ଚନ୍ଦ୍ର

ଉଇକିପିଡ଼ିଆ‌ରୁ


ଚନ୍ଦ୍ର
moon
Moon
Devanagariचन्द्र
Sanskrit TransliterationChandra
Affiliationଗ୍ରହ, ଦେବତା
ଗ୍ରହMoon
ସ୍ୱାମୀ/ସ୍ତ୍ରୀ୨୭ ନକ୍ଷତ୍ର
(ଦକ୍ଷଙ୍କ କନ୍ୟାଗଣ)
Mountchariot pulled by an antelope
by ten white horses / rams

ଚନ୍ଦ୍ର, ହିନ୍ଦୁ ଧର୍ମ ଅନୁସାରେ ନବଗ୍ରହଙ୍କ ମଧ୍ୟରେ ଏକ ଗ୍ରହ।

ପୌରାଣିକ[ସମ୍ପାଦନା]

ବ୍ରହ୍ମାଙ୍କର ଅଷ୍ଟ ମାନସପୁତ୍ର ଅତ୍ରିଙ୍କ ଔରସରୁ ପତ୍ନୀ ଅନସୂୟାଙ୍କ ଗର୍ଭରୁ ଚତୁର୍ଦ୍ଦଶୀ ତିଥିରେ ଚନ୍ଦ୍ରଙ୍କର ଜନ୍ମ । ଏକଦା ଋତୁମତୀ ଅନସୂୟାଦେବୀ ଚତୁର୍ଥଦିନ ପ୍ରାତଃସମୟରେ ଶୁଦ୍ଧସ୍ନାନ ପାଇଁ କ୍ଷୀରସାଗରକୁ ଯାଇଥିଲେ । ଅତ୍ରିମୁନୀ ତାଙ୍କୁ ଗୃହରେ ନପାଇ ଖୋଜି ଖୋଜି କ୍ଷୀରସିନ୍ଧୁ ସ୍ନାନଘାଟରେ ଭେଟିଲେ । ଏକ ଉତ୍ତମ ପୁତ୍ର ସନ୍ତାନ ଉଦ୍ଦେଶ୍ୟରେ ତିରିଶି ଦିବାରାତ୍ର ସମ୍ଭୋଗରେ ଅନସୂୟାଙ୍କ ସହିତ ସେହି ସାଗର ତଟରେ ମଗ୍ନ ରହିଲେ । କିନ୍ତୁ ପନ୍ଦରଦିନ ଗତହେବା ପରେ ଦେବୀ ଅନସୂୟା ଆସକ୍ତା ହୋଇ ପଡ଼ିବାରୁ ଋଷି ସମ୍ଭୋଗରୁ ବିରତ ହେଲେ । କିନ୍ତୁ ଲିଙ୍ଗଚକ୍ରରୁ ସ୍ଖଳିତ ରେତ ବିନ୍ଦୁଘରେ ପୁନଃ ସ୍ଥାପିତ ହୋଇପାରିଲା ନାହିଁ । ଫଳରେ ଲଲାଟ ମଧ୍ୟଗତ ସେହି ତରଳବିନ୍ଦୁ ନେତ୍ରପଥ ଦେଇ ଲୋତକ ରୂପେ କ୍ଷୀରସାଗର ଜଳରେ ଝରିପଡ଼ିଲା । ସେହି ପତିତ ଲୋତକ ବିନ୍ଦୁରୁ ଏକ ତେଜୋମୟ ପିଣ୍ଡ ସୃଷ୍ଟିହେଲା । ଜଳଦେବତା ବରୁଣଙ୍କ ଅନୁରୋଧରେ ମୁନିଦମ୍ପତି ସେହି ସୁନ୍ଦର ନବଜାତ ସନ୍ତାନକୁ ପୁତ୍ରରୂପେ ବରୁଣଦେବଙ୍କୁ ଅର୍ପଣ କଲେ । ମୁନିଙ୍କ ବର ଯୋଗୁଁ ଚନ୍ଦ୍ର ଷୋଳକଳାରେ ପରିପୂର୍ଣ୍ଣ ହୁଅନ୍ତି । ଶୁକ୍ଳପକ୍ଷରେ ଚନ୍ଦ୍ରଙ୍କର ଅବୟବ ବୃଦ୍ଧିଘଟେ, ପୂର୍ଣ୍ଣମୀରେ ପୂର୍ଣ୍ଣତା ଲାଭକରନ୍ତି । କିନ୍ତୁ କୃଷ୍ଣପକ୍ଷରେ ଚନ୍ଦ୍ରଙ୍କର କ୍ଷୟଘଟେ, ଅମାବାସ୍ୟାରେ ସଂପୂର୍ଣ୍ଣ ଲୀନ ହୋଇଯାଆନ୍ତି ।

ପୌରାଣିକ ବିବରଣୀ ଅନୁସାରେ ମୁନି ଦମ୍ପତିଙ୍କ କେଳି ଅପୂର୍ଣ୍ଣ ରହିବା ହେତୁ ଚନ୍ଦ୍ରଙ୍କର ପାକ୍ଷିକ କ୍ଷୟବୃଦ୍ଧି ଘଟିଥାଏ । ଏହି ରହସ୍ୟ ଅବିଦିତ ଥିବାରୁ, ସମସ୍ତେ ଜାଣନ୍ତି ଚନ୍ଦ୍ର ବରୁଣଙ୍କ ସନ୍ତାନ । ପରବର୍ତ୍ତୀ ସମୟରେ ଚନ୍ଦ୍ରଙ୍କୁ କ୍ଷୀରସାଗର ମନ୍ଥନରୁ ଉଦ୍ଧାର କରାଯାଇ ମହାକାଶରେ ସ୍ଥାପନ କରାଗଲା ଏବଂ ସାଗର ମନ୍ଥନରୁ ଜାତ ସମସ୍ତ ଔଷଧୀର ଅଧିପତି ଚନ୍ଦ୍ରଙ୍କୁ ଅର୍ପଣ କରାଗଲା । ତେଣୁ ଉଦ୍ଭିଦ ଜଗତରେ ସମସ୍ତ ବୃକ୍ଷଲତାର ଅଧିପତି ହେଲେ । କିନ୍ତୁ ବରାହ ପୁରାଣ ଅନୁସାରେ ସୃଷ୍ଟି ସର୍ଜନା କଥା ଚିନ୍ତା କରୁଥିବା ବେଳେ ବିଶ୍ୱକର୍ତ୍ତାଙ୍କ ଚକ୍ଷୁଦ୍ୱୟରୁ ପ୍ରଥମେ ତେଜ ସୃଷ୍ଟିହୁଏ । ଦକ୍ଷିଣ ଚକ୍ଷୁରୁ ସୂର୍ଯ୍ୟ ବାମ ଚକ୍ଷୁରୁ ଚନ୍ଦ୍ର ସୃଷ୍ଟିହୁଅନ୍ତି । [୧]

ଅନ୍ୟଏକ ମତ ଅନୁସାରେ ବ୍ରହ୍ମା ଅତ୍ରିଙ୍କୁ ସୃଷ୍ଟି ସର୍ଜନା କରିବାକୁ ନିର୍ଦ୍ଦେଶ ହେଲେ । ସୁଚାରୁରୂପେ ସଂସାର ସୃଷ୍ଟିକରିବା ପାଇଁ ଶକ୍ତି ଆବଶ୍ୟକତା ଦୃଷ୍ଟିରୁ ଋଷି ତପସ୍ୟା କଲେ । ବିଷ୍ଣୁ ଋଷିଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଏକ ଦିବ୍ୟଜ୍ୟୋତି ରୂପେ ଆସି ହୃଦୟରେ ରହିଲେ । ତାହା ଜାଣି ଅତ୍ରିଙ୍କ ଚକ୍ଷୁରୁ ଆନନ୍ଦାଶ୍ରୁ ଝରିପଡ଼ିଲା । ସେହି ଲୁହରୁ କେତେଗୁଡ଼ିଏ ଭ୍ରୂଣ ଜାତ ହେଲେ । ବ୍ରହ୍ମା ସେହି ଭ୍ରୂଣଗୁଡ଼ିକୁ ଏକାଠି କରି ଏକ ସୁନ୍ଦର ତରୁଣ ସୃଷ୍ଟିକଲେ । ସେହି ସୁନ୍ଦର ତରୁଣ ବ୍ରହ୍ମାଙ୍କ ଅଂଶରୁ ଜାତ ହୋଇଥିବାରୁ ତାଙ୍କର ରୂପ ଅତ୍ୟନ୍ତ ଦୀପ୍ତିମାନ ହୋଇଥିଲା । ସେ ହେଲେ ଚନ୍ଦ୍ରଦେବତା । ତତ୍ପରେ ମୁନି, ଋଷି, ଦେବତା, ଗନ୍ଧର୍ବ ଓ ଅପସରୀମାନେ ସାମବେଦ ଗାନ କରି ଚନ୍ଦ୍ରଙ୍କୁ ସ୍ତୁତିକଲେ । ସେହି ସ୍ତୁତି ହେତୁ ପୃଥିବୀରେ ଔଷଧୀୟ ବୃକ୍ଷଲତା ଉଦ୍ଭବ ହେଲେ । ତେଣୁ, ଚନ୍ଦ୍ରଙ୍କୁ ଔଷଧିମାନଙ୍କର ଅଧିପତି କହାଗଲା । ଆଉମଧ୍ୟ ହରିବଂଶ ପୁରାଣରେ ଚନ୍ଦ୍ରଙ୍କୁ ନକ୍ଷତ୍ରମାନଙ୍କର ରାଜା ରୂପେ ବର୍ଣ୍ଣନା କରାଯାଇଛି ।[୨]

ଚନ୍ଦ୍ରକ୍ଷୟ[ସମ୍ପାଦନା]

ଚନ୍ଦ୍ର ସୌନ୍ଦର୍ଯ୍ୟରେ ଅନୁମପ ତଥା ସମସ୍ତ ଉଦ୍ଭିଦଙ୍କ ରାଜା ହୋଇଥିବାରୁ ଯଶ, ଖ୍ୟାତି ବହୁଗୁଣିତ ହେଲା। ପ୍ରଜାପତି ଦକ୍ଷ ଚନ୍ଦ୍ରଙ୍କ ସହିତ ତାଙ୍କର ୨୭ଟି କନ୍ୟାମାନଙ୍କୁ ବିବାହ କରାଇଥିଲେ । ସେମାନେ ହେଲେ, ଅଶ୍ୱିନୀ, ଦ୍ୱିଜା, କୃତ୍ତିକା, ରୋହିଣି, ମୃଗଶିରା, ଆର୍ଦ୍ରା, ପୁନର୍ବସୁ, ପୁଷ୍ୟା, ଅଶ୍ଳେଷା, ମଘା, ପୂର୍ବଫାଲ୍ଗୁନୀ, ଉତ୍ତର ଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତି, ବିଶାଖା, ଅନୁରାଧା, ଜ୍ୟେଷ୍ଠା, ମୂଳା, ପୂର୍ବାଷାଢ଼ା, ଉତ୍ତରାଷାଢ଼ା, ଶ୍ରବଣା, ଧନିଷ୍ଠା, ଶତଭିଷା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦରେବତୀ । ଦକ୍ଷଙ୍କର ସେହି ୨୭କନ୍ୟାଗଣ ଆକାଶରେ ତାରାରୂପେ ଦେଖାଯାଆନ୍ତି । ସେମାନଙ୍କ ସହିତ ଚନ୍ଦ୍ର ମହାମେରୁ ପରିକ୍ରମା କରନ୍ତି । ଜ୍ୟୋତିର୍ବିଜ୍ଞାନ ମଧ୍ୟ ପୌରାଣିକ ବିବରଣୀକୁ ସମର୍ଥନ କରେ। ଚନ୍ଦ୍ରଙ୍କର ବୈବାହିକ ଜୀବନରେ ପକ୍ଷପାତିତା ଅବଲମ୍ବନ କରିଥିଲେ, ୨୭ଜଣ ପତ୍ନୀଙ୍କ ମଧ୍ୟରୁ କେବଳ ଅପରୂପା ରୂପସୀ ରୋହିଣୀଙ୍କ ସହିତ ନିବିଡ଼ ସମ୍ପର୍କ ରଖୁଥିଲେ ବେଳେ ଅନ୍ୟମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିଲେ । କନ୍ୟାମାନଙ୍କ ଅଭିଯୋଗକ୍ରମେ ପିତାଦକ୍ଷ ଚନ୍ଦ୍ରଙ୍କୁ ସତ୍ଉପଦେଶ ଦେଇଥିଲେ। କିନ୍ତୁ, ଚନ୍ଦ୍ରଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଘଟିନଥିଲା; ବରଂ ରୋହିଣୀଙ୍କ ସହିତ ସମ୍ପର୍କ ଅଧିକ ନିବିଡ଼ତର ହେଲା । ବାରମ୍ବାର କନ୍ୟାମାନଙ୍କ ଅଭିଯୋଗରେ ଉତ୍‌କ୍ଷିପ୍ତହୋଇ ଚନ୍ଦ୍ରଙ୍କୁ କ୍ଷୟରୋଗ ‘ଯକ୍ଷ୍ମା’ ହେଉବୋଲି ଅଭିଶାପ ଦେଲେ । ଯକ୍ଷ୍ମାରେ ପୀଡ଼ିତ ଚନ୍ଦ୍ରଙ୍କର କାନ୍ତି ଓ ଶକ୍ତି ଦିନକୁ ଦିନ ହ୍ରାସ ଘଟିଲା ‌। ବହୁ ଯାଗଯଜ୍ଞଦ୍ୱାରା ମଧ୍ୟ କିଛି ସୁଫଳ ମିଳିଲାନାହିଁ । ଔଷଧମାନଙ୍କର ଅଧିପତି ଚନ୍ଦ୍ରଙ୍କର ଜ୍ୟୋତି ଓ ଶକ୍ତିହୀନତା ଯୋଗୁଁ ଔଷଧୀୟବୃକ୍ଷ ତଥା ସମଗ୍ର ଉଦ୍ଭିଦଜଗତ ରୋଗନାଶକ ଶକ୍ତି ହରାଇ ବସିଲେ । ସମଗ୍ର ସଂସାରରେ ହାହାକାର ପଡ଼ିଗଲା । ସମଗ୍ରଦେବତାଙ୍କ ଅନୁରୋଧ ଓ ଚନ୍ଦ୍ରଙ୍କ ଅନୁତାପରେ ବିଗଳିତ ହୋଇ ପ୍ରଜାପତି ଦକ୍ଷ ସବୁପତ୍ନୀଙ୍କ ସହିତ ସମ ସ୍ନେହପ୍ରୀତି ସ୍ଥାପନର ଉପଦେଶ ଦେଇ, ସରସ୍ୱତୀ ନଦୀରେ ସ୍ନାନଦ୍ୱାରା ରୋଗମୁକ୍ତିର ଉପାୟ ବତାଇଦେଲେ । ଚନ୍ଦ୍ରଙ୍କୁ ପ୍ରଭାଯୁକ୍ତ କରି ସରସ୍ୱତୀ ତୀର୍ଥ ‘ପ୍ରଭାସ’ ତୀର୍ଥ ନାମରେ ଖ୍ୟାତି ଅର୍ଜନ କରିଛି । [୩] କିନ୍ତୁ, ଚନ୍ଦ୍ରଙ୍କର ଅଧାଦିନ ବୃଦ୍ଧି ଓ ଅଧାଦିନ କ୍ଷୟ ହୁଏ । ଆଉମଧ୍ୟ, ଚନ୍ଦ୍ର ଅତ୍ୟନ୍ତ ସୁନ୍ଦର ହେତୁ ମନରେ କୌଣସି ଗର୍ବ ଅହଙ୍କାର ନଥିଲା । ଏକଦା ବିଷ୍ଣୁଙ୍କୁ ତପସ୍ୟା କଲେ। ବିଷ୍ଣୁ ତପସ୍ୟାରେ ସନ୍ତୁଷ୍ଟ ହୋଇ ଚନ୍ଦ୍ରଙ୍କୁ ବର ଯାଚନା କଲେ । ଚନ୍ଦ୍ର କହିଲେ , ସେ ସ୍ୱର୍ଗରେ ଏକ ଯଜ୍ଞ ଅନୁଷ୍ଠିତ କରିବେ, ସେଥିରେ ଶିବ ତ୍ରିଶୂଳ ଧରି ଯଜ୍ଞକୁ ରକ୍ଷା କରିବେ ଏବଂ ସମସ୍ତ ଦେବତା ଯଜ୍ଞରେ ଯୋଗଦେଇ ଯଜ୍ଞଭାଗ ଗ୍ରହଣ କରିବେ। ବିଷ୍ଣୁ ତାଙ୍କୁ ସେହିବର ଦେଲେ । ବିଷ୍ଣୁଙ୍କଠାରୁ ବର ପାଇବା ପରେ ଚନ୍ଦ୍ର ସ୍ୱର୍ଗରେ ଏକ ଯଜ୍ଞ ଅନୁଷ୍ଠିତ କଲେ। ସେଥିରେ ସମସ୍ତ ମୁନିଋଷି, ଦେବତା ଆଦି ଅଂଶ ଗ୍ରହଣ କଲେ । ଫଳରେ ଚନ୍ଦ୍ରଙ୍କର ସୌନ୍ଦର୍ଯ୍ୟ ବହୁଗୁଣିତ ହେଲା । ଏହା ଦେଖି ଲକ୍ଷ୍ମୀ ପ୍ରଭୃତି ଦେବୀଗଣ ମୁଗ୍‌ଧ ହେଲେ । ଏହା ଦେଖି ଚନ୍ଦ୍ରଙ୍କ ଛାତି ଗର୍ବରେ ଫୁଲିଉଠିଲା, ମନକୁ ଯାହା ଆସିଲା କଲେ ଏବଂ ଯଜ୍ଞରେ ଉପସ୍ଥିତ ନବଦେବୀଙ୍କୁ ଅସମ୍ମାନ କଲେ । [୪]ଏହିକର୍ମଦ୍ୱାରା ଚନ୍ଦ୍ରଙ୍କର ଦେବତ୍ୱ ହ୍ରାସ ଘଟେ । ଚନ୍ଦ୍ରଙ୍କର ତାରାଙ୍କ ସହିତ ଅବୈଧପ୍ରେମକୁ ନେଇ ଅନ୍ୟଏକ କଳଙ୍କମୟ ପୌରାଣିକ ପ୍ରବାଦ ରହିଛି । ଚନ୍ଦ୍ରକଳାର ହ୍ରାସବୃଦ୍ଧି ଅନୁସାରେ କୃଷ୍ଣଚତୁର୍ଦ୍ଦଶୀ ଦିନ ଚନ୍ଦ୍ରଙ୍କର କିଛି ଅବଶେଷ ରହେନାହିଁ । ପୁରାଣ ବର୍ଣ୍ଣନା ଅନୁସାରେ ଅମାବାସ୍ୟା ଦିନଟି ଚନ୍ଦ୍ର ଲୋକଲୋଚନରୁ ଲୁକ୍‌କାୟିତ ରହି ଦେବଗୁରୁ ବୃହସ୍ପତିଙ୍କ ଗୃହରେ ବିଦ୍ୟାର୍ଥୀରୂପେ ଅବସ୍ଥାନ କରନ୍ତି । ଗୁରୁଙ୍କ ଅନୁମତିରେ ମାସରେ ଏକଦିନ ଚନ୍ଦ୍ର ଗୁରୁଙ୍କ ଗୃହରେ ଆସି ଲୁକ୍‌କାୟିତ ଅବସ୍ଥାରେ ରହନ୍ତି ଏବଂ ଅମାବାସ୍ୟା ଓ ପ୍ରତିପଦାରେ ଲୋକଲୋଚନରେ ଦର୍ଶନରେ ଆସନ୍ତି । ସୌମ୍ୟକାନ୍ତ ଚନ୍ଦ୍ରଙ୍କ ଦର୍ଶନରେ ଗୁରୁପତ୍ନୀ ତାରା ମୁଗ୍‌ଧ ହୋଇ ପ୍ରେମ ନିବେଦନ କରନ୍ତି । ଚନ୍ଦ୍ର ରୂପସୀ ତାରାଙ୍କ ପ୍ରେମଭିକ୍ଷାକୁ ପ୍ରତ୍ୟାଖ୍ୟାନ ନକରି ନିଜର ସମ୍ମତି ପ୍ରଦାନ କରନ୍ତି ଏବଂ ନିତି ଅମାବାସ୍ୟାରାତିରେ ତାରାଙ୍କ ସହିତ ଅଭିସାର ରଚନ୍ତି। ଏହି ପରକୀୟା ସମ୍ପର୍କରୁ ଚନ୍ଦ୍ର ‘ତାରାପତି’ ନାମରେ ବିଦିତ । ଯଥାସମୟରେ ତାରାଙ୍କର ଏକ ପୁତ୍ରସନ୍ତାନ ପ୍ରସୂତ ହୁଏ । ଜାତକ ଗଣନାଦ୍ୱାରା ବୁଧ ଅବୈଧ ସନ୍ତାନ ବୋଲି ବୃହଷ୍ପତି ଜାଣିପାରନ୍ତି । ତେଣୁ ଚନ୍ଦ୍ରଙ୍କୁ ଅଭିଶାପ ଦିଅନ୍ତି, ଫଳରେ ଚନ୍ଦ୍ରଙ୍କ ଦେହରେ ଚିରଦିନ ରହିଯାଏ କଳଙ୍କ । ଗୁରୁପତ୍ନୀଙ୍କ ସହିତ ପ୍ରଣୟ ଶାସ୍ତ୍ରନିଷିଦ୍ଧ । ଏଣୁ ପୁରାଣ ବର୍ଣ୍ଣନାକୁ ଆଧାର କରି ଚତୁର୍ଦ୍ଦଶୀରେ ଚନ୍ଦ୍ରଙ୍କ ଗୁରୁଗୃହକୁ ଆସିବା ଓ ପ୍ରତିପଦାଯାଏ ରହଣି ସମୟକୁ, ଅର୍ଥାତ୍ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦାଦି ତିଥି ତ୍ରୟକୁ ବିଦ୍ୟାଧ୍ୟୟନ ପାଇଁ ନିଷେଧ କରାଯାଇଛି ।

ଆଧାର[ସମ୍ପାଦନା]

  1. ଓଡ଼ିଶାର ଦେବଦେବୀ, ପୃଷ୍ଠା-୩୩୬
  2. ଅସିତ ମହାନ୍ତି, ଆମଦେବାଦେବୀ, ପୃଷ୍ଠା-୮୫
  3. (ମହାଭାରତ; ଶଲ୍ୟପର୍ବ, ୩୫ ଅଧ୍ୟାୟ) ଓଡ଼ିଶାର ଦେବଦେବୀ, ପୃଷ୍ଠା-୩୩୬
  4. ଆମଦେବାଦେବୀ, ପୃଷ୍ଠା-୮୫

ଅଧିକ ତଥ୍ୟ[ସମ୍ପାଦନା]