀ ଦାଦାଭୋୟ ଟାଟା ଜଣେ ସୁନାମଧନ୍ୟ ବ୍ୟବସାୟୀ ହୋଇଥିବା ବେଳେ, ମାତା ସୁଜାନେ ବ୍ରିଏରେ ପ୍ରଥମ ମହିଳା ଭାରତରେ ଭାବେ ମୋଟର ଗାଡ଼ି ଚାଳନ କରି ବେଶ୍ ଜଣାଶୁଣା ହୋଇଥିଲେ । ୧୯୨୯ ମସିହାରେ ଜେ. ଆର୍. ଡି. ଭାରତର ପ୍ରଥମ ଅନୁମତି ପତ୍ରଧାରକ ବିମାନଚାଳକ (ପାଇଲଟ୍) । ଟାଟା କମ୍ପାନୀପୁଞ୍ଜର ଅନେକ ବ୍ୟବସାୟିକ ଅବୟବର ଗଠନ ଓ ବିକାଶରେ ଜେ. ଆର୍. ଡି. ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଟାଟା କଂସଲ୍ଟାଂସି ସର୍ଭିସେସ୍ (Tata Consultancy Services), ଟାଟା ମୋଟର୍ସ (Tata Motors), ଟାଇଟାନ୍ ଇଣ୍ଡଷ୍ଟ୍ରିଜ୍ (Titan Industries), ଟାଟାଟି (Tata Tea), ଭୋଲଟାସ୍ (Voltas) ଏବଂ ଏୟାର୍ ଇଣ୍ଡିଆ (Air India) ତନ୍ମଧ୍ୟରୁ ଉଲ୍ଲେଖଯୋଗ୍ୟ । ଭାରତୀୟ ଶିଳ୍ପୋଦ୍ୟୋଗ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୧୯୫୫ ମସିହାରେ ପଦ୍ମ ବିଭୂଷଣ, ୧୯୮୩ ମସିହାରେ ଫରାସୀ ଲିଜିଅନ୍ ଅଫ୍ ଅନର୍ ଓ ୧୯୯୨ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ଅଳଙ୍କୃତ କରାଯାଇଥିଲା ।[୨]

ପ୍ରାକ୍-ଜୀବନ[ସମ୍ପାଦନା]

୧୯୦୪ ମସିହା ଜୁଲାଇ ମାସ ୨୯ ତାରିଖରେ ଜନ୍ମଗ୍ରହଣ କରିଥିବା ଜେ. ଆର୍. ଡି.ଙ୍କ ଜନ୍ମନାମ ଜାହାଙ୍ଗିର୍ ଥିଲା । ଜେ. ଆର୍. ଡି. ଏକ ପାରସି ପରିବାରରେ ବ୍ୟବସାୟୀ ରତନଜୀ ଦାଦାଭୋୟ ଟାଟା (ଆର୍. ଡି. ଟାଟା) ଓ ତାଙ୍କ ଫରାସୀ ପତ୍ନୀ ସୁଜାନେ ସୂନି ବ୍ରିଏରେଙ୍କର ଦ୍ୱିତୀୟ ସନ୍ତାନ ଥିଲେ ।[୩] ଆର୍. ଡି. ଟାଟାଙ୍କ ପିତା ଭାରତର ଶିଳ୍ପକ୍ଷେତ୍ରର ଅନ୍ୟତମ ଜନକ ଜମସେଦଜୀ ଟାଟାଙ୍କ ଦେଦେଇ-ପୁଅ-ଭାଇ ଥିଲେ । ଜେ. ଆର୍. ଡି.ଙ୍କ ପରିବାରରେ ତାଙ୍କ ବ୍ୟତୀତ ବଡ଼ ଭଉଣୀ ଶୀଲା, ସାନ ଭଉଣୀ ରୋଦାବେ, ଦୁଇ ସାନ ଭାଇ ଦରାବ ଟାଟା ଓ ଜିମ୍ମି ଟାଟା ମଧ୍ୟ ରହୁଥିଲେ । ତାଙ୍କ ବଡ଼ ଭଉଣୀ ଶୀଲାଙ୍କ ବିବାହ ପେଟିଟ୍ ପରିବାରର ଦ୍ୱିତୀୟ ସମ୍ଭ୍ରାନ୍ତ ଦିନ୍-ଶ ମାନେକଜୀ ପେଟିଟଙ୍କ ସହିତ ହୋଇଥିଲା । ଜେ. ଆର୍. ଡି.ଙ୍କ ଭାଣେଜୀ ରତ୍ତନବାଇ ପେଟିଟ୍ ପରବର୍ତ୍ତୀ ସମୟରେ ପାକିସ୍ଥାନର ରାଷ୍ଟ୍ରପିତା ମହମ୍ମଦ ଅଲି ଜିନ୍ନାଙ୍କ ପତ୍ନୀ ହୋଇଥିଲେ । ଜେ. ଆର୍. ଡି.ଙ୍କ ଭାଣେଜୀଙ୍କ ଝିଅ ଦିନା ଜିନ୍ନା ପ୍ରସିଦ୍ଧ ଉଦ୍ୟୋଗପତି ନେଭିଲ୍ ୱାଡିଆଙ୍କୁ ବିବାହ କରିଥିଲେ ।

ତାଙ୍କ ମାତା ଫରାସୀ ହୋଇଥିବାରୁ ତାଙ୍କ ବାଲ୍ୟଜୀବନର ଅଧିକାଂଶ ଭାଗ ଫ୍ରାଂସରେ ବିତିଥିଲା ଓ ତାଙ୍କ ମାତୃଭାଷା ମଧ୍ୟ ଫରାସୀ ଭାଷା ଥିଲା । ପ୍ୟାରିସର ଜାନସନ୍ ଡି ସେଲି ବିଦ୍ୟାଳୟରେ ସେ ଅଧ୍ୟୟନ କରିଥିଲେ । ଏହି ବିଦ୍ୟାଳୟର ଜନୈକ ଶିକ୍ଷକ କୌଣସି ଏକ କାରଣରୁ ତାଙ୍କୁ “ଏଲ୍. ଇଜିପ୍ସିୟନ୍” ବୋଲି ଡାକୁଥିଲେ ବୋଲି କଥିତ ଅଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜେ. ଆର୍. ଡି. ସ୍ପାହିସ୍ ରେଜିମେଣ୍ଟରେ ଏକ ବର୍ଷ ସେବାରତ ଥିଲେ ।[୪] ସେ ଏହି ସେବାରୁ ବିରତି ନେବାର କିଛି ସମୟ ପରେ ଏହି ରେଜିମେଣ୍ଟ୍ ମୋରୋକ୍କୋରେ ଏକ ଅଭିଯାନ କରୁଥିବା ବେଳେ ଏହାର ସମସ୍ତ ସୈନିକ ପ୍ରାଣ ହରାଇଥିଲେ ।[୫]

ତା’ପରେ ସେ ବମ୍ବେରେ କ୍ୟାଥେଡ୍ରାଲ୍ ଓ ଜନ୍ କନ୍ନୋନ୍ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଜେ. ଆର୍. ଡି. ଲଣ୍ଡନ, ଜାପାନ, ଫ୍ରାଂସ୍ ଓ ଭାରତ ଆଦି ଅନେକ ଦେଶରେ ଶିକ୍ଷାଲାଭ କରିଛନ୍ତି । ଆର୍. ଡି. ଟାଟା ଟାଟା କମ୍ପାନୀରେ ଯୋଗଦେବା ପରେ ନିଜର ସମସ୍ତ ପରିବାରକୁ ନେଇ ଲଣ୍ଡନପାଇଁ ପ୍ରସ୍ଥାନ କରିଥିଲେ । ଏହି ସମୟରେ ୪୩ ବର୍ଷ ବୟସରେ ଜେ. ଆର୍. ଡି.ଙ୍କ ମାତା ଅକାଳ ମୃତ୍ୟୁବରଣ କଲେ । ଏହି ସମୟରେ ଜେ. ଆର୍. ଡି.ଙ୍କ ପିତା ଭାରତରେ ଓ ପରିବାର ଫ୍ରାଂସରେ ଥିଲେ ।

ପତ୍ନୀଙ୍କ ବିୟୋଗପରେ ଆର୍. ଡି. ଟାଟା ଭାରତ ଫେରିଯିବାର ନିଷ୍ପତ୍ତି ନେଲେ ଓ ଜେ. ଆର୍. ଡି.ଙ୍କୁ ଅକ୍ଟୋବର ୧୯୨୩ରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଇଂଲଣ୍ଡକୁ ପଠାଇଥିଲେ । ସେଠାରେ ସେ ଏକ ଗ୍ରାମାର୍ ବା ବ୍ୟାକରଣ ଶିଖାଉଥିବା ବିଦ୍ୟାନୁଷ୍ଠାନରେ ନାମ ଲେଖାଇଥିଲେ । ଜେ. ଆର୍. ଡି. କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ବୈଷୟିକ ଶିକ୍ଷା ଲାଭ କରିବା ପାଇଁ ଆଶାୟୀ ଥିଲେ । ସେ ନିଜର ବ୍ୟାକରଣ ଶିକ୍ଷା ସମାପ୍ତ କରି କେମ୍ବ୍ରିଜରେ ପ୍ରବେଶ କରିବାକୁ ଯାଉଥିବା ସମୟରେ ଫ୍ରାଂସରେ ଏକ ନୂତନ ନିୟମ ପ୍ରଣୟନ କରାଯାଇଥିଲା । ଏହି ନୂତନ ନିୟମାନୁସାରେ ୨୦ ବର୍ଷ ପର୍ଯ୍ୟନ୍ତ ସମସ୍ତ ଫରାସୀ ବାଳକଙ୍କୁ ୨ ବର୍ଷ ପାଇଁ ସାମରିକ ବାହିନୀରେ ଯୋଗ ଦେବାକୁ ପଡିଥିଲା । ଫ୍ରାଂସର ନାଗରିକ ହୋଇଥିବାରୁ ଜେ. ଆର୍. ଡି.ଙ୍କୁ ଏକ ବର୍ଷ ପାଇଁ ସାମରିକ ବାହିନୀରେ ଅନ୍ତର୍ଭୁକ୍ତ କରାଗଲା । ବ୍ୟାକରଣ ସ୍କୁଲ୍ ଓ ଫରାସୀ ସାମରିକ ସେବା ସମୟରେ ମିଳୁଥିବା ଅଳ୍ପ ଅତିରିକ୍ତ ସମୟ ସେ ବମ୍ବେସ୍ଥିତ ନିଜ ଘରେ କଟାଉଥିଲେ । ଫରାସୀ ସେନାରେ ଯୋଗଦେଲା ପରେ ସେନାର “ସ୍ପାହିସ୍” (ଦ ସିପୋୟଜ୍, The Sepoys – ହିନ୍ଦୀ ବା ଓଡ଼ିଆରେ ସିପାହୀ) ନାମକ ବାହିନୀରେ ତାଙ୍କୁ ନିଯୁକ୍ତି ମିଳିଲା । ଖୁବ୍ ଶୀଘ୍ର ଏହି ବାହିନୀର କର୍ଣ୍ଣେଲ୍ ବା ମୁଖିଆ ଜାଣିବାକୁ ପାଇଲେ ଯେ ତାଙ୍କ ଦଳରେ ଥିବା ଜେ. ଆର୍. ଡି. ଫରାସୀ ଓ ଈଂରାଜୀ ଭାଷା ଲେଖିପାରନ୍ତି ଓ ପଢିପାରନ୍ତି[୬], ତା’ ସହିତ ଟାଇପ୍ ମଧ୍ୟ କରିପାରନ୍ତି । ତେଣୁ ସେ ଜେ. ଆର୍. ଡି.ଙ୍କୁ ନିଜ କାର୍ଯ୍ୟାଳୟରେ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କଲେ । ଜେ. ଆର୍. ଡି., କର୍ଣ୍ଣେଲଙ୍କ ବିଳାସପୂର୍ଣ୍ଣ କାର୍ଯ୍ୟାଳୟରେ ସ୍ଥାନାନ୍ତରିତ ହୋଇ ଆସିଲେ । ଏହାର ପ୍ରାୟ ୧୨ ମାସ ପରେ ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ । କିନ୍ତୁ ନିଜ ପିତାଙ୍କ ନିର୍ଦ୍ଦେଶାନୁସାରେ ଭାରତ ଫେରିଆସି ଟାଟା କମ୍ପାନୀରେ କାର୍ଯ୍ୟ ଆରମ୍ଭ କଲେ ।

୧୯୨୯ ମସିହାରେ ଜେ. ଆର୍. ଡି. ନିଜର ଫରାସୀ ନାଗରିକତା ପରିତ୍ୟାଗ କରି ଭାରତୀୟ ନାଗରିକତ୍ୱ ଗ୍ରହଣ କଲେ ଓ ଟାଟା କମ୍ପାନୀରେ କାର୍ଯ୍ୟାକମ୍ଭ କଲେ । ବମ୍ବେର ମେରାଇନ୍ ଡ୍ରାଇଭରେ ଦ୍ରୁତ ଗତିରେ ନିଜ ଡୁକାଟି ଗାଡି ଚଳାଇବା ଅଭିଯୋଗରେ ଜେ. ଆର୍. ଡି.ଙ୍କ ନାମରେ ହୋଇଥିବା ମୋକଦ୍ଦମାରେ “ଜ୍ୟାକ୍ ଭିକାଜି” ନାମକ ଜଣେ ଓକିଲଙ୍କୁ ନିଯୁକ୍ତ କରିଥିଲେ । ୧୯୩୦ ମସିହାରେ ସେ ଥେଲମା ଭିକାଜିଙ୍କୁ ବିବାହ କରିଥିଲେ । ଥେଲମା ଭିକାଜି ହେଉଛନ୍ତି ଜ୍ୟାକ୍ ଭିକାଜିଙ୍କ ଭାଣେଜି । ଏହା ପୂର୍ବରୁ ଜେ. ଆର୍. ଡି.ଙ୍କ ନିର୍ବନ୍ଧ ଦିନବାଇ ମେହେଟାଙ୍କ ସହିତ ହୋଇଥିଲା କିନ୍ତୁ ବିବାହ ହୋଇପାରି ନଥିଲା । ଦିନବାଇ ମେହେଟା ଦ ଇକୋନୋମିଷ୍ଟ ଖବର କାଗଜର ସମ୍ପାଦକ “ଶପୁର୍ ଖାରେଗାଟର”ଙ୍କ ମାତା ଭାବେ ଜଣାଶୁଣା ।

କର୍ମ ଜୀବନ[ସମ୍ପାଦନା]

ଜେ. ଆର୍. ଡି. ଟାଟା ଫରାସୀ ଉଦ୍ଭାବକ, ଆବିଷ୍କାରକ ଓ ବିମାନଚାଳକ ଲୁଇ ବ୍ଲେରିଓ (Louis Blériot)ଙ୍କଦ୍ୱାରା ଅନୁପ୍ରାଣିତ ହୋଇ ବିମାନ ଚାଳନ ଶିକ୍ଷା କରିଥିଲେ । ୧୯୨୯ ମସିହା ଫେବୃଆରୀ ୧୦ ତାରିଖରେ ଭାରତରୁ ପ୍ରଦାନ କରାଯାଉଥିବା ପ୍ରଥମ ବିମାନଚାଳକ ଅନୁମତି ପତ୍ର ଜେ. ଆର୍. ଡି.ଙ୍କୁ ମିଳିଥିଲା ।[୭] ଜେ. ଆର୍. ଡି. ୧୯୩୨ ମସିହାରେ ଭାରତର ପ୍ରଥମ ବ୍ୟବସାୟିକ ଓ ବେସାମରିକ ବିମାନ ସେବା “ଟାଟା ଏୟାରଲାଇନସ୍” ନାମରେ ଆରମ୍ଭ କରିଥିଲେ । ୧୯୪୬ ମସିହାରେ ଟାଟା ଏୟାରଲାଇନ୍ସ ଭାରତ ସରକାରଙ୍କଦ୍ୱାରା ପରିଚାଳିତ ହୋଇ “ଏୟାର୍ ଇଣ୍ଡିଆ” ନାମ ପାଇଲା । ବର୍ତ୍ତମାନ ଏୟାର୍ ଇଣ୍ଡିଆ ଭାରତର ଜାତୀୟ ବିମାନ ସେବା ପରିଚାଳନାକାରୀ ଅନୁଷ୍ଠାନ । ପ୍ରଥମ ବିମାନ ସେବା ଆରମ୍ଭ କରିଥିବାରୁ ତାଙ୍କୁ ଭାରତୀୟ ବେସାମରିକ ବିମାନସେବାର ଜନକ ମଧ୍ୟ କୁହାଯାଏ । ନିଜ ବନ୍ଧୁ ନେଭିଲ୍ ଭିନସେଣ୍ଟ୍ ଓ ଜେ. ଆର୍. ଡି. ଟାଟାଙ୍କ ମିଳିତ ଉଦ୍ୟମରେ ଟାଟା ଏୟାରଲାଇନ୍ସ ପ୍ରତିଷ୍ଠିତ ହୋଇପାରିଥିଲା । ୧୯୨୫ ମସିହାରେ ବିନା ପାରିତୋଷିକରେ ସେ ଜଣେ “ଆପ୍ରେଣ୍ଟିସ୍” ଭାବେ ଟାଟା ସନ୍ସରେ କାର୍ଯ୍ୟାରମ୍ଭ କରିଥିଲେ । ୧୯୩୮ ମସିହା ବେଳକୁ ୩୪ ବର୍ଷରେ ଉପନୀତ ଜେ. ଆର୍. ଡି. ଭାରତର ସର୍ବବୃହତ ଉଦ୍ୟୋଗପୁଞ୍ଜର ମୂଳ କମ୍ପାନୀ ଟାଟା ସନ୍ସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେ ନିଜ ସମ୍ପର୍କୀୟ ନୌରୋଜୀ ସକଲତୱାଲାଙ୍କଠାରୁ ଏହି ପଦ ଗ୍ରହଣ କରିଥିଲେ । ଆଗାମୀ ଅନେକ ଦଶନ୍ଧି ଧରି ଜେ. ଆର୍. ଡି. ଏହି କମ୍ପାନୀପୁଞ୍ଜର ପରିଚାଳନା କରିଥିଲେ । ଷ୍ଟିଲ୍ ଉତ୍ପାଦନ, ବୈଷୟିକ କ୍ଷେତ୍ର, ବିଦ୍ୟୁତ୍ ଉତ୍ପାଦନ ଓ ବିତରଣ, ରାସାୟନିକ ଉତ୍ପାଦନ ଓ ସତ୍କାରସେବା (Hospitality) ଇତ୍ୟାଦିରେ ସେ ଅଧିକ ମନୋନିବେଶ କରିଥିଲେ । ସେ ରାଜନେତାଙ୍କୁ ଲାଞ୍ଚ ଦେଉନଥିଲେ ଓ କଳାବଜାରରେ ଦ୍ରବ୍ୟ ବିକ୍ରି କରୁନଥିଲେ । ବ୍ୟବସାୟରେ ସହଜରେ କାମ ହାସଲ କରିବାର ପନ୍ଥା ନ ଆପଣେଇ ଓ ଏପରି ଉଚ୍ଚ ନୈତିକ ଓ ବ୍ୟବସାୟିକ ମାନଦଣ୍ଡଦ୍ୱାରା ସେ ପ୍ରତିଯୋଗିତା ଓ ବ୍ୟବସାୟରେ ସଫଳତା ଲାଭ କରିଥିଲେ । ଜେ. ଆର୍. ଡି. ଓ ଟାଟା କମ୍ପାନୀର ଅନ୍ୟ ମୁଖିଆମାନଙ୍କଦ୍ୱାରା ସ୍ଥାପିତ “ଟାଟା ଗ୍ରୁପ୍”ର ନୈତିକ ଓ ବ୍ୟବସାୟିକ ମାନଦଣ୍ଡ “ଟାଟା ବିଜନେସ୍ ଏକ୍ସିଲେନ୍ସ୍ ମଡେଲ୍” ନାମରେ ଜଣାଯାଏ ଓ ସମସ୍ତ କର୍ମଚାରୀଙ୍କୁ ଏଥିରେ ତାଲିମ ଦିଆଯାଏ । ଜେ. ଆର୍. ଡି.ଙ୍କ ସଭାପତିତ୍ୱରେ ଟାଟା ଗ୍ରୁପର ସମ୍ବଳ ୧୦ କୋଟି ଆମେରିକୀୟ ଡଲାରରୁ ବଢି ୫ ଲକ୍ଷ କୋଟି ଆମେରିକୀୟ ଡଲାର ହୋଇଯାଇଥିଲା । ତାଙ୍କ ନିରୀକ୍ଷଣ ଓ ନେତୃତ୍ୱରେ ୧୪ ଗୋଟି ନୂଆ କମ୍ପାନୀ ଆରମ୍ଭ ହୋଇଥିଲା । ପ୍ରାୟ ୫୦ ବର୍ଷ ପରେ ୨୬ ଜୁଲାଇ ୧୯୮୮ ବେଳକୁ ସେ ଟାଟା ସନ୍ସରୁ ଅବସର ନେବାବେଳେ ଟାଟା ସନ୍ସ ଅଧୀନରେ ପ୍ରାୟ ୯୫ଟି କମ୍ପାନୀ ରହିଥିଲା । ଏହି କମ୍ପାନୀ ଗୁଡିକ ଟାଟା ସନ୍ସ ପ୍ରତିଷ୍ଠା କରିଥିଲା ବା ଏଗୁଡିକର ବ୍ୟବସାୟ ସେମାନେ ନିୟନ୍ତ୍ରଣ କରୁଥିଲେ ।

୧୯୩୨ ମସିହାରେ ପ୍ରତିଷ୍ଠିତ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟର ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ସେ ଟ୍ରଷ୍ଟି ରହିଥିଲେ । ତାଙ୍କ ମାର୍ଗଦର୍ଶନରେ ୧୯୪୧ ମସିହାରେ ବମ୍ବେରେ ଏହି ଟ୍ରଷ୍ଟ ଏସିଆର ପ୍ରଥମ କର୍କଟରୋଗ ଚିକିତ୍ସାଳୟ “ଟାଟା ମେମୋରିଆଲ୍ ସେଣ୍ଟର୍ ଫର୍ କ୍ୟାନସର୍, ରିସର୍ଚ୍ଚ୍ ଏଣ୍ଡ୍ ଟ୍ରିଟମେଣ୍ଟ୍”ର (Tata Memorial Centre for Cancer, Research and Treatment) ପ୍ରତିଷ୍ଠା କରିଥିଲା । ସେ ଆହୁରି ମଧ୍ୟ ୧୯୩୬ ମସିହାରେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (Tata Institute of Social Sciences-TISS), ୧୯୪୫ ମସିହାରେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚ୍ (Tata Institute of Fundamental Research-TIFR) ଓ ନ୍ୟାସନାଲ୍ ସେଣ୍ଟର୍ ଫର୍ ପରଫର୍ମିଂଗ୍ ଆର୍ଟ୍ସ (National Center for Performing Arts) ପରି ଅନୁଷ୍ଠାନର ପ୍ରତିଷ୍ଠା ମଧ୍ୟ କରିଥିଲେ ।

୧୯୪୫ ମସିହାରେ ଜେ. ଆର୍. ଡି.ଙ୍କ ତତ୍ତ୍ୱାବଧାନରେ ଟାଟା ମୋଟର୍ସ୍ ପ୍ରତିଷ୍ଠିତ ହେଲା । ୧୯୪୮ ମସିହାରେ ଭାରତର ପ୍ରଥମ ଅନ୍ତରାଷ୍ଟ୍ରୀୟ ବିମାନସେବା ଏୟାର୍ ଇଣ୍ଡିଆ ଇଣ୍ଟରନ୍ୟାସନାଲରେ ଜେ. ଆର୍. ଡି.ଙ୍କୁ ଭାରତ ସରକାର ସଭାପତି ପଦରେ ନିଯୁକ୍ତ କଲେ । ଭାରତ ସରକାର ତାଙ୍କୁ ଇଣ୍ଡିଆନ୍ ଏୟାରଲାଇନ୍ସର ବୋର୍ଡରେ ଜଣେ ନିର୍ଦ୍ଦେଶକ ଭାବେ ମଧ୍ୟ ନିଯୁକ୍ତ କରିଥିଲେ ଓ ପ୍ରାୟ ୨୫ ବର୍ଷ ପର୍ଯ୍ୟନ୍ତ ଜେ. ଆର୍. ଡି. ଏହି ଦାୟିତ୍ତ୍ୱ ନିର୍ବାହ କରିଥିଲେ । ବିମାନ ଚଳାଚଳ ଦିଗରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଅନରାରୀ ଏୟାର୍ କୋମୋଡୋର୍ ଅଫ୍ ଇଣ୍ଡିଆ ପଦବୀରେ ସନ୍ମାନିତ କରାଯାଇଥିଲା ।

ଜେ. ଆର୍. ଡି. ଟାଟା ନିଜ କର୍ମଚାରୀଙ୍କ ବିଶେଷ ଯତ୍ନ ନେଉଥିଲେ । ୧୯୫୬ ମସିହାରେ ସେ “ପ୍ରବନ୍ଧକଙ୍କ ସହିତ କର୍ମଚାରୀଙ୍କ ସମ୍ପର୍କ”କୁ ଆହୁରି ନିବିଡ଼ କରିବା ପାଇଁ ଏକ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ । ଏହାଦ୍ୱାରା କର୍ମଚାରୀମାନେ ମଧ୍ୟ କମ୍ପାନୀର ପରିଚାଳନା ସମ୍ପର୍କରେ ନିଜ ମନ୍ତବ୍ୟ ରଖିପାରୁଥିଲେ । ସେ କର୍ମଚାରୀଙ୍କୁ ସମସ୍ତ ସୁଖସୁବିଧା ଦେବାପାଇଁ ଚେଷ୍ଟା କରୁଥିଲେ ଓ ଏହି ବିଶ୍ୱାସର ଦୃଢ ସମର୍ଥକ ମଧ୍ୟ ଥିଲେ । ସେ ଦିନକୁ ୮ ଘଣ୍ଟା କାର୍ଯ୍ୟସୀମା ବ୍ୟବସ୍ଥାର ପ୍ରଚଳନ କରାଇଥିଲେ । କର୍ମଚାରୀଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା, କର୍ମଚାରୀଙ୍କ ପାଇଁ ଅବସର ଭତ୍ତା, ଦୁର୍ଘଟଣା ସମୟରେ ଆର୍ଥିକ ସହାୟତା ଯୋଜନା ଇତ୍ୟାଦି ସେ ବହୁ ବର୍ଷ ପୂର୍ବେ ଆରମ୍ଭ କରାଇଥିଲେ ଓ ବର୍ତ୍ତମାନ ସମୟରେ ଏହିପରି ନୀତି ଓ ଯୋଜନା ସମସ୍ତ କ୍ଷେତ୍ରରେ ବାଧ୍ୟତାମୂଳକ ନୀତିରୂପେ ଦେଖାଗଲାଣି ।

୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ଘୋଷିତ “ଜରୁରୀକାଳୀନ ପରିସ୍ଥିତି”ର ସମର୍ଥନ କରି ସେ ବିବାଦୀୟ ହୋଇଥିଲେ । ନ୍ୟୁୟର୍କର ଜନୈକ ସାମ୍ବାଦିକକୁ ଦେଇଥିବା ସାକ୍ଷାତକାରରେ ଜେ. ଆର୍. ଡି. କହିଥିଲେ ଯେ, “କଥା ସବୁ ନିୟନ୍ତ୍ରଣର ବହୁତ ବାହାରକୁ ଚାଲିଯାଇଥିଲା । ଆମେ ଧର୍ମଘଟ, ଅସହଯୋଗ, ବିରୋଧ ପ୍ରଦର୍ଶନ ଆଦି କେଉଁ କେଉଁ ଅବସ୍ଥା ମଧ୍ୟଦେଇ ଗତି କରୁଥିଲୁ ତୁମେ ଅନୁମାନ ମଧ୍ୟ କରିପାରିବ ନାହିଁ । ସେ ସମୟରେ କାର୍ଯ୍ୟାଳୟ ବାହାରକୁ ଯାଇ ସହରର ରାସ୍ତାରେ ମଧ୍ୟ ଚାଲିହେଉନଥିଲା । ଆମର ସଂସଦୀୟ ବ୍ୟବସ୍ଥାର ଆମ ଆବଶ୍ୟକତାକୁ ପରିପୂର୍ଣ୍ଣ କରିପାରିବାର କ୍ଷମତା ନାହିଁ ।”[୮]

ନୂଆ ଦିଲ୍ଲୀସ୍ଥିତ ନ୍ୟାସନାଲ୍ କାଉନ୍ସିଲ୍ ଅଫ୍ ଇକୋନୋମିକ୍ ରିସର୍ଚ୍ଚର (National Council of Applied Economic Research-NCAER)ପ୍ରଥମ ପ୍ରତିଷ୍ଠାତା ବୋର୍ଡର ସେ ସଭ୍ୟ ମଧ୍ୟ ରହିଥିଲେ । ୧୯୫୬ ମସିହାରେ ପ୍ରତିଷ୍ଠିତ ଏହି ସଂସ୍ଥା ଭାରତର ପ୍ରଥମ ସ୍ୱାୟତ୍ତ ଅର୍ଥନୀତିକ ବିଧିନିରୂପଣ ସଂସ୍ଥା । ୧୯୬୮ ମସିହାରେ ସେ “ଟାଟା କମ୍ପ୍ୟୁଟର୍ କେନ୍ଦ୍ର”ର ସ୍ଥାପନା କରିଥିଲେ ଯାହା ପରବର୍ତ୍ତୀ ସମୟରେ ବିକଶିତ ହୋଇ “ଟାଟା କନ୍ସଲଟାନ୍ସି ସର୍ଭିସେସ୍” କମ୍ପାନୀ ଭାବେ ବିଦିତ ହେଲା ଓ ବର୍ତ୍ତମାନ ବ୍ୟବସାୟ ଓ କର୍ମଚାରୀସଂଖ୍ୟା ଦୃଷ୍ଟିରୁ ଏହା ଭାରତର ସର୍ବବୃହତ୍ ସୂଚନା ଓ ପ୍ରୌଦ୍ୟୋଗିକ କମ୍ପାନୀ । ୧୯୭୯ ମସିହାରେ ଟାଟା ଷ୍ଟିଲ୍ ଏକ ଅଭିନବ ନୀତି ପ୍ରଣୟନ କରିଥିଲା ଯାହା ଅନୁସାରେ ଘରୁ ବାହାରି ଘରକୁ ନ ଫେରିବା ପର୍ଯ୍ୟନ୍ତ କର୍ମଚାରୀ “କାର୍ଯ୍ୟରତ” ବୋଲି ଅଭିହିତ କରାଗଲା । ଏହି ନୀତିଦ୍ୱାରା କାର୍ଯ୍ୟକ୍ଷେତ୍ରରେ କୌଣସି ଅଘଟଣ ଘଟିଲେ କମ୍ପାନୀ ସେ କର୍ମଚାରୀକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା ଓ ଏପରି ନିୟମ ଦେଖିନଥିବା ଭାରତୀୟ ଶିଳ୍ପୋଦ୍ୟୋଗରେ ଏକ ନୂତନ ଭାବ ଦେଖାଦେଲା । ୧୯୮୭ ମସିହାରେ ସେ “ଟାଇଟାନ୍ ଇଣ୍ଡଷ୍ଟ୍ରିଜ୍”ର ପ୍ରତିଷ୍ଠା କରିଥିଲେ । ଟାଟା ଷ୍ଟିଲ୍ କାରଖାନାରେ କାମ କରୁଥିବା କର୍ମଚାରୀୟଙ୍କ ପାଇଁ ନିର୍ମିତ ଜାମସେଦପୁର (ଟାଟା ନଗର ଭାବେ ମଧ୍ୟ ପରିଚିତ) ସହରକୁ ଏହାର ଜୀବନଯାପନର ଗୁଣବତ୍ତା, ସ୍ୱଚ୍ଛତା, ସଡକ ଓ ସମାଜକଲ୍ୟାଣ ପାଇଁ ମିଳିତ ଜାତିସଂଘ ତରଫରୁ “ଗ୍ଲୋବାଲ୍ କମ୍ପାକ୍ଟ୍ ସିଟି” ଭାବେ ଚୟନ କରାଯାଇଥିଲା ।[୯]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଜେ. ଆର୍. ଡି. ଅନେକ ପୁରସ୍କାର, ପଦବୀ, ସମ୍ମାନ ଓ ଗୌରବ ଲାଭ କରିଛନ୍ତି । 

ବର୍ଷ ପୁରସ୍କାର, ପଦବୀ, ସମ୍ମାନ ବା ଗୌରବ ଅନ୍ୟ ତଥ୍ୟ
୧୯୪୮ ଭାରତୀୟ ବାୟୁସେନାର “ଗ୍ରୁପ୍ କ୍ୟାପଟେନ୍” ପଦବୀ ପରବର୍ତ୍ତୀ ସମୟରେ ସେ ସ୍ଥଳସେନାର ବ୍ରିଗେଡିୟର୍ ପାହ୍ୟାର ସମକକ୍ଷ “ଏୟାର୍ କମାଣ୍ଡର୍” ପଦକୁ ଉନ୍ନୀତ ହୋଇଥିଲେ । 
୧୯୫୫ ପଦ୍ମ ବିଭୂଷଣ
୦୧ ଅପ୍ରେଲ୍, ୧୯୭୪ ଭାରତୀୟ ବାୟୁସେନାର “ଏୟାର୍ ଭାଇସ୍ ମାର୍ଶାଲ୍” ପଦବୀ ଏୟାର୍ କମାଣ୍ଡର୍ ପରବର୍ତ୍ତୀ ପଦୋନ୍ନତି ପରେ ଏହି ପଦବୀ ଲାଭ କରିଥିଲେ । 
ମାର୍ଚ୍ଚ୍, ୧୯୭୯ ଦ ଟୋନି ଜାନୁସ୍ ସମ୍ମାନ ସେ ପ୍ରାପ୍ତ କରିଥିବା ଅନେକ ବୈମାନିକ ସମ୍ମାନ ମଧ୍ୟରୁ ଏହା ଅନ୍ୟତମ । 
୧୯୮୩ ଦ ଫ୍ରେଞ୍ଚ୍ ଲିଜ୍ୟନ୍ ଅଫ୍ ଅନର୍
୧୯୮୫ ଦ ଗୋଲ୍ଡ୍ ଏୟାର୍ ମେଡାଲ୍ ଏହା ମଧ୍ୟ “ଫେଡେରେସନ୍ ଏରୋନଟିକ୍ ଇଣ୍ଟରନ୍ୟାସନାଲ୍”ଦ୍ୱାରା ପ୍ରଦତ୍ତ ଏକ ବୈମାନିକ ସମ୍ମାନ
୧୯୮୬ ଏଡୱାର୍ଡ୍ ୱାର୍ନର୍ ସମ୍ମାନ କାନାଡାର “ଇଣ୍ଟରନ୍ୟାସନାଲ୍ ସିଭିଲ୍ ଏଭିଏସନ୍ ଓର୍ଗାନାଇଜେସନ୍” ପ୍ରଦତ୍ତ ଏକ ବୈମାନିକ ସମ୍ମାନ
୧୯୮୮ ଡାନିଏଲ୍ କନିଂଗହାମ୍ ମେଡାଲ୍ ଏହା ମଧ୍ୟ ଏକ ବୈମାନିକ ସମ୍ମାନ[୧୦]
୧୯୯୨ ଭାରତରତ୍ନ ଜନସମାଜର ଉନ୍ନତି ପାଇଁ ତାଙ୍କର ନିସ୍ୱାର୍ଥପର ସେବା ଓ ଚେଷ୍ଟା ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନରେ

ଭୂଷିତ କରାଯାଇଥିଲା ।  

୧୯୯୨ ମିଳିତ ଜାତିସଂଘ ପପୁଲେସନ୍ ଏୱାର୍ଡ୍ ଭାରତରେ ପରିବାର ନିୟୋଜନ ପ୍ରକଳ୍ପର ପରିଯୋଜନା ଓ ଏହାର କାର୍ଯ୍ୟକାରିତାର ସଫଳତା ପାଇଁ ତାଙ୍କୁ ସମ୍ମାନିତ

କରାଯାଇଥିଲା ।[୧୧]  ଭାରତ ସରକାର ଏହାକୁ ଏକ ସରକାରୀ ନୀତି ଭାବେ ପ୍ରଚଳିତ କରାଇବାର ବହୁ ବର୍ଷ ପୂର୍ବରୁ ଜେ. ଆର୍.

ଡି. ଏହାର ପରିକଳ୍ପନା କରିଥିଲେ । 

ତାଙ୍କ ସ୍ମୃତିରେ ମହାରାଷ୍ଟ୍ର ସରକାର ପୁଣେର କସରୱାଡି ଫଟାରେ ନିର୍ମିତ ଭାରତର ପ୍ରଥମ ଦୁଇଟି ସ୍ତରବିଶିଷ୍ଟ ସେତୁକୁ “ଭାରତରତ୍ନ ଜେ. ଆର୍. ଡି. ଟାଟା ଓଭରବ୍ରିଜ୍” ବୋଲି ନାମିତ କରିଛନ୍ତି । 

ମୃତ୍ୟୁ[ସମ୍ପାଦନା]

୨୯ ନଭେମ୍ବର୍ ୧୯୯୩ ଦିନ ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଜେ. ଆର୍. ଡ଼ି. ଟାଟା ୮୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ସେ ବୃକକ ସଂକ୍ରମଣରେ ପୀଡିତ ଥିଲେ । ତାଙ୍କ ମୃତ୍ୟୁରେ ଭାରତୀୟ ସଂସଦୀୟ କାର୍ଯ୍ୟ ମୁଲତବି କରାଯାଇଥିଲା । ଅଣ-ସଂସଦୀୟ ସଭ୍ୟଙ୍କୁ ଏପରି ଭାବେ ସମ୍ମାନ ପ୍ରଦର୍ଶନ କରାଯିବା ଅତି ବିରଳ । ପ୍ୟାରିସର ପେର୍ ଲଶେଜ୍ କବରଖାନାରେ (Père Lachaise Cemetery) ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ଆଧାର[ସମ୍ପାଦନା]

  1. Shyam Swaraj: "Happy Birthday J.R.D Tata: The Father Of Indian Aviation", dazeinfo.com, July 29, 2015. Retrieved 18 July 2017.
  2. A report in Vohuman.org Amalsad, Meher Dadabhoy. "Vohuman". Retrieved 11 April 2007.
  3. "J.R.D. TATA". Tata Central Archives. Retrieved 2015-10-07.
  4. "29 NOVEMBER 1993..." unitedstatesofindia.com. Retrieved 10 April 2014.
  5. Shafali. "Biography of jrd tata-Essay-Shafali". studymode.com. Retrieved 10 April 2014.
  6. R.M. Lala : Beyond the last Blue Mountains, Life of J.R.D Tata
  7. "Bombay Flying Club First Annual Report". Flight Global. 1 August 1929. Retrieved 16 September 2011.
  8. Guha, Ramachandran. (2007 ed.). India: Pan Books. p. 110. ISBN 978-0-330-54022-3. Missing or empty |title= (help)
  9. UN Global Compact Cities Programme, retrieved 25 July 2013
  10. Sachin in IAF blues (2010-06-23). "Blog: Honorary commissions in the IAF". StratPost. Retrieved 2015-10-07.
  11. "Industrialists:JRD Tata – Made Tatas the largest Business House in India of his times". Retrieved 10 April 2014.