ଦୈନିକ ଆଶା

ଉଇକିପିଡ଼ିଆ ରୁ
Jump to navigation Jump to search
ଦୈନିକ ଆଶା
ପ୍ରତିଷ୍ଠାତାଶଶି ଭୂଷଣ ରଥ
ସମ୍ପାଦକପ୍ରମୋଦ ପଣ୍ଡା
ଗଠିତ୧୯୧୩ ଅପ୍ରେଲ ୧୩
ଭାଷାଓଡ଼ିଆ
ମୁଖ୍ୟାଳୟବ୍ରହ୍ମପୁର
ବଣ୍ଟନ୨୦୦୦୦(୨୦୧୩)

ଦୈନିକ ଆଶା, ବ୍ରହ୍ମପୁରରୁ ପ୍ରକାଶ ପାଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଓଡ଼ିଶାର ପ୍ରଥମ ଦୈନିକ ଖବର କାଗଜ । ୧୯୧୩ ମସିହା ଅପ୍ରେଲ ୧୩ତାରିଖରେ ଏହା ଏକ ସାପ୍ତାହିକ ପତ୍ରିକା ରୂପରେ ପ୍ରଥମ ପ୍ରକାଶ ପାଇଥିଲା ।[୧] ଶଶି ଭୂଷଣ ରଥ ଏହି ଖବରକାଗଜର ପ୍ରତିଷ୍ଠାତା ସମ୍ପାଦକ ଥିଲେ । ୧୯୨୮ ମସିହା ଅପ୍ରେଲ ୧୩ତାରିଖରୁ ଏହା ଦୈନିକ ଖବର କାଗଜ ଭାବରେ ପ୍ରକାଶିତ ହୋଇ ୨୦୧୩ମସିହାରେ ନିଜର ଶତବାର୍ଷିକୀ ପାଳନ କରିସାରିଛି ।

୨୦୧୩ ମସିହା ବେଳକୁ ଦୈନିକ ଆଶା ଦିନକୁ ୨୦୦୦୦ଖଣ୍ଡ ପ୍ରକାଶ ପାଉଥିଲା । ୪ପୃଷ୍ଠାର ଏହି ଖବରକାଗଜ, କେବେକେବେ ୮ପୃଷ୍ଠାରେ ମଧ୍ୟ ପ୍ରକାଶ ପାଉଥିଲା ।

ଇତିହାସ[ସମ୍ପାଦନା]

ଆଶା ସାପ୍ତାହିକ ଖବର କାଗଜ ୧୯୧୩ମସିହାରୁ ପ୍ରକାଶ ପାଉଥିଲା । ପତ୍ରିକାଟିର ନାମକରଣ ପ୍ରତିଷ୍ଠାତା ଶଶି ଭୂଷଣଙ୍କ କନ୍ୟା "ଆଶାଲତା"ଙ୍କ ନାମ ଅନୁସାରେ ହୋଇଥିଲା । ଉତ୍କଳ ଦୀପିକା ପରେ ଏହା ଥିଲା ଓଡ଼ିଶାର ସର୍ବାଧିକ ଜନପ୍ରିୟ ଖବରକାଗଜ । ଅନ୍ୟ ମୁଖ୍ୟ ପତ୍ରିକା ଥିଲା ସମାଜ । ବ୍ରହ୍ମପୁରରୁ ପ୍ରକାଶ ପାଉଥିବାରୁ ଆଶା ଗଞ୍ଜାମ ଓ ସମଗ୍ର ଦକ୍ଷିଣ ଓଡ଼ିଶାର ମୁଖପତ୍ରଭାବରେ ମାନ୍ୟତା ପାଉଥିଲା ।[୨] ଏହା ତତକାଳୀନ ବ୍ରିଟିଶ ସରକାରଙ୍କ ସମାଲୋଚନାରେ ମୁଖର ଥିଲା । ସେତେବେଳେ ଏହି ଖବରକାଗଜରେ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ଗୋପାଳ ଚନ୍ଦ୍ର ପ୍ରହରାଜ, ଅନନ୍ତ ମିଶ୍ର, ଆପନ୍ନା ପାଣିଗ୍ରାହୀ, ଗଦାଧର ବିଦ୍ୟାଭୂଷଣ, ସଦାଶିବ ବିଦ୍ୟାଭୂଷଣ, ଫକୀର ମୋହନ ସେନାପତି, ରାମଚନ୍ଦ୍ର ଆଚାର୍ଯ୍ୟ ଆଦିଙ୍କର ଲେଖା ନିୟମିତ ପ୍ରକାଶ ପାଉଥିଲା ।

୧୯୨୮ ମସିହାରେ ଏହା ଦୈନିକ ଖବରକାଗଜର ରୂପନେଲା । ଦୈନିକ ପ୍ରକାଶିତ ହୋଇ ଏହା ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ, ସ୍ୱାଧୀନତା ସଂଗ୍ରାମ ଆଦି ଜାତୀୟ ଆନ୍ଦୋଳନରେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲା । ପତ୍ରପତ୍ରିକା ଜଗତରେ ଏକ ନବଜାଗରଣ ଆଣିଦେଇଥିଲା । ବହୁ ସ୍ୱାଧୀନଚେତା ଯୁବଗୋଷ୍ଠୀ ପତ୍ରିକା ପ୍ରକାଶନ ଦିଗରେ ପ୍ରଶିକ୍ଷଣ ପାଇଲେ । ଦୈନିକ ଆଶାରେ ପ୍ରଶିକ୍ଷିତ ବହୁ ଯୁବକ ଅନ୍ୟ ଖବରକାଗଜ ପତ୍ରିକା ଓ ପ୍ରେସରେ ନିଯୁକ୍ତି ପାଇଥିଲେ । ପ୍ରେସ ଓ ସାମ୍ବାଦିକତା କ୍ଷେତ୍ରରେ ଏହା ଏକ ବ୍ୟବସାୟିକତା ଆଣିବାରେ ସମର୍ଥ ହୋଇଥିଲା ।[୩]

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେବା ପରେ, ଶଶି ଭୂଷଣ ୧୯୩୬ ଅପ୍ରେଲ ୧୮ତାରିଖରେ ଦୈନିକ ଆଶାର ସମ୍ପାଦକ ପଦବୀରୁ ଓହରି ଯାଇଥିଲେ । ୧୯୪୨ ମସିହାରେ କଲିକତାର ବ୍ୟବସାୟୀ ଏମ ଏଲ ଜାଜୋଡିଆ ଦୈନିକ ଆଶା ଓ ଏହାର ଇଂରାଜୀ ପତ୍ରିକା "ନିୟୁ ଓଡ଼ିଶା"ର ମାଲିକାନା ଅକ୍ତିଆର କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂରେଜମାନଙ୍କ ସପକ୍ଷରେ ଲେଖି ଦୈନିକ ଆଶା ବହୁ ସରକାରୀ ପୃଷ୍ଠପୋଷକତା ଲାଭ କରିଥିଲା । ହେଲେ ୧୯୫୧ ମସିହାରେ ଖବରକାଗଜର ପ୍ରକାଶନ ବନ୍ଦ ହୋଇଯାଇଥିଲା ।[୪]

୧୯୮୨ ଫେବୃଆରୀ ୧୦ତାରିଖରେ "ବୃନ୍ଦାବନ ନାୟକ"ଙ୍କଦ୍ୱାରା ଗଠିତ ଏକ ଟ୍ରଷ୍ଟଦ୍ୱାରା ଦୈନିକ ଆଶାର ପ୍ରକାଶନ ପୁନର୍ବାର ଆରମ୍ଭ ହେଲା । "ଶ୍ରୀହର୍ଷ ମିଶ୍ର" ସମ୍ପାଦନା ଦାହିତ୍ୱରେ ରହିଲେ । ୧୯୮୪ରେ ଶ୍ରୀହର୍ଷଙ୍କର ପରଲୋକ ପରେ "ଚନ୍ଦ୍ରଶେଖର ମହାପାତ୍ର" ଏହାର ସମ୍ପାଦକ ହେଲେ । ତାଙ୍କପରେ "ପ୍ରମୋଦ ପଣ୍ଡା" ସମ୍ପାଦନା ଦାୟିତ୍ୱ ନେଇଥିଲେ ।[୫]

ଆଧାର[ସମ୍ପାଦନା]

  1. Pritish Acharya (11 March 2008). National Movement and Politics in Orissa, 1920-1929. SAGE Publications. pp. 10–. ISBN 978-81-321-0001-0.
  2. Krushna Singh Padhy (1989). Political Sociology: A Perspective Analysis. Discovery Publishing House Pvt. Limited. ISBN 978-81-7141-044-6.
  3. Shastry, R.P. "History of Press in Orissa" (PDF). Orissa Review (Feb March 2005). Retrieved 3 June 2018.
  4. J. NATARAJAN (1955). History of Indian Journalism. Publications Division Ministry of Information & Broadcasting. pp. 328–. ISBN 978-81-230-2638-1.
  5. https://mediamagazine.in/content/%E2%80%98dainik-asha%E2%80%99-completes-100-years