ଇନ୍ଦୁ ପୂର୍ଣ୍ଣିମା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଭାଦ୍ରବ ପୂର୍ଣ୍ଣିମା ଇନ୍ଦୁପୁନେଇଁ ବା 'ଇନ୍ଦ୍ର ପୂର୍ଣ୍ଣିମା ଭାବ ଖ୍ୟାତ । କୃଷିପ୍ରଧାନ ଭାରତବର୍ଷରେ ବୃଷ୍ଟିଦେବତା ଇନ୍ଦ୍ରଙ୍କ ଜନ୍ମତିଥିକୁ ପ୍ରାଧାନ୍ୟ ଦେଇ ଇନ୍ଦ୍ରୋତ୍ସବ ବହୁ ପ୍ରାଚୀନ କାଳରୁ ଅନୁଷ୍ଠିତ ହୋଇଆସୁଅଛି । ସାରାଭାରତବର୍ଷ କାହିଁକି ଏପରିକି ପୃଥିବୀର କେତେକ ସ୍ଥାନରେ ଇନ୍ଦ୍ରପୂଜାର ପ୍ରସିଦ୍ଧି ରହିଛି । ଇନ୍ଦୁ ସୋମ ଅର୍ଥ ଦ୍ୟୋତକ ‘ଇନ୍ଦ୍ରୌରମତେ ଇତି ଇନ୍ଦୁ’ । ଇନ୍ଦୁ ଅର୍ଥ ଐଶ୍ୱର୍ଯ୍ୟ ଏବଂ ପ୍ରଦୀପ୍ତ । ଯିଏ ପରମ ଐଶ୍ୱର୍ଯ୍ୟଶାଳୀ ଈଶ୍ୱର ସେ ଇନ୍ଦ୍ରପଦବାଚ୍ୟ ଏବଂ ଯିଏ ପ୍ରଦୀପ୍ତ କରାନ୍ତି ସେ ଇନ୍ଦ୍ର ଅଟନ୍ତି । ଆଧିଭୌତିକ ଅର୍ଥପକ୍ଷେ ଇନ୍ଦ୍ର-ବର୍ଷା, ଆଧିଭୌତିକ ଅର୍ଥପକ୍ଷେ- ଇନ୍ଦ୍ରଦେବତା ଏବଂ ଆଧ୍ୟାତ୍ମିକ ଅର୍ଥପକ୍ଷେ ଇନ୍ଦ୍ରମନ ଅର୍ଥ ପରକ । ଗୋପଥ ବ୍ରାହ୍ମଣରେ ଇନ୍ଦ୍ରମନ ବୋଲି ଉଲ୍ଲେଖ ମିଳେ- ‘ଯନ୍ ମନଃ ସଃ ଇନ୍ଦ୍ରଃ’ । ଆଧ୍ୟାତ୍ମିକ ଅର୍ଥରେ ଇନ୍ଦ୍ର, ମନ ଓ ସୋମ ବା ଇନ୍ଦୁ ଆନନ୍ଦ ଅଟେ । ବୈଦିକ ଆର୍ଯ୍ୟମାନଙ୍କ ପ୍ରିୟତମ ରାଷ୍ଟ୍ରୀୟ ଦେବତା ଭାବେ ଇନ୍ଦ୍ର ପ୍ରସିଦ୍ଧ । ସେ ସମସ୍ତେ ସଂସାରର ଶାସକ ଏକ ଈଶାନ ଓଜସା (ରୁକ୍-୮ /୬ /୪୧) । ଏଣୁ ଇନ୍ଦ୍ରଙ୍କ ଦେବରାଜ ଉପାଧି ଯଥାର୍ଥ । ଅଥର୍ବ ବେଦରେ ଇନ୍ଦ୍ର ଓ ସୂର୍ଯ୍ୟ ଅଭିନ୍ନ ଅଟନ୍ତି । ଶତପଥ ବ୍ରାହ୍ମଣରେ ‘ଅୟଂ ବା ଇନ୍ଦ୍ରୋ ଯ ଏଷପବତେ’ରୁ ବାୟୁ ସହିତ ଇନ୍ଦ୍ରଙ୍କ ତାଦାତ୍ମା ସୂଚିତ ହୋଇଥାଏ । ଏଣୁ ଇନ୍ଦ୍ରଙ୍କ ମରୁତ୍ୱାନ୍ ବିଶେଷଣ ଯଥାର୍ଥ । ରୁକ୍ ବେଦ ୧୦ /୫୪ /୨ରେ ଇନ୍ଦ୍ରଙ୍କୁ ପରଂବ୍ରହ୍ମ ଭାବେ ମଧ୍ୟ ଅଭିହିତ କରାଯାଇଛି ।

ଇତିହାସ ଓ ମନ୍ଦିର[ସମ୍ପାଦନା]

ମହାଭାରତକାଳୀନ ‘ଇନ୍ଦ୍ରପ୍ରସ୍ଥ’ ଇନ୍ଦ୍ର ଉପାସନାର ସଂକେତ ବହନ କରିଥାଏ । ‘ଇନ୍ଦ୍ର ପ୍ରସ୍ତ ଗମସ୍ତା ବତକାରୀ ମା’ ସନ୍ତୁ ଚେୟଦ’ (ଶିଶୁପାଳ- ମହାକାବ୍ୟ-୨ /୬୩) ।ଉଦିପୀର ୩ମାଇଲ ପୂର୍ବକୁ ଗଲେ ଏକ ଇନ୍ଦ୍ରାଣୀ ମନ୍ଦିର ଦେଖିବାକୁ ମିଳିଥାଏ । ସେଠାରେ ଦେବୀ ଇନ୍ଦ୍ରାଣୀ ତପସ୍ୟା କରୁଥିଲେ ବୋଲି କିମ୍ବଦନ୍ତୀ ଅଛି । କୋଠିୟାର ଦୁଇ ମାଇଲ ଦୂରବର୍ତ୍ତୀ ନର୍ମଦା ନଦୀ କୂଳରେ ଇନ୍ଦ୍ରେଶ୍ୱର ମନ୍ଦିର ବିରାଜମାନ । ବୁତ୍ରାସୁର ବଧପରେ ଇନ୍ଦ୍ର ଏହିଠାରେ ହିଁ ତପସ୍ୟା କରୁଥିଲେ । ନର୍ମଦା ନଦୀ ଦକ୍ଷିଣ ତଟରେ ଇନ୍ଦ୍ରବାଣ ବୋଲି ଏକ ଗ୍ରାମ ରହିଛି । ଯେଉଁଠାରେ କି ଶତ୍ରତୀର୍ଥ ବିଦ୍ୟମାନ । କଥିତଅଛି କି ଏଠାରେ ଇନ୍ଦ୍ର ତପସ୍ୟା କରି, ଶକ୍ରେଶ୍ୱର ମହାଦେବଙ୍କୁ ପ୍ରତିଷ୍ଠା କରିଥିଲେ ।


ଦକ୍ଷିଣ ଭାରତରେ ଥିବା ବୌଦ୍ଧକୀର୍ତ୍ତି ପରିପୂରିତ ଅମରାବତୀରେ ଇନ୍ଦ୍ର ଉପାସନା ପ୍ରଚଳିତ ଥିବା କୁହାଯାଏ । ସେହିପରି ଓଡ଼ିଶାର ଅବିଭକ୍ତ କଟକ ଜିଲ୍ଲାର ଅମରାବତୀଠାରେ ଇନ୍ଦ୍ରଇନ୍ଦ୍ରାଣୀ ଉପାସନା ଲାଗି ପ୍ରସିଦ୍ଧ ଥିବା କଥା ଓଡ଼ିଆ ସାହିତ୍ୟ ଓ ଇତିହାସମାନଙ୍କରେ ଚର୍ଚ୍ଚିତ । ନୟାଗଡ଼ର ଗୋଡ଼େଇ ପାଟଣା ଇନ୍ଦ୍ରଇନ୍ଦ୍ରାଣୀ ଉପାସନା ଲାଗି ପରିଚିତ । ଜୁନାଗଡ଼ଠାରୁ ୬ମାଇଲ ଦୂରବର୍ତ୍ତୀ ଇନ୍ଦ୍ରେଶ୍ୱର ଶିବମନ୍ଦିର ବିଦ୍ୟମାନ । ଏହା ଇନ୍ଦ୍ରଙ୍କ ତପସ୍ୟା ସ୍ଥାନ । ନରସୀ ମେହେଟ୍ଟା ଏହାକୁ ସ୍ଥାପନା କରିଥିଲେ । ଆମେରିକାର ହଣ୍ଡୁରାସ କୋପାଳ ବନାଞ୍ଚଳରେ ଗଜାରୂଢ଼ ଇନ୍ଦ୍ରଙ୍କ କମନୀୟ ବିଗ୍ରହ ଉପଲ୍ଧ । ମାଲେସିଆର ରାଜବଂଶୀ ନିଜକୁ ‘ଇନ୍ଦ୍ରବଂଶୀ’ ବୋଲି ଘୋଷଣା କରି ମାଳୟକୁ ଇନ୍ଦ୍ରପୁର ଭାବେ ଅଭିହିତ କରିଥାନ୍ତି ।

ପୁରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ଇନ୍ଦ୍ରଙ୍କ ଏକ ବିଗ୍ରହ ଏବଂ ଏକ ମନ୍ଦିର ରହିଅଛି । ତାହାକୁ ଲୋକେ ସୂର୍ଯ୍ୟ ମନ୍ଦିର ବୋଲି ଜାଣନ୍ତି । କୋଣାର୍କର ପତନପରେ ସୂର୍ଯ୍ୟମୂର୍ତ୍ତିକୁ ଅଣାଯାଇ ଇନ୍ଦ୍ରଙ୍କ ସମ୍ମୁଖରେ ରଖାଯାଇଛି । କଳ୍ପବଟ ତଳେ ଦେବୀ ଇନ୍ଦ୍ରାଣୀଙ୍କ ମନ୍ଦିର ବିରାଜମାନ, ଯାହା ଘୁମୁଷର ପଣ୍ଡାଙ୍କ ଅଧିନରେ । ଲକ୍ଷ୍ମୀ ମନ୍ଦିର ସମ୍ମୁଖସ୍ଥ ଶ୍ରୀମନ୍ଦିରର ପିଢ଼ୀକୁ ଦେବସଭା ବୋଲି କୁହାଯାଏ । ଇନ୍ଦ୍ରୋତ୍ସବ ଦିନ ଲକ୍ଷେ ବଳିତା ଝାଡ଼ ଜଳାଯାଇ ଇନ୍ଦ୍ରୋତ୍ସବକୁ ସ୍ୱାଗତ କରାଯାଏ ।

ଭାଦ୍ରମାସେ ପୌର୍ଣ୍ଣମାସ୍ୟା କୁର୍ଯ୍ୟାତ୍ ଇନ୍ଦ୍ରୋମହୋତ୍ସବ

ମେଘେନୁକ୍ତେ ସମାଖ୍ୟାତା କାର୍ଯ୍ୟାଲୋକ ବିଭୂତୟେ ସଂବର୍ତ୍ତାଦି ମହାମେଘ ସହ ପୂଜୟେତ୍ ସୁରେଶ୍ୱର ମେଘ ବେଦ୍ୟେତ୍ତରେ ତତ୍ର ପ୍ରପୂଜୟେତ୍ ଦେବକୀ ସୁତ ନାନାରତ୍ନ ସୁବର୍ଣ୍ଣେନ ବିଚିତ୍ର ଶିବିକୋପରି ପ୍ରପୂଜୟେତ ଦେବ ଗୋବିନ୍ଦଂ ଗନ୍ଧପୁଷ୍ପ କ୍ଷତୈ ସହ ଇନ୍ଦ୍ର ଗୋବିନ୍ଦ ଚଂ ପ୍ରପୂଜୟେତ୍ କେଳି କୌତୁକ ଯୁଗତଃ

—(ବାମଦେବ ସଂହିତା)

ଇନ୍ଦ୍ରଗୋବିନ୍ଦ ମହୋତ୍ସବ ରାଜକୀୟ ଉତ୍ସବ ହୋଇଥିବାରୁ ଏହା ଶ୍ରୀମନ୍ଦିର ମଧ୍ୟରେ ଓ ରାଜନବରରେ ପରିପାଳିତ । ଏପରି ଅନ୍ୟତ୍ର ପ୍ରାୟ ବିରଳ । ଏକ କାଠନିର୍ମିତ ଐରାବତ ହସ୍ତୀପୃଷ୍ଠରେ ଇନ୍ଦ୍ର ହରଚଣ୍ଡି ସାହି ଆଖାଡ଼ାଘରଠାରୁ ବାଲିସାହି ମଧ୍ୟଦେଇ ସିଂହଦ୍ୱାର ସମ୍ମୁଖରେ ଉପସ୍ଥିତ ହୁଅନ୍ତି । ଇନ୍ଦ୍ର ଓ ଗୋବିନ୍ଦ ଉଭୟଙ୍କୁ ବନ୍ଦାପନା କରାଯାଇ ଉତ୍ସବ ସମାହିତ ହୋଇଥାଏ । ବ୍ୟୟ ସାପେକ୍ଷ ହେତୁ ବର୍ତ୍ତମାନ କେବଳ ଜଣେ ସେବକ ଏକ କ୍ଷୁଦ୍ର ହସ୍ତୀପ୍ରତିମା ଆଣି ଏହି ସେବା ସମ୍ପନ୍ନ କରୁଛନ୍ତି ।[୧]

ଆଧାର[ସମ୍ପାଦନା]

  1. ଲଛମନ ରାଉତ, ସଂଚାର, ପୃଷ୍ଠା-୧୪, ଶନିବାର ୨୧ ସେପ୍ଟେମ୍ବର ୨୦୧୩