ଏକାଦଶୀ
ଚନ୍ଦ୍ରପକ୍ଷର ଏକାଦଶ ଦିବସ - ଚନ୍ଦ୍ରର ଏକାଦଶ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । କୃଷ୍ଣପକ୍ଷର ଏକାଦଶୀକୁ କୃଷ୍ଣା ଏକାଦଶୀ ଓ ଶୁକ୍ଳପକ୍ଷର ଏକାଦଶୀକୁ ଶୁକ୍ଳା ଏକାଦଶୀ କୁହାଯାଇଥାଏ । ଏକାଦଶୀ ତିଥିରେ କେତେକ ବିଶେଷ ନକ୍ଷତ୍ରର ସଂଯୋଗ ଘଟିଲେ ତାହାକୁ ଜୟା-ବିଜୟା-ଜୟନ୍ତୀ ଓ ପାପନାଶିନୀ କହାଯାଏ । ତେବେ ୨୪ ଏକାଦଶୀର ନାମ ରହିଛି । ସେଗୁଡିକ ହେଲା ଉତ୍ପନ୍ନା, ମୋକ୍ଷଦା, ସଫଳା, ପୁତ୍ରଦା, ଷଟ୍ତିଳା, ଜୟା (ଭୌମୀ), ବିଜୟା, ଆମଳକୀ(ଅଅଁଳା) , ପାପମୋଚନୀ, କାମଦା, ବରୁଥିନୀ, ମୋହିନୀ, ଅପରା, ନିର୍ଜଳା ଅଥବା ଭୀମସେନୀ, ଯୋଗିନୀ, ହରିଶୟନୀ (ପଦ୍ମା), କାମିକା (କାମଦା), ପୁତ୍ରଦା, ଅଜା, ପଦ୍ମା (ପୁତ୍ରଦା), ଇନ୍ଦିରା, ପାପଙ୍କୁଶା, ରମ୍ଭା ଓ ପ୍ରବୋଧିନୀ ।
କୃଷ୍ଣ ଓ ଶୁକ୍ଳପକ୍ଷର ଏକାଦଶୀ ତିଥିକୁ ହରିବାସର କୁହାଯାଏ । ବର୍ଷକର ୨୪ଟି ଏକାଦଶୀ ମଧ୍ୟରୁ ୪ଟିକୁ ବଡ଼ଏକାଦଶୀ କୁହାଯାଏ । ହରିଭକ୍ତିବିଳାସ ଗ୍ରନ୍ଥ ମତରେ ଏକାଦଶୀ ଆଠ ପ୍ରକାର
- ଉନ୍ନୀଳନୀ: ଯେଉଁ ଏକାଦଶୀର ୬୦ ଦଣ୍ଡରୁ ଅଧିକ ପର ଦିବସକୁ ଥାଏ ।
- ବ୍ୟଞ୍ଜଳୀ: ଯେଉଁ ଏକାଦଶୀ ୬୦ଦଣ୍ଡରୁ କମି ପର ଦିନକୁ ଥାଏ ।
- ତ୍ରିସ୍ପୃଶା: ସୂର୍ଯ୍ୟ ଉଦୟ କାଳରେ ଏକାଦଶୀ, ତତ୍ପରେ ଦ୍ୱାଦଶୀ ଓ ଅନ୍ତେ ତ୍ରୟୋଦଶୀ ।
- ପକ୍ଷବର୍ଦ୍ଧିନୀ: ଯେଉଁ ଏକାଦଶୀର ପରବର୍ତ୍ତୀ ପୂର୍ଣ୍ଣିମା ବା ଅମାବାସ୍ୟା ୬୦ ଦଣ୍ଡରୁ ଅଧିକ ଥାଏ ।
- ଜୟା: ଯେବେ ଶୁକ୍ଳ ଦ୍ୱାଦଶୀରେ ପୁନର୍ବସୁ ନକ୍ଷତ୍ର ପଡ଼େ ।
- ବିଜୟା: ଯେବେ ଶୁକ୍ଳ ଦ୍ୱାଦଶୀରେ ଶ୍ରବଣାନକ୍ଷତ୍ରଯୁକ୍ତ ହୁଏ ।
- ଜୟନ୍ତୀ: ଯେବେ ଶୁକ୍ଳ ଦ୍ୱାଦଶୀରେ ରୋହିଣୀ ନକ୍ଷତ୍ର ପଡ଼େ ।
- ପାପନାଶିନୀ: ଯେବେ ଶୁକ୍ଳ ଦ୍ୱାଦଶୀରେ ପୁଷ୍ୟ ନକ୍ଷତ୍ର ପଡ଼େ ।
ଗୁରୁବାର ଏକାଦଶୀ ପଡ଼ିଲେ ଲକ୍ଷ୍ମୀନାରାୟଣ ବ୍ରତ ଓ ରବିବାର ଏକାଦଶୀ ହେଲେ ରବିନାରାୟଣ ବ୍ରତ କରାଯାଏ ।
ଏକାଦଶୀ ବ୍ରତ
[ସମ୍ପାଦନା]ହିନ୍ଦୁମାନଙ୍କର ଏକ ପବିତ୍ର ବ୍ରତ ଏକାଦଶୀ । ସାଧାରଣତଃ ବ୍ରାହ୍ମଣଘରର ବିଧବାମାନେ ଚବିଶ ଏକାଦଶୀ ପାଳିବା ବାଧ୍ୟତାମୂଳକ ଅଟେ । ତା'ଛଡ଼ା ସ୍ମାର୍ତ୍ତ ଓ ପରମାର୍ଥ ଧାର୍ମିକ ଆଚରଣରେ ସମଗ୍ର ଭାରତରେ ଏକାଦଶୀ ଏକ ପ୍ରମୁଖ ସାର୍ବଜନୀନ ବ୍ରତର ମାନ୍ୟତା ପାଇଛି । ଜୀବଦଶାରେ ଜ୍ଞାତସାରରେ ବା ଅଜାଣତରେ କରିଥିବା ପାପକୁ ନଷ୍ଟ କରି ପରଜନ୍ମ ପାଇଁ ପୁଣ୍ୟ ସଞ୍ଚୟ କରିବା ଆମ ଧାର୍ମିକ ପରମ୍ପରାର ମହାନ ଉଦ୍ଦେଶ୍ୟ - ଭାବିବା କଥା ଯେ କଣ ଏକାଦଶୀ କରି ପାପ ମୁକ୍ତିଲାଭ ହୋଇ ପାରିବ? କଥାଚିତ୍ ନୁହେଁ । ଏଥିପାଇଁ ରହିଛି ନିତ୍ୟ ବ୍ରତ, ନୈମିତ୍ତିକ ବ୍ରତ ଓ କାମ୍ୟ ବ୍ରତ ଆଚରଣ ବ୍ୟବସ୍ଥା । ଶାସ୍ତ୍ରୀୟବିଚାରରେ ଚାନ୍ଦ୍ରାୟଣ ବ୍ରତକୁ ନୈମିତ୍ତିକ ବ୍ରତ କୁହାଯାଏ ଏବଂ ଏହାଦ୍ୱାରା ପୂର୍ବକୃତ ପାପ କ୍ଷୟ ହୁଏ । ଓଷାବ୍ରତ ପରି କାମ୍ୟ ବ୍ରତରେ ସୁଖ ଓ ସୌଭାଗ୍ୟ ପ୍ରାପ୍ତି ହୁଏ । ମାତ୍ର ଏକାଦଶୀ ପରି ନିତ୍ୟ ବ୍ରତରେ ପୁଣ୍ୟ ସଞ୍ଚୟ ହୁଏ । କେତେଗୁଡିଏ ଏକାଦଶୀରେ ଏକଭୁକ୍ତ ବା ବେଳାଏ ଖାଇ ପାଳନ କରାଯାଏ ଅନ୍ୟ କେତେଗୁଡ଼ିକରେ ଅନ୍ନଜଳ ସମ୍ପୂର୍ଣ୍ଣ ତ୍ୟାଗକରାଯିବାର ବିଧି ରହିଛି । ଏକାଦଶୀ ଦିନ ଶରୀର ଓ ମନରେ ଶୁଦ୍ଧ ରହି କ୍ରୀଡ଼ା, ନିଦ୍ରା, ମଦ୍ୟପାନ, ପରନିନ୍ଦା, ଅସୂୟା, ଚୋରି, ହିଂସା, ରତି, କ୍ରୋଧ, ଅସତ୍ୟଭାଷଣ ପରି ଏଗାରଟିରୁ ବିରତ ରହିବା ଉଚିତ । ପୁତ୍ରବାନ ଗୃହସ୍ଥ କେବଳ ଶୁକ୍ଳ ଏକାଦଶୀ ଏବଂ ବାନପ୍ରସ୍ଥ ସନ୍ନ୍ୟାସୀ ଓ ବିଧବା ଉଭୟ ଏକାଦଶୀ କରିପାରିବେ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏକାଦଶୀ ପାଳନଦ୍ୱାରା ପେଟକୁ ବିଶ୍ରାମ ମିଳେ ଓ ପାକାଗ୍ନିକୁ ସକ୍ରିୟ କରାଏ । ଫଳରେ ଅଜୀର୍ଣ୍ଣ, ଉଦରଶୂଳ, ଅଗ୍ନିମାନ୍ଦ୍ୟ ଆଦି ରୋଗରୁ ରକ୍ଷା ମିଳେ ।
ଚାନ୍ଦ୍ରମାସ | ବୈଷ୍ଣବ ମାସ | ଇଁରାଜୀ ମାସ | କୃଷ୍ଣପକ୍ଷ ଏକାଦଶୀ ନାମ | ଶୁକ୍ଳପକ୍ଷ ଏକାଦଶୀ ନାମ |
---|---|---|---|---|
ବୈଶାଖ | ମଧୁସୂଦନ | ଅପ୍ରେଲ–ମଇ | ବରୁଥିନୀ ଏକାଦଶୀ | ମୋହିନୀ ଏକାଦଶୀ |
ଜ୍ୟୈଷ୍ଠ | ତ୍ରିବିକ୍ରମ | ମଇ –ଜୁନ | ଅପରା ଏକାଦଶୀ (ଜଳକ୍ରୀଡ଼ା ଏକାଦଶୀ) | ନିର୍ଜଳା ଏକାଦଶୀ |
ଆଷାଢ଼ | ବାମନ | ଜୁନ–ଜୁଲାଇ | ଖଳିଲାଗି/ ଅଣସର ଏକାଦଶୀ | ହରିଶୟନ ଏକାଦଶୀ(ବଡ଼) |
ଶ୍ରାବଣ | ଶ୍ରୀଧର | ଜୁଲାଇ–ଅଗଷ୍ଟ | କାମିକା/ ଅନ୍ନଦାନ/ ଗାନ୍ଧାରୀ ଏକାଦଶୀ | ଶ୍ରାବଣ ପୁତ୍ରଦା ଏକାଦଶୀ |
ଭାଦ୍ରବ | ହୃଶୀକେଶ | ଅଗଷ୍ଟ–ସେପ୍ଟେମ୍ବର | କାଳୀୟଦଳନ ଏକାଦଶୀ | ପାର୍ଶ୍ୱପରିବର୍ତ୍ତନ ଏକାଦଶୀ (ବଡ଼) |
ଆଶ୍ୱିନ | ପଦ୍ମନାଭ | ସେପ୍ଟେମ୍ବର–ଅକ୍ଟୋବର | ଇନ୍ଦିରା ଏକାଦଶୀ | ପାପାଙ୍କୁଶା ଏକାଦଶୀ |
କାର୍ତ୍ତିକ | ଦାମୋଦର | ଅକ୍ଟୋବର–ନଭେମ୍ବର | ରମା ଏକାଦଶୀ | ଦେବୋତ୍ଥାପନ ଏକାଦଶୀ (ବଡ଼) |
ମାର୍ଗଶୀର | କେଶବ | ନଭେମ୍ବର–ଡିସେମ୍ବର | ଉତ୍ପନ୍ନା ଏକାଦଶୀ | ମୋକ୍ଷଦା ଏକାଦଶୀ |
ପୌଷ | ନାରାୟଣ | ଡିସେମ୍ବର–ଜାନୁଆରୀ | ସଫଳା ଏକାଦଶୀ | ପୌଷ ପୁତ୍ରଦା ଏକାଦଶୀ |
ମାଘ | ମାଧବ | ଜାନୁଆରୀ–ଫେବୃଆରୀ | ଷଟ୍ତିଳା ଏକାଦଶୀ | ଭୀଷ୍ମ ଏକାଦଶୀ ଭୌମ୍ୟ/ ଭୈମୀ ଏକାଦଶୀ (ବଡ଼) |
ଫାଲ୍ଗୁନ | ଗୋବିନ୍ଦ | ଫେବୃଆରୀ–ମାର୍ଚ୍ଚ | ପଙ୍କୋଦ୍ଧାର ଏକାଦଶୀ | ଅଁଳା ଏକାଦଶୀ |
ଚୈତ୍ର | ବିଷ୍ଣୁ | ମାର୍ଚ୍ଚ–ଅପ୍ରେଲ | ପାପମୋଚନୀ ଏକାଦଶୀ | କାମଦା ଏକାଦଶୀ |
ଅଧିମାସ | ପୁରୁଷୋତ୍ତମ | - | ପରମା ଶୁଦ୍ଧ/ ପରମା ଏକାଦଶୀ | ପଦ୍ମିନୀ ଏକାଦଶୀ |
ପର୍ବପର୍ବାଣି
[ସମ୍ପାଦନା]- ଶମ୍ଭୁ ଏକାଦଶୀ: ସୋମବାରରେ ଯଦି ଏକାଦଶୀ ତିଥି ପଡ଼େ, ତେବେ ତାକୁ ଶମ୍ଭୁ ଏକାଦଶୀ କହନ୍ତି । ଏହି ଦିନ ଶ୍ରୀଲୋକନାଥ ବିମାନରେ ବିଜେ ହୋଇ ଶ୍ରୀଜଗନ୍ନଥଙ୍କ ପାଖକୁ ଶ୍ରୀମନ୍ଦିରକୁ ଆସନ୍ତି । ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ମଧ୍ୟ ବିମାନରେ ବିଜେ ହୋଇ ଶ୍ରୀମନ୍ଦିରରୁ ଲୋକନାଥଙ୍କୁ ପାଛୋଟି ଆଣିବାକୁ ବାହାରିଯାଆନ୍ତି । ମଝି ରାସ୍ତାରେ ଦୁଇଙ୍କର ଭେଟ ହୁଏ । ଲୋକନାଥ ଶ୍ରୀଜଗନ୍ନାଥଙ୍କୁ ପାଛୋଟି ନିଅନ୍ତି ନିଜ ମନ୍ଦିରକୁ ।ଉଭୟଙ୍କ ମଣୋହି ହୁଏ ଏବଂ ଶ୍ରୀଜଗନ୍ନାଥଙ୍କୁ ସାଦର ବିଦାୟ ଦିଅନ୍ତି ଲୋକନାଥ । ରଥ ବାହୁଡ଼ା ଯାତ୍ରା ଦୋଳୋତ୍ସବ, ଦଶହରା ସମୟରେ ସୋମବାରରେ ଏକାଦଶୀ ତିଥି ପଡ଼ିଲେ ଶମ୍ଭୁ ଏକାଦଶୀ ପାଳନ କରାଯାଇ ନଥାଏ ।[୨]
- ମାଘ କୃଷ୍ଣ ଏକାଦଶୀ: ଓଳାଶୁଣୀ ମେଳା
- ମାଘ ଶୁକ୍ଳ ଏକାଦଶୀ: ଭୌମ୍ୟ ବା ଭୈମୀ ଏକାଦଶୀ: କିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନଙ୍କ ବନବାସ ସମୟରେ ଏଠାରେ ଦ୍ରୌପଦୀ ଏହି ଏକାଦଶୀ ବ୍ରତ ରଖିଥିଲେ । ବ୍ରତରେ ବିଷ୍ଣୁଙ୍କ ଦର୍ଶନ ପରେ ଜଳଗ୍ରହଣ କରାଯାଏ, କିନ୍ତୁ ଭୌମ୍ୟାସୁର ବିଷ୍ଣୁଙ୍କୁ ପାତାଳପୁରରେ ଲୁଚାଇ ରଖିଥିବାରୁ ଦ୍ରୌପଦୀ ବିଷ୍ଣୁଙ୍କ ଦର୍ଶନ ପାଇନଥିଲେ । ପାଣ୍ଡବମାନେ ଧ୍ୟାନଯୋଗେ ଏକଥା ଜାଣିବା ପରେ ଭୌମ୍ୟାସୁରକୁ ବଦ୍ଧ କରି ବିଷ୍ଣୁଙ୍କୁ ଉଦ୍ଧାର କରିଥିଲେ ।
- ଏହିଦିନ ନିଆଳିସ୍ଥିତ ପୌରାଣିକ ମାଧବାନନ୍ଦଜୀଉ ପୀଠରେ ଶତାଧିକ ଶ୍ରଦ୍ଧାଳୁ ପୁଣ୍ୟତୋୟା ପ୍ରାଚୀନଦୀର ପାଣ୍ଡବ ତୀର୍ଥରେ ବୁଡ଼ ପକାଇଥାନ୍ତି ।
- ପାର୍ଶ୍ୱପରିବର୍ତ୍ତନ ଏକାଦଶୀ: ଶୟନ ଏକାଦଶୀର ପରବର୍ତ୍ତୀ ବଡ଼ ଏକାଦଶୀ । ପୌରାଣିକ ମତେ ଏହି ଦିନ ବିଷ୍ଣୁ ଶୋଇଥିବା ଅବସ୍ଥାରେ ବାଆଁପାଖରୁ ଡାହାଣ ପାଖକୁ କଡ଼ ଲେଉଟାନ୍ତି ।
- ଦେବୋତ୍ଥାପନ ଏକାଦଶୀ: ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ ଶେଷ । ଚତୁର୍ମାସ୍ୟା ବ୍ରତ ସମାପନ ।
ଆଧାର
[ସମ୍ପାଦନା]- ↑ "Ekadashi 2014". hindusphere.com. Retrieved 13 May 2014.
- ↑ ମିଶ୍ର, ରବୀନ୍ଦ୍ର ନାରାୟଣ. "ଓଁ ନମଃ ଶିବାୟ". ପ୍ରଗତିବାଦୀ. Retrieved 26 February 2017.