ପ୍ୟାରୀମୋହନ ମହାପାତ୍ର

ଉଇକିପିଡ଼ିଆ‌ରୁ
ପ୍ୟାରୀମୋହନ ମହାପାତ୍ର
ଓଡ଼ିଶା ପାଇଁ ରାଜ୍ୟ ସଭା ସାଂସଦ
କାର୍ଯ୍ୟକାଳ
୨ ଜୁଲାଇ ୨୦୧୦ – ୧ ଜୁଲାଇ ୨୦୧୬
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1940-01-25) ୨୫ ଜାନୁଆରୀ ୧୯୪୦ (ବୟସ ୮୪)
ତାଳଚେର, ଅନୁଗୋଳ ଜିଲ୍ଲା, ଓଡ଼ିଶା
ମୃତ୍ୟୁ୧୯ ମାର୍ଚ୍ଚ ୨୦୧୭(2017-03-19) (ବୟସ ୭୭)
ରାଜନୀତିକ ଦଳଓଡ଼ିଶା ଜନମୋର୍ଚ୍ଚା
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ
ଜୀବନ ସାଥୀପ୍ରତିଭା ମହାପାତ୍ର
ସନ୍ତାନ୨ ପୁତ୍ର ୨ କନ୍ୟା
ଘରଭୁବନେଶ୍ୱର
ନଭେମ୍ବର ୨୨, ୨୦୧୦ ସୁଦ୍ଧା
ଆଧାର: [୧]

ପ୍ୟାରୀମୋହନ ମହାପାତ୍ର (୨୫ ଜାନୁଆରୀ ୧୯୪୦ - ୧୯ ମାର୍ଚ୍ଚ ୨୦୧୭)[୧]ଓଡ଼ିଶାର ଜଣେ ରାଜନେତା ଥିଲେ । ସେ ଓଡ଼ିଶା ଜନମୋର୍ଚ୍ଚା ରାଜନୈତିକ ଦଳ ପ୍ରତିଷ୍ଠା କରିଥିଲେ ।ବିଜେଡ଼ିରୁ ନିର୍ବାଚିତ ହୋଇ ୨୦୧୦ରୁ ୨୦୧୬ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ସେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ବିଜୁ ପଟ୍ଟନାୟକଙ୍କ ମୁଖ୍ୟ ସଚିବ ପଦରେ ଅବସ୍ଥାପିତ ହୋଇଥିଲେ । ସେ ୧୯୯୮ ମସିହାରେ ଆଇଏଏସ ପଦରୁ ଅବସର ନେଇ ୨୦୦୦ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୨] ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ରହି ବିଜୁ ଜନତା ଦଳର ମାର୍ଗଦର୍ଶନ କରୁଥିଲେ । ସେ ଏକାଦା ରାଜ୍ୟ ରାଜନୀତିର ଚାଣକ୍ୟ ଓ ବିଜେଡିର ପ୍ରୋକ୍ସି ଲିଡ଼ର ଅଭିହିତ ହେଉଥିଲେ ।[୩]

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ପ୍ୟାରୀମୋହନ ମହାପାତ୍ର ୧୯୪୦ ମସିହା ଜାନୁଆରୀ ୨୫ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେରଠାରେ ଜନ୍ମ ଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତୋକ ପାଠ୍ୟକ୍ରମ ଶେଷ କରିବା ପରେ ପ୍ୟାରୀମୋହନ ଆହ୍ଲାବାଦ ବିଶ୍ୱାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତର ପାଠ୍ୟକ୍ରମ ଶେଷ କରିଥିଲେ । ପରବର୍ତ୍ତୀ ସମୟରେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରୁ ଅର୍ଥନୀତିରେ ସ୍ନାତକୋତ୍ତର ପାଠ୍ୟକ୍ରମ ସାରି ୧୯୬୩ ବ୍ୟାଚର ଆଇଏଏସ ଭାବେ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ବିଭିନ୍ନ ସମୟରେ କୋରାପୁଟ ଭଳି ରାଜ୍ୟର ବହୁ ପଛୁଆ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇଥିଲେ । ସେ କୋରାପୁଟ ଜିଲ୍ଲାପାଳ ଥିବା ବେଳେ ଯେଉଁ କାର୍ଯ୍ୟ ଦକ୍ଷତା ଦେଖାଇଥିଲେ ତାହା ତାଙ୍କ ପ୍ରଶାସନିକ କାର୍ଯ୍ୟଦକ୍ଷତାର ଅନନ୍ୟ ଉଦାହରଣ ଭାବେ ଗ୍ରହଣ କରାଯାଏ ।

ରାଜନୈତିକ ଜୀବନ[ସମ୍ପାଦନା]

ପ୍ୟାରୀମୋହନ କଲେଜ ଜୀବନରୁ ଏଆଇଏସଏଫ ଭଳି ଛାତ୍ର ସଂଗଠନରେ ଜଣେ ଆଗଧାଡ଼ିର କର୍ମୀ ଭାବେ କାର୍ଯ୍ୟ କରି କମ୍ୟୁନିଷ୍ଟ ଭାବେ ପରିଚିତ ହୋଇଥିଲେ । ଆଇଏଏସ ପଦରୁ ଅବସର ନେଇ ୨୦୦୦ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ୨୦୧୦ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ବିଭିନ୍ନ ସମୟରେ ବିଜେଡିକୁ ନିର୍ବାଚନ ରାଜନୀତିରେ ସଫଳତାର ସ୍ୱାଦ ଚଖାଇବାରେ ପ୍ୟାରୀମୋହନଙ୍କ ଉଲ୍ଲେଖନୀୟ ଅବାଦାନ ଥିଲା । ବିଜେପିର କେନ୍ଦ୍ରୀୟ ଲୋକପ୍ରିୟତାକୁ ନେଇ ବିଜେଡି ସହିତ ମେଣ୍ଟ କରିବା ଏବଂ ଦୀର୍ଘ ୧୧ ବର୍ଷ କାଳ ମେଣ୍ଟ ରାଜନୀତିରେ ରହି ନବୀନଙ୍କ ତଥା ବିଜେଡିକୁ ଲୋକାଭିମୁଖୀ କରିବାରେ ପ୍ୟାରୀ ଥିଲେ ଗୋଟି ଚାଳକ । ଏମିତି କି ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ମେଣ୍ଟ ଭାଙ୍ଗିବା ତଥା ପୂର୍ବ ପ୍ରସ୍ତୁତ ନିର୍ବାଚନ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ବିଜେଡିକୁ ଫାଈଦା ଦେବାରେ ପ୍ୟାରୀମୋହନଙ୍କ ଉଲ୍ଲେଖନୀୟ ଅବଦାନ ଥିଲା । ଯେଉଁଥିପାଇଁ ୨୦୦୯ ସାଧାରଣ ନିର୍ବାଚନରେ ବିଜେଡି ସମଗ୍ର ରାଜ୍ୟରେ ୧୦୯ ବିଧାନ ସଭା ଆସନରୁ ବିଜୟୀ ହୋଇ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ।[୪] ବିଭିନ୍ନ ସମୟରେ ବାଦ ବିବାଦର ସମ୍ମୁଖୀନ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ପ୍ୟାରୀମୋହନ । ଗେଷ୍ଟ ହାଉସ ସେକ୍ସ କାରବାରଠାରୁ ଆରମ୍ଭ କରି ବହୁ ବାଦ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ସୁଦ୍ଧା ସହଜରେ ମୁକୁଳିଯାଇଥିଲେ ।

ପ୍ୟାରୀମୋହନ ମହାପାତ୍ରଙ୍କ ରାଜନୈତିକ ଜୀବନରେ ୨୦୧୨ ମସିହା ମେ ୨୯ ତାରିଖରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିଥିଲା । ନବୀନ ପଟ୍ଟନାୟକଙ୍କ ଲଣ୍ଡନ ଗସ୍ତ ସମୟରେ କ୍ଷମତା ଅପହରଣ ପାଇଁ ରାତି ଅଧିଆ ଷଡ଼ଯନ୍ତ୍ର କରିଥିବାର ଅଭିଯୋଗ ତାଙ୍କ ବିରୁଦ୍ଧରେ ଆସିଥିଲା । କ୍ଷମତା ଅପହରଣ ଷଡଯନ୍ତ୍ରର ଅପବାଦ ଲାଗିବା ପରେ ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ ।[୫] [୬] ୨୦୧୨ ମସିହା ଅଗଷ୍ଟ ୪ ତାରିଖରେ ବିଜେଡ଼ି ଦଳୀୟ ପାର୍ଲ୍ୟାମେଣ୍ଟାରୀ ଗ୍ରୁପ ଲିଡ଼ର ପଦରୁ ଓହରି ଯାଇଥିଲେ ।[୭][୮] ବିଜେଡ଼ିରୁ ବହିଷ୍କୃତ ହେବା ପରେ ଓଡ଼ିଶା ଜନମୋର୍ଚ୍ଚା ନାମରେ ଏକ ରାଜନୈତିକ ଦଳ ଗଠନ କରି ୨୦୧୪ ନିର୍ବାଚନରେ ୬୮ଟି ପ୍ରାର୍ଥୀ ଦେଇଥିଲେ ।[୯] ଏଇ ନୂଆ ଦଳର ସମସ୍ତ ୬୮ ପ୍ରାର୍ଥୀଙ୍କ ପରାଜୟ ହୋଇଥିଲା । ବିଫଳତା ସହ ଧୀରେ ଧୀରେ ରାଜନୀତି କ୍ଷେତ୍ରରେ ତାଙ୍କ ପ୍ରଭାବ କମିବାକୁ ଲାଗିଲା । ଶାରୀରିକ ଅସୁସ୍ଥତା କାରଣରୁ ତାଙ୍କ ରାଜନୈତିକ ଜୀବନରେ ପୂର୍ଣ୍ଣଛେଦ ପଡ଼ିଥିଲା ।

ଅନ୍ୟାନ୍ୟ ଅବଦାନ[ସମ୍ପାଦନା]

କୋରାପୁଟ ଜିଲ୍ଲାରେ ଥିବା ଶାବର ଶ୍ରୀକ୍ଷେତ୍ର ଭାବେ ନାମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଓ ପରିଚାଳନରେ ଚେୟାରମାନ ଭାବେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆଦିବାସୀଙ୍କ ପ୍ରତି ତାଙ୍କର ବହୁତ ଆଦର ଓ ଆଗ୍ରହ ଥିବାରୁ ସେ କୋରାପୁଟରେ ଆଦିବାସୀ ବିଶ୍ଳେଷଣାତ୍ମକ ଗବେଷଣା କେନ୍ଦ୍ରର ଆରମ୍ଭ କରିଥିଲେ । ସେହି ଗବେଷଣା ଅନୁଷ୍ଠାନ ଅଧୁନା ସର୍ବଭାରତୀୟ ସ୍ତରରେ ଆଦିବାସୀ ଗବେଷଣା ପାଇଁ ଜଣାଶୁଣା ।

ଶେଷ ଜୀବନ[ସମ୍ପାଦନା]

ଜୀବନର ଶେଷ ଭାଗକୁ ସେ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେ ଦୀର୍ଘ ୪ ମାସରୁ ଉର୍ଦ୍ଧ୍ୱ ସମୟ ଧରି ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ବେଳେ ୧୯ ମାର୍ଚ୍ଚ ୨୦୧୭ ମସିହାରେ ମୃତ୍ୟୁ ବରଣ କରିଥିଲେ ।[୧୦]

ଆଧାର[ସମ୍ପାଦନା]

  1. http://sambad.in/news/india-and-beyond/pyarimohan-mahapatra-passes-away/41761.html[permanent dead link]
  2. http://suryaprava.co.in/epaper/m/49355/58cedf4ac6e8c[permanent dead link]
  3. http://odishareporter.in/top-story/mp-pyarimohan-mahapatra-death/
  4. https://www.dailyhunt.in%252Fnews%252Findia%252Foriya%252Fodia%252Bpua-epaper-odia%252Fchaligale%252Bcharchchita%252Bchanakya%252Bjhuruchanti%252Banugata-newsid-65315699%252Famp&ampidx=0
  5. http://kanaknews.com/pyari-treatment/
  6. "Coup stage managed?". articles.timesofindia.indiatimes.com. 2012. Archived from the original on 2013-11-05. Retrieved 18 August 2012. suspended two MLAs and also Pyari (Rajya Sabha MP) from the party
  7. "Pyari Mohan Mohapatra resigns from Rajya Sabha as BJD leader Saturday". incredibleorissa.com. 2012. Retrieved 5 August 2012. Pyarimohan Mohapatra quit as the BJD's leader in Rajya Sabha on Saturday
  8. "Pyari Mohan Mohapatra resigns as BJD Rajya Sabha leader". 4 August 2012.
  9. http://suryaprava.co.in/epaper/m/49513/58d0944baa057[permanent dead link]
  10. http://m.indiatoday.in/story/former-rajya-sabha-member-pyarimohan-mohapatra-passes-away/1/907950.html

ଅଧିକ ତଥ୍ୟ[ସମ୍ପାଦନା]