ମୟୂର

ଉଇକିପିଡ଼ିଆ‌ରୁ

ମୟୂର
ପୁରୁଷ (ମୟୂର)
ସ୍ତ୍ରୀ (ମୟୂରୀ)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: ପକ୍ଷୀ
ଗଣ: Galliformes
କୁଳ: Phasianidae
ଉପକୁଳ: Phasianinae
ପ୍ରଜାତି: Pavo
ଜାତି: P. cristatus
ବାଇନୋମିଆଲ ନାମ
Pavo cristatus
Linnaeus, 1758
Range map
Pavo cristatus

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ମୟୁର କର୍ଷକ ବର୍ଗର ଏକ ପକ୍ଷୀ ବିଶେଷ । ମୟୂର ପ୍ରଜାତିର ପୁରୁଷପକ୍ଷୀକୁ ମୟୂର ଓ ସ୍ତ୍ରୀ ପକ୍ଷୀକୁ ମୟୂରୀ କୁହାଯାଏ । ମୟୂରର ଲାଞ୍ଜ ଖୁବ ବଡ଼ ହୋଇଥିବାରୁ ତାହାକୁ ଲୋକୋକ୍ତିରେ ଲଞ୍ଜା ମୟୁର ଏବଂ ମୟୂରୀର ଲାଞ୍ଜ ଛୋଟ ହେଇଥିବାରୁ ତାହାକୁ ଲାଣ୍ଡୀ ମୟୂର ବୋଲି ମଧ୍ୟ କୁହାଯାଏ । ମୟୂରର ଲାଞ୍ଜର ବଡ଼ ପକ୍ଷ ଓ କଣ୍ଠର କ୍ଷୁଦ୍ର ପର ନାନା ବର୍ଣ୍ଣରେ ରଞ୍ଜିତ । ମୟୂରୀର ପରର ରଙ୍ଗ ମୟୁର ତୁଳନାରେ ଅପେକ୍ଷା କୃତ ମ୍ଲାନ ହେଲେହେଁ ମୟୂର ପରି ମୟୂରୀ ମଧ୍ୟ ସମମାତ୍ରାରେ ଆକର୍ଷଣୀୟ । ଏଣୁ ଏହି ପକ୍ଷୀ ପ୍ରଜାତି କାଳେ କାଳେ ବିଶ୍ୱର ବିହଙ୍ଗ ବିବିଧତା ମଧ୍ୟରେ ପ୍ରମୁଖତା ପାଇଆସିଛି। । ଏହା ସଂସ୍କୃତ ମି ଧାତୁରୁ ଉର୍ ପ୍ରତ୍ୟୟଦ୍ୱାରା ନିଷ୍ପନ୍ନ । ମିର ଅର୍ଥ କ୍ଷେପଣକରିବା ବୋଲି ଭାଷାକୋଷ ଲେଖିଥିଲେହେଁ ଏହାର ପ୍ରକୃତ ଅର୍ଥ ମାରିପକାଇବା । ମୟୂରର ଏକ ବିଶେଷତ୍ୱ ହେଉଛି, ପ୍ରାଣନାଶକାରୀ ବିଷଧର ସର୍ପକୁ ସେ ମାରିପକାଏ ।[୨] ସେଥିପାଇଁ ହିଁ ମି ଧାତୁର ଉର୍ ପ୍ରତ୍ୟୟ ଯୋଗରେ ମୟୁର ଶବ୍ଦର ସୃଷ୍ଟି ହୋଇଛି । ଭାଷାକୋଷ ଅନୁସାରେ ମୟୂରର ଅନ୍ୟନାମ କେକୀ, ଶିଖି, ଶିଖଣ୍ଡୀ ।

ମୟୁର ଭାରତର ଜାତୀୟ ପକ୍ଷୀ । ୧୯୬୨ରେ ଜାପାନର ରାଜଧାନୀ ଟୋକିଓରେ ଆନ୍ତର୍ଜାତିକ ପକ୍ଷୀ ସଂରକ୍ଷଣର ଯେଉଁ ସମ୍ମିଳନୀ ହେଇଥିଲା ସେଥିରେ ସବୁ ଦେଶକୁ ନିଜ ନିଜର ଜାତୀୟ ପକ୍ଷୀ ଚୟନ ପରାମର୍ଶ ଦିଆଯାଇଥିଲା । ଏହାର ମୂଲ ଉଦ୍ଦେଶ୍ୟ ଅବଶ୍ୟ ଥିଲା ପକ୍ଷୀ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି । ମାତ୍ର ଏହା ଫଳରେ ମୟୂର ପାଇଲା ଭାରତର ପକ୍ଷୀର ମାନ୍ୟତା।ଫଳ ସ୍ୱରୂପ ୧୯୬୩ରୁ ମୟୂର ଭାରତର ଜାତୀୟ ପକ୍ଷୀ ରୂପେ ବିବେଚିତ ହେଲା ।[୩]

ବିବିଧ ଭାଷାରେ ନାମ[ସମ୍ପାଦନା]

ମୟୂର ଦେଶ ବିଦେଶରେ ଭିନ୍ନ ଭିନ୍ନ ନାମରେ ପରିଚିତ। ଓଡ଼ିଆରେ ମୟୂର କୁହାଯାଏ । ହିନ୍ଦୀ, ଉର୍ଦ୍ଦୁ , ଗୁଜରାଟୀମରାଠିରେ ଏହାକୁ ମୋର୍ କୁହାଯାଉଥିବା ବେଳେ କନ୍ନଡ଼ରେ ନଭିଲା ଓ ତେଲୁଗୁରେନେମିଲା କୁହାଯାଏ । ସେହିପରି ସିଂହଳରେ ଏହା ମନାର,ଫରାସୀରେ ପାଓନ୍ ଓ ପର୍ସିଆରେ ତାଉସ୍ ନାମରେ ପରିଚିତ । [୪] କିନ୍ତୁ ବିଶ୍ୱର ପ୍ରାଣୀ ବିଜ୍ଞାନୀମାନଙ୍କ ପାଇଁ ଏହାର ଗୋଟିଏ ନାମ ପାଭୋ କ୍ରିଷ୍ଟାଟସ୍ ।

କଳା ଓ ସାହିତ୍ୟ[ସମ୍ପାଦନା]

ବହୁ ପ୍ରାଚୀନ କାଳରୁ ମୟୂର ଦେଶ ବିଦେଶର କଳା,ସାହିତ୍ୟ,ସଂସ୍କୃତିରେ ପ୍ରମୂଖ ସ୍ଥାନ ପାଇଆସିଛି । ସିନ୍ଧୁ ସଭ୍ୟତା ସମୟରେ ମଧ୍ୟ ମୟୁର ବେଶ ଲୋକପ୍ରିୟ ଥିଲା।ପ୍ରାଚୀନ ସଭ୍ୟତା ମହେଞ୍ଜୋଦାରୋ, ହରପ୍ପାର ପ୍ରତ୍ନତାତ୍ୱିକ ଖନାରୁ ମିଳିଥିବା ମୃତପାତ୍ରରେ ମୟୁରର ଚିତ୍ର ରହିଛି । ଆଜିଠୁ ପ୍ରାୟ ତିନିହଜାର ବର୍ଷ ପୂର୍ବ ଫୋନେସୀୟମାନେ ଭାରତରୁ ମୟୁର ନେଇ ଇଜିପ୍ଟର ଫାରୋ ସୋଲୋମନଙ୍କୁ ଉପହାର ଦେଇଥିବାର ପ୍ରମାଣ ମିଳେ ।

ଗବେଷକଙ୍କ ମତରେ[ସମ୍ପାଦନା]

  1. ପକ୍ଷୀ ବିଜ୍ଞାନୀମାନଙ୍କ ଅନୁସାରେ ମୟୂରର ପରରେ ଥିବା ବର୍ଣ୍ଣାଳିର ଗୋପନସୂତ୍ର ଭିନ୍ନ।ବିଜ୍ଞାନ ଗବେଷଣା ପତ୍ରିକା ପ୍ରୋସିଡିଂସ୍ ଅଫ୍ ଦ ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସ ଅନୁସାରେ କେରାଟିନ୍ ଓ ମେଲାନିନ୍ ମଧ୍ୟରେ ସମନ୍ୱୟର କିଂଚିତ ବିଚ୍ୟୁତିରୁ ଏହି ବର୍ଣ୍ଣାଳିସୃଷ୍ଟି ହେଇଛି । କେରାଟିନ୍ ହେଉଛି ସେହି ରାସାୟନିକ ଉପାଦାନ ଯାହା ଆମ ହାତ ଆଙ୍ଗୁଠିର ନଖରେ ଥାଏ ।
  2. ତ୍ରୟୋଦଶ ଶତଦ୍ଦୀର ବିଶିଷ୍ଟ ପ୍ରକୃତିତତ୍ତ୍ୱବିତ ହଂସଦେବ ବଣ୍ୟ ପଶୁପକ୍ଷୀମାନଙ୍କ ସମ୍ପର୍କରେ ମୃଗପକ୍ଷୀ ଶାସ୍ତ୍ରମ୍ ନାମକ ଏକ ଗ୍ରନ୍ଥ ରଚନା କରିଛନ୍ତି । ସେଥିରେ ସେ ବର୍ଗ, ବସତି ଓ ବ୍ୟବହାର ଦୃଷ୍ଟିରୁ ଏହି ପକ୍ଷୀକୁ ଛଅ ଭାଗରେ ବିଭକ୍ତ କରିଛନ୍ତି, ସେହି ବିଭାଗ ଗୁଡ଼ିକ ହେଉଛି :- ମୟୂର, ବର୍ହିନ୍, ନୀଳକଣ୍ଠନ୍, ଭୁଜଙ୍ଗଭୁକ୍, ଶିଖାବଳ ଓ କେକୀନ୍ ।
  3. କ୍ରିଷ୍ଣା ଲାଲ୍ ନାମକ ଜଣେ ଗବେଷକ ମୟୂର ବିଷୟକ ତାଙ୍କର ଏକ ଇଂରାଜୀ ପୁସ୍ତକରେ ମୟୁରର ଅନ୍ୟ କେତେକ ସଂସ୍କୃତ ନାମ ଦେଇଛନ୍ତି । ମୟୂରର କଣ୍ଠର ବର୍ଣ୍ଣ ନୀଳ-ତେଣୁ ସେ ନୀଳକଣ୍ଠ, ତାହାର ଏକ ଶିଖା ଅଛି-ତେଣୁ ସେ ଶିଖି, ମୟୂରର ପର ବର୍ଣ୍ଣାଳୀରେ ଭରା-ତେଣୁ ସେ ଚିତ୍ରପିଚକ, ତାର ପର ବୃତ୍ତାକାରରେ ସଜ୍ଜିତ-ତେଣୁ ସେ କଳପୀ, ମୟୂରର ପରର ଶୋଭା ଅତ୍ୟନ୍ତ ସୁନ୍ଦର-ତେଣୁ ସେ ଶିଖଣ୍ଡୀ, ମୟୂର ସାପ ଖାଏ-ତେଣୁ ସେ ଭୁଜଙ୍ଗଭୁକ୍, ମୟୂର ମେଘ ଦେଖି ନାଚେ-ତେଣୁ ସେ ମେଘାନନ୍ଦ, ମୟୂରର ଆଖିର ପ୍ରାନ୍ତ ବା ଅପାଙ୍ଗ ଶ୍ୱେତବର୍ଣ୍ଣର-ତେଣୁ ସେ ସିତାପାଙ୍ଗ ।

ଜୀବନ ଓ ପରିସ୍ଥିତି ବିଜ୍ଞାନ[ସମ୍ପାଦନା]

ପ୍ରଜନନ[ସମ୍ପାଦନା]

ମୟୂରମାନେ ବହୁସଂସର୍ଗୀ । ପ୍ରଜନନ ଋତୁ ଲମ୍ବା ହେଲେ ହେଁ ବର୍ଷା ଉପରେ ନିର୍ଭର କରେ । ୨-୩ ବର୍ଷ ବୟସରେ ସେମାନେ ପ୍ରଜନନକ୍ଷମ ହୁଅନ୍ତି ।[୫] ପ୍ରଜନନ ଋତୁ ପୂର୍ବରୁ ଅନେକ ଗୁଡ଼ିଏ ଅଣ୍ଡିରା ଏକତ୍ର ହୋ‍ଇ ମୟୂରୀମାନଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରନ୍ତି । ଏଥିରେ ମୟୂର ପ୍ରଥମେ ନିଜ ପୁଚ୍ଛକୁ ଟେକି ପଙ୍ଖା ଆକାରରେ ସଜାଇ ରଖେ । ଡେଣାଦ୍ୱୟକୁ ଅଧା ଖୋଲା ରଖି ମଝିରେ ମଝିରେ ନିଜ ପୁଚ୍ଛକୁ ହଲାଇ ଏକ ଶବ୍ଦ କରେ । ମୟୂରୀ ଆସିଲେ ମୟୂର ଛାତି ଟେକି ଚାଲେ ଆଉ ନାଚେ ଏବଂ ମଝିରେ ମଝିରେ ବୁଲି ନିଜର ସୁନ୍ଦର ପୁଚ୍ଛ ପ୍ରଦର୍ଶିତ କରେ ।[୬] ସମୟେ ସମୟେ କୌଣସି ମୟୂରୀ ନଥେଲେ ମଧ୍ୟ ମୟୂର ତା ନାଚ କରିଥାଏ । ମୟୂରୀ ଥିଲେ ମଧ୍ୟ କେବେ ମୟୂରର ନାଚକୁ ଧ୍ୟାନ ଦିଏନାହିଁ ବରଂ ନିଜର ଭୋଜନ ସନ୍ଧାନରେ ଲାଗିଥାଏ ।[୭] ଗୋଷ୍ଠୀର ପ୍ରତ୍ୟେକ ମୟୂରର ନିଜ ନିଜ ଅଞ୍ଚଳ ଥାଏ ଯେଉଁଠି ସଙ୍ଗମ ପାଇଁ ମୟୂରୀ ଆସେ, କିନ୍ତୁ ନିଜ ସଙ୍ଗିନୀ ମାନଙ୍କୁ ଜଗିବାକୁ ଅଣ୍ଡିରା କୌଣସି ଉଦ୍ୟମ କରେନାହିଁ । ପ୍ରଜନନ ଋତୁ ପ୍ରାୟତଃ ଶ୍ରୀଲଙ୍କାରେ ଜାନୁଆରୀରୁ ମାର୍ଚ୍ଚ, ଦକ୍ଷିଣ ଭାରତରେ ଏପ୍ରିଲରୁ ମେ ଓ ଉତ୍ତର ଭାରତରେ ଜୁନ ।

ମେଘକୁ ଦେଖି ମୟୂରର ପୁଚ୍ଛ ଟେକି ନାଚର ଉପକ୍ରମ

ଅଣ୍ଡା ଦବା ଲାଗି ମାଟିରେ ଅଳ୍ପ ଖୋଳି ସେଥିରେ ଡାଳ, ପତ୍ର, କୁଟା ଆଦି ବିଛାଇ ବସା ତିଆରି ହୁଏ । ମାନବ ବସତି ଅଞ୍ଚଳରେ ବସା କୋଠା ଉପରେ ମଧ୍ୟ ହୋ‍ଇପାରେ ।[୮] ମାଈ ଥରକରେ ୪-୮ଟି ଅଣ୍ଡା ଦିଏ ଓ ତାକୁ ନିଜେ ହିଁ ଉଷୁମାଏ । ଅଣ୍ଡା ଈଷତ୍ ହଳଦୀ ମିଶା ଧଳା ଓ ପ୍ରାୟ ୨୮ ଦିନରେ ଫୁଟେ । ଛୁଆ ଗୁଡ଼ିକ ଜନ୍ମର ଅନତି ପରେ ମୟୂରୀ ସହ ଦାନା ସନ୍ଧାନରେ ଯାଇପାରନ୍ତି ।[୯] ଛୁଆଟି ଅତି ଦୁର୍ବଳିଆ ହୋ‍ଇଥିଲେ ମୟୂରୀ ତାକୁ ନିଜ ଉପରେ ବସାଇ ଗଛ ଡାଳରେ ଛାଡ଼ିଆସେ ।[୧୦]

ଭୋଜନ[ସମ୍ପାଦନା]

ଇତିହାସ[ସମ୍ପାଦନା]

ଆଲେକଜାଣ୍ଡାର[ସମ୍ପାଦନା]

ବିଶ୍ୱର ପ୍ରାଚୀନ ଐତିହାସିକ ବୃତ୍ତାନ୍ତମାନଙ୍କରୁ ମିଳୁଥିବା ପ୍ରମାଣ ଅନୁସାରେ ଗ୍ରୀକ ବୀର ଆଲେକଜାଣ୍ଡାର ଖ୍ରୀଷ୍ଟପୂର୍ବ ୩୨୬ରେ ଭାରତ ଆକ୍ରମଣ କରିବା ପରେ ଭାରତରୁ ୨୦୦ଟି ମୟୁର ଗ୍ରୀକକୁ ନେଇଯାଇଥିଲେ।ରୋମରେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାଦ୍ଦୀରେ ମୟୁର ଥିବାର ପ୍ରମାଣ ମିଳେ ଆରିଷ୍ଟୋଟଲଙ୍କ ରଚନାରୁ । ପେରିକ୍ଲିସଙ୍କ ସମୟରେ (ଖ୍ରୀଷ୍ଟପୂର୍ବ ୫୯୦ରୁ ୪୨୯) ଏହି ବିରଳ ପକ୍ଷୀକୁ ଦେଖିବାକୁ ଦୂରଦୂରାନ୍ତରରୁ ଲୋକ ଆସୁଥିବାର ବର୍ଣ୍ଣନା ମଧ୍ୟ ରହିଛି ।[୨] ଖ୍ରୀଷ୍ଟପୂର୍ବ ତୃତୀୟ ଶତକରେ ମୟୁର ଥିଲା ମୌର୍ଯ୍ୟ ସାମ୍ରାଜ୍ୟର ସନ୍ତକ।ବିହାର ବୁଲନ୍ଦିବାଗର କୁମାରହାର ପ୍ରତ୍ନତାତ୍ତ୍ୱିକ ଖନନରୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ପ୍ରାସାଦର ଭିତ୍ତିରେ ମୟୁରର ଚିତ୍ର ଖୋଦିତ ହୋଇଥିବାର ନିଦର୍ଶନ ମିଳିଛି।

ଓଡ଼ିଶା[ସମ୍ପାଦନା]

ଗୋଟିଏ ପୁରୁଷ ମୟୂରର ଉପରଭାଗ

ଓଡ଼ିଶାର ଗଡଜାତ ରାଜ୍ୟମାନଙ୍କ ମଧ୍ୟରେ ପ୍ରାଚୀନତମ ଓ ପ୍ରଧାନ ମୟୁରଭଞ୍ଜ ମଧ୍ୟ ମୟୁର ଶବ୍ଦକୁ ନେଇ ସୃଷ୍ଟି ହେଇଥିବାର ଜଣାଯାଏ । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ, ଆଜିଠୁଁ ପ୍ରାୟ ୨୦୦୦ ବର୍ଷତଳେ ରାଜପୁତନାର ଜୟପୁର ରାଜବଂଶର ଜଣେ ରାଜପୁରୁଷ ଏହି ରାଜ୍ୟ ସ୍ଥାପନ କରି ସେଠାରେ ରାଜତ୍ୱ କରୁଥିଲେ । ପ୍ରଥମେ ଏହାର ନାମଥିଲା ହରିହରପୁର । ମୟୁର ଥିଲା ରାଜବଂଶର ସଙ୍କେତ ଏବଂ ରାଜାମାନେ ଥିଲେ ଭଞ୍ଜବଂଶୀ।ତେଣୁ ତାହା ପରେ ମୟୁରଭଞ୍ଜ ନାମରେ ପରିଚିତ ହେଲା । ଗଜପତି ରାଜାଙ୍କ ରାଜତ୍ୱରେ ନୀଳଗିରି, ସିଂହଭୂମି, ବରାହଭୂମି, ପଥରାଇ, ନରସିଂହପୁର, ସାରଣ୍ଡା, କେନ୍ଦୁଝର ଆଦି ଏବଂ ସିଂହଭୂମି, ମାନଭୂମି ଅଞ୍ଚଳ ମାନ ଏହିରାଜ୍ୟର ଅନ୍ତର୍ଗତ ଥିଲା । କାଳକ୍ରମେ ସେହି ସବୁ ରାଜ୍ୟ ମୟୁରଭଞ୍ଜରୁ ବିଚ୍ଛିନ୍ନ ହୋଇଯାଇଛି ।

ଭାଷାକୋଷରେ ମୟୁରଭଞ୍ଜର ନାମ ସମ୍ପର୍କରେ ଆଉ ଏକ ପ୍ରସଙ୍ଗ ମଧ୍ୟ ମିଳେ । ମୟୁରଭଞ୍ଜର ଏକ ପୂର୍ବତନ ରାଜବଂଶର ଉପାଧି ଥିଲା ମୟୁରଧ୍ୱଜ'। ସେହି 'ମୟୁରଧ୍ୱଜ ରାଜବଂଶର ଗର୍ବଭଞ୍ଜନ କରି ସିଂହାସନ ଅଧିକାର କରିଥିବାରୁ ପରବର୍ତ୍ତୀ ରାଜବଂଶର ନାମ ମୟୁରଭଞ୍ଜ ହେଇଥିଲା ।

ମୟୁର ସିଂହାସନ[ସମ୍ପାଦନା]

ମୟୁର ସହିତ ରାଜବଂଶ ବା ରାଜସନ୍ତକର ସମ୍ପର୍କ କଥା ଆସିଲେ, ପ୍ରଥମେ ମନକୁ ଆସେ ମୟୂର ସିଂହାସନ।ଏ ହେଉଛି ସେହି ରାଜ ଆସନ ଯାହାକୁ ନେଇ ମୋଗଲକାଳୀନ ଭାରତରେ ସଂଘଟିତ ହେଇଛି ବହୁ ଦ୍ୱନ୍ଦ,ସଂଘର୍ଷ ଓ ରକ୍ତପାତର ନାଟକ।ବର୍ତ୍ତମାନ ମୟୂର ସିଂହାସନର ଅସ୍ତିତ୍ୱ ନଥିଲେ ହେଁ ପରବର୍ତ୍ତୀ କାଳରେ ଏହି ନାମଟି ଗର୍ବ ଓ ଗାରିମାର ଏକ ପ୍ରତୀକ ହୋଇରହି ଆସିଛି, ୧୮୧୨ରେ ତୁର୍କୀର ସୁଲତାନ ଫତେ ଅଲି ଶାହା କାଜାରଙ୍କ ପାଇଁ ନିର୍ମିତ ସିଂହାସନକୁ ମଧ୍ୟ ମୟୂର ସିଂହାସନ କୁହାଯାଉଥିଲା ।

ଅଶୋକ[ସମ୍ପାଦନା]

ମୟୂରର ସୁନ୍ଦର ଚନ୍ଦ୍ରିକା ତାକୁ ଯେତିକି ପ୍ରସିଦ୍ଧ ଦେଇଛି,ସେପରି ମଧ୍ୟ ତାହାର ମୃତ୍ୟୁର କାରଣ ହେଇ ଆସିଛି।ସାଧାରଣତଃ ଏହି ସୁନ୍ଦର ଚନ୍ଦ୍ରିକା ପାଇଁ ଶିକାରୀମାନେ ମୟୂରକୁ ଶିକାର କରିଥାନ୍ତି।ଅନେକ ସ୍ଥଳରେ ସ୍ୱାଦିଷ୍ଠ ମାଂସ ପାଇଁ ମଧ୍ୟ ମୟୂର ଶିକାର କରାଯାଇଥାଏ।ସମ୍ରାଟ ଅଶୋକଙ୍କର ଗୀର୍ଣ୍ଣାର ଶିଳାଲେଖରୁ ଏହା ଏକ ପ୍ରମାଣ ମିଳେ।ଅଶୋକ ଥିଲେ ମୟୂରମାଂସ ପ୍ରିୟ।ତେଣୁ ରାଜମଣୋହି ପାଇଁ ପ୍ରତିଦିନ ବହୁ ମୟୂରଙ୍କୁ ହତ୍ୟା କରାଯାଉଥିଲା।ପରେ ଅଶୋକ ପ୍ରତିଦିନ ମାତ୍ର ୨ଟି ମୟୂର ଓ ଗୋଟିଏ ମୃଗରେ ସୀମିତ ରଖିବାକୁ ସେହି ଶିଳାଲେଖରେ ନିର୍ଦ୍ଦେଶ ଦେଇଥିଲେ।[୧୧]

Peacock displaying feathers during dancing

ପୁରାଣ[ସମ୍ପାଦନା]

A White Peacock

କାର୍ତ୍ତିକେୟ[ସମ୍ପାଦନା]

ମୟୁର କାଳେକାଳେ କଳା,ସାହିତ୍ୟ,ଇତିହାସ ଓ ପୁରାଣ ଆଦିରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଆସିଛି । ଆମ ପୁରାଣର ଶୌର୍ଯ୍ୟ ଓ ସୌନ୍ଦର୍ଯୟର ଦେବତା କାର୍ତ୍ତିକେୟଙ୍କର ବାହାନ ହେଉଛି ମୟୂର।ତାରକାସୁରର ବିନାଶ ପାଇଁ ତାଙ୍କୁ ଯେତେବେଳେ ବିଭିନ୍ନ ଦେବଦେବୀ ବିଭିନ୍ନ ଆୟୁଧ ଓ ଭୂଷଣ ଦାନ କରୁଥିଲେ,ସେତିକି ବେଳେ ଗରୁଡ଼ ନିଜର ପୁତ୍ର ମୟୁରଙ୍କୁ ତାଙ୍କୁ ଦାନ କରିଥିଲେ । ସେହି ଗରୁଡ଼ ପୁତ୍ର ମୟୂର ହେଲେ କାର୍ତ୍ତିକେୟଙ୍କ ବାହାନ ।[୨]

ଅନ୍ୟ ଏକ ପୌରାଣିକ ଉପାଖ୍ୟାନ ଅନୁସାରେ, ଦକ୍ଷିଣ ଭାରତର ମୟୁରପୁର ପର୍ବତଠାରେ କାର୍ତ୍ତିକେୟ ତାରକାସୁରକୁ ବିନାଶ କରିଥିଲେ ଏବଂ ତାରକାସୁର ଏକ ମୟୂର ରୂପରେ ପୁନର୍ଜନ୍ମ ନେଇଥିଲା । ସ୍କନ୍ଧପୁରାଣର ବୀରମହେନ୍ଦ୍ର କାଣ୍ଡ ଅନୁସାରେ,ମୟୁର ଏକ ଅସୁର।ସେ ସ୍କନ୍ଧ ବା ସୁବ୍ରହ୍ମଣ୍ୟ ବା କାର୍ତ୍ତିକେୟଙ୍କ ସହ ଯୁଦ୍ଧ କରିଥିଲା । ମହାଭାରତ ଆଦିପର୍ବର ୬୫ ଅଧ୍ୟାୟ ଅନୁସାରେ,ମୃତ୍ୟୁ ପରେ ମୟୂର ବିଶ୍ୱ ନାମକ ଏକ ରାଜା ରୂପେ ପୁନର୍ଜନ୍ମ ଗ୍ରହଣ କରିଥିଲା।

ଅଶ୍ୱମେଧ ଯଜ୍ଞ[ସମ୍ପାଦନା]

ଋକବେଦରେ ଇନ୍ଦ୍ରଙ୍କର ପ୍ରିୟପକ୍ଷୀ ରୂପେ ମୟୂରର ବର୍ଣ୍ଣନା ଅଛି । ଶୁକ୍ଳ ଯଜୁର୍ବେଦ ଅନୁସାରେ ଅଶ୍ୱମେଧ ଯଜ୍ଞରେ ଅଶ୍ୱିନୀ କୁମାରଙ୍କୁ ମୟୁର ଆହୁତି ଦିଆଯାଇଥିଲା । ଏହି ଆହୁତିଦ୍ୱାରା ଅଶ୍ୱମେଧର ଅଶ୍ୱ ସହଜରେ ସ୍ୱର୍ଗାରୋହଣ କରିଥାଏ ବୋଲି ଉଲ୍ଲେଖ ଅଛି ।

ଇନ୍ଦ୍ରଦେବ[ସମ୍ପାଦନା]

ଆଉ ଏକ ଉପାଖ୍ୟାନ ଅନୁସାରେ, ରାବଣ ଥରେ ସ୍ୱର୍ଗରାଜ୍ୟ ଆକ୍ରମଣ କରି ଦେବତା ମାନକୁ ପରାସ୍ତ କଲା।ଇନ୍ଦ୍ର ପରାସ୍ତ ହେଇ ପଳାୟନ କଲେ ଏବଂ ଯାଇ ଗୋଟିଏ ମୟୂରର ପରଭିତରେ ଲୁଛି ରହିଲେ।ସେଥିପାଇଁ ସଂକଟ ଟଳିଯିବା ପରେ ସେ ମୟୂରକୁ ବରଦେଇ - ମୋର ସହସ୍ରାକ୍ଷି ପରି ଆଜିଠୁ ତୋର ପର ସହସ୍ରାକ୍ଷି ହେବ ବୋଲି କହିଥିଲେ । ସେହି ଦିନଠୁ ମୟୂର ଚନ୍ଦ୍ରିକାଯୁକ୍ତ ପରରେ ଶୋଭା ପାଇଲା ଓ ପ୍ରସିଦ୍ଧ ହେଲା । ଋକବେଦ ସଂହିତା ଅନୁସାରେ ଇନ୍ଦ୍ରଙ୍କ ଅଶ୍ୱର ଅନ୍ୟନାମ ମୟୂରାରୋମ । କାରଣ ତାହାର ଲୋମର ରଙ୍ଗ ମୟୂରର ରଙ୍ଗ ପରି ଏବଂ ପୁଚ୍ଛ ମଧ୍ୟ ମୟୂରର ପୁଚ୍ଛ ପରି । ଅଥର୍ବବେଦ ଅନୁସାରେ ମୟୂର ସର୍ପବିଷ ନିବାରକ । [୨]

ଗ୍ରୀକ୍ ପୁରାଣ[ସମ୍ପାଦନା]

ଗ୍ରୀକ୍ ପୁରାଣ୍ ଅନୁସାରେ ଜୁପିଟରଙ୍କ ସ୍ତ୍ରୀ ଜୁନୋ ଅତ୍ୟନ୍ତ ଖଳ ପ୍ରକୃତିର ଥିଲେ । ସେ ଆର୍ଗସ ନାମକ ଏକ ରାକ୍ଷସର ଶହେଟି ଆଖିକୁ ଉପାଡ଼ି ନେଇ ମୟୂରର ଲାଞ୍ଜରେ ଖଞ୍ଜି ଦେଇଥିଲେ।ସେହି ପରି ଗ୍ରୀକ୍ ପୁରାଣର ଅନ୍ୟ ଏକ ଉପାଖ୍ୟାନ ଅନୁସାରେ ହେରା ତାଙ୍କର ବିଶ୍ୱସ୍ତ ପ୍ରହରୀ ହେବାପାଇଁ ମୟୂରର ପରରେ ବହୁ ଆଖି ଖଞ୍ଜି ଦେଇଥିଲେ, ତାହା ହିଁ ହେଉଛି ମୟୂର ପରର ଚନ୍ଦ୍ରିକା ।

ଧର୍ମ[ସମ୍ପାଦନା]

ବୌଦ୍ଧ ଜାତକ କଥା ମହାମୟୂର ଜାତକ ଅନୁସାରେ ଭଗବାନ ବୁଦ୍ଧ ଏକଦା ଏକ ସୁନାମୟୂର ରୂପେ ଜନ୍ମଗ୍ରହଣ କରିଥିଲେ । ପୁଣି ବୌଦ୍ଧ ଧର୍ମରେ ମହାମୟୂରୀ ନାମରେ ଜଣେ ଦେବୀ ମଧ୍ୟ ଅଛନ୍ତି ।[୧୨]

ଆଧାର[ସମ୍ପାଦନା]

  1. BirdLife International (2009). "Pavo cristatus". IUCN Red List of Threatened Species. Version 2009.2. International Union for Conservation of Nature. Retrieved 2010-02-15. {{cite web}}: Invalid |ref=harv (help)
  2. ୨.୦ ୨.୧ ୨.୨ ୨.୩ Krishna Lal (1 January 2007). Peacock In Indian Art, Thought And Literature. Abhinav Publications. ISBN 978-81-7017-429-5. Retrieved 14 September 2012.
  3. "ଆର୍କାଇଭ୍ କପି". Archived from the original on 2013-08-17. Retrieved 2012-09-01. {{cite web}}: Cite has empty unknown parameter: |1= (help)
  4. http://www.archive.org/stream/booksword00unkngoog#page/n197/mode/1up
  5. "Common (Indian) Peafowl". Rolling Hills Wildlife Adventure. Retrieved 26 December 2012.
  6. Ali, S; Ripley, S D (1980). Handbook of the birds of India and Pakistan. Vol. 2 (2nd ed.). Oxford University Press. pp. 123–126. ISBN 0-19-562063-1.
  7. Johnsingh, AJT; Murali, S (1978). "The ecology and behaviour of the Indian Peafowl (Pavo cristatus) Linn. of Injar". J. Bombay Nat. Hist. Soc. 75 (4): 1069–1079.
  8. Vyas, R (1994). "Unusual breeding site of Indian Peafowl". Newsletter for Birdwatchers. 34 (6): 139.
  9. Whistler, Hugh (1949). Popular handbook of Indian birds (4th ed.). Gurney and Jackson, London. pp. 401–410. ISBN 1-4067-4576-6.
  10. Singh, H (1964). "Peahens flying up with young". Newsletter for Birdwatchers. 4 (1): 14.
  11. "ଆର୍କାଇଭ୍ କପି" (PDF). Archived from the original (PDF) on 2012-09-23. Retrieved 2012-09-01. {{cite web}}: Cite has empty unknown parameter: |1= (help)
  12. http://ccbs.ntu.edu.tw/FULLTEXT/JR-BH/bh117490.htm

ଅଧିକ ତଥ୍ୟ[ସମ୍ପାଦନା]