ଅଙ୍ଗିରା ଆଶ୍ରମ, ପୁରୀ

ଉଇକିପିଡ଼ିଆ ରୁ
Jump to navigation Jump to search
ଅଙ୍ଗିରା ଆଶ୍ରମର ବାହାର ପାର୍ଶ୍ୱ ।

ହିନ୍ଦୁ ପୁରାଣୋକ୍ତ ସପ୍ତର୍ଷିମାନଙ୍କ ମଧ୍ୟରେ ଅନ୍ୟତମ ମହର୍ଷି ଅଙ୍ଗିରାଙ୍କ ଆଶ୍ରମ ଶ୍ରୀମନ୍ଦିରଠାରୁ ତିନିଶହ ମିଟର ଦୂର ଦୋଳମଣ୍ଡପ ସାହିରେ ଅବସ୍ଥିତ । ଆଶ୍ରମ ଭିତରେ ରହିଛି ବରଅଶ୍ଵତ୍ଥ ବୃକ୍ଷ। ଏହି ବୃକ୍ଷ ପରସ୍ପର ମଧ୍ୟରେ ଏତେ ନିବିଡ଼ ଯେ ତାହା ଗୋଟିଏ ବୃକ୍ଷର ଭ୍ରମ ସୃଷ୍ଟି କରୁଛି । ନୀଳାଦ୍ରୀ ମହୋଦୟର ସଂସ୍କୃତ ଗ୍ରନ୍ଥରେ ଅଙ୍ଗିରା ଆଶ୍ରମରେ ଥିବା ବୃକ୍ଷକୁ କାମ୍ୟବଟ ବା କାମନା ବୃକ୍ଷ ବୋଲି ବର୍ଣ୍ଣନା କରାଯାଇଛି । ଶ୍ରୀମନ୍ଦିରରେ ଥିବା କଳ୍ପବଟର ସମସାମୟିକ ଏହି ବୃକ୍ଷ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଛି । ଗ୍ରନ୍ଥରେ କାମ୍ୟବଟଠାରୁ କଳ୍ପବଟ ପର୍ଯ୍ୟନ୍ତ ଭୂମିକୁ ପୁଣ୍ୟଭୂମି ବୋଲି ଧରାଯାଇଛି । ଏହି କାମ୍ୟବଟ ବୃକ୍ଷ ମୂଳରେ ରହିଛି ମହର୍ଷିଙ୍କ ତପସ୍ୟାସ୍ଥଳୀ । ତପସ୍ୟାସ୍ଥଳୀଟି ଗଛର ଚେର ଏବଂ ଓହଳରେ ଗୁମ୍ଫାକୃତି ହୋଇଯାଇଛି । ଗୁମ୍ଫା ନିକଟରେ ତିନିଠାକୁରଙ୍କ ଏକ ମନ୍ଦିର ରହିଛି । ଅଷ୍ଟମ ଶତାବ୍ଦୀର ପଟଳ ଆକୃତିର ଶ୍ରୀମନ୍ଦିର ଢାଞ୍ଚାରେ ରହିଥିବା ଏହି ମନ୍ଦିର ଭିତରେ ତିନିଠାକୁର ପୂଜା ପାଉଛନ୍ତି । ସବୁଠି ତିନିଠାକୁର ପୂର୍ବାଭିମୁଖୀ ଥିବା ବେଳେ ଏଠାରେ ଦକ୍ଷିଣାଭିମୁଖୀ । ଏହି ମନ୍ଦିରଠାରୁ ମହର୍ଷିଙ୍କ ତପସ୍ୟାସ୍ଥଳୀ ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ଅଛି। । ଭାରତର କୌଣସି ସ୍ଥାନରେ ମହର୍ଷିଙ୍କ ମୂର୍ତ୍ତି ରହିଥିବା ସୂଚନା ନ ଥିବା ବେଳେ ଶ୍ରୀକ୍ଷେତ୍ରରେ ଥିବା ଅଙ୍ଗିରାଙ୍କ ଆଶ୍ରମରେ ତାଙ୍କର ମୂର୍ତ୍ତି ପୂଜା ପାଉଛି । ଏହି ଆଶ୍ରମ ସହ ଶ୍ରୀଜୀଉମାନଙ୍କ ନୀତିର ସମ୍ପର୍କ ରହିଛି । ଆଶ୍ରମକୁ ସୁଦର୍ଶନ ମହାପ୍ରଭୁ ବର୍ଷକୁ ଚାରିଥର ଭ୍ରମଣ କରୁଥିବା ବେଳେ ଶ୍ରୀଜୀଉମାନଙ୍କ ମଙ୍ଗଳଆଳତି ଓ ଧୂପ ପରେ ଏଠାରେ ଆଳତି ଓ ଧୂପ ନୀତି ହୋଇଥାଏ ।[୧]

କିମ୍ବଦନ୍ତୀ[ସମ୍ପାଦନା]

ମହର୍ଷି ଅଙ୍ଗିରା ହେଉଛନ୍ତି ପ୍ରଜାପତି ବ୍ରହ୍ମାଙ୍କର ମାନସ ପୁତ୍ର । ଋଷି ଅଙ୍ଗିରା ପରମ‌ପାବନ ଶ୍ରୀପୁରୁଷୋତ୍ତମ କ୍ଷେତ୍ରକୁ ଆସି ଜ‌ହ୍ନିମୁଣ୍ଡିଆ ଛକଠାରେ ଆଶ୍ରମ ନିର୍ମାଣ କରି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆରାଧନା କରୁଥିଲେ ।[୨]

ଅବସ୍ଥିତି[ସମ୍ପାଦନା]

ଅଙ୍ଗିରା ଆଶ୍ରମରେ ଥିବା ମନ୍ଦିର ।

ଦୋଳମଣ୍ଡପ ସାହିରେ ରାଧାବଲ୍ଲ‌ଭ ମଠ, ଦାମ‌ପଡ଼ା ମଠ, ହଳଦିଆ ମଠ, ଝାଞ୍ଜିପିଟା ମଠ, ନବଳ ଦାସ ମଠ ଏବଂ ଅଙ୍ଗିରା ଆଶ୍ରମ ଆଦି ରହିଛି । ଜଗନ୍ନାଥ ମନ୍ଦିରଠାରୁ ତିନିଶହ ମିଟର ଦୂରରେ ଏହି ଅଙ୍ଗିରା ଆଶ୍ରମ ଅବସ୍ଥିତ ।

ମନ୍ଦିର[ସମ୍ପାଦନା]

ଏହି ପ୍ରାଚୀନ ଆଶ୍ରମ ପରିସରରେ ପୁରାତନ ବଟ ଏବଂ ଅଶ୍ୱତ୍ଥ ବୃକ୍ଷ ରହିଛି । ଏହି ବୃକ୍ଷ ଦ୍ୱୟ ପରସ୍ପର ସ‌ହ ଏମିତି ଯୋଡ଼ି ହୋଇ ରହିଛନ୍ତି ଯେ, ତାହା ଗୋଟିଏ ବୃକ୍ଷ ପରି ଦୃଶ୍ୟମାନ ହୋଇଥାଏ । ଏହି ବୃକ୍ଷଦ୍ୱୟ ପାଖରେ ଆଶ୍ରମର ପ୍ରାଚୀନ ଋଷିଙ୍କ ଏକ ଗୁମ୍ଫା ରହିଛି । ବଟବୃକ୍ଷର ଚେରଦ୍ୱାରା ଗୁମ୍ଫାଟି ଆଚ୍ଛାଦିତ ହୋଇ ରହିଅଛି । ଗୁମ୍ଫାଟିକୁ ଲାଗି ଏକ ପ୍ରାଚୀନ କ୍ଷୁଦ୍ରକାୟ ମନ୍ଦିରଟିଏ ରହିଛି । ସେହି ମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ପୂଜା ପାଉଛନ୍ତି । ଅଷ୍ଟମ ଶତାବ୍ଦୀର ପଟଳ ଆକୃତିର ଶ୍ରୀମନ୍ଦିର ଢାଞ୍ଚାରେ ରହିଥିବା ଏହି ମନ୍ଦିର ଭିତରେ ତିନିଠାକୁର ପୂଜା ପାଉଛନ୍ତି । ସବୁଠି ତିନିଠାକୁର ପୂର୍ବାଭିମୁଖୀ ଥିବା ବେଳେ ଏଠାରେ ଦକ୍ଷିଣାଭିମୁଖୀ । ଚତୁର୍ଦ୍ଧାମୂର୍ତ୍ତିଙ୍କ ପାର୍ଶ୍ୱରେ ଅତି ପ୍ରାଚୀନ ଶ୍ରୀରଘୁନାଥଙ୍କ କମନୀୟ ବିଗ୍ରହ ବିରାଜିତ । ଠାକୁରଙ୍କ ଭୋଗ ପ୍ରସ୍ତୁତି ପାଇଁ ସେଠାରେ ଏକ ରୋଷଶାଳା ମଧ୍ୟ ରହିଛି ।[୨] ଏହି ମନ୍ଦିରଠାରୁ ମହର୍ଷିଙ୍କ ତପସ୍ୟାସ୍ଥଳୀ ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ଅଛି। ।

ଗହ୍ମା ପୂର୍ଣ୍ଣିମା ଏବଂ କୁମାର ପୂର୍ଣ୍ଣିମା ଦିନ ଶ୍ରୀ ମନ୍ଦିରରୁ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ଆଶ୍ରମକୁ ବିଜେ କରି ପଂକ୍ତି ଖାଇଥାନ୍ତି । ସକଳା ଭୋଗରେ ଖଇକୋରା, ଫଳମୂଳ ଏବଂ ସନ୍ଧ୍ୟାରେ ସର, ଛେନା ଓ କ୍ଷୀର ଭୋଗ କରାଯାଇଥାଏ । ଦ୍ୱିପ୍ରହରରେ ଅନ୍ନ ଭୋଗ ଲାଗିକରାଯାଇଥାଏ ।[୨]

ଆଧାର[ସମ୍ପାଦନା]

  1. ଧରିତ୍ରୀ, ୨୩ ଅକ୍ଟୋବର୨୦୧୧, ପୃଷ୍ଠା-୧, ୧୩
  2. ୨.୦ ୨.୧ ୨.୨ ମିଶ୍ର, ରଣଜିତ (2 October 2016). "ଅଙ୍ଗିରା ଆଶ୍ରମ ଅସ୍ଥିତ୍ୱ ହରାଉଛି" (in ଓଡ଼ିଆ). ସମାଜ: p. 7. Archived from the original on 2 October 2016. http://216.151.160.34/epaper/archive.php. Retrieved 3 October 2016.