ସାରଳା ମନ୍ଦିର

ଉଇକିପିଡ଼ିଆ ରୁ
ସାରଳା ମନ୍ଦିର
ସାରଳା ମନ୍ଦିର ଓଡ଼ିଶାରେ ଅବସ୍ଥିତ ।
ସାରଳା ମନ୍ଦିର
ସାରଳା ମନ୍ଦିର
ଓଡ଼ିଶାରେ ସାରଳା ମନ୍ଦିରର ଅବସ୍ଥାନ
ଦିଗବାରେଣି: 20°42′4.3″N 86°25′3.28″E / 20.701194°N 86.4175778°E / 20.701194; 86.4175778ଦିଗବାରେଣି: 20°42′4.3″N 86°25′3.28″E / 20.701194°N 86.4175778°E / 20.701194; 86.4175778
ଅବସ୍ଥାନ
ଦେଶ: ଭାରତ
ରାଜ୍ୟ: ଓଡ଼ିଶା
ଜିଲ୍ଲା: ଜଗତସିଂହପୁର
ବେବସାଇଟ: www.maasarala.org
ସାରଳା ଠାକୁରାଣୀ

ମା’ ଶାରଳାଙ୍କ ମନ୍ଦିର ଓଡ଼ିଶା ରାଜ୍ୟର ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ। ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଲିଖିତ ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ବହିରେ ସପ୍ତମ ପରିଚ୍ଛେଦରେ ଲିଖିତ ଅଛି - ରତ୍ନଗିରି ଦକ୍ଷିଣକୁ ସିଧାସଳଖ ପ୍ରାୟ ୨୦ ମାଇଲ ଦୂରରେ ପ୍ରସିଦ୍ଧ ତିର୍ତ୍ତୋଳ ଭୂବନ୍ଦର । ଏହାକୁ ହୁଏନସାଂ ଚେଲିତାଲେ କହିଛନ୍ତି । ତିରିତୋଳର ବର୍ତ୍ତମାନ ନାମ ତିର୍ତ୍ତୋଲ । ଏହା ନିକଟରେ ଥିବା ଝଙ୍କଡ଼ଠାରେ ଦେବୀ ଶାରଳାଙ୍କ ପୀଠ। ସାରଳା ମହାଭାରତରେ ଏହି ଝଙ୍କଡ଼କୁ ଜଙ୍ଗେର ବା ଜଙ୍ଗେରପୁର କୁହାହୋଇଛି । ପୂର୍ବେ ପୂର୍ବଭାରତର ପ୍ରସିଦ୍ଧ ବନ୍ଦର ଚେଳିତାଳୋ ଥିବା ଯୋଗୁଁ ସେହି ଅଞ୍ଚଳରେ ଯକ୍ଷ ବା ଜଙ୍ଖମାନେ ରହିବା ସ୍ୱାଭାବିକ। ତେଣୁ ଜଙ୍ଖମାନେ ରହୁଥିବା ଅଞ୍ଚଳକୁ ଜଙ୍ଖେରପୁର କୁହାଯାଉଥିବା ସମ୍ଭବ। ସେତେବେଳେ ବୃଦ୍ଧା ଏବଂ ଚନ୍ଦ୍ରଭାଗା ଦୁଇଟି ନଦୀ ଶାରଳା ଠାକୁରାଣୀଙ୍କ ବିଜେସ୍ଥଳୀର ଉତ୍ତର ଦକ୍ଷିଣରେ ପ୍ରବାହିତ ହୋଇ ସମୁଦ୍ରରେ ମିଶିଥିଲେ । ବର୍ତ୍ତମାନ ସେହି ବୃଦ୍ଧନଦୀ ବୁଢ଼ାନଈ ନାମରେ ନାମିତ । ସାରଳା ଦାସ ବୃଦ୍ଧନଦୀକୁ ବୁଧମାତା ନାମେ ନଦୀ’ବର୍ଣ୍ଣନା କରିଛନ୍ତି । ସାରଳା ଦାସ ତାଙ୍କ ପୁରାଣରେ ଶାରୋଳ ଗ୍ରାମରେ ଶାରଳାପୀଠ ଅବସ୍ଥିତ ବୋଲି କହିଛନ୍ତି । ବର୍ତ୍ତମାନ ଝଙ୍କଡ଼ ପ୍ରଗଣାରେ ବଡ଼ ଶାରୋଳ ଓ ସାନ ଶାରୋଳ ନାମରେ ଦୁଇଟି ଗ୍ରାମ ଅଛି । ସେହି ଗ୍ରାମ ନିକଟରେ ପୂର୍ବେ ଶାରଳା ଠାକୁରାଣୀଙ୍କ ମନ୍ଦିର ଥିଲା ।

ମନ୍ଦିର[ସମ୍ପାଦନା]

ଐତିହାସିକ କେଦାରନାଥ ମହାପାତ୍ର ତାଙ୍କ ଲିଖିତ ଖୋରଧାର ଇତିହାସରେ ଲେଖିଛନ୍ତି, ସେଠାରେ ଥିବା ଶାରଳା ମନ୍ଦିର ୧୬୮୬ ମସିହାରେ ମୁସଲମାନମାନେ ଭାଙ୍ଗିନେଇ ସେହି ମନ୍ଦିରର ପ୍ରାୟ ମାଇଲିଏ ପଶ୍ଚିମକୁ ଏକ ମସଜିଦ ନିର୍ମାଣ କରିଛନ୍ତି । ସେହି ମସଜିଦ ନିର୍ମାଣ ୧୦୯୮ ହିଜ୍ରିରେ ହୋଇଥିବା ଉଲ୍ଲେଖ ଅଛି । ବର୍ତ୍ତମାନ ସେଠାରେ ଗଣେଶଙ୍କ ମୂର୍ତ୍ତି ପୂଜା ପାଉଛନ୍ତି । ଲୋକମାନେ ତାହାକୁ ନଣ୍ଡା ଦେଉଳ କହନ୍ତି । ଓଡ଼ିଆ ଭାଷାର ପ୍ରଥମ କବି ହେଉଛନ୍ତି ସାରଳା ଦାସ । ତାଙ୍କ ରଚିତ ଗ୍ରନ୍ଥମାନଙ୍କ ମଧ୍ୟରେ ଚଣ୍ଡୀପୁରାଣରେ ଓଡ଼ିଶାର ଆଠଟି ତନ୍ତ୍ରପୀଠର ନାମ ଉଲ୍ଲେଖ କରିଛନ୍ତି । ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଥିବା ଏକ ପ୍ରାଚୀନ ତାଳପତ୍ର ପୋଥିରେ ଅଷ୍ଟଚଣ୍ଡୀଙ୍କ ନାମ ବର୍ଣ୍ଣନା ଅନୁଯାୟୀ ଝଙ୍କଡ଼ର ଶାରଳା, କାକଟପୁରର ମଙ୍ଗଳା, କୋଣାର୍କର ରାମଚଣ୍ଡୀ, ପୁରୀର ବିମଳା, ବାଙ୍କୀର ଚର୍ଚ୍ଚିକା, ଯାଜପୁରର ବିରଜା, ତାଳଚେରର ହିଙ୍ଗୁଳାଭୁବନେଶ୍ୱରର ଗୌରୀ ହେଉଛନ୍ତି ଅଷ୍ଟତନ୍ତ୍ରପୀଠର ଅଷ୍ଟଦେବୀ। କିନ୍ତୁ ପରବର୍ତ୍ତୀ କାଳରେ ଧବଳଗିରି ନିବାସୀ ବାଳକବି ଭଗବତୀ ଜଣାଣରେ ଯେଉଁ ଅଷ୍ଟଚଣ୍ଡୀଙ୍କ ନାମ ଉଲ୍ଲେଖ କରିଛନ୍ତି, ସେଥିରେ ଭୁବନେଶ୍ୱରର ଗୌରୀ, ତାଳଚେରର ହିଙ୍ଗୁଳା ଓ କୋଣାର୍କର ରାମଚଣ୍ଡୀଙ୍କ ନାମ ବଦଳରେ ସମ୍ବଲପୁରର ସମଲାଇ, ବାଣପୁରର ଭଗବତୀ ଓ ଚଣ୍ଡୀ (ସମ୍ଭବତଃ ଚିତ୍ରୋତ୍ପଳା ଓ ଲୁଣାନଦୀ ମଧ୍ୟରେ ଥିବା ହରଚଣ୍ଡୀ)ଙ୍କୁ ବର୍ଣ୍ଣନା କରିଛନ୍ତି। ସାରଳାଙ୍କର ପରବର୍ତ୍ତୀ କବିମାନେ ଶାରଳା ଠାକୁରାଣୀ ଝଙ୍କଡ଼ରେ ଥିବା ବର୍ଣ୍ଣନା କରିଛନ୍ତି। ବଳରାମ ଦାସଙ୍କ ମାଳଶ୍ରୀ ଯାହାକୁ ଭାଦ୍ରବ ମାସ ଖୁଦୁରୁକୁଣୀଙ୍କ ପାଖରେ ପଢ଼ାଯାଏ। ମାଳଶ୍ରୀକୁ ଅନୁଧ୍ୟାନ କଲେ ଦେଖାଯାଏ, ଝଙ୍କଡ଼ ପ୍ରଗଣାର ତେନ୍ତୁଳିପଦାଠାରେ ବିଲ-ଶାରଳା ନାମରେ ଆଉ ଏକ ଦେବୀଙ୍କ ମନ୍ଦିର ଅଛି । ସମ୍ଭବତତଃ ୧୬୮୬ ମସିହାରେ ଯେତେବେଳେ ମୁସଲମାନମାନେ ଶାରଳା ଠାକୁରାଣୀଙ୍କ ମୂଳ ମନ୍ଦିରକୁ ଭାଙ୍ଗିଦେଇ ମସଜିଦ କଲେ, ସେତେବେଳେ ଠାକୁରାଣୀଙ୍କ ସେବକମାନେ ଓ ହିନ୍ଦୁମାନେ ଶାରଳା ଠାକୁରାଣୀଙ୍କୁ ସେହି ବୃଦ୍ଧନଦୀରେ ନେଇଯାଇ। ତେନ୍ତୁଳିପଦାଠାରେ ଯେଉଁଠାରେ ବିଲ-ଶାରଳା ଅଛନ୍ତି ସେଠାରେ ରଖିଦେଇ ଆସିଲେ । ପରେ ସେଠାରୁ ଶାରଳାଙ୍କ ମୂର୍ତ୍ତିକୁ ଉନବିଂଶ ଶତାବ୍ଦୀର ଶେଷଭାଗରେ ବା ବିଂଶ ଶତାବ୍ଦୀର ଆରମ୍ଭରେ କନକପୁର ନିଆଯାଇଥିଲା। ବର୍ତ୍ତମାନ କନକପୁରଠାରେ ଯେଉଁ ମନ୍ଦିର ଅଛି ସେହି ମନ୍ଦିରରେ ଶାରଳା ଠାକୁରାଣୀଙ୍କର ବିଧିବଦ୍ଧ ପ୍ରତିଷ୍ଠା ୧୩୨୧ ସାଲ ଆଷାଢ଼ ଦି୧୨ନ ଠାରୁ ଦି୧୯ନ ପର୍ଯ୍ୟନ୍ତ ହୋଇଥିବା ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣପତ୍ରରୁ ଜଣାଯାଏ । ଏହି ୧୩୨୧ ସାଲ ଇଂରାଜୀ ୧୯୧୪ ମସିହାରେ ପଡ଼ିଥିଲା।

ଇତିହାସ[ସମ୍ପାଦନା]

ପୁରୀ ଜଗନ୍ନାଥ ପ୍ରେସରେ ୧୯୦୯ରେ ଛପା ହୋଇଥିବା ‘ମୋହନ’ଙ୍କ ଚନ୍ଦ୍ରାବତୀ ହରଣ ବହିର ଆରମ୍ଭରେ ଶାରଳାଙ୍କ ବନ୍ଦନା ଅଛି। ଉକ୍ତବହିରେ କବି ମୋହନ ବର୍ଣ୍ଣନା କରିଛନ୍ତି ନଣ୍ଡାଦେଉଳ ନିକଟରେ ଥିବା ଗୋପତମାଣିକା ବା ଗୁପ୍ତମାଣିକାରେ ଶାରଳା ସାତଦିନ ସାତରାତି ବୁଡ଼ି ରହିଥିଲେ । ତା’ପରେ ତେନ୍ତୁଳିପଦା ଚାଲିଗଲେ। ସାରଳା ମହାଭାରତ ଦ୍ରୋଣପର୍ବର ଉକ୍ତି ସହିତ ଆଦିପର୍ବର ଶାରଳାଦେବୀଙ୍କ ବନ୍ଦନାରେ ଥିବା ବିବରଣୀକୁ ମେଳ କଲେ ଜଣାଯାଏ ପୁରୀ ଓ ଯାଜପୁର ମଧ୍ୟରେ ଝଙ୍କଡ଼ ବା ଜଙ୍ଗେର ଅବସ୍ଥିତ। ସେଠାରେ ଶାରଳା ଠାକୁରାଣୀ ପୂଜା ପାଉଛନ୍ତି । ଶାରଳାପୀଠ ଏକ ମହାନ ତନ୍ତ୍ରପୀଠ। ଶାରଳା ଠାକୁରାଣୀଙ୍କ ମୂର୍ତ୍ତିକୁ ଦେଖି ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ଡଃ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଦେବୀ ଅଷ୍ଟମ ଶତାବ୍ଦୀର ବୋଲି ମତପ୍ରକାଶ କରିଥିଲେ। ଚୀନ ପରିବ୍ରାଜକ ହୁଏନସାଂ ସପ୍ତମ ଶତାବ୍ଦୀରେ ଓଡ଼ିଶା ଆସିଥିଲେ । ସେତେବେଳେ ସେ ଚେଳି-ତାଳୋରେ ବୌଦ୍ଧବିହାର ଓ ସ୍ତୂପ ଥିବା ଦେଖିଥିଲେ । S. Bealଙ୍କ ଲିଖିତ The Life of Hiuen Tsiang – Page134ରେ ଚେ-ଳି-ତା-ଳୋ ବନ୍ଦରରେ ବଜ୍ରଜାନୀଙ୍କ ଦେବତା ଆରାଧିତ ହେଲେଣି। ବର୍ତ୍ତମାନ ପୂଜାପାଉଥିବା ଶାରଳା ହିନ୍ଦୁଦେବୀ ହେଲେ ମଧ୍ୟ ତାଙ୍କ ହାତରେ ବଜ୍ରଯାନୀଙ୍କର ପରମ ଆୟୁଧ ବଜ୍ର ଓ ଘଣ୍ଟି ରହିଛି ।Budhist Iconographyରେ ଆଦିବୁଦ୍ଧଙ୍କ ସ୍ୱରୂପ ଉଲ୍ଲେଖ ଓ ଚିତ୍ରିତ ହୋଇଛି। ସେଥିରୁ ଜଣାଯାଏ ତାଙ୍କ ଦକ୍ଷିଣହସ୍ତରେ ବଜ୍ର ଓ ବାମହସ୍ତରେ ଘଣ୍ଟି ଅଛି । ଶାରଳା ଅଷ୍ଟଭୂଜା ମହିଷାସୁର ମର୍ଦ୍ଦିନୀ ଦୁର୍ଗା । ତାଙ୍କ ଦକ୍ଷହସ୍ତ ଚତୁଷ୍ଟୟରେ ଖଡ୍ଗ, ବଜ୍ର, ଶୂଳ ଓ ବାଣ ବା ଶର ରହିଛି। ସେହିଭଳି ବାମହସ୍ତ ଚତୁଷ୍ଟୟରେ ଢ଼ାଲ, ଧନୁ, ମହିଷାସୁରର ମୁଖ ଓ ଘଣ୍ଟି ଥିବା ଦେଖାଯାଏ । ଦେବୀ ତାଙ୍କ ଦକ୍ଷପଦ ମହିଷାସୁରର ପୃଷ୍ଠଦେଶରେ ସ୍ଥାପନ କରିଛନ୍ତି । ଏହି ମହିଷାସୁରର ମୁଣ୍ଡଟି ହେଉଛି ମହିଷର ମୁଣ୍ଡ ଓ ଦେହ ମଣିଷ ଭଳି ତା ଦେହରେ ବର୍ମ ରହିଛି । ସେ ହାତରେ ଗଦା ଭଳି ଏକ ଅସ୍ତ୍ର ଧରିଛି। ଖୁବ୍ ସମ୍ଭବତଃ ସେ ତା’ର ମୁଖ ଦେବୀଙ୍କ ଜନନଇନ୍ଦ୍ରିୟ ଆଡ଼କୁ ନେଉଥିଲା । ସେଥିପାଇଁ ଦେବୀ ତାଙ୍କ ବାମଭାଗର ଏକ ହସ୍ତରେ ତା’ର ମୁଖକୁ ଚିପିଧରି ଦୂରକୁ ଠେଲୁଛନ୍ତି, ଠିକ ସେହିଭଳି ଦୃଶ୍ୟ ଭୁବନେଶ୍ୱର ବଇତାଳ ମନ୍ଦିର ଗାତ୍ରରେ ଥିବା ଦୁର୍ଗା, ଦ୍ୱାରବାସିନୀ ଦେବୀ, ଦକ୍ଷିଣ ଚଣ୍ଡୀ ଆଦିଙ୍କ ମୂର୍ତ୍ତିରେ ଦେଖିବାକୁ ମିଳେ । କପାଳୀ ମଠରେ ଆରାଧିତା କପାଳିନୀଙ୍କ ମୂର୍ତ୍ତି ଅନେକାଂଶରେ ଶାରଳାଙ୍କ ମୂର୍ତ୍ତି ସହିତ ମିଶିଯାଏ । କେବଳ ପ୍ରତ୍ନତାତ୍ତ୍ୱିକ ଭୂମରାର ମହିଷମର୍ଦ୍ଦିନୀ ଦୁର୍ଗାଙ୍କୁ ପୁରାତନା ବୋଲି କହିଥାନ୍ତି। ଭୂମରାର ମହିଷାମର୍ଦ୍ଦିନୀ ଦୁର୍ଗା ଷଷ୍ଠ ଶତାବ୍ଦୀର ଓ ସେ ଚତୁର୍ଭୁଜା (ପଞ୍ଚୋପାସନା) ମାତ୍ର ଓଡ଼ିଶାର ଯାଜପୁରରେ ଆରାଧିତା ବିରଜା ଠିକ ଭୂମରାର ଦୁର୍ଗାଙ୍କ ଭଳି ହେଲେ ମଧ୍ୟ ସେ ଦ୍ୱିଭୁଜା ।

ଐତିହାସିକ ମତବାଦ[ସମ୍ପାଦନା]

ଡଃ. କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର ବହିରେ ରମା ପ୍ରସାଦ ଚନ୍ଦଙ୍କ ଯୁକ୍ତି ଉଦ୍ଧାର କରି କହିଛନ୍ତି ବିରଜା ପଞ୍ଚମ ଶତାବ୍ଦୀର। ସେତେବେଳେକୁ ଦେବୀ ବଧ କରିଥିବା ପ୍ରାଣୀଟି ପଶୁରୂପରେ ମହିଷ ଆକାରରେ ରହିଯାଇଥିଲା। ଅସୁରର ନାମ ଗନ୍ଧ ନଥିଲା କହିଲେ ଚଳେ। ଦୃଷ୍ଟାନ୍ତ ରୂପେ ପର୍ଣ୍ଣଶବରୀଙ୍କୁ ନିଆଯାଇପାରେ। ପର୍ଣ୍ଣଶବରୀଙ୍କ ଧ୍ୟାନରେ ଲେଖାଅଛି “ହୃଦ୍ୱାମ ମୁଷ୍ଟିତର୍ଜନ୍ୟାଧୋ ବିଘ୍ନଗଣାନ୍ ସଂଚର୍ଯ୍ୟ ଦକ୍ଷିଣ ବଜ୍ରମୁଷ୍ଟି ପ୍ରହାରାଭିନୟାଂ” ମୂର୍ତ୍ତିରେ ବିଘ୍ନଗଣ ସ୍ଥାନରେ ହାତୀର ରୂପ ରହିଛି ଓ ଦେବୀ ତାକୁ ଦକ୍ଷିଣ ତର୍ଜନୀ ଦେଖାଇ ମୁଷ୍ଟିପ୍ରହାର ପାଇଁ ଭୟ ଦେଖାଉଛନ୍ତି । ଧ୍ୟାନରେ ପର୍ଣ୍ଣପିଚ୍ଛିକା ବସନା ଲେଖାଅଛି । ପର୍ଣ୍ଣଶବରୀ ନାମରୁ ଜଣାଯାଉଛି ଦେବୀ ଶାବରୀ ଦେବତା । ହୁଏତ ବଣ୍ୟହସ୍ତୀ ଶବରମାନଙ୍କ ଫସଲ ଓ ଘର ନଷ୍ଟ କରୁଥିବା ହେତୁ ଏଥିରୁ ଉଦ୍ଧାର ପାଇବା ପାଇଁ ପର୍ଣ୍ଣଶବରୀ ଦେବୀଙ୍କୁ ଆରାଧନା କରୁଥିଲେ । ସେମାନଙ୍କଠାରୁ ବୌଦ୍ଧ ବଜ୍ରଯାନୀମାନେ ସେହିଭାବକୁ ନେଇ ମୂର୍ତ୍ତି ଗଠନ କଲେ। ସେହିଭଳି କିଏ ନାହିଁ କରିବ ବଣ୍ୟ ମହିଷକୁ ମାରି ଦେବୀ ମାନବମାନଙ୍କୁ ରକ୍ଷା କରିବାର ଚିତ୍ର ମହିଷମର୍ଦ୍ଦିନୀରେ ନିହିତ ନ ହୋଇଥିଲା ? ପରେ ଯେତେବେଳେ ପୁରାଣ ରଚନା କରାଗଲା, ସେତେବେଳେ ମହିଷକୁ ଅସୁର ଆଖ୍ୟା ଦେଇ କାହାଣୀମାନ ସୃଷ୍ଟି ହେଲା । ବିରଜାଙ୍କ ମୂର୍ତ୍ତିଗଠନ ବେଳେ ମହିଷ ଥିଲା ଓ ଶାରଳାଙ୍କ ବେଳକୁ ମହିଷାସୁରର ରୂପ ଆସିଯାଇଥିଲା । ସେଥିପାଇଁ ସାରଳାଦାସ ତାଙ୍କ ଚଣ୍ଡୀ ପୁରାଣ ଗ୍ରନ୍ଥରେ ଲେଖିଛନ୍ତି- ମଇଁଷିର ମୁଣ୍ଡ ଗୋଟା ମନୁଷ୍ୟ ସ୍ୱରୂପ (୧୭ପୃଷ୍ଠା) । ଶାରଳାଙ୍କ ମୂର୍ତ୍ତି ଦୁର୍ଗାଙ୍କ ସ୍ୱରୂପା,ଦୁର୍ଗା ଶାବରୀୟ ଦେବତା ।

ହରିବଂଶରେ ସ୍ପଷ୍ଟ ଉଲ୍ଲେଖ ଅଛି, “ ଶବରୈଃ ବର୍ବରୈଶ୍ଚୈବ ପୁଲିନ୍ଦୈଶ୍ଚ ସୁପୂଜିତା”। ତେଣୁ ଦୁର୍ଗା, ଶବର, ବର୍ବର, ପୁଲିନ୍ଦ ଜାତି ଦ୍ୱାରା ଆରାଧିତା । ହାତର କଳ୍ପନା ଦିଗରୁ ଆସିଛି ବୋଲି ଶ୍ରୀଦୁର୍ଗାରେ ସ୍ୱାମୀ ପ୍ରଜ୍ଞାନାନନ୍ଦ ଲେଖିଛନ୍ତି । ସେ ଶ୍ରୀଦୁର୍ଗା ପୃ.୧୫୦-୧୫୧ରେ ଲେଖିଛନ୍ତି, “ ଦୁର୍ଗା ଦେବୀଙ୍କ ଦଶହାତ ଦଶଦିଗର ପରିଚାରକ । ଅତଏବ ଦିଗରୁ ହାତର କଳ୍ପନା କରାଯାଇଛି । ବ୍ରାହ୍ମଣ ସାହିତ୍ୟରେ ଦିଗର ପୁଣି ଭିନ୍ନ ଭିନ୍ନ ସଂଖ୍ୟା କହାହୋଇଛି” ଇତ୍ୟାଦି । ମଣିଷ ପ୍ରଥମରୁ ଦଶଦିଗ କଥା ଜାଣିନଥିଲା । ତାହାହେଲେ ଅଷ୍ଟଦିଗପାଳଙ୍କ ବିଷୟ କହାଯାଆନ୍ତା ନାହିଁ ଯେଉଁ ସମୟରେ ଜ୍ଞାନୀ ମଣିଷ ଅଷ୍ଟଦିଗ ଜାଣିଥିଲା ସେହି ସମୟରେ ଦେବତାଙ୍କ ହାତ ୮ ଥିଲା । ଅଷ୍ଟଦିଗକୁ ପ୍ରସାରି ଦେବୀଙ୍କ ହାତ ରହିଥିବା ହେତୁ ଶାରଳା ଅଷ୍ଟଭୁଜା । ଶାରଳା ବୌଦ୍ଧବଜ୍ରଯାନୀଙ୍କ ଦେବତା ବୋଲି କହାଯାଇପାରେ । କାରଣ ତାଙ୍କ ହାତରେ ବୌଦ୍ଧମାନଙ୍କର ଦୁଇଟି ପରମ ସଂକେତ ବଜ୍ର ଓ ଘଣ୍ଟି ଅଛି । କେତେକ ପଣ୍ଡିତ ଧାରଣା କରନ୍ତି ହିନ୍ଦୁମାନେ ବୌଦ୍ଧମାନଙ୍କଠାରୁ ଦେବାଦେବୀଙ୍କୁ ଧାର କରି ନେଇଛନ୍ତି। ତେଣୁ ଅବଲେକିତେଶ୍ୱର, ଲୋକେଶ୍ୱର, ପ୍ରଜ୍ଞାପାରମିତା, ବଜ୍ରଯୋଗିନୀ, ଆର୍ଯ୍ୟତାରା, ବାଗୀଶ୍ୱରୀ, ମଞ୍ଜୁଶ୍ରୀ, ହାରୀତ, ମାରୀଚୀ, ଅକ୍ଷୋଭ୍ୟ, ପର୍ଣ୍ଣଶବରୀ ପ୍ରଭୃତି ବ୍ରହ୍ମା, ବିଷ୍ଣୁ, ଶିବ,ଦୁର୍ଗା, କାଳୀ, ଲକ୍ଷ୍ମୀ, ସରସ୍ଵତୀ, ବାଶୁଳୀ, ମଙ୍ଗଳା, ଶୀତଳା ପ୍ରଭୃତି ନାମ ନେଇ ଛଦ୍ମବେଶରେ ହିନ୍ଦୁମାନଙ୍କ ଘରେ ତଥା ଗ୍ରାମ, ନଗରରେ ଆଜି ମଧ୍ୟ ପୂଜା ପାଉଛନ୍ତି(ଶ୍ରୀଦୁର୍ଗା ପୃଷ୍ଠା ୧୨୩) । ଏହାଛଡ଼ା Introduction to the modern Budhist and its follows in Orissa, Page 11ରେ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ଲେଖିଛନ୍ତି, ଦେବୀପୂଜା ତଥା ଶକ୍ତିବାଦ ବୌଦ୍ଧଧର୍ମର ଗୋଟିଏ ପରିଣତି। ତାଙ୍କ ମତରେ ଉତ୍ତର ଦେଶୀୟ ବୌଦ୍ଧଧର୍ମର ତ୍ରିତ୍ୱବାଦରୁ ତନ୍ତ୍ରଦେବତାଙ୍କ ଉତ୍ପତ୍ତି । ତା ପୂର୍ବରୁ ବ୍ରାହ୍ମଣମାନଙ୍କ ଭିତରେ ଏହା ପ୍ରଚାର ହୋଇନଥିଲା। ବର୍ତ୍ତମାନର ଶାରଳାଙ୍କ ମନ୍ଦିର ଉତ୍ତର ଦିଗରୁ ତେନ୍ତୁଳିପଦା ଗ୍ରାମରେ ବିଲ ଶାରଳା ନାମରେ ଆଉଗୋଟିଏ ଦୁର୍ଗା ମୂର୍ତ୍ତି ଆରାଧିତା । ଏହି ଦୁର୍ଗା ମଧ୍ୟ ଅଷ୍ଟଭୁଜା। ମୂର୍ତ୍ତିକୁ ଦେଖିଲେ ମନେହୁଏ, ଶାରଳାଙ୍କ ପରେ ବିଲ-ଶାରଳାଙ୍କ ମୂର୍ତ୍ତି ଅଙ୍କିତ ହୋଇଛି। ଶାରଳାଙ୍କ ଭଳି ବିଲ-ଶାରଳା ଖଣ୍ଡିଏ ପଥରରେ ଅଙ୍କିତା। ତାଙ୍କ ହାତମାନଙ୍କରେ ଖଡ୍ଗ, ଶୂଳ, ଶର, ଚକ୍ର, ଢାଲ, ଧନୁ, ପାଶ ରହିଛି। ସପ୍ତଶତୀଚଣ୍ଡୀରେ ବର୍ଣ୍ଣିତ ମହିଷାସୁରମର୍ଦ୍ଦିନ ରୂପ ସହିତ ଏହି ମୂର୍ତ୍ତିର ରୂପ ମେଳ ଖାଇଯାଏ । ଶାରଳା ଠାକୁରାଣୀଙ୍କ ମହିଷାସୁର ଭଳି ‘ମହିଷର ମୁଣ୍ଡ ଦେହ ତ ମନୁଷ୍ୟ’ ନୁହେଁ । ମୂର୍ତ୍ତିରେ ମହିଷର କର୍ତ୍ତିତ ମୁଣ୍ଡ ପଡ଼ିରହିଛି ଓ ତା’ର ମହିଷ ଦେହ ମଧ୍ୟରୁ ଏକ ପୁରୁଷ ଖଡ୍ଗ ଢାଲ ଧରି ଦେବୀଙ୍କ ସହିତ ଯୁଦ୍ଧ କରୁଛି। ଦେବୀ ତା ବକ୍ଷରେ ଶୂଳ ବିଦ୍ଧ କରିଛନ୍ତି ଓ ବାମହାତରେ ଥିବା ସର୍ପରୂପୀ ପାଶଦ୍ୱାରା ସେ ବନ୍ଧନଯୁକ୍ତ । ଚଣ୍ଡୀର ତୃତୀୟ ଅଧ୍ୟାୟରେ ଯେଉଁ ମହିଷାସୁର ବଧ କାହାଣୀ ଉଲ୍ଲେଖ ହୋଇଛି ସେହି ବର୍ଣ୍ଣନା ସହିତ ବିଲ-ଶାରଳାଙ୍କ ସ୍ୱରୂପର ମେଳ ଖାଇଯାଏ । ଚଣ୍ଡୀ ତୃତୀୟ ଅଧ୍ୟାୟର ୪୧-୪୨ ମନ୍ତ୍ରରେ ଲେଖାଅଛି – ଅନନ୍ତର ମହିଷାସୁର ଚଣ୍ଡିକାଙ୍କ ପଦଦ୍ୱାରା ଦୃଢଭାବେ ଆକ୍ରାନ୍ତ ହୋଇ ନିଜ ମୁଖରୁ ଅନ୍ୟ ମହାସୁରରୂପେ ଅର୍ଦ୍ଧମାତ୍ର ବହିର୍ଗତ ହେଲା। ସେହି ସମୟରେ ଦେବୀଙ୍କ ଉଗ୍ର ତେଜରେ ସ୍ତମ୍ଭୀଭୂତ ହେଲା। ଏହି ମହାସୁର ଅର୍ଦ୍ଦମାତ୍ର ନିର୍ଗତ ହୋଇ ଦେବୀଙ୍କ ସହିତ ଯୁଦ୍ଧ କରୁ କରୁ ଦେବୀଙ୍କ ଖଡ୍ଗଘାତରେ ଛିନ୍ନ ମସ୍ତକ ହୋଇ ଧରାଶାୟୀ ହେଲା । ଚଣ୍ଡୀଗ୍ରନ୍ଥ ହିନ୍ଦୁତନ୍ତ୍ର ପର୍ଯ୍ୟାୟର, ତେଣୁ ବିଲ-ଶାରଳାଙ୍କୁ ହିନ୍ଦୁତାନ୍ତ୍ରିକମାନେ ଉପାସନା କରୁଥିବା ମନେହୁଏ। ଏହି ମୂର୍ତ୍ତି ଭଳି ଦୁଇଟି ବିରାଟ ବିରାଟ ଦୁର୍ଗାମୂର୍ତ୍ତି ଗରାମରେ ଭଗବତୀ ନାମରେ ଓ ତୀର୍ଥମଠର ସଂଗ୍ରହାଳୟରେ ସଂରକ୍ଷିତ । ବିଲଶାରଳା ବା ଶାରଳାଙ୍କ ଠାରୁ ଏହି ଦୁଇଟି ସ୍ଥାନ ଦୁଇକୋଶ ଦୂର ହୋଇପାରେ। ତୀର୍ଥମଠକୁ ସେ ଅଞ୍ଚଳରେ ପରଶୁରାମଙ୍କ ମଠ କୁହାଯାଏ । ସେଠାରେ ମଧ୍ୟ ପରଶୁରାମଙ୍କ ପିତା ମାତା ଜମଦଗ୍ନି ଓ ରେଣୁକାଙ୍କ ମୂର୍ତ୍ତି ରହିଛି । ପରଶୁରାମ ହିନ୍ଦୁ ତନ୍ତ୍ରାଚାର୍ଯ୍ୟ। ଲୋକମାନେ କୁହନ୍ତି ପରଶୁରାମ ପ୍ରଥମେ ଶାରଳାଙ୍କୁ ମାଟି ଭିତରୁ ଉଦ୍ଧାର କରି ଉପାସନା କରିଥିଲେ ଓ ବର ପାଇ ମହେନ୍ଦ୍ର ଯାଇଥିଲେ। ସେ ଯାହାହେଉ ଏହିଭଳି ମୂର୍ତ୍ତିକୁ ହିନ୍ଦୁ ପର୍ଯ୍ୟାୟର ଦୁର୍ଗାଭାବେ ନିଆଯାଇପାରେ । ଯେତେବେଳେ ବୌଦ୍ଧ ବଜ୍ରଯାନୀମାନେ ତନ୍ତ୍ରଦେବତାଙ୍କୁ ଉପାସନା କରି ଅଦ୍ଭୁତ କାର୍ଯ୍ୟମାନ ଦେଖାଇ ଲୋକମାନସକୁ ତାଙ୍କ ଆଡ଼କୁ ଟାଣି ନେଉଥିଲେ, ସେତେବେଳେ ବୈଦିକମାନେ ମଧ୍ୟ ତନ୍ତ୍ରରେ ପ୍ରବେଶ କଲେ। ତନ୍ତ୍ରସାଧନା କରିବାକୁ ହେଲେ ତାନ୍ତ୍ରିକକୁ ମଶାଣିକୁ ଯିବାକୁ ହୋଇଥାଏ ଓ ଶବ, ନରକରୋଟି ଆଦି ସେ ପରମ ପାଥେୟ ରୂପେ ଗ୍ରହଣ କରିଥାଏ । ତେଣୁ ବୈଦିକମାନେ ଏମାନଙ୍କୁ ଘୃଣାଚକ୍ଷୁରେ ଦେଖିଲେ । ସେଥିପାଇଁ ବୋଧେ ତନ୍ତ୍ରଦେବତାଙ୍କ ପୂଜକ ପଣ୍ଡା, ପାଣି, ପାଣିଗ୍ରାହୀ ଆଦି ସଂଖ୍ୟାଧାରୀ ବ୍ରାହ୍ମଣମାନଙ୍କ ସହିତ ଶାସନୀ ବ୍ରାହ୍ମଣମାନେ ବନ୍ଧୁ ବାନ୍ଧୁନଥିଲେ ।


ଓଡ଼ିଶାର ତନ୍ତ୍ରପୀଠଗୁଡ଼ିକୁ ଦେଖିଲେ ମନେହୁଏ, ବଜ୍ରଯାନୀମାନେ ଯେଉଁଠି ଆସନପାତି ତନ୍ତ୍ରଦ୍ୱାରା ଲୋକସମାଜର ଉପକାର କରୁଥିଲେ, ସେଇଠି ହିନ୍ଦୁତାନ୍ତ୍ରିକମାନେ ମଧ୍ୟ ନିଜର ଆସନ ଦୃଢ଼ କରୁଥିଲେ । ଏ ବିଷୟରେ ପୁରୀ ଜିଲ୍ଲାର ବାଣପୁର ଓ ଭଗବତୀଙ୍କୁ ନିଆଯାଇପାରେ । ସେହିଭଳି ପ୍ରାଚୀନଦୀ ଅବବାହିକାରେ ଥିବା ମୋତିଆଦି ଗ୍ରାମରେ ପୂଜା ପାଉଥିବା ଦୁର୍ଗାଙ୍କୁ ଗ୍ରହଣ କରାଯାଇପାରେ । ସେସବୁ ଅଞ୍ଚଳରେ ବୌଦ୍ଧପୀଠର ଯେଉଁଭଳି ନିଦର୍ଶନ ରହିଛି ରହିଛି ସେହିଭଳି ଏବେ ହିନ୍ଦୁତନ୍ତ୍ର ଦେବତାଙ୍କ ମନ୍ଦିର ପରିଦୃଷ୍ଟ ହୁଏ । ଝଙ୍କଡ଼ ପ୍ରଗଣାକୁ ଲାଗି ରହିଥିବା ତିରଣ ପ୍ରଗନାର ଗରାମ ଗ୍ରାମରେ ଯେଉଁ ଭଗବତୀଙ୍କ ମନ୍ଦିର ଅଛି ସେହି ମନ୍ଦିର ସମ୍ମୁଖରେ ପଦ୍ମପାଣି ବୁଦ୍ଧଙ୍କର ଏକ ମୂର୍ତ୍ତି ଅଛି। ତାଙ୍କ ହାତରେ ବୁଦ୍ଧମୁଦ୍ରା,ପଦ୍ମ, ବରମୁଦ୍ରା ଆଦି ରହିଛି। କେବଳ ଏତିକି ନୁହେଁ ଭଗବତୀଙ୍କ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଏକ ଷଡ଼ଭୁଜ ତାରାଙ୍କ ମୂର୍ତ୍ତି ଥିବା ଦେଖାଯାଏ । ତାଙ୍କ ହସ୍ତରେ ଖଡ୍ଗ, ତ୍ରିଶୂଳ, ପଦ୍ମ ଫୁଲ, ଢାଲ, ଧନୁ ଓ ଭୂମିସ୍ପର୍ଶମୁଦ୍ରା ଥିବା ଦେଖାଯାଏ । ତାହା ଯେ ଏକ ବୌଦ୍ଧପୀଠ ଥିଲା ବୋଲି ଏହା ଧାରଣା କରିବା ସ୍ୱାଭାବିକ । ତେନ୍ତୁଳିପଦାର ବିଲ-ଶାରଳାଙ୍କ ମନ୍ଦିରରେ ଗୋଟିଏ ମନସାଦେବୀଙ୍କର ମୂର୍ତ୍ତି ରହିଛି। ବିବାହ ବ୍ରତରେ ଏହି ଅଞ୍ଚଳର କେତେକ ସମ୍ପ୍ରଦାୟ ତାଙ୍କୁ ସ୍ନାନ ମାର୍ଜନା କରିଥାଆନ୍ତି । ମନସା ସର୍ପଙ୍କ ଦେବୀ ତାଙ୍କ ମୁଣ୍ଡ ଉପରେ ସାପ ଫଣାଟେକି ରହିଛି । ଦେବୀଙ୍କ ହାତରେ ଅମୃତ କଳସ। ଏହିଭଳି ମନସା ମୂର୍ତ୍ତି ନିମାପଡାର କୁଶଭଦ୍ରା ନଦୀକୂଳରେ ନାରାୟଣୀ ନାମରେ ଉପାସିତା । ବୈତରଣୀର ଉତ୍ତରକୁ ଆଖୁଆପଦାରେ ମଧ୍ୟ ମନସାଦେବୀଙ୍କ ମୂର୍ତ୍ତି ପୂଜାପାଉଥିବା ଦେଖିବାକୁ ମିଳେ। ସାଧାରଣତଃ ନଦୀକୂଳ ଅଞ୍ଚଳ ବା ସର୍ପ ଉପଦ୍ରବ ଅଞ୍ଚଳରେ ମନସାଦେବୀଙ୍କ ମୂର୍ତ୍ତି ଉପାସିତା । ତନ୍ତ୍ରଗ୍ରନ୍ଥମାନଙ୍କରେ ମନସାଙ୍କ ମନ୍ତ୍ର ତଥା ଉପାସନା ପ୍ରଣାଳୀ ଲେଖା ଅଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ମନସାଙ୍କର ଦ୍ୱିଭୁଜା, ଚତୁର୍ଭୁଜା ଆଦି ମୂର୍ତ୍ତି ଦେଖିବାକୁ ମିଳେ। ଶାରଳାଙ୍କ ମନ୍ଦିର ବର୍ତ୍ତମାନ ଯେଉଁ ଗ୍ରାମରେ ଅଛି ସେ ଗ୍ରାମକୁ କନକପୁର କୁହାଯାଏ। ତାହାର ଅନତି ଦୂରରେ ଅରଡଙ୍ଗ ଗ୍ରାମରେ ଗୋଟିଏ ଅଷ୍ଟଭୁଜା ଚାମୁଣ୍ଡା ମୂର୍ତ୍ତି ଗ୍ରାମଦେବତୀ ରୂପେ ପୂଜାପାଉଛନ୍ତି । ଡଃ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ବିରଜା ବକ୍ତୃତାମାଳା-୧ରେ ଓ ବିଭିନ୍ନ ସ୍ଥାନରେ କହିଛନ୍ତି ଚାମୁଣ୍ଡା ବୌଦ୍ଧଦେବୀ । Budhist Iconographyରେ ଚର୍ଚ୍ଚିକା ଠିକ ଚାମୁଣ୍ଡାଙ୍କ ଭଳି। ଓଡ଼ିଶାର ବହୁ ତନ୍ତ୍ରପୀଠରେ ଚାମୁଣ୍ଡା ପୀଠଦେବୀ ରୂପେ ଆରାଧିତା। ଅସ୍ଥି କଙ୍କାଳସାର ଉପବାସୀ ବୁଦ୍ଧଙ୍କ ସ୍ତ୍ରୀ ରୂପ ଚାମୁଣ୍ଡା। ସାଧାରଣତଃ ଚାମୁଣ୍ଡାଙ୍କ ହସ୍ତରେ ଖଡ୍ଗ, ନରମୁଣ୍ଡ, ଜପମାଳା, ବରମୁଦ୍ରା, ତ୍ରିଶୂଳ, ପାନପାତ୍ର, ଢାଲ, ଅଭୟମୁଦ୍ରା ରହିଥାଏ। ଅରଡଙ୍ଗରେ ଥିବା ଚାମୁଣ୍ଡା ମୂର୍ତ୍ତି ଠିକ୍ ସେହିଭଳି, ସେ ଶବ ଉପରେ ବସିଛନ୍ତି ଓ ଦକ୍ଷିଣ ହସ୍ତରୁ ଝରୁଥିବା ରକ୍ତକୁ ଶିବା ପାନ କରୁଛି। ତାଙ୍କ ଗଳଦେଶରେ ନରମୁଣ୍ଡ ମାଳ। ଶାରଳାଙ୍କ ଠାରୁ ୪/୫ ମାଇଲ ଦୂରରେ କୋଷ୍ଠି ମଲ୍ଲିକାପୁର ଗ୍ରାମ। ଏହି ଗ୍ରାମରେ ଇଶାଣେଶ୍ୱର ମହାଦେବଙ୍କ ମନ୍ଦିର। ଐତିହାସିକ କେଦାରନାଥ ମହାପାତ୍ର ଏହି ମନ୍ଦିରର ମୁଖଶାଳାରେ ଲେଖାହୋଇଥିବା ଶିଳାଲେଖଟିକୁ ପାଠକରି କହନ୍ତି। ଏହା କପିଳେଶ୍ୱର ଦେବଙ୍କ ଶିଳାଲେଖ। ବର୍ତ୍ତମାନ ମନ୍ଦିର ମଧ୍ୟରେ ଶିବଲିଙ୍ଗଟି ନାହିଁ । ଶକ୍ତିପୀଠର ମଧ୍ୟଦେଶରେ ଲିଙ୍ଗ ଥିବାର ପ୍ରମାଣ ରହିଛି। ଖୁବ ସମ୍ଭବତଃ ସପ୍ତଦଶ ଶତାବ୍ଦୀରେ ଧର୍ମାନ୍ଧମାନେ ଲିଙ୍ଗଟିକୁ ଶକ୍ତିଠାରୁ ଭିନ୍ନ କରି ଦେଇଛନ୍ତି । ଏହିଭଳି ଅବସ୍ଥା ବହୁ ଶୈବପୀଠରେ ଦେଖିବାକୁ ମିଳେ। ଫୁଲନଖରା ଛକ ନିକଟରେ ଲକ୍ଷେଶ୍ୱର ମହାଦେବ ଏ ଅବସ୍ଥାରୁ ରକ୍ଷା ପାଇନାହାନ୍ତି । ଏହି ଇଶାଣେଶ୍ୱର ମନ୍ଦିର ନିକଟରେ ଚାମୁଣ୍ଡାଙ୍କର ଏକ ମୂର୍ତ୍ତି ସହିତ ଶବ ଉପରେ ଦଣ୍ଡାୟମାନ ଖଡ୍ଗ, ପଦ୍ମ, ପାନପାତ୍ର ଓ ଛିନ୍ନଶିର ଧାରଣ କରିଥିବା ଗୋଟିଏ ଭୈରବମୂର୍ତ୍ତି ରହିଛି । ତାଛଡା ଶିବ ପାର୍ବତୀଙ୍କର ଗୋଟିଏ ମୂର୍ତ୍ତି ଏଠାରେ ଉପାସିତା ।


ସମଗ୍ର ଓଡ଼ିଶାରେ ଅଷ୍ଟକାଳୀ ବା ଅଷ୍ଟଚଣ୍ଡୀଙ୍କ ଆରାଧନା କଥା କୁହାଯାଇଥାଏ । ସେହିଭଳି ପ୍ରତି ତନ୍ତ୍ର କ୍ଷେତ୍ରରେ ଅଷ୍ଟଦେବୀ ବିରାଜମାନା କରିଥାନ୍ତି। ଶାରଳାଙ୍କ ପୀଠର ଚତୁର୍ଦ୍ଦିଗରେ ଆଉ ସାତ ବା ଆଠଟି ଦେବୀପୀଠର ସନ୍ଧାନ ମିଳେ। ଯେତେବେଳେ ପୀଠଗୁଡ଼ିକ ଗଢିଉଠିଥିଲା, ସେତେବେଳେ ତନ୍ତ୍ରର ଯେଉଁ ରାଜତ୍ୱ ଚାଲିଥିଲା ତାପରେ ଦେଶର ରାଜା ବିମୁଖ ହେବା ଫଳରେ ବହୁ ତନ୍ତ୍ରପୀଠ ବିଲୟ ଲଭିଲାଣି। କେତେକ ମଧ୍ୟ ଅର୍ଦ୍ଦମୃତ ଅବସ୍ଥାରେ ପଡ଼ିରହିଛି । ସେହିଭଳି ଶାରଳାପୀଠର ଅବସ୍ଥା ସପ୍ତମ ଅଷ୍ଟମ ଶତାବ୍ଦୀ ତନ୍ତ୍ରର ସ୍ୱର୍ଣ୍ଣଯୁଗ ଥିଲା। ସେହି ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ତନ୍ତ୍ରପୀଠ ଗଢ଼ିଉଠିଥିବା ଜଣାଯାଏ। ତାପରେ ପ୍ରାୟ ଦ୍ୱାଦଶ ଶତାବ୍ଦୀ ବେଳକୁ ଆସିଥିଲା ବୈଷ୍ଣବମାନଙ୍କ ଯୁଗ । ସେ ସମୟରେ ମଦ୍ୟ-ମାଂସ-ମତ୍ସ୍ଯ-ମୁଦ୍ରା-ମୈଥୁନରେ ଉପାସିତା ଦେବୀମାନେ ବୈଷ୍ଣବ ମତରେ ଆରାଧିତା ହେଲେ । ସେଥିପାଇଁ ସାରଳାଦାସ ତାଙ୍କ ଗ୍ରନ୍ଥର ବିଭିନ୍ନ ସ୍ଥାନରେ ଶାରଳାଙ୍କୁ ପରମ ବୈଷ୍ଣବୀ ବୋଲି କହିଛନ୍ତି। ତାହା ସତ୍ତ୍ୱେ ତାଙ୍କ ଲିଖିତ ମହାଭାରତର ବହୁ ସ୍ଥାନରେ ସେ ଶାରଳାଙ୍କୁ ମଦ ମାଂସରେ ତୃପ୍ତି ବା ଶୋଣିତ ଦର୍ଶନେ ତୃପ୍ତି ବୋଲି ଲେଖିଛନ୍ତି। ସାରଳାଦାସଙ୍କ ସମୟକୁ ଓଡ଼ିଶାର ରାଜା କପିଳେଶ୍ୱର ବା କପିଳେନ୍ଦ୍ର ଶକ୍ତିଙ୍କ ମହାତ୍ମ୍ୟ ଉପଲବ୍ଧି କରିଥିବା ଇତିହାସରୁ ଦେଖାଯାଏ। ସେଥିପାଇଁ କବି ସାରଳା ଦେବୀ ଶାରଳାଙ୍କ ଅନୁଗ୍ରହରୁ ଶକ୍ତିକୁ ମୂଳ କରି ଗ୍ରନ୍ଥ ରଚନା କରିଗଲେ। ମାତ୍ର ତାଙ୍କର କିଛି ବର୍ଷ ପରେ ଚୈତନ୍ୟଙ୍କ ଆଗମନ ଫଳରେ ଶକ୍ତିକୁ ମୂଳ କରି ତନ୍ତ୍ରୋପାସନା ପୁଣି ପଛେଇଗଲା। ଭାରତର ମୂଳ ତନ୍ତ୍ରଭୂମି ଓଡ଼ିଶା ହୋଇଥିଲେ ମଧ୍ୟ ଲୋକେ ତାହା ଭୁଲିଗଲେ। ଶେଷ ତନ୍ତ୍ରଭୂମି କାମରୂପ ଓଡ଼ିଆଙ୍କ ପାଖରେ ସର୍ବଶ୍ରେଷ୍ଠ ବୋଲି ଧାରଣା ହେଲା। ତନ୍ତ୍ରପୀଠମାନଙ୍କରେ ତନ୍ତ୍ରାଚାର୍ଯ୍ୟଙ୍କ ବଂଶଧର ଯେଉଁ ରାଉଳ, ଭୋପା, ମାଳିମାନେ ତନ୍ତ୍ରଦେବୀଙ୍କୁ ପୂଜା କରୁଥିଲେ, ସେମାନେ ବିପଥଗାମୀ ହୋଇ ସାଧନାକୁ ଭୁଲିଗଲେ। ତନ୍ତ୍ରପୋଥିଗୁଡ଼ିକ ମଧ୍ୟ କୀଟଦଂଷ୍ଟ୍ର ହୋଇ ନଷ୍ଟ ହୋଇଗଲା। କେବଳ ରହିଲା କେତେକଙ୍କ ପାଖରେ କିଛି ଟୁଣୁକାଟୁଣୁକ ମନ୍ତ୍ର। ତାହା ମଧ୍ୟ ସାଙ୍କର୍ଯ୍ୟ ଦୋଷରେ ନିଷ୍ଫଳ ହେବାକୁ ଲାଗିଲା । ଶିକ୍ଷାୟତନ, ଆଚାର୍ଯ୍ୟ ନ ରହିଲେ ବିଦ୍ୟାର ଅବସ୍ଥା ଯାହାହୁଏ ଆଜି ଓଡ଼ିଶାରେ ତନ୍ତ୍ରର ଅବସ୍ଥା ସେହିଭଳି ହୋଇଛି। କେବଳ ବୈଷ୍ଣବ ପରମ୍ପରା ଛଡ଼ା ଶୈବ, ଶାକ୍ତାଦି ପରମ୍ପରା ଆଉ ନାହିଁ। କେବଳ ଅସୁବିଧାରେ ପଡ଼ି ବିଶ୍ୱାସ ନେଇ ଲୋକେ ଶକ୍ତି ମନ୍ଦିରକୁ ଯାଉଛନ୍ତି ତାହାହିଁ ଶାରଳାପୀଠର ଅବସ୍ଥା [୧]

ମା ଶାରଳାଙ୍କ ପୀଠର ବିଶେଷତ୍ଵ[ସମ୍ପାଦନା]

ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ଠାରେ ବୈଷ୍ଣବ ଓ ଶାକ୍ତ ସଂସ୍କୃତିର ସମନ୍ୱୟ ଦେଖିବାକୁ ମିଳେ । ଏହି ମନ୍ଦିରରେ ମା’ଙ୍କ ପୂଜାରେ ବେଲପତ୍ର ଓ ତୁଳସୀ ପତ୍ର ବ୍ୟବହୃତ ହୁଏ, ଯାହା କି ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନାହିଁ , କାରଣ ବେଲପତ୍ର ଓ ତୁଳସୀ ପତ୍ର ହିନ୍ଦୁଧର୍ମରେ ଦୁଇଟି ଭିନ୍ନ ସଂସ୍କୃତିର ପ୍ରତୀକ ଅଟନ୍ତି । ଦେବୀଙ୍କ ପ୍ରତିମା ଗଠନକୁ ଦେଖିଲେ, ମନେହୁଏ ବୌଦ୍ଧ ତାନ୍ତ୍ରିକ ପ୍ରତିମୂର୍ତ୍ତି ହୋଇଥାଇ ପାରେ । କାରଣ ଦେବୀ ହାତରେ ବୀଣା ଓ ଘଣ୍ଟି ଧରିଛନ୍ତି; ଯାହାକି ମହାଯାନର ପ୍ରତୀକ ରୂପେ ବିଦିତ । ଚୀନ ପରିବ୍ରାଜକ ହୁଏନ୍‌ସାଂ ଓଡ଼ିଶା ଆସିଥିଲେ, ଚେଲିତାଲେ ବନ୍ଦରରୁ ଏକ ଜାହାଜ ନେଇ ଶ୍ରୀଲଙ୍କା ଯାଇଥିଲେ ଯାହାକୁ ଐତିହାସିକମାନେ ବର୍ତ୍ତମାନର ତିର୍ତ୍ତୋଲ ବୋଲି ଅଭିହିତ କରନ୍ତି । ସମ୍ଭବତଃ ଏହା ହୋଇପାରେ, ଭୌଗଳିକ ଅବସ୍ଥିତି ଅନୁସାରେ ପାରାଦ୍ୱୀପ ଏକ ଦ୍ୱୀପ ଥିଲା ଏବଂ ଅଞ୍ଚଳଟି ଭିତର ଓ କୁଜଙ୍ଗ ଚାରିପାଖ ସମୁଦ୍ର/ନଦୀ ଜଳରେ ବୁଡି ରହିଥିଲା । ଭୌଗଳିକ ତଥ୍ୟ ଏହାକୁ ସମର୍ଥନ କରେ । ନିଶ୍ଚିତ ରୂପେ କୁହାଯାଇ ପାରେ, ମା’ଶାରଳା ଶିବ-ଶକ୍ତି ଉପାସନାକୁ ପ୍ରତିପାଦିତ କରନ୍ତି ଯାହା ଶୈବ ଓ ଶାକ୍ତ ଧର୍ମର ସମ୍ମିଶ୍ରଣରୁ ଆନୀତ କିମ୍ବା ଆଉ ତନ୍ତ୍ର ରୂପରେ । ମା’ଶାରଳାଙ୍କୁ ବାକ୍ ଦେବୀ କୁହାଯାଏ, ଯିଏ ବିଦ୍ୟା ଓ ବୁଦ୍ଧିର ଦେବୀ । ବର୍ଣ୍ଣିତ ଅଛି ଯେ, ସିଦ୍ଧେଶ୍ୱର ପରିଡା ଜଣେ ସାମାନ୍ୟ କୃଷକ ଓ ସାମୟିକ ଭାବେ ଓଡ଼ିଆ ପାଇକ ମା’ଙ୍କର ପରମ ଭକ୍ତ ଥିଲେ; ତାଙ୍କରି ଆର୍ଶିବାଦ ଯୋଗୁଁ ସିଦ୍ଧେଶ୍ୱର ପରିଡା ସାରଳା ଦାସ ହେଲେ, ଯିଏ ଓଡ଼ିଆ ମହାଭାରତର ରଚୟିତା । ଲୋକକଥା ଅନୁସାରେ, ହଜାର ହଜାର ବର୍ଷ ପୂର୍ବେ ପର୍ଶୁରାମଙ୍କ ସମୟର କଥା । କୁହାଯାଏ, ଭଗବାନ୍ ପର୍ଶୁରାମ ତୀରମୁନରେ ଦେବୀଙ୍କୁ ଆଙ୍କିଥିଲେ । ଏପରିକି ମନ୍ଦିରଟି କଳାଚାନ୍ଦ(କଳାପାହାଡ)ର ଧ୍ୱଂସ ସାଧନରୁ ବର୍ତ୍ତିଯାଇ ଥିଲା । ନୂଆ ମନ୍ଦିରଟି ୫୦୦ବର୍ଷ ତଳର, ଯାହାକୁ ମଣିଜଙ୍ଗାର ରାଜାଙ୍କ ଦ୍ୱାରା ନିର୍ମିତ କରାଯାଇଛି । ପୁରୁଣା ମନ୍ଦିରର ଅବଶେଷ ଆଉ ଦେଖିବାକୁ ମିଳେନାହିଁ; ଲୋକକଥା ଅନୁସାରେ ତାହା ବଡ଼ ସାରୋଳଠାରେ ଥିଲା, ଯେଉଁ ସ୍ଥାନରେ ଗଣେଶ ମନ୍ଦିର ସାକ୍ଷୀ ରୂପେ ଦଣ୍ଡାୟମାନ, ସେଠାରେ ଏକଦା ପୁରୁଣା ମନ୍ଦିରଟି ଥିଲା । ଲୋକମାନେ ତାହାକୁ ନଣ୍ଡା ଦେଉଳ କହନ୍ତି, ତାହାକୁ ଏବେ ନବୀକରଣ କରାଯାଇଛି । ମନ୍ଦିରରେ ଅନେକଗୁଡିଏ ଉତ୍ସବ ପାଳନ କରାଯାଏ, ମୁଖ୍ୟପର୍ବ ଗୁଡିକ ହେଲା: ପାର୍ବଣ, ଶାରଦୀୟ ଉତ୍ସବ, ପଣା ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା ଆଉ ଚନ୍ଦନ ଯାତ୍ରା । କେନ୍ଦ୍ରାପଡା, ଜଗତସିଂହପୁର ଓ କଟକର ଲୋକମାନଙ୍କର ମା’ଶାରଳା ଏତେ ଆଦରଣୀୟ ଯେ ଅନ୍ତତଃ ବର୍ଷକୁ ଥରେ ମନ୍ଦିର ଦର୍ଶନ କରିବାକୁ ମନ ବଳାଇ ଥାନ୍ତି । ଐତିହାସିକ ତଥ୍ୟ ଅନୁଯାୟୀ, ବିଶ୍ୱାସ କରାଯାଏ ଯେ ଏହି ପ୍ରସିଦ୍ଧ ସାରୋଳା ଚଣ୍ଡିବାସ ମନ୍ଦିର ଅଷ୍ଟମ ଶତାବ୍ଦୀରେ ଭୌମବଂଶର ରାଜତ୍ୱ କାଳରେ ସାରୋଳ ଗ୍ରାମରେ ନିର୍ମିତ ହୋଇଥିଲା । ୧୫୬୮ ଖ୍ରୀଷ୍ଟାବ୍ଦର ଶେଷ ହିନ୍ଦୁ ଶାସନ ପର୍ଯ୍ୟନ୍ତ ମା’ଶାରଳା ଏହି ମନ୍ଦିରରେ ପୂଜା ପାଉଥିଲେ । ଇତିହାସ, ସଂସ୍କୃତି, କିମ୍ବଦନ୍ତୀ ଓ ସାହିତ୍ୟ ସାରୋଳା ଗ୍ରାମରେ ସାରୋଳା ଚଣ୍ଡୀ ରହିଥିବାର ମୁକସାକ୍ଷୀ ଥିଲେ । ଭାଙ୍ଗିଯାଇ ଥିବା ମନ୍ଦିର ପାଖରେ ଏକ ବୃହତ ପୁଷ୍କରଣୀ ଥିଲା ଓ ଏହାର ଚାରିପାଖରେ ସମସ୍ତ ପ୍ରକାର ପୂଜକ(ପୂଜାପଣ୍ଡା, ନିୟୋଗୀ, ରାଉଳ, ସେବକ ଓ ମାଳି ଇତ୍ୟାଦି) ବାସ କରୁଥିଲେ । ଆଉମଧ୍ୟ ସେଠାରେ ଗୋଟିଏ ବୃହତ ବରଗଛ ଥିଲା, ଓଡ଼ିଆ ମହାଭାରତରେ ‘ନୀଳକଳ୍ପବଟ’ ରୂପେ ବର୍ଣ୍ଣିତ ହୋଇଛି, ତାହା ୧୯୯୯ ମସିହା ମହାବାତ୍ୟାରେ ଉପୁଡି ପଡ଼ିଲା । ଅଷ୍ଟମ ଶତାବ୍ଦୀର ଭୌମବଂଶର ଶାସନ ସମୟରେ ମନ୍ଦିରଟି ସ୍ଥାପିତ ହୋଇଥିଲା; ୧୫୬୮ ଖ୍ରୀଷ୍ଟାବ୍ଦୀର ଶେଷ ହିନ୍ଦୁଶାସନ ପର୍ଯ୍ୟନ୍ତ ସମୃଦ୍ଧିଲାଭ କରିଥିଲା । କିମ୍ବଦନ୍ତୀ ରୂପେ ଯାହାକୁ ଐତିହାସିକ ତଥ୍ୟ ସମର୍ଥନ କରେ, ୧୫୬୮ ଖ୍ରୀଷ୍ଟାବ୍ଦରେ, ବଙ୍ଗଦେଶ ସୁଲତାନ ସୁଲେମାଙ୍କରନିଙ୍କର ସେନାପତି କଳାପାହାଡ ମୁସଲମାନ ସୈନ୍ୟମାନଙ୍କ ସହିତ ସାରୋଳା ଗ୍ରାମରେ ଥିବା ସାରୋଳା ଚଣ୍ଡୀଙ୍କ ଆଦିପୀଠକୁ ଆକ୍ରମଣ କଲେ, ଏହାର ଅତି ପ୍ରସିଦ୍ଧ ଶକ୍ତିପୀଠକୁ ଆଂଶିକଭାବେ ନଷ୍ଟ କରିଦେଲେ । ଠିକ୍ ଶହେବର୍ଷ ପରେ, ମୋଗଲ ଶାସକ ଔରାଙ୍ଗଜେବଙ୍କ ଶାସନ ସମୟରେ ସାରୋଳା ଗ୍ରାମରେ ଥିବା ପୁରୁଣା ମନ୍ଦିରକୁ ନଷ୍ଟକରି ଦିଆଯାଇଥିଲା ଏବଂ ମନ୍ଦିରର ପଶ୍ଚିମ ପଟକୁ କିଛି ମିଟର ଦୂରରେ ଏକ ମସଜିଦ ନିର୍ମିତ କରାଯାଇ ଥିଲା । ବର୍ତ୍ତମାନ ନଷ୍ଟହୋଇ ଯାଇଥିବା ମନ୍ଦିରରେ ଶାରଳା ମନ୍ଦିର ଟ୍ରଷ୍ଟର ପୃଷ୍ଟପୋଷକତାରେ ଗଣେଶଙ୍କୁ ଦେବୀଙ୍କ ମୂଖ୍ୟପୂଜକଙ୍କ ପୂଜା କରାଯାଉଛି । ଉକ୍ତ ମନ୍ଦିରକୁ ୧୯୮୨ ମସିହାରେ ନୂତନଭାବେ ନିର୍ମାଣ କରାଯାଇଛି । ବିଧି ସମ୍ବଳିତ କିଛି ପ୍ରମୁଖ ଉତ୍ସବଗୁଡିକ ମଧ୍ୟ ପୁରୁଣା ପୀଠରେ ବର୍ଷକୁ ତିନିଥର ପାଳନ କରାଯାଏ । ପ୍ରାଚୀନ ବିଧିକୁ ଉଜ୍ଜିବିତ କରିବା ଉଦ୍ଦେଶ୍ୟରେ ଶାରଳାଙ୍କ ଚଳନ୍ତିବିଗ୍ରହକୁ ସୁସଜ୍ଜିତ ପାଲିଙ୍କିରେ ବର୍ତ୍ତମାନର ମନ୍ଦିରରୁ ସାରୋଳା ଗ୍ରାମକୁ ବର୍ଷକୁ ସାତଥର ଅଣାଯାଏ । ଦେବୀପ୍ରତିମାଙ୍କୁ ବିଧିପୂର୍ବକ ଭାବେ ପୁରୁଣା ବେଦୀ ଉପରେ ସ୍ଥାପିତ କରାଯାଏ, ଯେଉଁଠାରେ ସେ ଶତାବ୍ଦୀ ଶତାବ୍ଦୀ ଧରି ପୂଜା ପାଇ ଆସୁଥିଲେ । ଦଶହରା ଉତ୍ସବର ଅନ୍ତିମ ବିଧି ହୋଇଥିବା ଯୋଗୁଁ ସେଠାରେ ଏକ ବୋଦାକୁ ପଞ୍ଚଉପଚାର ପୂଜା ମାଧ୍ୟମରେ ପାରମ୍ପରିକଭାବେ ବଳିଦିଆଯାଏ । ମହାବିଷୁବ ପଣା ସଂକ୍ରାନ୍ତି ମଧ୍ୟାହ୍ନରେ ମହାନ ଉତ୍ସବ ଝାମୁଯାତ୍ରା ହୁଏ; ରାଉଳମାନେ ନିଆଁ ଉପରେ ଚାଲନ୍ତି ଆଉ ପଣ୍ଡା ପୂଜକଙ୍କ ଦ୍ୱାରା ଦେବୀଙ୍କୁ ପଇଡ ଅର୍ପଣ କରାଯାଏ । ଦୋଳପୂର୍ଣ୍ଣିମାର ଭୋର ସମୟରେ ସୁସଜ୍ଜିତ ବିମାନଗୁଡିକରେ ବିଗ୍ରହଗୁଡିକ ଆଖପାଖ ଅଞ୍ଚଳରୁ ଆସି ଦେବୀଙ୍କ ସହ ସମ୍ମିଳିତ ହୁଅନ୍ତି । ଏହି ଚିତାକର୍ଷକ ଉତ୍ସବ ବଡ ଧୁମଧାମରେ ପାଳନ କରାଯାଏ । ଏହି ନିର୍ଦ୍ଦିଷ୍ଟ ଉତ୍ସବରେ, ଯେତେବେଳେ ଦେବୀ ଶାରଳାଙ୍କୁ ଅନ୍ୟ ବିଗ୍ରହମାନଙ୍କ ସହିତ ପୂଜା କରାଯାଏ, ମା ଶାରଳାଙ୍କୁ ସୂଚିତ ହୁଅନ୍ତି ଯେ ସେ ବୈଦିକ,ତାନ୍ତ୍ରିକ ବିଧିର ସମ୍ମିଶ୍ରଣ ଓ ପରମ ବୈଷ୍ଣବୀ । ବର୍ତ୍ତମାନର ମନ୍ଦିରଟି ମରହଟ୍ଟା ଶାସନ କାଳରେ ୧୭୫୩ ଓ ୧୮୦୩ ମସିହା ମଧ୍ୟରେ ନିର୍ମିତ ହୋଇଥିଲା । ମରହଟ୍ଟା ସୁବେଦାରମାନେ ବର୍ତ୍ତମାନର ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ/ନେତୃତ୍ୱ ନେଇଥିଲେ ଏବଂ କୁଜଙ୍ଗ, କନିକା, ବେନପୁର ଓ ହରିଶପୁରମାନଙ୍କର ସ୍ଥାନୀୟ ରାଜାମାନଙ୍କୁ ଏଥିପାଇଁ ସାହାଯ୍ୟ କରିଥିଲେ । ବର୍ତ୍ତମାନର ମନ୍ଦିରଟି କନକପୁର ଗ୍ରାମର ଝଙ୍କଡ ପ୍ରଗଣା (କନକବାଟି ପାଟଣା)ରେ ଅବସ୍ଥିତ ।

କିମ୍ବଦନ୍ତୀ[ସମ୍ପାଦନା]

ତ୍ରେତୟା ଯୁଗରେ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମ ତୀର୍ଥ ପର୍ଯ୍ୟଟନରେ ବାହାରିଲେ, ଉଦ୍ଦେଶ୍ୟ ଥିଲା ଯିବାବାଟରେ ମାତୃତୀର୍ଥ ସ୍ଥାପନ କରିବା । ସ୍ଥାନରୁ ସ୍ଥାନ ଭ୍ରମଣ କରୁଥିବା ସମୟରେ ସେ ଚନ୍ଦ୍ରଭାଗା ନଦୀ ନିକଟରେ ପହଞ୍ଚିଲେ, ନଦୀରେ ବୁଡ ପକାଇ ଏକ ବରଗଛ ମୂଳରେ ବିଶ୍ରାମ ନେଲେ । ଯେତେବେଳେ ଧ୍ୟାନରେ ବସିଲେ, ଏକ ଶକ୍ତି ଲୁକ୍ କାୟିତ ଥିବାର ସେ ଜାଣିବାକୁ ପାଇଲେ ଏବଂ ଆତ୍ମପ୍ରକାଶ କରିବାକୁ ଚାହୁଁଛି । ଏହାପରେ ପର୍ଶୁରାମ ଏକ ପରଶମଣି ଶିଳା ଯାହା ଅଦ୍ ଭୁତ ଚକ୍ ମକ୍ ଉଜ୍ଜଳ ମୁଗୁନିପଥର, ମାଟିତଳୁ ଉଦ୍ଧାର କଲେ । ଦେବୀଙ୍କ ଦିବ୍ୟ ପ୍ରତିକୃତି ତୀର ଦ୍ୱାରା ଆଙ୍କିଲେ । ସେଇସ୍ଥାନରେ କିମ୍ବଦନ୍ତୀ ବର୍ଣ୍ଣିତ ଭେଟିଥିବା ବରଗଛ ‘ଭେଟବର’ ଅଛି । ଝଙ୍କାର ବା ଝଙ୍କଡ଼ ନାମ ଭାଷା ଜନିତ ଶବ୍ଦ ଯାହା ଦିବ୍ୟ ପଥରକୁ ପର୍ଶୁରାମଙ୍କ ତୀର ସ୍ପର୍ଶ ଦ୍ୱାରା ସୃଷ୍ଟି ହେଉଥିବା ସମ୍ମୋହନଜନକ ଝଙ୍କାର ବା ପ୍ରତିଧ୍ୱନି ସୃଷ୍ଟି ହେଉଥିଲା । କିମ୍ବଦନ୍ତୀ ଅନୁଯାୟୀ, ପର୍ଶୁରାମ ଶରରେ ଦେବୀଙ୍କ ପ୍ରତିକୃତି ଖୋଦିତ କରିଥିବାରୁ ଦେବୀଙ୍କ ଅନ୍ୟନାମ ସାରଦା । ଅନ୍ୟଏକ ଜନଶ୍ରୁତି ଅନୁସାରେ ପର୍ଶୁରାମ ବହୁ ତୀର୍ଥକୁ ପର୍ଯ୍ୟଟନ କରି ପବିତ୍ର ନଦୀମାନଙ୍କରେ ସ୍ନାନ କରିଥିଲେ । ଚନ୍ଦ୍ରଭାଗା ନଦୀରେ ସ୍ନାନ କରିବାକୁ ଯିବା ସମୟରେ ନିଜର ଧନୁଟିକୁ ଏକ ବଟବୃକ୍ଷ ମୂଳରେ ଡେରି ଦେଇଥିଲେ । ସ୍ନାନରୁ ଫେରିଆସି ସେ ଆଶ୍ଚର୍ଯ୍ୟ ହେଲେ । କାରଣ ତାଙ୍କ ଧନୁର ଗୁରୁତା ଯୋଗୁଁ ସର୍ବତ୍ର ସେ ମାଟି ସ୍ଖଳନ ହେବାର ଦେଖିଥିଲେ । କିନ୍ତୁ ସେଠାରେ କିଛି ସେମିତି ଘଟିଲା ନାହିଁ । ସେହିସ୍ଥାନର କିଛି ମହାତ୍ମ୍ୟ ଥିବାର ମନେକରି ମାଟି ଖନନ କଲେ ଓ ଏକ ପଥର ଖଣ୍ଡରେ ଏକ ଶକ୍ତିମୟୀଙ୍କ ମୂର୍ତ୍ତି ଅଙ୍କନ ହୋଇଥିଲା । ସେହି ଦେବୀ ମୂର୍ତ୍ତିଙ୍କୁ ସେଠାରେ ସ୍ଥାପନା କଲେ । [୨] ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଉକ୍ତସ୍ଥାନ ଓ ପ୍ରତିମୂର୍ତ୍ତି, ଦେବୀପୁରାଣ ଆଉ ଅନ୍ୟ ପୌରାଣିକ ଗ୍ରନ୍ଥରେ ବର୍ଣ୍ଣିତ ଦକ୍ଷଯଜ୍ଞ ସମ୍ପର୍କୀତ ଅଟେ, ଦକ୍ଷକନ୍ୟା ଆଦିଶକ୍ତି ସତୀ, ପ୍ରଭୁଶିବଙ୍କ ପତ୍ନୀ ଯଜ୍ଞରେ ପିତା ଦକ୍ଷଙ୍କର ଶିବଙ୍କ ପ୍ରତି ନିନ୍ଦା ସହିନପାରି ଆତ୍ମବିସର୍ଜନ କଲେ। ଗଭୀର ଦୁଃଖ ଓ ଅନୁତାପରେ , ଶିବ ସତୀଙ୍କ ଶରୀରକୁ କାନ୍ଧରେ ପକାଇ ଅବିଶ୍ରାନ୍ତ ଭାବେ ଇତସ୍ତିତ ଘୁରି ବୁଲିଲେ । ଶିବଙ୍କ କ୍ରୋଧକୁ ଯାହା ଜନସମାଜ ପାଇଁ କ୍ଷତିକାରକ ହୃଦୟଙ୍ଗମ କରି ବିଷ୍ଣୁ ଚକ୍ର ଦ୍ୱାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ । ତାଙ୍କର ଶରୀରର ଅଂଶଗୁଡ଼ିକ ୫୧ସ୍ଥାନରେ ପଡ଼ିଲା, ପ୍ରତ୍ୟେକ ସ୍ଥାନ ହେଲା ପବିତ୍ରସ୍ଥାନ ଆଉ ଶକ୍ତିପୀଠ । କିମ୍ବଦନ୍ତୀ ଅନୁସାରେ ନାଭି ପଡ଼ିଥିଲା ଯାଜପୁରରେ, ଯେଉଁଠି ବିରଜା ପୂଜା ପାଉଛନ୍ତି ତାହା ନାଭିକ୍ଷେତ୍ର ରୂପେ ବିଦିତ । ପାଦ ଶ୍ରୀକ୍ଷେତ୍ରରେ ପଡ଼ିଥିଲା, ଯେଉଁଠାରେ ବିମଳା ପୂଜା ପାଉଛନ୍ତି ତାହା ପାଦପୀଠ ରୂପେ ଖ୍ୟାତ ଏବଂ ଜିଭ ଝଙ୍କଡ଼ରେ ପଡ଼ିଥିଲା ଯାହା ଜିହ୍ନା ବା ବାଣୀପୀଠ ରୂପେ ଖ୍ୟାତ । ତେଣୁ ଦେବୀ ଶାରଳାଙ୍କୁ ମଧ୍ୟ ‘ଉତ୍କଳ ଭାରତୀ’ କହାଯାଏ ।

ଦେବୀପୀଠରେ ତନ୍ତ୍ର ସଂସ୍କୃତି[ସମ୍ପାଦନା]

ଓଡ଼ିଆ ମହାଭାରତରେ ବର୍ଣ୍ଣନା କରାଯାଇଛି ଯେ ଦେବୀ ଶାରଳା ସାରୋଳ ଚଣ୍ଡୀ ରୂପରେ ୧୫୦୦ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରସିଦ୍ଧ ଥିଲେ । ଚଣ୍ଡୀ ବା ସପ୍ତସତୀ ମାର୍କଣ୍ଡେୟ ପୁରାଣରେ ବ୍ରାହ୍ମଣ ସମ୍ପ୍ରଦାୟଙ୍କ ଶାକ୍ତ ତନ୍ତ୍ରବିଦ୍ୟା ବୋଲି ବର୍ଣ୍ଣିତ ଅଛି । ବିଦ୍ୟମାନତା ଓ ଦେବୀ ଶାରଳାଙ୍କର ସଂସ୍କୃତି ମାର୍କଣ୍ଡେୟ ଋଷିଙ୍କ ରଚିତ ସପ୍ତସତୀ ଚଣ୍ଡୀରୁ ଆସିଛି । ଗ୍ରନ୍ଥର ବର୍ଣ୍ଣନା ଅନୁସାରେ ଦେବୀ ଲାଭ କରିଛନ୍ତି ଶିବଙ୍କ ତ୍ରିଶୂଳ, ବିଷ୍ଣୁଙ୍କ ଚକ୍ର, ବାୟୁଙ୍କ ଧନୁ, ସୂର୍ଯ୍ୟଙ୍କ ତୀର, ବିଶ୍ୱକର୍ମାଙ୍କ କୁରାଢ଼ୀ, ଇନ୍ଦ୍ରଙ୍କ ବଜ୍ର, ଐରାବରର ଘଣ୍ଟି ଓ ହିମବାନଙ୍କ ସିଂହ । ଦେବୀ ଶାରଳାଙ୍କ ପ୍ରତିମାଙ୍କର ଏହାକୁ ମୁଖ୍ୟ ଉତ୍ସ ରୂପେ ଗ୍ରହଣ କରାଯାଏ । ମନ୍ଦିର ଭିତରେ ଶ୍ରୀଚଣ୍ଡୀଙ୍କର ପବିତ୍ର ଶ୍ଳୋକ ପାଠ କରିବା ଏକ ଅତ୍ୟନ୍ତ ପବିତ୍ର କର୍ମ ଅଟେ । ମା’ଙ୍କ ପାଖରେ ସବୁଦିନ ପବିତ୍ର ଶ୍ଳୋକ ପାଠ କରିବା କେବଳ ଏକ ମୁଖ୍ୟକର୍ମ ନୁହେଁ, ବରଂ ଏହା ଭକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରେ । କେଉଁ ଆବାହମାନ କାଳରୁ ରୀତିନୀତିରେ ତନ୍ତ୍ରପାଠ ଚାଲିଆସୁଛି, ଯାହାକି ନିଃସନ୍ଦେହରେ ପ୍ରମାଣ କରେ ଏହା ଏକ ମହାନ ଶାକ୍ତ ତନ୍ତ୍ରପୀଠ । ପଣ୍ଡା ପୂଜକଙ୍କ ଦ୍ୱାରା ପଞ୍ଚ ‘ମ’କାର ପୂଜା କର୍ମ ପ୍ରାତ୍ୟହିକ ପୂଜାକର୍ମରେ ଦେଖାଯାଏ, ଯେଉଁଥିରେ ନୈବେଦ୍ୟରେ ନଡ଼ିଆ ପାଣି, ବିରି ତିଆରି ପିଠା ଓ ବିଭିନ୍ନ ପ୍ରକାର ଅନ୍ନ ଅର୍ପଣ କରାଯାଏ । ଏହି ପୂଜାକର୍ମଗୁଡ଼ିକ ତନ୍ତ୍ରର ପଞ୍ଚ ‘ମ’କାର ପ୍ରତିରୂପ । ରାଉଳ (ମାଙ୍କର ଶୁଦ୍ରସେବକ )ଙ୍କ ଦ୍ୱାରା ପରିବେଷଣ କରାଯାଉ ଥିବା ଘଟନୃତ୍ୟ ଆଉଏକ ତନ୍ତ୍ରପୂଜା କର୍ମ ଅଟେ । ରାଉଳକୁ ଓଡ଼ିଆ ମହାଭାରତରେ ‘ମହାଗୁଣିଆ’ ରୂପେ ବର୍ଣ୍ଣନା କରାଯାଇଛି । ଏକ କାଠଦଣ୍ଡ ଉପରେ ଜଳପୂର୍ଣ୍ଣ ଘଟ ଫୁଲରେ ସଜ୍ଜିତ ହୋଇଥାଏ, ରାଉଳ ଶାଢ଼ୀ, ଖଡ଼ୁ, ପାହୁଡ, ସିନ୍ଦୂର, କଜ୍ଜଳ ଓ ବିଭିନ୍ନ ପ୍ରକାର ଅଳଙ୍କାରରେ ସଜେଇ ହୋଇଥାଏ । ପୌରାଣିକ ବର୍ଣ୍ଣନା ଅନୁସାରେ , ନିଜକୁ ମନୋରମଭାବେ ସଜେଇ ହୋଇ ଘଟକୁ ମୁଣ୍ଡାଇ କୌଣସି ସହାୟତା ବିନା ସେ ଢଳି ଢଳି ନାଚ କରେ । ରାଉଳର ନୃତ୍ୟଭଙ୍ଗୀ ଦେବୀଙ୍କର ଇଛାରେ ହୁଏ ବୋଲି ମନେକରାଯାଏ ।ଏହି ରୀତି ଶାକ୍ତତନ୍ତ୍ରର ଏକ ପ୍ରାଚୀନ ପ୍ରଥା ବୋଲି ଜଣାଯାଏ ଯାହାକୁ ବିଭିନ୍ନ ଶକ୍ତିପୀଠରେ ଆଦରି ନିଆଯାଇଛି । ଦଶହରାର ମହାଷ୍ଟମୀ ସନ୍ଧି ପୂଜା ଉପଲକ୍ଷେ ପଶୁବଳି ଦିଆଯାଏ(ଯାହା ବହୁଦିନରୁ ବନ୍ଦ କରାଯାଇଛି), ଏହା ଏକ ଶାକ୍ତ ତନ୍ତ୍ରପୀଠ ବୋଲି ପ୍ରମାଣ ଦିଏ ଯଦିଓ ଏବେ ଆଉ ଏହା ପ୍ରଚଳିତ ରୀତିନିତିରେ ପରିଦୃଷ୍ଟ ହୁଏନାହିଁ । ମୁଖ୍ୟ ବା ଧ୍ରୁବବିଗ୍ରହରୁ ସ୍ପଷ୍ଟଭାବେ ଜଣାପଡ଼େ ପ୍ରତିମା ମାତଙ୍ଗୀ ଓ ମହିଷାମର୍ଦ୍ଦିନୀର ସମ୍ମିଶ୍ରଣ ।

ଆଧାର[ସମ୍ପାଦନା]

  1. ଶ୍ରୀଯୁକ୍ତ ଗଣେଶ ପ୍ରସାଦ ପରିଜା, ଓଡ଼ିଶାର ତନ୍ତ୍ର ସଂସ୍କୃତି, ପୃଷ୍ଠା- ୧୭୨- ୧୮୩, ISBN- 81- 7586- 019-7
  2. ଶ୍ରୀ ବିଷ୍ଣୁପ୍ରସାଦ ବାହାଲିଆ, ଓଡ଼ିଶାର ଦେବଦେବୀ, ପୃଷ୍ଠା- ୩୭୭

ବାହାର ତଥ୍ୟ[ସମ୍ପାଦନା]