ରଣପା ନାଚ

ଉଇକିପିଡ଼ିଆ ରୁ
Jump to navigation Jump to search
ରଣପା ନାଚ
Ranapa dance.jpg
ରଣପା ନାଚର ଏକ କାନ୍ଥ ଚିତ୍ର ମାଧ୍ୟମରେ ପରିପ୍ରକାଶ
ରଣପା ନାଚ ସମୟରେ ବାଦ୍ୟ ଓ ଗୀତ
ମାଧ୍ୟମଗୀତ-ନୃତ୍ୟ
ସଂସ୍କୃତିଲୋକନୃତ୍ୟ
ସୃଷ୍ଟିଓଡ଼ିଶା,  ଭାରତ
ଗୀତ-ସଙ୍ଗୀତକୃଷ୍ଣଙ୍କ ବାଲ୍ୟଲୀଳା ସମ୍ପର୍କିତ ଲୋକଗୀତ
କଳାକାରବହୁ

ରଣପା ନାଚ (ଇଂରାଜୀରେ Ranapa Dance) ଓଡ଼ିଶାର ଏକ ଲୋକନୃତ୍ୟ । ପ୍ରାୟ ୬ ଫୁଟ ଲମ୍ବା କାଠ ବା ବାଉଁଶରେ ଭୂମିରୁ ଦୁଇ-ତିନି ହାତ ଉଚ୍ଚତାରେ କରାଯାଇଥିବା ଖାନ୍ଦି ଉପରେ ଗୋଡ଼ ରଖି, ଦ‌ଉଡ଼ିରେ ଏହା ସହିତ ଗୋଡ଼ବାନ୍ଧି ଚଲାଯାଏ ବା ନାଚ କରାଯାଏ । ରଣପା ନାଚ ଏକ ପ୍ରକାରର ଯୁଦ୍ଧ ନାଚ ଓ ରଣପା ଉପରେ ଯୁଦ୍ଧ ଭଙ୍ଗୀରେ ଚାଲିବା ଓ ନାଚ କରିବା ସମୟରେ ନୃତ୍ୟଶିଳ୍ପୀମାନେ ନିଜ ଅପୂର୍ବ ସନ୍ତୁଳନ କୌଶଳ ପ୍ରଦର୍ଶନ କରିଥାନ୍ତି ।[୧] ଦକ୍ଷିଣ ଓଡ଼ିଶାର (ଗଞ୍ଜାମ[୨], ଗଜପତି ଅଞ୍ଚଳର) ଗୋପାଳକ (ଗୋରୁ ଚରାଳି ବା ଗୋରୁ ଜଗାଳି) ସମ୍ପ୍ରଦାୟରେ ଏହି ନାଚ ଅତି ଲୋକପ୍ରିୟ ।[୩] କଳାହାଣ୍ଡିରେ ମଧ୍ୟ ଏହି ଲୋକନୃତ୍ୟ ଦେଖିବାକୁ ମିଳେ, କିନ୍ତୁ କଳାହାଣ୍ଡିରେ ଏହାକୁ ଲୋକେ ଏକ ଭିନ୍ନ ନାମରେ ଜାଣନ୍ତି ।

ବର୍ଣ୍ଣନା[ସମ୍ପାଦନା]

୬ ଫୁଟ ଲମ୍ବା ବାଉଁଶରେ ଭୂମିରୁ ପ୍ରାୟ ୨ ଫୁଟ ଉଚ୍ଚତାରେ ଏକ ପାଦୁକା ଖଞ୍ଜି ନୃତ୍ୟର ପ୍ରଧାନ ଉପକରଣ ରଣପା ପ୍ରସ୍ତୁତ କରାଯାଏ । ନୃତ୍ୟ ଶିଳ୍ପୀମାନଙ୍କ ପାଦକୁ ଏହି ପାଦୁକା ଉପରେ ରଖି ଦଉଡ଼ିରେ ବାନ୍ଧି ଦିଆଯାଇଥାଏ । ବାଦ୍ୟ ଓ ଗୀତର ତାଳ ସହିତ ଶିଳ୍ପୀମାନେ ବାଉଁଶର ଉପର ଅଂଶକୁ ହାତରେ ଧରି ଓ ତଳ ପଟେ ଭୂମିରେ ସନ୍ତୁଳନ ରଖି ଆଗକୁ ଓ ପଛକୁ ଚାଲିବା, ବୁଲିବା, ଡେଇଁବା, ଲଢ଼ିବା ଏପରି ଅନେକ କଳା କୌଶଳ ଦେଖାଇଥାନ୍ତି । ନାଚିବା ସମୟରେ ନର୍ତ୍ତକମାନେ ଦୁଇ ଧାଡ଼ିରେ ପରସ୍ପରକୁ ମୁହଁ କରି ପଂକ୍ତି ସଂରଚନା କରି ଛିଡ଼ା ମଧ୍ୟ ହୋଇଥାନ୍ତି । ନାଚ ସମୟରେ ଶିଳ୍ପୀମାନେ ବିଭିନ୍ନ ପ୍ରକାର ଭଙ୍ଗୀର ପ୍ରଦର୍ଶନ କରିଥାନ୍ତି । ସେଗୁଡ଼ିକ ମଧ୍ୟରେ କୃଷ୍ଣଙ୍କ ବିଭିନ୍ନ ଭଙ୍ଗୀ, ମୟୂର ଭଙ୍ଗୀ, ଚଢ଼େଇଆ ଭଙ୍ଗୀ, ବାନର ଭଙ୍ଗୀ (ବ୍ୟଙ୍ଗ ନିମନ୍ତେ) ପ୍ରଭୃତି ଅନ୍ୟତମ ।

ରଣପା ଏକ ଜଟିଳ ନୃତ୍ୟ କଳା । ନୃତ୍ୟ ଶିକ୍ଷା କରୁଥିବା ଶିଳ୍ପୀମାନେ ଭୂମିରୁ ଅଳ୍ପ ଉଚ୍ଚତାରେ ପାଦୁକା ବାନ୍ଧି ନାଚିବା ଆରମ୍ଭ କରନ୍ତି । କାନ୍ଥ ବା ଅନ୍ୟ ସାଥୀଙ୍କ ଶରୀରରେ ଭରା ଦେଇ ପ୍ରଥମେ ସନ୍ତୁଳନର ସହିତ ଛିଡ଼ା ହେବାକୁ ପଡ଼ିଥାଏ । ବାଉଁଶରେ ଭାରସାମ୍ୟ ରକ୍ଷା କରିବାର କୌଶଳ ଶିଖିବା ପରେ ତାଙ୍କ ମନରୁ ତଳେ ପଡ଼ିଯିବାର ଭୟ ଦୂର ହୁଏ । କ୍ରମଶଃ ସେମାନଙ୍କ ପାଦୁକା ଭୂମିରୁ ଉଚ୍ଚତର ହେବାକୁ ଲାଗେ ।

ନାଚ ସମୟରେ ରଣପା ନର୍ତ୍ତକମାନେ ବିଭିନ୍ନ ଶୈଳୀର ପ୍ରଦର୍ଶନ କରନ୍ତି ।[୪] ସେଗୁଡ଼ିକ ହେଲେ :

  • (୧) ଚାଲିବା ଶୈଳୀ : ଆଗକୁ ବା ପଛକୁ ଚାଲିବାର ଶୈଳୀ
  • (୨) ବୃତ୍ତାକାର ଶୈଳୀ : ଏପରି ଶୈଳୀରେ କଳାକାରମାନେ ଗୋଲାକାର ସଂରଚନାରେ ଛିଡ଼ା ହୋଇ ବିଭିନ୍ନ ଭାବ ଓ ଭଙ୍ଗୀ ପ୍ରଦର୍ଶନ କରି ନାଚନ୍ତି । କେନ୍ଦ୍ରରେ ତାଙ୍କ ଦଳର ମୁଖ୍ୟ ବା ସଙ୍ଗୀତ ପରିବେଷଣକାରୀ ଛିଡ଼ା ହୁଅନ୍ତି ।
  • (୩) ଗୋଟିଏ ଗୋଡ଼ରେ (ଛୋଟେଇ ହୋଇ) ନାଚିବା ଶୈଳୀ : ଏପରି ଶୈଳୀରେ କଳାକାରମାନେ ଗୋଟିଏ ରଣପାରେ ଭାରସାମ୍ୟ ରଖି ଛୋଟେଇ ଛୋଟେଇ ନାଚନ୍ତି । ଅନ୍ୟ ବାଉଁଶଟିକୁ ସେମାନେ ଉଠାଇ ଧରି ରଖିଥାନ୍ତି ଓ ଭାରସାମ୍ୟ ହରାଇବା ପରି ବିପଦ ଦେଖାଦେଲେ ତାହାର ବ୍ୟବହାର କରନ୍ତି । ଏହି ନାଚ ଦର୍ଶକଙ୍କ ପାଇଁ ଅତି ମନୋମୁଗ୍ଧକର ହୋଇଥାଏ ।
  • (୪) ଦୌଡ଼ିବା ଶୈଳୀ : ଏପରି ଶୈଳୀରେ କଳାକାରମାନେ ଏକ ପଂକ୍ତିରେ ଛିଡ଼ା ହୁଅନ୍ତି ଓ ସେମାନଙ୍କ ମଧ୍ୟରେ ଏକ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ଏହି ପ୍ରତିଯୋଗିତା ବି ନାଚର ଏକ ଅଂଶ ।
  • (୫) ଯୁଦ୍ଧ ଶୈଳୀ : ଏପରି ଶୈଳୀରେ ଦୁଇ ଜଣ କଳାକାର ପ୍ରତିଦ୍ୱନ୍ଦୀ ସାଜି ଯୁଦ୍ଧ କୌଶଳର ପ୍ରଦର୍ଶନ କରନ୍ତି । ଆକ୍ରମଣ ଓ ପ୍ରତିରକ୍ଷା ପାଇଁ ରହିଥିବା ବିଭିନ୍ନ ଯୁଦ୍ଧ କଳା ପ୍ରଦର୍ଶିତ ହୋଇଥାଏ ।
  • (୬) ମୁକ୍ତ ଶୈଳୀ : ଏହି ଶୈଳୀରେ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । ସମସ୍ତ କଳାକାର ନିଜ ଇଚ୍ଛା ମୁତାବକ ନାଚି ପାରିବେ । ତଥାପି ଅନ୍ୟକୁ ବିପଦରେ ବା ଅସୁବିଧାରେ ନ ପକାଇବା ପରି ସାମାନ୍ୟତମ ନିୟମର ପାଳନ କରିବା ଆବଶ୍ୟକ ।

ଦୋଳଯାତ୍ରା, ଗିରି ଗୋବର୍ଦ୍ଧନ ପୂଜା, ଚିତାଲାଗି ଅମାବାସ୍ୟା, ସପ୍ତପୁରୀ ଅମାବାସ୍ୟା ପ୍ରଭୃତି ଅନେକ ପର୍ବପର୍ବାଣୀରେ ରଣପା ନାଚ ପ୍ରଦର୍ଶିତ ହୋଇଥାଏ । ଶାରଳା ଠାକୁରାଣୀଙ୍କ ସେବକମାନେ ରଣପା ପିନ୍ଧି ଓ ଘଟ ମୁଣ୍ଡାଇ ନାଚିବାର ପ୍ରଥା ମଧ୍ୟ ରହିଛି ।[୫] ଶ୍ରାବଣରୁ ଭାଦ୍ରବ ଅମାବାସ୍ୟା ମଧ୍ୟରେ ବସନ୍ତ, ମିଳିମିଳା ଓ ବିଭିନ୍ନ ଚର୍ମ ରୋଗରୁ ମୁକ୍ତି ପାଇବା ପାଇଁ ଭୂଦେବୀଙ୍କ ପୂଜା କରାଯାଏ ଓ ସେ ସମୟରେ ଗ୍ରାମରେ ରଣପା ନୃତ୍ୟ ମଧ୍ୟ ଅନୁଷ୍ଠିତ ହୁଏ ।

ନୃତ୍ୟ ଶିଳ୍ପୀଙ୍କ ବେଶଭୂଷା[ସମ୍ପାଦନା]

ରଣପା ନାଚ ସମୟରେ କଳାକାରମାନେ ମୁଖ୍ୟତଃ ଧୋତି ଏବଂ କୁର୍ତ୍ତା ପରି ପାରମ୍ପରିକ ପୋଷାକ ପରିଧାନ କରିଥାନ୍ତି । ଏହି ପୋଷାକର ରଙ୍ଗ ହଳଦିଆ ବା ନାଲି ରଙ୍ଗର ହୋଇଥାଏ । କଳାକାରମାନେ ମୁଣ୍ଡରେ ମୟୂର ଚୂଳ ପରି ରଙ୍ଗୀନ ପଗଡ଼ି ମଧ୍ୟ ପିନ୍ଧିଥାନ୍ତି । ଏହା ସହ ସେମାନେ ପାଦରେ ଘୁଙ୍ଗୁର ମଧ୍ୟ ପିନ୍ଧିଥାନ୍ତି ଯାହା ନାଚିବା ବେଳେ ଝଣ ଝଣ ତାଳ ସୃଷ୍ଟି କରେ ।

ସଙ୍ଗୀତ[ସମ୍ପାଦନା]

ରଣପା ନାଚ ସମୟରେ ଶଙ୍ଖ, ମହୁରୀ[୬], ଚାଙ୍ଗୁ, ଢୋଲ ପ୍ରଭୃତି ବାଦ୍ୟ ଯନ୍ତ୍ର ବ୍ୟବହାର କରାଯାଏ । ନାଚ ସମୟରେ ନୃତ୍ୟ ଶିଳ୍ପୀମାନେ ପୃଷ୍ଠଭୂମିରେ ବିଭିନ୍ନ ଲୋକଗୀତ ମଧ୍ୟ ପରିବେଷଣ କରିଥାନ୍ତି । ଏହି ଗୀତଗୁଡ଼ିକ କୃଷ୍ଣଙ୍କ ବାଲ୍ୟ ଲୀଳା ଓ କାହାଣୀ ସମ୍ବନ୍ଧୀୟ ଲୋକକଥା ଉପରେ ପର୍ଯ୍ୟବେଶିତ ।[୭] ହିନ୍ଦୁ ପୌରାଣିକ କଥା ଅନୁସାରେ ନନ୍ଦ ରାଜା ଓ ଯଶୋଦାଙ୍କଦ୍ୱାରା ପାଳିତ କୃଷ୍ଣ ନିଜ ବାଲ୍ୟକାଳରେ ଜଣେ ଗାଈ ଚରାଳିର ଭୂମିକା ସମ୍ପାଦନ କରିଥିଲେ । ତେଣୁ ଗୋପାଳକ ଓ କୃଷ୍ଣଙ୍କ ବାଲ୍ୟ ଜୀବନର କଥା ସହ ଏହି ନାଚର ସମ୍ପର୍କ ସ୍ପଷ୍ଟ ଭାବେ ପ୍ରତିପାଦିତ ହୋଇଥାଏ । ଚିତାଲାଗି ଅମାବାସ୍ୟା ପରି ପୂଜା ପର୍ବାଣୀ ସମୟରେ ରଣପା ନର୍ତ୍ତକମାନେ ଘରରୁ ଘର ବୁଲିବାର ପ୍ରଥା ରହିଛି । ସେ ସମୟରେ ଭୋଗ ଓ ପ୍ରସାଦ ଲାଗିବା ପାଇଁ ମଧ୍ୟ ଗୀତ ଗାଇଥାନ୍ତି । ତନ୍ମଧ୍ୟରୁ ଏକ ଉଦାହରଣ ହେଲା :

ଲିଆ ଦେ, ଦେ, ପିଠା ଦେ,

ଘରର ପିଠା ସବକେ ଦେ ;

ଲିଆ ଦେ, ଦେ, ପଇସା ଦେ,

ରଣପା ଭାଙ୍ଗ ପୂଜା ଦେ

ପାରମ୍ପରିକ ଭାବେ ରଣପା ନାଚ ସମୟରେ ବେଶୀ କଣ୍ଠ ସଙ୍ଗୀତ ପରିବେଷଣ କରାଯାଉ ନଥିଲା । କିନ୍ତୁ ଲୋକଙ୍କ ମନୋରଞ୍ଜନ ପାଇଁ ରଣପା ନାଚର ବିବର୍ତ୍ତନ ଘଟି ସେଥିରେ ବାଦ୍ୟ ସହ ଗୀତ ମଧ୍ୟ ପରିବେଷଣ ହେବାକୁ ଲାଗିଲା ।

ଯୁଦ୍ଧ ସହ ରଣପା ନାଚର ସମ୍ପର୍କ[ସମ୍ପାଦନା]

ଓଡ଼ିଆ ଭାଷାରେ କାଠ ବା ବାଉଁଶ ନିର୍ମିତ ଡେଙ୍ଗା ପାଦୁକାକୁ ରଣପା ବା ରଣପାୟ ବା ରଣପାଏ ବୋଲି କୁହାଯାଇଥାଏ । ରଣପା (ଅର୍ଥାତ ପାଦ) ଶବ୍ଦର ସମ୍ମିଶ୍ରଣରୁ ରଣପା ଶବ୍ଦର ସୃଷ୍ଟି ।[୫] ଏହି ଲୋକନୃତ୍ୟରେ ନୃତ୍ୟ ଶିଳ୍ପୀ ରଣପା ଉପରେ ଛିଡ଼ା ହୋଇ ନାଚୁଥିବାରୁ ଏପରି ନାମକରଣ ହୋଇଛି । ରଣପା ନାଚର ସୃଷ୍ଟି ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ ହୋଇଥିବା ବିଶ୍ୱାସ କରାଯାଏ । ଆବଶ୍ୟକ ସମୟରେ କୃଷକ ଓ ଅନ୍ୟ ସାଧାରଣ ବେଉସାର ଲୋକଙ୍କୁ ନିଜ ରାଜ୍ୟ ବା ଦେଶ ପାଇଁ ଯୁଦ୍ଧ କରିବାକୁ ପଡ଼ୁଥିଲା । ଯୁଦ୍ଧ କ୍ଷେତ୍ରରେ ଶୀଘ୍ର ପହଞ୍ଚିବା ପାଇଁ ସେମାନେ ବାଉଁଶରେ ଠିଆ ହୋଇ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଯାଉଥିଲେ ।[୮] ତାହା ରଣପା କୌଶଳର ଉଦ୍ଭାବନାର ଏକ କାରଣ ।

ରଣପା ନାଚକୁ ବିଭିନ୍ନ ଦୃଷ୍ଟିକୋଣରୁ ଏକ ଯୁଦ୍ଧ ନାଚ ଭାବେ ଅଭିହିତ କରାଯାଏ । ରଣପା ନାଚରେ ବାଉଁଶ ବା କାଠ ଭୂମି ଉପରେ ଘୋଡ଼ା ଟାପୁର ଶବ୍ଦ ପରି ଶବ୍ଦ ସୃଷ୍ଟି କରିଥାନ୍ତି । ପୁଣି ଏହି ନାଚ ସମୟରେ ଶରୀରରେ ରକ୍ତ ପ୍ରବାହ ବଢ଼େ ଓ ଶରୀରରେ ଯୁଦ୍ଧ କରିବା ପରି ଉତ୍ତେଜତା ସୃଷ୍ଟି ହୁଏ ।

ପୁନରୁଦ୍ଧାର ଚେଷ୍ଟା[ସମ୍ପାଦନା]

ଭୁବନେଶ୍ୱର ବିମାନ ବନ୍ଦରର ଯାତ୍ରୀମାନେ ଏକ ଏରୋବ୍ରିଜ୍ କାନ୍ଥରେ ରଣପା ନାଚର ଚିତ୍ର ଦେଖିପାରିବେ

ରଣପା ନାଚର କୌଶଳ ଅତି ସ୍ୱତନ୍ତ୍ର । କିଛି ଲୋକଙ୍କ ମତରେ ଇଂରେଜ ଶାସନ ସମୟରେ ବହୁ ଲୋକ ଏହି କୌଶଳ ଶିକ୍ଷା କରିବାକୁ ଆଗ୍ରହ ଦେଖାଉଥିଲେ । ଇଂରେଜଙ୍କ ଶାସନ ବିରୋଧୀଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ୁଥିଲା ଏବଂ ଏହି କୌଶଳଦ୍ୱାରା କାରାଗାରର ଉଚ୍ଚ ପାଚେରୀ ଲଂଘି ପଳାୟନ କରିହେଉଥିବାରୁ ଏହି କୌଶଳ ଶିକ୍ଷା କରିବା ପାଇଁ ଲୋକ ଇଚ୍ଛୁକ ଥିଲେ ।[୯] ଆଧୁନିକ ଯୁଗରେ ଲୋକ ନୃତ୍ୟ ଓ ଆଦିବାସୀ ନୃତ୍ୟ ପ୍ରତି ଗଭୀର ଅନୁରକ୍ତି ଏବଂ ନିଷ୍ଠା ଥିବା ଓଡ଼ିଶାର ଅନେକ ନୃତ୍ୟ ଶିଳ୍ପୀ ଓ ନୃତ୍ୟଗୁରୁଙ୍କ ଯୋଗୁଁ ରଣପା ନାଚ ତିଷ୍ଠି ରହିପାରିଛି । କିଛି ପରମ୍ପରାକୁ ଯଥାବତ୍ ରଖାଯାଇ ଆଧୁନିକ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏହି ଲୋକନୃତ୍ୟରେ ଅନେକ ନୂତନତା ଗ୍ରହଣ କରାଯାଉଛି । ବିଶ୍ୱରେ ବିଭିନ୍ନ ମଞ୍ଚରେ ରଣପା ନୃତ୍ୟଶିଳ୍ପୀମାନେ ନିଜର କଳାର ପ୍ରଦର୍ଶନ କରି ଗୌରବ ହାସଲ କରିବା ସହ ଏହି ନାଚ ପ୍ରତି ଲୋକଙ୍କ ମନରେ ସଚେତନତା ସୃଷ୍ଟି କରି ପାରିଛନ୍ତି । ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ରଣପା ନାଚ ପ୍ରଦର୍ଶିତ ହେଉଛି ।[୬]

  • ୧୯୬୮ ମସିହାରେ ଭାରତର ସାଧାରଣତନ୍ତ୍ର ଦିବସ ଉପଲକ୍ଷରେ ନୂଆ ଦିଲ୍ଲୀରେ ହୋଇଥିବା ପରେଡ୍ ସମୟରେ ଓଡ଼ିଶା ରାଜ୍ୟ ପକ୍ଷରୁ ରଣପା ନୃତ୍ୟ ପ୍ରଦର୍ଶିତ ହୋଇଥିଲା ।
  • ୧୯୮୨ ମସିହାରେ ଲଣ୍ଡନ ସହରରେ ଭାରତ-ଗ୍ରେଟ୍ ବ୍ରିଟେନ୍ ସାଂସ୍କୃତିକ ଉତ୍ସବରେ ରଣପା ନାଚ ପ୍ରଦର୍ଶିତ ହୋଇଥିଲା ।
  • ୧୯୯୯ ମସିହାରେ ନ୍ୟୁଜିଲ୍ୟାଣ୍ଡର ୱେଲିଂଟନ୍ ସହରରେ ମଧ୍ୟ ରଣପା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।
  • ୨୦୦୩ ମସିହାରେ ୧୪ଶ କୋଣାର୍କ ମହୋତ୍ସବରେ ରଣପା ନୃତ୍ୟର ଏକ କାର୍ଯ୍ୟକ୍ରମ ରଖାଯାଇଥିଲା ।

ରଣପା ନାଚ ପ୍ରତି ସଚେତନତା ସୃଷ୍ଟି କରିବାରେ ଓ ଯୁବ କଳାକାରଙ୍କୁ ଉତ୍ସାହିତ କରିବା ଦିଗରେ ପଦ୍ମଶ୍ରୀ ଭଗବାନ ସାହୁଙ୍କର ଏକ ବଡ଼ ଯୋଗଦାନ ରହିଥିଲା ।[୧୦]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Chatterjee, Arpita (2013), An analytical discussion on the folk and tribal dance forms of Bengal in relation to their effect on health (PDF), Vol 1
  2. Mohapatra, Ashis (2017), The Essence of Popular Folk Dances of Odisha (PDF), Vol 22
  3. Karnataka News - BVB-INFOSYS FOUNDATION CUTURAL OUTREACH PROGRAMMES : JAN – FEB 2018 (PDF), Vol 19, 2018
  4. Behera, Jayanta Kumar, Tribal and Traditional folk dances of Odisha (PDF)
  5. ୫.୦ ୫.୧ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.
  6. ୬.୦ ୬.୧ PADHY, MANMATH, FOLK DANCE: A DISTINCTIVE PERFORMING ART TRADITION OF ODISHA (PDF)
  7. "Odissi Folk Dance".
  8. Mohapatra, Hemanta Kumar, Martial Art Tradition of Odisha (PDF)
  9. Sujata Patnaik. Folk Legend Bhagaban Sahu.
  10. Report on Cultural Mapping of India Under UNESCO’s Programme on Cultural Industries and Copyright Policies and Partnerships (PDF)