ଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟି

ଉଇକିପିଡ଼ିଆ ରୁ
Jump to navigation Jump to search
ଗଙ୍ଗେଶ୍ୱରୀ ଦେଉଳ
Gangeswari Temple, Bayalisabati 01.jpg
Main deity of Gangeswari Temple, Bayalisabati.jpg
ଉପର: ଗଙ୍ଗେଶ୍ୱରୀ ଦେଉଳ, ତଳ: ଗର୍ଭଗୃହ ସିଂହାସନରେ ଗଙ୍ଗେଶ୍ୱରୀ ଦେବୀଙ୍କ ପୂଜିତ ବିଗ୍ରହ
ଭୌଗୋଳିକ ଅବସ୍ଥିତି
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାବୟାଳିଶବାଟି, ପୁରୀ
ସ୍ଥାନପୁରୀ
ପରମ୍ପରା
ମୁଖ୍ୟ ଆରାଧ୍ୟଗଙ୍ଗେଶ୍ୱରୀ
ମୁଖ୍ୟ ପର୍ବପର୍ବାଣୀଷୋଳପୂଜା, ଦଶହରା
ଇତିହାସ ଓ ପାଳନ
ନିର୍ମାଣ କାଳ୧୩ଶ ଶତାବ୍ଦୀ

ଗଙ୍ଗେଶ୍ୱରୀ ଦେଉଳ ପୁରୀ ଜିଲ୍ଲାର ବୟାଳିଶବାଟିରେ ଥିବା ୧୩ଶ ଶତାବ୍ଦୀର ଏକ ପ୍ରାଚୀନ ଦେଉଳ । ଗଙ୍ଗବଂଶର ଅଧିଷ୍ଠାତ୍ରୀ ଦେବୀଙ୍କ ଉଦ୍ଦେଶ୍ୟରେ ଏହି ମନ୍ଦିରଟି ତୋଳାଯାଇଥିଲା ।[୧]

ଇତିହାସ[ସମ୍ପାଦନା]

ଗଙ୍ଗବଂଶର ରାଜତ୍ୱ କାଳରେ ଗଙ୍ଗେଶ୍ୱରୀ ଦେଉଳ ତୋଳାଯାଇଥିଲା । ମନ୍ଦିରର ସ୍ଥାପତ୍ୟ ଓ କଳାକୃତି ଅନୁସାରେ ଏହାକୁ ଖ୍ରୀଷ୍ଟୀୟ ୧୩ଶ ଶତାବ୍ଦୀର ମନ୍ଦିର ଭାବେ ଚିହ୍ନଟ କରାଯାଇଛି ।[୧] ଲୋକମାନଙ୍କ ମଧ୍ୟରେ ଗଙ୍ଗେଶ୍ୱରୀ ଦେଉଳ ତୋଳାଯିବାର ବେଶୀ କିଛି କିମ୍ବଦନ୍ତୀ ମିଳେ ନାହିଁ ।[୨] ଜନସ୍ମୃତିରେ କେବଳ ଏହି କଥା ଜୀବିତ ରହିଛି ଯେ ଏହି ମନ୍ଦିରଟି କୋଣାର୍କର ସୂର୍ଯ୍ୟ ମନ୍ଦିର ଗଢ଼ାଯିବା ପୂର୍ବରୁ ତାହାର ଏକ କ୍ଷୁଦ୍ର ନକଲ ଭାବେ କରାଯାଇଥିଲା ।[୩]

ବର୍ତ୍ତମାନ ଦେଉଳର ମୁଖ୍ୟ ପୂଜାରୀ ଭଗବାନ ପଣ୍ଡା ପ୍ରତ୍ୟହ ପୂଜାର୍ଚ୍ଚନା କରୁଛନ୍ତି ।[୧]

ଶିଳ୍ପକଳା[ସମ୍ପାଦନା]

ଗଙ୍ଗେଶ୍ୱରୀ ଦେଉଳଟି କଳିଙ୍ଗ ସ୍ଥାପତ୍ୟ କଳା ଅନୁସାରେ ନିର୍ମିତ । ଏଥିରେ ବିମାନ ଓ ଜଗମୋହନ ଏହି ଦୁଇଗୋଟି ଅଂଶ ରହିଛି । ବିମାନଟି ଖାକରା ଶୈଳୀରେ ନିର୍ମିତ ଓ ଜଗମୋହନଟି ରେଖ ଶୈଳୀରେ ନିର୍ମିତ । ଗଙ୍ଗେଶ୍ୱରୀ ଦେଉଳ ଖାକରା ଶୈଳୀର ଏକ ଉତ୍କୃଷ୍ଟ ଉଦାହରଣ । ଦେଉଳଟି ନୈଋତ (ଦକ୍ଷିଣ-ପଶ୍ଚିମ) ଦିଗମୁହାଁ ।[୧]

ସ୍ଥାପତ୍ୟ[ସମ୍ପାଦନା]

ବିମାନଟି ତିନି ଭାଗରେ ବିଭକ୍ତ ଖାକରା । ଏହା ସପ୍ତରଥ ନକ୍ସାରେ ଗଢ଼ାହୋଇଛି । ଜଗମୋହନଟି ପଞ୍ଚରଥ ନକ୍ସା ଆଧାରିତ ।[୨] ଏହାର ଉଚ୍ଚତା ଅତି କମ ହୋଇଥିବାରୁ ଖାକରା ବିମାନର ବୈଶିଷ୍ଟ୍ୟ ଏଥିରେ ସହଜରେ ଜାଣିହୁଏ ନାହିଁ ।[୪]

କଳାକୃତି[ସମ୍ପାଦନା]

ଗଙ୍ଗେଶ୍ୱରୀ ଦେଉଳର ପାର୍ଶ୍ୱଦେବୀ ରୂପେ ବିରାଜିତା ବରାହୀ

ଦେଉଳର ଗାତ୍ରରେ ଅନେକ ସୂକ୍ଷ୍ମ କଳାକୃତି ରହିଅଛି କିନ୍ତୁ ଏହି ମଧ୍ୟରୁ ଅଧିକାଂଶ ସମୟକ୍ରମେ ଭାଙ୍ଗିଯାଇଛି କିମ୍ବା ଘଷିହୋଇ ଯାଇଛି । ଗାତ୍ରରେ ଅଷ୍ଟଦିଗପାଳ ଖୋଦିତ ହୋଇଛନ୍ତି । ଏହା ଛଡ଼ା ଚାମୁଣ୍ଡା ଓ ଭୈରବ ମଧ୍ୟ ରହିଛନ୍ତି । ପାର୍ଶ୍ୱଦେବତାଙ୍କ ପାଇଁ ଉଦ୍ଦିଷ୍ଟ ନିଶା ଯାଗାଗୁଡ଼ିକ ମଧ୍ୟରୁ ଦୁଇଟିରେ ଅଧୁନା ବରାହୀ ଓ ଗଣେଶଙ୍କ ମୂର୍ତ୍ତି ରହିଛି । ତୃତୀୟଟିରେ ଏକ ଭଗ୍ନ ଅଂଶଟି ରହି ପୂଜା ପାଉଛି । ଏହା ଅପେକ୍ଷାକୃତ କ୍ଷୁଦ୍ର ଓ ମୂଳ ପାର୍ଶ୍ୱଦେବତା ହେଲା ପରି ମନେ ହେଉନାହିଁ ।

ବରାହୀଙ୍କ ମୂର୍ତ୍ତିରେ ତାଙ୍କୁ ରକ୍ତପାନ କରୁଥିବା ଭଙ୍ଗୀରେ ଚିତ୍ରିତ କରାଯାଇଛି । ତାଙ୍କର ଚାରିଗୋଟି ହାତ ଅଛି । ଦେବୀ ରକ୍ତପାନ କରିବା ପାଇଁ ଗୋଟିଏ ହାତରେ ପାନପାତ୍ର ଟେକି ଅଧର ପାଖରେ ଧରିଅଛନ୍ତି । ବରାହ ମୁଖରୁ ଜିଭ କାଢ଼ି ରୂପାୟିତ କରାଯାଇଛି । ତାଙ୍କର କେଶ ଅତି ନିଖୁଣ ଭାବରେ ଗୁଚ୍ଛଗୁଚ୍ଛ ଭାବେ ଖୋଦିତ । ତଳ ଦୁଇ ହାତରେ ସେ ବଙ୍କା କଟୁରୀ ଓ ଢାଲ ଧରିଛନ୍ତି । ଉପରେ ଦୁଇପଟେ ବିଦ୍ୟାଧରମାନେ ମାଳ ଧରି ଅଛନ୍ତି । ତଳେ ଉଭୟ ପାଖରେ କ୍ଷୁଦ୍ର ଦୁଇଜଣ ଦ୍ୱିଭୁଜା ବରାହମୁଣ୍ଡି ଦେବୀ ଠିଆହୋଇଛନ୍ତି । ସେମାନେ ମଧ୍ୟ ସମାନ ଭଙ୍ଗୀରେ ରହିଛନ୍ତି ।

ଜଗମୋହନ ଓ ବିମାନର ଆଭ୍ୟନ୍ତରୀଣ କାନ୍ଥରେ କୌଣସି କଳାକୃତି ପରିଲକ୍ଷିତ ହୁଏ ନାହିଁ ।[୧]

ମୁଖ୍ୟ ବିଗ୍ରହ[ସମ୍ପାଦନା]

ଗଙ୍ଗେଶ୍ୱରୀଙ୍କ ମୁଖ୍ୟ ବିଗ୍ରହ ଦୁର୍ଗାଙ୍କର ଏକ ପ୍ରତିମା । ବିଗ୍ରହଟି କଳାମୁଗୁନି ପଥରରେ ନିର୍ମିତ । ଦେବୀ ଚତୁର୍ଭୁଜା । ସେ ତଳ ଦୁଇ ହସ୍ତରେ ପଦ୍ମ ଓ ଶର କିମ୍ବା ଶୂଳ ଧରିଥିବା ପରି ପ୍ରତୀତ ହୁଏ । ଦେବୀଙ୍କ ପାଦ ତଳେ ଅସୁରଟିଏ ପଡ଼ିଅଛି । ଅସୁରଟି ମହିଷାସୁର ନା ନୁହେଁ ଏହା ନିଶ୍ଚିତ ଭାବରେ କହିହେବ ନାହିଁ । ଦେବୀଙ୍କ ବାହନ ସିଂହ ଅସୁର ଉପରେ ମାଡ଼ି ବସିଥିବା ଭଙ୍ଗୀରେ ଚିତ୍ରିତ । ଉଭୟ ପଟେ କ୍ଷୁଦ୍ର ଆକାରର ଦୁଇଜଣ ଦ୍ୱିଭୁଜା ଦେବୀ ମଧ୍ୟ ଅଛନ୍ତି । ଏହି ବିଗ୍ରହ ଅଧିକାଂଶ ସମୟ ବସ୍ତ୍ରାବୃତ ଓ ଫୁଲ ଅଳଙ୍କାରରେ ବିଭୂଷିତ ହୋଇ ପୂଜା ପାଆନ୍ତି । ସିଂହାସନଟି କୁଞ୍ଜ ଆକାରରେ ନିର୍ମିତ ଓ ଏହାର ଉଭୟ ପଟେ ଦୁଇଗୋଟି କ୍ଷୁଦ୍ର ସିଂହ ରହିଛନ୍ତି ।

ସିଂହାସନ ଉପରେ ମୁଖ୍ୟ ପ୍ରତିମାଙ୍କ ଛଡ଼ା ଚଳନ୍ତି ପ୍ରତିମା ପୂଜିତ । ଏହା ଛଡ଼ା ସିଂହାସନ ତଳେ ଆଉ ଏକ କଳାମୁଗୁନି ପଥର ପ୍ରତିମା ରହିଛନ୍ତି ।

ପର୍ବପର୍ବାଣି[ସମ୍ପାଦନା]

ଏଠାରେ ଦଶହରା, ଚୈତ୍ର ଗୁରୁବାର, ଷୋଳପୂଜା ଇତ୍ୟାଦି ପାଳନ କରାଯାଏ । ଲୋକମାନେ ବ୍ରତୋପନୟନ ଓ ବିବାହ ଆଦି ଶୁଭକର୍ମ ପାଇଁ ମଧ୍ୟ ଏଠାରେ ପୂଜା ଅନୁଷ୍ଠିତ କରିଥାନ୍ତି ।[୧]

ସଂରକ୍ଷଣ[ସମ୍ପାଦନା]

ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଗଙ୍ଗେଶ୍ୱରୀ ଦେଉଳ ସୁରକ୍ଷିତ ଐତିହ୍ୟସ୍ଥଳୀ ଭାବେ ଘୋଷିତ ହୋଇଅଛି ।[୧] ଏହା ସତ୍ତ୍ୱେ ମନ୍ଦିରର ସଂରକ୍ଷଣ ପ୍ରତି ଯଥୋଚିତ ପଦକ୍ଷେପ ନ ନିଆଯାଇଥିବାରୁ ଜଗମୋହନ ଉପରେ ଲତା ମାଡ଼ିଯାଇଛି ଓ ଅନ୍ୟାନ୍ୟ ସୂକ୍ଷ୍ମ କଳାକୃତିଗୁଡ଼ିକ ଅନେକାଂଶରେ ଭାଙ୍ଗିଯାଇଛି । ବର୍ଷା ସମୟରେ ପାଣି ଗଳୁଛି ।

ଚିତ୍ର[ସମ୍ପାଦନା]

ଗଙ୍ଗେଶ୍ୱରୀ ଦେଉଳର ୩୬୦-ଡିଗ୍ରି ଚିତ୍ର

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Gangesvari Temple, Bayalishbati, Indira Gandhi National Centre for Arts.
  2. ୨.୦ ୨.୧ Buddhism And Other Religious Cults Of South - East India, Shyam Sunder Tripathy. Sundeep Prakashan, 01-Jan-1988, 446 pages.
  3. "ଦ୍ୱିତୀୟ କୋଣାର୍କ ଗଙ୍ଗେଶ୍ୱର ମନ୍ଦିର ପ୍ରତି ଅବିଚାର" (ସମ୍ବାଦ ୩୦/୦୭/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩). Retrieved 30 July 2018.
  4. Cultural Development in Orissa - Issue 21 of Orissa studies project, Volume 21 of Orissan Studies Project, H. C. Das. Punthi Pustak, 1985.