ମୋକ୍ଷଗୁଣ୍ଡମ ବିଶ୍ଵେଶ୍ଵରୟା

ଉଇକିପିଡ଼ିଆ ରୁ
Jump to navigation Jump to search
ସାର
ମୋକ୍ଷଗୁଣ୍ଡମ ବିଶ୍ଵେଶ୍ଵରୟା
କେସିଆଇଇ
ମହୀଶୂରର ଦେବାନ
In office
୧୯୧୨ – ୧୯୧୮
Monarch Krishna Raja Wadiyar IV
ପୂର୍ବ ଅଧିକାରୀ T. Ananda Rao
ପର ଅଧିକାରୀ M. Kantaraj Urs
Personal details
ଜନ୍ମ ୧୫ ସେପ୍ଟେମ୍ବର ୧୮୬୦(1860-09-15)
ମୁଦ୍ଦେନହାଲ୍ଲି, ଚିକବଲ୍ଲାପୁର, ମହୀଶୁର ରାଜ୍ୟ (ଏବେକାର କର୍ଣ୍ଣାଟକ)
ମୃତ୍ୟୁ ୧୪ ଅପ୍ରେଲ ୧୯୬୨ (୧୦୧ ବର୍ଷ)
ବେଙ୍ଗାଳୁରୁ
ଜାତୀୟତା Indian
ଶିକ୍ଷାନୁଷ୍ଠାନ ମାଡ୍ରାସ ବିଶ୍ଵବିଦ୍ୟାଳୟ, କଲେଜ ଅଫ ଇଞ୍ଜିନିଅରିଂ, ପୁନେ
ବୃତ୍ତି ଯନ୍ତ୍ରୀ, ଦେବାନ
ପେଷା ଯନ୍ତ୍ରୀ
ଧର୍ମ ହିନ୍ଦୁ

ମୋକ୍ଷଗୁଣ୍ଡମ ବିଶ୍ଵେଶ୍ଵରୟା (୧୮୬୦-୧୯୬୨) ଏକାଧାରାରେ ଜଣେ ଦକ୍ଷ ସ୍ଥପତି, ଦକ୍ଷ ଅର୍ଥନୀତିଞ୍ଜ, ସୁଦକ୍ଷ ପ୍ରଶାସକ ଓ ଉତ୍ସର୍ଗୀକୃତ ଦେଶହିତୈଶୀ ଥିଲେ । ସେ ୧୫ ସେପ୍ଟେମ୍ବର ୧୮୬୦ରେ [୧], ପୂର୍ବତନ ମହୀଶୂର ରାଜ୍ୟ ଓ ବର୍ତ୍ତମାନର କର୍ଣ୍ଣାଟକ ପ୍ରଦେଶର କୋଲାବା ଜିଲ୍ଲାର ଏକ ନିପଟ ମଫସଲ ଗାଁ ମୁଦ୍ଦେନହାଲ୍ଲୀର[୨] ଏକ ତେଲୁଗୁ ବ୍ରାହ୍ମଣ[୩] ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପିତା ସଂସ୍କୃତ ପଣ୍ଡିତ ଶ୍ରୀ ନିବାସୀ ଶାସ୍ତ୍ରୀ ଓ ମାତା ଭେଙ୍କଟାଚାମ୍ ଥିଲେ ସାଧାରଣ ଗୃହିଣୀ । ୧୮୭୬ ମସିହାରେ ମ୍ୟାଟ୍ରିକ ଓ ୧୮୮୦ ମସିହାରେ ମାନ୍ଦ୍ରାଜ ବିଶ୍ଵବିଦ୍ୟାଳୟରୁ ସ୍ନାତ୍ତକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ସେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୮୮୪ ମସିହାରେ ବମ୍ବେ ବିଶ୍ଵବିଦ୍ୟାଳୟରୁ ସିଭିଲ ଇଂଜିନିୟରିଂରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ନିଜର ଅସାଧାରଣ ପ୍ରତିଭାକୁ ପ୍ରମାଣିତ କରିଥିଲେ ।

ବମ୍ବେ ବିଶ୍ଵବିଦ୍ୟାଳୟର ସର୍ବଶ୍ରେଷ୍ଠ ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଭାବେ ବିଶେଶ୍ଵରୟାଙ୍କୁ ସେହି ବର୍ଷ ୧୮୮୪ ମସିହାରେ ବମ୍ବେ ପ୍ରଦେଶର ପୂର୍ତ୍ତ ବିଭାଗରେ ସହକାରୀ ଯନ୍ତ୍ରୀ ଭାବରେ ନିଯୁକ୍ତି ମିଳିଥିଲା । ଭାରତରେ ବମ୍ବେ ଭଳି ଏକ ଜନବହୁଳ ନଗରର ରାସ୍ତଘାଟ, ପାନୀୟ ଜଳ, ପରିମଳ ବ୍ୟବସ୍ଥାର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ଦୂରଦୃଷ୍ଟିର ସହ ଖୁବ୍ ସଫଳତା ପୂର୍ବକ ନିର୍ବାହ କରି, କେବଳ ବମ୍ବେ ନୁହେଁ, ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିପାରିଥିଲେ ଇଂ ବିଶେଶ୍ଵରାୟା । ସେ ଥିଲେ କର୍ମଯୋଗୀ । ସାରା ଭାରତ ପାଇଁ ପାନୀୟ ଜଳ, ପରିମଳ ବ୍ୟବସ୍ଥାର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ଦୂରଦୃଷ୍ଟି ସହ ଖୁବ୍ ସଫଳତାର ସହ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି । ତାଙ୍କ ଜୀବନରର କୃତୀ ଓ କିର୍ତ୍ତୀର ତାଲିକା ଖୁବ୍ ଲମ୍ବା । ସେଥିମଧ୍ୟରୁ ସିନ୍ଧୁ ପ୍ରଦେଶର ସୁକୁର୍ ଓ ଗୁଜରାଟର ସୁରଟ୍ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ପୁନା ଜଳସେଚନ ବିଭାଗରେ କେନ୍ଦ୍ରୀଭୂତ ଜଳସେଚନ ପଦ୍ଧତିର ପ୍ରଚଳନ, ପୁନା ସହରକୁ ଜଳଯୋଗାଣ ପାଇଁ ଖଡ଼କ୍ ଭାସ୍ଲା ହ୍ରଦ ଯୋଜନା ଏବଂ ଜଳଯୋଗାଣ ପଦ୍ଧତିର ସୁନିୟନ୍ତ୍ରଣ ପାଇଁ ସଂପୂର୍ଣ୍ଣ ନୂତନ ପଦ୍ଧତିର ସ୍ଲୁଇସ୍ ଗେଟ୍ର ପରିକଳ୍ପନା ଓ ପ୍ରସ୍ତୁତି କରି ପରାଧୀନ ଭାରତରେ ଇଂରେଜ ସରକାରଙ୍କ ପ୍ରଶଂସାର ପାତ୍ର ହୋଇପାରିଥିଲେ । ଉକ୍ତ ସ୍ଲୁଇସ୍ ଗେଟ୍ ଇଂ ବିଶେଶ୍ଵରାୟାଙ୍କ ନାମରେ ବିଶେଶ୍ଵରାୟ ଗେଟ୍ ନାମରେ ସୁପରିଚିତ । ଏତଦ୍ ଭିନ୍ନ ଗୋଆଲିୟର ଡିକ୍ରୀ ବନ୍ଧ, ମହୀଶୂରର କ୍ରିଷ୍ଣରାଜ ସାଗର ବନ୍ଧ ଓ କୋହ୍ଲାପୁରର ପାନୀୟ ଜଳଯୋଗାଣ ଯୋଜନା ମଧ୍ୟ ତାଙ୍କର କୃତୀ ଓ କିର୍ତ୍ତୀ । ହାଇଦ୍ରାବାଦ ନିଜାମଙ୍କ ଅନୁରୋଧ କ୍ରମେ ହାଇଦ୍ରାବାଦ ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ସହିତ ଉକ୍ତ ସହରକୁ ଜଳଯୋଗାଣର ବ୍ୟବସ୍ଥା ସେ କରିଥିଲେ । କେବଳ ଭାରତ ଭିତରେ ନୁହେଁ, ଭାରତ ବାହାରେ ବ୍ରିଟିଶ ସରକାରଙ୍କଦ୍ଵାରା ନିମନ୍ତ୍ରିତ ହୋଇ ୧୯୦୮ ମସିହାରେ ବିଦେଶ ଗସ୍ତରେ ଯାଇ ଦକ୍ଷିଣ ୟେମେନର ଏଡେନ ବନ୍ଦର ପାଇଁ ଜଳଯୋଗାଣ ଓ ସହର ଭିତରୁ ଜଳନିଷ୍କାସନ ଯୋଜନା ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରିଥିଲେ । ଏଥି ପାଇଁ ବ୍ରିଟିଶ ସରକାରଙ୍କଦ୍ଵାରା ସେ ଉଚ୍ଚ ପ୍ରଶଂସିତ ହୋଇଥିଲେ । ଚାକିରୀରୁ ଅବସର ନେବା ପରେ, ନିଜ ରାଜ୍ୟ ମହୀଶୂରର ଜଳସେଚନ, ବିଦ୍ୟୁତକରଣ ଓ ଭଦ୍ରାବତୀଠାରେ ଏକ ଲୌହ କାରଖାନା ତାଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା । ତାଙ୍କ ଉଦ୍ୟମରେ ମହୀଶୂରରେ ବିଶ୍ଵବିଦ୍ୟାଳୟ, ଯାନ୍ତ୍ରିକ, କଳା ଓ ବିଜ୍ଞାନ ମହାବିଦ୍ୟାଳୟମାନ ପ୍ରତିଷ୍ଠା ହୋଇଥିଲା । ୭୮ ବର୍ଷ ବୟସରେ ୧୯୩୯ ମସିହାରେ ମହାତ୍ମା ଗାନ୍ଧୀଙ୍କ ପରାମର୍ଶକ୍ରମେ ଓଡ଼ିଶା ଆସି ବନ୍ୟା ପ୍ରପୀଡ଼ିତ ଓଡ଼ିଶାର ଦୁର୍ଦ୍ଦଶା ଲାଘବ ନିମିତ୍ତ ମହାନଦୀ ଅବବାହିକାର ଉପର ମୁଣ୍ଡରୁ ତଳମୁଣ୍ଡ ପର୍ଯ୍ୟନ୍ତ ଅଗମ୍ୟ ଅଞ୍ଚଳମାନଙ୍କୁ ହାତୀରେ ଯାଇ ସର୍ବେକ୍ଷଣ କରିଥିଲେ । ଓଡ଼ିଶାକୁ ବନ୍ୟା ଦାଉରୁ ରକ୍ଷା ପାଇଁ ମହାନଦୀରେ ହୀରାକୁଦ ସମେତ ତିନୋଟି ସ୍ଥାନରେ ବନ୍ଧ ନିର୍ମାଣ କରିବାକୁ ସେତେବେଳେ ସେ ପରାମର୍ଶ ଦେଇଥିଲେ ।

। ମହୀଶୂର ରାଜ୍ୟର ଦେବାନ ଭାବେ ସେ ଛଅ ବର୍ଷ ସଫଳତାର ସହ କାର୍ଯ୍ୟ କରିଛନ୍ତି । ନିଜ ଜୀବନ କାଳରେ ବହୁ ସମ୍ମାନର ଅଧିକାରୀ ସେ ହୋଇଛନ୍ତି । ବିଟ୍ରିଶ ସରକାର ତାଙ୍କୁ ସମ୍ମାନଜନକ ସାର୍ ଉପାଧିରେ ଭୂଷିତ କରିଥିବା ବେଳେ ୧୯୫୫ ମସିହାରେ ଭାରତ ସରକାର ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଉପାଧିରେ ଭୂଷିତ କରିଥିଲେ ।

୧୯୬୨ ମସିହା ଏପ୍ରିଲ ୧୪ ତାରିଖ ଦିନ ଇହଲୀଳା ତ୍ୟାଗ କରିଥିଲେ । ତାଙ୍କର ପବିତ୍ର ଜନ୍ମଦିବସ ୧୫ ସେପ୍ଟେମ୍ବରକୁ ବେସରକାରୀ ଭାବେ ଇଂଜିନିୟର ଦିବସ ଭାବେ ସମଗ୍ର ଦେଶରେ ପାଳନ କରାଯାଉଅଛି ।

ଆଧାର[ସମ୍ପାଦନା]

  1. Sir M. Visvesvaraya | Sir MV | Karnataka Personalities. Karnataka.com (1 October 2007). Retrieved on 30 December 2013.
  2. Karnataka News : Remembering Karnataka's icon – Sir. M. Visvesvaraya. The Hindu (15 September 2010). Retrieved on 30 December 2013.
  3. Nath, Pandri (୧୯୮୭). Mokshagundam Visvesvaraya: life and work. Bharatiya Vidya Bhavan. p. ୪୭.