କାମଦା ଏକାଦଶୀ
କାମଦା ଏକାଦଶୀ | |
---|---|
ଅନ୍ୟ ନାମ | ଫଳଦା ଏକାଦଶୀ |
ପାଳନକାରୀ | ହିନ୍ଦୁ |
ପ୍ରକାର | ଧାର୍ମିକ |
ପର୍ବ ପାଳନ | ବ୍ରତ, ପୂଜା |
ତାରିଖ | ଚୈତ୍ର ଶୁକ୍ଳ ଏକାଦଶୀ |
୨୦୨୪ ତାରିଖ |
ଚୈତ୍ର ଶୁକ୍ଳ ଏକାଦଶୀକୁ କାମଦା ଏକାଦଶୀ ଭାବେ ପାଳନ କରାଯାଏ । ଏହା ଫଳଦା ଏକାଦଶୀ ଭାବେ ମଧ୍ୟ ପରିଚିତ ।[୧]
ମହାତ୍ମ୍ୟ
[ସମ୍ପାଦନା]ଧର୍ମରାଜ ଯୁଧିଷ୍ଠିରଙ୍କୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି – ପ୍ରାଚୀନକାଳରେ ଭୋଗପୁରୀ ନଗରରେ ଐଶ୍ୱର୍ଯ୍ୟରେ ଭରା ରାଜା ପୁଣ୍ଡରିକ ଶାସନ କରୁଥିଲେ । ଭୋଗପୁର ନଗରୀରେ ଅପ୍ସରା, କିନ୍ନର ଏବଂ ଗନ୍ଧର୍ବମାନେ ବାସ କରୁଥିଲେ । ଗନ୍ଧର୍ବମାନଙ୍କ ମଧ୍ୟରୁ ଲଳିତା ଏବଂ ଲଳିତ ନାମକ ସ୍ୱାମୀ ସ୍ତ୍ରୀ ଅତ୍ୟନ୍ତ ବୈଭବଶାଳୀ ଘରେ ରହୁଥିଲେ । ଥରେ ପୁଣ୍ଡରିକଙ୍କ ରାଜସଭାରେ ଗନ୍ଧର୍ବମାନଙ୍କ ସହିତ ଲଳିତ ଗୀତ ବୋଲୁଥିଲେ । ଲଳିତ ମଧ୍ୟ ଗୀତ ଗାଉଥିବା ବେଳେ ପତ୍ନୀ ଲଳିତାଙ୍କୁ ଧ୍ୟାନ କରି ଗୀତର ଲୟ ଭାଙ୍ଗିଦେଲେ । କାର୍କୋଟ ନାମକ ନାଗ ଗୀତର ଲୟର ଏପଟ ସେପଟ ହେବାର କାରଣ ଜାଣିପାରି ସେ ରାଜାଙ୍କୁ ସୂଚାଇଦେଲେ । ରାଜା ପୁଣ୍ଡରିକ କ୍ରୁଦ୍ଧ ହୋଇ ଲଳିତଙ୍କୁ କହିଲେ- ମୋ ସମ୍ମୁଖରେ ଗୀତ ବୋଲୁଥିବା ବେଳେ ପତ୍ନୀଙ୍କୁ ସ୍ମରଣ କରୁଛ .... ତୁମେ ରାକ୍ଷସ ହୁଅ, ତୁମେ ତୁମ କର୍ମର ଫଳ ଭୋଗ । ପୁଣ୍ଡରିକଙ୍କ ଅଭିଶାପରେ ଲଳିତ ରାକ୍ଷସ ହୋଇ ଦୁଃଖ ଭୋଗିବାକୁ ଲାଗିଲେ । ଯେତେବେଳେ ପତ୍ନୀ ଲଳିତାଙ୍କୁ ଜଣାପଡ଼ିଲା ତାଙ୍କ ସ୍ୱାମୀ ରାକ୍ଷସ ହୋଇ ବଣଜଙ୍ଗଲରେ ବୁଲୁଛନ୍ତି, ସେ ଦୁଃଖୀ ହୋଇ ସ୍ୱାମୀଙ୍କୁ ଉଦ୍ଧାର କରିବା ଲାଗି ଚିନ୍ତା କଲେ । ସ୍ୱାମୀଙ୍କୁ ଉଦ୍ଧାର କରିବା ଲାଗି ଲଳିତା ସ୍ୱାମୀଙ୍କ ପଛେପଛେ ଯାଇ ବିନ୍ଧ୍ୟାଞ୍ଚଳ ପର୍ବତରେ ପହଞ୍ଚିଲେ । ସେଠାରେ ଶୃଙ୍ଗି ଋଷିଙ୍କ ଆଶ୍ରମକୁ ଯାଇ ଋଷିଙ୍କୁ ଭେଟି ଲଳିତା ନିଜର ଦୁଃଖ ବଖାଣିଲେ । ଋଷି ସମସ୍ତ କଥା ଶୁଣି କହିଲେ- ହେ ଗନ୍ଧର୍ବ କନ୍ୟା, ଏବେ ଚୈତ୍ର ଶୁକ୍ଳ ଏକାଦଶୀ ଆସୁଛି I ତାହାକୁ କାମଦା ଏକାଦଶୀ କୁହାଯାଏ । ଏହି ଏକାଦଶୀ ବ୍ରତ କଲେ ସମସ୍ତ କାର୍ଯ୍ୟ ସିଦ୍ଧ ହେବ । ଏହାର ପୁଣ୍ୟରୁ ସ୍ୱାମୀ ଶିଘ୍ର ମୁକ୍ତି ହେବେ । ଲଳିତା ବିଧିବଦ୍ଧ ଭାବେ ଏକାଦଶୀ ବ୍ରତ ପାଳନ କଲେ । ସ୍ୱାମୀ ରାକ୍ଷସମୁକ୍ତ ହୋଇ ସାଧାରଣ ପୁରୁଷ ରୂପ ଫେରି ଆସିଲେ । ଏହି ବ୍ରତ କରିବାଦ୍ୱାରା ସେମାନେ ସ୍ୱର୍ଗଲୋକ ପ୍ରାପ୍ତି ହୋଇଥିଲେ ।[୨]
ଆଧାର
[ସମ୍ପାଦନା]- ↑ "Kamada Ekadashi Vrat – कामदा एकादशी व्रत". Archived from the original on 7 February 2016. Retrieved 5 February 2016.
- ↑ ସମୟ, ମଙ୍ଗଳବାର, ୨୩ ଅପ୍ରେଲ ୨୦୧୩, ପୃଷ୍ଠା: ୨