Jump to content

ମୁରୁଜ

ଉଇକିପିଡ଼ିଆ‌ରୁ
(Rangoliରୁ ଲେଉଟି ଆସିଛି)
ତୁଳସୀ ଚଉରା ମୂଳେ ଅଙ୍କାଯାଇଥିବା ମୁରୁଜ ଚିତା
କୃଷ୍ଣ ଏବଂ ରାଧାଙ୍କ ମୂର୍ତ୍ତି ସହିତ ଏକ ରଙ୍ଗୋଲି ସଜାଯାଇଥାଏ।

ହିନ୍ଦୁ ପରମ୍ପରାର ପୂଜା ପଦ୍ଧତି ସହ ମୁରୁଜ ଅଙ୍ଗାଙ୍ଗି ଭାବେ ଜଡ଼ିତ । ଦେବାଦେବୀଙ୍କ ଆରାଧନା ଓ ଅନ୍ୟ ଶୁଭ କାର୍ଯ୍ୟ ଯଥା ଯଜ୍ଞ, ବିବାହ, ବ୍ରତଘର ଓ ପୂର୍ବ ପୁରୁଷଙ୍କୁ ପିଣ୍ଡଦେବା ସମୟରେ ମୁରୁଜ ବ୍ୟବହାର କରାଯାଇଥାଏ । ମିଳିଥିବା ପ୍ରମାଣ ଅନୁସାରେ ମହେଞ୍ଜୋଦାରୋ ଏବଂ ହରପପା ସଭ୍ୟତା ସମୟରେ ମୁରୁଜ ଅଙ୍କାଯାଉଥିଲା । ସେତେବେଳେ ମୁରୁଜକୁ ‘ଆଲ୍ପନା’ କୁହାଯାଉଥିଲା, ଯାହା ସଂସ୍କୃତ ଶବ୍ଦ ‘ଓଲାନପିନ’ରୁ ଉଦ୍ଧୃତ, ଯାହର ଅର୍ଥ ଚିତ୍ର ଆଙ୍କିବା ।

କିମ୍ବଦନ୍ତୀ

[ସମ୍ପାଦନା]

ପୌରାଣିକ

[ସମ୍ପାଦନା]

ବହୁବର୍ଷ ପୂର୍ବେ ଚିତ୍ରଲକ୍ଷଣ ନାମରେ ଜଣେ ରାଜା ଥିଲେ । ତାଙ୍କ ସମୟରେ ସେ ଥିଲେ ଜଣେ ପ୍ରସିଦ୍ଧ ଚିତ୍ରକର । ଏକଦା ରାଜା ଚିତ୍ରଲକ୍ଷଣଙ୍କ ଦରବାରର ମହାପଣ୍ଡିତଙ୍କର ପୁତ୍ରର ଅକାଳ ମୃତ୍ୟୁ ଘଟିବାରୁ ମହାପଣ୍ଡିତଙ୍କ ସମେତ ସାରା ରାଜ୍ୟବାସୀ ଏହି ଘଟଣାରେ ଦୁଃଖିତ ହୋଇପଡ଼ିଲେ । ପଣ୍ଡିତଙ୍କ ପୁତ୍ରକୁ ଜୀବନଦାନ ଦେବା ପାଇଁ ସମସ୍ତେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ । ବ୍ରହ୍ମା ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ କହିଲେ ମୃତ ପଣ୍ଡିତପୁତ୍ରଙ୍କର ଚିତ୍ର ମୁରୁଜରେ ଆଙ୍କିଲେ ସେ ସେହି ଚିତ୍ରକୁ ଜୀବନଦାନ କରିବେ । ବ୍ରହ୍ମାଙ୍କ ଏପରି ନିର୍ଦ୍ଦେଶରେ ରାଜା ଚିତ୍ରଲକ୍ଷଣ ନିଜେ ମୁରୁଜରେ ପିଲାଟିର ଚିତ୍ର ଆଙ୍କିଲା ପରେ ବ୍ରହ୍ମା ସେହି ଚିତ୍ରପ୍ରତିମାଟିକୁ ଜୀବନଦାନ ଦେଇଥିଲେ । ସେହି ଦିନଠାରୁ ମୁରୁଜକୁ ସାରା ରାଜ୍ୟବାସୀ ଶୁଭ ବୋଲି ମାନିଲେ ଏବଂ ପ୍ରତ୍ୟେକ ଦିନ ଘର ଅଗଣାରେ ମୁରୁଜରେ ଚିତ୍ର ଆଙ୍କିବାକୁ ଲାଗିଲେ ।

ତାମିଲ

[ସମ୍ପାଦନା]

ବହୁବର୍ଷ ପୂର୍ବେ ଅଣ୍ଡଲ ନାମକ ଜଣେ ଯୁବତୀ ଥୀରୁମଲ ନାମକ ଦେବତାଙ୍କୁ ପୂଜା କରିବା ସହ ପ୍ରତିଦିନ ମୁରୁଜ ଆଙ୍କୁଥିଲା । ପୂଜା କରିବାର କିଛି ଦିନ ମଧ୍ୟରେ ତାର ବିବାହ ହୋଇଯାଇଥିଲା । ଅଣ୍ଡଲ ମାରଖାଜୀ ମାସ (୧୫ ଡିସେମ୍ବରଠାରୁ ୧୫ ଜାନୁଆରୀ)ରେ ବିବାହ କରିଥିବାରୁ ଏହି ମାସରେ ଅବିବାହିତ ତାମିଲ ଝିଅମାନେ ସକାଳୁ ଉଠି ମୁରୁଜ ପକାଇ ଥୀରୁମଲଙ୍କୁ ପୂଜା କରିଥାନ୍ତି । ଏପରି କରିବାଦ୍ୱାରା ଅବିବାହିତା ଝିଅମାନଙ୍କର ବିବାହ ଶୀଘ୍ର ହୋଇଯାଇଥାଏ ବୋଲି ବିଶ୍ୱାସ କରାଯାଏ । []

ଓଡ଼ିଶାରେ ମୁରୁଜ

[ସମ୍ପାଦନା]

ମୁରୁଜର ବ୍ୟବହାର ସପ୍ତମରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ତନ୍ତ୍ରଶକ୍ତିର ଆଗମନ ସହିତ ହିନ୍ଦୁ ପୂଜା ପଦ୍ଧତିରେ ପ୍ରବେଶ ହୋଇଥିଲା ବୋଲି ଅନୁମାନ କରାଯାଏ । ମୁରୁଜରେ କୁଣ୍ଡଳୀ, ଚକ୍ର କ୍ଷେତ୍ର, ପଦ୍ମ କ୍ଷେତ୍ର, ଷଡ଼ କ୍ଷେତ୍ର ଆଦି ଆକୃତିଗୁଡ଼ିକୁ ଅଙ୍କାଯାଇ ଉପାସ୍ୟ ବା ଇଷ୍ଟ ଦେବତାଙ୍କୁ ପୂଜା କରାଯାଉଥିଲା । ପୂର୍ବେ ହିନ୍ଦୁଧର୍ମରେ ପ୍ରକୃତି ପୂଜା କରାଯାଉଥିଲା । ଏହି ପ୍ରକୃତିକୁ ପ୍ରତିମା ରୂପ ଦେଇ ପୂଜା କଲାବେଳେ ତାଙ୍କର ଆସ୍ଥାନ ପାଇଁ ମୁରୁଜର ବ୍ୟବହାର କରାଗଲା । ୧୨ଶ ଓ ୧୩ଶ ଶତାବ୍ଦୀ ବେଳକୁ ମୁରୁଜ ସଂସ୍କୃତି ଶ୍ରୀମନ୍ଦିରରେ ପ୍ରବେଶ କଲା । ଶ୍ରୀମନ୍ଦିରର ରୋଷେଇ ଶାଳରେ ମୁରୁଜ ଆଙ୍କି ଅବଢ଼ା ହାଣ୍ଡି ରଖାଗଲା । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ସହିତ ଲକ୍ଷ୍ମୀଙ୍କୁ ମୁରୁଜରେ ଚିତ୍ର ଆଙ୍କି ପୂଜା କରାଗଲା । ମୁରୁଜ ଗୁଣ୍ଡରଙ୍ଗ ହୋଇଥିବାରୁ ଏହା ଶୀଘ୍ର ନଷ୍ଟ ହୋଇଯାଉଥିଲା, ତେଣୁ ଝୋଟି ଚିତା ଆଙ୍କିବା ପ୍ରଥା ଆରମ୍ଭ ହେଲା । ଶ୍ରୀମନ୍ଦିରରେ ମୁରୁଜର ବ୍ୟବହାର ପରେ ଓଡ଼ିଆ ସଂସ୍କୃତିରେ ଏହାର ବହୁଳ ବ୍ୟବହାର କରାଗଲା । ମରାଠାମାନଙ୍କ ଆଗମନରେ ମୁରୁଜ ସହ ଅବିର ରଙ୍ଗ ବ୍ୟବହାର କରାଗଲା । ପରେ ଶୈବ ଓ ଶାକ୍ତ ଧର୍ମର ବହୁଳ ବ୍ୟବହାର ଘଟିବାରୁ ବୃନ୍ଦାବତୀଙ୍କ ସମ୍ମୁଖରେ ମୁରୁଜ ଆଙ୍କି ପୂଜା କରିବା ଆରମ୍ଭ ହେଲା । ପୌରାଣିକ କିମ୍ବଦନ୍ତୀ ଅନୁସାରେ ପତ୍ନୀ ବ୍ୟଭିଚାରୀ ହେଲେ ଯାଇ ତାଙ୍କ ମୃତ୍ୟୁ ହେବ ଅନ୍ୟଥା ସେ ଅମର ବୋଲି ଜଳନ୍ଧରଙ୍କୁ ବର ମିଳିଥିଲା । ବର ପାଇଥିବା ଜଳନ୍ଧରଙ୍କୁ ମାରିବା ପାଇଁ ଶ୍ରୀକୃଷ୍ଣ ଜଳନ୍ଧରଙ୍କ ବେଶରେ ଆସି ବୃନ୍ଦାବତୀଙ୍କ ସତୀତ୍ୱ ହରଣ କରିଥିଲେ । ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରକ୍ଷା କରିଥିବାରୁ ବୃନ୍ଦାବତୀଙ୍କ ସତୀତ୍ୱ ଉପରେ ପ୍ରଶ୍ନ ହେବରୁ ତାଙ୍କୁ ପଞ୍ଚବନୀ ରସ ବା ଅମୃତ ରସରେ ତାଙ୍କୁ ପବିତ୍ର କରାଯାଇଥିଲା । ଏହି ପଞ୍ଚବନୀ ଶବ୍ଦରୁ ପଞ୍ଚକ ଜାତ । କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପଞ୍ଚକ ଭାବେ ପାଳନ କରାଯାଏ । ଏହି ସମୟରେ ବୃନ୍ଦାବତୀଙ୍କ ସମ୍ମୁଖରେ ମୁରୁଜ ଅଙ୍କାଯାଇ ପୂଜା କରାଯାଏ ।

ମୁରୁଜର ରଙ୍ଗ

[ସମ୍ପାଦନା]

ଅରୁଆ ଚାଉଳ ଗୁଣ୍ଡକୁ ମୁରୁଜ ଭାବେ ବ୍ୟବହାର କରାଯାଏ । ଅଧିକ ଆକର୍ଷଣୀୟ କରିବା ପାଇଁ ମୁରୁଜରେ ବିଭିନ୍ନ ରଙ୍ଗ ମିଶାଯାଇଥାଏ । ପୂର୍ବେ ଗଛର ପତ୍ର, ଫୁଲ ପାଖୁଡ଼ା ଆଦିକୁ ଗୁଣ୍ଡକରି ବିଭିନ୍ନ ରଙ୍ଗ ପ୍ରସ୍ତୁତ କରାଯାଉଥିଲା । ଧଳା ରଙ୍ଗ ପାଇଁ ଚାଉଳ ଗୁଣ୍ଡ, ହଳଦିଆ ପାଇଁ ହଳଦୀ ଗୁଣ୍ଡ, ସବୁଜ ରଙ୍ଗ ପାଇଁ ଗଛର ପତ୍ର, ନାଲି ରଙ୍ଗ ପାଇଁ ହଳଦୀଗୁଣ୍ଡ ସହ ଚୁନପଥର ଗୁଣ୍ଡର ମିଶ୍ରଣ, ମାଟିଆ ରଙ୍ଗ ପାଇଁ ଗଛର ଶୁଖିଲା ବକଳ ଓ କଳା ରଙ୍ଗ ପାଇଁ ନଡ଼ିଆ ଶଢେଇ, ଘଷି କିମ୍ବା କାଠ ଅଙ୍ଗାରରୁ ପ୍ରସ୍ତୁତ ଅଙ୍ଗାର ବ୍ୟବହର କରାଯାଉଥିଲା । ଏବେ ଅରୁଆ ଚାଉଳ ଗୁଣ୍ଡ ଛଡ଼ା ଏକପ୍ରକାର ପଥରର ଗୁଣ୍ଡକୁ ବ୍ୟବହାର କରାଯାଉଛି ଓ ବିଭିନ୍ନ ରଙ୍ଗର ଅବିର ମିଶାଇ ରଙ୍ଗୀନ ମୁରୁଜ ପ୍ରସ୍ତୁତ କରାଯାଉଛି । ମୁରୁଜ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ରଙ୍ଗ ମଧ୍ୟରେ ହଳଦୀ, ନାଲି, କଳା, ଧଳା ଓ ସବୁଜ ରଙ୍ଗକୁ ପଞ୍ଚରଙ୍ଗ କୁହାଯାଏ । ବିଭିନ୍ନ ଦେବ ଦେବୀଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ମୁରୁଜ ବ୍ୟବହାର କରାଯାଏ । ଜଗନ୍ନାଥଙ୍କ ପାଇଁ ହଳଦିଆ, ବଳଭଦ୍ରଙ୍କ ପାଇଁ ସବୁଜ, ସୁଭଦ୍ରାଙ୍କ ପାଇଁ ହଳଦିଆ, ଶିବଙ୍କ ପାଇଁ କଳା ଓ ଧଳା, ସୂର୍ଯ୍ୟ, ଗଣେଶସୁଦର୍ଶନଙ୍କ ପାଇଁ ନାଲି ରଙ୍ଗ ବ୍ୟବହାର କରାଯାଏ ।

  1. ରବିବାର, ସମ୍ବାଦ, ୧୩ ନଭେମ୍ବର ୨୦୧୧, ପୃଷ୍ଠା-୦୩.

ଅଧିକ ତଥ୍ୟ

[ସମ୍ପାଦନା]
  • Selvamony, Nirmal (2006). "Kalam as Heterotopia". In Muthukumaraswamy, M. D. (ed.). Folklore as discourse. Chennai, India: National Folklore Support Centre. ISBN 81-901481-6-8. {{cite book}}: Invalid |ref=harv (help)