ଗୋପୀନାଥ ବର୍ଦ୍ଦୋଳି

ଉଇକିପିଡ଼ିଆ ରୁ
Jump to navigation Jump to search

ଗୋପୀନାଥ ବର୍ଦ୍ଦୋଳି (୧୮୯୦–୧୯୫୦) ଥିଲେ ଆସାମର ପ୍ରଥମ ମୁଖ୍ୟମନ୍ତ୍ରୀ । ଭାରତର ସ୍ୱାଧୀନତା ପୂର୍ବରୁ ବ୍ରିଟିଶ ରାଜତ୍ୱ ଭାରତରେ ଆସାମର ମୁଖମନ୍ତ୍ରୀ ରହିଥିବା ଏହି ନେତା ଜଣକ ଥିଲେ ଜଣେ ଆଗଧାଡ଼ିର ସ୍ୱାଧୀନତା ସଂଗ୍ରାମୀ ।[୧] ସେ ଗାନ୍ଧୀଙ୍କ ଅହିଂସା ନୀତିର ଜଣେ ପ୍ରମୁଖ ସମର୍ଥକ ଥିଲେ ଏବଂ ଏହାକୁ ଏକ ରାଜନୈତିକ ଅସ୍ତ୍ର ରୂପେ ବ୍ୟବହାର କରିଥିଲେ । ତାଙ୍କ ନିଃସ୍ୱାର୍ଥପର ସେବା ଯୋଗୁଁ ଆସାମର ତତ୍କାଳୀନ ରାଜ୍ୟପାଳ ଜୟରାମ ଦାସ ଦଉଲତରାମ ତାଙ୍କୁ "ଲୋକପ୍ରିୟ" ଉପାଦ୍ଧିରେ ସମ୍ମାନିତ କରିଥିଲେ ।

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ଗୋପୀନାଥ ବର୍ଦ୍ଦୋଳି ଆସାମର ରାହାଠାରେ ୧୦ ଜୁନ ୧୮୯୦ରେ ଜନ୍ମ ଗ୍ରହଣ କରିଥିଲେ । ବାପା ଥିଲେ ବୁଦ୍ଧେଶ୍ୱର ବର୍ଦ୍ଦୋଳି ଏବଂ ମାଆ ପ୍ରାଣେଶ୍ୱରୀ ବର୍ଦ୍ଦୋଳି । ମାତ୍ର ୧୨ ବର୍ଷ ବୟସରେ ତାଙ୍କର ମାତୃ ବିୟୋଗ ଘଟିଲା । ୧୯୦୭ ମସିହାରେ ମାଟ୍ରିକ ପାସ କରିସାରି ସେ ଉଚ୍ଚଶିକ୍ଷା ନିମିତ୍ତ କଟନ ମହାବିଦ୍ୟାଳୟରେ ଦାଖଲ ହେଲେ । ୧୯୦୯ ମସିହାରେ ଇଣ୍ଟରମିଡିୟଟ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ କରି କଲିକତାର ପ୍ରଖ୍ୟାତ ସ୍କଟିସ ଚର୍ଚ୍ଚ କଲେଜରେ ପଢିଲେ ଏବଂ ସେଠାରୁ ୧୯୧୧ ମସିହାରେ ସ୍ନାତକ ଡିଗ୍ରୀ ହାସଲ କଲେ । ତାପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ୱାତକୋତ୍ତର (କଳା) ଶିକ୍ଷା ୧୯୧୪ରେ ସମାପ୍ତ କରି ତିନି ବର୍ଷ ପାଇଁ ଆଇନ ଶିକ୍ଷା ଗ୍ରହଣ କଲେ । ହେଲେ ଆଇନ ଶିକ୍ଷାର ଶେଷ ପରୀକ୍ଷାରେ ନ ବସି ସେ ଗୁଆହାଟୀ ଫେରିଆସିଲେ । ତାପରେ ସେ ତରୁଣ ରାମ ଫୁକନଙ୍କ ଅନୁରୋଧ କ୍ରମେ ସୋନାରାମ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଏକ ଅସ୍ଥାୟୀ ଚାକିରି କଲେ । ସେହି ସମୟରେ ସେ ଆଇନ ପରୀକ୍ଷା ଦେଇ ପାସ କଲେ ଏବଂ ଗୁଆହାଟୀରେ ଓକିଲାତି ଆରମ୍ଭ କଲେ ।

ରାଜନୀତି ଓ ସ୍ୱାଧୀନତା ସଂଗ୍ରାମ[ସମ୍ପାଦନା]

ପରାଧୀନ ଭାରତରେ ଆସାମ ଆସୋସିଏସନ ଥିଲା ଆସାମର ଏକମାତ୍ର ରାଜନୈତିକ ସଂଗଠନ । ତେବେ ୧୯୨୨ରେ ଭାରତୀୟ ଜାତୀୟ କଂଗ୍ରେସର ଏକ ଶାଖାଭାବେ ଆସାମ କଂଗ୍ରେସ ଗଠନ ହେଲା । ଗୋପୀନାଥ ବର୍ଦ୍ଦୋଳି ସେହି ବର୍ଷ ଭାରତୀୟ ଜାତୀୟ କଂଗ୍ରେସର ଏକ ସ୍ୱେଚ୍ଛାସେବୀଭାବେ ଯୋଗ ଦେଇ ଏବଂ ସ୍ୱାଧୀନତା ସଂଗ୍ରାମରେ ସକ୍ରୀୟ ଭୂମିକା ନେଇ ତାଙ୍କ ରାଜନୈତିକ ଜୀବନର ଅୟମାରମ୍ଭ କଲେ । ସେ ଅସହଯୋଗ ଆନ୍ଦୋଳନରେ ଭାଗ ନେଇ ଏକ ବର୍ଷ ପାଇଁ ଜେଲ ଯାଇଥିଲେ । ଚୌରୀ ଚଉରା ହତ୍ୟାକାଣ୍ଡ ପରେ ଅସହଯୋଗ ଆନ୍ଦୋଳନ ବନ୍ଦ ଘୋଷଣା ହେଲା ଏବଂ ଫଳରେ ସେ ଫେରିଆସି ଓକିଲାତି ଆରମ୍ଭ କଲେ । ୧୯୩୦ରୁ ୧୯୩୩ ଯାଏଁ ସେ ନିଜକୁ ସମସ୍ତ ରାଜନୈତିକ କାର୍ଯ୍ୟକଳାପରୁ ଦୁରେଇ ରଖିଲେ । ଏହାପରେ ଗୁଆହାଟି ମୁନିସିପାଲ ବୋର୍ଡ ଓ ଲୋକାଲ ବୋର୍ଡର ସଦସ୍ୟ ହେବାପରେ ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କଲେ । ଏହା ବାଦ ସେ ଆସାମ ପାଇଁ ଏକ ଅଲଗା ବିଶ୍ୱବିଦ୍ୟାଳୟ ଏବଂ ଅଲଗା ଉଚ୍ଚ ନ୍ୟାୟାଳୟର ଦାବୀ କରିଆସୁଥିଲେ ।

ମୁଖ୍ୟମନ୍ତ୍ରୀ ଭାବେ[ସମ୍ପାଦନା]

ଭାରତ ସ୍ୱାଧୀନତା ପାଇବା ପରେ ଗୋପୀନାଥ ବର୍ଦ୍ଦୋଳି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସହ ମିଶି ଗୋଟିଅ ପଟେ ଚୀନା ଏବଂ ଅନ୍ୟ ପଟେ ପାକିସ୍ଥାନ ହାତରୁ ଆସାମର ସଂପ୍ରଭୁତା ସୁରକ୍ଷିତ କରିବା ଦିଗରେ କାର୍ଯ୍ୟ କଲେ । ଭାରତ ବିଭାଜନ ପରେ ପାକିସ୍ଥାନରୁ ପୂର୍ବ ପାକିସ୍ଥାନକୁ ପଳାୟନ କରୁଥିବା ଶରଣାର୍ଥୀମାନଙ୍କର ପୁନର୍ବାସ ପାଇଁ କାର୍ଯ୍ୟ କଲେ । ସ୍ୱାଧୀନୋତ୍ତର ଭାରତରେ ସାଂପ୍ରଦାୟୀକ ସଦଭାବ ରକ୍ଷାପାଇଁ ସେ ନିରବଚ୍ଛିନ୍ନ ଉଦ୍ୟମ କରିଆସୁଥିଲେ । ହୌହାଟୀ ବିଶ୍ୱବିଦ୍ୟାଳୟ, ଆସାମ ଉଚ୍ଚ ନ୍ୟାୟାଳୟ, ଆସାମ ଭେଷଜ ମହାବିଦ୍ୟାଳୟ ତଥା ଆସାମ ପ୍ରାଣୀଧନ ମହାବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ଉଦ୍ୟମ ପ୍ରସଂଶନୀୟ । ସେ ଜଣେ ପ୍ରତିଭାବାନ ଲେଖକ । ଜେଲରେ ଥିବାବେଳେ ସେ ଲେଖିଥିବା ବହିଗୁଡିକ ମଧ୍ୟରେ ଅନାଶକ୍ତିଯୋଗ, ଶ୍ରୀରାମଚନ୍ଦ୍ର, ହଜରତ ମହମ୍ମଦ ଏବଂ ବୁଦ୍ଧଦେବ ଅନ୍ୟତମ । ସାରାଜୀବନ ସେ ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଏକ ସରଳ ଜୀବନ ଯାପନ କରୁଥିବା ଏହି ମହାନ ବ୍ୟକ୍ତିତ୍ୱ ୫ ଅଗଷ୍ଟ ୧୯୫୦ ଦିନ ମୃତ୍ୟୁବରଣ କଲେ ।

୧୯୯୯ ମସିହାରେ ଗୋପୀନାଥ ବର୍ଦ୍ଦୋଳିଙ୍କୁ ମରଣୋତ୍ତର ଭାବେ ଭାରତ ରାତ୍ନ ଉପାଦ୍ଧିରେ ସମ୍ମାନିତ କରାଯାଇଛି ।[୨] ତାଙ୍କ ସମ୍ମାନାର୍ଥେ ଭାରତର ପାର୍ଲିଆମେଣ୍ଟରେ ତାଙ୍କର ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତୀ ୧ ଅକ୍ଟୋବର ୨୦୦୨ ଦିନ ତତକାଳୀନ ପ୍ରଧାନମନ୍ତ୍ରୀ ଅବଦୁଅ କାଲାମଙ୍କ ଦ୍ୱାର ଅନାବରଣ କରାଯାଇଛି ।[୩] [୪][୫]

ଆଧାର[ସମ୍ପାଦନା]

  1. "Who is Gopinath Bordoloi? Everything You Need to Know". www.thefamouspeople.com. Retrieved 20 August 2018.
  2. "Wayback Machine" (PDF). www.web.archieve.org. 10 April 2009. Retrieved 20 August 2018.
  3. "Padma Awards Directory (1954–2007)" (PDF). Ministry of Home Affairs. Archived from the original (PDF) on 10 April 2009. Retrieved 20 August 2018.
  4. "President unveils statues of eminent leaders". The Hindu. 1 October 2002.
  5. "PARLIAMENT HOUSE ESTATE".