Jump to content

ଭଟ୍ଟାରିକା ମନ୍ଦିର

ଉଇକିପିଡ଼ିଆ‌ରୁ
ଭଟ୍ଟାରିକା ମନ୍ଦିର
ଭଟ୍ଟାରିକା ମନ୍ଦିର
ଭଟ୍ଟାରିକା ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକଟକ
Location
Countryଭାରତ

ଭଟ୍ଟାରିକା ମନ୍ଦିର ଓଡ଼ିଶାର କଟକର ଆଠଗଡ଼ଠାରେ ବଡ଼ମ୍ବା ବ୍ଳକର ଶଶାଙ୍ଗ ଗ୍ରାମରେ ରହିଛି ହିନ୍ଦୁ ଦେବୀ 'ମା ଭଟ୍ଟାରିକା'ଙ୍କର ମନ୍ଦିର ।[] ଏହା ମହାନଦୀ କୂଳରେ ଅବସ୍ଥିତ । ଏହି ପୀଠରେ ମାଙ୍କୁ ଷୋଡ଼ଶୀ ଭାବେ କଳ୍ପନା କରାଯାଇଛି ।

ପୁରାଣ ଓ କିମ୍ବଦନ୍ତୀ

[ସମ୍ପାଦନା]

ଇତିହାସ ଅନୁଯାୟୀ ପୁରୀ ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ହଟ୍ଟ ଓ ମଲ୍ଲ ନାମକ ଦୁଇଭାଇ ଏଠାରେ ଶଙ୍କ ଓ ମହୁରୀ ନାମକ ଦୁଇ ଗ୍ରାମ ବସାଇଥିଲେ । କାଳକ୍ରମେ ଏହି ଦୁଇଗାଁ ମିଶି ଏବେ ଶଙ୍ଖାମେରି ହୋଇଛି । ଦୁଇଭାଇ ନିଜର ଗଡ଼ ତିଆରି କରିବା ନିମନ୍ତେ ସ୍ଥାନ ସନ୍ଧାନ କଲାବେଳେ, ଗୋଟିଏ ଶବରଙ୍କ ଦଖଲରେ ଥିବା ଗୋଟିଏ ଜାଗାରେ ଅଲୌକିକ ଘଟଣା ଦେଖି ଜାଣିଲେ ଯେ ତାହା ହିଁ ବୀରମାଟି, ଗଡ଼ ନିର୍ମାଣ ନିମନ୍ତେ ଉପଯୁକ୍ତ ସ୍ଥାନ । କିନ୍ତୁ ଶବର ନିଜର ଆସ୍ଥାନ ଖାଲି କରିବାକୁ ପ୍ରସ୍ତୁତ ନଥିଲେ । ତେଣୁ ଦୁଇଭାଇ ଯୁଦ୍ଧ କଲେ, ଯୁଦ୍ଧରେ ଶବରଙ୍କ ମୃତ୍ୟୁ ପରେ ଶବରୀଙ୍କ ସହ ମଧ୍ୟ ଯୁଦ୍ଧ କଲେ । ଶବରୀ ମଧ୍ୟ ହାରିଲେ, ମୃତ୍ୟୁ ପୂର୍ବରୁ ସେ ଦୁଇଭାଇଙ୍କୁ ଖାରୋଡ଼ର ମହାକାଳୀ ଓ ମାଭଟ୍ଟାରିକାଙ୍କୁ ପୂଜା କରିବାକୁ ଉପଦେଶ ଦେଲେ । ଏହା ପରେ ଦୁଇଭାଇ ସେଠରେ ମାଙ୍କ ମନ୍ଦିର ନିର୍ମାଣ କରିଥିଲେ । ଭଟ୍ଟାରିକାଙ୍କ ଏକ ନାମ ବୃହଦମ୍ବା, ଅନୁସାରେ ସେମାନେ ନିଜର ରାଜ୍ୟକୁ ନାମିତ କରିଥିଲେ, ପରେ ତାହା ଅପଭ୍ରଂଶ ହୋଇ ବଡ଼ମ୍ବା ହୋଇଛି । []

ଏହି ଦେବୀପୀଠ ଶାକ୍ତ ଓ ଶୈବ ଧର୍ମର ସମ୍ମିଳିତ ଉପାସନା କ୍ଷେତ୍ରରୂପେ ବିଦିତ । ରାଜା ପର୍ଶୁରାମ ନିଜ ତୀରମୁନରେ ପ୍ରସ୍ତର ଖୋଦେଇ କରି ଶକ୍ତିସ୍ୱରୂପିଣୀ ମହାମାୟା ମା'ଭଟ୍ଟାରିକାଙ୍କ ମୂର୍ତ୍ତି ଗଢ଼ି ପୂଜା କରିଥିଲେ, ତେଣୁ ଏହି ଶକ୍ତିପୀଠକୁ ପର୍ଶୁରାମପୀଠ କୁହାଯାଏ ଏବଂ ମା'ଙ୍କୁ ଭକ୍ତମାନେ ଅଭୟ ବରଦାୟିନୀଭାବେ ପୂଜାକରିଥା'ନ୍ତି । କିମ୍ବଦନ୍ତୀ ଅନୁସାରେ, ପୃଥିବୀକୁ କ୍ଷତ୍ରିୟଶୂନ୍ୟ କରିବା ନିମନ୍ତେ ପର୍ଶୁରାମ ମା ଭଟ୍ଟାରିକାଙ୍କୁ ପ୍ରାର୍ଥନା କରି ତାଙ୍କଠାରୁ ବରଲାଭ କରିଥିଲେ । ବିଷ୍ଣୁକଳା ପ୍ରାପ୍ତି ପାଇଁ ମା ତାଙ୍କୁ କଣ୍ଟିଲୋର ପଦ୍ମକ୍ଷେତ୍ରରେ ନୀଳମାଧବଙ୍କୁ ପୂଜା କରିବାଲାଗି ଉପଦେଶ ଦେବା ସହ ସହସ୍ରାର୍ଜୁନ ନିଧନ ନିମନ୍ତେ ଦିବ୍ୟାସ୍ତ୍ର ପ୍ରଦାନ କରିଥିଲେ । ପୁରାଣ ଅନୁସାରେ ପର୍ଶୁରାମ ସହସ୍ରାର୍ଜୁନଙ୍କଠାରୁ ପରାଜିତ ହେଲାପରେ ମା ଦୁର୍ଗାଙ୍କୁ ପୂଜା କରିବା ପରେ ସେ ପର୍ଶୁରାମଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ବିଜେ ହୋଇ ତାଙ୍କୁ ରକ୍ଷା କରିଥିଲେ ।[][]

ଏଠାରେ ଦେବୀଙ୍କୁ ରନ୍ଧା ମାଛଭୋଗ ଅର୍ପଣ କରାଯାଇଥାଏ ।[]

ଶାରଦୀୟ ପୂଜା ରୀତିନୀତି

[ସମ୍ପାଦନା]

ଶାରଦୀୟ ପୂଜାସମୟରେ ଷୋହଳଦିନବ୍ୟାପୀ ଦେବୀଙ୍କର ଷୋଡଶୋପଚାର ପୂଜା ସହିତ ବିଶେଷ ସନ୍ଧିପୂଜା ଅନୁଷ୍ଠିତ ହୁଏ । ଦଶହରା ପର୍ବର ମହାଷ୍ଟମୀ ତିଥିରେ ଏଠାରେ ବାର୍ଷିକଯାତ୍ରା ଅନୁଷ୍ଠିତ ହୋଇଥାଏ । ସମ୍ଭବତଃ ୧୭୦୦ମସିହାରୁ ବଡ଼ମ୍ବାଗଡ଼ର ତତ୍କାଳୀନ ରାଜା ଫକିରଚନ୍ଦ୍ର ଦେବଙ୍କ ସମୟରୁ ଭଟ୍ଟାରିକା ପୀଠରେ ମହାଷ୍ଟମୀ ଯାତ୍ରା ଆରମ୍ଭ ହୋଇଥିବା 'ବେଙ୍ଗଲ ଗେଜେଟ୍'ରୁ ଜଣାଯାଏ । ଦୁଇଦିନ ବ୍ୟାପୀ ଅନୁଷ୍ଠିତ ଏହିଯାତ୍ରାରେ ପୂର୍ବରୁ ମାନସିକଧାରୀ ଭକ୍ତମାନେ ଦେବୀଙ୍କ ଉଦ୍ଦେଶ୍ୟରେ ବହୁ ଛାଗବଳି ପକାଉଥିଲେ । ୧୯୭୫ମସିହାରୁ ମଇଁଷି ବଳି ଏବଂ ୨୦୦୦ମସିହାରୁ ଛାଗବଳି ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ଦେବୀ ଭଟ୍ଟାରିକା ଶ୍ରୀଯନ୍ତ୍ର ଆସୀନା । ସେଥିପାଇଁ ତାଙ୍କୁ କେତେକ ଭକ୍ତ ପରମବୈଷ୍ଣବୀ ତ୍ରିପୁରାସୁନ୍ଦରୀରୂପେ ବିବେଚନା କରନ୍ତି । ଅନ୍ୟପକ୍ଷରେ ମା' ଆଦ୍ୟାଶକ୍ତି ସିଂହବାହିନୀ ହୋଇଥିବାରୁ ଶ୍ରୀଦୁର୍ଗାରୂପେ ପୂଜାକରାଯାଏ । ମା'ଙ୍କର ଦୈନିକ ରୀତିନୀତିଠାରୁ ଶାରଦୀୟ ପୂଜା ସମୟର ନୀତିକାନ୍ତି ଭିନ୍ନ । ଆଶ୍ୱିନ କୃଷ୍ଣପକ୍ଷ ଦ୍ୱିତୀୟା ଅର୍ଥାତ୍ ମୂଳାଷ୍ଟମୀ ତିଥିରୁ ମା'ଙ୍କର ଷୋଳଦିନାତ୍ମକ ପାର୍ବଣ ପର୍ବ ଅନୁଷ୍ଠିତ ହୁଏ । ଦେବୀଙ୍କର ପ୍ରତ୍ୟହ ସ୍ୱତନ୍ତ୍ର ପୂଜର୍ଚ୍ଚନା ସହିତ ସେବାସୀମାନେ ଏହି ଷୋଳଦିନ ବ୍ରତରଖି ନିଷ୍ଠାର ସହିତ ଶାରଦୀୟ ପୂଜା ପାଳିଥାନ୍ତି । ସେହିଭଳି ପରମ୍ପରାନୁଯାୟୀ ଏହି ଷୋଳଦିନ ତ୍ରିପୁରା ସୁନ୍ଦରୀ ମା'ଭଟ୍ଟାରିକାଙ୍କଠାରେ ସ୍ୱତନ୍ତ୍ର ସୁନାବେଶଲାଗି କରାଯାଏ ଏବଂ ଏହି ଆକର୍ଷଣୀୟ ସୁନାବେଶ ବର୍ଷର ଅନ୍ୟ କୌଣସି ସମୟରେ ଦେଖିବାକୁ ମିଳେନାହିଁ । ପବିତ୍ର ମହାଳୟା ଅମାବାସ୍ୟାଠାରୁ କାମ୍ପିଲ୍ୟବାସିନୀ ମା'ଭଟ୍ଟାରିକାଙ୍କର ପାର୍ବଣପୂଜାର ଦ୍ୱିତୀୟପର୍ବ ନବରାତ୍ର ପୂଜା ଆରମ୍ଭ ହୁଏ । ମହାସପ୍ତମୀ, ମହାଷ୍ଟମୀ, ମହାନବମୀ ଏବଂ ଦଶମୀତିଥି ଅର୍ଥାତ୍ ପବିତ୍ର ଦଶହରା ପୂଜାସହିତ ଏହି ପାର୍ବଣ ସମ୍ପନ୍ନ ହୁଏ । ଦେବୀପକ୍ଷର ମହାସପ୍ତମୀଠାରୁ ଦଶହରା ପର୍ଯ୍ୟନ୍ତ ମା'ଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନପ୍ରାନ୍ତରୁ ଭକ୍ତମାନେ ଆସିଥାନ୍ତି । ସ୍ଥାନୀୟ ଅଧିବାସୀମାନେ ମା'ଭଟ୍ଟାରିକାଙ୍କ ପାଇଁ ମହାଷ୍ଟମୀବ୍ରତ ରଖି ନିଷ୍ଠାର ସହିତ ଉପବାସ କରିଥାନ୍ତି ଓ ଦଶହରାରେ ଶୁଭାନୁକୂଳ ନିମନ୍ତେ ମନ୍ଦିରଯାଇ ମା'ଙ୍କର ପୂଜାର୍ଚ୍ଚନା କରିଥାନ୍ତି । ଶାରଦୀୟ ପୂଜା ସମୟରେ ରାଜ୍ୟର ଅନ୍ୟାନ୍ୟ ପୀଠଭଳି ପ୍ରତ୍ୟହ ଚଣ୍ଡିପୁରାଣ ବର୍ଣ୍ଣିତ ଦଶମହାବିଦ୍ୟାର ବିଭିନ୍ନରୂପରେ ମା'ଙ୍କୁ ଏଠି ଯଦିଓ ବନ୍ଦାପନା କରାଯାଏ କିନ୍ତୁ ବେଶ କରାଯାଏନାହିଁ । ପରମ୍ପରାନୁଯାୟୀ ଏହିସମୟରେ ଦେବୀ ଭଟ୍ଟାରିକାଙ୍କୁ ପ୍ରତ୍ୟହ କିଶୋରୀ, କୁମାରୀ ଏବଂ ପୌଢା ଏହି ତିନି ମାତୃଶକ୍ତି ରୂପେ ଯଥାକ୍ରମେ ସକାଳେ, ମଧ୍ୟାହ୍ନରେ ଏବଂ ସଞ୍ଜରେ ସଜାଯାଇ ପୂଜାର୍ଚ୍ଚନା କରାଯାଏ । ପାର୍ବଣ ପୂଜା ସମୟରେ ପ୍ରତ୍ୟହ ସଂକୀର୍ତ୍ତନ, ପାଲା, ଚଣ୍ଡିପାଠ ସହିତ ମା'ଙ୍କର ବିଶେଷ ସନ୍ଧିପୂଜା କରାଯାଏ । ମହାଷ୍ଟମୀ ଯାତ୍ରାର ମଧ୍ୟରାତ୍ରରେ କାଳେସି ଉଭାଯାତ୍ରା ଦେଖିବାକୁ ଲୋକମାନଙ୍କ ପ୍ରବଳ ଭିଡ଼ ହୁଏ ।

  1. "Watch Bhattarika Temple Video". ovguide.com. 2012. Retrieved 2 October 2012. Bhattarika Temple, located in sasanga village, baramba, Athgarh, Cuttack District, India is dedicated to the Hindu Goddess Maa Bhattarika worshipped as a manifestation of Shakti
  2. ସମ୍ବାଦ, ୨୩ଅକ୍ଟୋବର ୨୦୧୨, ପୃଷ୍ଠା:୦୨
  3. "Bhattarika temple". Archived from the original on 2009-04-02. Retrieved 2011-05-07.
  4. ସମାଜ, ପୃଷ୍ଠା- ଘ, ୨୩.୧୦.୨୦୧୨
  5. "Bhattarika Temple of Athgarh of Odisha". orissaspider.com. 2012. Archived from the original on 8 October 2012. Retrieved 2 October 2012. the worshipers of goddess Bhattarika are non-Brahmin and cooked fish is offered to goddess Bhattarika

ଅଧିକ ତଥ୍ୟ

[ସମ୍ପାଦନା]