ଇନ୍ଦିରା ଏକାଦଶୀ

ଉଇକିପିଡ଼ିଆ ରୁ
Jump to navigation Jump to search

ଆଶ୍ୱିନ ମାସ କୃଷ୍ଣପକ୍ଷରେ 'ଇନ୍ଦିରା' ନାମକ ଏକାଦଶୀ ପଡେ । ଏହି ବ୍ରତର ପ୍ରଭାବରେ ବଡ଼ ବଡ଼ ପାପ ନଷ୍ଟ ହୋଇଯାଏ ।

କିମ୍ବଦନ୍ତୀ[ସମ୍ପାଦନା]

ସତ୍ୟଯୁଗରେ ଇନ୍ଦ୍ରସେନ ନାମକ ଜଣେ ରାଜା ମାହିଷ୍ମତିପୁରୀକୁ ଶାସନ କରୁଥିଲେ । ସେ ଅତ୍ୟନ୍ତ ଧର୍ମପରାୟଣ ହୋଇଥିବାରୁ ତାଙ୍କର ଖ୍ୟାତି ଚତୁର୍ଦ୍ଦିଗକୁ ବ୍ୟାପିଥିଲା । ରାଜା ଇନ୍ଦ୍ରସେନ ଭଗବାନ ବିଷ୍ଣୁଙ୍କ ଭକ୍ତିରେ ତଲ୍ଲୀନ ରହି ଗୋବିନ୍ଦଙ୍କର ମୋକ୍ଷଦାୟକ ନାମ ଜପ କରି ସମୟ ଅତିବାହିତ କରୁଥିଲେ । ଦିନେ ରାଜା ରାଜ ଦରବାରରେ ବସିଥିବା ସମୟରେ ଦେବର୍ଷି ନାରଦ ସେଠାରେ ପହଞ୍ଚିଲେ । ତାଙ୍କୁ ଆସିବାର ଦେଖି କରଯୋଡ଼ି ଠିଆହେଲେ ଓ ବିଧିପୂର୍ବକ ପୂଜାକରି ଆସନରେ ବସାଇଲେ । ଆସିବାର କାରଣ ଜିଜ୍ଞାସା କଲେ । ନାରଦ କହିଲେ - ଶୁଣ ରାଜନ୍ । ମୁଁ ଯମଲୋକକୁ ଯାଇଥିଲି ଓ ସେଠାରେ ତୁମ ପିତାଙ୍କୁ ଦେଖିଲି । ସେ ବ୍ରତଭଙ୍ଗ ଦୋଷରୁ ନର୍କଯନ୍ତ୍ରଣା ଭୋଗକରୁଛନ୍ତି । ସେ ମୋହାତରେ ସନ୍ଦେଶ ପଠାଇ କହିଛନ୍ତି, ମୋତେ ଇନ୍ଦିରା ଏକାଦଶୀ ବ୍ରତ ପୁଣ୍ୟ ଦେଇ ସ୍ୱର୍ଗକୁ ପଠାଅ ।

ବିଧି[ସମ୍ପାଦନା]

ଆଶ୍ୱିନ ମାସ କୃଷ୍ଣପକ୍ଷର ଦଶମୀ ଦିନ ପ୍ରାତଃକାଳରେ ସ୍ନାନ କରିବା ସହିତ ମଧ୍ୟାହ୍ନରେ ପୁଣି ଅବଗାହନ କରି ଭୋଜନ କରିବା ଉଚିତ୍ । ରାତିରେ ଭୂମିରେ ଶୟନ କରିବା ନିୟମ ରହିଛି । ଏକାଦଶୀ ଦିନ ସ୍ନାନ ଶୌଚ ହୋଇ "ଅଦ୍ୟ ସ୍ଥିତ୍ୱା ନିରାହାରାଃ ସର୍ବଭୋଗ ବିବର୍ଜିତଃ । ଶ୍ୱୋ ଭୋକ୍ଷେ ପୁଣ୍ଡରୀକାକ୍ଷ ଶରଣଂ ମେ ଭବାଚ୍ୟୁତ ।।" ମନ୍ତ୍ର ପାଠ କରି ଉପବାସର ନିୟମ ପାଳନ କରିବା ଜରୁରୀ । ଏହିପରି ନିୟମ ଅନୁସରଣ କରି ମଧ୍ୟାହ୍ନ କାଳରେ ପିତରଙ୍କ ପ୍ରସନ୍ନତା ନିମନ୍ତେ ଶାଳଗ୍ରାମ-ଶିଳା ସମ୍ମୁଖରେ ବିଧିପୂର୍ବକ ଶ୍ରାଦ୍ଧ ଦେବା ସହିତ ଦକ୍ଷିଣାଦ୍ୱାରା ବ୍ରାହ୍ମଣଙ୍କୁ ସତ୍କାର କରି ତାଙ୍କୁ ଭୋଜନ ଦେବା ଉଚିତ୍ । ପିତୃପୁରୁଷଙ୍କୁ ଦିଆଯାଇଥିବା ଅନ୍ନପିଣ୍ଡକୁ ଶୁଙ୍ଘି ଗାଈକୁ ଖୁଆଇ ଦିଆଯାଏ । ପୁଣି ଧୂପ ଓ ଗନ୍ଧଦ୍ୱାରା ଭଗବାନ୍ ହୃଷିକେଶଙ୍କ ପୂଜା କରି ରାତିରେ ତାଙ୍କ ପାଖରେ ଉଜାଗର ରହିବ । ସକାଳ ହେଲେ ଦ୍ୱାଦଶୀ ଦିନ ପୁଣି ଭକ୍ତିପୂର୍ବକ ଶ୍ରୀହରିଙ୍କର ପୂଜା କରିବ । ଏହା ପରେ ବ୍ରାହ୍ମଣଙ୍କୁ ଭୋଜନ କରାଇ ଭାଇ-ବନ୍ଧୁ ନାତି ଓ ପୁତ୍ରମାନଙ୍କ ସହିତ ସ୍ୱୟଂ ମୌନପୂର୍ବକ ଭୋଜନ କର ।

ରାଜା ଇନ୍ଦ୍ରସେନ ନାରଦଙ୍କ କହିବା ଅନୁସାରେ ବ୍ରତ ପାଳନ କଲେ । ବ୍ରତ ପୂର୍ଣ୍ଣ ହେବା ପରେ ଆକାଶରୁ ପୁଷ୍ପ ବୃଷ୍ଟି ହେଲା । ଇନ୍ଦ୍ରସେନଙ୍କ ପିତା ଗରୁଡ଼ରେ ବସି ବିଷ୍ଣୁଧାନକୁ ଚାଲିଗଲେ ଓ ଇନ୍ଦ୍ରସେନ ମଧ୍ୟ ନିଷ୍କଣ୍ଟକ ରାଜ୍ୟ ଭୋଗ କରି ନିଜର ପୁତ୍ରକୁ ରାଜସିଂହାସନରେ ବସାଇ ସ୍ୱର୍ଗକୁ ଚାଲିଗଲେ ।

ଏହାକୁ ପଠନ ଓ ଶ୍ରବଣ କରି ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଯାଏ ।