ସୋମତୀର୍ଥ

ଉଇକିପିଡ଼ିଆ‌ରୁ

ନଦୀ ଓ ସରୋବରମାନଙ୍କୁ ତୀର୍ଥ , ନଦୀ ଆଶ୍ରୟସ୍ଥଳୀ ସମୁଦ୍ରକୁ ତୀର୍ଥରାଜ ଓ ଅଭିଷେକ ଜଳସିଞ୍ଚନ କାର୍ଯ୍ୟକୁ କହନ୍ତି ତୀର୍ଥଗ୍ରହଣ I ତୀର୍ଥ କରି ଯିବା , ତୀର୍ଥ ଦର୍ଶନ ଧାର୍ମିକଙ୍କ ପାଇଁ ପୁଣ୍ୟ ଅର୍ଜନ ବୋଲି ବିଶ୍ୱାସ ରହିଛି I ଏହିପରି ଏକ ପୁରାତନ ତୀର୍ଥ ସୋମତୀର୍ଥ ରହିଛି ବଲାଙ୍ଗୀର ଜିଲ୍ଲାରେ I ଟିଟିଲାଗଡଠାରୁ କଣ୍ଟାବାଞ୍ଝି ଯିବା ରାସ୍ତାରେ ସିନ୍ଧେକେଲା ପରେ ୪୦ କିଲୋମିଟର ଭିତରକୁ ଗଲେ ଏହି ତୀର୍ଥକ୍ଷେତ୍ର ପଡେ I ସୋମତୀର୍ଥରେ ସ୍ନାନ ଓ ଦର୍ଶନଦ୍ୱାରା ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରାଯାଏ I ସୋମେଶ୍ୱର ଶିବ ମନ୍ଦିର ଏବଂ ସେଠାରେ ଥିବା ପବିତ୍ର ଜଳାଶୟକୁ ନେଇ ବିଖ୍ୟାତ ସୋମତୀର୍ଥ କ୍ଷେତ୍ର I ସୋମେଶ୍ୱର ମନ୍ଦିର ଅଭିଲେଖରୁ ଜଣାପଡେ , ଆଚାର୍ଯ୍ୟ ଗଗନ ଶିବ ବା ବ୍ୟୋମ ଶିବ ଉତ୍ତର ତେରେମ୍ବରୁ ଏଠାକୁ ଆସି ଏହି ମନ୍ଦିର ନିର୍ମାଣ କରାଇଥିଲେ I ମତ୍ତମୟୁର ଶୈବ ସମ୍ପ୍ରଦାୟର ସେ ଆଚାର୍ଯ୍ୟ (୮୨୦ – ୮୬୦ ) ଥିଲେ I ମନ୍ଦିର ଦ୍ୱାରଦେଶର ଏକ ପାର୍ଶ୍ୱରେ ବୁଦ୍ଧ ଓ ଅନ୍ୟ ପାର୍ଶ୍ୱରେ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ଦେଖିବାକୁ ମିଳେ I ନବମ ଶତାବ୍ଦୀର ଶେଷ ପାଦରେ ଆଚାର୍ଯ୍ୟ ଗଗନ ଶିବଙ୍କ ନିର୍ଦ୍ଦେଶରେ ସୋମବଂଶୀ ରାଜା ଏହି ମନ୍ଦିରଗୁଡିକୁ ନିର୍ମାଣ କରିଥିବାର ଅନୁମାନ କରାଯାଏ I ସୋମତୀର୍ଥର ଆୟତନ ଭୁବନେଶ୍ୱରର ବିନ୍ଦୁତୀର୍ଥ ବା ବିନ୍ଦୁସାଗରଠାରୁ ବଡ଼ ଓ ବିସ୍ତୃତିରେ ବୃହତ I ମାତ୍ର ରକ୍ଷଣାବେକ୍ଷଣାର ଅଭାବରୁ ଏହାର ସୌନ୍ଦର୍ଯ୍ୟ ଲୁପ୍ତପ୍ରାୟ I ଏହାର ତୀରଦେଶରେ ଅନେକ କ୍ଷୁଦ୍ର ଭଗ୍ନମନ୍ଦିର ଏବେ ବି ବିଦ୍ୟମାନ I ପୁରୀଧାମର କାକତୀର୍ଥ, ଲକ୍ଷ୍ମୀମନ୍ଦିର ସମ୍ମୁଖ, ଶ୍ରୀଜଗନ୍ନାଥଙ୍କ ଉତ୍ତର ଦ୍ୱାର ଏବଂ ଯାଜପୁରର ବିରଜା ଦେବୀଙ୍କ ମନ୍ଦିର ପ୍ରାଙ୍ଗଣାରେ ପଦଚିହ୍ନମାନ ପୂଜା ପାଉଥିବା ପରି ସୋମତୀର୍ଥରେ ମଧ୍ୟ ଦୁଇଟି ପଦଚିହ୍ନ ପୂଜା ପାଉଛି I [୧]

ଆଧାର[ସମ୍ପାଦନା]

  1. ସମ୍ବାଦ, ପୃଷ୍ଠା- ୨, ୮.୧.୨୦୧୩