ଲକ୍ଷ୍ମଣ ନାୟକ

ଉଇକିପିଡ଼ିଆ‌ରୁ

ଲକ୍ଷ୍ମଣ ନାୟକ

ସହୀଦ ଲକ୍ଷ୍ମଣ ନାୟକ ୨୨ ନଭେମ୍ବର ୧୮୯୯ ମସିହାରେ କୋରାପୁଟ ଜିଲ୍ଲାର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଏବଂ ୨୯ ମାର୍ଚ୍ଚ ୧୯୪୩ ମସିହାରେ ତାଙ୍କର ତିରୋଧାନ ଘଟିଥିଲା ।

ଡାକ ଟିକଟ ରେ ସହିଦ୍ ଲକ୍ଷ୍ମଣ ନାୟକ


ପିତା ପଦଲାମ ନାୟକ ଓ ମାତା ସମାରି ନାୟକ ଥିଲେ । ସହୀଦ ଲକ୍ଷ୍ମଣ ନାୟକ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ନାୟକ ଓ ସାନଭାଇ ଧନ ନାୟକ । ତାଙ୍କ ପିତା ପଦଲାମ ନାୟକ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ସେମାନଙ୍କ ଜୀବିକା । ସମୟ କ୍ରମେ ପ୍ରଜାଙ୍କ ସେବା ମନ ଭାବନା ଦେଖି ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ କୋରାପୁଟ ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ରୁ ୧୯୨୦) ମୁସ୍ତାଦାର ବା ନାୟକ ପଦରେ ନିଯୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା, ସାନଗୁମ୍ମା, ବେଜୁଣୀଗୁଡା, ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ କରିବା ।


ସଂକ୍ଷିପ୍ତ ବ୍ୟକ୍ତିଗତ ଜୀବନ:

ସେ ଥିଲେ ଓଡ଼ିଶାର ଜଣେ ଅଗ୍ରଣି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ । ତେନ୍ତୁଲିଗୁମ୍ମା ଆଦିବାସୀଙ୍କ ଇଲାକା ହୋଇଥିବାରୁ ଆଦିବାସୀ ପାଇଁ ସେ ମାଲକାନାଗିରି ଅବା ଅବିଭକ୍ତ କୋରାପୁଟ ଜିଲ୍ଲାର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ । ସେ ରହୁଥିବା ନିକଟରେ କୌଣସି ବିଦ୍ୟାଳୟ ନ ଥିବାରୁ କୋଲାବ ନଦୀ କୁଳର ବାଲିପଠାକୁ ସିଲଟ ଭାବରେ ବ୍ୟବହାର କରି ପିତା ପଦଲାମ ନାୟକଙ୍କଠାରୁ ଅକ୍ଷର ଶିକ୍ଷା କରିଥିଲେ ସହୀଦ ଲକ୍ଷ୍ମଣ ନାୟକ । ତେନ୍ତୁଲିଗୁମ୍ମାର ଲୋକମାନେ ଓଡ଼ିଆ, ଦେଶିଆ, ପରଜା, ଗାଦବା ଭାଷା ମିଶାମିଶି ଭାଷା କହୁଥିଲେ । ଲକ୍ଷ୍ମଣ ନାୟକ ଉଭୟ ଓଡ଼ିଆ, ଦେଶିଆ ଓ ପରଜା ଭାଷା କହିପାରୁଥିଲେ ।

ବିବାହ:

ସମୟ କ୍ରମେ ୧୯ ବର୍ଷ ବୟସରେ ସାନଗୁମ୍ମାର ଘାସିରାମ ଭୁମିୟାଙ୍କ କନ୍ୟା ମଙ୍ଗୁଳୀ ଭୁମିଆଙ୍କୁ ବିବାହ କରିଥିଲେ ।

ଲକ୍ଷ୍ମଣ ନାୟକ ଓ ମଙ୍ଗଳୀ ଭୂମିଆଙ୍କ ଔରସରୁ ଜନ୍ମ ନେଇଥିଲେ ଦୁଇ ଝିଅ ଏବଂ ଜଣେ ପୁଅ । ସେମାନେ ହେଲେ ଡାଳିମ୍ବ ନାୟକ, ଚେଡେଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ‌‌ ରୁଗୁଗୁଡ଼ାଠାରେ ବିବାହ କରିଥିଲେ, କୌଶଲ୍ୟା ନାୟକ, ମାଥିଲିଠାରେ ବିବାହ କରିଥିଲେ ଏବଂ ପୁଅ ରଘୁନାଥ ନାୟକ, ନିଜ ଗ୍ରାମର ଝିଅ ଚନ୍ଦ୍ରମା ନାୟକଙ୍କୁ ବିବାହ କରିଥିଲେ ।

ସହୀଦ ଲକ୍ଷ୍ମଣ ନାୟକଙ୍କ ଶଶୁର ଘାସିରାମ ଭୂମିଆ ଆଦିବାସୀମାନଙ୍କ ମଧ୍ୟରେ ପ୍ରଚଳିତ ଗୁଣିଆ ଓ ଦିଶାରି ବୃତ୍ତିରେ ପାରଙ୍ଗମ ଥିଲେ । ଗୁଣିଆ ବୃତ୍ତି ହେଉଛି ଆଦିବାସୀମାନଙ୍କ ମଧ୍ୟରେ ଡାକ୍ତରୀ ବିଦ୍ୟା ଏବଂ ପ୍ରାଥମିକ ଡାକ୍ତରୀ ବ୍ୟବହାର । ପାରମ୍ପରିକ ଜ୍ଞାନ ଅନୁଯାୟୀ ଜଣେ ଗୁଣିଆକୁ ବଣଜଙ୍ଗଲରୁ ଔଷଧୀୟ ସାମଗ୍ରୀ ସଂଗ୍ରହ କରିବା ସହ ଝାଡଣ, ଫୁଙ୍କଣ ଆଦି କରିବାକୁ ପଡେ । ଦିଶାରି ବୃତ୍ତି ହେଉଛି ଦେବାରାଧନା ବା ପୂଜକର ଦାୟିତ୍ୱ । ଦାୟିତ୍ଵ:

ଦାୟିତ୍ଵ:

୧୯୩୦ ମସିହାରେ ପିତା ପଦଲାମ ନାୟକଙ୍କ ବୟସାଧିକ୍ୟ କାରଣରୁ ଅବସର ନେବାପରେ ଲକ୍ଷ୍ମଣ ନାୟକଙ୍କୁ ଜୟପୁର ରାଜାଙ୍କ ନିକଟେରେ ମୁସ୍ତାଦାର୍ ଭାବରେ ନିୟୁକ୍ତି କରାଯାଇଥିଲା । ଏହାପରେ ସେ ଲକ୍ଷ୍ମଣ ଭୁମିୟାରୁ ଲକ୍ଷ୍ମଣ ନାୟକ ଭାବରେ ପରିଚିତ ହୋଇଥିଲେ ।

ସମୟସାମୟିକ ଆଦିବାସୀ ବିପ୍ଲବ[ସମ୍ପାଦନା]

୧୯୨୧ ମସିହାରେ ମହାତ୍ମାଗାନ୍ଧିଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା ଓ ଏହାର ଦମନ ସ୍ୱରୂପ ବ୍ରିଟିଶ ସରକାର ନାନାଦି ଅତ୍ୟାଚାର ସହ ନୂତନ ଟିକସ ମାନ ଲାଗୁ କରିଥିଲେ । ଏହି ସମୟରେ ବିଭିନ୍ନ ସଶସ୍ତ୍ର ଆଦିବାସୀ ବିଦ୍ରୋହ ଦେଖାଯାଇଥିଲା । କୋରାପୁଟ ଜିଲ୍ଲାର ଗୁଣୁପୁର, ରାୟଗଡାରେ “ଗୁମ୍ମା ଗରବା ମେଳି” ବା “ଗାଇବା ପିଲା ମେଳି” ସଂଘଟିତ ହେଇଥଲା । ପାରଳାଖେମୁଣ୍ଡି ଅଞ୍ଚଳର ମୁଠାଦାର ମାନେ ସରକାରଙ୍କ ବିରୁଦ୍ଧରେ ମେଳି କରିଥିଲେ । କୋରପୁଟକୁ ଲାଗି ମଧ୍ୟପ୍ରଦେଶ (ବର୍ତ୍ତମାନର ଛତିଶଗଡ଼)ରେ “ବସ୍ତର ମେଳି” ନାମରେ ବିପ୍ଲବ ହେଇଥିଲା । ଏହି ସମୟରେ ଆନ୍ଧ୍ରପ୍ରଦେଶରେ ଆଲୁରୀ ସୀତାରାମ ରାଜୁଙ୍କ ନେତୃତ୍ୱରେ ରମ୍ଫା ଫିତୁରୀ ବା ମେଳି ଅନ୍ୟତମ ମୁଖ୍ୟ ଘଟଣା । ଏହି ମେଳି ଆଦିବାସୀମାନଙ୍କ ମଧ୍ୟରେ ବହୁଳ ଭାବରେ ବନ୍ଧୁକର ବ୍ୟବହାର ପ୍ରସାର କରିଥିଲା ।

ଏହା ଲକ୍ଷ୍ମଣ ନାୟକଙ୍କ ସ୍ଥାନ ମାଲକାନିଗିରି ଓ ଆନ୍ଧ୍ରର ପର୍ବତ୍ୟାଞ୍ଚଳରେ ସଂଘଟିତ ହେଇଥିଲା । ଏହି ମେଳିରେ ଯୋଗଦାନ କରିଥିବା କକୁର୍କୋଣ୍ଡଆ ଗ୍ରାମର କୋୟା ୟୁବକ ଚନ୍ଦ୍ର କୁଟିୟାଙ୍କ ସଂସ୍ପର୍ଶରେ ଲକ୍ଷ୍ମଣ ଆସି ତାଙ୍କଠାରୁ ବନ୍ଧୁକ ଚାଳନା ଶିକ୍ଷା କରିବା ସହ ନିଜ ଅଞ୍ଚଳରେ ସଶସ୍ତ୍ର ବିପ୍ଲବ ନିମନ୍ତେ ପରିକଳ୍ପନା କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ପରାସ୍ତ ସୀତାରାମ ରାଜୁଙ୍କ ଆତ୍ମସମର୍ପଣ ସହ ଏହି ବିପ୍ଲବ ଓ ଯୋଜନାର ଅବସାନ ଘଟିଥିଲା ।

ସ୍ୱାଧୀନତା ସଂଗ୍ରାମ[ସମ୍ପାଦନା]

୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପରେ ଆତ୍ମପ୍ରକାଶ କରିଥିଲା । ସାର ଜନ ଅଷ୍ଟିନ ହବାକ ହେଲେ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର। ଏକଦା ତାଙ୍କ କୋରାପୁଟ ଗସ୍ତ ସମୟରେ ତାଙ୍କ ପ୍ରତିନିଧି ଭାବରେ ତତ୍କାଳିନ ଜୟପୁର ରାଜା ସମସ୍ତ ସୁଖସୁବିଧାର ଆୟୋଜନ କରିଥିଲେ । ମାତ୍ର ଏଥି ନିମନ୍ତେ ଆଦିବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । ସମସ୍ତ ପ୍ରକାରର ଉପଲବ୍ଧ ଉତ୍ତମ ଖାଦ୍ୟଦ୍ରବ୍ୟ ବିନାମୂଲ୍ୟରେ ସରକାରଙ୍କୁ ଦେବାସହ ସାହେବଙ୍କ ସେବାନିମନ୍ତେ ବେଠି ଖଟିବାକୁ ପଡ଼ିଥିଲା । ପ୍ରତିବାଦର ପରିଣାମ ଥିଲା ରାଜଦଣ୍ଡ । ସାହେବ ଓ ତାଙ୍କ ଅମଲାମାନଙ୍କର ଏ ଅତ୍ୟାଚରରେ ବିଚଳିତ ହୋଇ ଲକ୍ଷ୍ମଣ ନାୟକ ନିଜ ଲୋକଙ୍କ ଦୂରବସ୍ଥା ବିଷୟରେ ତତ୍କାଲିନ ଘୁମର ଗ୍ରାମ ପଞ୍ଚାୟତର କଂଗ୍ରେସ ସଭାପତି ନିଳକଣ୍ଠ ପାତ୍ରଙ୍କୁ ଜଣାଇଥିଲେ ।

ନିଳକଣ୍ଠ ପାତ୍ର ଆଦିବାସୀମାନେ ହରାଇଥିବା ସମସ୍ତ ସମ୍ପତିର ତାଲିକା ପ୍ରସ୍ତୁତ କରି ଜୟପୁରର ରାଧାକୃଷ୍ଣ ବିଶ୍ୱାସରାୟଙ୍କ ନିକଟକୁ ଯାଇଥିଲେ ଓ ସେ ଏ ସମ୍ବାଦକୁ ଖବର କାଗଜରେ ପ୍ରକାଶ କରିବା ପରେ ତୀବ୍ର ପ୍ରତିକିୟା ପ୍ରକାଶ ପାଇଥିଲା । ପରିଣାମ ସ୍ୱରୂପ ଇଂରେଜ ସରକାର ଲୋକମାନଙ୍କଠାରୁ ନିଆଯାଇଥିବା ଜିନିଷର ମୂଲ୍ୟ ଫେରାଇଥିଲେ । ଏହି ଘଟଣା ଫଳରେ ଲକ୍ଷ୍ମଣ ନାୟକଙ୍କ ମନରେ ଅହିଂସା ଓ ତତ୍କାଲିନ କଂଗ୍ରେସ ଉପରେ ବିଶ୍ୱାସ ଜନ୍ମିଥିଲା । ୧୯୩୭-୩୮ରେ ରାଧାକୃଷ୍ଣ ବିଶ୍ୱାସରାୟ ଜୟପୁର ନିକଟସ୍ଥ ନୂଆପୁଟରେ ଖୋଲିଥିବା ତାଲିମ ଶିବିରରେ ଯୋଗଦାନ କରି ମହାତ୍ମାଗାନ୍ଧିଙ୍କ ଦର୍ଶିତ ଆଦର୍ଶ ନୀତି ଓ ଶୃଙ୍ଖଳିତ ଜୀବନଯାପନ ବିଷୟରେ ଶିକ୍ଷା ଲାଭ କରିଥିଲେ ।

ଇଂରେଜ ସରକାରଙ୍କ ଅତ୍ୟଧିକ ଅତ୍ୟାଚାର ବିରୁଦ୍ଧରେ ନିରାଶ ହୋଇପଡ଼ିଥିଲେ ଲକ୍ଷ୍ମଣ ନାୟକ । ପରବର୍ତ୍ତୀ ସମୟରେ ଲକ୍ଷ୍ମଣଙ୍କ ଉପରେ ଏତାଦୃଶ୍ୟ ଅତ୍ୟାଚାର ପରେ ମଧ୍ୟ କର୍ମୀ ମାନେ ଆଗକୁ ବଢିଚାଲିବାରୁ ସେମାନଙ୍କ ଉପରେ ପୁଲିସ ଗୁଳିଚାଳନା ଆରମ୍ଭ କରିଦେଇଥିଲା ।

ମାଥିଲି ଘେରାଉ ସମୟରେ ମୃତାହତମାନଙ୍କ ମଧ୍ୟରେ ଥିଲେ ଥାନା ଉପରେ ପତାକା ଧରି ଉଡେଇବାକୁ ଚଢ଼ିଥିବା ଟିମସପୁଟ ଗ୍ରାମର ଲିଙ୍ଗା ଭୁମିଆ ଓ ସରଗିଗୁଡାର ନକୁଳ ମାଡକାମୀ ଥିଲେ ଅନ୍ୟତମ । ମାଲକାନଗିରି ଜିଲ୍ଲା ମାଥିଲି ଗୁଳିକାଣ୍ଡରେ ମାତାଲ ଅବସ୍ଥାରେ ଥିବା ଫରେଷ୍ଟଗାର୍ଡ ଜି.ରାମୟାରଙ୍କ ଆକ୍ରମଣ ଫଳରଏ ମୃତ୍ୟୁ ହେଇଥିଲା ।

ଆନ୍ଦୋଳନକୁ ଦମନ କରିବା ପରେ ପୋଲିସ ଲକ୍ଷ୍ମଣ ନାୟକଙ୍କ ଅଚେତ ଶରୀରକୁ ମୃତ ମନେକରି ନିକଟସ୍ଥ ନାଳରେ ଫୋପାଡି ଦେଇଥିଲା । ଚେତା ଫେରିପାଇବା ପରେ ଲକ୍ଷ୍ମଣ ପରିସ୍ଥିତି ବୁଝି ପରିଥିଲେ ଓ ଦୁର୍ଗମ ବଣରାସ୍ତା ମଧ୍ୟଦେଇ ଜୟପୁରରେ ପରବର୍ତ୍ତୀ ନିର୍ଦ୍ଦେଶ ପାଇଁ ପହଞ୍ଚିଥିଲେ ।

ତତପରଦିନ ଲକ୍ଷ୍ମଣ ନାୟକଙ୍କ ଶବ ଦେଖିବାକୁ ନପାଇ ପୋଲିସ ତାଙ୍କୁ ଫେରାର ଘୋଷିତ କରି ଫରେଷ୍ଟଗାର୍ଡ ଜି.ରମାୟାର ହତ୍ୟା ଅଭିଯୋଗରେ ବନ୍ଦୀ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା । ପୋଲିସର ଗିରଫ ପରୱାନ ପରେ ଲକ୍ଷ୍ମଣ ନାୟକଙ୍କ ଆତ୍ମଗୋପନ କରିଥିଲେ ମଧ୍ୟ ଲୋକଙ୍କ ଉପରେ ଅତ୍ୟାଚାରର କାହାଣୀ ଶୁଣି ପୁଣି ନିଜ ଗ୍ରାମ ତେନ୍ତୁଲିଗୁମାକୁ ଫେରି ଆସିଥିଲେ ଓ ଇଂରେଜ ସରକାରଙ୍କ ଦ୍ଵାରା ଗିରଫ ହୋଇଥିଲେ ।

ସଂଗ୍ରାମୀ ଜୀବନ[ସମ୍ପାଦନା]

ତାଲିମ ଶିବିରରୁ ଫେରି ଲକ୍ଷ୍ମଣ କୋରାପୁଟରେ ଖଦୀ ଓ ଅହିଂସାର ପ୍ରଚାର ଓ ପ୍ରସାରରେ ଯୋଗ ଦେଇଥିଲେ । ପଶୁବଳିକୁ ବିରୋଧ କରିବା ସହ ନିଜର ତିଶାରି ବୃତ୍ତିରେ ଆଉ ପଶୁବଳି ଦେଇନଥିଲେ । ଲକ୍ଷ୍ମଣ ଗାଁକୁ ଗାଁ ବୁଲି ଲୋକଙ୍କୁ ନିର୍ଭିକ ହେବା ସହ ସରକାରଙ୍କୁ ଟିକସ ନ ଦେବା ଅହିଂସା ମାର୍ଗରେ ପରିଚାଳିତ ହେବା ମଦ୍ୟ ତ୍ୟାଗ କରିବା ସହ ଏକ ଶୃଙ୍ଖଳିତ ଜୀବନ ଧାରଣ ନିମନ୍ତେ ବାର୍ତ୍ତା ପ୍ରଚାର କରୁଥିଲେ । [୧] ତାଙ୍କର ପ୍ରଧାନ ସହାୟକ ମଧ୍ୟରେ ବଲରାମ ସିଂ ପୁଜାରୀ,ମୋତିରାମ ସିଂ ପୁଜାରୀ ,ବନସିଂ ପୁଜାରୀ,କୃଷ୍ଣଚନ୍ଦ୍ର ବିଶୋଇ ପ୍ରମୁଖ ଥିଲେ । କୃଷ୍ଣଚନ୍ଦ୍ର ସାକ୍ଷରତା ଅଭିଯାନରେ ସାହାଯ୍ୟ କରି କୋରାପୁଟର ଉଦୟଗିରିଠାରେ ଏକ ସ୍କୁଲ ଖୋଲିଥିଲେ । ଏକ ମୁସ୍ତାଦା ହୋଇ ମଧ୍ୟ ଲୋକଙ୍କୁ କର ନ ଦେବା ପାଇ କହିବାର ପରିଣାମ ସ୍ୱରୂପ ଲକ୍ଷ୍ମଣଙ୍କୁ ରାଜଦ୍ରୋହୀ ବା ଫିତୁରିଦାର୍ (ଅର୍ଥାତ ରାଜାଙ୍କୁ ବିରୁଦ୍ଧ କରୁଥିବା ମେଳିର ସର୍ଦ୍ଦାର ) ଘୋଷଣା କରି ତାଙ୍କ ଠାରୁ ସରକାରଙ୍କ ତରଫରୁ ଦିଆଯାଇଥିବା ପଦବୀ ଓ ଚାଷ ଜମି ଛଡ଼ାଇ ନିଆଯାଇଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମହାତ୍ମାଗାନ୍ଧିଙ୍କ ଆହ୍ୱାନରେ ବ୍ୟକ୍ତିଗତ ସତ୍ୟାଗ୍ରହରେ ଅଂଶଗ୍ରହଣ କରି ଜେଲଦଣ୍ଡ ପାଇଥିଲେ । ୧୯୪୨ ମସିହା ଅଗଷ୍ଟ ୯ ବମ୍ବେ ଅଧିବେଶନରେ କଂଗ୍ରେସ ବ୍ରିଟିଶ ସରକାର ଭାରତ ଛାଡ଼ ପ୍ରସ୍ତାବ ପାଶ କରିଥିଲା । ଏହା ପରେ ବ୍ରିଟିଶ ସରକାର କଂଗ୍ରେସକୁ ବେଆଇନ ଘୋଷଣା କରିଥିଲା । ଗୁପ୍ତରେ ଏହି ସମ୍ବାଦ ପାଇବା ପରେ ଲକ୍ଷ୍ମଣ ନାୟକ ବଲରାମ ପୁଜାରୀଙ୍କଦ୍ୱାରା ଜୟପୁରରୁ ଆସିଥିବା ନିର୍ଦ୍ଦେଶଗୁଡିକୁ ଆଦିବାସୀ ଭାଷାରେ ଅନୁବାଦ କରାଇ ( “କର ବା ମର”କୁ “ତୋର୍ ବୁତା ତୁଇ କର୍ , ନ ପାରିଲେ ମର୍”) ଗାଁ ଗାଁ ବୁଲି ଲୋକମାନଙ୍କୁ ସତ୍ୟାଗ୍ରହ ଓ ସ୍ୱାଧିନତା ନିମନ୍ତେ ଅହିଂସା ଲଢେଇର ବାର୍ତ୍ତା ପ୍ରଚାର କରିଥିଲେ ।

ମାଥିଲି ଥାନା ଗୁଳିକାଣ୍ଡ:

୧୯୪୨ ମସିହା ଅଗଷ୍ଟ ୨୧ ତାରିଖ ଶୁକ୍ରବାର ଦିନ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ସଂଗ୍ରାମୀମାନେ ମାତିଲି ଥାନା ଘେରାଉ କରିଥିଲେ । ଲକ୍ଷ୍ୟ ଅହିଂସାପୂର୍ଣ୍ଣ ଭାବରେଥାନା ଉପରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ଏହି ଆନ୍ଦୋଳନର ଦମନ ନିମନ୍ତେ ପୋଲିସ କର୍ମୀମାନଙ୍କ ଉପରେ ଲାଠିମାଡ ସହ ଲକ୍ଷ୍ମଣ ନାୟକଙ୍କୁ ଅଲଗା ସମସ୍ତଙ୍କର ଦେଖିଲା ପରି ସ୍ଥାନକୁ ନେଇ ନିସ୍ତୁକ ମାଡ ମାରିବା ସହ ତାଙ୍କର ବୀରକେଶ (ନିଶ)କୁ ଓପାଡି ସେଥିରେ ନିଆଁ ଲଗାଇ ଦେଇଥିଲେ । ବନ୍ଧୁକର ବୟୋନେଟ ମାଡରେ ବେହୋସ ହୋଇପଡ଼ିଥିଲେ ଲକ୍ଷ୍ମଣ ନାୟକ । ଲକ୍ଷ୍ମଣଙ୍କ ଉପରେ ଏତାଦୃଶ୍ୟ ଅତ୍ୟାଚାର ପରେ ମଧ୍ୟ କର୍ମୀ ମାନେ ଆଗକୁ ବଢିଚାଲିବାରୁ ସେମାନଙ୍କ ଉପରେ ପୁଲିସ ଗୁଳିଚାଳନା ଆରମ୍ଭ କରିଦେଇଥିଲା । ମୃତାହତମାନଙ୍କ ମଧ୍ୟରେ ଥିଲେ ଥାନା ଉପରେ ପତାକା ଧରି ଉଡେଇବାକୁ ଚଢ଼ିଥିବା ଟିମସଗୁଡାର ଲିଂଗ ଭୁମିଆ ଓ ସରଗିଗୁଡାର ନକୁଳ ମାଡକାମୀ । ଏ ଗୁଳିକାଣ୍ଡରେ ମାତାଲ ଅବସ୍ଥାରେ ଥିବା ଫରେଷ୍ଟଗାର୍ଡ ଜି.ରାମୟାର ମୃତ୍ୟୁ ହେଇଥିଲା । ଆନ୍ଦୋଳନକୁ ଦମନ କରିବା ପରେ ପୁଲିସ ଲକ୍ଷ୍ମଣ ନାୟକଙ୍କ ଅଚେତ ଶରୀରକୁ ମୃତ ମନେକରି ନିକଟସ୍ଥ ନାଳରେ ଫୋପାଡି ଦେଇଥିଲା । ଚେତା ଫେରିପାଇବା ପରେ ଲକ୍ଷ୍ମଣ ପରିସ୍ଥିତି ବୁଝିପରିଥିଲେ ଓ ଦୁର୍ଗମ ବଣରାସ୍ତା ମଧ୍ୟଦେଇ ଜୟପୁରରେ ପରବର୍ତ୍ତୀ ନିର୍ଦ୍ଦେଶ ପାଇଁ ପହଞ୍ଚିଥିଲେ । ତତପରଦିନ ଲକ୍ଷ୍ମଣ ନାୟକଙ୍କ ଶବ ଦେଖିବାକୁ ନପାଇ ପୁଲିସ ତାଙ୍କୁ ଫେରାର ଘୋଷିତ କରି ଫରେଷ୍ଟଗାର୍ଡ ଜି.ରମାୟାର ହତ୍ୟା ଅଭିଯୋଗରେ ବନ୍ଦୀ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା ।[୨] ପୁଲିସର ଗିରଫ ପରୱାନ ପରେ ଲକ୍ଷ୍ମଣ ଆତ୍ମଗୋପନ କରିଥିଲେ ମଧ୍ୟ ଲୋକଙ୍କ ଉପରେ ଅତ୍ୟାଚାରର କାହାଣୀ ଶୁଣି ପୁଣି ନିଜ ଗ୍ରାମ ତେନ୍ତୁଲିଗୁମାକୁ ଫେରି ଆସିଥିଲେ ।

ଗିରଫ ଓ ବିଚାର[ସମ୍ପାଦନା]

ଆନ୍ଦୋଳନ ଭିତରେ ନିଜ ଲୋକଙ୍କ ଚୁଗୁଲୀ ହେତୁ ୧୯୪୨ ମସିହା ସେପ୍ଟେମ୍ବର ୨ ତାରିଖରେ ତେନ୍ତୁଲିଗୁମାରୁ ଲକ୍ଷ୍ମଣ ଓ ତାଙ୍କ ପୁତ୍ର ରଘୁନାଥ, ସନଗୁମ୍ମାରୁ ବନସିଂ ପୁଜାରୀଙ୍କୁ ଗୋରା ସରକାରଙ୍କ ଦ୍ଵାରା ଗିରଫ କରାଯାଇଥିଲା । ସେତେବେଳେର କୋରାପୁଟର ଅତିରିକ୍ତ ସେସନ୍ସ ଜଜ ଭି.ରାମନାଥଙ୍କ କୋର୍ଟରେ ବିଚାର କରାଯାଇ ଜି.ରାମୟାର ହତ୍ୟା ଅଭିଯୋଗରେ ଲକ୍ଷ୍ମଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା ଏବଂ ଫାଶୀଦଣ୍ଡ ଦିଆଯାଇଥିଲା ।

ଶେଷ ଜୀବନ[ସମ୍ପାଦନା]

ଶେଷଜୀବନ:

ମାଥିଲି ଗୁଳିକାଣ୍ଡର ବିଚାର ପରେ ତାଙ୍କୁ କୋରାପୁଟ ଜେଲରୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଥିବା ଅନ୍ୟ ପ୍ରମୁଖ ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରଚେଷ୍ଟାରେ ସହୀଦ ଲକ୍ଷ୍ମଣ ନାୟକଙ୍କୁ ନିର୍ଦୋଷରେ ଖଲାସ ଦାବିରେ ପାଟନା ହାଇକୋର୍ଟରେ ଅପିଲ କରାଯାଇଥିଲେ ମଧ୍ୟ ତାହା ଖାରଜ ହେଇଯାଇଥିଲା । ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ତାଙ୍କୁ ପୂର୍ବାହ୍ନ ୬ଟାରେ ଫାଶୀ ଦିଆଯାଇଥିଲା ଏବଂ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

ସମାଧିସ୍ଥଳ:

କୋରାପୁଟ ଜିଲ୍ଲା ଅନ୍ତର୍ଗତ ତେନ୍ତୁଲିଗୁମ୍ଫା ଗ୍ରାମ ପଞ୍ଚାୟତର ନିଜ ଜନ୍ମସ୍ଥାନ ତେନ୍ତୁଲିଗୁମ୍ଫାଠିରେ ଶହ ଶହ ଆଦିବାସୀଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ଏବଂ ପିତା ପଦଲାମ ନାୟକଙ୍କ ସମାଧିସ୍ଥଳ ନିକଟରେ ସହୀଦ ଲକ୍ଷ୍ମଣ ନାୟକଙ୍କ ସମାଧି ସ୍ଥାପନ କରାଯାଇଥିଲା ।

ଆଧାର[ସମ୍ପାଦନା]

ସହୀଦ ଲକ୍ଷ୍ମଣ ନାୟକ

  1. "Saheed Laxman Nayak". creativeodisha.com. Retrieved 12 April 2016.
  2. "Saheed Laxman Nayak". www.nuaodisha.com. Retrieved 12 April 2016.