Jump to content

ଓଡ଼ିଆ ଭାଷା ଆନ୍ଦୋଳନ

ଉଇକିପିଡ଼ିଆ‌ରୁ
ଓଡ଼ିଆ ରାଜାମାନଙ୍କର ଶକ୍ତି ଓ ସାମର୍ଥ୍ୟ - ଅର୍ଦ୍ଧେକ ଭାରତର ଶାସକ କପିଳେନ୍ଦ୍ରଦେବ
କୋଣାର୍କ ମନ୍ଦିରରେ ଖୋଦିତ ଆଫଗନ ବିରୁଦ୍ଧରେ ଲଢୁଥିବା ଓଡ଼ିଆ ନାରୀ ।

ଓଡ଼ିଶାରେ ବିଭିନ୍ନ ସମୟରେ ଓଡ଼ିଆ ଭାଷା ପାଇଁ ହୋଇଥିବା ଆନ୍ଦୋଳନଗୁଡ଼ିକ ସାମୂହିକ ଭାବେ ଓଡ଼ିଆ ଭାଷା ଆନ୍ଦୋଳନ ଭାବେ ଜଣା । ଆଧୁନିକ ଇତିହାସରେ ଏହା ପ୍ରଥମେ ୧୮୬୬ ବ୍ରିଟିଶ ଶାସନ କାଳରେ ଆରମ୍ଭ ହୋଇ ୧୯୦୩ ମସିହାରେ ଏକ ବିଶାଳ ଆନ୍ଦୋଳନର ରୂପ ନେଇଥିଲା । ଏହାର ପରିଣତି ସ୍ୱରୂପ ୧୯୩୬ ମସିହାରେ ଭାଷା ଭିତ୍ତିରେ ଭାରତର ପ୍ରଥମ ରାଜ୍ୟ[] ଭାବେ ଓଡ଼ିଶା ଗଠିତ ହୋଇଥିଲା ।[][][]

୧୯୫୪ ଓଡ଼ିଶା ରାଜଭାଷା ଆଇନ ଅନୁସାରେ ଓଡ଼ିଶାରେ ଓଡ଼ିଆ ରାଜଭାଷା ଭାବେ ବ୍ୟବହାର ହେବାର ନିୟମ ଗୃହୀତ ହୋଇଥିଲା। ୧୯୫୪[] [] ମସିହାରେ ଓଡ଼ିଶା ବିଧାନ ସଭାରେ ପ୍ରଣୀତ ହେବା ପରେ ୧୯୬୬, ୧୯୬୮, ୧୯୮୫, ୧୯୯୫ ଓ ୨୦୧୨ ମସିହାର ଏହି ଆଇନକୁ କାର୍ଯ୍ୟକାରୀ କରିବା ନିମନ୍ତେ କିଛି ଆଦେଶନାମା ଜାରି ହୋଇଥିଲା।[] ୧୯୮୫ ଓ ୧୯୯୫ ମସିହାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥିଲେ। । ପରେ ଓଡ଼ିଆ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡଛତିଶଗଡ଼ରେ ଦ୍ୱିତୀୟ ରାଜଭାଷାର ସ୍ୱୀକୃତି ପାଇବା ପରେ ଓଡ଼ିଆ ଭାଷା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ଶିକ୍ଷା, ଆଇନ ଓ ଶାସନର ଭାଷା ହେବାର ସୁଯୋଗ ମିଳିଲା ।

ଇତିହାସ

[ସମ୍ପାଦନା]

ଭାରତର ସମସ୍ତ ଆଧୁନିକ ଭାରତୀୟ ଭାଷାମାନଙ୍କ ଭିତରେ ଓଡ଼ିଆ ତେଣୁ ସବୁଠାରୁ ଗଣତାନ୍ତ୍ରିକ ବୋଲି କୁହାଯାଇପାରେ- କାରଣ ଏହା ମୋଟରେ ଜନତାଙ୍କପାଇଁ ଓ ଜନତାଙ୍କଦ୍ୱାରା ସୃଷ୍ଟ ଓ ପରିପୁଷ୍ଟ । ଏ ଭାଷା ଆଜି ଯେ ସଗର୍ବରେ ଦଣ୍ଡାୟମାନ, ତାହା ନିଶ୍ଚୟ ଶାସକବର୍ଗର ଉତ୍ସାହ ଓ ଆନୁକୁଲ୍ୟ ଯୋଗୁଁ ନୁହେଁ, ବରଂ ସେମାନଙ୍କର ବିରାଗ, ଅଶ୍ରଦ୍ଧା, ନିରପେକ୍ଷତା ଓ କୌଣସି କୌଣସି କାଳରେ ରୀତିମତ ବିଲୋପ ସାଧନର ପ୍ରଚେଷ୍ଟା ସହେ ବୋଲି ଦମ୍ଭର ସହ କୁହାଯାଇପାରେ। ଅନ୍ୟ କୌଣସି ଭାରତୀୟ ଭାଷାକୁ କେବଳ ନିଜ ସ୍ଥିତିପାଇଁ ଏପରି କଠିନ ସଂଗ୍ରାମ କରିବାକୁ ପଡ଼ିନାହିଁ, ଯେପରି ଘଟିଛି ଓଡ଼ିଆ ଭାଷାର ଭାଗ୍ୟରେ ।

ଇତିହାସରୁ ୩ଟି ବୃହତ ଓଡ଼ିଆ ଭାଷା ଆନ୍ଦୋଳନର ସୂଚନା ମିଳେ। ଏହି ତିନୋଟି ଆନ୍ଦୋଳନ ଦ୍ୱାରା ଓଡ଼ିଆ ସୁରକ୍ଷିତ ହେବା ସହିତ ଭାଷା ସହ ଭୂମିକୁ ଯୋଡ଼ା ଯାଇପାରିଥିଲା । ପ୍ରଥମଟି ୧୦୭୩ ମସିହାରେ ଗଙ୍ଗବଂଶୀ ରାଜା ଚୋଡ଼ଗଙ୍ଗ ଦେବ ନିଜକୁ ସକଳୋତ୍କଳ ରକ୍ଷାକର୍ତ୍ତା ଭାବେ ଘୋଷଣା କରିବା ସହିତ ଓଡ଼ିଆ ଭାଷାକୁ ତାମିଲସଂସ୍କୃତ ସହିତ ରାଜଭାଷାର ମାନ୍ୟତା ଦେଇଥିଲେ। ସେହିପରି ଦ୍ୱିତୀୟ ଭାଷା ଆନ୍ଦୋଳନ ଘଟିଥିଲା ୧୪୩୬ ମସିହାରେ। ଏହି ସମୟରେ କପିଳେନ୍ଦ୍ର ଦେବ ନିଜକୁ ଜଗନ୍ନାଥଙ୍କ ରାଉତ ଭାବରେ ଘୋଷଣା କରି ଓଡ଼ିଶାର ଶାସକ ହେବା ସହିତ ପ୍ରଥମକରି କେବଳ ଓଡ଼ିଆକୁ ଶାସନର ଭାଷା ଭାବରେ ଗ୍ରହଣ କଲେ। ଫଳରେ ଓଡ଼ିଆରେ ସାହିତ୍ୟ ରଚନା ହେବା ସହିତ ଭାରତର ପ୍ରଥମ ରାଜ୍ୟ ଭାବରେ ଶତକଡ଼ା ଶହେଭାଗ ଲୋକ ଶିକ୍ଷିତ ହୋଇପାରିଥିଲେ। ଇଂରେଜ ଶାସନକାଳରେ ତୃତୀୟ ଥର ଭାଷା ଆନ୍ଦୋଳନ ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ସମୟରେ ହୋଇଥିଲା।

୧୮୬୬ - ୧୯୦୩

[ସମ୍ପାଦନା]

ଇଂରେଜ ଶାସନାଧୀନ ଓଡ଼ିଶାରେ ଓଡ଼ିଆ ଭାଷା ଆନ୍ଦୋଳନ ତିନୋଟି ପର୍ଯ୍ୟାୟରେ ଉପକୂଳ ଓଡ଼ିଶା, ପଶ୍ଚିମ ଓଡ଼ିଶାଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଥିଲା। ୧୪୩୬ରେ ଅନୁଷ୍ଠିତ ଭାଷା ଆନ୍ଦୋଳନ ଓଡ଼ିଶାର ରାଜନୈତିକ ପରିବର୍ତ୍ତନ ଆଣିବା ସହିତ ବିଶାଳ ସାହିତ୍ୟ ରଚନାର ବାଟ ଫିଟାଇଥିଲା। ଠିକ ସେହିପରି ୧୮୬୬ରେ ଆରମ୍ଭ ହୋଇଥିବା ଓଡ଼ିଆ ଆନ୍ଦୋଳନ ଓଡ଼ିଶା ଏକତ୍ରୀକରଣର ବାଟ ଫିଟାଇବା ସହିତ ଆଧୁନିକ ସାହିତ୍ୟ ରଚନାର ବାଟ ଫିଟାଇଥିଲା।

ଦକ୍ଷିଣ ଓଡ଼ିଶା

[ସମ୍ପାଦନା]

ବଙ୍ଗଳା ଅଧୀନରେ ଥିବା ଉପକୂଳବର୍ତ୍ତୀ ଓଡ଼ିଶା ଅଞ୍ଚଳ ମାନବୀକୃତ ନ’ଅଙ୍କ ଦୁର୍ଭିକ୍ଷ ଦ୍ୱାରା ଅର୍ଦ୍ଧାଧିକ ଓଡ଼ିଆଙ୍କୁ (ସରକାରୀ ହିସାବରେ ଏକତୃତୀୟାଂଶ ବା ମୋଟ ୩୦ ଲକ୍ଷ ଜନସଂଖ୍ୟାରୁ ୧୦ ଲକ୍ଷ) ହରାଇବା ସମୟରେ ଓଡ଼ିଆ ଭାଷା, ଜାତି ଓ ସଂସ୍କୃତିର ସୁରକ୍ଷା ପାଇଁ କନ୍ଧମାଳର ଦାରିଙ୍ଗବାଡ଼ି ଅନ୍ତର୍ଗତ କାଟିଙ୍ଗିଆ ଜମିଦାର ଭେଙ୍କଟେଶ୍ୱର ଦେଓ ପ୍ରଥମ କରି ଓଡ଼ିଆମାନଙ୍କୁ ଏକାଠି କରିବାକୁ ଉଦ୍ୟମ କରିଥିଲେ। ଜଣେ ଦୂରଦ୍ରଷ୍ଟା, ସ୍ୱାଭିମାନୀ ସ୍ୱାଧୀନଚେତା ଓଡ଼ିଆ ଭାବେ ସେ ଅନୁଭବ କଲେ ଓଡ଼ିଆଭାଷୀ ଅଞ୍ଚଳକୁ ଏକ ଶାସନାଧୀନ କରିବା ପାଇଁ ଏହି ଅଞ୍ଚଳର ଅଧିବାସୀଙ୍କୁ ନିଜ ମାତୃଭାଷାରେ ଶିକ୍ଷିତ ନ କଲେ ଐତିହାସିକ ଗୌରବମୟ ଓଡ଼ିଶା ଭୂଖଣ୍ଡର ବୀର ଉତ୍ତରାଧିକାରୀ ଯେପରି ଇଂରେଜ ଚକ୍ରାନ୍ତରେ ପୋକମାଛି ଭଳି ମରୁଛନ୍ତି, ଏମାନଙ୍କ ପରେ ଆଉ କାହା ଚକ୍ରାନ୍ତରେ ନିଜର ସତ୍ତା ହରାଇ ବସିବେ । ଓଡ଼ିଆଜାତିର ସର୍ବାଙ୍ଗୀନ ବିକାଶ ପାଇଁ ଏକମାତ୍ର କାର୍ଯ୍ୟ ହେଉଛି ମାନ୍ଦ୍ରାଜ, ମଧ୍ୟପ୍ରଦେଶବଙ୍ଗଳା ଅଧୀନରେ ଥିବା ଓଡ଼ିଆ ଭୂଖଣ୍ଡକୁ ଏକତ୍ର କରି ସମଗ୍ର ଶାସନ ବ୍ୟବସ୍ଥା ଓଡ଼ିଆ ଭାଷା ମାଧ୍ୟମରେ କରାଇବା।

ହିତବାଦିନୀ ସଭା

[ସମ୍ପାଦନା]

୧୮୬୬ରେ ଭେଙ୍କଟେଶ୍ୱର ଦେଓ ଜମିଦାରୀ କ୍ଷମତା ପାଇବା ପରେ ହଦଗଡ଼, ମୁଠା (ଟିକାବାଲି), ଚକାପାଦ, ଖଣ୍ଡମ ଓ ବାରମୁ ଠାର ସମସ୍ତ ରୟତ, ତଥା କରଡ଼ା, ରଣବା, ଗଦାପୁର, ପାଲୁର, ହୁମା, ଗଞ୍ଜାମ, ମହୁରୀ, ସୁରଙ୍ଗୀ, ଜରଡ଼ା, ଖଲ୍ଲିକୋଟ, ଆଠଗଡ଼, ଘୁମୁସର, ଧରାକୋଟ, ସୋରଡ଼ା, ଖେମୁଣ୍ଡି, ଚିକିଟି , ଜଳନ୍ତର , ମଞ୍ଜୁଷା , ପାରଳା ଆଦି ଅଞ୍ଚଳର ଦେଶୀୟ ରାଜା, ଓ ଭାଷାପ୍ରେମୀ ଶିକ୍ଷିତ ଓଡ଼ିଆ, ବିଭିନ୍ନ ଛୋଟବଡ଼ ସାଂସ୍କୃତିକ ଅନୁଷ୍ଠାନ ଓ ସଙ୍ଗଠନ ସଦସ୍ୟଗଣଙ୍କ ସହ ଯୋଗସୂତ୍ର ସ୍ଥାପନ କରି ସେପ୍ଟେମ୍ବର ୧୮୭୦ରେ ରସୁଲକୁଣ୍ଡା (ବର୍ତ୍ତମାନର ଭଞ୍ଜନଗର)ଠାରେ ଏକ ସଭାର ଆୟୋଜନ କଲେ । ଏହାର ନାମ ରହିଲା ହିତବାଦିନୀ ସଭା। ଏହା ହେଉଛି ଭାରତର ପ୍ରଥମ ରାଜନୈତିକ ସଙ୍ଗଠନ। ଏହି ସଭାରେ ଦକ୍ଷିଣ ଓଡ଼ିଶା ଅଞ୍ଚଳରେ ତେଲୁଗୁଭାୁଷୀଙ୍କ ପ୍ରାଦୁର୍ଭାବ ଓ ଉତ୍‌ପୀଡ଼ନକୁ ତୀବ୍ର ଭର୍ତ୍ସନା କରାଯିବା ସହ ଏଠିକାର ନ୍ୟାୟାଳୟ ଓ ବିଦ୍ୟାଳୟରେ ଓଡ଼ିଆ ପ୍ରଚଳନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତୁତ ହୋଇଥିବା ସ୍ମାରକପତ୍ର ତ‌ତ୍କାଳୀନ ମାନ୍ଦ୍ରାଜ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହି ସଙ୍ଗଠନର ଜଣେ ପ୍ରତିଷ୍ଠାତା ସଦସ୍ୟ ତଥା ଘୁମୁସର ତାଲୁକା ଦରୋଦସ୍ତ ଦେବସ୍ଥଳ ସମିତି ସଦସ୍ୟ କନକତୁରର ଶ୍ରୀ ଜନାର୍ଦ୍ଦନ ଦାସ ଦକ୍ଷିଣ ଓଡ଼ିଶାବାସୀଙ୍କ ଏଭଳି ବିପତ୍ତି ସମୟରେ ଉପକୂଳ ଓଡ଼ିଶାବାସୀ ଭାଈ ଭଳି ସେମାନଙ୍କ ସହ ଠିଆ ହେବାକୁ ଆକୁଳ ନିବେଦନ କରିଥିଲେ।[] ଏହି ସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସମଗ୍ର ଓଡ଼ିଆ ଅଞ୍ଚଳ ଏକତ୍ର କରାଯିବାର ଶୁଭଶଙ୍ଖ ସର୍ବ ପ୍ରଥମେ ଏହିଠାରେ ହିଁ ନିନାଦିତ ହୋଇଥିଲା, ଯାହା ବଙ୍ଗ ଓ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ତ‌ତ୍କାଳୀନ ଜାତୀୟତାବାଦୀ ଓଡ଼ିଆଙ୍କ ହୃଦୟତନ୍ତ୍ରୀରେ କମ୍ପନ ସୃଷ୍ଟି କରିଥିଲା। ପରେ ଅଧିକ ରାଜ୍ୟ ଏହି ସଙ୍ଗଠନ ସହ ମିଶିବାରୁ ଏହାର ନାମ ପରିବର୍ତ୍ତନ କରି ରଖାଗଲା ଉତ୍କଳ ହିତବାଦିନୀ ସଭା । ଉତ୍କଳ ହିତବାଦିନୀ ସଭା ପକ୍ଷରୁ ଏହାର ସମ୍ପାଦକ ଭେଙ୍କଟେଶ୍ୱର ଦେଓ ପୂର୍ବରୁ ମାଡ୍ରାସ ରାଜ୍ୟପାଳଙ୍କୁ ୧୮୬୯ରେ ଚିଠି ଲେଖି ୪ଟି ଦାବି ରଖିଥିବା ମନ୍ତବ୍ୟକୁ ଦୋହରାଇ ଲଣ୍ଡନରେ ବ୍ରିଟେନ ମହାରାଣୀଙ୍କୁ ଏହାକୁ ପୁଣି ଥରେ ମନେ ପକାଇବାକୁ ବିଲାତ ଆୟବ୍ୟୟ ସଭାରେ ସାକ୍ଷ୍ୟ ଦେବାକୁ ଯାଉଥିବା ବ୍ରିଟିଶ-ଓଡ଼ିଶା ସରକାରୀ ଅଧିକାରୀ କାଳିପଦ ବନ୍ଦୋପାଧ୍ୟାୟଙ୍କୁ ଅନୁରୋଧ କରିଥିଲେ। ଉତ୍କଳ ଦୀପିକାର ୧୮ ଅକ୍ଝୋବର ୧୮୭୩ ସଂଖ୍ୟାରେ ପ୍ରକାଶିତ ଏହି ଦାବିଗୁଡିକ ହେଲା:

  1. ଗଞ୍ଜାମବାସୀଙ୍କୁ ଓଡ଼ିଆ ଭାଷା ଓ ଲିପିରେ ଯୋଗାଯୋଗ କରିବାପାଇଁ ଅନୁମତି ଦିଆଯାଉ ।
  2. ସମସ୍ତ ସରକାରୀ କାଗଜପତ୍ର, ରେକର୍ଡ ଆଦି ଓଡ଼ିଆରେ ଲେଖାଯାଉ ।
  3. ସମସ୍ତ ବିଦ୍ୟାଳୟରେ ଓଡ଼ିଆ ମାଧ୍ୟମରେ ଶିକ୍ଷା ଦିଆଯାଉ ।
  4. ଓଡ଼ିଆ ଭାଷାରେ ସମସ୍ତ ପରୀକ୍ଷା ଦେବାପାଇଁ ବିଦ୍ୟାର୍ଥୀଙ୍କୁ ଅନୁମତି ଦିଆଯାଉ।[୧୦]

ହିତବାଦିନୀ ସଭାର ଦାବୀ ସିଧାସଳଖ ମହାରାଣୀ ଭିକ୍ଟୋରିଆଙ୍କ ନିକଟରେ ପହଞ୍ଚିବା ଫଳରେ ତାଙ୍କରି ଆଦେଶ ବଳରେ ୪ ମାର୍ଚ୍ଚ ୧୮୭୨ ତାରିଖରେ ମାନ୍ଦ୍ରାଜ ପ୍ରେସିଡେନ୍ସୀ ଅଧୀନସ୍ଥ ଓଡ଼ିଆ ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟ ଓ ନ୍ୟାୟାଳୟର କାର୍ଯ୍ୟ ଓଡ଼ିଆ ଭାଷାରେ କରାଯିବ ବୋଲି ଘୋଷଣା କରାଗଲା। ତେବେ ଏହି ଆନ୍ଦୋଳନର ଫଳ ଖୁବ ଶୀଘ୍ର ଭେଙ୍କଟେଶ୍ୱର ଦେଓଙ୍କୁ ମିଳିଗଲା। ଦଫାଦାରରୁ ପଦୋନ୍ନୋତି ପାଇଥିବା ତତ୍କାଳୀନ କନ୍ଧମାଳ ତହସିଲଦାର ଦୀନବନ୍ଧୁ ପଟ୍ଟନାୟକ କୌଶଳ କରି ତାଙ୍କୁ ଜମିଦାରୀରୁ ୨୫.୪.୧୮୭୪ରେ ବଞ୍ଚିତ କରିବାପରେ ବାର୍ଷିକ ୫୦ଟଙ୍କାର ପେନସନଭୋଗୀ ହେଲେ।[୧୧] ସମ୍ପତ୍ତିି ଚାଲିଗଲା ପରେ ଉପାୟଶୂନ୍ୟ ଭେଙ୍କଟେଶ୍ୱର ଦେଓ ଓଡ଼ିଆ ଆନ୍ଦୋଳନକୁ ଗତିଶୀଳ କରାଇ ନ ପାରିବା ଦୁଃଖରେ ମ୍ରିୟମାଣ ହୋଇ ୧୮୮୩ରେ ମୃତ୍ୟୁଲାଭ କଲେ।[୧୨] ତାଙ୍କ ଅନୁଗାମୀ ତଥା ହିତବାଦିନୀ ସଭାର ସମ୍ପାଦକ ଉଇଲିୟମ ମହାନ୍ତି 'ସ୍ୱଦେଶୀ' ନାମକ ଓଡ଼ିଆ ଜାତୀୟତାବାଦୀ ପତ୍ରିକା ପ୍ରକାଶନ କରି ଏହି ଆନ୍ଦୋଳନକୁ ବଞ୍ଚାଇ ରଖିବାରେ ଆପ୍ରାଣ ଚେଷ୍ଟା କରିଥିଲେ।[୧୩]

ପଶ୍ଚିମ ଓଡ଼ିଶା

[ସମ୍ପାଦନା]

୧୮୪୯ରେ ରାଜସ୍ୱ‌ତ୍ତ୍ୱଲୋପ ନୀତି ଅନୁସାରେ ସମ୍ବଲପୁର ରାଜ୍ୟ ଇଂରେଜ ଶାସନାଧୀନ ହେବା ପରେ ଦକ୍ଷିଣପୂର୍ବ ସୀମାନ୍ତ ଏଜେନ୍ସି ଅନ୍ତର୍ଭୁକ୍ତ ହୋଇ ମୂଳ ଓଡ଼ିଶାଠାରୁ ବିଚ୍ଛିନ୍ନ ହୋଇଗଲା। ୧୮୫୪ରେ ଏହି ଏଜେନ୍ସୀର ନାମକରଣ ଛୋଟନାଗପୁର ଡିଭିଜନ ହେବା ପରେ ଏଜେନ୍ସିର କାର୍ଯ୍ୟାଳୟ ଭାଷା ଭାବେ ହିନ୍ଦୀକୁ ଲାଗୁ କରାଯିବାରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାରେ ହିନ୍ଦୀଭାଷା ପ୍ରଚଳନ ହେଲା । ତେବେ ୧୮୬୦ରେ ଏହି ଅଞ୍ଚଳ ଓଡ଼ିଶା ଡିଭିଜନ ମିଶିଯିିବାରୁ ଏଠାରେ ଓଡ଼ିଆର ପୁନଃପ୍ରଚଳନ ହେଲା । ଏପରିକି ୨ବର୍ଷ ପରେ ଅର୍ଥାତ୍ ୩୦ ଅପ୍ରେଲ ୧୮୬୩ରେ ଏହା ମଧ୍ୟପ୍ରଦେଶ ଡିଭିଜନରେ ମିଶି ଓଡ଼ିଶା ଡିଭିଜନଠାରୁ ଅଲଗା ହୋଇଗଲେ ମଧ୍ୟ ୧୮୯୪ ପର୍ଯ୍ୟନ୍ତ ଓଡ଼ିଆର ପ୍ରଚଳନ ଥିଲା । ମଧ୍ୟପ୍ରଦେଶ ମୁଖ୍ୟ ଆୟୁକ୍ତ ଉଡ୍‌ବର୍ଣ୍ଣ ୧ ଜାନୁଆରୀ ୧୮୯୫ ମସିହାରେ ହିନ୍ଦୀ ପ୍ରଚଳନପାଇଁ ନିର୍ଦ୍ଦେଶ ଦେଲେ । ଏହାକୁ ସମ୍ବଲପୁରର ଉପ-ଆୟୁକ୍ତ ଚେପ୍‌ମେନ୍ ସମର୍ଥନ ଜଣାଇବାରୁ ୧ ଜାନୁଆରୀ ୧୮୯୬ ଠାରୁ ହିନ୍ଦୀ ଭାଷାରେ ଅଦାଲତ ତଥା ଅନ୍ୟାନ୍ୟ କାର୍ଯ୍ୟ ପରିଚାଳିତ ହେଲା । ଅଥଚ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ନାଗପୁରରେ ମରାଠୀ ଓ ସିରୋଞ୍ଚରେ ତେଲୁଗୁ ଭାଷା ପୂର୍ବ ପରି ଚାଲୁ ରହିଲା । ଏହି ନିଷ୍ପତ୍ତି ବିରୁଦ୍ଧରେ ସମ୍ବଲପୁର ମାଟିରେ ଓଡ଼ିଆ ସୁରକ୍ଷା ଆନ୍ଦୋଳନର ମୂଳଭିତ୍ତି ସ୍ଥାପନହେଲା। ରାଜ୍ୟପାଳ ଫ୍ରେଜରସାହେବ ଜନସାଧାରଣଙ୍କ ଅଭିଯୋଗ ବଡ଼ଲାଟ ଲର୍ଡ ଏଲଗିନ୍‌ଙ୍କୁ ଜଣାଇଲେ ମଧ୍ୟ ବଡ଼ଲାଟ ଫ୍ରେଜରଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରି ହିନ୍ଦୀଭାଷା ପ୍ରଚଳନ ପାଇଁ ନିର୍ଦ୍ଦେଶ ଦେଲେ ।

ଶିମିଳା ଯାତ୍ରା

[ସମ୍ପାଦନା]

ସୋମନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାର ପ୍ରସ୍ତାବକ୍ରମେ ମହନ୍ତ ବିହାରୀ ଦାସ, ବ୍ରଜମୋହନ ପଟ୍ଟନାୟକ, ବଳଭ‌ଦ୍ର ସୂପକାର (ସୁଆର), ମଦନମୋହନ ମିଶ୍ରଙ୍କ ସହିତ ଯୁବକ ଶ୍ରୀପତି ମିଶ୍ର ବଡ଼ଲାଟ ଲର୍ଡ କର୍ଜନକୁ ଭେଟି ସମ୍ବଲପୁରରେ ଓଡ଼ିଆ ପ୍ରଚଳନପାଇଁ ଦାବିପତ୍ର ପ୍ରଦାନ କରିବେ ବୋଲି ଶିମିଳା ଯାଇଥିଲେ । ଯାହା ପରବର୍ତ୍ତୀ ସମୟରେ ‘ଶିମିଳା ଯାତ୍ରା’ ନାମରେ ଖ୍ୟାତ। ୧୮୯୯ରେ ସମ୍ବଲପୁର ଅଞ୍ଚଳରେ ଭୟାବହ ଦୁର୍ଭିକ୍ଷ ଦେଖାଦେଇଥିଲା । ଏହା ୧୮୬୬ ମସିହାରେ ଘଟିଯାଇଥିବା ଉପକୂଳ ଓଡ଼ିଶାର ନ’ଅଙ୍କ ଦୁର୍ଭିକ୍ଷ ଭଳି ମନୁଷ୍ୟକୃତ ଥିଲା । ୧୮୯୦ରେ ଝାରସୁଗୁଡ଼ା ଦେଇ ବମ୍ବେ-କଲିକତା ରେଳପଥ ନିର୍ମାଣ ହେବାପରେ ୧୮୯୪ ରେ ଝାରସୁଗୁଡ଼ା ଠାରୁ ସମ୍ବଲପୁରକୁ ରେଳପଥ ନିର୍ମାଣହେଲା । ଫଳରେ ଏହି ଅଞ୍ଚଳରୁ ଉତ୍ପାଦିତ ଶସ୍ୟକୁ ସଂଗ୍ରହକରି ରେଳ ମାଧ୍ୟମରେ ପଠାଇ ଦିଆଗଲା । ଆବଶ୍ୟକ ସମୟରେ ଶସ୍ୟ ଆମଦାନୀର କୌଣସି ବ୍ୟବସ୍ଥା କରାଯାଇ ନ ଥିଲା । ଖାଦ୍ୟ ରପ୍ତାନି ହାର ଏଭଳି ମାତ୍ରାରେ ବୃଦ୍ଧି ପାଇଲା ଯେ ମାତ୍ର ୩/୪ବର୍ଷ ପରେ ଯେଉଁ ଭୟଙ୍କର ଦୁର୍ଭିକ୍ଷ ଦେଖାଦେଲା, ସେଥିରେ ସମ୍ବଲପୁର ଜିଲ୍ଲାର ୮ ଲକ୍ଷ ମଧ୍ୟରୁ ୧ ଅକ୍ଟୋବର ୧୮୯୯ରୁ ୩୦ ସେପ୍ଟେମ୍ବର ୧୯୦୦ମଧ୍ୟରେ ୬୨,୯୨୪ ଜଣ ଓଡ଼ିଆ ପ୍ରାଣ ହରାଇ ଥିବା ବେଳେ ଏହାର ୫ଗୁଣ ସ୍ୱଚ୍ଛଳ ଓଡ଼ିଆ ସବୁକିଛି ହରାଇ ନିଃସ୍ୱ ହୋଇଯାଇଥିଲେ । ଏପରିକି ଏମାନେ ସରକାରଙ୍କୁ ବିଭିନ୍ନ ନିବେଦନ ଓଡ଼ିଆରେ ଲେଖି ପଠାଉଥିବାରୁ ଅଣଓଡ଼ିଆ କିରାଣୀଦଳ ଏହି ସବୁ ଦରଖାସ୍ତକୁ ଚିରି ଦେଉଥିଲେ କିମ୍ବା ନାଲିଫିତା ତଳେ ଲୁଚାଇ ରଖି ଦେଉଥିଲେ । ଜିଲ୍ଲା ମୁଖ୍ୟପ୍ରଶାସନିକ କାର୍ଯ୍ୟାଳୟରେ କିରାଣୀ ଥିବା ଦାଶରଥି ମିଶ୍ର ଏ ସଂପର୍କିତ ତଥ୍ୟ ଭାଇ ଶ୍ରୀପତି ମିଶ୍ରଙ୍କ ମାଧ୍ୟମରେ ଅନ୍ୟମାନଙ୍କୁ ସୂଚନା ଦେଇ ହିନ୍ଦୀଭାଷୀ କର୍ମଚାରୀଙ୍କ ଚକ୍ରାନ୍ତ ବିରୁଦ୍ଧରେ ଜନମତ ସୃଷ୍ଟି କରିବାରେ ଚେଷ୍ଟିତ ଥିଲେ । ଆଉ ଜଣେ ଓଡ଼ିଆପ୍ରାଣ ବ୍ୟକ୍ତିତ୍ୱ ତଥା ସମ୍ବଲପୁରର ଅତିରିକ୍ତ ସହକାରୀ କମିଶନର ବୈକୁଣ୍ଠନାଥ ପୂଜାରୀ ୧୯୦୧ର ଜନଗଣନା କାର୍ଯ୍ୟରେ ଉପୁଜିଥିବା ବିଶୃଙ୍ଖଳାର ତଦାରଖ ଦାୟିତ୍ୱରେ ଥିବାବେଳେ ରାତିରାତି ଅନିଦ୍ରା ହୋଇ ସାଧାରଣ ନିରୀହ ଓଡ଼ିଆଙ୍କୁ କୌଣସି ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ଭୟ ଓ ଆଶଙ୍କାରହିତ ଭାବେ ନିଜ ମାତୃଭାଷା ଓଡ଼ିଆ ବୋଲି ଜନଗଣନାକାରୀଙ୍କୁ ଦୃଢ଼଼ଭାବେ କହିବାପାଇଁ ପରାମର୍ଶ ଦେଉଥିଲେ । ଏହି ସୂଚନା ଜିଲ୍ଲାପାଳ ପାଇବାରୁ ପୂଜାରୀ ମହାଶୟଙ୍କୁ ଜବଲପୁର ବଦଳି କରାଗଲା । ସେହିପରି ଅନ୍ୟଜଣେ ଯୁବନେତୃତ୍ୱ ତଥା ଆଇନଜୀବୀ ଚନ୍ଦ୍ରଶେଖର ବେହେରା ମଧ୍ୟ ଓଡ଼ିଆର ସ୍ଥିତି ରକ୍ଷା ପାଇଁ ବାହାରି ପଡ଼ିଲେ । ୧୯୦୧ ବେଳକୁ ହିନ୍ଦୀଭାଷୀଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସାଧାରଣ ଜନତାଙ୍କ ଭିତରେ ଏଭଳି ଆଲୋଡ଼ନ ସୃଷ୍ଟି ହେଲା ଯେ, ମଇ ମାସରେ ମଦନମୋହନ ମିଶ୍ରଙ୍କ ନେତୃତ୍ୱରେ ଓ ୨୯ ଜୁଲାଇ ୧୯୦୧ରେ ବ୍ରଜମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ନାଗପୁର ମୁଖ୍ୟ ଆୟୁକ୍ତ ଫ୍ରେଜର ସାହେବଙ୍କୁ ଓଡ଼ିଆର ପୁନଃ ପ୍ରଚଳନ ପାଇଁ ଦାବିପତ୍ର ପ୍ରଦାନ ପୂର୍ବକ ନିଜ ଅଧିକାର ସାବ୍ୟସ୍ତ କରିବାକୁ ବାହାରି ପଡ଼ିଲେ। ଓଡ଼ିଆତ୍ୱର ଆବେଗରେ ହଜିଯାଇଥିବା ୫ଜଣ ବ୍ୟକ୍ତି କେତେବେଳେ ଚାଲିଚାଲି, କେତେବେଳେ ଟାଙ୍ଗାଗାଡ଼ି କିମ୍ବା ରେଳଗାଡ଼ି ଯୋଗେ ଦୀର୍ଘପଥ ଅତିକମ୍ର କରି ୧୬ ସେପ୍ଟେମ୍ବର ୧୯୦୧ରେ ଶିମିଳା ଠାରେ ପହଞ୍ଚିଲେ । ମାତ୍ର ଶିମିଳାରେ ଉଭୟ ବଡ଼ଲାଟ ଲର୍ଡ କର୍ଜନ ଓ ମଧ୍ୟପ୍ରଦେଶ ରାଜ୍ୟପାଳ ଆଣ୍ଡ୍ୟୁ ଫ୍ରେଜର ଉପସ୍ଥିତ ଥିଲେ ମଧ୍ୟ ସାକ୍ଷାତ ପାଇ ପାରି ନଥିଲେ । ତେବେ ପୂର୍ବରୁ ସମ୍ବଲପୁରର ଜିଲ୍ଲାପାଳ ତଥା ଏହି ସମୟରେ ମଧ୍ୟପ୍ରଦେଶର ରାଜ୍ୟପାଳଙ୍କ ଘରୋଇ ସଚିବ ଭାବେ ନିଯୁକ୍ତି ପାଇଥିବା କ୍ରମ୍ପଟ ସାହେବଙ୍କ ପରାମର୍ଶ କ୍ରମେ ଦାବିପତ୍ର ପ୍ରଦାନ କରି ସମ୍ବଲପୁର ଫେରି ଆସିଥିଲେ ।

ସମ୍ବଲପୁର ଡିଭିଜନ ମିଶ୍ରଣ

[ସମ୍ପାଦନା]

ଶିମିଳାଠାରେ ଚାଲିଥିବା ‘ସର୍ବଭାରତୀୟ ଶିକ୍ଷାନୀତି’ ସମ୍ପର୍କିତ ସମ୍ମିଳନୀରେ ବଡ଼ଲାଟ କର୍ଜ୍ଜନ ମଧ୍ୟପ୍ରଦେଶ ସରକାର ଆଣ୍ଡ୍ୟୁ ଫ୍ରେଜରଙ୍କୁ ମଧ୍ୟପ୍ରଦେଶ ଅଧିନସ୍ଥ ନାଗପୁରରେ ମରାଠୀ ଓ ସିରଞ୍ଚ ତେଲୁଗୁ ଭାଷା ପ୍ରଚଳନ ହେଉଥିବା ବେଳେ ସମ୍ବଲପୁରରେ ଓଡ଼ିଆ ପ୍ରଚଳନ ନ ହେବ କାହିଁକି ବୋଲି ସ୍ପଷ୍ଟୀକରଣ ଚାହିଁଥିଲେ। ଓଡ଼ିଆ ପ୍ରଚଳନକୁ ବିରୋଧ କରୁଥିବା ଫ୍ରେଜର ଏହାର ଉତ୍ତର ଦେଇପାରି ନ ଥିଲେ। ତେଣୁ ଏହାପରେ ସେ ନିଜ ପ୍ରତ୍ୟକ୍ଷ ଅନୁଭୂତିକୁ ନିରପେକ୍ଷ ରଖିବାପାଇଁ ସିଧାସଳଖ ସମ୍ବଲପୁର ଆସି ବିଭିନ୍ନ ଜନତାଙ୍କଠାରୁ ମତାମତ ସଂଗ୍ରହ କରିଥିଲେ। ୨୬ ତାରିଖ ସକାଳେ ତାଙ୍କୁ ସମ୍ବଲପୁର ବାସୀଙ୍କ‌ ଦ୍ୱା‌ରା ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଗଲା। ‘ସମ୍ବଲପୁର ହିତୈଷିଣୀ’ ବର୍ଣ୍ଣନାନୁସାରେ- “ମାନ୍ୟବର ଫ୍ରେଜର ସାହେବ ଯହିଁ ଯହିଁ ଗଲେ, ସେଠାରେ ଓଡ଼ିଆମାନଙ୍କର ହୃଦୟନିହତି ମର୍ମାନ୍ତିକ ବେଦନାଜନିତ ଆର୍ଭିନାଦ ଶ୍ରବଣ କଲେ । ଓଡ଼ିଆଙ୍କ ଦୁଃଖରେ ତାଙ୍କର ହୃଦୟ ବିଗଳିତ ହେଲା । ସେ ତତ୍‌କ୍ଷଣାତ୍ ବୁଝିପାରିଲେ ଯେ, ଓଡ଼ିଆଙ୍କର ଦୁଃଖ କାଳ୍ପନିକ ନୁହେଁ, କିନ୍ତୁ ହୃଦୟଜାତ ଏବଂ ସ୍ୱାଭାବିକ ।” ସମ୍ବଲପୁରବାସୀ ଓଡ଼ିଆମାନଙ୍କର ଭାଷାନିମିତ୍ତି ଗଭୀର ଉଦ୍‌ବେଗ ଲକ୍ଷ୍ୟ କରି କହିଥିଲେ, “ଆମ୍ଭେ ଆପଣମାନଙ୍କର ଦେଶରେ ଉପସ୍ଥିତ ହୋଇ ଆପଣମାନଙ୍କ ଭାଷା ପରିବର୍ତ୍ତନ ଜନିତ ଦୁଃଖକଷ୍ଟ ବିଷୟରେ ଅନୁସନ୍ଧାନ କଲୁ । ଆପଣମାନେ ପ୍ରକୃତରେ କଷ୍ଟ ଅନୁଭବ କରୁଛନ୍ତି ଏବଂ ଏତଦ୍ ଦୃଷ୍ଟିରେ ଆମ୍ଭେ ସମ୍ବଲପୁରରେ ଓଡ଼ିଆ ପୁନଃପ୍ରଚଳନ ନିମନ୍ତେ ନିକଟରେ ସାଧାରଣ ରାଜ୍ୟପାଳ ବାହାଦୁରଙ୍କ ନିକଟକୁ ଲେଖୁଅଛୁ । ଆପଣମାନେ ମନେ କରନ୍ତୁ ଯେ ଓଡ଼ିଆ ଆଜିଠାରୁ ସମ୍ବଲପୁରର ଅଦାଲତ ଭାଷା ହେଲା । ଆପଣ ଜାଣିରଖନ୍ତୁ , ଜାନୁଆରୀ ମାସ ପ୍ରଥମ ତାରିଖ ଠାରୁ କାଗଜପତ୍ର ଓଡ଼ିଆରେ ଲିଖିତ ହେବାର ଆଦେଶ ଅବିଳମ୍ବେ ପ୍ରଚାରିତ ହେବ ।” (ହିତୈଷିଣୀ, ୧୬ ଅକ୍ଟୋବର ୧୯୦୧, ପୃ-୯୦)[୧୪] ଦୀର୍ଘ ଛଅବର୍ଷର ନିର୍ବାସନ‌ ଦଣ୍ତ ପରେ ଓଡ଼ିଆଙ୍କ ମୁଖରେ ଓଡ଼ିଆ ପୁନଃ ପ୍ରଚଳିତ ହେଲା । [୧୫]

ଉପକୂଳ ଓଡ଼ିଶା

[ସମ୍ପାଦନା]

ଓଡ଼ିଆତ୍ୱ ହନନ ପାଇଁ ଇଂରେଜ ସରକାରଙ୍କ୍ୱାରା ୧୮୬୫-୬୬ ମସିହାରେ ସୃଷ୍ଟି କରାଯାଇଥିବା ମାନବୀକୃତ ନଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ପଦକ୍ଷେପ ଥିଲା ଓଡ଼ିଆରେ ଶିକ୍ଷାବ୍ୟବସ୍ଥାକୁ ବନ୍ଦ କରିବା। ଏପର୍ଯ୍ୟନ୍ତ ପାରମ୍ପରିକ ଶିକ୍ଷାବ୍ୟବସ୍ଥାକୁ ଗ୍ରହଣ କରି ଆସୁଥିବା ଓଡ଼ିଶାରେ ନିଜ ଶିକ୍ଷାପଦ୍ଧତି ପ୍ରଚଳନ ପାଇଁ ତତ୍କାଳୀନ ଇଂରେଜ ଶାସକ ହାର୍ଡିଂଜ ବିଦ୍ୟାଳୟ ସଂଖ୍ୟାବୃଦ୍ଧି କରିଚାଲିଥିବାବେଳେ ଏଥିପାଇଁ ଓଡ଼ିଆ ପାଠ୍ୟପୁସ୍ତକ ମୁଦ୍ରଣ ଜାଣିଶୁଣି କରାଗଲା ନାହିଁ । ଓଡ଼ିଆ ପୁସ୍ତକର ଅଭାବ ତଥା କୌଣସି ନୂତନ ଓଡ଼ିଆ ପୁସ୍ତକ ରଚନା ପାଇଁ ସରକାର ଉତ୍ସାହିତ ନ କରିବାରୁ ବଙ୍ଗଳା ପୁସ୍ତକ ଓଡ଼ିଆ ବିଦ୍ୟାଳୟରେ ବିନା ସରକାରୀ ଆଦେଶରେ ପ୍ରଚଳିତ ହେଲା । ଫଳରେ ଏହି ସବୁ ବିଦ୍ୟାଳୟର ବିଦ୍ୟାର୍ଥୀ ଉଭୟ ଓଡ଼ିଆ ଓ ବଙ୍ଗଳା ଭାଷାରେ ଦକ୍ଷ ନ ଥିବାରୁ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ । ଏହି ଦ୍ୱିଭାଷିକ ଶିକ୍ଷାବ୍ୟବସ୍ଥା ମଧ୍ୟରୁ ଓଡ଼ିଆରେ ପଢ଼ାଇବା ଉଚିତ୍ ନୁହେଁ ବୋଲି କେତେକ ଅଧିକାରୀ ଯୁକ୍ତି ବାଢ଼ିଲେ । ଇଂରାଜୀ ଢାଞ୍ଚାରେ ସ୍ଥାପିତ ବିଦ୍ୟାଳୟମାନଙ୍କରେ ବଙ୍ଗଳା ପୁସ୍ତକ ପ୍ରଚନ କରାଯାଇ ବଙ୍ଗ-ଓଡ଼ିଆ ମିଶ୍ରିତ ଶିକ୍ଷାଦାନ କରାଯାଉଥିବା ସମୟରେ ଓଡ଼ିଶାରେ ଅନ୍ୟାନ୍ୟ ଶିକ୍ଷା ବ୍ୟବସ୍ଥା ଯଥା - ଗ୍ରାମାଞ୍ଚଳ ଓ ସହରମାନଙ୍କରେ ମାଟିବଂଶ ଅବଧାନଙ୍କଦ୍ୱାରା ଚାଟଶାଳୀ ଶିକ୍ଷା ଦିଆଯାଉଥିଲା। ତେଣୁ ଏହି ସୀମିତ ପରିସର ମଧ୍ୟରେ ସାମୟିକ ଭାବେ ଶିକ୍ଷାର ମାଧ୍ୟମ ଭାବେ ବ୍ୟବହୃତ ବଙ୍ଗଳା ଭାଷାକୁ ଓଡ଼ିଆ ଜାତିର ଭାଷା ଭାବେ ସରକାରୀ ଘୋଷଣା କରିବାପାଇଁ ଉଦ୍ୟମ ହୋଇଥିଲା।

ଓଡ଼ିଆ ଭାଷାର ସପକ୍ଷ ଓ ବିପକ୍ଷ ମତ

[ସମ୍ପାଦନା]

୧୮୬୫ରୁ ୧୮୭୦ ମଧ୍ୟରେ ହୋଇଥିବା ଆଧୁନିକ ଓଡ଼ିଆ ବିଦ୍ୟାଳୟରୁ ଓଡ଼ିଆ ଭାଷା ବିଲୋପ ଚକ୍ରାନ୍ତକୁ ଉତ୍ସାହିତ କରିଥିଲା କଟକ ଡିବେଟିଂ କ୍ଲବ୍, କଟକ ସୋସାଇଟି, ଡି.ପି.ଆଇ. ଅଟକିନ୍ସନ୍ ସାହେବଙ୍କ ମନ୍ତବ୍ୟ । ଅପ୍ରେଲ ୧୮୬୩ରେ ଶିକ୍ଷା ବିଭାଗର ତତ୍କାଳୀନ ଦକ୍ଷିଣ ପଶ୍ଚିମାଞ୍ଚଳ ଶିକ୍ଷା ବିଭାଗୀୟ ନିରୀକ୍ଷକ ମେଡ଼ଲକିଟ କହିଥିଲେ - “ସାହିତ୍ୟ ନ ଥିବା ଓଡ଼ିଆ ଏକ ଆଞ୍ଚଳିକ ଭାଷା, ତେଣୁ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ପରିବର୍ତ୍ତେ ବଙ୍ଗଳାକୁ ଦ୍ୱିତୀୟଭାଷା ଭାବରେ ଛାତ୍ରମାନେ ଗ୍ରହଣ କରିବା ଉଚିତ ।” ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ଅଟକିନ୍ସନ, ମାତ୍ର ତତ୍କାଳୀନ ଓଡ଼ିଶା ଆୟୁକ୍ତ ଆର୍.ଏନ୍. ସୋର ଏହି ତଥ୍ୟକୁ ବିରୋଧ କରି ବଙ୍ଗ ସରକାରଙ୍କୁ ଲେଖି ଜଣାଇଲେ - “ବଙ୍ଗଳା ପରି ଓଡ଼ିଆ ଏକ ସ୍ୱତନ୍ତ୍ର ଓ ସ୍ୱାଧୀନ ଭାଷା । ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଛାତ୍ରଙ୍କୁ ବଙ୍ଗଳା ଭାଷାରେ ପରୀକ୍ଷା ଦେବାକୁ ବାଧ୍ୟ କଲେ ଏମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟର ପଥ ସବୁଦିନପାଇଁ ବନ୍ଦ ହୋଇଯିବ ।”(ତା ୯.୬.୧୮୬୩ର ପତ୍ର) ଅପ୍ରେଲ ୧୮୬୪ରେ ଓଡ଼ିଶା ବିଦ୍ୟାଳୟ ସମୂହର ଉପ-ନିରୀକ୍ଷକ ଉମାଚରଣ ହାଲଦାର ୧୮୬୪-୬୫ ମସିହାର ଶିକ୍ଷା ସମ୍ପର୍କିତ ବାର୍ଷିକ ରିପୋର୍ଟରେ - “ଓଡ଼ିଶାରେ ଶିକ୍ଷାର ଉନ୍ନତି ଓ ଅଭିବୃଦ୍ଧିର ପ୍ରକୃତ ପ୍ରତିବନ୍ଧକ ହେଉଛି ସର୍ବତ୍ର ବଙ୍ଗଳା ଓ ଓଡ଼ିଆର ଏକତ୍ର ପ୍ରଚଳନ ଏବଂ ଅଧ୍ୟୟନ । ଓଡ଼ିଆରେ ବ୍ୟାକରଣ ତଥା ଅନ୍ୟାନ୍ୟ ପାଠ୍ୟପୁସ୍ତକର ଅଭାବ ଥିବାରୁ ବଙ୍ଗଳା ଭାଷାର ବ୍ୟବହାର ଅନିବାର୍ଯ୍ୟ ହୋଇପଡ଼ିଛି । ଏହି ଦ୍ୱିଭାଷିକ ଶିକ୍ଷାନୀତିର ପରିବର୍ତ୍ତନପାଇଁ ୧-ବଙ୍ଗଳା ଭାଷାକୁ ସରକାରୀଭାଷା ରୂପେ ସ୍ୱୀକାର କରି ସର୍ବତ୍ର ବଙ୍ଗଳାଭାଷା ଓ ପୁସ୍ତକ ପ୍ରଚଳନ କିମ୍ବା ବଙ୍ଗଳା ପୁସ୍ତକ ପ୍ରଚଳନକୁ ସମ୍ପୂର୍ଣ୍ଣ ପରିହାର କରାଯାଇ ଓଡ଼ିଆ ଭାଷାର ଅନୁଶୀଳନ ଓ ଅଭିବୃଦ୍ଧି ଉଦ୍ଦେଶ୍ୟରେ ସେହିଭାଷାର ଉପଯୁକ୍ତ ବ୍ୟାକରଣ, ଅଭିଧାନ ଓ ଅନ୍ୟାନ୍ୟ ପାଠ୍ୟପୁସ୍ତକ ରଚନା ଦିଗରେ ବିଶେଷ ଉପାୟ ଅବଲମ୍ବନ କରାଯାଉ” ଉଲ୍ଲେଖ କରି ତତ୍କାଳୀନ ନିରୀକ୍ଷକ ହାରିସନ ସାହେବଙ୍କ ନିକଟକୁ ପଠାଇଲେ । ରେଭେନ୍ସା ସାହେବ ତାଙ୍କର ସହକାରୀ ତଥା ଶିକ୍ଷା ବିଭାଗର ପୂର୍ବତନ କର୍ମଚାରୀ ଟେଲର ସାହେବ, କଟକ-ବାଲେଶ୍ୱର ସମୂହର ଉପ ବିଦ୍ୟାଳୟ-ନିରୀକ୍ଷକ ଉମାଚରଣ ହାଲଦାର ଓ ପୁରୀ-ଅନୁଗୁଳ ସମୂହର ଉପ ବିଦ୍ୟାଳୟ-ନିରୀକ୍ଷକ କୈଳାଶ ଚନ୍ଦ୍ର ତର୍କାଳଙ୍କାରଙ୍କ ସାହାଯ୍ୟରେ ୧୮୬୪-୬୫ର ଶିକ୍ଷା ସମ୍ପର୍କିତ ବାର୍ଷିକ ରିପୋର୍ଟକୁ ଭିତ୍ତି କରି ୧୨.୯.୧୮୬୫ରେ ଏକ ପତ୍ର ମାଧ୍ୟମରେ ଓଡ଼ିଆର ସ୍ୱାତନ୍ତ୍ର୍ୟ ଓ ଭାବ ପ୍ରକାଶ ଶକ୍ତି, ବିସ୍ତୃତ ଅଞ୍ଚଳରେ ଲୋକଙ୍କ ଦ୍ବାରା ଏହି ଭାଷାର ବ୍ୟବହାର, ଛାତ୍ରର ବିଦ୍ୟାଗ୍ରହଣ ଶକ୍ତି ଓ ପୁସ୍ତକ ପ୍ରକାଶନ ସମ୍ପର୍କରେ ସୂଚନା ଦେଇଥିଲେ । ଓଡ଼ିଶା କମିଶନରଙ୍କ ଏହି ପ୍ରସ୍ତାବ ଉପରେ ତତ୍କାଳୀନ ଦକ୍ଷିଣ-ପଶ୍ଚିମ ଡିଭିଜନର ବିଦ୍ୟାଳୟ ନିରୀକ୍ଷକ ଆର୍.ଏଲ୍. ମାର୍ଟିିନ ତା ୯.୮.୧୮୬୭ରେ ଲେଖିଥିଲେ - “ବର୍ତ୍ତମାନ ବଙ୍ଗଳା ଭାଷା ସହିତ ଓଡ଼ିଆକୁ ସମାନ କରିବାକୁ ହେଲେ ଈଶ୍ୱରଚନ୍ଦ୍ରଙ୍କ ପରି କୌଣସି ବ୍ୟକ୍ତିଙ୍କୁ ବର୍ତ୍ତମାନ ଠାରୁ ଆରମ୍ଭ କରି ୨୦ବର୍ଷ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ପଡ଼ିବ ।” ଏଥି ସହିତ ବଙ୍ଗଳା ଭଳି ଉନ୍ନତ ଭାଷାକୁ ପ୍ରତ୍ୟେକ ଓଡ଼ିଆ ଗ୍ରହଣ କରିନେବା ଉଚିତ୍ ଓ ଓଡ଼ିଆ ଭାଷା କେବଳ ନିମ୍ନ ଶ୍ରେଣୀର ସୀମା ଭିତରେ ରଖି ଅନ୍ୟ ମଧ୍ୟବିତ୍ତ ଓ ଉଚ୍ଚଶ୍ରେଣୀ ବଙ୍ଗଳା ଭାଷା ଗ୍ରହଣ କରିନେବା ଉଚିତ୍ ତଥା “ଯେଉଁ ଓଡ଼ିଆ ଛାତ୍ର ବଙ୍ଗଳା ଭାଷା ଜାଣି ନାହାଁନ୍ତି, ସେମାନଙ୍କୁ ଭର୍ଣ୍ଣାକୁଲାର ପରୀକ୍ଷା ଉତ୍ତୀର୍ଣ୍ଣ ବୃତ୍ତି ମିଳିବ ନାହିଁ ” ବୋଲି ମତ ଦେଇଥିଲେ ।

ଓଡ଼ିଆ ସପକ୍ଷରେ ସରକାରୀ ମତ

[ସମ୍ପାଦନା]

ତତ୍କାଳୀନ ବିଦ୍ୟାଳୟ ନିରୀକ୍ଷକ ମାଟିନସାହେବ ଓଡ଼ିଶାର ବିଦ୍ୟାଳୟ ପରିଦର୍ଶନରେ ଆସି ପ୍ରକୃତ ତଥ୍ୟ ଅନୁଭବ କଲା ପରେ ପୂର୍ବପତ୍ର (୯.୮.୧୮୬୭)ରେ ଦେଇଥିବା ମତକୁ ସଂଶୋଧନ କରି ୩୦.୩.୬୮ରେ ସେ ଆଉ ଏକ ପତ୍ର ଲେଖି ଓଡ଼ଆ ଭାଷାର ସ୍ୱାତନ୍ତ୍ର୍ୟ, ଏହି ଭାଷାଭାଷୀ ଅଞ୍ଚଳ ପରିସର, ଓଡ଼ିଆ ପ୍ରତି ସରକାରଙ୍କ ଅବହେଳା ବର୍ଣ୍ଣନା କରିବା ସହିତ ଓଡ଼ିଶାରେ ଶ୍ରେଣୀ ଅନୁଯାୟୀ ଓଡ଼ିଆ ପ୍ରଚଳନ କରିବାକୁ ପ୍ରସ୍ତାବ ସରକାରଙ୍କୁ ଦେଇଥିଲେ। ଏଥିରେ ସେ ସୂଚାଇଥିଲେ- “ଓଡ଼ିଶାର ଶିକ୍ଷାବିଭାଗ ଉତ୍ତର ଜିଲ୍ଲା ବଙ୍ଗ ପ୍ରଦେଶର, ଦକ୍ଷିଣରେ ଥିବା ଜିଲ୍ଲା ମାନ୍ଦ୍ରାଜ ପ୍ରଦେଶର ଓ ପଶ୍ଚିମରେ ଥିବା ଜିଲ୍ଲା ମଧ୍ୟପ୍ରଦେଶର ନିର୍ଦ୍ଦେଶକଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ଏହି କର୍ମଚାରୀମାନେ ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ସ୍କୁଲ ପ୍ରତି ଅଧିକ ଯତ୍ନବାନ ହୋଇଥାନ୍ତି । ଯାହା ଫଳରେ ଏହି ତିନୋଟି ଭାଷା ଉନ୍ନତ ହେବା ସହିତ ଓଡ଼ିଆର ଅବନତି ଘଟୁଛି । ତେଣୁ ଶିକ୍ଷା ଦୃଷ୍ଟିରୁ ଏମାନେ ଅନ୍ୟ ଭାଷା ଠାରୁ ନିମ୍ନରେ ରହିବାକୁ ବାଧ୍ୟ ହୁଅନ୍ତି । ଫଳସ୍ୱରୂପ ଓଡ଼ିଶାର ସମସ୍ତ ଚାକିରିବୃତ୍ତି ଏହି ଉଚ୍ଚଶିକ୍ଷିତ ଅଣଓଡ଼ିଆଙ୍କ ହସ୍ତଗତ ହୋଇଥାଏ।” ଓଡ଼ିଆ ଭଳି ସମୃଦ୍ଧଭାଷାକୁ ବିଦ୍ୟାଳୟ ଶିକ୍ଷାରେ ପ୍ରଚଳନ ତଥା ଓଡ଼ିଆ ପାଠ୍ୟପୁସ୍ତକ ଅଭାବର ତତ୍କାଳ ସମାଧାନ ପାଇଁ ବିଭିନ୍ନ ଶ୍ରେଣୀର ପୁସ୍ତକ ନିର୍ବାଚନ ସହିତ ଓଡ଼ିଆ ଅନୁବାଦ କରିବା ପ୍ରାଥମିକତା ଭିତ୍ତିରେ ଆବଶ୍ୟକ ହୋଇପଡ଼ିଛି। ଏହିପରି ଭାବରେ ପ୍ରାରମ୍ଭିକ ସମୟରେ ବଙ୍ଗଳାରେ ଅନୁବାଦ ମାଧ୍ୟମରେ ବଙ୍ଗଳା ଭାଷା ଓ ସାହିତ୍ୟ ଉନ୍ନତ ହୋଇଥିଲା । ତେଣୁ ସେହି ସୂତ୍ରରେ ଓଡ଼ିଆ ଓ ସାହିତ୍ୟ ମଧ୍ୟ ଉନ୍ନତ ହୋଇପାରିବ ବୋଲି ସେ ଆଶା କରିଥିଲେ। ଏହି ଆଲେଖ୍ୟରେ ସେ ସମୟର ଚାରି ପ୍ରକାରର ବିଦ୍ୟାଳୟ - (୧) ପୁରୀ ଓ ବାଲେଶ୍ୱର ଜିଲ୍ଲା ସ୍କୁଲ, (୨) ମଧ୍ୟ ଇଂରାଜୀ ଭର୍ଣ୍ଣାକୁଲାର ସ୍କୁଲ, (୩) ମଧ୍ୟ ଭର୍ଣ୍ଣାକୁଲାର ସ୍କୁଲ, (୪) ନିମ୍ନ ଶ୍ରେଣୀ ସ୍କୁଲପାଇଁ କିଭଳି ପାଠ୍ୟପୁସ୍ତକ ଆବଶ୍ୟକତା ଅଛି, ତାହାର ବିବରଣୀ ପ୍ରଦାନ କରିଥିଲେ । କଟକ ଜିଲ୍ଲାପାଳ ବାଉରିଂ ଓଡ଼ିଆ ପ୍ରଚଳନକୁ ଅସ୍ୱୀକାର କରି ବଙ୍ଗ ଭାଷା ପ୍ରଚଳନ ଉପରେ ଗୁରୁତ୍ୱ ଦେଇଥିବା ବେଳେ କଟକ କମିଶନର ମିଲ୍ସ ଓ ଗୋଲ୍ଡବେରୀ ଓଡ଼ିଆ ସପକ୍ଷରେ ମତ ଦେଇଥିଲେ । ଉତ୍କଳ ଦୀପିକା (୪.୧.୬୮) ମାଧ୍ୟମରେ ଓଡ଼ିଶାବାସୀ ମଧ୍ୟ ଦୃଢ଼଼ ପ୍ରତିବାଦ ଜଣାଇଥିଲେ। କିନ୍ତୁ ଜନସାଧାରଣଙ୍କ ଦ୍ୱାରା ବଙ୍ଗ ସରକାରଙ୍କୁ ଦିଆଯାଇଥିବା ଦରଖାସ୍ତରେ ଓଡ଼ିଆଭାଷୀ ଅଞ୍ଚଳ ପ୍ରତି ସରକାର ତଥା ବଙ୍ଗ ଭାଷୀ କର୍ମଚାରୀମାନଙ୍କର ଅବିଚାରର ତୀବ୍ର ପ୍ରତିବାଦ ଉଲ୍ଲେଖ କରାଯାଇ ନ ଥିଲା।

ଓଡ଼ିଶା କମିଶନରଙ୍କ ନିର୍ଦ୍ଦେଶନାମା

[ସମ୍ପାଦନା]

କମିଶନର ରେଭେନ୍ସା ୨୧-୧୧-୬୭ରେ ସରକାରଙ୍କୁ ଦେଇଥିବା ପତ୍ରରେ ଲେଖିଥିଲେ - “ଓଡ଼ିଶାରେ ବାସ କରୁଥିବା ବଙ୍ଗାଳୀମାନେ ଅସ୍ଥାୟୀ, ଏଠିକାର ବିଦ୍ୟାଳୟ ଶିକ୍ଷକ, ଉପ-ନିରୀକ୍ଷକ ଇତ୍ୟାଦି ହେଉଛନ୍ତି ବଙ୍ଗାଳୀ। ତେଣୁ ସ୍ୱାଭାବିକ ଭାବରେ ନିଜ ଭାଷା ପ୍ରଚଳନପାଇଁ ଏମାନେ ଆଗ୍ରହୀ ଅଛନ୍ତି । ଫଳରେ ଓଡ଼ିଆ ସମ୍ପୂର୍ଣ୍ଣ ରୂପେ ଅବହେଳିତ । ଓଡ଼ିଆମାନଙ୍କ ମଧ୍ୟରେ ଶିକ୍ଷା ବିସ୍ତାର କରିବା ଆମର ମୌଳିକ ଲକ୍ଷ୍ୟ, ତେବେ ବିକଳ୍ପ ବଙ୍ଗଳା ଭାଷାର ପ୍ରଚଳନ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ କ୍ଷତିକାରକ।” ଏହି ପତ୍ରରେ ସେ ବଙ୍ଗଳା ଭାଷାକୁ ‘Extra Language’ କହି ଏହାର ପରିସୀମାକୁ ଓଡ଼ିଶାରେ ସୀମିତ କରିବା ସହ କହିଥିଲେ - “ଓଡ଼ିଶାର ବିଦ୍ୟାଳୟରେ ଯେ କୌଣସି ଭାଷାର ଛାତ୍ର ଓଡ଼ିଆରେ ଶିକ୍ଷା ପାଇବେ। ବଙ୍ଗଳାଭାଷା ପଢ଼ିବାକୁ ଇଚ୍ଛା କଲେ ଏହାକୁ ଅତିରିକ୍ତ ଭାଷା ଭାବରେ ନେଇପାରନ୍ତି। ଓଡ଼ିଆ ବାଧ୍ୟତାମୂଳକ କରିବାର କାରଣ ହେଲା- ବଙ୍ଗଳା ଭାଷାରେ ବଙ୍ଗାଳୀମାନେ ପାସ୍ କରି ଚାକିରି ପାଉଥିବାବେଳେ ଓଡ଼ିଆମାନେ ଅକୃତକାର୍ଯ୍ୟ ହୋଇ ସରକାରୀ ନିଯୁକ୍ତିରୁ ଯେଉଁ ବଞ୍ଚିତ ହେଉଛନ୍ତି, ତାହା ଆଉ ଘଟିବ ନାହିଁ । ବରଂ ଓଡ଼ିଶା ମାଟିରେ ଓଡ଼ିଆଙ୍କୁ ପ୍ରଶାସନ କାର୍ଯ୍ୟରେ ନିୟୋଜିତ କରି ଶାସନ ପ୍ରଣାଳୀକୁ ଆହୁରି ସ୍ଥାୟୀ ଓ ସୁଦୃଢ଼଼ କରିପାରିବା।” ଶେଷରେ ସେ ଦୁଇଟି ପରାମର୍ଶ ଦେଇ ଲେଖିଥିଲେ -(୧) ଓଡ଼ିଆ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥା ଓ ନର୍ମାଲ ସ୍କୁଲ ଗୁରୁ (ଶିକ୍ଷକ) ତାଲିମ୍ ସ୍କୁଲ ସ୍ଥାପନ ତଥା ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ଶିକ୍ଷା ବିଭାଗର ନିରୀକ୍ଷକ ପଦବୀ ସୃଷ୍ଟି କରିବା ଆବଶ୍ୟକ । (୨) ପୁସ୍ତକ ରଚନା ଓ ଏହାର ପ୍ରକାଶନ ଉପରେ ଗୁରୁତ୍ୱ ଦେବା। ଏଥିପାଇଁ କୌଣସି ମନୋନୀତ ଅନୁବାଦ ପୁସ୍ତକକୁ ଅନୁବାଦକଙ୍କ ଠାରୁ ସ୍ୱତନ୍ତ୍ର କ୍ରୟ କରି ପୁସ୍ତକ ପ୍ରକାଶ କରିବା, କିମ୍ବା ଆର୍ଥିକ ସାହାଯ୍ୟ ପ୍ରଦାନ କରିବା। ପୁସ୍ତକ ନିର୍ବାଚନ ବେଳେ ଲେଖକଙ୍କୁ ନିର୍ଭର ପ୍ରତିଶ୍ରୁତି ଦିଆଯିବା ଆବଶ୍ୟକ ଯେ ତାଙ୍କ ପୁସ୍ତକଟି ନିଶ୍ଚିତ ପାଠ୍ୟପୁସ୍ତକ ଭାବେ ସ୍ଥାନିତ ହେବ ଓ ଏଥିରୁ ନିର୍ଦ୍ଦିଷ୍ଟ ସଂଖ୍ୟକ ପୁସ୍ତକ ସରକାର କିଣିବେ । ଉଚ୍ଚ କୋଟିର ପୁସ୍ତକକୁ ବୋନସ୍ ଦେଲେ ଲେଖକ ଏବଂ ପ୍ରକାଶକ ଉତ୍ସାହିତ ହୋଇ ପୁସ୍ତକ ରଚନା ଓ ପ୍ରକାଶ କରିବେ । ସମୟକ୍ରମେ ପୁସ୍ତକ ଚାହିଦା ଅଧିକ ତଥା ସୁନିଶ୍ଚିତ ହେଲେ ସରକାରୀ ସାହାଯ୍ୟ ବନ୍ଦ କରିିଦିଆଯିବ । ଏହି ପୁସ୍ତକ ଓଡ଼ିଶା ସହିତ ମାନ୍ଦ୍ରାଜ ଓ ମଧ୍ୟପ୍ରଦେଶ ଅଧୀନସ୍ଥ ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ଥିବା ବିଦ୍ୟାଳୟମାନଙ୍କରେ ମଧ୍ୟ ପ୍ରଚଳନ ହେବ ।[୧୬]

୧୯୦୩ - ୧୯୨୦

[ସମ୍ପାଦନା]

ଅକ୍ଟୋବର ୧୯୦୧ରେ ଆଣ୍ଡ୍ୟୁ ଫ୍ରେଜର ମତାମତ ଦେବାପରେ ବଡ଼ଲାଟ ଲର୍ଡ କର୍ଜନଙ୍କ ଆଦେଶାନୁସାରେ ୧ ଜାନୁଆରୀ ୧୯୦୩ରୁ ଓଡ଼ିଆ ସମ୍ବଲପୁରରେ ଲାଗୁ ହେବା ସହ ୫୦ଟି ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷା ପ୍ରଚଳନ ହେଲା । ଭାଷା ଆନ୍ଦୋଳନରେ ସଫଳ ହେବାପରେ ସମ୍ବଲପୁରକୁ ଓଡ଼ିଆ ଭୂଖଣ୍ଡରେ ମିଶାଇବାପାଇଁ ଶକ୍ତି ମିଳିଗଲା । ଏହି ଆନ୍ଦୋଳନ ଯୋଗୁଁ ବୁଦ୍ଧିଜୀବୀ ସ୍ତରରେ ଏକତା ଆସିଲା । ଫଳସ୍ୱରୂପ, ୧୮୯୬ ମସିହାରେ କଟକର ମଧୁସୂଦନ ଦାସଙ୍କୁ ବଙ୍ଗ ଲାଟ୍‍ସଭା ପ୍ରାର୍ଥୀ କରାଯିବ ବୋଲି ସମ୍ବଲପୁରରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଗଲା।[୧୭] ଓଡ଼ିଶା ସ୍ତରରେ ଏହି ଏକତା ଜାତୀୟତାର ଉନ୍ମେଷରେ ଖୁବ୍‍ ସହାୟକ ସିଦ୍ଧ ହେଲା । ଏହି ସମୟବେଳକୁ ଛୋଟଲାଟ ହୋଇଥିବା ଫ୍ରେଜର ସମ୍ବଲପୁରବାସୀଙ୍କଦ୍ୱାରା ତା ୮ ଜାନୁଆରୀ ୧୯୦୪ ରିଖ ସକାଳ ଆଠଟାରେ ସମ୍ବଲପୁର ଜିଲ୍ଲାସ୍କୁଲରେ ଅନୁଷ୍ଠିତ ବୈଠକରେ ଦତ୍ତ ପ୍ରସ୍ତାବକୁ ଗୃହୀତ କରିନେଲେ। କିନ୍ତୁ ବିସ୍ମୟର କଥା ବଙ୍ଗଳାର ରାଜ୍ୟପାଳ ଭାବେ ବଦଳି ହୋଇ ଆସିଥିବା ଫ୍ରେଜର ଯଦିଓ ସମ୍ବଲପୁର ମିଶ୍ରଣକୁ ଗ୍ରହଣ କରିଥିଲେ, ମାତ୍ର ଗଞ୍ଜାମ ମିଶ୍ରଣକୁ ସମ୍ପୂର୍ଣ୍ଣ ବିରୋଧ କରିଥିଲେ। ପୂର୍ବରୁ ଏହି ମିଶଣ୍ରକୁ ବିରୋଧ କରୁଥିବା ମାନ୍ଦ୍ରାଜ ରାଜ୍ୟପାଳ ଆମ୍ପଥିଲ୍ ଏହି ସମୟରେ କର୍ଜ୍ଜନଙ୍କ ଅନୁପସ୍ଥିତିରେ କାର୍ଯ୍ୟନିର୍ବାହୀ ବଡ଼ଲାଟ ଭାବେ ନିଯୁକ୍ତ ପାଇବାରୁ ଉଭୟ ମିଶି ଗଞ୍ଜାମ ସମେତ ମାନ୍ଦ୍ରାଜ ଅଧିନସ୍ଥ ସମସ୍ତ ଓଡ଼ିଆ ଅଞ୍ଚଳ ଓଡ଼ିଶାରେ ମିଶ୍ରଣ ପ୍ରସ୍ତାବକୁ ତୀବ୍ର ବିରୋଧ କଲେ । ଫଳରେ ପରବର୍ତ୍ତୀ କାଳରେ ଲର୍ଡ କର୍ଜ୍ଜନଙ୍କଦ୍ୱାରା ପ୍ରସ୍ତୁତ ରିସ୍‌ଲେ ଆଦେଶନାମା ଅନୁସାରେ ସମ୍ପୂର୍ଣ୍ଣ ଓଡ଼ିଆ ଅଞ୍ଚଳ ଏକତ୍ରିକରଣ କାର୍ଯ୍ୟ ସଫଳ ହୋଇପାରିଲା ନାହିଁ । ତେବେ ବଙ୍ଗ ଭଙ୍ଗବେଳେ କିଛି ଅଂଶକୁ ନେଇ ଓଡ଼ିଶା ଏକାଠି ହେବା ଥିଲା ଓଡ଼ିଆ ଜାତିପାଇଁ ଏକ କୌତୁହଳପୂର୍ଣ୍ଣ ଅବିସ୍ମରଣୀୟ ଘଟଣା । ସେ ଯାହାହେଉ, ଚତୁର ରାଜନୈତିକ ଗୋଟିଚାଳନା ଦ୍ୱାରା ବ୍ୟବସାୟୀ ଇଂରେଜ ପ୍ରଶାସକ, ଶକ୍ତିଶାଳୀ ଓଡ଼ିଆଜାତିକୁ ତିନି ଭାଗରେ ବିଭକ୍ତ କରି ପଡ଼ୋଶୀ ତେଲୁଗୁ, ବଙ୍ଗାଳୀ ଓ ହିନ୍ଦୀଭାଷୀଙ୍କ ଦ୍ୱାରା ଧନ, ଧର୍ମ ଓ ଭାଷା ଧ୍ୱଂସ କରିବାର ଛଦ୍ମ ପ୍ରଚେଷ୍ଟା ମଧ୍ୟରେ ନିଜକୁ ଓଡ଼ିଆ ଜାତିର ହିତାକାଂକ୍ଷୀ ଭାବେ ବିଶ୍ୱସନୀୟ ପରିଚୟଟିଏ ସ୍ଥାପନ କରିବାରେ ବହୁ ବିଳମ୍ବରେ ସଫଳ ହେଲେ । ଯଦିଓ ଇଂରେଜଶାସକର ଏହି କୌଶଳକୁ ତ‌ତ୍କାଳୀନ ଓଡ଼ିଆ ବୁଦ୍ଧିଜୀବୀ ବୁଝିପାରି ନଥିଲେ, ତଥାପି ସର୍ବସ୍ୱ ହରାଇ କେବଳ ସ୍ୱାଭିମାନକୁ ଜାବୁଡ଼ି ଧରିଥିବା ଏହି ଜାତିକୁ ପୁଣିଥରେ ଏକାଠି କରିବାର ସୂତ୍ର ଏହି ଭାଷା ଆନ୍ଦୋଳନ‌ ଦ୍ୱାରା ମିଳିଗଲା; ଯାହା ସମଗ୍ର ଭାରତବର୍ଷର ଅନ୍ୟ ଭାଷାଭାଷୀମାନଙ୍କପାଇଁ ଈର୍ଷାର କାରଣ ପାଲଟି ଯାଇଥିଲା। ଏହି ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନର ମଞ୍ଜ ପଡିଥିଲା ମାନ୍ଦ୍ରାଜ ଅଧୀନସ୍ଥ ରମ୍ଭାଠାରେ ଅନୁଷ୍ଠିତ ଓଡ଼ିଶା ଏକତ୍ରୀକରଣ ମୂଳ ମନ୍ତ୍ର ଗଞ୍ଜାମ ସମ୍ମିଳନୀରେ। ଏହା ହିଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଉତ୍କଳ ସମ୍ମିଳନୀ ଗଠନପାଇଁ ପ୍ରେରଣା ମିଳିଥିଲା।

ଉତ୍କଳ ସମ୍ମିଳନୀ ଗଠନ

[ସମ୍ପାଦନା]

୨୮-୩୦ ଡିସେମ୍ବର ୧୯୦୩ ମସିହାରେ ମାନ୍ଦ୍ରାଜଠାରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସର ୧୯ଶତମ ବାର୍ଷିକ ଅଧିବେଶନରେ ଏହାକୁ ବିରୋଧ କରି ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା, ସେଥିରେ ସଦସ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ବିଭେଦ ସୃଷ୍ଟି ହୋଇଯାଇଥିଲା । ଏହି ଅଧିବେଶନରେ ଗଞ୍ଜାମବିଶାଖପାଟଣା ଅଞ୍ଚଳ ଓଡ଼ିଶାରେ ମିଶିବାକୁ ନେଇ ବ୍ରହ୍ମପୁରର ଜି. ରଙ୍ଗାରାଓ ମାନ୍ଦ୍ରାଜ ପ୍ରଦେଶରୁ କୌଣସି ଅଂଶ ବିଚ୍ଛିନ୍ନ କରା ନ ଯାଉ ବୋଲି ବଙ୍ଗ ଭଙ୍ଗ ବିରୁଦ୍ଧରେ ଆସିଥିବା ପ୍ରସ୍ତାବରେ ଯୋଡ଼ିବାକୁ ଏକ ସଂଶୋଧନ ପ୍ରସ୍ତାବ ଆଣିଥିଲେ। ଏହି ସଂଶୋଧନ ପ୍ରସ୍ତାବକୁ ମାନ୍ଦ୍ରାଜ ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ମାଇଲାପୁରର ପ୍ରତିନିଧି ତାମିଲଭାଷୀ ଭି. କୃଷ୍ଣସ୍ୱାମୀ ଆୟାର କହିଥିଲେ ଯେ – ଏହି ବିବାଦୀୟ ବିଷୟ ଉପରେ ଜାତୀୟ କଂଗ୍ରେସ କୌଣସି ପ୍ରସ୍ତାବ ଗ୍ରହଣ ନ କରୁ । ଓଡ଼ିଆମାନଙ୍କ ପରି ତେଲୁଗୁମାନେ ମଧ୍ୟ ନିଜ ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ ଭାରତ ସରକାରଙ୍କୁ ନିବେଦନ କରିବା ଉଚିତ।[୧୮] ଠିକ୍ ଏହି ସମୟରେ ଅର୍ଥାତ୍ ୩୦-୩୧ ଡିସେମ୍ବର ୧୯୦୩ରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କଟକର ଇଦିଗା ପଡ଼ିଆରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀପାଇଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ, ବିଭିନ୍ନ ପ୍ରସ୍ତାବ, ସରକାରଙ୍କ ଅନୁମତି ଏବଂ ସୁପରିଚାଳନାପାଇଁ ୧୫/୧୦/୦୩ଠାରୁ ୨୪/୧୨/୧୯୦୩ ତାରିଖ ପର୍ଯ୍ୟନ୍ତ ଆଠଟି ସ୍ୱତନ୍ତ୍ର ବୈଠକ କଟକର କନିକା ରାଜବାଟିରେ କରାଯାଇଥିଲା । ଏହି ଅଧିବେଶନରେ ଗୃହୀତ ୧୧ଟି ପ୍ରସ୍ତାବ ମଧ୍ୟରୁ ପ୍ରମୁଖ ୭ଟି ପ୍ରସ୍ତାବ ହେଲା –

୧. ଉତ୍କଳଭାଷୀ ଅଞ୍ଚଳମାନଙ୍କୁ ଏକ ଶାସନାଧୀନରେ ରଖିବାଯୋଗୁଁ ବଡ଼ଲାଟଙ୍କୁ ଧନ୍ୟବାଦ । ୨. ସମ୍ବଲପୁରରେ ଓଡ଼ିଆ ପୁନଃ ପ୍ରଚଳନ କରାଇବା ଯୋଗୁଁ ଛୋଟଲାଟଙ୍କୁ ଧନ୍ୟବାଦ । ୩. ଅନ୍ୟାନ୍ୟ ଜାତିମାନଙ୍କ ସଙ୍ଗେ ଉତ୍କଳୀୟମାନଙ୍କର ଭାତୃଭାବ ସମ୍ବର୍ଦ୍ଧନ । ୪. ଆବଶ୍ୟକୀୟ ସାମାଜିକ ସଂସ୍କାର ନିମନ୍ତେ ସ୍ଥାୟୀ କମିଟି ଗଠନ । ୫. ଓଡ଼ିଆ ସାହିତ୍ୟର ଉନ୍ନତି ନିମନ୍ତେ କମିଟି ଗଠନ । ୬. ଦେଶୀୟ ଶିଳ୍ପର ଉନ୍ନତି ଏବଂ ବାର୍ଷିକ ପ୍ରଦର୍ଶନୀର ବ୍ୟବସ୍ଥା । ୭. ବାଳକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସୁଚାଳିତ ଉପାୟ ନିର୍ଦ୍ଧାରଣ ।

ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ

[ସମ୍ପାଦନା]

ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ଓଡ଼ିଆ ଅଞ୍ଚଳରେ ଓଡ଼ିଆ ପ୍ରଚଳନ ପରେ ଓଡ଼ିଶା ଏକତ୍ର କରାଯାଇ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯିବା ପଥ ପରିଷ୍କାର ହୋଇ ଆସୁଥିଲା। ତେବେ ଏହା ମିଳିବା ପୂର୍ବରୁ ଶିକ୍ଷା ଓ ଅର୍ଥନୀତିରେ ଦୁର୍ବଳ ଓଡ଼ିଶାବାସୀଙ୍କ ସାମଗ୍ରିକ ବିକାଶପାଇଁ ଏକ ନିର୍ଦ୍ଦିଷ୍ଟ ଫୋରମ ମାଧ୍ୟମରେ ଗଠନମୂଳକ କାର୍ଯ୍ୟ କରିବା ଏହାର ଲକ୍ଷ୍ୟ ଥିଲା। ଯଦି ରାଜ୍ୟ ନ ହୁଏ, ତେବେ ବିଭିନ୍ନ କାର୍ଯ୍ୟକ୍ରମ ଭିତରେ ଓଡ଼ିଆ ଜାତୀୟ ଚେତନା ଉନ୍ମେଷ ଘଟାଇ କଂଗ୍ରେସ ଭଳି ଏକ ଆନ୍ଦୋଳନାତ୍ମକ ଅନୁଷ୍ଠାନ ଗଢ଼ି ତୋଳିବା ପାଇଁ ଏଭଳି ଜାତୀୟ ସମ୍ମିଳନୀର ଆବଶ୍ୟକତା ମଧୁବାବୁ ଏବଂ ଗୌରୀଶଙ୍କର ଅନୁଭବ କଲେ । ଡିସେମ୍ବର ୩ ତାରିଖରେ ରିସଲେ ନିର୍ଦ୍ଦେଶନାମା ପ୍ରକାଶିତ ହେବା ପରେ ଡିସେମ୍ବର ୨୦ ତାରିଖରେ ସମ୍ମିଳନୀର ପ୍ରସ୍ତାବ ହିଁ ସୂଚିତ କରାଏ ଉତ୍କଳ ସମ୍ମିଳନୀ ସୃଷ୍ଟି ପଛରେ ଓଡ଼ିଶା ଏକତ୍ରୀକରଣ ପାଇଁ ସରକାରଙ୍କ ଠାରେ ଚାପ ସୃଷ୍ଟି କରିବା ବଦଳରେ ଓଡ଼ିଆଙ୍କ ଠାରେ ଜାତୀୟ ଚେତନା ଜାଗରଣ ପୂର୍ବକ ଭ୍ରାତୃଭାବ ବିକଶିତ କରିବା ଓ ଓଡ଼ିଶାର ସର୍ବାଙ୍ଗୀନ ବିକାଶପାଇଁ କିଛି ଚିନ୍ତାନାୟକ ତିଆରି କରିବା ସହିତ ଓଡ଼ିଆ ଯୁବପ୍ରାଣଙ୍କ ମଧ୍ୟରେ ଓଡ଼ିଆତ୍ୱର ନବୋନ୍ମାଦନା ସୃଷ୍ଟି କରି ଜାତୀୟ ଜୀବନକୁ ଅତୀତ ଭଳି ଶକ୍ତିଶାଳି କରି ଗଢ଼ି ତୋଳିବା ଏକ ପ୍ରମୁଖ କାରଣ ଥିଲା । ଉକ୍ତ ସମ୍ମିଳନୀରେ ସରକାରୀ କର୍ମଚାରୀ ଯୋଗ ନ ଦେବାକୁ ସରକାର ନିର୍ଦ୍ଦେଶ ଦେବା ପରେ କେତେକ ଜାତିପ୍ରେମୀ ସରକାରୀ ଚାକିରିରୁ ଇସ୍ତଫା ଦେବାରୁ ୨୪ ତାରିଖ ଦିନ ହୋଇଥିବା ପ୍ରସ୍ତୁତି ବୈଠକ ନିଷ୍ପତ୍ତି ଅନୁସାରେ କାର୍ଯ୍ୟନିର୍ବାହୀ ସମିତିର ସମ୍ପାଦକ ମଧୁବାବୁ ବଙ୍ଗ ସରକାରଙ୍କୁ ସମ୍ମିଳନୀର ଉଦ୍ଦେଶ୍ୟ ଓ ଉପସ୍ଥାପନ ହେବାକୁ ଯାଉଥିବା ପ୍ରସ୍ତାବ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ ପୂର୍ବକ ସୂଚନା ଦେଇ ଉଲ୍ଲେଖ କରିଥିଲେ ଯେ – ରାଜନୈତିକ କଂଗ୍ରେସ ସଂଲଗ୍ନ ପ୍ରଦର୍ଶନୀକୁ ମାନ୍ଦ୍ରାଜ ସରକାର ସାହାଯ୍ୟ କରୁଅଛନ୍ତି । ଯେଉଁ ସମ୍ମିଳନୀ ସଙ୍ଗେ ରାଜନୀତିର ସମ୍ପର୍କ ନାହିଁ, ସେ ସମ୍ମିଳନୀରେ ବମ୍ବେ ଉଚ୍ଚ ନ୍ୟାୟାଳୟର ବିଚାରପତି ଏବଂ ସରକାରଙ୍କ ସଚିବ ସଭାପତି ହୋଇଅଛନ୍ତି । ଓଡ଼ିଆମାନେ ସରକାରଙ୍କ ନିକଟରେ ଅବିଶ୍ୱାସଜନକ ଏପରି କିଛି କାର୍ଯ୍ୟ କରି ନାହାଁନ୍ତି କି ଯହିଁରେ ସରକାରଙ୍କର ଓଡ଼ିଆଙ୍କ ପ୍ରତି ବିଶ୍ୱାସ ଉଠି ଯାଇଛି । (ଉତ୍କଳସମ୍ମିଳନୀ ପ୍ରଥମ ଅଧିବେଶନର ବିବରଣୀ ପୁସ୍ତିକା)।

ଉତ୍କଳ ସମ୍ମିଳନୀର ପ୍ରତ୍ୟକ୍ଷ ଆନ୍ଦୋଳନ

[ସମ୍ପାଦନା]

ପ୍ରାଥମିକ ଅବସ୍ଥାରେ ଉତ୍କଳ ସମ୍ମିଳନୀର ଲକ୍ଷ୍ୟ ଇଂରେଜ ସରକାରଙ୍କୁ ବିରୋଧ ନ କରି ସେମାନଙ୍କ ସଦିଚ୍ଛାରେ ଗଠନମୂଳକ ଓଡ଼ିଶା ନିର୍ମାଣ। ମାତ୍ର ଓଡ଼ିଆଙ୍କ ଦାବିକୁ ଉପେକ୍ଷା କରି ମେଦିନାପୁର ବ୍ୟତୀତ ବଙ୍ଗ ଅଧୀନସ୍ଥ ଓଡ଼ିଆ ଓ ବିହାର ଅଞ୍ଚଳକୁ ନେଇ ୧ ଅପ୍ରେଲ୍ ୧୯୧୨ ମସିହାରେ ବିହାର-ଓଡ଼ିଶା ରାଜ୍ୟ ଗଠନ କରାଗଲା। ଏହି ନିଷ୍ପତ୍ତି ଦ୍ୱାରା ପ୍ରଥମେ ଗଞ୍ଜାମ, ଫୁଲଝର, ଚନ୍ଦ୍ରପୁର, ପଦ୍ମପୁର ଓ ବର୍ତ୍ତମାନ ମେଦିନାପୁର ମୂଳ ଓଡ଼ିଆ ଭୂଖଣ୍ଡଠାରୁ ବିଚ୍ଛିନ୍ନ ହୋଇ ରହିଗଲା। ବିହାର-ଓଡ଼ିଶା ରାଜ୍ୟ ଗଠନ ସମ୍ପର୍କିତ ହାର୍ଡିଞ୍ଜ ଡେସପାଚ୍ ଅନୁମୋଦନପାଇଁ ବ୍ରିଟିଶ ସଂସଦର ଉଚ୍ଚସଦନରେ ବିତର୍କ ଚାଲିଥିବାବେଳେ ଓଡ଼ିଆମାନଙ୍କ ଅସ୍ତିତ୍ବକୁ ଭଲ ଭାବେ ଚିହ୍ନିଥିବା ଲର୍ଡ କର୍ଜନ ଏହାର ବିରୋଧ କରି କହିଥିଲେ – "ଭାଷା, ଚଳଣି କୌଣସିରେ ସମ୍ବନ୍ଧ ନ ଥିବା ଦୁଇଜାତିକୁ ଏକାଠି ରଖିବା ଠିକ୍ ନୁହେଁ । ଉଭୟ ପ୍ରଦେଶ ପର୍ବତ ଓ ନଦୀଦ୍ୱାରା ପରସ୍ପର ଅଲଗାହୋଇ ରହିଛି । ଆମେ ଏପର୍ଯ୍ୟନ୍ତ ଏ ବ୍ୟବଧାନ ଦୂର କରିବାପାଇଁ ରେଳରାସ୍ତାଟିଏ ମଧ୍ୟ ତିଆରି କରିପାରୁ ନାହୁଁ । ମୁଁ ଭବିଷ୍ୟତବାଣୀ କରିପାରେ ଯେ, ଏ ଭୁଲ କଦାପି ଦୀର୍ଘକାଳ ରହିବ ନାହିଁ । ଓଡ଼ିଆମାନେ ତୀବ୍ର ଆନ୍ଦୋଳନ ନ କରିବା ହେତୁ ଆଜି ତାଙ୍କର ସ୍ୱାର୍ଥକୁ ବଳି ଦିଆଗଲା।"[୧୯] ଇଂରେଜ ପ୍ରଶାସନର ସ୍ତାବକ ଭାବରେ ଦୀର୍ଘ ଆଠବର୍ଷ କାଳ ଉତ୍କଳ ସମ୍ମିଳନୀ ଅପେକ୍ଷା କଲାପରେ ଉପଯୁକ୍ତ ନ୍ୟାୟ ନ ପାଇବାରୁ ଏହି ସ୍ୱତନ୍ତ୍ର ଅଧିବେଶନ ହିଁ ଓଡ଼ିଆ ନବଜାଗରଣର ପ୍ରଥମ ଶଙ୍ଖନାଦ କରିଥିଲା । ଏହାପରଠାରୁ ଉତ୍କଳ ସମ୍ମିଳନୀ ରଚନାତ୍ମକ କାର୍ଯ୍ୟଧାରାରୁ ଧିରେଧିରେ ମୁକ୍ତ ହୋଇ ଜାତୀୟତାବାଦୀ ଆନ୍ଦୋଳନ ଭାବଧାରାକୁ ଗ୍ରହଣ କରିନେବା ଫଳରେ ଓଡ଼ିଆ-ଯୁବମାନସରେ ଯେଉଁ ପ୍ରତିକ୍ରିୟା ଦେଖାଦେଇଥିଲା, ତାହା ହିଁ ସତ୍ୟବାଦୀ ପଞ୍ଚସଖା ସୃଜନର ମାର୍ଗ ଫିଟାଇଥିଲା ।

ସତ୍ୟବାଦୀ ବନ ବିଦ୍ୟାଳୟ

[ସମ୍ପାଦନା]

ସତ୍ୟବାଦୀ ବନ ବିଦ୍ୟାଳୟ ଭାରତର ପ୍ରଥମ ମୁକ୍ତ ବିଦ୍ୟାଳୟ । ଏହି ଶିକ୍ଷାନୁଷ୍ଠାନଟି ୧୯୧୧ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର, ପଣ୍ଡିତ ଲିଙ୍ଗରାଜ ମିଶ୍ର, ଶ୍ରୀଯୁକ୍ତ ନନ୍ଦକିଶୋର ଦାସଙ୍କ ମିଳିତ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ହୋଇଥିଲା। ସେ ସମୟରେ ଓଡ଼ିଶାର ଜଣାଶୁଣା ପଣ୍ଡିତ ଜ୍ଞାନୀ ଦେଶଭକ୍ତମାନେ ଏହି ବିଦ୍ୟାଳୟର ଶିକ୍ଷକ ଥିଲେ। ମୁକ୍ତାକାଶ ତଳେ ଶିକ୍ଷା ପ୍ରଦାନ କରି ଓଡ଼ିଆଜାତିର ଉପଯୁକ୍ତ ଉତ୍ତରଦାୟାଦ ତିଆରି କରିବା ଥିଲା ଏହାର ମୂଳ ଲକ୍ଷ୍ୟ। ଏହି ଲକ୍ଷ୍ୟ ଯଦିଓ ସମ୍ପୂର୍ଣ୍ଣ ସଫଳ ହୋଇପାରି ନ ଥିଲା, ମାତ୍ର ତତ୍କାଳୀନ ଯୁବପ୍ରାଣରେ ଭାଷା ଓ ଜାତିପ୍ରୀତିର ମନ୍ତ୍ର ଫୁଙ୍କିବାରେ ଏହା ସଫଳ ହୋଇଥିଲା।

୧୯୨୦ - ୧୯୩୬

[ସମ୍ପାଦନା]

ମଧୁସୂଦନ ଦାସ ଓ କନିକା ରାଜା ମଣ୍ଟେଗୁ ଚେମସଫୋର୍ଡ କମିଟିକୁ ପ୍ରଦାନ କରିଥିବା ଉତ୍କଳ ସମ୍ମିଳନୀର ୧୨ଶ ଅଧିବେଶନରେ ପ୍ରସ୍ତୁତ ଓଡ଼ିଶା ରାଜ୍ୟଗଠନ ରିପୋର୍ଟ ପ୍ରତ୍ୟାଖ୍ୟାତ ହେଲା। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନେତୃତ୍ୱରେ ବ୍ୟାପକ ଜନଆନ୍ଦୋଳନ ହେବା ଫଳରେ ସିଂହଭୂମି ଡେପୁଟି କମିଶନର ଛୋଟନାଗପୁର ଡେପୁଟି କମିଶନରଙ୍କୁ ଚିଠିଲେଖି ଜଣାଇଲେ ଯେ ପୋଡ଼ାହାଟ, ଧଳଭୂମି ହେଉଛି ଓଡ଼ିଆ ଅଞ୍ଚଳ। ଏଠି ବଙ୍ଗଳାଭାଷା ପଢ଼ାଇବା ଏକଛତ୍ରବାଦର ନିଦର୍ଶନ। ଏଇ ଦୁଇ ସ୍ଥାନରେ ଓଡ଼ିଆ ଟ୍ରେନିଂ ସ୍କୁଲ ସ୍ଥାପନ ତଥା କୋର୍ଟ କଚେରିରେ ଓଡ଼ିଆ ଭାଷା ଚଳାଇବା ଉଚିତ। ଛୋଟନାଗପୁର ଡିଭିଜନ କମିଶନର ମି.ବି. ଫୋଲେ ମାର୍ଚ୍ଚ ୧୯୧୯ରେ ସରକାରଙ୍କୁ ଜଣାଇଲେ ଯେ – ଧଳଭୂମିର ପଶ୍ଚିମଭାଗ କୋହ୍ଲାଣ, ଷଢେ଼ଇକଳା, ଖରସୁଆଁ, ସିଂହଭୂମି ଓଡ଼ିଆ ଅଞ୍ଚଳ ଓଡ଼ିଶା ସହିତ ମିଶିଯିବା ଉଚିତ। ୧୯୦୩ରେ ଆରମ୍ଭ ହୋଇଥିବା ଜାତୀୟତାବାଦୀ ଆନ୍ଦୋଳନ ଧୀରେଧୀରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚୁଥିଲା। ଏହି ସମୟର ଶିକ୍ଷିତ ଯୁବସମାଜ ନେତୃତ୍ୱ ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇବାରେ ଲାଗିଲା।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି

[ସମ୍ପାଦନା]

ସିଂହଭୂମି ଜିଲ୍ଲାର ଚକ୍ରଧରପୁରଠାରେ ଜଗବନ୍ଧୁ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ୧୬ତମ ଅଧିବେଶନ (ଡିସେମ୍ବର ୧୯୨୦)ରେ ପଣ୍ଡିତ ଗୋପବନ୍ଧୁ ସମ୍ମିଳନୀର ଲକ୍ଷ୍ୟ ଦେଶମିଶ୍ରଣ ନ ରହି ସ୍ୱରାଜ୍ୟପ୍ରାପ୍ତି ହେଉ ବୋଲି ପ୍ରସ୍ତାବ ଦେଲେ। ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ଏହି ପ୍ରସ୍ତାବକୁ ସମର୍ଥନ କରିବାପରେ ଏହା ଗୃହୀତ ହୋଇଥିଲା। ଗୋପବନ୍ଧୁଙ୍କ ଉଦ୍ଦେଶ୍ୟ ଥିଲା ଉତ୍କଳସମ୍ମିଳନୀ କଂଗ୍ରେସ ଆଭିମୁଖ୍ୟକୁ ଗ୍ରହଣ କରିନେଲେ ପ୍ରଦେଶ କଂଗ୍ରେସ କମିଟି ଗଠନ କରିବା ସହଜ ହୋଇଯିବ। ଅର୍ଥାତ୍ ପରୋକ୍ଷରେ ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନପାଇଁ କଂଗ୍ରେସର ସମର୍ଥନ ମିଳିଯିବ । ମାତ୍ର ଭାଷା ଓ ଜାତି ଆନ୍ଦୋଳନକୁ ଗୁରୁତ୍ୱ ଦେଉଥିବା ବହୁ ସଦସ୍ୟ ଏହାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ସନ୍ଦେହ କରି ଦୂରେଇ ଯିବା ଫଳରେ "ଉତ୍କଳ ସମ୍ମିଳନୀ' ମୌଳିକ ଲକ୍ଷ୍ୟଠାରୁ ଧୀରେଧୀରେ ଦୂରେଇଗଲା। ଅନ୍ୟପକ୍ଷରେ ସିଂହଭୂମି ଜିଲ୍ଲା କଂଗ୍ରେସ କମିଟି ନବଗଠିତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କିମ୍ବା ବିହାର କଂଗ୍ରେସ କମିଟି ଭୁକ୍ତ ହେବ, ଏ ସମ୍ପର୍କରେ ଏକ ତଦନ୍ତ କମିଟି ଗଠିତ ହେଲା। ଏହାର ସଦସ୍ୟ ରହିଲେ ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ (ଓଡ଼ିଶା), ଦୀପ ନାରାୟଣ ଏବଂ ମୌଲବୀ ସାଫୀ (ବିହାର)। ସିଂହଭୂମି ଜିଲ୍ଲାର ୪ ଅଣିଆ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ ଭୋଟ ନିଆଗଲା ଓଡ଼ିଶା ସପକ୍ଷରେ ୧୬ ଅଣାରୁ ୧୪ଅଣା ବିହାରପକ୍ଷରେ ଦେଢ଼ଅଣା ଏବଂ ଅଧାଅଣା ଉଦାସୀନ ଭାବରେ ମତ ପ୍ରଦାନ କଲେ। ଏହି ନିଷ୍ପତ୍ତି ଓଡ଼ିଆ ପକ୍ଷରେ ପୂର୍ଣ୍ଣରୂପେ ଯାଇଥିବାରୁ ସିଂହଭୂମି ଜିଲ୍ଲା କଂଗ୍ରେସ କମିଟି ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ସହିତ ସଂଯୁକ୍ତ ହେବାପାଇଁ ସିଂହଭୂମିଠାରେ ଅନୁଷ୍ଠିତ କଂଗ୍ରେସ ସଭାରେ ରାଜେନ୍ଦ୍ର ପ୍ରସାଦ ସ୍ୱୀକୃତ ଦେଲେ।

ଜାତୀୟ କଂଗ୍ରେସର ଆଭିମୁଖ୍ୟ

[ସମ୍ପାଦନା]

ନବଗଠିତ ଉତ୍କଳ ପ୍ରଦେଶକଂଗ୍ରେସ କମିଟି ଓ ଆନ୍ଧ୍ର କଂଗ୍ରେସ କମିଟି ଗଞ୍ଜାମ ଜିଲ୍ଲାରେ ନିଜର ସୀମା ନିର୍ଦ୍ଧାରଣ କରିବାକୁ ନେଇ ବିବାଦ ଭୟଙ୍କର ହୋଇଗଲା। ଫଳରେ ମହାତ୍ମାଗାନ୍ଧୀ ୧୯୨୧ରେ ଗଞ୍ଜାମ ଭ୍ରମଣରେ ଆସି ବ୍ରହ୍ମପୁରଠାରେ ଉଭୟ କମିଟିର କର୍ମକର୍ତ୍ତାଙ୍କ ଦାବି ଶୁଣି ଏହି ଅବସରରେ ହୋଇଥିବା ଏକ ବିରାଟ ସଭାରେ କହିଥିଲେ – କାଲି ସୂର୍ଯ୍ୟୋଦୟ ପୂର୍ବରୁ ଓଡ଼ିଆ ଓ ତେଲେଙ୍ଗା ଗଣ୍ଡଗୋଳର ସମାଧାନ ହେବା ଉଚିତ। ସବଳ ଆନ୍ଧ୍ରମାନେ ଦୁର୍ବଳ ଓଡ଼ିଆଙ୍କ ଦାବି ମାନି ନିଅନ୍ତୁ। ଗାନ୍ଧିଙ୍କ ନିର୍ଦ୍ଦେଶ ଥିଲା ଦୁଇ କମିଟିର ପ୍ରତିନିଧି ବ୍ରହ୍ମପୁରଠାରେ ମିଳିତ ହୋଇ ସୀମାବିବାଦର ସମାଧାନ କରିବେ। ୧୦.୫. ୧୯୨୧ରେ ଏଥିପାଇଁ ଉଭୟପକ୍ଷରୁ ଗୋପବନ୍ଧୁ ଦାସ ଓ କୋଣ୍ଡା ଭେଙ୍କଟାପାୟା ମନୋନୀତ ହେଲେ। ମାତ୍ର ନିର୍ଦ୍ଧାରିତ ଦିନରେ ଆନ୍ଧ୍ର ପ୍ରତିନିଧି ଉପସ୍ଥିତ ହେଲେ ନାହିଁ। ପରେ ୧୦.୭.୧୯୨୧ରେ ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋପବନ୍ଧୁ, ତଥା ଶ୍ରୀଟି.ପ୍ରକାଶମ ଓ ବି.ପଟ୍ଟାଭି ସୀତାରାମାୟା ସଦସ୍ୟ ଏବ ସଭାପତି – ଡାକ୍ତର ବି.ଏସ୍. ମୁଞ୍ଜେକୁ ନେଇ କମିଟି ଗଠନ କରାଗଲା। ୨୮.୯.୧୯୨୧ରେ ଏହି କମିଟି ବସିବାପରେ ଆନ୍ଧ୍ରସଦସ୍ୟଦ୍ୱୟ ଆଲୋଚନାପାଇଁ ପ୍ରସ୍ତୁତ ନ ଥିବାରୁ ମାସେ ସମୟ ଚାହିଁଲେ। ପରେ ଏହି କମିଟି ଆଉ ବସିଲା ନାହିଁ। ନିଖିଳ ଭାରତ କଂଗ୍ରେସ କମିଟିର କାକିନାଡ଼ା ଅଧିବେଶନ (୨.୧.୧୯୨୪)ର ୫ମ ପ୍ରସ୍ତାବରେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ଅଧ୍ୟକ୍ଷତାରେ ଉଭୟ କମିଟିର ଦୁଇଜଣ ପ୍ରତିନିଧିଙ୍କ ମାଧ୍ୟମରେ ୩୧.୩.୧୯୨୪ ସୁଦ୍ଧା ଏହି ବିଷୟରେ ଶେଷ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଗଲା । ମାତ୍ର ରାଜଗୋପାଳଚାରୀ ୧.୩.୧୯୨୪ରେ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେବାରୁ ୨୪.୪.୧୯୨୪ରେ ରାଜେନ୍ଦ୍ର ପ୍ରସାଦକୁ ଉକ୍ତ କମିଟିର ସଦସ୍ୟଭାବରେ ମନୋନୀତ କରାଗଲା। ସେ ଜୁନ୍ ମାସ ପୂର୍ବରୁ ବିଚାର କରିପାରିବେ ନାହିଁ ସ୍ପଷ୍ଟଭାବେ କହିଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଏହି ବୈଠକ ବସି ନ ଥିଲା କିମ୍ବା କଂଗ୍ରେସଦ୍ୱାରା ଏହି ବିବାଦର ସମାଧାନ ହୋଇପାରି ନ ଥିଲା।

ଫିଲିଫ-ଡଫ କମିଟି ରିପୋର୍ଟ

[ସମ୍ପାଦନା]

ଏହି ସମୟରେ ଭାରତ ସରକାରଙ୍କ ଘରୋଇ ବିଭାଗ ନଂ.ଏଫ୍-୬୬୯/୧-୧୦-୧୯୨୪ରିଖ ବିଜ୍ଞପ୍ତିରେ ଓଡ଼ିଆ ଅଞ୍ଚଳ ମିଶ୍ରଣ ପ୍ରସ୍ତାବରେ ବଡ଼ଲାଟଙ୍କ ପରିଷଦ ସନ୍ତୁଷ୍ଟ ହୋଇପାରୁ ନାହାନ୍ତି ବୋଲି ଜଣାଇଲେ। ମିଶ୍ରଣତାର ଶେଷ ନିଷ୍ପତ୍ତି ଶୁଣାଣିପାଇଁ ଶ୍ରୀ ସି.ଏଲ୍.ଫିଲିପ ଓ ଶ୍ରୀ ଏ.ସି. ଡଫଙ୍କୁ ବଡ଼ଲାଟ ନିଯୁକ୍ତ କଲେ। ଉଭୟ ଗଞ୍ଜାମ, ବିଶାଖାପାଟଣା ଅଞ୍ଚଳ ବୁଲି ଜନସାଧାରଣଙ୍କ ମତ ନେବାପରେ ରମ୍ଭାଠାରେ ୧୭.୧୨.୧୯୨୪ରୁ ୨୧.୧୨.୧୯୨୪ ପର୍ଯ୍ୟନ୍ତ ରହି ଉଭୟ ପକ୍ଷର ଦାବି ଶୁଣି ୨୬.୧୨.୧୯୨୪ରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଭାରତସରକାରଙ୍କୁ ପ୍ରଦାନ କଲେ। ଏଥିରେ ଉଭୟ ଓଡ଼ିଆଙ୍କ ଦାବିକୁ ଯଥାର୍ଥ ବୋଲି ସ୍ୱୀକାର କରି ଗଞ୍ଜାମର ନାରସେନାପଟା ବ୍ୟତୀତ ଅନ୍ୟସବୁ ଅଞ୍ଚଳ, ପାରଳାଖେମୁଣ୍ଡି ରାଜ୍ୟ, ତରଳା, ଟିକାଲି, ମଞ୍ଜୁଷା, ଜଳନ୍ତର, ବୁଢ଼ାର ସିଂହ, ଚିକିଟି, ଧରାକୋଟ, ସୁରଙ୍ଗି, ଶରଗଡ଼, ବଡ଼ଗଡ଼, ବଡ଼ଖେମୁଣ୍ଡି, ସାନଖେମୁଣ୍ଡି, ଆଠଗଡ଼, ଖଲ୍ଲିକୋଟ, ବିରୁଳି, ପାଲର, ହୁମା ଜମିଦାରୀ ସମେତ ବ୍ରହ୍ମପୁର, ଛତ୍ରପୁର ଓ ଘୁମୁସର ସବଡିଭିଜନ, ଜିଲ୍ଲାର ମାଳଅଞ୍ଚଳ, ବିଖାଖାପାଟଣା ଜିଲ୍ଲାର ଜୟପୁର ଜମିଦାରି ପ୍ରଭୃତି ଓଡ଼ିଆଅଞ୍ଚଳ ଓଡ଼ିଶାରେ ମିଶିଯିବା ଉଚିତ ବୋଲି ଅକାଟ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ।

ଓଡ଼ିଶା ଲିବରାଲ ଲିଗ

[ସମ୍ପାଦନା]

ଭାରତ ଶାସନ ସଂସ୍କାରପାଇଁ ୧୯୨୭ରେ ଜନ ସାଇମନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କଲେ। କଂଗ୍ରେସ ଏହାକୁ ସାରା ଭାରତରେ ବିରୋଧ କରିବାରୁ ଓଡ଼ିଶାରେ ଅନୁରୂପ ଭାବରେ ସାଇମନଙ୍କ ଆଗମନକୁ ବିରୋଧ କରାଗଲା। ଏହି ସ୍ଥିତିରୁ ଲକ୍ଷ୍ୟ ଆଦାୟପାଇଁ କୁଳବୁଦ୍ଧ ଯେକୌଣସି ଉପାୟରେ ସ୍ୱାଗତ ଜଣାଇବାକୁ କନିକାରାଜାଙ୍କୁ ନିର୍ଦ୍ଦେଶ ଦେଲେ। ଏହି ସମୟ ବେଳକୁ ଉତ୍କଳ ସମ୍ମିଳନୀର ଅସ୍ତିତ୍ୱ ନ ଥିବାରୁ ଆଉ ଏକ ସମିତି ଓଡ଼ିଶା ଲିବରାଲ ଲିଗ ଗଠନ କରି ୮ଫେବୃଆରି ୧୯୨୮ ତାରିଖରେ ବ୍ରଜସୁନ୍ଦର ଦାସଙ୍କ ନେତୃତ୍ୱରେ ଗୋପାଳଚନ୍ଦ୍ର ପ୍ରହରାଜ, ବାରିଷ୍ଟର ବିଶ୍ୱନାଥ ମିଶ୍ର, ଭିକାରି ପଟ୍ଟନାୟକ, ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉକ୍ରଳ ସମ୍ମିଳନୀର ଗୋଲାପୀ ପଗଡି ପିନ୍ଧି ବିହାରର ପାଟଣା ରେଳଷ୍ଟେସନଠାରେ ସାଇମନ କମିଶନଙ୍କୁ ସ୍ୱାଗତ ଜଣାଇ ଓଡ଼ିଶା ପ୍ରତି ନ୍ୟାୟ ବିଚାର କରିବାକୁ ନିବେଦନ କଲେ। ସାଇମନ କମିଶନ ଏହି ନିବେଦନକୁ ଗ୍ରହଣ କରି ଅଟଲି ସବକମିଟି ଗଢ଼ି ଓଡ଼ିଶା ରାଜ୍ୟଗଠନ ଦାବିର ବିଚାର କରିବାକୁ ଦାୟିତ୍ୱ ଦେଲେ। ଅଟଲି ସବକମିଟି ପୂର୍ବର ଫିଲିପ୍-ଡଫ୍ କମିଶନ ରିପୋର୍ଟକୁ ଗୁରୁତ୍ୱ ଦେଇ ପାରଳା ଓ ଜୟପୁର ଜମିଦାରୀ ଛାଡ଼ି ବାକି ଅଂଶ ଓଡ଼ିଶାରେ ମିଶାଇବାପାଇଁ ପରାମର୍ଶ ଦେଲେ। ଜୟପୁର ମହାରାଜା ବିକ୍ରମଦେବ ଏବଂ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବ ଏହା ବିରୁଦ୍ଧରେ ପ୍ରତିବାଦ ପତ୍ର ପଠାଇବା ସହ ଗୋଲଟେବୁଲ ବୈଠକରେ ଉଭୟ ଉପସ୍ଥିତ ରହି ଓଡ଼ିଶାରେ ପାରଳା ଓ ଜୟପୁର ଜମିଦାରୀ ମିଶାଇବାପାଇଁ ଦୃଢ଼ ଦାବି କଲେ।

ଉତ୍କଳ ୟୁନିୟନ କମିଟି

[ସମ୍ପାଦନା]

ଓଡ଼ିଶା ରାଜ୍ୟ ଗଠନ ପୂର୍ବରୁ ଏହାର ସୀମା ନିର୍ଦ୍ଧାରଣ କରିବାପାଇଁ ଭାରତ ସରକାର ସାର୍ ସାମୁଏଲ ଓଡ଼ନେଲ ଅଧ୍ୟକ୍ଷ ତଥା ସଦସ୍ୟ ଭାବେ ଆସାମର ଶ୍ରୀ ତରୁଣରାମ ଫୁକନ, ବମ୍ବେର ଏଚ୍.ଏଏମ. ମେହେଟ୍ଟାଙ୍କୁ ସଭ୍ୟ ରୂପେ ଏବଂ ବି.ସି. ମୁଖାର୍ଜୀଙ୍କୁ ସଚିବ ଭାବେ ନିଯୁକ୍ତ କରାଗଲା । ଏହି କମିଟିର ସହଯୋଗୀ ସଦସ୍ୟ ରହିଲେ ପାରଳାରାଜା କୃଷ୍ଣଚନ୍ଦ୍ର ଗଜପତି ମାନ୍ଦ୍ରାଜର, ସି.ଭି.ଏସ. ନରସିଂହ ରାଜୁ, ବିହାରର ସଚ୍ଚିଦାନନ୍ଦ ସିଂହ। ପୂର୍ବରୁ ମଣ୍ଟେଗୁ- ଚେମସଫୋର୍ଡ କମିଟି ନିକଟରେ ଓଡ଼ିଶାର ସୀମା ସମ୍ପର୍କୀତ ଦାବୀ ଉତ୍କଳ ସମ୍ମିଳନୀ କରିଥିଲା । ମାତ୍ର ୧୯୩୧ ବେଳକୁ ଏହାର ଅସ୍ତିତ୍ୱ ନ ଥିବାରୁ ମଧୁବାବୁଙ୍କ ପରାମର୍ଶରେ ଉତ୍କଳ ୟୁନିୟନ କମିଟି ଗଠନ କରାଯାଇ ଓଡନେଲ କମିଟି ଆଗରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖାଗଲା। ଓଡ଼ନେଲ କମିଟି ଦକ୍ଷିଣର ବିଭିନ୍ନ ସ୍ଥାନରେ ସାକ୍ଷ୍ୟ ଗ୍ରହଣ କରୁଥିବାବେଳେ ସବୁଠାରେ ଓଡ଼ିଶା ସହିତ ମିଶିବାପାଇଁ ଜନତାଙ୍କ ଆଗ୍ରହ ତଥା ଅନ୍ୟ ଦୁଇ ସଦସ୍ୟଙ୍କ ସମର୍ଥନ ସତ୍ତେ୍ୱ ଓଡ଼ନେଲ ଇଚ୍ଛାପୁର, ମଞ୍ଜୁସା, ତରଳା ପାରଳା, ଟିକାଲି, ଜୟପୁର ବ୍ୟତୀତ ଅନ୍ୟସବୁ ଅଞ୍ଚଳ ଓଡ଼ିଶାରେ ମିଶିବ ବୋଲି ମତ ଦେଲେ । ମଧ୍ୟପ୍ରଦେଶର ବସ୍ତର, ରାୟଗଡ଼, ସାରଙ୍ଗଗଡ଼ ଭଳି ବହୁ ଓଡ଼ିଆ ଅଞ୍ଚଳ ବ୍ୟତୀତ କେବଳ ଖଡ଼ିଆଳ ଓ ପଦ୍ମପୁର ମିଶିବା ସପକ୍ଷରେ ମତ ଦେଲେ । ବିହାରରେ କେବଳ ଷଢେ଼ଇକଳା ଓ ଖରସୁଆଁକୁ ମିଶାଇବପାଇଁ ମତ ଦେଇଥିଲେ । ଏହି ପ୍ରସଙ୍ଗରେ ସିଂହଭୂମି, ଧଳଭୂମି ଆଲୋଚନା ପର୍ଯ୍ୟାୟକୁ ଆସି ନ ଥିଲା । ବଙ୍ଗପ୍ରଦେଶର ମେଦିନପୁର ବିଷୟରେ କମିଶନରଙ୍କ ମତ ଥିଲା ସମ୍ପୂର୍ଣ୍ଣ ପକ୍ଷପାତ ମୂଳକ । ଗୋଟିଏ ଗୋଟିଏ ଗାଁରେ ଦୁଇ ତିନି ହଜାର ଓଡ଼ିଆ ଥିବାବେଳେ ସେଠାରେ ଜଣେ ମାତ୍ର ଓଡ଼ିଆ ବାସ କରୁଛନ୍ତି ବୋଲି ଲେଖାଗଲା । ଏହି କ୍ରମରେ ଛଅଲକ୍ଷ ଥିବା ଓଡ଼ିଆ ଅଞ୍ଚଳ ୪୫ ହଜାରକୁ କମି ଆସିଲା। ଯାହାର ଫଳଶ୍ରୁତି ମେଦିନିପୁର ବଙ୍ଗାଳୀ ଅଞ୍ଚଳ ବୋଲି ସହଜରେ ପ୍ରମାଣିତ ହୋଇଗଲା।

ଭାଷାଭିତ୍ତିକ ରାଜ୍ୟ ଗଠନ ଘୋଷଣା

[ସମ୍ପାଦନା]

ଓଡ଼ନେଲ କମିଟି ସୁପାରିଶ ଅନୁସାରେ ଓଡ଼ିଶା ପ୍ରଦେଶ ଗଠନପାଇଁ ପ୍ରକାଶିତ ଶ୍ୱେତପତ୍ରରେ ୯୬ ପ୍ରତିଶତ ଓଡ଼ିଆ ଅଞ୍ଚଳ ଜୟପୁର ଓ ପାରଳା ଜମିଦାରିକୁ ମଧ୍ୟ ମିଶାଯାଇ ନଥିଲା। କମିଟିର ଉଭୟ ସଦସ୍ୟଙ୍କ ମତକୁ ଅଗ୍ରାହ୍ୟ କରି ଓଡେ଼ନାଲ ଯେଉଁ ପକ୍ଷପାତମୂଳକ ରିପୋର୍ଟ ଦେଇଥିଲେ, ତାହାର ପ୍ରତିବାଦ ଉଭୟ କରିଥିଲେ ଓ ଓଡ଼ିଆ ନେତାଗଣ ଜଏଣ୍ଟ ପାର୍ଲ୍ୟାମେଣ୍ଟାରି କମିଟି ଆଗରେ ଏହି ବିଷୟରେ ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲେ। ଡିସେମ୍ବର ୧୯୩୨ରେ ଅନୁଷ୍ଠିତ ତୃତୀୟ ଗୋଲଟେବୁଲ ବୈଠକରେ ଦକ୍ଷିଣ ଭାରତ ଜମିଦାରଙ୍କ ପ୍ରତିନିଧି ଭାବେ ଯୋଗଦେଇ ମହାରାଜ ରାମଚନ୍ଦ୍ର ମର୍ଦ୍ଦରାଜ ଓଡ଼ିଶା ପ୍ରଦେଶ ଗଠନପାଇଁ ପୁଣିଥରେ ଦୃଢ଼଼ ଦାବୀ ଜଣାଇଲେ। ଫଳରେ ୨୪.୧୨.୧୯୩୨ ଦିନ ଲର୍ଡ ସାଙ୍କିଙ୍କ ସଭାପତିତ୍ୱରେ ବସିଥିବା ପ୍ରତିନିଧି ସଭାରେ ସେକ୍ରେଟେରୀ ଅଫ୍ ଷ୍ଟେଟ ସାମୁଏଲ ହୋର ସିନ୍ଧୁ ଓ ଓଡ଼ିଶା ରାଜ୍ୟ ଗଠନ କଥା ଘୋଷଣା କଲେ।[୨୦]

ହବାକ କମିଟି

[ସମ୍ପାଦନା]

ଏହାପରେ ଓଡ଼ିଶା ଗଠନପାଇଁ ଜନ୍ ଅଷ୍ଟିନ ହବାକ ସଭାପତିତ୍ୱରେ ଏକ କମିଟି ଗଠିତ ହୋଇ ସୀମା ସମସ୍ୟା ଓ ଆର୍ଥିକ ପରିସ୍ଥିତି ବିଚାରପାଇଁ ରମ୍ଭାଠାରେ ୬.୧୦.୧୯୩୩ରେ ବୈଠକ ବସିଥିଲା। ବିସ୍ତୃତ ଆଲୋଚନାପରେ ୧୯୩୫ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବାର ଘୋଷଣା ପ୍ରକାଶ ପାଇଲା। ଏହାର ପ୍ରଥମ ଲାଟ ହେଲେ - ଜନ୍ ଅଷ୍ଟିନ୍ ହବାକ୍ । ୧୯୩୬ରେ ୬୦ ସଦସ୍ୟ ବିଶିଷ୍ଟ ବିଧାନ ସଭାପାଇଁ ହୋଇଥିବା ନିର୍ବାଚନରେ କଂଗ୍ରେସ ୩୬ଟି ଆସନ ପାଇଥିଲା । କଂଗ୍ରେସ ଦଳର ନେତା ବିଶ୍ୱନାଥ ଦାସଙ୍କୁ ମନ୍ତ୍ରୀମଣ୍ଡଳ ଗଢ଼ିବାପାଇଁ ଲାଟ ଅନୁରୋଧ କଲେ ମଧ୍ୟ ମନ୍ତ୍ରିମଣ୍ଡଳର ସୁପାରିଶ ଲାଟ ଗ୍ରହଣ କରିବାକୁ ବାଧ୍ୟ – ଏହି କଥା ନେଇ କଂଗ୍ରେସ ଓ ଲାଟଙ୍କ ମଧ୍ୟରେ ମତାନ୍ତର ହେବାରୁ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଢ଼ିଲା ନାହିଁ। ଫଳରେ ପାରଳା ରାଜାଙ୍କୁ ମନ୍ତ୍ରିମଣ୍ଡଳ ଗଢ଼ିବାପାଇଁ ଲାଟ୍ ଅନୁରୋଧ କରିବାରୁ ୧.୪.୧୯୩୭ରେ ମାନଧାତା ଗୋରାଚାନ୍ଦ ପଟ୍ଟନାୟକ ଓ ମୌଲାନା ଲତିଫୁର ରହେମନଙ୍କୁ ନେଇ ସେ ମନ୍ତ୍ରୀମଣ୍ଡଳ ଗଠନ କଲେ।

୧୯୩୬ - ୧୯୫୪

[ସମ୍ପାଦନା]

୧ ଅପ୍ରେଲ ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାପରେ ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ଓ ଶାସନକାର୍ଯ୍ୟପାଇଁ ପଦକ୍ଷେପ ନିଅାଗଲା। ପଣ୍ଡିତ ନୀଳକଣ୍ଠଙ୍କ ନେତୃତ୍ୱରେ ଓଡ଼ିଆ ପ୍ରଶାସନିକ ଶବ୍ଦକୋଷ ପ୍ରସ୍ତୁତ କରାଯିବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲା। ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ କରିବାପାଇଁ ବିପୁଳ ଅର୍ଥ ଖର୍ଚ୍ଚ ଓଡ଼ିଶାର ରାଜା ଜମିଦାରଙ୍କଠାରୁ ସଂଗୃହୀତ ହେଉଥିବାରୁ ଏହାର ଭାର ଜନସାଧାରଣ ଉପରେ ପଡ଼ିଲା । ପ୍ରଜାମାନଙ୍କ ବାରମ୍ବାର ପ୍ରତିବାଦକୁ ଦୃଷ୍ଟିରେ ରଖି ସରକାର ବଟଲର କମିଶନ ବସେଇଥିଲେ ମଧ୍ୟ ପ୍ରଜା ବଦଳରେ ରାଜାମାନଙ୍କୁ ଅଧିକ ସୁବିଧା ଓ ଅଧିକାର ଦେବାପାଇଁ ଏହି କମିଶନ ୧୯୩୭ ମସିହାରେ ନୂଆ ସନନ୍ଦ ଦେଲେ। ଗଡ଼ଜାତ ପ୍ରଜାଙ୍କ ଅବସ୍ଥା ଅନୁଧ୍ୟାପାଇଁ ନିଖିଳ ଭାରତ କଂଗ୍ରେସ କମିଟି ଜବାହରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ "ଷ୍ଟେଟ ପିପୁଲସ୍ ଷ୍ଟାଣ୍ଡିଂ କମିଟି' ଗଠନ କରାଗଲା ।

ପ୍ରଜା ଆନ୍ଦୋଳନ

[ସମ୍ପାଦନା]

୧୯୩୧ରେ ଓଡ଼ିଶାରେ ଭୁବନାନନ୍ଦ ଦାସଙ୍କ ସଭାପତିତ୍ୱରେ "ଗଡ଼ଜାତ ପ୍ରଜା ସମ୍ମିଳନୀ' ଗଠିତ ହୋଇଥିଲା । ୨୪.୬.୧୯୩୭ରେ କଟକରେ ସାଧାରଣ ସଭା ଅନୁଷ୍ଠିତ କରାଯାଇ ପଟ୍ଟାଭି ସୀତାରାମେୟାଙ୍କୁ ସଭାପତି ଓ ସାରଙ୍ଗଧର ଦାସଙ୍କୁ ସମ୍ପାଦକ ଭାବେ ମନୋନୀତ କରାଗଲା । ୧୯୩୮ରେ ଏକ ଅନୁସନ୍ଧାନ ସମିତି ଗଠନ କରାଯାଇ ହରେକୃଷ୍ଣ ମହତାବ, ଲାଲମୋହନ ପଟ୍ଟନାୟକ, ବଳବନ୍ତ ରାୟ ମେହେଟ୍ଟା ସଦସ୍ୟ ରହିଲେ । ଅନୁସନ୍ଧାନ କମିଟି ଦୁଇହଜାର ଲୋକଙ୍କଠାରୁ ସାକ୍ଷ୍ୟନେଇ ଦୁଇ ଭାଗରେ ରିପୋର୍ଟ ପ୍ରସ୍ତୁତ କଲେ। ଏହି ସମୟରେ ଢେଙ୍କାନାଳ, ନୀଳଗିରି, କନିକା ଓ ରଣପୁରଠାରେ ପ୍ରଜାବିଦ୍ରୋହ ଭୟଙ୍କର ରୂପ ନେଲା। ରଣପୁରର ୨ଯୁବକ ରଘୁ ଓ ଦିବାକର ପଲଟିକାଲ ଏଜେଣ୍ଟ ବେଜେଲଗେଟଙ୍କୁ ହତ୍ୟା କଲେ। ଶେଷରେ ପ୍ରଜାମଣ୍ଡଳ ଦାବି ସରକାର ଶୁଣିଲେ।

କୋଶଳୋତ୍କଳ ପ୍ରଜା ପରିଷଦ

[ସମ୍ପାଦନା]

ବ୍ରିଟିଶଭାରତ ତଥା ଦେଶୀୟ ରାଜ୍ୟର ଏକତ୍ରୀକରଣ – ୧୨ମଇ ୧୯୪୬ରେ ଦେଶୀୟ ରାଜ୍ୟପାଇଁ ଏକ ସ୍ୱତନ୍ତ୍ର ଶ୍ୱେତପତ୍ର ବ୍ରିଟିଶ ସରକାର ପ୍ରକାଶ କରି ଘୋଷଣା କଲେ ଯେ ଦେଶୀୟ ରାଜ୍ୟର ସମ୍ରାଟଙ୍କୁ ସର୍ବୋଚ୍ଚ କ୍ଷମତା ଅଧିକାର ସମାପ୍ତ ହେଲା ଏବଂ ସେମାନେ ସ୍ୱାଧୀନ ହେଲେ । ସ୍ୱାଧୀନତା ସମୟରେ ଭାରତରେ ୯ଟି ପ୍ରଦେଶ ଓ ୫୪୨ଟି ଦେଶୀୟରାଜ୍ୟ ଥିଲା । ତେଣୁ ଏହି ଅଧିନିୟମ ବଳରେ ନରେନ୍ଦ୍ର ମଣ୍ଡଳୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଲା । ୧୮ଜୁଲାଇ ୧୯୪୬ରେ ପାଟଣା ରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ନେତୃତ୍ୱରେ ଓଡ଼ିଶା ଓ ମଧ୍ୟପ୍ରଦେଶର ଗଡଜାତରାଜ୍ୟମାନଙ୍କୁ ମିଶାଇ ରାଷ୍ଟ୍ରସଂଘ ଭାବରେ କୋଶଳୋତ୍କଳ ରାଜ୍ୟ ଗଠନ କରିବାପାଇଁ କୋଶଳୋତ୍କଳ ପ୍ରଜା ପରିଷଦ ଗଠନ କଲେ। ଏହାର ପ୍ରଥମ ବୈଠକ କଲିକତାଠାରେ ଅନୁଷ୍ଠିତ ହେଲା । ପରେ ୧ ଅଗଷ୍ଟ୧୯୪୭ରେ ରାୟପୁରଠାରେ ଏମାନେ ମିଳିତ ହୋଇ ନିଜର ସମ୍ବିଧାନ ପ୍ରସ୍ତୁତ କରିବା ସହ ରାୟପୁରଠାରେ ରାଜଧାନୀ ନିର୍ମାଣପାଇଁ ଅର୍ଥସଂଗ୍ରହ କରିଥିଲେ।

ଗଡଜାତ ରାଜ୍ୟ ମିଶ୍ରଣ

[ସମ୍ପାଦନା]

୧୫ ଅଗଷ୍ଟ ୧୯୪୭ରେ ଭାରତ ଦ୍ୱିଖଣ୍ଡିତ ହେଲାବେଳେ ଓଡ଼ିଶା ଖଣ୍ଡବିଖଣ୍ଡିତ ନ ହେବାପାଇଁ ଏକତ୍ରିକରଣ କାର୍ଯ୍ୟ ଆରମ୍ଭ ହେଲା । ଭାରତ ସ୍ୱାଧୀନ ହେଲେ ମଧ୍ୟ ମୋଗଲବନ୍ଦୀ ବା ଉପକୂଳ ଅଞ୍ଚଳରେ ଥିବା ଗଡଜାତ ରାଜ୍ୟର ପ୍ରଜାଗଣ ସ୍ୱାଧୀନତାରୁ ବଞ୍ଚିତ ହେବାରୁ ପ୍ରଜା ଆନ୍ଦୋଳନ ବ୍ୟାପକ ରୂପ ଧାରଣ କଲା । ଏହି ଆନ୍ଦୋଳନରେ ରାଜାଗଣ ମିଳିତ ହୋଇ ଏଥିରେ ହସ୍ତକ୍ଷେପ କରିବାକୁ ମହାତ୍ମାଗାନ୍ଧୀଙ୍କୁ ଅନୁରୋଧ କଲେ । ମହାତ୍ମାଗାନ୍ଧୀ ମଧ୍ୟ ଏ ବିଷୟରେ ପଦକ୍ଷେପ ନେବାକୁ ଗୃହମନ୍ତ୍ରୀ ପଟେଲଙ୍କୁ ଅନୁରୋଧ କଲେ । ତେବେ ଏହି ସମୟରେ ନିଳଗିରି ରାଜାଙ୍କଦ୍ୱାରା ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ବୃଦ୍ଧିପାଇବାରୁ ଓଡ଼ିଶା ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଭାରତ ସରକାରଙ୍କୁ ନିବେଦନ କଲେ । ଭାରତ ସରକାରଙ୍କ ଅନୁମତି ପରେ ଓଡ଼ିଶା ପୋଲିସ ନୀଳଗିରିରେ ପ୍ରବେଶକଲା । ରାଜା ଅନ୍ୟ ଉପାୟ ନ ପାଇ ୧୪ ନଭେମ୍ବର ୧୯୪୭ ମଧ୍ୟାହ୍ନରେ ଶାସନ ଦାୟିତ୍ୱ ଓଡ଼ିଶା ସରକାରଙ୍କୁ ପ୍ରଦାନ କଲେ । ଏହା ଥିଲା ଭାରତ ବର୍ଷର ପ୍ରଥମ ଦେଶିୟ ରାଜ୍ୟ ମିଶ୍ରଣ । ତେବେ ଦେଶୀୟ ରାଜ୍ୟ ବିଲୟ ପତ୍ରରେ ରାଜା ହସ୍ତାକ୍ଷର କରିବାପରେ ଭାରତୀୟ ସଂଘରେ ସାମିଲ ହୋଇପାରିବା ନିୟମ ଥିବାରୁ ଏହାର ସଂଘୀୟ ସ୍ୱୀକୃତିପାଇଁ ୨୦ ନଭେମ୍ବର୧୯୪୭ରେ ଦିଲ୍ଲୀଠାରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ, ସ୍ୱରାଷ୍ଟ୍ରବିଭାଗ ସଚିବ ଭି.ପି.ମେନନ, ସମ୍ବଲପୁର ଆଞ୍ଚଳିକ କମିଶନରଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକର ନିଷ୍ପତ୍ତିରେ ସର୍ଦ୍ଧାର ପଟେଲ ସହମତ ହେଲେ । ନୀଳଗିରିମିଶ୍ରଣ ପଦ୍ଧତି ପଟେଲଙ୍କୁ ଏଭଳି ପ୍ରଭାବିତ କରିଥିଲା ଯେ, ହାଇଦ୍ରାବାଦ ମିଶ୍ରଣରେ ସେହି ସମାନ ପଦ୍ଧତି ପ୍ରୟୋଗ କରାଗଲା। ମୟୂରଭଞ୍ଜ ବ୍ୟତୀତ ଓଡ଼ିଶା ମଧ୍ୟରେ ଥିବା ୨୬ଟି ଗଡ଼ଜାତ ଓଡ଼ିଶାରେ ମିଶିଗଲେ । ଗଡ଼ଜାତଗୁଡ଼ିକର ମିଶ୍ରଣ ପରେ ଓଡ଼ିଶାର ଆୟତନ ୬୦.୧୬୪ ବର୍ଗମାଇଲ ଓ ଜନସଂଖ୍ୟା ୧ କୋଟି ୭୦ ଲକ୍ଷ ଥିଲା । ଓଡ଼ିଶା ବାହାରେ ୪ ହଜାର ବର୍ଗମାଇଲ ଓ ୧୦ ଲକ୍ଷ ଓଡ଼ିଆ ଅଞ୍ଚଳ ଓ ଲୋକ ରହିଗଲେ ଓ ନବଗଠିତ ଓଡ଼ିଶା ରାଜ୍ୟରେ ୧୩ଟି ଜିଲ୍ଲା ରହିଲା।

ସ୍ୱତନ୍ତ୍ର ମୟୂରଭଞ୍ଜ ଦେଶ ଗଠନ

[ସମ୍ପାଦନା]

ନୀଳଗିରି ଘଟଣା ପରେ ଗଡଜାତ ରାଜାଗଣ ବ୍ୟସ୍ତ ହୋଇ ପରଦିନ ଅର୍ଥାତ ୧୫ ନଭେମ୍ବର ୧୯୪୭ରେ କଲିକତାଠାରେ ମିଳିତ ହେଲେ ଓ ୧ ଡିସେମ୍ବର ୧୯୪୭ରେ ଦିଲ୍ଲୀ ଯାଇ ପଟେଲଙ୍କୁ ଭେଟି ସେମାନଙ୍କ ପ୍ରସ୍ତାବ ଗ୍ରହଣ କରିବାକୁ ଅନୁରୋଧ କଲେ। ସେ ୧୩ ଡିସେମ୍ବର୧୯୪୭ରେ ଗଡଜାତ ରାଜାମାନଙ୍କୁ ଡକାଇ ସେମାନଙ୍କ ଅଭିଯୋଗ ଶୁଣିଲେ ଓ ୧୪ତାରିଖରେ ରାଜାମାନଙ୍କୁ ସ୍ପଷ୍ଟ ଭାବରେ ଜଣାଇଦେଲେ ଯେ, ଓଡ଼ିଶାରେ ନ ମିଶିଲେ ତୁମ ଦାୟିତ୍ୱ ଆଉ ଭାରତ ସରକାର ନୁହେଁ, ତୁମେ ନିଜେ ସମ୍ଭାଳିବ । ତେଣୁ ଏହି ଦିନଠାରୁ ମିଶ୍ରଣ ଚୁକ୍ତିପତ୍ରରେ ରାଜାମାନଙ୍କର ସ୍ୱାକ୍ଷର ପ୍ରକ୍ରିୟା ଆରମ୍ଭ ହେଲା । ତେବେ ଏହି ସମ୍ମିଳନୀରେ ଯୋଗ ଦେବାପୂର୍ବରୁ ମୟୁରଭଞ୍ଜ ରାଜା ଗୋଟିଏ ମନ୍ତ୍ରୀମଣ୍ଡଳ ଗଠନ କରି ରାଜ୍ୟ ଶାସନ ଦାୟିତ୍ୱ ନ୍ୟସ୍ତ କରିଥିବାରୁ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରିବେନାହିଁ ବା ଏଥିପାଇଁ ତାଙ୍କୁ ଆଇନଗତ ବାଧ୍ୟ କରାଯାଇପାରିବନାହିଁ ବୋଲି ଯୁକ୍ତି ଉପସ୍ଥାପନ କଲେ।

ଷଢେ଼ଇକଳା ଓ ଖରସୁଆଁ ବିବାଦ

[ସମ୍ପାଦନା]

୧ ଜାନୁଆରୀ ୧୯୪୮ରେ ମୟୁରଭଞ୍ଜ ବ୍ୟତୀତ ବିଧିବଦ୍ଧ ଭାବରେ ନୀଳଗିରି ସମେତ ସମସ୍ତ ଗଡଜାତରାଜ୍ୟ ଓଡ଼ିଶାରେ ମିଶିଲେ ବୋଲି ଘୋଷଣା କରାଗଲା । ମୟୁରଭଞ୍ଜ ନ ମିଶିବାରୁ ସଢେଇକଳା ଓ ଖରସୁଆଁ ଗଡଜାତ ରାଜ୍ୟ ଓଡ଼ିଶାରେ ମିଶି ମଧ୍ୟ ବିଛିନ୍ନ ରହିଲା । ଏ ଦିଗରେ ପଟେଲ କୌଣସି ପଦକ୍ଷେପ ନ ନେବାରୁ ମହତାବ ୧୬.୫.୧୯୪୮ରେ ଭାରତ ସରକାରଙ୍କୁ ଏକ ପତ୍ର ଲେଖି ଅସ୍ଥାୟୀ ଭାବରେ ଉକ୍ତ ଦୁଇ ଅଞ୍ଚଳ ନିଜ ଅଧୀନରେ ରଖିବାକୁ ଅନୁରୋଧ କଲେ । ଭାରତ ସରକାର ଏହା ପରଦିନ ଉକ୍ତ ଦୁଇ ଅଞ୍ଚଳର ଶାସନଭାର ବିହାର ସରକାରଙ୍କୁ ପ୍ରଦାନ କଲେ । ବିହାର ପ୍ରଧାନମନ୍ତ୍ରୀ ଶ୍ରୀକୃଷ୍ଣ ସିହ୍ନା ଏହି ଅଞ୍ଚଳକୁ ବିହାରରେ ସ୍ଥାୟୀଭାବରେ ମିଶ୍ରଣପାଇଁ ବିଧାନ ସଭାରେ ପ୍ରସ୍ତାବ ଗୃହୀତ କରାଇଲେ ଓ ଏହା ପରଦିନ ଅର୍ଥାତ ୧୮.୫.୧୯୪୮ରେ ଭାରତ ସରକାର ସଢେଇକଳା ଓ ଖରସୁଆଁ ଗଡଜାତ ରାଜ୍ୟ ଓଡ଼ିଶାରେ ମିଶ୍ରଣପାଇଁ ୧୪.୧୨.୧୯୪୭ ଓ ୧୫.୧୨.୧୯୪୭ରେ ପଟେଲଙ୍କ ଉପସ୍ଥିତିରେ କରିଥିବା ଚୁକ୍ତିକୁ ବାତିଲ କରି ବିହାର ସହ ମିଶ୍ରଣ ହେଲା ବୋଲି ଅଧିସୂଚନା ଜାରି କଲେ। ଏପରିକି ମୟୁରଭଞ୍ଜ ରାଜାଙ୍କ ସହୃଦୟତା ଯୋଗୁଁ ପୁଣି ଥରେ ୧.୧.୧୯୪୯ରେ ଏହି ରାଜ୍ୟ ଓଡ଼ିଶା ସହିତ ମିଶିଥିଲେ ମଧ୍ୟ ଓଡ଼ିଶାକୁ ଆଉ ସଢେଇକଳା ଓ ଖରସୁଆଁ ମିଳି ନ ଥିଲା। ପୂର୍ବରୁ ୧୯୪୨ ସାଧାରଣ ନିର୍ବାଚନରେ ବିହାର ବିଧାନ ସଭାକୁ ଷଢେ଼ଇକଳାର ଶ୍ରୀ ମିହିର କବି ଷଢେ଼ଇକଳା ଓ ଖରସୁଆଁ ଓଡ଼ିଶାରେ ମିଶିବା ପ୍ରସ୍ତାବ ଉପରେ ଭୋଟ ନିଦ୍ଦ୍ୱର୍ନ୍ଦରେ ଜୟଯୁକ୍ତ ହୋଇ ଓଡ଼ିଆଙ୍କ ବାସ୍ତବ ଇଚ୍ଛା ଓ ବିହାରୀଙ୍କ ଦାବୀରେ ଅସାରତା ପ୍ରତିପାଦନ କଲେ । ଏହାବ୍ୟତୀତ ବିଧାନ ସଭାର ୫ଜଣ "ହୋ' ସଦସ୍ୟ ବିହାରରୁ ସିଂହଭୂମିକୁ ନେଇ ଓଡ଼ିଶା ସହ ସଂଯୁକ୍ତ କରାଯାଉ ବୋଲି ଦାବୀ କଲେ । ମାତ୍ର ଭାରତ ସରକାର ଏସବୁ ଦାବୀ ପ୍ରତି କର୍ଣ୍ଣପାତ କଲେ ନାହିଁ ।

ଭାଷା ଆଇନ ୧୯୫୪

[ସମ୍ପାଦନା]

୧୯୪୭ ମସିହାରେ ଭାରତ ସ୍ୱାଧୀନତା ହେବା ପରେ ସ୍ୱାଧୀନ ଭାରତର ସାମ୍ବିଧାନିକ ଭା ଷା ଭାବରେ ଓଡ଼ିଆ ଗ୍ରହଣ କରାଗଲା। ଏହି ଅନୁସାରେ ୧୯୫୪ ମସିହାରେ ଓଡ଼ିଶା ସରକାରୀ ଭାଷା ଆଇନ ଓଡ଼ିଶା ବିଧାନ ସଭାରେ ଗୃହୀତ କରାଗଲା।୨୬.୭.୧୯୪୮ରେ ଓଡ଼ିଶାପାଇଁ ନୂଆ ଉଚ୍ଚନ୍ୟାୟାଳୟ କଟକଠାରେ ସ୍ଥାପନ କରାଗଲା । ୧୩.୫.୧୯୪୮ରେ ପଣ୍ଡିତ ନେହେରୁ ହୀରାକୁଦ ନଦୀବନ୍ଧର ଶୁଭ ଦେଲେ । ୬.୨.୧୯୫୪ରେ ଉତ୍କଳ ସମ୍ମିଳନୀର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଷଢେ଼ଇକଳା ମିଶ୍ରଣ ସମ୍ପର୍କରେ ସେଠାରେ ଅନୁଷ୍ଠିତ ଏକ ବୈଠକରେ ଯୋଗ ଦେଇଥିବା କଳାହାଣ୍ଡି ମହାରାଜା ପ୍ରତାପକେଶରୀ ଦେବପଣ୍ଡିତ ଗୋଦାବରୀଶ ମିଶ୍ର ଆଦିଙ୍କୁ ସ୍ଥାନୀୟ ବିହାରୀଗୁଣ୍ଡା ମାଡ଼ଦେଲେ । ୧୯୫୪ରେ ଭାରତ ସରକାର କେତେକ ପ୍ରଦେଶର ସୀମା ନିରୂପଣ କରିବା ନିମନ୍ତେ ଓଡ଼ିଶା ରାଜ୍ୟପାଳ ସୟଦ ଫଜଲ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ହୃଦୟନାଥ କୁଞ୍ଜରୁଡାକ୍ତର ପନିକରଙ୍କୁ ସଦସ୍ୟଭାବେ ନେଇ ସୀମାକମିଶନ ଗଠିତ ହେଲା। ଏହି ସମୟରେ ଓଡ଼ିଶା ସୀମାରେ ୪ଟି ରାଜ୍ୟରେ ଥିବା ଓଡ଼ିଆ ଅଞ୍ଚଳକୁ ମିଶାଇବାପାଇଁ ପୁଣିଥରେ ଦାବି କରାଗଲା । ମାତ୍ର ଏହା ମଧ୍ୟ ପୂର୍ବପରି ବିଫଳ ହେଲା । ସୀମା କମିଶନଙ୍କ ବିଚାରରେ କ୍ଷୁର୍ଣ୍ଣ ହୋଇ ଓଡ଼ିଆ ନେତାଗଣ ପୁଣି ଆନ୍ଦୋଳନ କରିବାରୁ ଧେବର କମିଟି ନିଯୁକ୍ତ ହେଲା। ଏହାର ସଦସ୍ୟ ହେଲେ ମୌଲାନା ଆବୁଲ କାଲାମ ଆଜାଦ, ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ। ୧୯୫୬ ମସିହା ଜାନୁୟାରୀ ୨୨ ଓ ୨୩ରେ ଓଡ଼ିଶା ମିଶ୍ରଣ ଆନ୍ଦୋଳନ ଭୟଙ୍କର ରୂପ ନେଲା । ପୁଲିସ ଗୁଳିମାଡ଼ରେ ପୁରୀରେ ବେଙ୍ଗପାଣିଆ ଓ କଟକର ସୁନୀଲ ଦେ ଶହୀଦ ହେଲେ । ତଥାପି ଏହାର କୌଣସି ଫଳ ମିଳିଲାନାହିଁ । ଓଡ଼ିଆ ଅଞ୍ଚଳ ଅନ୍ୟ ରାଜ୍ୟରେ ସେହିଭଳି ମିଶି ରହିଛି ଆଜିଯାଏ।

୧୯୫୪ - ୨୦୦୦

[ସମ୍ପାଦନା]

ଭାରତର ଦ୍ୱିତୀୟ ରାଜ୍ୟ ଭାବରେ ଓଡ଼ିଶା ସରକାରୀ ଭାଷା ଆଇନ ୧୯୫୪ରେ ଲାଗୁ କଲା। ଏଥିପାଇଁ ୨ଟି କାରଣ ମୁଖ୍ୟତ ଦାୟୀ ଥିଲା। ସମ୍ବିଧାନର ୧୭ଶ ଭାଗ ଅନ୍ତର୍ଗତ ଧାରା ୩୪୫ ଅନୁସାରେ ଯେଉଁ ରାଜ୍ୟରେ ଭାଷା ଆଇନ ରହିଥିବ, ସେହି ରାଜ୍ୟରେ ଇଂରାଜୀ ଭାଷାରେ ଆଉ କାର୍ଯ୍ୟ ହୋଇପାରିବନାହିଁ। ଭାଷା ଆଇନ ନ କରିଥିବା ରାଜ୍ୟରେ ପୂର୍ବପରି ଇଂରାଜୀ ଭାଷାରେ ଶାସନ କାର୍ଯ୍ୟ ଚାଲିବ। ଅନ୍ୟ କାରଣ ହେଲା ୧.୧୦.୧୯୫୩ରେ ଭାଷାଭିତ୍ତିକରାଜ୍ୟ ଆନ୍ଧ୍ରପ୍ରଦେଶ ଗଠନ ହେବାପରେ ଭାରତର ଅନ୍ୟ ଅଞ୍ଚଳରେ ଭାଷାଭିତ୍ତିକ ରାଜ୍ୟଗଠନପାଇଁ ଆନ୍ଦୋଳନ ହେବାରୁ ୨୨.୧୨.୫୩ରେ କେନ୍ଦ୍ର ସରକାର ଓଡ଼ିଶାର ରାଜ୍ୟପାଳ ନ୍ୟାୟମୂର୍ତ୍ତୀ ଫଜଲ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ରାଜ୍ୟପୁନର୍ଗଠନ ଆୟୋଗ ଗଠନ କଲେ। ଆୟୋଗ ୩୦.୧୨.୫୪ରେ ନିଜ ରିପୋର୍ଟ ସରକାରଙ୍କୁ ସମର୍ପଣ କରିବା ପୂର୍ବରୁ ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ର କରିବାର ସୁଯୋଗ ଉପସ୍ଥିତ ଥିବାରୁ ଓଡ଼ିଆଙ୍କ ପ୍ରାଣରେ ଜାତୀୟତାଭାବ ସୃଷ୍ଟିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ୧୪ ଅକ୍ଟୋବର ୧୯୫୪ରେ ଓଡ଼ିଶା କାର୍ଯ୍ୟାଳୟ ଭାଷାଆଇନ-୧୯୫୪ ପ୍ରଣୟନ କଲେ। ଏହାର କାରଣ ଥିଲା ଓଡ଼ିଆଙ୍କ ଜାତୀୟତାବୋଧ ଅଭାବ ଯୋଗୁଁ ୬ ଫେବୃଆରି୧୯୫୪ରେ ଉତ୍କଳ ସମ୍ମିଳନୀର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ପ୍ରସଙ୍ଗରେ କଳାହାଣ୍ଡିରାଜା ପ୍ରତାପ କେଶରୀ ଦେବପଣ୍ଡିତ ଗୋଦାବରୀଶ ମିଶ୍ର ମାଡଖାଇବା ଘଟଣା। ଓଡ଼ିଶା ସରକାରୀ ଭାଷା ଆଇନ-୧୯୫୪ ଗୃହୀତ ହେବାପରେ ଓଡ଼ିଆ ସବୁ କ୍ଷେତ୍ରରେ ପ୍ରଚଳନ ହେବାର ବାଟ ଫିଟିଲା।

ଭାଷା ଆଇନ ସଂଶୋଧନ

[ସମ୍ପାଦନା]

ଭାରତର ପ୍ରଥମରାଜ୍ୟ ଭାବରେ ଓଡ଼ିଶା ଇଂରାଜୀଭାଷାକୁ ପ୍ରତ୍ୟାଖ୍ୟାନ କରି ୩ ଅଗଷ୍ଟ ୧୯୬୪ରେ ଓଡ଼ିଶା ସରକାରଙ୍କ ଘରୋଇ ବିଭାଗଦ୍ୱାରା ସରକାରୀ ସଂକେତ ଗୃହୀତ କରାଇଲେ। ଏଥିରେ “ଓଡ଼ିଶା ଶାସନ” ଓଡ଼ିଆ ଓ ନାଗରି ଲିପିରେ ଲେଖିବାଦ୍ୱାରା ରାଜ୍ୟସରକାର- ଓଡ଼ିଆରେ ସବୁକାମ କରିବାପାଇଁ ଯେ ବଦ୍ଧପରିକର, ତାହା ପୁଣିଥରେ ପ୍ରମାଣିତ ହେଲା।

ଭାରତର ଭାଷା ଆଇନ

[ସମ୍ପାଦନା]

ସାମ୍ବିଧାନିକ ନିୟମ ଅନୁସାରେ ଭାରତର କୌଣସି ଗୋଟିଏ ଭାଷା ରାଷ୍ଟ୍ରଭାଷା ହୋଇ ନ ଥିବାବେଳେ ଅଷ୍ଟମ ଅନୂସୂଚୀରେ ସ୍ଥାନୀତ ଭାରତୀୟ ଭାଷା କାର୍ଯ୍ୟାଳୟର ଭାଷା ଭାବରେ ଗୃହୀତ ହେଲା। ତେବେ ଆନ୍ତଃରାଜ୍ୟ ଓ କେନ୍ଦ୍ର ରାଜ୍ୟ ସମ୍ପର୍କପାଇଁ ସର୍ବଭାରତୀୟ ସ୍ତରରେ ପ୍ରଥମ କାର୍ଯ୍ୟାଳୟ ଭାଷା ହିନ୍ଦୀ ଓ ସହଯୋଗୀ ଭାଷା ଭାବରେ ଇଂରାଜୀକୁ ଗ୍ରହଣ କରାଗଲା। ସମ୍ବିଧାନ କାର୍ଯ୍ୟକାରି ହେବାର ୧୫ବର୍ଷପାଇଁ ଅସ୍ଥାୟୀ ଭାବରେ ଇଂରାଜୀକୁ ଭାରତର କାର୍ଯ୍ୟାଳୟର ଭାଷା ଭାବରେ ରଖାଯାଇଥିଲା। ମାତ୍ର ତାମିଲନାଡୁରେ ଏହାର ତୀବ୍ର ବିରୋଧ ତଥା ଇଂରାଜୀକୁ କେନ୍ଦ୍ର ସହିତ ଯୋଗାଯୋଗର ଭାଷା ଭାବରେ ରଖିବାର ଯିଦଖୋର ମନୋଭାବ ଫଳରେ କାର୍ଯ୍ୟାଳୟ ଭାଷା ଅଧିନିୟମ-୧୯୬୩ ଗୃହୀତ କରାଯାଇ ୧୯୬୫ ମସିହାରୁ ସର୍ବଭାରତୀୟ ସ୍ତରରେ ଇଂରାଜୀକୁ ସହଯୋଗୀ କାର୍ଯ୍ୟାଳୟଭାଷା ଭାବରେ ଗ୍ରହଣ କରାଗଲା। ପ୍ରଶାସନରେ ଓଡ଼ିଆ, ହିନ୍ଦୀ ଆଦି ୧୪ଟି ସାମ୍ବିଧାନିକ ଭାଷାକୁ ଗୁରୁତ୍ୱ ଦେବାପାଇଁ ଉଚ୍ଚଶିକ୍ଷା ବ୍ୟବସ୍ଥା ଇଂରାଜୀ ସହିତ ଏହିସବୁ ୧୪ଟି ଭାଷାରେ କରିବାକୁ କୋଠାରି କମିଶନଙ୍କ ପ୍ରସ୍ତାବକୁ୧୮.୧.୧୯୬୮ରେ ପାର୍ଲ୍ୟାମେଣ୍ଟ ଗୃହୀତ କଲା। ସଂଶୋଧିତ ଭାଷାଆଇନ୧୯୬୩ର ଧାରା-୩ ଅନୁସାରେ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଭାଷା କମିଟି ପ୍ରସ୍ତାବ ଅନୁସାରେ କାର୍ଯ୍ୟାଳୟ ଭାଷା ନିୟମାବଳୀ ୧୯୭୬ରେ ଗଠନ ହେଲା। ୧୯୭୯ରେ ସର୍ବଭାରତୀୟ ପ୍ରଶାସନିକ ସେବା ନିଯୁକ୍ତି ପରୀକ୍ଷା ସମସ୍ତ ସାମ୍ବିଧାନିକ ଭାଷାରେ ଆୟୋଜନ କରାଗଲା। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ରର ଏହି ନିଷ୍ପତ୍ତିକୁ ରାଜ୍ୟ ଗ୍ରହଣ କରିବାକୁ ବାଧ୍ୟ ଥିବାରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟ ୧୯୬୫ମସିହା ପୂର୍ବରୁ ନିଜନିଜ ବିଧାନ ସଭାରେ ଭାଷା ସଂଶୋଧନ ଆଇନ ଆଣି ପୁଣି ଥରେ ଇଂରାଜୀ ଭାଷାକୁ ରାଜ୍ୟ ଭାଷା ସହିତ କାର୍ଯ୍ୟାଳୟର ଭାଷା ଭାବରେ ଗୃହୀତ କରାଇଲେ। ଏହି ସମୟ ଭିତରେ କେତେକ ରାଜ୍ୟ ନିଜନିଜ ରାଜ୍ୟରେ ରାଜ୍ୟଭାଷା ଓ ଇଂରାଜୀ/ ହିନ୍ଦୀ ଭାଷାର ସୁଷମ ପ୍ରଚଳନପାଇଁ କେନ୍ଦ୍ରଢାଞ୍ଚାରେ ଭାଷାନିୟମାବଳି ପ୍ରଣୟନ କଲେ।

ଭାଷା ଆଇନ ସଂଶୋଧନ - ୧୯୮୫

[ସମ୍ପାଦନା]

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରପାଇଁ ୧୯୮୫ରେ ଏକ ସର୍ବେକ୍ଷଣ କରିଥିଲେ । ଏହି ସର୍ବେକ୍ଷଣ ଅନୁସାରେ ଏହା ୬୦ ପ୍ରତିଶତ ଥିଲା । ତାଙ୍କ ସରକାର ଶତ ପ୍ରତିଶତ କରିବାପାଇଁ ଓଡ଼ିଆ ଆଇନ - ୧୯୫୪ର ପ୍ରଥମ ସଂଶୋଧନ କରିଥିଲା । ତେବେ କେବଳ ଓଡ଼ିଆ ଟାଇପ ମେସିନ ପ୍ରସ୍ତୁତି ଓ କିଛି ଚିଠି ବ୍ୟତୀତ ଆଉ କିଛି କରିପାରି ନ ଥିଲେ । ପରେ ୧୯୮୯ ମସିହାରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଓଡ଼ିଆରେ ସରକାରୀ କାମ ପ୍ରାୟତଃ ବନ୍ଦ ହୋଇଯାଇଥିଲା । ୧୯୯୫ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ତୃତୀୟବାର ମୁଖ୍ୟମନ୍ତ୍ରୀ ହେବାପରେ ପୁନର୍ବାର ସର୍ବେକ୍ଷଣ କରିବା ପରେ ଜଣାପଡିଥିଲା ଯେ ଓଡ଼ିଆ ଭାଷାର ସରକାରୀ ସ୍ତରରେ ବ୍ୟବହାର ପୂର୍ବାପେକ୍ଷା ୧୦ ପ୍ରତିଶତ ହ୍ରାସ ହୋଇଥିଲା । ଏଥର ସେ ଓଡ଼ିଆରେ ସରକାରୀ କାମପାଇଁ ଚିଠି ଲେଖିବା ସହ ଓଡ଼ିଆରେ ଫାଇଲ ନ ଆସିଲେ ଫେରାଇ ଦେଉଥିଲେ ।

୨୦୦୦ – ୨୦୧୦

[ସମ୍ପାଦନା]

୨୦୦୦ ମସିହାରେ ସଢେଇକଳା ଓ ଖରସୁଆଁକୁ ଓଡ଼ିଶା ସହ ମିଶ୍ରଣ ପାଇଁ ଓଡ଼ିଶାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ସାକ୍ଷାତ କରି ଦାବି କରିଥିଲେ । ଏହାକୁ କେନ୍ଦ୍ର ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲା । ୨୦୦୪ ମସିହାରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଉଚ୍ଚଶିକ୍ଷା ବ୍ୟବସ୍ଥାରୁ "ଓଡ଼ିଆ ଓ ସାହିତ୍ୟ ବିଭାଗ" ଉଠାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଜନଅସନ୍ତୋଷକୁ ଭିତ୍ତି କରି ରାଜ୍ୟ ସରକାର ଉକ୍ତ ନିର୍ଦ୍ଦେଶ ପ୍ରତ୍ୟାହାର କରିଥିଲେ ଓ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ପ୍ରତିଷ୍ଠା କରିଥିଲେ ।

ଜନ ସମ୍ମିଳନୀ, ଓଡ଼ିଶା

[ସମ୍ପାଦନା]

ଓଡ଼ିଆ ଜାତୀୟତାବୋଧ ସୃଷ୍ଟି ପାଇଁ ଓଡ଼ିଆକୁ ଜ୍ଞାନ ଓ ବିକାଶର ଭାଷା ଭାବରେ ପ୍ରତିଷ୍ଠା କରିବା ଓ ଜମି, ଜଳ, ଜଙ୍ଗଲ ଓ ଖଣିଜ ସମ୍ପତ୍ତିର ସୁରକ୍ଷା ସହ ଏହା ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ଉଦ୍ଦେଶ୍ୟରେ ୨୦୦୯ ମାର୍ଚ୍ଚ ୨୧ ତାରିଖରେ "ଜନସମ୍ମିଳନୀ, ଓଡ଼ିଶା" ନାମକ ଏକ ସାମାଜିକ ଅନୁଷ୍ଠାନ ଗଠିତ ହୋଇଥିଲା । ଏହାର ପ୍ରଥମ ବୈଠକ ଭୁବନେଶ୍ୱରରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନଙ୍କୁ ନେଇ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ୨୦୦୯ ମାର୍ଚ୍ଚ ୨୯ ତାରିଖରେ ଅନୁଷ୍ଠିତ ହୋଇଥିଲା ।[୨୧][୨୨] ଏହି ଆଲୋଚନାରେ ଓଡ଼ିଆର ଶାସ୍ତ୍ରୀୟ ମାନ୍ୟତା ଦାବି ମାଧ୍ୟମରେ ଓଡ଼ିଆ ଆନ୍ଦୋଳନର ପୁନଃପ୍ରତିଷ୍ଠା କରାଯିବ ବୋଲି ନିଷ୍ପତ୍ତି ନିଆଗଲା ।

୨୦୧୦ – ୨୦୧୫

[ସମ୍ପାଦନା]

ଓଡ଼ିଶା ସଚିବାଳୟବିଧାନ ସଭାରେ ଓଡ଼ିଆ ଭାଷାର ପ୍ରଚଳନ ହେଉ ନ ଥିବାରୁ ଜନସଚେତନା ଆରମ୍ଭ ହୋଇଥିଲା । ଓଡ଼ିଆରେ ପ୍ରକାଶିତ ରାଜ୍ୟର ପ୍ରାୟ ସବୁ ଖବରକାଗଜରେ ଇଂରାଜୀ ଭାଷାର ବିଜ୍ଞାପନ, ଓଡ଼ିଆ ଭାଷାଭାଷୀ ଲୋକଙ୍କଦ୍ୱାରା ଓଡ଼ିଆ ଭାଷା ଓଡ଼ିଆରେ ପାଠ ପଢ଼ିବା ପାଇଁ ଓ ପଢ଼ାଇବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କର ଅଭାବ, ଓଡ଼ିଆ ଟେଲିଭିଜନରେ ପ୍ରଦର୍ଶିତ ଅନେକ କାର୍ଯ୍ୟକ୍ରମର ଇଂରାଜୀ/ହିନ୍ଦୀ ନାମ, ଓଡ଼ିଆ ସିନେମା ଓ ଟେଲିଭିଜନର ବିଷୟବସ୍ତୁରେ ସଂପୂର୍ଣ୍ଣ ଅଣଓଡ଼ିଆ ଲୋକଙ୍କ ଜୀବନଶୈଳୀ ଓ ସଂସ୍କୃତିର ବର୍ଣ୍ଣନା ଆଦିକୁ ଆଧାର କରି ଏହି ଆଲୋଚନାସବୁ ଆରମ୍ଭ ହୋଇଥିଲା ଓ ଏହାର ନେତୃତ୍ୱକାରୀମାନେ ୧୯୩୬ର ଆନ୍ଦୋଳନ ଭଳି ଭାଷା ଆନ୍ଦୋଳନ ନାମ ଦେଇଥିଲେ । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତା ମିଳିବା, ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ କ୍ଲାସିକାଲ ଓଡ଼ିଆ ସଂସ୍ଥା ଗଠନ ତଥା ଓଡ଼ିଶା ସରକାରୀ ଭାଷା ଆଇନ ୧୯୫୪ର ପ୍ରଥମ ସଂଶୋଧନ କରାଯାଇଥିଲା ।

ଏକ "ଓଡ଼ିଆ ଭାଷା ଆନ୍ଦୋଳନ" ଜନସଭା

ଓଡ଼ିଆରେ ସରକାରୀ କାମ, ଓଡ଼ିଶାର ସମସ୍ତ ନିଯୁକ୍ତି ପରୀକ୍ଷା ଓଡ଼ିଆରେ କରିବା, ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଅନ୍ୟ ଭାରତୀୟ ଭାଷା ଭଳି ଓଡ଼ିଆରେ କରିବା ଆଦି ଦାବି ନେଇ ଓଡ଼ିଆ ଭାଷା ସୁରକ୍ଷା ଅଭିଯାନ ନାମରେ ୧୦ଟି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ମିଳିତ ମଞ୍ଚ ଗଠନ କରାଯାଇଥିଲା । ଏଥି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ଏହା ଆଜି ପର୍ଯ୍ୟନ୍ତ ବିଚାରାଧୀନ[୨୩]

ଓଡ଼ିଆର ଶାସ୍ତ୍ରୀୟ ମାନ୍ୟତା ପାଇଁ ୨୦୧୦ ମସିହାରୁ ଆରମ୍ଭ କରି ବିଭିନ୍ନ ରଚନା ଓ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା । ୨୦୧୧ ଅଗଷ୍ଟ ୨୨ ତାରିଖରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଏକ ଭାଷା କମିଟି ଗଠନ କରିଥିଲେ । ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ସଂସଦରେ ଏ ବାବଦରେ ପ୍ରଶ୍ନ ଉଠାଇଥିଲେ ଓ ପରେ ୨୦୧୩ ଫେବୃଆରି ୨ ତାରିଖରେ ଏକ ଆଠ ଜଣିଆ କମିଟି ଗଠିତ ହୋଇଥିଲା । ଏହି କମିଟିର ୨୦୧୩ ଫେବୃଆରି ୧୬ ତାରିଖ ଓ ୨୦୧୩ ମାର୍ଚ୍ଚ ୨୦ ତାରିଖ ବୈଠକ ବିବରଣୀ ଅନୁସାରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାଦ୍ୱାରା ପ୍ରସ୍ତୁତ ଭିତ୍ତିପତ୍ରକୁ କମିଟି ଶାସ୍ତ୍ରୀୟତାପାଇଁ ପ୍ରସ୍ତୁତ ମୂଳ ଭିତ୍ତିପତ୍ର ଭାବରେ ଗ୍ରହଣ କରିଥିଲା। ୩୦ ମାର୍ଚ୍ଚ ୨୦୧୩ ସୁଦ୍ଧା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲେ ମଧ୍ୟ ଶେଷରେ ଏହା ମଇ ମାସ ୩୧ ତାରିଖରେ ପ୍ରଦାନ କରାଗଲା।[୨୪]

ଓଡ଼ିଆର ଶାସ୍ତ୍ରୀୟ ମାନ୍ୟତା, ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ କ୍ଲାସିକାଲ ଓଡ଼ିଆ ସଂସ୍ଥା ପ୍ରତିଷ୍ଠା ତଥା ଓଡ଼ିଆକୁ ଜ୍ଞାନ ଓ ବିକାଶର ଭାଷା ଭାବରେ ପ୍ରତିଷ୍ଠା କରିବାପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କମିଟିର[୨୫] ନିର୍ଦ୍ଦେଶକ୍ରମେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ୨୦୧୧ରେ ପଞ୍ଜିକୃତ ହୋଇଥିଲା । ଏହି ସଂସ୍ଥା ଏକ ଭିତ୍ତିପତ୍ର ପ୍ରସ୍ତୁତ କରି[୨୬][୨୭] ଓଡ଼ିଶା ସରକାରଙ୍କୁ ବେସରକାରୀ ଭାବେ କିମ୍ବା ସହଭାଗିତା ଭିତ୍ତିରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବ ଦେଇଥିଲା ।[୨୮]

ଓଡ଼ିଆ ବିଶ୍ୱବିଦ୍ୟାଳୟ ବିଲ

[ସମ୍ପାଦନା]

ଓଡ଼ିଆ ମାଧ୍ୟମରେ ଉଚ୍ଚଶିକ୍ଷାର ବହୁଳ ପ୍ରଚଳନପାଇଁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ବିଧାୟିକା ସିପ୍ରା ମଲ୍ଲିକ ଓଡ଼ିଶା ବିଧାନ ସଭାରେ "ଓଡ଼ିଆ ବିଶ୍ୱବିଦ୍ୟାଳୟ ବିଲ" ଉପସ୍ଥାପନ କରିଥିଲେ । ୨୦୧୩ ଜୁଲାଇ ୨୩ ତାରିଖରେ ଓଡ଼ିଆ ଶାସ୍ତ୍ରୀୟତାର ପ୍ରଥମ ଯୋଗ୍ୟତା ହାସଲ କରିବା ପରେ ୨୦୧୪ ମସିହାର ସାଧାରଣ ନିର୍ବାଚନୀ ଇସ୍ତାହାରରେ ସମସ୍ତ ରାଜନୈତିକ ଦଳ ଏହାକୁ ପ୍ରତିଷ୍ଠା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ୨୦୧୭ ଅଗଷ୍ଟ ୧୮ରେ ଓଡ଼ିଶା ସରକାର "ଓଡ଼ିଆ ବିଶ୍ୱବିଦ୍ୟାଳୟ ବିଲ୍ ୨୦୧୭" ବିଧାନ ସଭାରେ ଗୃହୀତ କଲେ ।[୨୯][୩୦][୩୧][୩୨][୩୩]

ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ୨୦୧୨ ଫେବୃଆରି ୩୦ ତାରିଖରେ ପ୍ରଥମ କରି ସଂସଦରେ ପ୍ରଶ୍ନ ଉଠାଇଥିଲେ । ଏହାପରେ ଶେକ ମତଲୁବ ଅଲ୍ଲୀଙ୍କଦ୍ୱାରା ୨୦୧୨ ଜୁନ ୭ ତାରିଖରେ ଆୟୋଜିତ ଆଲୋଚନାଚକ୍ରରେ ଶିକ୍ଷାବିତ, ସାହିତ୍ୟିକ, ରାଜନେତା, ସାମ୍ବାଦିକଗଣ ଉପସ୍ଥିତ ରହି ଶାସ୍ତ୍ରୀୟ ଓଡ଼ିଆ କ୍ରିୟାନୁଷ୍ଠାନ କମିଟି ଗଠନ କରିଥିଲେ । [୩୪]

ମନ୍ତ୍ରୀସ୍ତରୀୟ କମିଟି ଗଠନ

[ସମ୍ପାଦନା]

ଓଡ଼ିଆ ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା ଭାବରେ କେନ୍ଦ୍ର ସରକାରଙ୍କ ରାଜପତ୍ରରେ ୨୦୧୪ ମାର୍ଚ୍ଚ ୧୧ ତାରିଖରେ ଘୋଷଣା ହୋଇଥିଲା । ଏହା ପରେ ଓଡ଼ିଆ ଭାଷାର ବିକାଶପାଇଁ ୨୭ଟି ଅନୁଷ୍ଠାନ "ଭାଷା ସଂଗ୍ରାମ ସମିତି" ଗଠନ କରିଥିଲେ। ଓଡ଼ିଆକୁ ଶାସନର ଭାଷା କରିବାପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ତିଆରି ହୋଇଥିଲା ।[୩୫] ସରକାରଙ୍କ ଭାଷା ପରାମର୍ଶଦାତା ଭାବେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଅଧ୍ୟକ୍ଷ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ମନୋନୀତ କରାଗଲା।[୩୬][୩୭] କମିଟିର ପ୍ରଥମ ବୈଠକ ୨୦୧୫ ଅଗଷ୍ଟ ୧ ତାରିଖରେ ସଚିବାଳୟ ପ୍ରକୋଷ୍ଠରେ ବସିଥିଲା । ଏହି ବୈଠକରେ ଏହି ସମିତିର ଦାବି ସରକାର ଗ୍ରହଣ କରିବା ସହିତ ପର୍ଯ୍ୟାୟ କ୍ରମେ ଏସବୁ କାର୍ଯ୍ୟକାରି କରିବାପାଇଁ ବୈଠକଗୁଡ଼ିକରେ ଆଲୋଚନା କରାଯିବ ଏବଂ ଅଧିକ ମତ ଏକ ୱେବସାଇଟ[୩୮] ଖୋଲାଯାଇ ତା' ମାଧ୍ୟମରେ ନିଆଯିବାପାଇଁ ନିଷ୍ପତ୍ତି ନିଆଗଲା । ଏଥି ସହିତ ଏକ ସ୍ୱତନ୍ତ୍ର ଭାଷାନୀତି ପ୍ରସ୍ତୁତ କରିବାପାଇଁ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଗଲା । ପରେ ୨୦୧୫ ନଭେମ୍ବର ୫, ୨୦୧୫ ନଭେମ୍ବର ୨୧, ୨୦୧୬ ଜାନୁଆରୀ ୬ ତାରିଖ ଓ ୨୦୧୬ ଅପ୍ରେଲ ୨୫ ତାରିଖରେ କମିଟି ବୈଠକ ବସି ଓଡ଼ିଆ ସରକାରୀ ଭାଷା ଅଧିନିୟମ ୧୯୫୪ ସଂଶୋଧନ ଓ ସରକାରୀ କାମ ଓଡ଼ିଆରେ କରିବା, ମଡେଲ ସ୍କୁଲର ଶିକ୍ଷା ମାଧ୍ୟମ ଓଡ଼ିଆ ହେବା, ଓଡ଼ିଆ ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି, ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଦି ବିଷୟରେ ନିଷ୍ପତ୍ତି ନିଆଗଲା । ୨୦୧୫ ଡିସେମ୍ବର ୧୭ ତାରିଖରେ ନବୀନ ପଟ୍ଟନାୟକ ସଚିବ ସ୍ତରୀୟ ବୈଠକ ପରେ ଓଡ଼ିଆପାଇଁ ୧୪ ସୂତ୍ରୀ କାର୍ଯ୍ୟକ୍ରମ ଘୋଷଣା କଲେ । ୨୦୧୬ ସେପ୍ଟେମ୍ବର ୨୯ ତାରିଖରେ ଓଡ଼ିଶା ବିଧାନ ସଭାରେ ଓଡ଼ିଆ ଆଇନ (ସଂଶୋଧନ) ୧୯୫୪ ବହୁମତରେ ଗୃହୀତ ହେଲା।[୩୯][୪୦]

୨୦୧୬ - ୨୦୨୧

[ସମ୍ପାଦନା]

ଓଡ଼ିଆରେ ସରକାରୀ କାର୍ଯ୍ୟ କରିବା ପାଇଁ ଭୁବନେଶ୍ୱରରେ ୨୦୧୬ ଅପ୍ରେଲ ୧ ତାରିଖ ଓ ତାହା ପରେ କଳାପତାକା ପ୍ରଦର୍ଶନ ଓ ସାଧାରଣ ସଭା ଆଦି ହୋଇଥିଲା ।[୪୧][୪୨] [୪୩] ମନ୍ତ୍ରୀସ୍ତ୍ରରୀୟ କମିଟିର ୪ର୍ଥ ବୈଠକ ୨୦୧୬ ଅପ୍ରେଲ ୨୫ ତାରିଖରେ ଅନୁଷ୍ଠିତ ହୋଇ ଓଡ଼ିଆ ଭାଷାକୁ କେବଳ ଶାସନ ଓ ପ୍ରଶାସନର ଭାଷା ନୁହେଁ, ରୋଜଗାର ଓ ଜ୍ଞାନବିଜ୍ଞାନର ଭାଷା ଭାବରେ ପ୍ରତିଷ୍ଠିତ କରିବାପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟକୁ ଆଗେଇବା, ମଡେଲ ସ୍କୁଲ ଶିକ୍ଷା ମାଧ୍ୟମ ଓଡ଼ିଆରେ କରିବା, ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଓଡ଼ିଆ ଏକ ବାଧ୍ୟତାମୂଳକ ବିଷୟ ଭାବରେ ଗ୍ରହଣ କରାଯିବା, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନିଯୁକ୍ତ ଶିକ୍ଷକମାନଙ୍କ ଭାଷା ସମ୍ପର୍କୀତ ଗୁଣାତ୍ମକ ଶୈକ୍ଷିକ ବିକାଶପାଇଁ ବୈଷୟିକ ତାଲିମ ସହିତ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଶିକ୍ଷକ ନିଯୁକ୍ତି କରିବା, ଓଡ଼ିଆରେ ଶାସନର ମୌଳିକ ସମସ୍ୟା ଦୂରପାଇଁ ରାଜ୍ୟର ସମସ୍ତ ନିଯୁକ୍ତିଭିତ୍ତି ପରୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଓଡ଼ିଆରେ କରାଯିବା, ପ୍ରତିବର୍ଷ ଭାଷାପକ୍ଷ, ଭାଷା ସପ୍ତାହ ପାଳନ ଆଦି ନିଷ୍ପତ୍ତି ନିଆଯାଇଥିଲା ।[୪୪]। ଏହି ପ୍ରସ୍ତାବକୁ ୨୪ ମଇ ୨୦୧୬ ତାରିଖ[୪୫] । ୨୦୧୬ ଅଗଷ୍ଟ ୧୨ ତାରିଖରେ ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକ ଅନୁମୋଦନ କରିବାରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା [୪୬] ସହିତ ୧୯୫୪ ମସିହାରୁ ପ୍ରଚଳିତ ଓଡ଼ିଆ ସରକାରୀ ଭାଷା ଆଇନକୁ ସଂଶୋଧନ କରି ୨୦୧୬ ମଇ ୨୧ ତାରିଖରେ ଗୃହୀତ ଅଧ୍ୟାଦେଶକୁ ଆଇନରେ ପରିଣତ କରିବାପାଇଁ ବାଟ ଫିଟିଥିଲା ।[୪୭] । ଏହାପରେ ଗତ ୨୦୧୬ ସେପ୍ଟେମ୍ବର ୨୯ ତାରିଖରେ ଓଡ଼ିଶା ବିଧାନ ସଭାରେ ଓଡ଼ିଆ ଆଇନ (ସଂଶୋଧନ) ୧୯୫୪ ବହୁମତରେ ଗୃହୀତ ହେଲା[୪୮] [୪୯]। ଏହି ଅଧିନିୟମରେ ଓଡ଼ିଆରେ କାର୍ଯ୍ୟ କରିବାପାଇଁ ସମୀକ୍ଷା ବ୍ୟବସ୍ଥା ରହିଲା । ତେବେ ଏହା କାର୍ଯ୍ୟକ୍ଷମ ହେଉ ନ ଥିବାରୁ ସଭାମାନ ହୋଇ ଆଲୋଚନା ହୋଇଥିଲା ।[୫୦][୫୧]

ଓଡ଼ିଆ ଭାଷାରେ ନାମଫଳକ

[ସମ୍ପାଦନା]

ଓଡ଼ିଶା ରାଜ୍ୟରେ ଥିବା ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନଗୁଡିକରେ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ କରିବାକୁ ବାଧ୍ୟ କରିବାପାଇଁ ଏବଂ ଏଥିରେ ଖିଲାପ କଲେ ଦଣ୍ଡବିଧାନ କରିବାପାଇଁ ଓଡ଼ିଶା ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬ ସଂଶୋଧନ କରାଗଲା[୫୨] | ଉକ୍ତ ସଂଶୋଧନ ଅନୂଯାୟୀ, ୧ . ପ୍ରତିଷ୍ଠାନ ସାମନାରେ ନାମ ଫଳକରେ ପ୍ରତିଷ୍ଠାନର ନାମ ଯଦି ଅନ୍ୟ କୌଣସି ଭାଷାରେ ଲେଖାଯାଇଥାଏ , ତେବେ ତାହା ସହିତ ଓଡ଼ିଆ ଭାଷାରେ ସୁସ୍ପଷ୍ଟ ଭାବେ ଲେଖାଯାଇ ପ୍ରଦର୍ଶିତ କରାଯିବ | ୨ . ଯଦି କୌଣସି ବ୍ୟକ୍ତି ଏହି ଅଧିନିୟମର କୌଣସି ବ୍ୟବସ୍ଥାର ଉଲ୍ଲଙ୍ଘନ କରନ୍ତି ତେବେ ସେ ଦୋଷୀ ସାବ୍ୟସ୍ତ ହେଲେ ପ୍ରଥମ ଥର ଅପରାଧ ନିମନ୍ତେ ଅନ୍ୟୁନ ଏକ ହଜାର ଓ ସର୍ବାଧିକ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ଦ୍ୱିତୀୟ ପରବର୍ତ୍ତୀ ଅପରାଧ ନିମନ୍ତେ ଅନ୍ୟୁନ ଦୁଇ ହଜାର ଓ ସର୍ବାଧିକ କୋଡିଏ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ଦଣ୍ଡିତ ହେବେ |


  1. Ravi Kalia (1994). Bhubaneswar: From a Temple Town to a Capital City. SIU Press. pp. 45–. ISBN 978-0-8093-1876-6.
  2. Bandita Devi (1 January 1992). Some Aspects of British Administration in Orissa, 1912-1936. Academic Foundation. pp. 214–. ISBN 978-81-7188-072-0.
  3. Nivedita Mohanty (1982). Oriya Nationalism: Quest for a United Orissa, 1866-1936. Manohar.
  4. Prakash Chandra Panda (1 January 1984). British administration in Orissa, 1912-1936. Inter-India Publications.
  5. "ଓଡ଼ିଶା ପ୍ରଶାସନିକ ଭାଷା ଅାଇନ-୧୯୫୪ (ଓଡ଼ିଆ)" (PDF). ସାଧାରଣ ପ୍ରଶାସନ ବିଭାଗ, ଓଡ଼ିଶା ସରକାର. Archived from the original (PDF) on 2016-09-09. Retrieved 2016-11-21.
  6. "ଓଡ଼ିଆ ଅଧିନିୟମ-୧୯୫୪(ଇଂରାଜୀ)" (PDF). ସାଧାରଣ ପ୍ରଶାସନ ବିଭାଗ, ଓଡ଼ିଶା ସରକାର. Archived from the original (PDF) on 2016-09-09. Retrieved 2016-11-21.
  7. "ପରବର୍ତ୍ତୀ ନିର୍ଦ୍ଦେଶନାମା". ସାଧାରଣ ପ୍ରଶାସନ ବିଭାଗ, ଓଡ଼ିଶା ସରକାର. Archived from the original on 2016-10-29. Retrieved 2016-11-21.
  8. ମାନସିଂହ, ମାୟାଧର. ଓଡ଼ିଆ ସାହିତ୍ୟର ଇତିହାସ. ନୂଅାଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ.
  9. ଦାସ, ଜନାର୍ଦ୍ଦନ (1870). "ପ୍ରେରିତ ପତ୍ର". ଉତ୍କଳ ଦୀପିକା. (୪୦): ୧୫୭.
  10. ଆଧୁନିକ ଓଡ଼ିଆ ସାହିତ୍ୟ: ବିକାଶର ପୃଷ୍ଠଭୂମି (୧୯୭୯). ଗଞ୍ଜାମରୁ ଦୁଇଟି ପ୍ରେରିତ ପତ୍ର (୧ମ ed.). ନଟବର ସାମନ୍ତରାୟ. p. ୧୫୨-୧୫୮.
  11. ପୃଷ୍ଟି, ସୁବ୍ରତ କୁମାର. "ଓଡ଼ିଆ ଭାଷାର ପ୍ରଥମ ସହୀଦ" (PDF). ଓଡ଼ିଶା ସରକାର. Archived (PDF) from the original on 2020-11-25. Retrieved 2017-11-02.
  12. ପୃଷ୍ଟି, ସୁବ୍ରତ କୁମାର. ଭାଷା ଓ ଜାତୀୟତା. ବିଦ୍ୟାଧରପୁର: ଲେଖକ. p. 112. ISBN 978-81-921406-2-9. Archived from the original on 2015-10-18. Retrieved 2016-11-06.
  13. ପୃଷ୍ଟି, ସୁବ୍ରତ କୁମାର. "ଓଡ଼ିଆଭାଷାର ପ୍ରଥମ ସହିଦ" (PDF). ଉତ୍କଳ ପ୍ରସଙ୍ଗ. 73 (9): 44-48. Archived (PDF) from the original on 2020-11-25. Retrieved 2017-11-02.
  14. Prusty, Subrat Kumar (2010). ଭାଷା ଓ ଜାତୀୟତା (1st ed.). p. 90.
  15. ପୃଷ୍ଟି, ସୁବ୍ରତ କୁମାର. ଭାଷା ଓ ଜାତୀୟତା, ପ୍ରଥମ ପ୍ରକାଶ ୨୦୧୦. ଲେଖକ. p. ୧୧୨. ISBN 978-81-921406-2-9.
  16. ସୁବ୍ରତ କୁମାର ପୃଷ୍ଟି. ଓଡ଼ିଆ ଭାଷା ସାହିତ୍ୟ ପରିଚୟ (ଦ୍ୱିତୀୟ ସଂସ୍କରଣ ed.). କଟକ: ଏ.କେ. ମିଶ୍ର ପବ୍ଲିର୍ଶସ ପ୍ରାଇଭାଟ ଲିମିଟେଡ. p. 226-230. ISBN 978-81921347-1-0.
  17. ଆଚାର୍ଯ୍ୟ, ପ୍ରୀତିଶ. ଓଡ଼ିଶା ଇତିହାସ, ଦ୍ୱିତୀୟ ପୁନର୍ମୁଦ୍ରଣ : ଫେବୃଆରୀ, ୨୦୧୪. ଭୁବନେଶ୍ୱର: ଆମ ଓଡ଼ିଶା. p. 227. ISBN 81-89436-12-0.
  18. ପ୍ରବୋଧ କୁମାର ମିଶ୍ର. ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ. pp. ପୃ - ୬୫.
  19. "Parliamentary Debate 'House of Lords'". No - 4. Vol–II. 2 Dec 1912. {{cite journal}}: |volume= has extra text (help); Cite journal requires |journal= (help)
  20. "EXTRACT FROM THE SECRETARY OF STATE'S SPEECH". 24 Dec 1932. {{cite journal}}: Cite journal requires |journal= (help)
  21. ସମାଜ, ନିଜ ପ୍ରତିନିଧିଙ୍କଠାରୁ (୩୧. ୩ .୨୦୯୯). "ଓଡ଼ିଆଭାଷା, ସାହିତ୍ୟ, ଓ ସଂସ୍କୃତିର ସୁରକ୍ଷା ନେଇ ଜନ ସମ୍ମିଳନୀରେ ଗୁରୁତ୍ୱ ଆରୋପ". {{cite news}}: Check date values in: |date= (help)
  22. ଦୈନିକ ପର୍ଯ୍ୟବେକ୍ଷକ, ନିଜ ପ୍ରତିନିଧିଙ୍କଠାରୁ (୩୦. ୩. ୨୦୦୯). "ଓଡ଼ିଆତ୍ୱର ଉନ୍ମେଷପାଇଁ ଏକ ନିଷ୍ଠାପର ଉଦ୍ୟମ ଲୋଡା". p. 11. {{cite news}}: Check date values in: |date= (help)
  23. PATNAIK, LALMOHAN (16 April 2013). "Odia plea back in HC". The Telegraph. Archived from the original on 17 July 2021. Retrieved 17 July 2021.
  24. ପୃଷ୍ଟି, ସୁବ୍ରତ କୁମାର. "ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା: ଦାବି ନୁହେଁ ଅଧିକାର" (PDF). ଉତ୍କଳ ପ୍ରସଙ୍ଗ. ସ୍ୱତନ୍ତ୍ର ସଂଖ୍ୟା. ୭୦: ୮୪. Archived (PDF) from the original on 2020-11-25. Retrieved 2017-11-04.
  25. Singh, Minati (11/7/2011). "Language Versity on the Cards". Times of India. p. 2. {{cite news}}: Check date values in: |date= (help)
  26. "ଶାସ୍ତ୍ରୀୟମାନ୍ୟତାପାଇଁ ସଂସ୍କୃତି ବିଭାଗକୁ ଭିତ୍ତିପତ୍ର". ସମାଜ. ୨୮/୧୨/୨୦୧୨. {{cite news}}: Check date values in: |date= (help)
  27. "ଶାସ୍ତ୍ରୀୟମାନ୍ୟତାପାଇଁ ଭିତ୍ତିପତ୍ର ପ୍ରସ୍ତୁତି". ସମାଜ. ୨୩/୦୨/୨୦୧୩. {{cite news}}: Check date values in: |date= (help)
  28. "ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା". ସମାଜ. ୧୯/୧୨/୨୦୧୨. {{cite news}}: Check date values in: |date= (help)
  29. "ASSEMBLY PASSES ODIA UNIVERSITY BILL". Archived from the original on 2020-08-10. Retrieved 2017-11-03.
  30. "Odisha passes bill for setting up first Odia language university". Archived from the original on 2017-10-20. Retrieved 2017-11-03.
  31. "Odisha Assembly passes bill to set up Odia University". Archived from the original on 2017-10-11. Retrieved 2017-11-03.
  32. "Odisha Assembly passes Odia University Bill, 2017".
  33. "ODIA UNIVERSITY ACT-2017" (PDF). Archived from the original (PDF) on 2018-07-28. Retrieved 2018-06-17.
  34. Debi Prasanna Pattanayak, Subrat Kumar Prusty (2013). CLASSICAL ODIA. KIIS Foundation,New Delhi. ISBN 978-81-925616-3-9.
  35. "ବୈଠକ ବିବରଣୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ" (PDF). ଓଡ଼ିଶା ସରକାର. Archived from the original (PDF) on 2022-06-17. Retrieved 2016-11-13.
  36. "ମନ୍ତ୍ରୀସ୍ତରୀୟ କମିଟି ଗଠନ". ସାଧାରଣ ପ୍ରଶାସନ ବିଭାଗ, ଓଡ଼ିଶା ସରକାର. Archived from the original on 2016-10-29. Retrieved 2016-11-13.
  37. "ଆଠଦିନ ପରେ ଭାଙ୍ଗିଲା ଅନଶନ". ପ୍ରମେୟ. ୯ ଜୁଲାଇ ୨୦୧୫. {{cite news}}: Check date values in: |date= (help)
  38. "ଓଡ଼ିଆରେ ଶାସନ". Government of Odisha. Archived from the original on 2016-11-03. Retrieved 2016-11-13.
  39. "Odisha official language act to be amended". Times of India. Archived from the original on 2016-08-14. Retrieved 2017-11-04.
  40. "Odisha Official Language (Amendment) Rule, 2016 passed in". indiatoday.
  41. "କଳାପତାକା ଧରି ଚାଲିଲେ ବୁଦ୍ଧିଜୀବୀ". ସମ୍ବାଦ. ୧୪ ଅପ୍ରେଲ ୨୦୧୬. {{cite news}}: Check date values in: |date= (help)
  42. "ସମାଜ ତା ୨ମଇ୨୦୧୬". ସମାଜ.[permanent dead link]
  43. "କଟକରେ ଯୋର ଧରିଲା ଭାଷା ଆନ୍ଦୋଳନ". ସମ୍ବାଦ. ୩ ମଇ ୨୦୧୬. {{cite news}}: Check date values in: |date= (help)
  44. "କାର୍ଯ୍ୟକ୍ଷମ ହେବ ଓଡ଼ିଆ ସରକାରୀ ଭାଷା ଆଇନ". The Samaja. 26.4.2016. Retrieved 6 November 2016. {{cite news}}: Check date values in: |date= (help)[permanent dead link]
  45. "Odia must for official communication in the state of Odisha". The Indian Express Dt. 25 may 2016. Archived from the original on 25 December 2016. Retrieved 21 November 2016.
  46. "ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି". ସଞ୍ଚାର. 13.8.2016. {{cite news}}: Check date values in: |date= (help)
  47. "ଆଜିଠୁ ଓଡ଼ିଆରେ ଶାସନ". ପ୍ରମେୟ. 13.8.2016. Retrieved 6 November 2016. {{cite news}}: Check date values in: |date= (help)[permanent dead link]
  48. "ଓଡ଼ିଶାସରକାରୀ ଭାଷା ବିଲ ପାସ୍". ପ୍ରମେୟ. ୨୯.୯.୨୦୧୬. Retrieved 6 November 2016. {{cite news}}: Check date values in: |date= (help)[permanent dead link]
  49. "ଓଡ଼ିଆ ସରକାରୀ ଭାଷା ( ସଂଶୋଧିତ) ବିଧେୟକ ପାରିତ". ସମାଜ. ୨୯.୯.୨୦୧୬. Retrieved 6 November 2016. {{cite news}}: Check date values in: |date= (help)[permanent dead link]
  50. "ଓଡ଼ିଆ ଭାଷା ସୁରକ୍ଷାପାଇଁ ଶୋଭାଯାତ୍ରା". ସମାଜ. ୧୭ ଅକ୍ଟୋବର ୨୦୧୬. {{cite news}}: Check date values in: |date= (help)[permanent dead link]
  51. "ଗାନ୍ଧୀ ଜୟନ୍ତୀରେ ଶାସ୍ତ୍ରୀୟ ଓଡ଼ିଆ କ୍ରିୟାନୁଷ୍ଠାନ କମିଟିର ଗଣ ସତ୍ୟାଗ୍ରହ : ଭାଷାପାଇଁ ନଭେମ୍ବର ୧୯ରୁ ଆନ୍ଦୋଳନ". ସମ୍ବାଦ. 3.10.2016. Archived from the original on 6 October 2016. Retrieved 6 November 2016. {{cite news}}: Check date values in: |date= (help)
  52. ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ସରକାର. "ଓଡ଼ିଶା ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬". Archived from the original on 2021-07-17. Retrieved 2021-07-17.