ବ୍ରତ

ଉଇକିପିଡ଼ିଆ ରୁ
Jump to navigation Jump to search

ବ୍ରତ ଶବ୍ଦ ସଂସ୍କୃତ ‘ବୃ’ ଧାତୁରୁ ନିଷ୍ପନ୍ନ । ଏହାର ଅର୍ଥ ବରଣ କରିବା, ପ୍ରାର୍ଥନା କରିବା । ସ୍ୱର୍ଗ ସୁଖ, ଧନାଦି କାମନାରେ ନିୟମିତ ବା ସଂପଳ୍ପିତ ଧର୍ମାନୁଷ୍ଠାନ ବା ଉପବାସାଦିକୁ ବ୍ରତ ବୋଲି ଅଭିଧାନମାନଙ୍କରେ ଉଲ୍ଲେଖ କରାଯାଇଛି । କାମନା ପୂରଣ ଉଦ୍ଦେଶ୍ୟରେ ଆଚରଣ ଏବଂ ଖାଦ୍ୟପେୟରେ ଶୁଦ୍ଧ ଏବଂ ସଂଯତ ରହି ନିର୍ଦ୍ଦିଷ୍ଟ ତିଥି, ବାର, ଯୋଗ, ସପ୍ତାହ, ମାସ ବା ସମୟରେ କୌଣସି ଦେବୀଙ୍କର ସନ୍ତୋଷ ବିଧାନ ବା ଆନୁକୂଲ୍ୟ ଲାଭ ପାଇଁ ସଂକଳ୍ପବଦ୍ଧ ହୋଇ ନିର୍ଦ୍ଧାରିତ ନିୟମ ଅନୁସାରେ ସମ୍ପାଦିତ ଏକ ପ୍ରକାରର ଧର୍ମକୃତ୍ୟକୁ ବ୍ରତ କୁହାଯାଏ । ବ୍ରତ ପାଳନରେ ନିରାହାର ରହିବା ଅପରିହାର୍ଯ୍ୟ ନୁହେଁ । କେତେକ ବ୍ରତରେ ଲଘୁ ଓ ଯଜ୍ଞ ଉପଯୋଗୀ ଖାଦ୍ୟ ଗ୍ରହଣର ବିଧି ଉଲ୍ଲେଖ ଅଛି । ବ୍ରତ ଗୁଡ଼ିକ ସାଧାରଣତଃ ସ୍ମୃତି ବା ଧର୍ମଶାସ୍ତ୍ର ଅନୁମୋଦିତ ପ୍ରଣାଳୀରେ ପାଳିତ ହୁଏ । ଏଥିରେ ସଂକଳ୍ପ, ଇଷ୍ଟପୂଜା ଓ କଥା ଶ୍ରବଣ ଅନିବାର୍ଯ୍ୟ ଅଙ୍ଗ ଭାବରେ ଥାଏ । ଏହା ପୁରୁଷ ଓ ସ୍ତ୍ରୀ ଉଭୟ ପାଳନ କରିପାରିବେ ।

ପୌରାଣିକତା[ସମ୍ପାଦନା]

କେତେକ ବ୍ରତ କଥା ସଂସ୍କୃତ ପୁରାଣରୁ ଗୃହୀତ । ଭବିଷ୍ୟୋତ୍ତର ପୁରାଣରୁ ଅନନ୍ତ ବ୍ରତ, ଋଷି ପଞ୍ଚମୀ ବ୍ରତ, କୁକ୍ କୁଟୀ ବ୍ରତ, ଲକ୍ଷ୍ମୀ ନାରାୟଣ ବ୍ରତ, ପୌଷ ରବିବାର ବ୍ରତ, ଅସିତାଷ୍ଟମୀ ବ୍ରତ, ପଦ୍ମ ପୁରାଣରୁ ସୁଦଶା ବ୍ରତ, ଗୁରୁ ପଞ୍ଚମୀ ବ୍ରତ, ଶିବ ପୁରାଣରୁ ସୋମନାଥ ବ୍ରତ, ଶାମ୍ବ ପୁରାଣରୁ ଦୁର୍ଗାଷ୍ଟମୀ ବ୍ରତ, ସ୍କନ୍ଦ ପୁରାଣରୁ ବିନାୟକ ବ୍ରତ, ଦେବୀ ପୁରାଣରୁ ଦୁର୍ଗାଷ୍ଟମୀ ବ୍ରତ, କାଳିକା ପୁରାଣରୁ ମହାକାଳୀ ବ୍ରତ, ମହାଭାରତରୁ ସାବିତ୍ରୀ ବ୍ରତ ପ୍ରଭୃତି ଆସିଥିବାର ଉଲ୍ଲେଖ କରାଯାଇଛି । କେତେକ ପଣ୍ଡିତଙ୍କ ମତାନୁସାରେ କେତେକ ବ୍ରତ ଲୌକିକ ଧର୍ମରୁ ଗୃହୀତ ହୋଇ କ୍ରମେ ପୁରାଣମାନଙ୍କରେ ସ୍ଥାନ ପାଇଛି । କେତେକ ବିଦ୍ୱାନ ବ୍ରତାଚାରକୁ ବ୍ରାତ୍ୟ ସଂସ୍କୃତିର ଅବଦାନ ବୋଲି ଯୁକ୍ତି ବାଢ଼ନ୍ତି । କିନ୍ତୁ ଏହି ମତ ଏପର୍ଯ୍ୟନ୍ତ ପ୍ରତିଷ୍ଠିତ ହୋଇପାରିନାହିଁ । ଲୋକମୁଖରେ ପ୍ରଚଳିତ ଓ ପରବର୍ତ୍ତୀ କାଳରେ ପୋଥିରୁ ସଂଗୃହୀତ ଗଦ୍ୟ ଅଥବା ପଦ୍ୟ-ବଦ୍ଧ ଓଷା କଥା ଗୁଡ଼ିକରେ ଅଲୌକିକ ଓ ଲୌକିକ ସୂତ୍ରର ପ୍ରମାଣ ମିଳେ । ଯଥା: କେଦାର ବ୍ରତରେ ଅଛି- ‘ଚକୁଳିଆ ପଣ୍ଡାର ଦୁଇ ଝିଅ ସ୍ୱର୍ଗରୁ କେଦାର ମା’ ବ୍ରତ ମଞ୍ଚେ ଆଣିଲେ । ସେହି ଦିନଠାରୁ ଏହି ବ୍ରତ ମନୁଷ୍ୟମାନେ ପାଳିଲେ ।’ ‘ନିଶା ମଙ୍ଗଳବାର’ କଥାରେ ରାଜାଙ୍କର ପ୍ରଶ୍ନର ଉତ୍ତର ଦେଇ ସାଧବାଣୀ କହିଛି- ‘ମୁଁ ଆଶ୍ୱିନ ମଙ୍ଗଳବାର ଢିଙ୍କିଶାଳ ଲିପାପୋଛା କରି ଶ୍ରୀ ସର୍ବ ମଙ୍ଗଳାଙ୍କର ଓଷା କରଇ ।’ ‘ ଚଇତି ମଙ୍ଗଳବାର’ ଓଷା କଥାରେ ଅଛି- ‘ଚଇତି ମଙ୍ଗଳବାର କେହି ନ କରନ୍ତି । ସ୍ୱର୍ଗର ନିତେଇ ଧୋବଣୀ କରେ । ମଞ୍ଚ ପୁରେ ଚଇତି ହାଡ଼ିଆଣୀ କରଇ । ରାଜା ଚଇତି ହାଡ଼ିଆଣୀ ଠାରୁ ଓଷା ବିଧି ଶୁଣି ରାଣୀମାନଙ୍କୁ ଓଷା କରାଇଲେ ଏବଂ ଫଳ ସ୍ୱରୂପ ପୁତ୍ର ଲାଭ କଲେ ।’ ଆର୍ଯ୍ୟମାନଙ୍କ ବସତି ପୂର୍ବରୁ ଓଡ଼ିଶାର ଆଦିମ ଜନଗୋଷ୍ଠୀରେ ଏଗୁଡ଼ିକ ପ୍ରଚଳନ ଥିବାର ବିଶ୍ୱାସ ରହିଛି । ବହୁ ବ୍ରତର ପୌରହିତ୍ୟ ପାଇଁ ବ୍ରାହ୍ମଣମାନଙ୍କର ଆବଶ୍ୟକତା ପଡ଼େନାହିଁ । କଥାପାଠ, କଥନ ମଧ୍ୟ ଏହି ବ୍ରତ ପାଳନ ଅନ୍ତର୍ଗତ ଅଟେ । ତା’ ଛଡ଼ା ବୈଜ୍ଞାନିକ ଦୃଷ୍ଟିକୋଣରୁ ସମୟ ବ୍ୟବଧାନରେ ଲଘୁଖାଦ୍ୟ ଗ୍ରହଣ କରିବା ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ ।[୧]

ଆଧାର[ସମ୍ପାଦନା]

  1. ସଂଚାର, ପୃଷ୍ଠା-୧୪, ଗୁରୁବାର, ୧ଅଗଷ୍ଟ ୨୦୧୩

ବାହାର ତଥ୍ୟ[ସମ୍ପାଦନା]