ମଝିଘରିଆଣୀ ମନ୍ଦିର

ଉଇକିପିଡ଼ିଆ‌ରୁ
(Majhighariani Templeରୁ ଲେଉଟି ଆସିଛି)
ଦେବୀ ମଝିଘରିଆଣୀଙ୍କ ମନ୍ଦିର,ରାୟଗଡ଼ା

ଦେବୀ ମଝିଘରିଆଣୀଙ୍କ (ମାଝିଗୌରୀ) ପୀଠ ଓଡ଼ିଶାର ରାୟଗଡ଼ା ସହରରେ । ଏହା ରାୟଗଡ଼ା ଜିଲ୍ଲାର ଏକ ମୁଖ୍ୟ ଦେବୀ ପୀଠ[୧] । ଏହି ପ୍ରସିଦ୍ଧ ଦେବୀ ପୀଠକୁ ଓଡ଼ିଶା ବ୍ୟତୀତ ଆନ୍ଧ୍ର ପ୍ରଦେଶଛତିଶଗଡ଼ରୁ ବହୁ ଭକ୍ତ ଦର୍ଶନ ନିମନ୍ତେ ଆସିଥାନ୍ତି । କିମ୍ବଦନ୍ତୀ ଅନୁସାରେ ଦେବୀ ବହୁ ପ୍ରାଚୀନ ସମୟରୁ ପୂଜାପାଇ ଆସୁଛନ୍ତି । ତେବେ ବର୍ତ୍ତମାନର ମନ୍ଦିରଟି ନୂତନରୂପେ ତିଆରି କରାଯାଇଛି । ପ୍ରତି ରବିବାର, ବୁଧବାର ଏବଂ ଶୁକ୍ରବାର ଦିନ ଏଠାରେ ଭକ୍ତଙ୍କର ପ୍ରବଳ ଭିଡ ହୁଏ । ଏଠାରେ ଦଶହରା ଏବଂ ଚୈତ୍ରପରବ ଭାରି ଧୁମ୍‌ ଧାମ୍‌ରେ ପାଳନ କରାଯାଏ । ମନ୍ଦିର ସମ୍ମୁଖ ଦେଇ ରାୟଗଡାକୁ ସଂଯୋଗ କରୁଥିବା ରେଳପଥ ଯାଇଅଛି ।

ଐତିହାସିକ ତଥ୍ୟ[ସମ୍ପାଦନା]

ଦେବୀ ମଝିଘରିଆଣୀଙ୍କ ସମ୍ପର୍କରେ ଚତୁର୍ଥ ଶତାବ୍ଦୀ A.D.ର ଏକ ଐତିହାସିକ ଘଟଣା ଯୋଡିରହିଥିବାର ଶୁଣାଯାଏ । ଓଡ଼ିଶା ଗେଜେଟିୟର୍‌ ଅନୁସାରେ ସମୁଦ୍ରଗୁପ୍ତ ମହାକନ୍ତାର (ଅର୍ଥାତ୍‌ କୋରାପୁଟ ଓ କଳାହାଣ୍ଡିର ଅଂଶବିଶେଷ) ଅକ୍ତିଆର କରିବା ପାଇଁ ଯୁଦ୍ଧ କରିବାରେ ମହାକାନ୍ତାରର ତତ୍କାଳୀନ ରାଜା ବ୍ୟାଘ୍ରରାଜ ଏହାର ପ୍ରବଳ ପରାକ୍ରମ ସହିତ ବିରୋଧ କଲେ । କୁହାଯାଏ, ରାଜା ବ୍ୟାଘ୍ରରାଜ କେବଳ ଦେବୀ ମଝିଘରିଆଣୀଙ୍କ ସହାୟତାରୁ ହିଁ ସେହି ଯୁଦ୍ଧ ଜୟ କରିବାରେ ସକ୍ଷମ ହୋଇଥିଲେ । ସେହି ସମୟଠାରୁ ଦେବୀଙ୍କୁ ଶକ୍ତି ରୂପରେ ପୂଜା କରାଯାଉଛି । ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲର ଶିକ୍ଷକ ଶ୍ରୀ N.C.Padhi ଏହି ଦେବୀଙ୍କ ସମ୍ପର୍କରେ ତଥ୍ୟଯୁକ୍ତ ଗବେଷଣା କରିଛନ୍ତି । ତାଙ୍କ ମତରେ, ଚତୁର୍ଦ୍ଦଶ ଶତାବ୍ଦୀରେ ଶୀଳାବଂଶୀ ରାଜା ବିଶ୍ୱନାଥ ଦେବ ଏହି ସହରକୁ ତାଙ୍କ ରାଜଧନୀ ଭାବେ ବାଛିଥିଲେ । ସେ ମଧ୍ୟ ଏଠାରେ ଏକ ମାଟିର ଦୁର୍ଗ ନିର୍ମାଣ କରିଥିଲେ । ଏହାର ଧ୍ୱଂସାବଶେଷ ଅଦ୍ୟାପି ବିଦ୍ୟମାନ । ବିଶ୍ୱନାଥ ଦେବ ନିର୍ମାଣ କରିଥିବା ଅନେକ ମନ୍ଦିର ମଧ୍ୟରୁ ମଝିଘରିଆଣିଙ୍କ ମନ୍ଦିର ଅନ୍ୟତମ । ତାଙ୍କ ଅନ୍ତେ ମନ୍ଦିର ଭାଙ୍ଗିରୁଜି ଗଲା ଏବଂ ଦେବୀଙ୍କ ପୂଜାର୍ଚ୍ଚନାରେ ବିଘ୍ନ ଘଟିଲା । ଜନଶ୍ରୁତି ଅନୁସାରେ, ଅଷ୍ଟାଦଶ ଶତାବ୍ଦୀରେ ରାୟଗଡାର ତତ୍କାଳୀନ ରାଜା ପ୍ରତାପରୁଦ୍ରଦେବଙ୍କ ପୌତ୍ର ବିଶ୍ୱନାଥ ଦେଓ ଦେବୀଙ୍କୁ ରାଜବାଟୀର ମଧ୍ୟ ଭାଗରେ ଥିବା ଏକ ଘରେ ରଖି ପୂଜା କରୁଥିଲେ ।[୨] ତେଣୁ ଦେବୀଙ୍କ ନାମ ମଝିଘରିଆଣୀ । ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ, ଦେବୀ ସାତ ଭଉଣୀଙ୍କ ସହ ପୂଜା ପାଉଥିଲେ । ଦେବୀଙ୍କ ମଧ୍ୟରେ ତାଙ୍କ ଆସ୍ଥାନ ମଧ୍ୟ (ମଝି) ହୋଇଥିବାରୁ ସେ ମଝିଘରିଆଣୀ ନାମରେ ଖ୍ୟାତ ।

କିମ୍ବଦନ୍ତୀ[ସମ୍ପାଦନା]

ଏକ କିମ୍ବଦନ୍ତୀ ଅନୁସାରେ ରାଜାରାଜୁଡା ଅମଲରୁ ଏଠାରେ ମା ମଝିଘରିଆଣୀ ପୂଜା ପାଉଥିଲେ ହେଁ ରାଜାଙ୍କ ଅନ୍ତେ ସମୟର ସ୍ରୋତରେ ଏହା ଧ୍ୱଂସ ହେବାକୁ ଲାଗିଲା । ଇଂରେଜମାନେ ବ୍ୟାବସାୟୀକ ଉଦ୍ଦେଶ୍ୟରେ ଏହି ମନ୍ଦିର ନିକଟବର୍ତ୍ତୀ ରାସ୍ତା ଦେଇ ବିଜୟନଗରଠାରୁ ରାୟପୁର ପର୍ଯ୍ୟନ୍ତ ସଂଯୋଗୀକରଣ ନିମନ୍ତେ ରେଲପଥ ନିର୍ମାଣ କରିବାକୁ ଚାହିଁଲେ । ୧୯୩୦ ମସିହାରେ ରେଲପଥ କାର୍ଯ୍ୟ ଆରମ୍ଭ ହେଲା । ମନ୍ଦିର ନିକଟରେ ଏକ ପୋଲ ନିର୍ମାଣ କରିବା ବେଲେ ଦେଖାଗଲା ଯେ ପ୍ରତିଦିନ ପୋଲ କାର୍ଯ୍ୟ ଯେତିକି ହୁଏ, ରାତିରେ ସେତିକି ଭାଙ୍ଗିଯାଏ । ପରିଶେଷରେ ନିର୍ମାଣ ଦାୟୀତ୍ୱରେ ଥିବା ନାଲାରାଜୁ(ଆନ୍ଧରପ୍ରଦେଶର) ଭାବିଲେ ଏଠାରେ ପୋଲ କରିବା ସମ୍ଭବପର ନୁହେଁ, ଅତଏବ ଏହାର ସ୍ଥାନ ପରିବର୍ତ୍ତନ କରିବା ଦରକାର । ହଠାତ୍ ରାତିରେ କଣ୍ଟ୍ରାକ୍ଟରଙ୍କୁ ସ୍ୱପ୍ନାଦେଶ ହେଲା ଯେ, "ଦେଦୀଙ୍କ ପାଇଁ ମନ୍ଦିର ନିର୍ମାଣ କରି ପୂଜାର୍ଚ୍ଚନା କଲେ ସବୁ ଠିକ ହୋଇଯିବ" । ଏହି ସ୍ୱପ୍ନାଦେଶ ଅନୁଯାୟୀ ବରୁଣ ଗଛ ମୂଳରୁ ମା ମଝିଘରିଆଣୀଙ୍କ ବିଗ୍ରହ ଉଦ୍ଧାର କରାଗଲା ଏବଂ ବିଦ୍ଧିବଦ୍ଧ ପୂଜାର୍ଚ୍ଚନା କରାଗଲା । ଏହା ପରେ ଯାଇ ପୋଲ ନିର୍ମାଣ ସମ୍ଭବ ହେଲା । ଏହା ପରେ ସେଠାରେ ଏକ ଅସ୍ଥାୟୀ ମନ୍ଦିର ନିର୍ମାଣ କରି ମା'ଙ୍କ ପୂଜାର୍ଚ୍ଚନା କରାଗଲା ।[୩][୪][୫]

ଆଧାର[ସମ୍ପାଦନା]

  1. Rao, M.S. (September 2009). "Goddess Majhi Ghariani of Rayagada" (PDF). Orissa Review: 13–15. Retrieved 16 July 2018.
  2. "ମାଆ ମଝିଘରିଆଣୀ". ସମ୍ବାଦ. 14 July 2015. Archived from the original on 4 March 2016. Retrieved 14 July 2015.
  3. "Maa Majhighariani, Rayagada". www.groups.google.com. Retrieved 16 July 2018.
  4. "Places of Interest | Rayagada District, Government Of Odisha". www.rayagada.nic.in. Retrieved 6 December 2018.
  5. ଇତିହାସର ପଟ୍ଟଭୂମିରେ କିମ୍ବଦନ୍ତୀର ରାୟଗଡ .... in timely magazine CHAITALI-2018 Published by Govt. of Odisha (District Council of Culture,Rayagada)

ବାହାର ତଥ୍ୟ[ସମ୍ପାଦନା]