ମହୁରୀ କାଳୁଆ

ଉଇକିପିଡ଼ିଆ‌ରୁ
ଦେବୀ ମହୁରୀ କାଳୁଆ

ବ୍ରହ୍ମପୁର ନିକଟରେ ଅବସ୍ଥିତ କେରାଣ୍ଡିମାଳ ପାହଡ଼ମାଳା ସନ୍ନିକଟସ୍ଥ ଏକ ମନୋରମ ପରିବେଶରେ ତଥା ବିସ୍ତୀର୍ଣ୍ଣ ପଡ଼ିଆର ମଧ୍ୟଭାଗରେ ପ୍ରତିଷ୍ଠିତ ମନ୍ଦିରରେ ଦେବୀ ମହୁରିକାଳୁଆ ପୂଜିତା । ମନ୍ଦିରଟି ମହୁରି ରାଜାଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିବା ବେଳେ ଦେବୀ ରାଜବଂଶର ଅଧିଷ୍ଠାତ୍ରୀ ଦେବୀ ରୂପେ ପରିଚିତ ।

କିମ୍ବଦନ୍ତୀ[ସମ୍ପାଦନା]

ପ୍ରଥମେ ଦେବୀ ପାହାଡ଼ର ଉପର ଭାଗରେ ଏକ ନିକାଞ୍ଚନ ସ୍ଥାନରେ ପ୍ରତିଷ୍ଠିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଦେବୀଙ୍କ ଆଦେଶ ଅନୁଯାୟୀ ପାହାଡ଼ର ପାଦଦେଶରେ ବ୍ରିଟିଶ ଶାସନ ପୂର୍ବରୁ ଏକ ଛୋଟ ମନ୍ଦିରରେ ଦେବୀଙ୍କ ପ୍ରତିକୃତିକୁ ସ୍ଥାପନା କରାଯାଇ ରାଜବଂଶ ପକ୍ଷରୁ ପୂଜାର୍ଚ୍ଚନା କରାଯାଇ ଆସୁଥିଲା । ମହୁରି ରାଜା କୌଣସି ସମସ୍ୟାର ସମ୍ମୁଖୀନ ହେଲେ ପାହଡ଼ର ଶିଖର ଦେଶରେ ଥିବା ଦେବୀଙ୍କ ଶରଣାପନ୍ନ ହେଉଥିଲେ ଓ ବିନା କୌଣସି ପ୍ରତିବନ୍ଧକରେ ସମସ୍ୟାର ସମାଧାନ ହେଇଯାଉଥିଲା । ଲୋକକଥା ଅନୁଯାୟୀ ଦେବୀ ରାଜାଙ୍କୁ ଏକ ତରବାରୀ ପ୍ରଦାନ କରିଥିଲେ ୤ ଉକ୍ତ ତରବାରୀର ଲମ୍ବ ମାତ୍ର ଚାଖଣ୍ଡେ ରହିଥିବା ବେଳେ ଆବଶ୍ୟକ ବେଳେ ତାହା ଚାରି ହାତ ଲମ୍ବା ହୋଇଯାଉଥିଲା ।

ପୂଜା ଓ ଭୋଗ[ସମ୍ପାଦନା]

ମନ୍ଦିରରେ ପ୍ରତ୍ୟହ ଦୁଇଥର ବାଳଭୋଗ ଓ ଦୁଇଥର ଅନ୍ନଭୋଗ ହେଉଥିବାବେଳେ ପ୍ରତ୍ୟେକ ସଂକ୍ରାନ୍ତି ଓ ଅନ୍ୟ ପର୍ବ ପର୍ବାଣିରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ପୂର୍ବ ପ୍ରଥା ଅନୁଯାୟୀ ଦେବୀଙ୍କ ପୂଜାରେ ରାଜ ପରିବାରର ସ୍ୱତନ୍ତ୍ର ଗୁରୁତ୍ୱ ରହିଆସିଛି । ବିଶେଷ କରି ମେଷ ସଂକ୍ରାନ୍ତି ପୂଜା ସମୟରେ ରାଜ ପରିବାରଙ୍କୁ ମନ୍ଦିରକୁ ଆମନ୍ତ୍ରଣ କରି ଅଣାଯାଇଥାଏ ଏବଂ ସେମାନେ ଦେବୀଙ୍କୁ ଦର୍ଶନ କଲା ପରେ ଅନ୍ୟମାନେ ପୂଜାର୍ଚ୍ଚନା କରିଥାନ୍ତି ।

ପର୍ବ ପର୍ବାଣି[ସମ୍ପାଦନା]

ମନ୍ଦିରରେ ଆଶ୍ୱିନ ନବରାତ୍ର, ଚୈତ୍ର ନବରାତ୍ର, ଦୀପାବଳି, କୃଷ୍ଣ ଜନ୍ମାଷ୍ଟମୀ, ମହାଶିବରାତ୍ରି ସାଙ୍ଗକୁ ପ୍ରତ୍ୟେକ ସଂକ୍ରାନ୍ତି ପାଳନ କରାଯାଇଥାଏ । ବିଶେଷ କରି ମେଷ ସଂକ୍ରାନ୍ତି ଦିନ ମନ୍ଦିରର ବାର୍ଷିକ ଉତ୍ସବ ପାଳନ କରାଯାଇଥାଏ ।

ଗମନାଗମନ[ସମ୍ପାଦନା]

ବ୍ରହ୍ମପୁରଠାରୁ ରାୟଗଡ଼ା ରାଜ୍ୟ ରାଜପଥର ପ୍ରାୟ ୧୫ କି.ମି. ଦୂରରେ ତଥା ଭୁବନେଶ୍ୱରଠାରୁ ପ୍ରାୟ ୧୯୪ କିମି ଦୁରରେ ଏହି ପୀଠ ଅବସ୍ଥିତ । ରେଳପଥରେ ଆସିଲେ ପ୍ରଥମେ ବ୍ରହ୍ମପୁରରେ ଓହ୍ଲାଇ ଘରୋଇ ପରିବହନ ସେବା ମାଧ୍ୟମରେ ଏଠାକୁ ଆସିବାର ସୁବିଧା ରହିଛି ।[୧]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]