ସପ୍ତର୍ଷି

ଉଇକିପିଡ଼ିଆ‌ରୁ

ପୁରାଣରୁ ଜଣାଯାଏ ଯେ, ବ୍ରହ୍ମାଙ୍କ ପୁତ୍ରମାନେ ଋଷି ଥିଲେ ଓ ଭଗବାନ୍‌ ଶିବଙ୍କର ଭକ୍ତମାନେ ମଧ୍ୟ ଋଷି ଥିଲେ ୤ ସେମାନେ ମାନବ, ଦେବତା ଏତତ୍‌ବ୍ୟତୀତ ପଶୁ-ପକ୍ଷୀ, ସମୁଦ୍ର, ନଦୀ, ପାହାଡ଼ ଏବଂବୃକ୍ଷଲତାମାନଙ୍କ ହିତ ପାଇଁ ଅନେକ କାର୍ଯ୍ୟ କରିବା ସହିତ ଅନେକ ବିଧିବିଧାନ ପ୍ରଚଳନ କରିଛନ୍ତି ୤ ପ୍ରଥମ ମନୁ ସ୍ୱୟଂଭୁବ ମନୁଙ୍କଠାରୁ ଆରମ୍ଭ କରି ବୌଦ୍ଧ ପର୍ଯ୍ୟନ୍ତ ସମସ୍ତ ଋଷି ଓ ମୁନି ଥିଲେ ୤ ହିନ୍ଦୁ ପୁରାଣରେ ଥିବା ମନ୍ୱନ୍ତରରେ ଋଷିଙ୍କ ଜ୍ଞାନକୁ ପରିଭାଷିତ/ବର୍ଣ୍ଣନା କରାଯାଇଛି ୤ ପ୍ରତ୍ୟେକ ମନ୍ୱନ୍ତରରେ ୭ଟି ପ୍ରମୁଖ ଋଷିଙ୍କ ନାମ ଉଲ୍ଲେଖ କରାଯାଇଛି ୤ ବିଷ୍ଣୁ ପୁରାଣ ଅନୁସାରେ ପ୍ରଥମ ମନ୍ୱନ୍ତରରେ ମରୀଚି, ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ ଏବଂ ବଶିଷ୍ଠ ଆଦି ସପ୍ତଋଷିଙ୍କୁ ସପ୍ତର୍ଷିମଣ୍ଡଳ କୁହାଯାଏ ୤ ଦ୍ୱିତୀୟ ସ୍ୱାରୋଚିଷ ମନ୍ୱନ୍ତରରେ ଉର୍ଜ୍ଜ, ସ୍ତମ୍ଭ, ବାତ, ପ୍ରାଣ, ପୃଷଭ, ନିରୟ ଏବଂ ପରୀବାନ୍‌ ପ୍ରଭୃତି ସାତଟି ଋଷି ରହିଛନ୍ତି ୤ ତୃତୀୟ ଉତ୍ତମ ମନ୍ୱନ୍ତରରେ ମହର୍ଷି ବଶିଷ୍ଠଙ୍କ ସାତ ପୁତ୍ର ଥିବାବେଳେ ଚତୁର୍ଥ ମାନସ ମନ୍ୱନ୍ତରରେ ଜ୍ୟୋତିର୍ଧାମା, ପୃଥୁ, କାବ୍ୟ, ଚୈତ୍ର, ଅଗ୍ନି, ବନକ ଏବଂ ପୀବର ଋଷି ଅନ୍ତର୍ଭୁକ୍ତ ୤ ସେହିପରି ପଞ୍ଚମ ରୈବତ୍‌ ମନ୍ୱନ୍ତରରେ ହିରଣ୍ୟରୋମା, ବେଦଶ୍ରୀ, ଊର୍ଦ୍ଧ୍ୱ, ବାହୁ, ବେଦବାହୁ, ସୁଧାମା, ପର୍ଜନ୍ୟ ଏବଂ ମହାମୁନି ଋଷି ଥିବାବେଳେ ଷଷ୍ଠ ଚାକ୍ଷୁଷ ମନ୍ୱନ୍ତରରେ ସୁମେଧା, ବିରଜା, ହବିଷ୍ମାନ, ଉତ୍ତମ, ମଧୁ, ଅତିନାମା ଏବଂ ସହିଷ୍ଣୁ ଋଷି ଅଛନ୍ତି ୤ ସପ୍ତମ ବୈବସ୍ୱତ ମନ୍ୱନ୍ତରରେ କଶ୍ୟପ, ଅତ୍ରି, ବଶିଷ୍ଠ, ବିଶ୍ୱାମିତ୍ର, ଗୌତମ, ଜଗଦମ୍ନି ଏବଂ ଭରଦ୍ୱାଜ ଋଷି ଅଛନ୍ତି ୤ ଭବିଷ୍ୟ ଅଷ୍ଟମ ସ୍ୱର୍ଣ୍ଣିକ ମନ୍ୱନ୍ତରରେ ଗାଲବ, ଦୀପ୍ତିମାନ୍‌, ପର୍ଶୁରାମ, ଅଶ୍ୱତ୍‌ଥାମା, କୃପ, ଋଷିଶୃଙ୍ଗ୍ୟ ଏବଂ ବ୍ୟାସ ଥିବାବେଳେ ନବମ ଦକ୍ଷସାବର୍ଣ୍ଣି ମନ୍ୱନ୍ତରରେ ମେଧାତିଥି, ବସୁ, ସତ୍ୟ, ଜ୍ୟୋତିଷ୍ମାନ୍‌, ଦ୍ୟୁତିମାନ, ସବନ୍‌ ଏବଂ ଭବ୍ୟ ଋଷି ବିରାଜମାନ ୤ ଦଶମ ବ୍ରହ୍ମାସାବର୍ଣ୍ଣି ମନ୍ୱନ୍ତରରେ ତପୋମୂର୍ତ୍ତି, ହବିଷ୍ମାନ୍‌, ସୁକୃତ, ସତ୍ୟ, ନାଭାଗ, ଅପ୍ରିତିମୌଜା ଏବଂ ସତ୍ୟକେତୁ ଥିବାବେଳେ ଏକାଦଶ ଧର୍ମସାବର୍ଣ୍ଣି ମନ୍ୱନ୍ତରରେ ବପୁଷ୍ମାନ୍‌, ଘୃଣି, ଆରୁଣି, ନିଃସ୍ୱର, ହବିଷ୍ମାନ୍‌, ଅନଘ ଏବଂ ଅଗ୍ନିତେଜା ରହିଛନ୍ତି ୤ ଦ୍ୱାଦଶ ରୁଦ୍ରସାବର୍ଣ୍ଣି ମନ୍ୱନ୍ତରରେ ତପୋଦ୍ୟୁତି, ତପସ୍ୱୀ, ସୁତପା, ତପୋମୂର୍ତ୍ତି, ତପୋନିଧି, ତପୋରତି ଏବଂ ତପୋଧୃତି ଋଷିମାନେ ବିଦ୍ୟମାନ ୤ ତ୍ରୟୋଦଶ ଦେବସାବର୍ଣ୍ଣି ମନ୍ୱନ୍ତରରେ ଧୃତିମାନ, ଅବ୍ୟୟ, ତତ୍ତ୍ୱଦର୍ଶୀ, ନିରୂତ୍ସକ, ନିର୍ମୋହ, ସୁତପା ଏବଂ ନିଷ୍ପ୍ରକମ୍ପ ଥିବାବେଳେ ଚତୁର୍ଦ୍ଦଶ ଇନ୍ଦ୍ରସାବର୍ଣ୍ଣି ମନ୍ୱନ୍ତରରେ ଅଗ୍ନିଧ୍ର, ଅଗ୍ନି, ବାହୁ, ଶୁଚି, ଯୁକ୍ତ, ମଗଧ, ଶୁକ୍ର ଏବଂ ଅଜିତ ଅନ୍ତର୍ଭୁକ୍ତ ୤ ଏହି ଋଷିମାନଙ୍କ ମଧ୍ୟରୁ କିଛି କଳ୍ପାନ୍ତ-ଚିରଞ୍ଜିବୀ, ମୁକ୍ତାତ୍ମା ଏବଂ ଦିବ୍ୟଦେହଧାରୀ ଥିଲେ ୤ ଶତପଥ ବ୍ରାହ୍ମଣ ଅନୁସାରେ ଗୌତମ, ଭରଦ୍ୱାଜ, ବିଶ୍ୱାମିତ୍ର, ବଶିଷ୍ଠ, କଶ୍ୟପ ଏବଂ ଅତ୍ରି ରହିଥିବା ବେଳେ ମହାଭାରତ ଅନୁସାରେ ମରିଚି, ଅତ୍ରି, ଅଙ୍ଗିରା, ପୁଲହ, କ୍ରତୁ, ପୁଲସ୍ତ୍ୟ ଏବଂ ବଶିଷ୍ଠ ଋଷିଙ୍କୁ ସପ୍ତର୍ଷି ବୋଲି ମାନିଥାନ୍ତି ୤ ମହାଭାରତର ରାଜଧର୍ମ ଏବଂ ଧର୍ମର ପ୍ରାଚୀନ ଆଚାର୍ଯ୍ୟଙ୍କ ନାମ ବୃହସ୍ପତି, ବିଶାଳାକ୍ଷ(ଶିବ), ଶୁକ୍ର, ସହସ୍ରାକ୍ଷ, ମହେନ୍ଦ୍ର, ପ୍ରାଚେତସ ମନୁ, ଭରଦ୍ୱାଜ ଏବମ୍ ଗୌରସିରସ ମୁନି ୤ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ମନୁ, ବୃହଷ୍ପତି, ଉଶନସ(ଶୁକ୍ର), ଭରଦ୍ୱାଜ, ବିଶାଳାକ୍ଷ(ଶିବ), ପରାଶର, ପିଶୁନ୍‌, କୌଣପଦନ୍ତ, ବତବ୍ୟାଧି ଏବଂ ବହୁଦନ୍ତି ପୁତ୍ର ଥିବାବେଳେ ବୈବସ୍ୱତ ମନ୍ୱନ୍ତରରେ ବଶିଷ୍ଠ ଋଷି ଅଛନ୍ତି ୤ ଏହି ମନ୍ୱନ୍ତରରେ ବଶିଷ୍ଠ ଋଷିଙ୍କୁ ବ୍ରହ୍ମର୍ଷି ଉପାଧି ଦିଆଯାଇଥିଲା ୤ [୧]

ଆଧାର[ସମ୍ପାଦନା]

  1. ସମୟ, ପୃଷ୍ଠା-୨, ୩.୧୨.୨୦୧୪