ମହେନ୍ଦ୍ରଗିରି
ମହେନ୍ଦ୍ରଗିରି ଓଡ଼ିଶାର ଦ୍ବିତୀୟ ଉଚ୍ଚତମ ପର୍ବତ।[୧] ଏହାକୁ ଓଡ଼ିଶାର ହିମାଳୟ ବୋଲି ମଧ୍ୟ କୁହାଯାଏ। ଏହା ଗଜପତି ଜିଲ୍ଲା ର ପାରଳାଖେମୁଣ୍ଡି ଠାରୁ ପ୍ରାୟ ୫୩-୫୪ କି.ମି. ଦୂରରେ ଅବସ୍ଥିତ। ଏହା ପୂର୍ବଘାଟ ପର୍ବତମାଳା ମଧ୍ୟରେ ସମୁଦ୍ରପତ୍ତନଠାରୁ ୧,୫୦୧ ମିଟର (୪,୯୨୫ ଫୁଟ) ଉଚ୍ଚତାରେ ଅବସ୍ଥିତ। ନାନାଦି ଶାସ୍ତ୍ର ପୁରାଣରେ ଏହି ପର୍ବତର ଉଲ୍ଲେଖ ମଧ୍ଯ ଦେଖିବାକୁ ମିଳେ। ଶାସ୍ତ୍ରାନୁସାରେ ଏହା ଭଗବାନ ପରଶୁରାମଙ୍କ ବାସସ୍ଥଳୀ ଭାବରେ ବିଖ୍ୟାତ।
| ମହେନ୍ଦ୍ରଗିରି | |
|---|---|
| Elevation | ୧,୫୦୧ m (୪,୯୨୫ ft) |
| Location | |
| Location | ଗଜପତି ଜିଲ୍ଲା, ଓଡ଼ିଶା, ଭାରତ |
| Range | ପୂର୍ବଘାଟ |
| Coordinates | 18°58′28″N 84°22′05″E / 18.97444°N 84.36806°E |
| Climbing | |
| Easiest route | ସଡକମାର୍ଗ |
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]ମହେନ୍ଦ୍ରଗିରି ପର୍ବତ ହେଉଛି ଓଡ଼ିଶାର ଦ୍ବିତୀୟ ଉଚ୍ଚତମ ପର୍ବତ, ଏହା ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିଠାରୁ ପ୍ରାୟ ୫୪ କି.ମି. ଦୂରରେ ଅବସ୍ଥିତ। [୨] ଏହା ପୂର୍ବଘାଟ ପର୍ବତମାଳା ମଧ୍ୟରେ ସମୁଦ୍ରପତ୍ତନଠାରୁ ୧,୫୦୧ ମିଟର (୪,୯୨୫ ଫୁଟ) ଉଚ୍ଚତାରେ ଅବସ୍ଥିତ। ଭୌଗଳିକ ଦୃଷ୍ଟିକୋଣରୁ, ମହାନଦୀଠାରୁ ଗୋଦାବରୀ ମଧ୍ୟବର୍ତ୍ତୀ ପାର୍ବତ୍ୟାଞ୍ଚଳ "ମହେନ୍ଦ୍ର ଅଞ୍ଚଳ" ଭାବରେ ଖ୍ୟାତ। ମହେନ୍ଦ୍ରଗିରି ଏବଂ ଏହାର ଆଖପାଖ ଅଞ୍ଚଳଗୁଡ଼ିକଠାରେ ମିଳୁଥିବା ଅନେକ ଔଷଧୀୟ ଗଛ ଏବଂ ଅନ୍ୟାନ୍ୟ ପ୍ରଜାତି ଯୋଗୁଁ ଏହା ଏକ ଜୈବବିବିଧତା ହଟ୍ ସ୍ପଟ୍ ଭାବରେ ପରିଚିତ। ଏହା ପୂର୍ବଘାଟ ପର୍ବତମାଳାର ଏକ ଅଂଶ।
ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ, ମୂଳ ଅଞ୍ଚଳ 42.54 ବର୍ଗ କିଲୋମିଟରରେ ବିସ୍ତାରିତ ଓ ବଫର ଜୋନ୍ର କ୍ଷେତ୍ରଫଳ 1577.02 ବର୍ଗ କିଲୋମିଟର, ସଂକ୍ରମଣ କ୍ଷେତ୍ରଫଳ 3095.76 ବର୍ଗ କିଲୋମିଟର ବୋଲି ଆକଳନ କରାଯାଇଛି। ସମଗ୍ର ଜୈବସ୍ପିୟର ରିଜର୍ଭ, 4715.32 ବର୍ଗ କିଲୋମିଟର ଅଞ୍ଚଳରେ ପ୍ରସ୍ତାବିତ।
ଶାସ୍ତ୍ରୀୟ ମହତ୍ତ୍ବ
[ସମ୍ପାଦନା]ଭଗବାନ ପରଶୁରାମଙ୍କ ବାସସ୍ଥାନ, ମହେନ୍ଦ୍ରପର୍ବତର ପ୍ରମୁଖତା ଏବଂ ସେଠାରେ ଭଗବାନ ପରଶୁରାମଙ୍କ ଦର୍ଶନ ସମ୍ପର୍କରେ ବିଭିନ୍ନ ଶାସ୍ତ୍ରରେ ସ୍ପଷ୍ଟ ଉଲ୍ଲେଖ ଅଛି। ଏହି ବିଷୟ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ରୀୟ ପ୍ରମାଣ ଶ୍ରୀମହାଭାରତମ୍, ଶ୍ରୀମଦ୍ୱାଲ୍ମୀକୀୟରାମାୟଣ, ଶ୍ରୀମଦ୍ଭାଗବତମହାପୁରାଣ ଏବଂ ଶ୍ରୀଶିବମହାପୁରାଣ ଆଦି ଗ୍ରନ୍ଥଗୁଡ଼ିକରୁ ନିମ୍ନରେ ଦିଆଯାଇଛି।
• ଭଗବାନ ପରଶୁରାମଙ୍କ ବାସସ୍ଥାନ ସନ୍ଦର୍ଭରେ—
॰ ଶ୍ରୀମଦ୍ଭାଗବତମ୍ ରେ ଉଲ୍ଲେଖ ଅଛି ଯେ:
ଆସ୍ତେଽଦ୍ୟାପି ମହେନ୍ଦ୍ରାଦ୍ରୌ ନ୍ୟସ୍ତଦଣ୍ଡଃ ପ୍ରଶାନ୍ତଧୀଃ।
ଉପଗୀୟମାନଚରିତଃ ସିଦ୍ଧଗନ୍ଧର୍ବଚାରଣୈଃ॥
— ଶ୍ରୀମଦ୍ଭାଗବତମ୍ ୯.୧୬.୨୬
ଭାବାର୍ଥ: ଭଗବାନ ପରଶୁରାମ ଆଜି ମଧ୍ୟ ମହେନ୍ଦ୍ରପର୍ବତରେ ନିବାସ କରନ୍ତି। ସେ କ୍ଷତ୍ରିୟଙ୍କ ଅସ୍ତ୍ରଶସ୍ତ୍ର ସମ୍ପୂର୍ଣ୍ଣରୂପେ ପରିତ୍ୟାଗ କରିଦେଇଛନ୍ତି ଏବଂ ଶାନ୍ତ ତଥା ସ୍ଥିର ବୁଦ୍ଧି ସହିତ ଜଣେ ଜ୍ଞାନୀ ବ୍ରାହ୍ମଣ ଭାବରେ ସ୍ଥିତ ଅଛନ୍ତି। ତାଙ୍କର ଚରିତ୍ର ଏବଂ ମହାନ କର୍ମ ପାଇଁ ସିଦ୍ଧ, ଚାରଣ ଏବଂ ଗନ୍ଧର୍ବ ପରି ଦିବ୍ୟ ପ୍ରାଣୀମାନେ ନିରନ୍ତର ତାଙ୍କର ସ୍ତୁତି ଓ ଗୁଣଗାନ କରନ୍ତି।
॰ ଏ ସନ୍ଦର୍ଭରେ ଶ୍ରୀମହାଭାରତମ୍ ରେ ବର୍ଣ୍ଣିତ ଅଛି ଯେ:
ସ ପ୍ରଦାୟ ମହୀଂ ତସ୍ମୈ କଶ୍ୟପାୟ ମହାତ୍ମନେ।
ଅସ୍ମିନ୍ ମହେନ୍ଦ୍ରେ ଶୈଳେନ୍ଦ୍ରେ ବସତ୍ୟମିତବିକ୍ରମଃ॥
— ଶ୍ରୀମହାଭାରତମ୍ ୩.୧୧୭.୧୪
ଭାବାର୍ଥ: ଏହିପରି ସମଗ୍ର ପୃଥିବୀ ମହାତ୍ମା କଶ୍ୟପଙ୍କୁ ଦେଇ ଅମିତ ପରାକ୍ରମୀ ଶ୍ରୀପରଶୁରାମ ଏହି ପର୍ବତରାଜ ମହେନ୍ଦ୍ର ଉପରେ ନିବାସ କରନ୍ତି।
ସପ୍ତଦ୍ୱୀପାଂ ବସୁମତୀଂ ମାରୀଚୋଽଗୃହ୍ଣତ ଦ୍ୱିଜଃ।
ରାମଂ ପ୍ରୋବାଚ ନିର୍ଗଚ୍ଛ ବସୁଧାତୋ ମମାଜ୍ଞୟା।।
ସ କଶ୍ୟପସ୍ୟ ବଚନାତ୍ ପ୍ରୋତ୍ସାର୍ୟ ସରିତାଂ ପ୍ରତିମ୍।
ଇଷୁପାତେ ଯୁଧାଂ ଶ୍ରେଷ୍ଠଃ କୁର୍ବନ୍ ବ୍ରାହ୍ମଣଶାସନମ୍।।
ଅଧ୍ୟାବସଦ୍ ଗିରିଶ୍ରେଷ୍ଠଂ ମହେନ୍ଦ୍ର ପର୍ବତୋତ୍ତମମ୍।
— ଶ୍ରୀମହାଭାରତମ୍ ୭.୭୦.୨୧-୨୩
ଭାବାର୍ଥ: ବ୍ରହ୍ମର୍ଷି କଶ୍ୟପ ଯେତେବେଳେ ସାତୋଟି ଦ୍ୱୀପରେ ଯୁକ୍ତ ଏହି ପୃଥିବୀକୁ ଦାନରେ ଗ୍ରହଣ କଲେ, ସେତେବେଳେ ସେ ଶ୍ରୀପରଶୁରାମଙ୍କୁ କହିଲେ—“ଏବେ ତୁମେ ମୋର ଆଜ୍ଞାରେ ଏହି ପୃଥିବୀରୁ ବାହାରିଯାଅ” (ଏବଂ ଅନ୍ୟ କୌଣସି ସ୍ଥାନକୁ ଯାଇ ବାସ କର)। କଶ୍ୟପଙ୍କ ଏହି ଆଦେଶରେ ଯୋଦ୍ଧାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଶ୍ରୀପରଶୁରାମ ଯେତେଦୂର ବାଣ ଫିଙ୍ଗାଯାଇପାରେ, ସମୁଦ୍ରକୁ ସେତେଦୂର ହିଁ ପଛକୁ ହଟାଇ, ବ୍ରାହ୍ମଣଙ୍କ ଆଜ୍ଞା ପାଳନ କରି ଉତ୍ତମ ପର୍ବତ ଗିରିଶ୍ରେଷ୍ଠ ମହେନ୍ଦ୍ର ଉପରେ ନିବାସ କଲେ।
ମହର୍ଷି ଧୌମ୍ୟ ମଧ୍ୟ ଯୁଧିଷ୍ଠିରଙ୍କୁ ପୂର୍ବଦିଗର ତୀର୍ଥଗୁଡ଼ିକର ବର୍ଣ୍ଣନା କରିବା ସମୟରେ ମହେନ୍ଦ୍ରପର୍ବତରେ ଶ୍ରୀପରଶୁରାମଙ୍କ ନିବାସସ୍ଥାନ ବତାଇଛନ୍ତି।
ମହେନ୍ଦ୍ରୋ ନାମ କୌରବ୍ୟ ଭାର୍ଗବସ୍ୟ ମହାତ୍ମନଃ।
ଅୟଜତ୍ ତତ୍ର କୌନ୍ତେୟ ପୂର୍ବମେବ ପିତାମହଃ।।
— ଶ୍ରୀମହାଭାରତମ୍ ୩.୮୭.୨୨
ଭାବାର୍ଥ: ହେ କୁରୁନନ୍ଦନ! ମହାତ୍ମା ଭାର୍ଗବଙ୍କ ନିବାସସ୍ଥାନ ମହେନ୍ଦ୍ରପର୍ବତ ଅଟେ। ହେ କୁନ୍ତୀନନ୍ଦନ! ସେଠାରେ ବ୍ରହ୍ମାଜୀ ପୂର୍ବକାଳରେ ଯଜ୍ଞ କରିଥିଲେ।
ଯେତେବେଳେ କାଶୀର ରାଜକୁମାରୀ ଅମ୍ବା ଶାଲ୍ବଙ୍କ ନିକଟକୁ ଯାଇ ତାଙ୍କ ଦ୍ୱାରା ପରିତ୍ୟକ୍ତ ହୋଇ ନିଜ ସମସ୍ୟାର ସମାଧାନ ପାଇଁ ତାପସମାନଙ୍କ ଆଶ୍ରମକୁ ଆସିଲେ, ସେତେବେଳେ ସେଠାରେ ହୋତ୍ରବାହନ ଅମ୍ବାଙ୍କୁ ଏହି କଥା କହିଥିଲେ।
ହୋତ୍ରବାହନ ଉବାଚ—
ରାମଂ ଦ୍ରକ୍ଷ୍ୟସି ଭଦ୍ରେ ତ୍ୱଂ ଜାମଦଗ୍ନ୍ୟଂ ମହାବନେ।
ଉଗ୍ରେ ତପସି ବର୍ତନ୍ତଂ ସତ୍ୟସନ୍ଧଂ ମହାବଲମ୍।।
ମହେନ୍ଦ୍ରଂ ବୈ ଗିରିଶ୍ରେଷ୍ଠଂ ରାମୋ ନିତ୍ୟମୁପାସ୍ତି ହ।
ଋଷୟୋ ବେଦବିଦ୍ୱାଂସୋ ଗନ୍ଧର୍ବାପ୍ସରସସ୍ତଥା।।
— ଶ୍ରୀମହାଭାରତମ୍ ୫.୧୭୬.୩୦-୩୧
ଭାବାର୍ଥ: ହୋତ୍ରବାହନ କହିଲେ—ହେ ଭଦ୍ରେ! ଜମଦଗ୍ନିନନ୍ଦନ ପରଶୁରାମ ଏକ ମହାନ୍ ବନରେ ଉଗ୍ର ତପସ୍ୟା କରୁଛନ୍ତି। ସେ ମହାଶକ୍ତିଶାଳୀ ଏବଂ ସତ୍ୟପ୍ରତିଜ୍ଞ ଅଟନ୍ତି। ତୁମେ ନିଶ୍ଚୟ ତାଙ୍କର ଦର୍ଶନ ପାଇବ। ଶ୍ରୀପରଶୁରାମ ସଦା ପର୍ବତଶ୍ରେଷ୍ଠ ମହେନ୍ଦ୍ରରେ ନିବାସ କରନ୍ତି। ସେଠାରେ ବେଦବିଦ୍ୱାନ୍ ମହର୍ଷି, ଗନ୍ଧର୍ବ ଏବଂ ଅପ୍ସରାମାନଙ୍କର ମଧ୍ୟ ନିବାସ ରହିଛି।
ଶ୍ରୀମହାଭାରତମ୍ ୫.୧୮୬.୧୧ ଅନୁସାରେ, ଶ୍ରୀପରଶୁରାମ ଭୀଷ୍ମଙ୍କ ସହ ଯୁଦ୍ଧ କରିବା ପରେ ବିଦାୟ ନେଇ, ଯେପରି ଆସିଥିଲେ ସେପରି ମହେନ୍ଦ୍ରପର୍ବତକୁ ଚାଲିଗଲେ।
॰ ଶ୍ରୀମଦ୍ବାଲ୍ମୀକୀୟରାମାୟଣ ରେ ମଧ୍ୟ ଉଲ୍ଲେଖ ଅଛି ଯେ, ଶ୍ରୀପରଶୁରାମ ଭଗବାନ ଶ୍ରୀରାମଙ୍କଠାରୁ ପରାଜିତ ହେବା ପରେ ତପସ୍ୟା କରିବା ପାଇଁ ମହେନ୍ଦ୍ରପର୍ବତକୁ ଫେରି ଯାଇଥିଲେ:
ସ ହତାନ୍ ଦୃଶ୍ୟ ରାମେଣ ସ୍ୱାଁଲ୍ଲୋକାଂସ୍ତପସାର୍ଜିତାନ୍।
ଜାମଦଗ୍ନ୍ୟୋ ଜଗାମାଶୁ ମହେନ୍ଦ୍ରଂ ପର୍ବତୋତ୍ତମମ୍॥
— ଶ୍ରୀମଦ୍ୱାଲ୍ମୀକୀୟରାମାୟଣ, ବାଳକାଣ୍ଡମ୍, ସର୍ଗ-୭୬, ଶ୍ଲୋକ-୨୨
ଭାବାର୍ଥ: ଭଗବାନ ଶ୍ରୀରାମଙ୍କ ବାଣ ଦ୍ୱାରା ଜମଦଗ୍ନିପୁତ୍ର ଶ୍ରୀପରଶୁରାମ ନିଜ ତପସ୍ୟା ଦ୍ବାରା ଉପାର୍ଜିତ କରିଥିବା ପୁଣ୍ୟଲୋକଗୁଡିକୁ ନଷ୍ଟ ହେବାର ଦେଖି, ସେ ଶିଘ୍ର ଉତ୍ତମ ମହେନ୍ଦ୍ରପର୍ବତକୁ ଚାଲିଗଲେ।
• ମହେନ୍ଦ୍ରପର୍ବତରେ ଭଗବାନ ପରଶୁରାମଙ୍କ ଦର୍ଶନ କରିଥିବା ମହାନୁଭବଙ୍କ ସନ୍ଦର୍ଭରେ—
॰ ଶ୍ରୀମହାଭାରତମ୍ ରେ ବର୍ଣ୍ଣିତ ଅଛି ଯେ, ପାଣ୍ତବମାନେ ତୀର୍ଥଯାତ୍ରା ସମୟରେ କଳିଙ୍ଗଦେଶକୁ (ବର୍ତ୍ତମାନର ଓଡ଼ିଶା) ଯାତ୍ରା କରିଥିଲେ। ପବିତ୍ର ବୈତରଣୀ ନଦୀରେ ସ୍ନାନ କରି ପିତୃପୁରୁଷମାନଙ୍କ ତର୍ପଣ କରିବାପରେ ମହେନ୍ଦ୍ରପର୍ବତକୁ ଯାଇଥିଲେ ଏବଂ ସେଠି ସେମାନେ ଭଗବାନ ପରଶୁରାମଙ୍କ ଦର୍ଶନ ଲାଭ କରିଥିଲେ। ଏହି ତୀର୍ଥଯାତ୍ରା ଏବଂ ପରଶୁରାମଙ୍କ ସହ ସେମାନଙ୍କର ସାକ୍ଷାତ ସନ୍ଦର୍ଭରେ ଶ୍ରୀମହାଭାରତମ୍ ର ବନପର୍ବ ର ଚାରୋଟି ଅଧ୍ୟାୟ ୧୧୪, ୧୧୫, ୧୧୬ ଏବଂ ୧୧୭ ରେ ବିସ୍ତାର ଭାବରେ ବର୍ଣ୍ଣିତ ହୋଇଛି। ଏହି ଅଧ୍ୟାୟଗୁଡ଼ିକରୁ ଗୋଟିଏ ଶ୍ଳୋକ ଏହିପରି:
ବୈଶମ୍ପାୟନ ଉବାଚ—
ତତଶ୍ଚତୁର୍ଦ୍ଦଶୀଂ ରାମଃ ସମୟେନ ମହାମନାଃ।
ଦର୍ଶୟାମାସ ତାନ୍ ବିପ୍ରାନ୍ ଧର୍ମରାଜଂ ଚ ସାନୁଜମ୍॥
— ଶ୍ରୀମହାଭାରତମ୍ ୩.୧୧୭.୧୬
ଭାବାର୍ଥ: ଶ୍ରୀବୈଶମ୍ପାୟନ କହିଲେ — 'ହେ ଜନମେଜୟ!' ତା'ପରେ, ଚତୁର୍ଦ୍ଦଶୀ ଦିନ ନିର୍ଦ୍ଧାରିତ ସମୟରେ ମହାମନ ଭଗବାନ ପରଶୁରାମ ସେହି ପର୍ବତରେ (ମହେନ୍ଦ୍ରପର୍ବତ) ଥିବା ସେହି ବ୍ରାହ୍ମଣମାନଙ୍କୁ ତଥା ଭାଇମାନଙ୍କ ସହିତ ଯୁଧିଷ୍ଠିରଙ୍କୁ ଦର୍ଶନ ଦେଲେ।
ଶ୍ରୀମହାଭାରତମ୍ ୧.୧୨୯.୫୩-୫୪ ଅନୁସାରେ ଦ୍ରୋଣାଚାର୍ଯ୍ୟ ଶ୍ରୀପରଶୁରାମଙ୍କ ଠାରୁ ଧନୁର୍ବେଦ ପ୍ରାପ୍ତ କରିବା ପାଇଁ ମହେନ୍ଦ୍ରପର୍ବତକୁ ଯାଇଥିଲେ ଏବଂ ସେଠାରେ ସେ ସମ୍ପୂର୍ଣ୍ଣ ଧନୁର୍ବେଦ ତଥା ସମସ୍ତ ଅସ୍ତ୍ରର ଜ୍ଞାନ ପ୍ରାପ୍ତ କରିଥିଲେ।
ଶ୍ରୀମହାଭାରତମ୍ ୧୨.୨.୧୪-୧୮ ଅନୁସାରେ କର୍ଣ୍ଣ ମଧ୍ୟ ମହେନ୍ଦ୍ରପର୍ବତକୁ ଯାଇ ଶ୍ରୀପରଶୁରାମଙ୍କ ଠାରୁ ଧନୁର୍ବେଦର ଶିକ୍ଷା ଗ୍ରହଣ କରିଥିଲେ।
॰ ଶ୍ରୀମଦ୍ଭାଗବତମ୍ ରେ ମଧ୍ୟ ଉଲ୍ଲେଖ ଅଛି ଯେ, ଯେତେବେଳେ ଭଗବାନ ବଳରାମ ତୀର୍ଥଯାତ୍ରାରେ ଯାଇଥିଲେ ସେତେବେଳେ ସେ ମହେନ୍ଦ୍ରପର୍ବତରେ ସ୍ୱୟଂ ଭଗବାନ ପରଶୁରାମଙ୍କୁ ଦର୍ଶନ କରିଥିଲେ:
ଉପସ୍ପୃଶ୍ୟ ମହେନ୍ଦ୍ରାଦ୍ରୌ ରାମଂ ଦୃଷ୍ଟ୍ୱାଭିବାଦ୍ୟ ଚ।
— ଶ୍ରୀମଦ୍ଭାଗବତମ୍ ୧୦.୭୯.୧୨
ଭାବାର୍ଥ: ମହେନ୍ଦ୍ରପର୍ବତରେ ଶ୍ରୀବଳରାମ ଭଗବାନ ପରଶୁରାମଙ୍କୁ ଦର୍ଶନ କରି ତାଙ୍କୁ ପ୍ରଣାମ କରିଥିଲେ।
• କୁଳ ପର୍ବତମାନଙ୍କ ମଧ୍ୟରେ ମହେନ୍ଦ୍ରପର୍ବତର ଉଲ୍ଲେଖ ସନ୍ଦର୍ଭରେ—
॰ ଶ୍ରୀମହାଭାରତମ୍ ରେ ଉଲ୍ଲେଖ ଅଛି ଯେ:
ମହେନ୍ଦ୍ରୋ ମଳୟଃ ସହ୍ୟଃ ଶୁକ୍ତିମାନୃକ୍ଷବାନପି।
ବିନ୍ଧ୍ୟଶ୍ଚ ପାରିଯାତ୍ରଶ୍ଚ ସପ୍ତୈତେ କୁଳପର୍ବତାଃ॥
— ଶ୍ରୀମହାଭାରତମ୍ ୬.୯.୧୧
ଭାବାର୍ଥ: ମହେନ୍ଦ୍ର, ମଳୟ, ସହ୍ୟ, ଶୁକ୍ତିମାନ, ଋକ୍ଷ ପର୍ବତ, ବିନ୍ଧ୍ୟ ଏବଂ ପାରିଯାତ୍ର — ଏହି ସାତୋଟି କୁଳ (ମୁଖ୍ୟ) ପର୍ବତ।
ଶ୍ରୀମହାଭାରତମ୍ ୧୪.୪୩.୫ ଅନୁସାରେ ମହେନ୍ଦ୍ରାଦି ପର୍ବତଗୁଡ଼ିକୁ ପର୍ବତମାନଙ୍କର ଅଧିପତି ବୋଲି କୁହାଯାଇଛି।
॰ ଏହି ସମାନ ବିଷୟ ଶ୍ରୀବିଷ୍ଣୁମହାପୁରାଣମ୍ ୨.୩.୩, ଶ୍ରୀବ୍ରହ୍ମମହାପୁରାଣମ୍ ର ଅଧ୍ୟାୟ-୧୯ ର ଶ୍ଲୋକ-୩ ଏବଂ ଅଧ୍ୟାୟ-୨୭ ର ଶ୍ଲୋକ:୧୯-୨୦, ଶ୍ରୀବ୍ରହ୍ମାଣ୍ଡମହାପୁରାଣମ୍ ର ଭାରତବର୍ଷ ର ବର୍ଣ୍ଣନ ପ୍ରକରଣର ଶ୍ଲୋକ:୧୮-୧୯ ରେ ମଧ୍ୟ ବର୍ଣ୍ଣିତ ହୋଇଛି।
॰ ଶ୍ରୀମଦ୍ଭାଗବତମ୍ ୫.୧୯.୧୬ ରେ ଭାରତବର୍ଷର ପର୍ବତମାନଙ୍କ ବର୍ଣ୍ଣନ ପ୍ରକରଣରେ ମହେନ୍ଦ୍ରପର୍ବତର ଉଲ୍ଲେଖ ମଧ୍ୟ ମିଳେ।
• ଅନ୍ୟ ପ୍ରକରଣଗୁଡ଼ିକରେ ମଧ୍ୟ ମହେନ୍ଦ୍ରପର୍ବତର ଉଲ୍ଲେଖ—
॰ ଅର୍ଜୁନ ଯେତେବେଳେ ପୂର୍ବଦିଗର ତୀର୍ଥଗୁଡ଼ିକରେ ଭ୍ରମଣ କରୁଥିବା ସମୟରେ କଳିଙ୍ଗଦେଶ (ବର୍ତ୍ତମାନର ଓଡ଼ିଶା) ଦେଇ ମଣିପୂର ଯାଇଥିଲେ, ସେହି ସମୟରେ ମହେନ୍ଦ୍ରପର୍ବତର ଦର୍ଶନ କରିଥିଲେ:
ସ କଳିଙ୍ଗାନତିକ୍ରମ୍ୟ ଦେଶାନାୟତନାନି ଚ।
ହର୍ମ୍ୟାଣି ରମଣୀୟାନି ପ୍ରେକ୍ଷମାଣୋ ଯୟୌ ପ୍ରଭୁଃ।।
ମହେନ୍ଦ୍ରପର୍ବତଂ ଦୃଷ୍ଟ୍ୱା ତାପସୈରୂପଶୋଭିତମ୍।
ସମୁଦ୍ରତୀରେଣ ଶନୈର୍ମଣିପୂରଂ ଜଗାମ ହ।।
— ଶ୍ରୀମହାଭାରତମ୍ ୧.୨୧୪.୧୨-୧୩
ଭାବାର୍ଥ: କଳିଙ୍ଗଦେଶକୁ ଅତିକ୍ରମ କରି ଶକ୍ତିଶାଳୀ ଅର୍ଜୁନ ଅନେକ ଦେଶ, ମନ୍ଦିର ତଥା ରମଣୀୟ ଅଟ୍ଟାଳିକାଗୁଡ଼ିକର ଦର୍ଶନ କରି ଆଗକୁ ବଢ଼ିଲେ। ଏହିପରି ତପସ୍ୱୀ ମୁନିମାନଙ୍କ ଦ୍ୱାରା ସୁଶୋଭିତ ମହେନ୍ଦ୍ରପର୍ବତର ଦର୍ଶନ କରି ସମୁଦ୍ର କୂଳେ-କୂଳେ ଯାତ୍ରା କରି ସେ ଧୀରେ-ଧୀରେ ମଣିପୂରରେ ପହଞ୍ଚିଲେ।
॰ ଶ୍ରୀମହାଭାରତମ୍ ୨.୧୦.୩୦,୩୨ ଅନୁସାରେ ମହେନ୍ଦ୍ରାଦି ପର୍ବତ ଭଗବାନ୍ କୁବେରଙ୍କ ଉପାସନା କରିବାର ଉଲ୍ଲେଖ ମିଳେ।
॰ ଶ୍ରୀମହାଭାରତମ୍ ୩.୧୮୮.୧୧୪ ଅନୁସାରେ ପ୍ରଳୟକାଳରେ ମହର୍ଷି ମାର୍କଣ୍ଡେୟ ଭଗବାନଙ୍କ ଉଦରରେ ପ୍ରବେଶ କରି ବ୍ରହ୍ମାଣ୍ଡ ଦର୍ଶନ କରିବା ସମୟରେ ମହେନ୍ଦ୍ରପର୍ବତର ଦର୍ଶନ କରିବାର ଉଲ୍ଲେଖ ରହିଛି।
॰ ଶ୍ରୀମହାଭାରତମ୍ ୫.୧୧.୧୧-୧୩ ଅନୁସାରେ ରାଜା ନହୁଷ ଇନ୍ଦ୍ର ପଦରେ ଅଭିଷିକ୍ତ ହେବା ପରେ କାମ-ଭୋଗରେ ଆସକ୍ତ ହୋଇ ମହେନ୍ଦ୍ରାଦି ପର୍ବତରେ ଅପ୍ସରା ତଥା ଦେବକନ୍ୟାମାନଙ୍କ ସହିତ ନାନାପ୍ରକାର କ୍ରୀଡ଼ା କରିବାର ବର୍ଣ୍ଣନା ମିଳେ।
॰ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହରେ ମହେନ୍ଦ୍ରପର୍ବତର ଆଗମନ ହୋଇଥିଲା:
କରବୀରସ୍ତଥୈବାପି ମହାବିଭବସଯୁଂତଃ।
ମହେନ୍ଦ୍ର: ପର୍ବତଶ୍ରେଷ୍ଠ ଆଜଗାମ ହିମାଳୟମ୍।।
— ଶ୍ରୀଶିବମହାପୁରାଣମ୍, ୨.୩.୩୭.୩୧
ଭାବାର୍ଥ: ମହାନ୍ ଐଶ୍ୱର୍ଯ୍ୟରେ ସମନ୍ବିତ ହୋଇ କରବୀର ତଥା ପର୍ବତଶ୍ରେଷ୍ଠ ମହେନ୍ଦ୍ର ମଧ୍ୟ ହିମାଳୟଙ୍କ ଘରକୁ ଆସିଲେ।
ନିଷ୍କର୍ଷ:
ଏହି ବିଭିନ୍ନ ଶାସ୍ତ୍ରୀୟ ପ୍ରମାଣରୁ, ଏହା ସ୍ପଷ୍ଟ ହୁଏ ଯେ ମହେନ୍ଦ୍ରପର୍ବତ ହେଉଛି ଏକ ପ୍ରାଚୀନ ଏବଂ ପବିତ୍ର ପର୍ବତ ଯାହା ବିଶେଷ ଭାବରେ ଭଗବାନ ପରଶୁରାମଙ୍କ ସହିତ ଜଡିତ।
ପର୍ଯ୍ୟଟକ ଆକର୍ଷଣ
[ସମ୍ପାଦନା]ପୂର୍ବରୁ ମହେନ୍ଦ୍ରଗିରି ଯିବାକୁ ହେଲେ ବୁରଖତ ଗ୍ରାମରୁ ୭ ରୁ ୮ କି.ମି. ରାସ୍ତା ପାଦରେ ଅତିକ୍ରମ କରିବାକୁ ପଡୁଥିଲା, କିନ୍ତୁ ୨୦୨୧ ମାର୍ଚ୍ଚଠାରୁ ଭାରତ ସରକାରଙ୍କ କାର୍ଯ୍ୟରତ ଥିବା ପକ୍କାରାସ୍ତା ସମ୍ପୁର୍ଣ୍ଣ ହେବା ପରେ ଲୋକର୍ପିତ କରି ଦିଆଗଲା। ବର୍ତ୍ତମାନ ଯୁଧିଷ୍ଠିରଙ୍କ ମନ୍ଦିର ପାଖକୁ ଯାନବାହନ ମାଧ୍ଯମରେ ଅତି ସହଜରେ ୧୫-୨୫ ମିନଟରେ ପହଞ୍ଚି ପାରୁଛନ୍ତି। ଏହି ପର୍ବତରେ ଗୋକର୍ଣ୍ଣେଶ୍ୱର, କୁନ୍ତୀ, ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବଙ୍କର ପ୍ରାଚୀନ ମନ୍ଦିର ରହିଛି। ପବିତ୍ର ପରଶୁରାମକୁଣ୍ଡ ଏବଂ ବାରିହାପଥର ଜଳପ୍ରପାତ ସହିତ ଅନେକ ଛୋଟ ବଡ ଜଳପ୍ରପାତ ମଧ୍ୟ ଏହି ପର୍ବତରେ ରହିଛି, ପୁରାଣରେ ବର୍ଣ୍ଣିତ ଅଛି ଯେ, ପଞ୍ଚୁପାଣ୍ଡବ ମାତା କୁନ୍ତୀଙ୍କ ସହ ଏହି ପର୍ବତରେ କିଛିଦିନ ପାଇଁ ଅବସ୍ଥାନ କରିଥିଲେ। ପୂଜାପାଠ କରିବା ପାଇଁ ଭୀମ ଏଠାରେ ଥିବା ପଥରର ମନ୍ଦିରଗୁଡ଼ିକ ନିର୍ମାଣ କରିଥିଲେ। ଏବେ ମଧ୍ୟ ମହେନ୍ଦ୍ରଗିରିଠାରେ ପର୍ଶୁରାମ ଆବିର୍ଭାବ ହେଉଥିବାର ଲୋକବିଶ୍ୱାସ ରହିଛି। ଏଠାରେ ସତିଆମ୍ବ ବୃକ୍ଷ ଓ ଅନ୍ୟାନ୍ୟ ବହୁ ଔଷଧୀୟ ବୃକ୍ଷ ରହିଛି। ଏଠାରୁ ମହେନ୍ଦ୍ରତନୟା ଓ ଏହାର ଦୁଇଟି ଶାଖା ନଦୀ ଘୋଡାହାଡ଼ ଓ ବାହୁଡା ଆଦି ଚିରସ୍ରୋତା ନଦୀର ଉତ୍ପନ୍ନ ହୋଇଛି। ଏଠାରୁ ଅନତୀ ଦୂରରେ ତପ୍ତପାଣି ଉଷ୍ମପ୍ରଶବଣ ରହିଛି।
ଏଠାକାର ମୁଖ୍ୟ ପର୍ବ ହେଉଛି ଶିବରାତ୍ରି, ଏହି ମହୋତ୍ସବକୁ ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକମାନଙ୍କ ଆଗମନ ହୋଇଥାଏ। [୩]
ଅବକ୍ଷୟମୁଖି ପ୍ରାକୃତିକ ସମ୍ପଦ
[ସମ୍ପାଦନା]ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମହେନ୍ଦ୍ରଗିରି ପର୍ବତ ବର୍ତ୍ତମାନ ଅବକ୍ଷୟମୁଖୀ ଅବସ୍ଥାରେ ଅଛି। ଏକଦା ଏହି ପର୍ବତ ବହୁ ବନ୍ୟଜନ୍ତୁଙ୍କ ଆଶ୍ରୟସ୍ଥଳି ଭାବରେ ପରିଚିତ ଥିଲା। କିନ୍ତୁ ଚୋରାକାଠ ଚାଲାଣ, ଗଛ କାଟିବା ଓ ପୋଡୁଚାଷ ଯୋଗୁଁ ଜଙ୍ଗଲ ଅବକ୍ଷୟ ଦ୍ରୁତଗତିରେ ଘଟୁଛି ଓ ବନ୍ୟଜନ୍ତୁଙ୍କ ସଂଖ୍ୟା ମଧ୍ୟ ଧିରେ ଧିରେ କମୁଛି। ବ୍ଲାଷ୍ଟିଂ କରାଯାଇ ପାହାଡରୁ ଗ୍ରାନାଇଟ ପଥର ଚାଳାଣ କରାଯାଉଛି ଯାହାଫଳରେ ପାହାଡ ଧ୍ବଂସ ହେବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେଉଛି। ଜଙ୍ଗଲକ୍ଷୟ ଯୋଗୁଁ ବର୍ଷାରେ ଅନିୟମିତତା ଦେଖାଯାଉଛି, ଫଳରେ ଚିରସ୍ରୋତା ନଦୀଗୁଡିକର ଜଳଧାରା ଶୁଖିଆସିଲାଣି। [୪]
ଆଧାର
[ସମ୍ପାଦନା]- ↑ http://orissa.gov.in/e-magazine/Orissareview/2009/October/engpdf/Pages77-80.pdf
- ↑ "ଆର୍କାଇଭ୍ କପି". Archived from the original on 2010-01-25. Retrieved 2014-12-15.
{{cite web}}: Cite has empty unknown parameter:|1=(help) - ↑ http://www.telegraphindia.com/1101011/jsp/orissa/story_13038446.jsp
- ↑ ପ୍ରମେୟ ୧୫/୧୨/୨୦୧୪ ପୃଷ୍ଠା ୧ରେ ପ୍ରକାଶିତ ଖବର "ଧ୍ୱଂସ ପାଉଛି ମହେନ୍ଦ୍ରଗିରି"