ବରାହୀ ଦେଉଳ, ଚଉରାଶି

ଉଇକିପିଡ଼ିଆ ରୁ
(ବାରାହୀ ଦେଉଳ, ଚଉରାଶି ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବରାହୀ ଦେଉଳ
Chaurasi Varahi.jpg Varahi Temple 1.jpg
Varahi Devi Temple , Chaurasi .jpg
ଉପର ବାମରୁ : ଆରାଧ୍ୟା ବରାହୀଙ୍କ ପ୍ରତିମା, ଦେଉଳର ପଛ, ସମ୍ମୁଖରୁ ଜଗମୋହନ ଓ ଦେଉଳର ଦୃଶ୍ୟ
ବରାହୀ ଦେଉଳ is located in ଓଡ଼ିଶା
ବରାହୀ ଦେଉଳ
ବରାହୀ ଦେଉଳ
Location within ଓଡ଼ିଶା
ନାମ
ଅନ୍ୟ ନାମ ବାରାହୀ ଦେଉଳ
Oriya ବାରାହୀ ଦେଉଳ
ଭୌଗୋଳିକ ଅବସ୍ଥିତି
ଦିଗବାରେଣି 20°3′30.73″N 86°7′6.5″E / 20.0585361°N 86.118472°E / 20.0585361; 86.118472Coordinates: 20°3′30.73″N 86°7′6.5″E / 20.0585361°N 86.118472°E / 20.0585361; 86.118472
ଦେଶ  India
ରାଜ୍ୟ ଓଡ଼ିଶା
ଜିଲ୍ଲା Chaurasi, ପୁରୀ
ସ୍ଥାନ ପୁରୀ

ବରାହୀ ଦେଉଳ ବା ବାରାହୀ ଦେଉଳ ଖ୍ରୀଷ୍ଟୀୟ ନବମ ଶତାବ୍ଦୀର ଅନ୍ତିମ ଭାଗ ବା ଦଶମ ଶତାବ୍ଦୀର ପ୍ରଥମ ଭାଗରେ[୧] ନିର୍ମିତ ଏକ ଶକ୍ତିପୀଠ । ଓଡ଼ିଶାର ପୂର୍ବ ଉପକୂଳସ୍ଥ ପୁରୀ ଜିଲ୍ଲାରେ ଚଉରାଶିଠାରେ ପ୍ରାଚୀ ନଦୀ କୁଳରେ ଏହା ଅବସ୍ଥିତ । ଚଉରାଶି କାକଟପୁରରୁ ଅନତିଦୂରରେ ଅବସ୍ଥିତ ।

ଇତିହାସ[ସମ୍ପାଦନା]

ସୋମବଂଶୀ ରାଜୁତି କାଳରେ ୧୦ମ ଶତାବ୍ଦୀର ପ୍ରଥମ ଭାଗରେ (ଅନ୍ୟମତେ ୯ମ ଶତାବ୍ଦୀର ଶେଷ ଭାଗରେ) ମନ୍ଦିରଟି ଦେବୀ ବରାହୀଙ୍କ ନିମନ୍ତେ ନିର୍ମିତ । କେତେଜଣ ଗବେଷକଙ୍କ ମତରେ ଭୌମ ବଂଶର କୌଣସି ରାଜାଙ୍କଦ୍ୱାରା ମନ୍ଦିରଟି ନିର୍ମିତ ।[୨] ମନ୍ଦିରଟି ପୂର୍ବମୁହାଁ ଏବଂ ଏକ ବିଶେଷ ପଥରରେ (ଲାଲ ପଥର, en:Sandstone) ଗଢ଼ାହୋଇଛି । ମୁଖ୍ୟ ମନ୍ଦିରଟିର ଉଚ୍ଚତା ପ୍ରାୟ ୨୫-୨୭ ଫୁଟ । ୨ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି ଶାକ୍ତପୀଠର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ବରାହୀ । ତନ୍ତ୍ରରେ ବରାହୀ ଦେବୀ ବିଷ୍ଣୁଙ୍କ ବରାହ ଅବତାରର ନାରୀରୂପିଣୀ ଶକ୍ତି । ମନ୍ଦିରର ନିର୍ମାଣ ପରିସରର କ୍ଷେତ୍ରଫଳ ହେଉଛି ୧୫.୮୪ ମି. x ୮.୨୩ ମି. x ୮.୪୦ ମି. ।[୩]

ତାନ୍ତ୍ରିକ ରୀତିନୀତି[ସମ୍ପାଦନା]

କେତେକ ଗବେଷକଙ୍କ ମତରେ ଚଉରାଶିର ବରାହୀ ଦେଉଳ ଓ ହୀରାପୁରର ଚଉଷଠି ଯୋଗିନୀ ମନ୍ଦିର ସମେତ ଅନ୍ୟାନ୍ୟ ଶାକ୍ତ-ତନ୍ତ୍ର ମନ୍ଦିରରେ ତାନ୍ତ୍ରିକ ରୀତିନୀତି ବିଶେଷ ଭାବେ ଅନୁଷ୍ଠିତ ହେଉଥିଲା । ଏହି କାରଣରୁ ଉଭୟ ମନ୍ଦିର ଜନବସତିଠାରୁ ଦୂରବର୍ତ୍ତୀ ଅଞ୍ଚଳରେ ସ୍ଥିତ । ଏହି ମନ୍ଦିରଗୁଡ଼ିକରେ କୌଳ ଓ କାପାଳିକ ସମ୍ପ୍ରଦାୟମାନଙ୍କ ପ୍ରଥା ଅନୁଯାୟୀ ମୈଥୁନ ବା ସମ୍ଭୋଗ ରୀତି ହେଉଥିଲା ବୋଲି ମଧ୍ୟ ମତ ରହିଛି ।[୪]

ଶିଳ୍ପକଳା[ସମ୍ପାଦନା]

ମୁଖ୍ୟ ପ୍ରତିମା[ସମ୍ପାଦନା]

ସ୍ଥାନୀୟ ଅଞ୍ଚଳରେ ଦେବୀ ମତ୍ସ୍ୟ ବରାହୀ ନାମରେ ଖ୍ୟାତ । ବରାହୀଙ୍କ ପ୍ରତିମା କଳାମୁଗୁନି ପଥରରେ ନିର୍ମିତ । ପ୍ରତିମାଙ୍କର ଦୈର୍ଘ୍ୟ ଓ ପ୍ରସ୍ଥ ୬'୯"[୫] (ଅନ୍ୟମତେ ୫'୫"[୬] ଓ ୬'୧"[୭]) ଓ ୨'୯" । କପାଳର ମଧ୍ୟଭାଗରେ ତୃତୀୟ ନୟନ ସହ ବରାହ ମୁଖାକୃତି ଦେବୀ ଡାହାଣ ହସ୍ତରେ ଏକ ମତ୍ସ୍ୟ ଏବଂ ବାମ ହସ୍ତରେ ଏକ ପାନପାତ୍ର ବା ଖପୁରୀ (ଖର୍ପର) ଧାରଣ କରିଛନ୍ତି ।[୬] ପାନପାତ୍ର ଥିବାରୁ ଦେବୀ ରକ୍ତ ବା ମଦ୍ୟ ପାନ କରୁଥିବା ଭଙ୍ଗୀରେ ରୂପାୟିତ । ଦେବୀଙ୍କ ଉଦର ପୃଥୁଳ ।[୮] ଲୋକମତରେ ମାଆଁ ଭାବେ ବରାହୀ ସମଗ୍ର ସଂସାରକୁ ନିଜ ଉଦରରେ ଧାରଣ କରିଥିବାରୁ ତାଙ୍କ ଉଦର ବିଶାଳ । ତାଙ୍କ ବାହନ ଏକ ମଇଁଷି ବା ମହିଷ । ଦେବୀ ତାନ୍ତ୍ରିକ ଉପଚାରରେ ମାଛ ଭୋଗ ସହ ପୂଜିତ ହୁଅନ୍ତି ।

ପୁରାତନ ଶାକ୍ତ ଦେଉଳଗୁଡ଼ିକର ଗଠନଶୈଳୀ ଅନୁକରଣରେ ବରାହୀ ଦେଉଳ ନିର୍ମାଣ କରାଯାଇଛି ବୋଲି ମତ ରହିଛି । ଗର୍ଭଗୃହରେ ପ୍ରତିଷ୍ଠିତ ବରାହୀଙ୍କ ପ୍ରତିମା ବ୍ୟତୀତ ଜଗମୋହନରେ ଆଉ ଦୁଇଗୋଟି ବରାହୀ ମୂର୍ତ୍ତି ରହିଅଛି । ପାଖ ଅଞ୍ଚଳର କୌଣସି ମନ୍ଦିରରୁ ଏଗୁଡ଼ିକ ଅଣାଯାଇଥିବା ପରି ପ୍ରତୀତ ହୁଏ । ଏହି ଉଭୟ ମୂର୍ତ୍ତି ବର୍ତ୍ତମାନର ବରାହୀ ଦେଉଳଠାରୁ ପ୍ରାଚୀନ ।[୯]

ଗାତ୍ର[ସମ୍ପାଦନା]

ଖାକରା ଶୈଳୀରେ ନିର୍ମିତ ଦେଉଳମାନଙ୍କ ମଧ୍ୟରୁ ବରାହୀ ଦେଉଳ ପ୍ରମୁଖ ଅଟେ । ମୁଖ୍ୟ ଦେଉଳର ଦ୍ୱାରଦେଶରେ ଦୁଇଗୋଟି ନାଗସ୍ତମ୍ଭ ରହିଛି । ଉତ୍କଳୀୟ ଶୈଳୀରେ ଏହା ନାଗସ୍ତମ୍ଭର ପ୍ରଥମ ଉଦାହରଣ ମଧ୍ୟରୁ ଅନ୍ୟତମ ।[୧୦] ଗାତ୍ରରେ ଦୁଇଗୋଟି ପଟଳ ରହିଛି । ଉପର ପଟଳର ସ୍ଥିତି ଓ ବର୍ତ୍ତମାନ ଅବସ୍ଥା ଯୋଗୁଁ ଏଥିରେ ଖୋଦିତ ମୂର୍ତ୍ତିଗୁଡ଼ାକ ସଠିକ ଭାବେ ଚିହ୍ନିତ ହୋଇନାହିଁ । ଅନ୍ୟ ମନ୍ଦିର ଅପେକ୍ଷା ବରାହୀ ଦେଉଳର ଉଭୟ ପଟଳ ଅପେକ୍ଷାକୃତ ଛୋଟ ଆକାରର ହୋଇଛି । ଏହି କାରଣରୁ ଏଥିରେ ଅତ୍ୟଧିକ ଜିନିଷ ଚିତ୍ରିତ ହୋଇପାରିନାହିଁ କିନ୍ତୁ ମଧ୍ୟବର୍ତ୍ତୀ ଯୋଡ଼ାଣସବୁ ନିଖୁଣ ଭାବରେ କରାଯାଇଛି । ବରାହୀ ଦେଉଳର ଶିଳ୍ପ ଅନ୍ୟାନ୍ୟ ଉତ୍କଳୀୟ ମନ୍ଦିର ଅପେକ୍ଷା ଅଧିକ ନିପୁଣ ଭାବେ ସମ୍ପନ୍ନ କରାଯାଇଛି ।[୧]

ଦେଉଳର ଗାତ୍ରରେ ଖୋଦିତ ମୂର୍ତ୍ତିଗୁଡ଼ିକରୁ ଦେବୀଙ୍କର ତାନ୍ତ୍ରିକ ସମ୍ବନ୍ଧର ବଳିଷ୍ଠ ପ୍ରମାଣ ମିଳେ । ତନ୍ତ୍ରରେ ଅଷ୍ଟକାମକଳାପ୍ରୟୋଗର ବିଧି ଆଚରିତ ହୁଏ । ସଂସ୍କୃତ ଓ ଓଡ଼ିଆ ଭାଷାରେ ଲିଖିତ ଏକ ତନ୍ତ୍ରଶାସ୍ତ୍ର ମତରେ ଅଷ୍ଟକାମକଳାପ୍ରୟୋଗରେ ଆଠଗୋଟି କଳାରେ କାମକେଳି କରାଯାଏ । କୌଳ ଚୂଡ଼ାମଣି ଗ୍ରନ୍ଥରେ ଏଥିରୁ ଛଅଗୋଟି ସ୍ତର ବିଷୟରେ ଉଲ୍ଲେଖ ରହିଛି । ବରାହୀ ଦେଉଳରେ ଏହି ସବୁ ଖୋଦିତ ହୋଇଅଛି । ବରାହୀ ଦେଉଳରେ ଏହା ଛଡ଼ା ଅନେକ ଊର୍ଦ୍ଧ୍ୱଲିଙ୍ଗ ନଗ୍ନପୁରୁଷଙ୍କ ବିଗ୍ରହ ଅଙ୍କିତ ହୋଇଛି । ଏହା ବାମାଚାରର ପ୍ରଧାନ ପ୍ରତୀକମାନଙ୍କ ଭିତରୁ ଅନ୍ୟତମ ।[୧୧] ଶବ ଆସନ ଦେବାଦେବୀମାନେ ମଧ୍ୟ ତାହାର ନିଦର୍ଶନ । ପୂର୍ବକଥିତ ଆଠଗୋଟି କଳା ବା ଭାଗ ହେଲା : ବଶୀକରଣ, ସମ୍ମୋହନ, ଆକର୍ଷଣ, ଉଚ୍ଚାଟନ, ଯୋନ୍ୟାଭିଷେକ, ପୁରଶ୍ଚରଣ, ରଜୋପାନ, ପ୍ରସ୍ତାବ ଓ ନିବୃତ୍ତି ।[୯][୧୧] ବୋଧ ହୁଏ ଏହା ତାନ୍ତ୍ରିକ ପରମ୍ପରାରେ ପ୍ରବେଶ କରୁଥିବା ନୂତନ ଶିଷ୍ୟମାନଙ୍କ କାମତନ୍ତ୍ର ସହ ପ୍ରଥମ ପରିଚିତି ।[୧୨]

ତନ୍ତ୍ରଶାସ୍ତ୍ରରେ ଅଷ୍ଟକାମକଳାପ୍ରୟୋଗ
କ୍ରମ ନାମ ବିବରଣୀ
ବଶୀକରଣ ଯୁବତୀକୁ ବଶରେ ଆଣିବା
ସମ୍ମୋହନ ଯୁବତୀକୁ ମୋହିତ କରିବା
ଆକର୍ଷଣ ଯୁବତୀକୁ ନିଜ ପ୍ରତି ଆକର୍ଷିତ କରାଇବା
ଉଚ୍ଚାଟନ ଯୁବତୀକୁ ଉଚ୍ଚାଟ କରାଇବା
ଯୋନ୍ୟାଭିଷେକ ଯୋନିର ଅଭିଷେକ
ପୁରଶ୍ଚରଣ ପୂର୍ବକ୍ରିୟା
ରଜୋପାନ ରଜର ପାନ
ପ୍ରସ୍ତାବ ଓ ନିବୃତ୍ତି ସାଧାରଣ ସ୍ତରକୁ ଫେରିବା

ରାମାୟଣ ପଟଳ[ସମ୍ପାଦନା]

ଉତ୍କଳରେ ରାମାୟଣର ଚିତ୍ର ଓ ନାଟ୍ୟ ପରମ୍ପରାର ବିଶିଷ୍ଟ ଗବେଷିକା ଜୋଆନା ଉଇମିଆମ୍ସଙ୍କ ମତରେ ବରାହୀ ଦେଉଳରେ ସର୍ବତ୍ର ଦୃଶ୍ୟମାନ ତାନ୍ତ୍ରିକ ପ୍ରଭାବ ରାମାୟଣ ପଟଳରେ ପଡ଼ିନାହିଁ । ରାମାୟଣ କଳାକୃତିଗୁଡ଼ିକ କଠିଣ ଆଭରଣ ରହିଛି । ଦ୍ୱାରର ଦକ୍ଷିଣ ପଟରୁ ଆରମ୍ଭ ହୋଇ ଚକ୍ରଗତିରେ ରାମାୟଣ କାରୁକାର୍ଯ୍ୟଗୁଡ଼ିକ ସ୍ଥାପିତ ହୋଇଛି । ଶୂର୍ପଣଖା ପ୍ରସଙ୍ଗ, ମାୟାମୃଗ ଆଗମନ, ମାରୀଚ ମାରଣ, ଜଟାୟୁ ରାବଣ ସଙ୍ଗ୍ରାମ, ଦୁନ୍ଦୁଭି ଶବ, ସପ୍ତତାଳ ଭେଦ, ବାଳୀଯୁଦ୍ଧ, ସମୁଦ୍ରସେତୁ ନିର୍ମାଣ - ରାମାୟଣର ଏହି ସମସ୍ତ ପ୍ରସଙ୍ଗ ଚଉରାଶିରେ ରହିଛି ।[୧]

ମାତୃକା ଭାବେ ବରାହୀ[ସମ୍ପାଦନା]

ଗବେଷକଙ୍କ ମତରେ ଚଉରାଶିର ବରାହୀ ମନ୍ଦିରରୁ ସପ୍ତମାତୃକାଙ୍କ ତାନ୍ତ୍ରିକ ସମ୍ବନ୍ଧ ସୁସ୍ପଷ୍ଟ ଭାବେ ଗୋଚର ହୁଏ ।[୯]

ଶିଳ୍ପ ପ୍ରକାଶ[ସମ୍ପାଦନା]

ଶିଳ୍ପ ପ୍ରକାଶ ହେଉଛି ପଣ୍ଡିତ ସଦାଶିବ ରଥଶର୍ମା ଓ ଆଲିସ ବୋନରଙ୍କ ଦ୍ୱାରା ପୁନରୁଦ୍ଧୃତ ଓ ପ୍ରକାଶିତ ଏକ ପୁରାତନ ଉତ୍କଳୀୟ ଶିଳ୍ପଶାସ୍ତ୍ର । ଏହି ପୁସ୍ତକର ପ୍ରଣେତା ରାମଚନ୍ଦ୍ର କୌଳାଚାର ମହାନଦୀ ଉପକୁଳରେ ବସବାସ କରୁଥିବା କୌଳତନ୍ତ୍ର ସାଧକମାନଙ୍କ ଭିତରୁ ଜଣେ ଅଟନ୍ତି । ଏହି ପୁସ୍ତକର ତନ୍ତ୍ର ପ୍ରଣାଳୀରେ କିପରି ମନ୍ଦିର ଗଠନ କରାଯିବ ତାହାର ବିସ୍ତୃତ ବର୍ଣ୍ଣନା ରହିଛି । ଚଉରାଶିର ବରାହୀ ଦେଉଳ ଏହି ପୁସ୍ତକର ଅଧିକାଂଶ ଉଲ୍ଲେଖର ବାସ୍ତବିକ ରୂପାୟନ ଦେଖିହୁଏ । ଏହି ଗ୍ରନ୍ଥାନୁସାରେ ବରାହୀ ଦେଉଳ ଖାକରା ଶୈଳୀର କାମଗର୍ଭ ପ୍ରକାରର ମନ୍ଦିର ।[୧୩]

ଶିଳ୍ପ ପ୍ରକାଶର ଉଲ୍ଲେଖ ଅନୁସାରେ ବରାହୀ ଦେଉଳରେ ନିବିଡ଼ ମୈଥୁନ ମୂର୍ତ୍ତି ଗାତ୍ରରେ ମିଳେ । ଶିଳ୍ପ ପ୍ରକାଶ ଅନୁସାରେ ସାଧାରଣ ଲୋକଙ୍କଠାରୁ ଯନ୍ତ୍ର ଶକ୍ତିକୁ ପ୍ରଚ୍ଛନ୍ନ ରଖିବା ନିମନ୍ତେ ବାହ୍ୟ ଆଭୂଷଣ ଭାବେ ମୈଥୁନ ମୂର୍ତ୍ତି ବା ରାମଚନ୍ଦ୍ରଙ୍କ ଭାଷାରେ 'କାମ ବନ୍ଧ' ବ୍ୟବହାର କରାଯାଏ ।[୧୪]

ପର୍ବପର୍ବାଣି[ସମ୍ପାଦନା]

ମନ୍ଦିରର ମୁଖ୍ୟ ପର୍ବ ପର୍ବାଣୀ ମଧ୍ୟରେ ବିଜୟା ଦଶମୀ ଏବଂ ଚୈତ୍ରପର୍ବ ଅନ୍ୟତମ ।

ଅବସ୍ଥିତି[ସମ୍ପାଦନା]

ନିମାପଡ଼ା-କାକଟପୁର ରାସ୍ତାରେ କୋଣାର୍କ ଠାରୁ ୩୦  କି.ମି. ଏବଂ କାକଟପୁରଠାରୁ ୧୪  କି.ମି. ଦୂରରେ ଚଉରାଶି ଅବସ୍ଥିତ । ପୁରୀ ଏବଂ କୋଣାର୍କ ଠାରୁ ସଡକପଥରେ ଏଠାକୁ ଗମନାଗମନର ସୁବିଧା ରହିଛି ।[୩] ତଥାପି ଏହି ମନ୍ଦିରରେ ପହଞ୍ଚିବାର ସୁବିଧା ରାସ୍ତା ହେଉଛି, ଚାରିଛକ ଆଡକୁ ୨୯ କି.ମି. ଯିବାପରେ ଦାହାଣ ପଟେ ଅମରେଶ୍ଵର ଆଡକୁ ୩ କି.ମି. ଯାଇ ବାମ ପଟେ ୧.୮ କି.ମି. ଯିବାକୁ ହେବ । ମନ୍ଦିରର ଭୌଗୋଳିମ ଅବସ୍ଥିତି ହେଉଛି ଅକ୍ଷାଂଶ ୮୬° ୦୭′ ୦୭″ ପୂର୍ବ ଏବଂ ଦ୍ରାଘୀମା ୨୦° ୦୩′ ୩୧″ ଉତ୍ତର ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ The Two-headed Deer: Illustrations of the Rāmāyaṇa in Orissa, Joanna Gottfried Williams.
  2. Journal of Historical Research, Volumes 46-48, Department of History, Ranchi University, 2004.
  3. ୩.୦ ୩.୧ ୩.୨ The goddess associated with yoganidra of Vishnu, ଶ୍ରୀକ୍ଷେତ୍ର ।
  4. Śakti Cult in Orissa - Page 291, Francesco Brighenti. D.K. Printworld, 01-Jan-2001.
  5. Orissa Review, Volume 52, Issues 6-12. 1996.
  6. ୬.୦ ୬.୧ Encyclopaedia of Education, Culture and Children's Literature: Volume 3, Jagannath Mohanty.
  7. Sidelights on History and Culture of Orissa, Manmath Nath Das. Vidyapuri, 1977.
  8. The Journal of Orissan History- Volume 5- Issue 1, Orissa History Congress, 1983.
  9. ୯.୦ ୯.୧ ୯.୨ Religious Institutions and Cults in the Deccan, C. A.D. 600-A.D. 1000 (ଡେକ୍କାନର ଧାର୍ମିକ ସମ୍ପ୍ରଦାୟ), ରମେନ୍ଦ୍ର ନାଥ ନନ୍ଦୀ ।
  10. Parida, Asok Nath (୦୯-Dec-୨୦୧୭). Early temples of Orissa: from the sixth century A.D. to the end of Somavamsi rule. Commonwealth Publishers.  Check date values in: &#୧୨୪;year=, &#୧୨୪;date=, &#୧୨୪;year= / &#୧୨୪;date= mismatch (help)
  11. ୧୧.୦ ୧୧.୧ A Social History of Early India, edited by Brajadulal Chattopadhyaya.
  12. Early stone temples of Orissa, Vidya Dehejia. Vikas, 1979.
  13. Studies in History, Volume 1, Issue 2. Vikas Publishing House, 1979.
  14. Secret Yantras and Erotic Display for Hindu Temples (ଓଡ଼ିଆ : ହିନ୍ଦୁ ମନ୍ଦିରରେ ଗୁପ୍ତ ଯନ୍ତ୍ର ଓ କାମୁକ ପ୍ରଦର୍ଶନ), ମାଇକଲ ଡି ରେବ । Tantra in Practice (ଅଭ୍ୟାସରେ ତନ୍ତ୍ର), ଡେଭିଡ ଗର୍ଡନ ହ୍ୱାଇଟ (ସମ୍ପାଦକ) ।