ତ୍ରିଲୋଚନେଶ୍ୱର ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search

ବିରଜା ମନ୍ଦିର ନିକଟରୁ ଯାଜପୁର-ସିଂହପୁର ରାସ୍ତାରେ ୧କି.ମି. ଗଲାପରେ ରାସ୍ତାର ବାମପାଖରୁ ପୂର୍ବଦିଗକୁ ଗଲେ ପଡ଼ିବ ତ୍ରିଲୋଚନେଶ୍ୱର ମନ୍ଦିର । [୧] ଯାଜପୁରରେ କୋଟିଏ ଶିବଲିଙ୍ଗ ଥିବାର ପ୍ରମାଣ ମିଳେ ବିଭିନ୍ନ ପୁରାଣ ପୃଷ୍ଠାରୁ । ସେମାନଙ୍କ ମଧ୍ୟରୁ ତ୍ରିଲୋଚନେଶ୍ୱର ନିଆରା । ତ୍ରିଲୋଚନେଶ୍ୱର ବେଢା ମଧ୍ୟରେ ଓ ପାଖାପାଖି ଅଞ୍ଚଳରେ ଏବେବି ଅନେକ ଚାମୁଣ୍ଡା ମୂର୍ତ୍ତି ପରିଲକ୍ଷିତ ହୁଅନ୍ତି । ମନ୍ଦିରର ମୁଖଶାଳା ସମ୍ମୁଖରେ ଭଗ୍ନ ଅବସ୍ଥାରେ ରହିଥିବା ଅନେକ ଶିବଲିଙ୍ଗ ବର୍ତ୍ତମାନ ସଂରକ୍ଷିତ କରାଯାଇଛି । କଳା ପାହାଡ଼ ଆକ୍ରମଣ ବେଳେ ଯାଜପୁରର ଦେବାଦେବୀମାନଙ୍କ ମୂର୍ତ୍ତିକୁ ଭାଙ୍ଗି ବିକଳାଙ୍ଗ କରିଦିଆଯିବା ସଙ୍ଗେ ସଙ୍ଗେ ଅନେକ ଦେବାଦେବୀଙ୍କୁ ବୈତରଣୀ ନଦୀରେ ପକାଇ ଦିଆଯାଇଥିବାର ଅନୁମାନ କରାଯାଏ । ତ୍ରିଲୋଚନେଶ୍ୱର ମୁଖଶାଳା ଆଗରେ ବିକ୍ଷିପ୍ତ ଭାବରେ ପଡ଼ିଥିବା ଶିବଲିଙ୍ଗ ସେହି ସମୟରୁ ବୋଧହୁଏ ଭାଙ୍ଗିରୁଜି ଯାଇଛି । ବିକ୍ଷିପ୍ତଭାବରେ ପଡ଼ିଥିବା ଶିବଲିଙ୍ଗଗୁଡିକୁ ନେଇ ୧୦୮ଟି ମନ୍ଦିର ସ୍ଥାପନ କରାଯାଇଛି । ତା’ମଧ୍ୟରୁ ଯାଉଁଳି ବନ୍ଧର ମହାଦେବ ଗଙ୍ଗବଂଶର କୀର୍ତ୍ତି ତ୍ରିଲୋଚନେଶ୍ୱର ଅନ୍ୟତମ ।

ମନ୍ଦିର[ସମ୍ପାଦନା]

ଏହି ମନ୍ଦିର ଲୋକଙ୍କ ମନରେ କାହିଁକି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ସେ ସଂପର୍କରେ ଆଲୋଚନା କଲେ ଜଣାଯାଏ ପ୍ରତ୍ୟେକ ଶିବ ମନ୍ଦିରର ମୁଖ- ପୂର୍ବଦିଗକୁ ଥିବାବେଳେ ଏହାର ମୁଖ ପଶ୍ଚିମକୁ । ମନ୍ଦିର ବେଢାରେ ରହିଛି ଆଉ ଏକ ଶିବମନ୍ଦିର । ଯାହାକି ତ୍ରିଳଭାଣ୍ଡେଶ୍ୱର ନାମରେ ପରିଚିତ । ଲିଙ୍ଗର ଉଚ୍ଚତା ପ୍ରାୟ ୩ଫୁଟ ଏବଂ ଗୋଲେଇ ୧ଫୁଟ । ଏପରି ଶିବଲିଙ୍ଗ ବିରଜାକ୍ଷେତ୍ରରେ ବିରଳ । ମନ୍ଦିରକୁ ପ୍ରବେଶ କଲା ପରେ କୁଣ୍ଡପାଖକୁ ଲାଗି ଅଠର ହାତ ବିଶିଷ୍ଟ ମା’ କାଳୀଙ୍କ ମୂର୍ତ୍ତି ।[୨] ଏହି କାଳୀ ମୂର୍ତ୍ତି ଭାରତର ଏକ ବିରଳ ମୂର୍ତ୍ତି । ଅଠର ହାତରେ ସେ ଖପୁରୀମାଳା, ମୁଣ୍ଡ, ତ୍ରିଶୂଳ, ଖଡ୍ଗ, ସର୍ପ ଧନୁଶର, ଶଙ୍ଖ, ଖଣ୍ଡା ଡମ୍ବରୁ ଆଦି ଅଠର ଗୋଟି ଆୟୁଧ ଧରିଥିବାର ଦେଖାଯାଏ । କୁଣ୍ଡ ନିକଟରେ ଗୋଟିଏ ପଥରର ଗରୁଡ଼ ମୂର୍ତ୍ତି ଏକ ସୁଡ଼ଙ୍ଗକୁ ଜଗିରହିଛି ।

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ଭାରତର ଶିବଲିଙ୍ଗଗୁଡ଼ିକ ମଧ୍ୟରୁ ୬୯ଟି ସ୍ୱୟମ୍ଭୁ ଶିବଲିଙ୍ଗଭାବେ ସମ୍ମାନ ଲାଭ କରିଥିଲା ।[୩] ଏହା ମଧ୍ୟରେ ତ୍ରିଲୋଚନେଶ୍ୱରଙ୍କ ସ୍ଥାନ ୪୩ । ମନ୍ଦିରଟିର ଉଚ୍ଚତା ୬୬ଫୁଟ । ନବରଥ ଶୈଳୀରେ ନିର୍ମିତ ମୁଖଶାଳାରେ ଲଗାଯାଇଥିବା ପାର୍ବତୀ, କାର୍ତ୍ତିକେୟ, ଗଣେଶ, ବୈତାଳିକ, ଶିବତାଣ୍ଡବ, ଭୈରବ ଇତ୍ୟାଦି ମୂର୍ତ୍ତି ପରବର୍ତ୍ତୀ କାଳରେ ଏଠାରେ ଲଗାଯାଇଛି । ଏଗୁଡ଼ିକ ଷଷ୍ଠ ଶତାବ୍ଦୀରୁ ନବମ ଶତାବ୍ଦୀ ପର୍ଯ୍ୟନ୍ତ କୌଣସି ଏକ ମନ୍ଦିର ଅଂଶବିଶେଷ ବୋଲି ବିଶ୍ୱାସ କରାଯାଏ । ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ପ୍ରସିଦ୍ଧ ନାଥଗୁରୁ ଗୋରେଖନାଥଙ୍କ ଶିଷ୍ୟ ବିରୁପାକ୍ଷନାଥ ଏଠାରେ କିଛିଦିନ ଅବସ୍ଥାନ କରିଥିଲେ । ମନ୍ଦିର ପରିସର ମଧ୍ୟରେ ଭୌମକର ରାଣୀ ଦଣ୍ଡୀ ମହାଦେବୀଙ୍କଦ୍ୱାରା ନିର୍ମିତ ଦଣ୍ଡିଶ୍ୱର ମନ୍ଦିର ସମ୍ପ୍ରତି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ମରାମତି ସମୟରେ ଏଠାରୁ ସୂର୍ଯ୍ୟମୂର୍ତ୍ତି, ଚାରିଭୂଜା ମହିଷାମର୍ଦ୍ଦିନୀ, ଅଷ୍ଟଭୂଜା ଚାମୁଣ୍ଡା, ଚାରିଭୂଜା ଚାମୁଣ୍ଡା ପାର୍ବତୀମୂର୍ତ୍ତି, ଗଣେଶମୂର୍ତ୍ତି, ପ୍ରାଚୀନ ମନ୍ଦିରର ବଜ୍ରମସ୍ତକ, ଆମଳକ ଶିଳା, ଅନେକ ପ୍ରାଚୀନ ସ୍ତମ୍ଭର ଉପରିଭାଗ, ମିଥୁନମୂର୍ତ୍ତି, କ୍ଷୁଦ୍ରକ୍ଷୁଦ୍ର ବୌଦ୍ଧ ସ୍ତୂପ ଭଳି ପଥରଖଣ୍ଡ ଯେଉଁଥିରେ କି ପୂଜକ ଶିବଲିଙ୍ଗକୁ ପୂଜା କରୁଥିବାର ଦୃଶ୍ୟ ଖୋଦିତ ହୋଇଛି, ତାନ୍ତ୍ରିକ ମନ୍ଦିରର ଉପରିଭାଗ ଆଦି ମିଳିଛି ।

ଏ ପର୍ଯ୍ୟନ୍ତ ୧୪ଟି ଶିଳାଲିପି ଉଦ୍ଧାର କରାଯାଇଛି । ସେଥିମଧ୍ୟରୁ ୧୩ଟି ପ୍ରାଚୀନ କୁଟିଳ ଲିପି । ଅନ୍ୟ ଗୋଟିଏ ଓଡ଼ିଆ ଶିଳାଲିପି । ସମସ୍ତ ଶିଳାଲିପି କାରୁକାର୍ଯ୍ୟପୂର୍ଣ୍ଣ । ଏହି ମନ୍ଦିର ପୂର୍ବରୁ ସେଠାରେ ଏକ ବଡ଼ମନ୍ଦିର, ଭୌମକର ଶାସନ ପୂର୍ବରୁ ଅର୍ଥାତ ୭ମ ଅଷ୍ଟମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା କୁହାଯାଉଛି । ସେହି ମନ୍ଦିରର ଉଚ୍ଚତା ୭୫ଫୁଟରୁ ଅଧିକ ଥିଲା ଓ ତାହା ରାଜରାଣୀ, ଲିଙ୍ଗରାଜ ମନ୍ଦିର ଶୈଳୀରେ ନିର୍ମିତ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଯେଉଁ ମନ୍ଦିରଟି ନିର୍ମିତ ହୋଇଛି ସେଥିରେ ପୂର୍ବ ମନ୍ଦିରର ପ୍ରସ୍ତର ଖଣ୍ଡ ଓ ଅନ୍ୟାନ୍ୟ ଅଂଶ ଖଞ୍ଜାଯାଇଛି । ସେଠାରୁ ମିଳିଥିବା ଓଡ଼ିଆ ଶିଳାଲିପି ପାଠକରି ଐତିହାସିକ ଡକ୍ଟର ଏକାଦଶୀ ପାଢୀ କହିଛନ୍ତି ଯେ ଏହି ମନ୍ଦିର ଗଙ୍ଗବଂଶର ରାଜା ୪ର୍ଥ ନରସିଂହ ଦେବଙ୍କ ରାଜତ୍ୱର ୨୧ ଅଙ୍କରେ ନିର୍ମିତ । ବିରଜା କ୍ଷେତ୍ରରେ ଅଷ୍ଟଭୈରବ, ଅଷ୍ଟମ ଚଣ୍ଡୀ, ଦ୍ୱାଦଶୀ ମାଧବ, ଦଶାଶ୍ୱମେଧ ଘାଟ, ସପ୍ତମାତୃକା, ସୂର୍ଯ୍ୟମନ୍ଦିର, ଜଗନ୍ନାଥ ମନ୍ଦିର, ସିଦ୍ଧ ଗଣେଶ, ତ୍ରୟୋଦଶ ରୁଦ୍ର, ସିଦ୍ଧେଶ୍ୱର, ବରୁଣେଶ୍ୱର,ଖିଲାଟେଶ୍ୱର, ବରାହ ମନ୍ଦିର ସହିତ ୬୮ଟି ପୀଠ ରହିଛି ।

କିମ୍ବଦନ୍ତୀ[ସମ୍ପାଦନା]

ପୂଜକମାନେ କହନ୍ତି ଯେ ସେଠାରେ ଅବସ୍ଥାନ କରୁଥିବା ଜଣେ ବାବାଜୀ ଲୋକମାନଙ୍କୁ ଏହି ସୁଡ଼ଙ୍ଗ ଦ୍ୱାର ଖୋଲିବାକୁ କହିଲେ । ଲୋକେ ରାଜି ହେଲେ ନାହିଁ । ତେଣୁ ବାବାଜୀ ନିଜେ ସୁଡ଼ଙ୍ଗ ଦ୍ୱାର ଖୋଲିଲେ । ଖୋଳିବା କାର୍ଯ୍ୟ ଆରମ୍ଭ କରିବା ପରେ ସେ ରକ୍ତଝାଡ଼ା ଓ ରକ୍ତବାନ୍ତିରେ ମୃତ୍ୟୁବରଣ କଲେ । ସେହିଦିନଠାରୁ ଏହି ସୁଡ଼ଙ୍ଗକୁ କେହି ଖୋଲିବାକୁ ସାହସ କରିନାହାନ୍ତି । ଏହି ସୁଡ଼ଙ୍ଗ ବାଟ ଦେଇ ପାତଳରୁ ମହିରାବଣ ଆସି ତ୍ରିଲୋଚନେଶ୍ୱରକୁ ପୂଜା କରି ଫେରି ଯାଉଥିବାର ଭକ୍ତମାନେ ବିଶ୍ୱାସ କରନ୍ତି । ମହିରାବଣ କାଳୀଙ୍କୁ ପୂଜା କରିବା ପୁରାଣ ପୃଷ୍ଠାରୁ ଜଣାପଡ଼େ । ସେହିସମୟରେ ମହିରାବଣ ଉପରେ ପ୍ରସନ୍ନ ହୋଇ ତ୍ରିଲୋଚନେଶ୍ୱରଙ୍କୁ ପୂଜା କରିବାକୁ କହିବାରୁ ତାଙ୍କ ଆଦେଶରେ ସେ ତ୍ରିଲୋଚନେଶ୍ୱରଙ୍କୁ ପୂଜା କରିଥିଲା । ମହିରାବଣର ପୂଜାରେ ସନ୍ତୁଷ୍ଟ ହୋଇ ତ୍ରିଲୋଚନେଶ୍ୱର ତାକୁ ଏକ ତ୍ରିଶୂଳ ଦେଇ କହିଥିଲେ- ‘ଏହି ତ୍ରିଶୂଳ ମୁନରେ ଗୋକର୍ଣ୍ଣିକା ପୁଷ୍କରଣୀ ଖୋଳି ସେଥିରେ ସ୍ନାନ କଲେ ପାପମୁକ୍ତ ହେବ । ’ ଏବେ ମଧ୍ୟ ଗୋକର୍ଣ୍ଣ ମନ୍ଦିର ନିକଟରେ ଗୋକର୍ଣ୍ଣିକା ତୀର୍ଥ ରହିଛି । [୪]

ଆଧାର[ସମ୍ପାଦନା]

  1. http://jajpur.nic.in/tourist.htm
  2. "Trilochaneswar Temple of Jajpur". MyOdia.com. Retrieved 25 September 2014.
  3. "Trilochaneswar Temple of Odisha". Creative Odisha. Retrieved 25 September 2014.
  4. ନାରାୟଣ କୁମାର ରାଉତରାୟ, ସଂଚାର, ପୃଷ୍ଠା-୧୪, ଶୁକ୍ରବାର ୨୩ ଅଗଷ୍ଟ ୨୦୧୩