ହରିଶଙ୍କର ମନ୍ଦିର

ଉଇକିପିଡ଼ିଆ‌ରୁ
(Harishankar Templeରୁ ଲେଉଟି ଆସିଛି)
ହରିଶଙ୍କର ମନ୍ଦିର
ହରିଶଙ୍କର ମନ୍ଦିର, ବଲାଙ୍ଗୀର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtବଲାଙ୍ଗୀର
Location
ସ୍ଥାନହରିଶଙ୍କର
Country ଭାରତ

ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଏହାର ଦୂରତା ସଦର ମହକୁମାରୁ ପ୍ରାୟ ୮୦ କି.ମି ହେବ । ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତରାଞ୍ଚଳରେ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଥିବାବେଳେ ଦକ୍ଷିଣରେ ରହିଛି ହରିଶଙ୍କର ।[୧] ଏହି ପୀଠରେ ହରି ଓ ଶଙ୍କର ଏକାଠି ପୂଜା ପାଉଥିବାରୁ ଏହି ପୀଠର ସ୍ୱତନ୍ତ୍ରତା ରହିଛି । ହରିଶଙ୍କର ମନ୍ଦିର ଏବଂ ନୃସିଂହନାଥ ମନ୍ଦିର ମଧ୍ୟରେ ଅବସ୍ଥିତ ମାଳଭୂମିରେ ବୌଦ୍ଧ ଧର୍ମାଲମ୍ବୀଙ୍କଦ୍ୱାରା ନିର୍ମାଣ କରାଯାଇଥିବା ଧ୍ୱସ୍ତବିଧ୍ୱସ୍ତ ଏକ ପ୍ରାଚୀନ ପରିମଳଗିରି ବିଶ୍ୱବିଦ୍ୟାଳୟ ରହିଛି ।[୨]

ଇତିହାସ[ସମ୍ପାଦନା]

୧୪ଶହ ଶତାବ୍ଦୀରେ ପଶ୍ଚିମ ଓଡ଼ିଶାର ଚୌହାନ ରାଜବଂଶର ରାଜାଙ୍କୁ ହରିଶଙ୍କର ପ୍ରତିମୂର୍ତ୍ତୀ ବିଷୟରେ ସୂଚନା ମିଳିଥିଲା । ଏହା ପରଠାରୁ ସେହି ସ୍ଥାନରେ ହରିଶଙ୍କରଙ୍କର ପୂଜା ହୋଇଆସୁଛି । ନୃତ କରୁଥିବା ଏକ ଗଣେଶଙ୍କ ଛବି ମଧ୍ୟ ମିଳିଥିଲା, ଯାହାକି ୧୨ଶହ ଶତାବ୍ଦୀର ପ୍ରାରମ୍ଭର ବୋଲି ଅନୁମାନ କରାଯାଏ । ଏହା ପରେ ମହାରାଜ ବିଜଳ ଦେବ ଚୌହାନଙ୍କର ପତ୍ନୀ ଦୁର୍ଲଭା ଦେବୀଙ୍କ ନିର୍ଦ୍ଦେଶରେ ସେହି ସ୍ଥାନରେ ମନ୍ଦିରଟି ନିର୍ମାଣ ହୋଇଥିଲା । ଏହି ମନ୍ଦିରର ଆକର୍ଷଣୀୟ ରୂପରେଖ ଏବଂ ଉତ୍ତମ ନିର୍ମାଣଶୈଳୀ ପାଇଁ ଅନେକଙ୍କର ଦୃଷ୍ଟି ଆକର୍ଷଣ କରିଛି । ଏହି ମନ୍ଦିରଟିର ନିରମାଣ ଶୈଳୀ ଓଡ଼ିଶାର ଅନ୍ୟାନ୍ୟ ମନ୍ଦିର ଅପେକ୍ଷା କିଛି ଭିନ୍ନ ପରିଲକ୍ଷିତ ହୋଇଥାଏ ।[୩]

ପ୍ରଥମେ ଯମୁନା ନାମକ ଜଣେ କନ୍ଧ ମହିଳା ହରି-ଶଙ୍କରଙ୍କୁ ଦର୍ଶନ କରିଥିଲେ । ଏଠାରେ ପୂଜକମାନେ ହେଉଛନ୍ତି କନ୍ଧ-ଆଦିବାସୀ ସଂପ୍ରଦାୟର । ଆଦିବାସୀ ସଂସ୍କୃତି ଅନୁଯାୟୀ ଏଠାରେ ପୂଜାର୍ଚ୍ଚନା କରାଯାଏ । ବୈଶାଖ ମାସର ନରସିଂହ ଚତୁର୍ଦ୍ଦଶୀ ହେଉଛି ହରି-ଶଙ୍କରଙ୍କର ମୁଖ୍ୟ ପର୍ବ । ସେହି ଦିନକ ପାଇଁ ସନ୍ଧ୍ୟା ଆଳତୀରେ ଗନ୍ଧମାର୍ଦ୍ଦନ ପାହାଡ଼ରୁ ସଂଗ୍ରହ କରାଯାଇଥିବା ପିଟକନ୍ଦା ଭୋଗ ଲାଗି ହୁଏ । ଅନ୍ୟାନ୍ୟ ଦିନ ମାନଙ୍କରେ ସ୍ଥାନୀୟ ଫଳ ଲାଗି ହୁଏ ।[୪]

ଅବସ୍ଥିତି[ସମ୍ପାଦନା]

ହରିଶଙ୍କର ମନ୍ଦିର ବଲାଙ୍ଗୀର ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଅବସ୍ଥିତ । ରେଳ ଯୋଗେ ଗଲେ, ହରିଶଙ୍କର ରୋଡ଼ ଷ୍ଟେସନଠାରୁ ୩୨ କିଲୋମିଟରର ଦୂରରେ ଅବସ୍ଥିତ । ବଲାଙ୍ଗୀର ଏବଂ ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତର ପାଦ‌ଦେଶରେ ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ଏହି ମନ୍ଦିରଟି ।[୩] ଭଗବାନ ଶଙ୍କର ଏବଂ ବିଷ୍ଣୁଙ୍କର ଆବିର୍ଭାବ ପରେ ଏହି ସ୍ଥାନଟିକୁ ସେମାନଙ୍କର ଜୁଗଳ ମୂର୍ତ୍ତୀ ପାଇଁ ହରିଶଙ୍କର ଭାବେ ନାମିତ କରାଯାଇଛି ।[୩]

ଗନ୍ଧମାର୍ଦ୍ଦନ ପର୍ବତରୁ ବାହାରିଥିବା ଝରଣାଟିଏ ଏହି ମନ୍ଦିରକୁ ଲାଗିକି ରହିଛି । କିମ୍ବଦନ୍ତୀ ଅନୁସାରେ କେହି ଜଣେ ସେହି ସ୍ଥାନରେ କିଛି ଖୋଳୁଥିବା ବେଳେ ପାହାଡରୁ ପାଣିଝରଟିଏ ସୃଷ୍ଟି ହୋଇଥିଲା ଏବଂ ସେହି ପାଣିଝରଟି ଝରଣାର ରୂପ ନେଇଥିଲା ।[୩]

ଗୋଟିଏ ସ୍ଥାନରେ ଝରଣାର ପାଣି ଗଡ଼ାଣିଆ ପଥର ଶଯ୍ୟା ଉପର ଦେଇ ପ୍ରବାହିତ ହେଉଥାଏ । ଏହି ପଥର ଶଯ୍ୟାକୁ ସ୍ଥାନୀୟ ଲୋକେ ‘ସଲ୍‌ଡେନ୍‌ ପଥର’ ବୋଲି କୁହନ୍ତି । ଏହି ପଥର ଶଯ୍ୟା ଖୁବ୍ ଚିକ୍କଣ । ଏହା ହେଉଛି ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ । ଏଠାରେ ଗାଧୋଇବା ଓ ଜଳକ୍ରୀଡ଼ା କରିବା ପାଇଁ ସବୁ ପ୍ରକାର ସୁବିଧା ଅଛି ।[୪]

ପର୍ବ ପର୍ବାଣି[ସମ୍ପାଦନା]

ହରିଶଙ୍କର ମନ୍ଦିରର ମୁଖ୍ୟଦ୍ୱାର
  • ସମସ୍ତ ଏକାଦଶୀ ଏବଂ ସଂଙ୍କ୍ରାନ୍ତି
  • ଶିବ ରାତ୍ରୀ
  • ମକର ସଂଙ୍କ୍ରାନ୍ତି
  • ମାଘ ମେଳା

ହରିଶଙ୍କର ମନ୍ଦିରରେ ଦିନ ୧୨.୩୦ରୁ ୩.୦୦ ଯାଏ ଭକ୍ତମାନଙ୍କ ଭୋଜନର ବନ୍ଦୋବସ୍ତ ହୋଇଥାଏ । ଏହିଠାରେ ଭୋଜନ କରିବାକୁ ହେଲେ, ସକାଳୁ ପଞ୍ଜୀକରଣ କିରବାକୁ ପଡ଼ିଥାଏ ।

ଫଟୋ ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "orissa tourism-Harishankar". orissadiary.com. Archived from the original on 16 October 2012. Retrieved 9 January 2013. on its opposite is the temple of Nrusinghanath.
  2. "Harishankar Temple, Bolangiri". Incredible Odisha. Retrieved 19 October 2016.
  3. ୩.୦ ୩.୧ ୩.୨ ୩.୩ "Tourist Places In Balangir / Bolangir , Odisha ( Orissa )". Nua Odisha/ Odisha Tourism. Retrieved 19 October 2016.
  4. ୪.୦ ୪.୧ "ହରିଶଙ୍କରରେ ଗୋଟିଏ ଦିନ". Odisha Reporters. 11 April 2016. Retrieved 21 October 2016.