ବିରଜା ମନ୍ଦିର
|
|
This article may require cleanup to meet Wikipedia's quality standards. Please improve this article if you can. The talk page may contain suggestions. |
| ବିରଜା ମନ୍ଦିର | |
|---|---|
|
|
|
| ଦିଗବାରେଣି: | 20°50′1.55″N 86°20′17.32″E / 20.8337639°N 86.3381444°E |
| ଅବସ୍ଥାନ | |
| ଦେଶ: | ଭାରତ |
| ରାଜ୍ୟ: | ଓଡ଼ିଶା |
| ଜିଲ୍ଲା: | ଯାଜପୁର |
ବିରଜା ମନ୍ଦିର (ଓଡ୍ଡ୍ୟାଣ ପୀଠ ବା ଉଡ୍ଡୀୟାନ ତନ୍ତ୍ରପୀଠ) ଓଡ଼ିଶାର ଯାଜପୁର ଜିଲ୍ଲାର ଏକ ପୁରାତନ ଦେବୀ ମନ୍ଦିର । ଏହା ଭାରତରେ ବିରଜା କ୍ଷେତ୍ର ନାମରେ ଜଣା । ଏହି ସହରଟି ଭୁବନେଶ୍ୱର ଠାରୁ ୧୨୫ କିମି ଦୁର ରେ ଅବସ୍ଥିତ । ଏଠାରେ ଦେବୀ ଦ୍ୱିଭୁଜା ଦୁର୍ଗା ରୂପରେ ପୂଜା ପାନ୍ତି । ଏହି ଦେବୀଙ୍କ ଗୋଟିଏ ହାତରେ ଶୂଳ ଏବଂ ଅନ୍ୟ ହାତରେ ମହିଷାସୁରର ଲାଙ୍ଗୁଳ ଶୋଭା ପାଏ । ଏଠାରେ ମହିଷାସୁର ମଇଁଷି ରୂପରେ ଖୋଦିତ ଯାହା ଭାରତରେ ବାକି ଜାଗାମାନଙ୍କରେ ଦେଖିବାକୁ ମିଳିନଥାଏ । ଦେବୀ ନିଜ ମୁକୁଟରେ ଗଣପତି, ଶିବଲିଙ୍ଗ, ଯୋନି, ନାଗରାଜ ଏବଂ ଅର୍ଦ୍ଧଚନ୍ଦ୍ର ଧାରଣ କରି ଅଛନ୍ତି । ସ୍କନ୍ଦ ପୁରାଣ (ଉତ୍କଳ ଖଣ୍ଡ) ଅନୁସାରେ ଏହି ବିରଜା କ୍ଷେତ୍ର ସମସ୍ତ ରଜୋଗୁଣକୁ ଧୋଇ ପକାଉଥିବାରୁ ଏହାର ନାମ ବିରଜା କ୍ଷେତ୍ର ହୋଇଅଛି । କେତେକ ତନ୍ତ୍ର ଗ୍ରନ୍ଥ ଅନୁସାରେ ଦକ୍ଷ ଯଜ୍ଞ ସମୟରେ ମାତା ସତୀଙ୍କ ନାଭି ଏହି ଉତ୍କଳସ୍ଥ ବିରଜା କ୍ଷେତ୍ର ରେ ପଡିଥିଲା ଏବଂ ନାଭି ଦେଶ ରେ ନାରୀ ମାନେ ପିନ୍ଧୁଥିବା ଓଡ଼ିଆଣୀ ବା କଟିସୂତ୍ର ଅନୁସାରେ ଏହି ପୀଠ ର ନାମ ଓଡ୍ଡିୟାଣ ପୀଠ ହୋଇଅଛି, ଏବଂ ଏହି ପ୍ରଦେଶ ର ନାମ ଓଡ୍ର ଦେଶ ହୋଇଅଛି।[ଆଧାର ଲୋଡ଼ା]
ବିଷୟସୂଚୀ |
ତାନ୍ତ୍ରିକ ଏବଂ ପୌରାଣିକ ପୃଷ୍ଠଭୂମି [ସମ୍ପାଦନା]
ବ୍ରହ୍ମଯାମଳ ତନ୍ତ୍ର ଅନ୍ତର୍ଗତ ଆଦ୍ୟା ସ୍ତୋତ୍ର ଅନୁସାରେ:
"ରାମେଶ୍ୱରୀ ସେତୁବନ୍ଧେ ବିମଳା ପୁରୁଷୋତ୍ତମେ
ବିରଜା ଓଡ୍ର ଦେଶେ ଚ କାମାଖ୍ୟା ନୀଳ ପର୍ବତେ"
ଅର୍ଥାତ୍ ସେତୁବନ୍ଧ ରେ ଦେବୀ ରାମେଶ୍ୱରୀ, ପୁରୁଷୋତ୍ତମ କ୍ଷେତ୍ର ରେ ବିମଳା, ଓଡ୍ର ଦେଶ ରେ ସେ ବିରଜା, ପୁନଶ୍ଚ ନୀଳପର୍ବତ ରେ କାମାଖ୍ୟା ରୂପରେ ବିଦିତା। ପୁନଶ୍ଚ ତନ୍ତ୍ର ଚୂଡାମଣି ଅନୁସାରେ ଉତ୍କଳ ଦେଶରେ ହିଁ ସତୀଙ୍କ ନାଭି ପତିତ ହୋଇଥିଲା ।[ଆଧାର ଲୋଡ଼ା]
"ଉତ୍କଳେ ନାଭିଦେଶଶ୍ଚ ବିରଜା କ୍ଷେତ୍ରମୁଚ୍ୟତେ ବିରଜା ଭୈରବୀ ୟତ୍ର ଯଜ୍ଞକୋଳସ୍ତୁ ଭୈରବ"
ଆଦି ଶଙ୍କର କୃତ ଶକ୍ତିପୀଠ ସ୍ତବ ରେ ଭାଗବତ୍ପାଦ ବର୍ଣ୍ଣନା କରିଛନ୍ତି:
"ଉଜ୍ଜୟିନ୍ୟା ମହାକାଳୀ ପୀଠିକାୟମ୍ ପୁରୁହୁତିକା
ଓଡ୍ଡ୍ୟାଣେ ଗିରିଜା ଦେବୀ ମାଣିକ୍ୟ ଦକ୍ଷବାଟିକେ"
ଏଠାରେ ବର୍ଣ୍ଣିତ ଗିରିଜା ଦେବୀ ଆଜିକାର ବିରଜା ଦେବୀ ଏହା ନିଃସନ୍ଦେହ । ବର୍ତ୍ତମାନ ର ମନ୍ଦିର ତ୍ରୟୋଦଶ ଶତାବ୍ଦୀ ର ହେଲେ ହେଁ ଏହି ପୀଠ ଟି ଗୁପ୍ତ ଯୁଗର ବୋଲି ଅନେକ ଗବେଷକ ମତ ଦେଇଥାନ୍ତି । ଭାରତ ର ମୁଖ୍ୟ ଚାରୋଟି ତନ୍ତ୍ରପୀଠ ମଧ୍ୟରେ ବିରଜା ମନ୍ଦିର ଆସିଥାଏ,ସେଗୁଡିକ ହେଲା-କାମଗିରି(କାମାଖ୍ୟା),ଜାଳନ୍ଧର,ଓଡ୍ଡୀୟାନ,ପୂର୍ଣ୍ଣଗିରି । ମା ବିମଳା ଓ ମା ବିରଜା ଏକ ଶକ୍ତି ବୋଲି କଥିତ ହୁଅନ୍ତି,ବିରଜାମନ୍ଦିର ଠାରୁ ପୁରୁଷୋତ୍ତମ ଜଗନ୍ନାଥ କ୍ଷେତ୍ର ଯାଏଁ ସ୍ଥାନ ବିରଜମଣ୍ଡଳ ବୋଲି କଥିତ ।
ନୀତି ନିର୍ଘଣ୍ଟ [ସମ୍ପାଦନା]
ମନ୍ଦିର ରେ ସୁଚାରୁ ରୂପ ରେ ଦୈନିକ ପୁଜା ଉପଚାର ଆଦି ପ୍ରାତଃ କାଳ ରୁ ରାତ୍ର ୧୦ ଘଟିକା ଯାଏ ପାଳନ ହୋଇଥାଏ । ପ୍ରତ୍ୟହ ଦେବୀ ଷୋଡଶଉପଚାରରେ ସକାଳ, ମଧ୍ୟାହ୍ନ ଏବଂ ସାୟଂ କାଳରେ ପୂଜିତା ହୁଅନ୍ତି । ଦେବୀଙ୍କ ସମସ୍ତ ଉତ୍ସବ ମଧ୍ୟରେ ଶାରଦୀୟ ଷୋଡଶ ଦିନାତ୍ମକ ରହସ୍ୟ ଦୁର୍ଗା ପୂଜା ଏବଂ ଶାକ୍ତ ରଥଯାତ୍ରା ପ୍ରସିଦ୍ଧ । ଏହା ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ରୁ ଆରମ୍ଭ ହୋଇ ଶୁକ୍ଲପକ୍ଷ ଦଶମୀ ପର୍ଯ୍ୟନ୍ତ ଚାଲେ । ଏହି ସମୟ ରେ ଅର୍ଦ୍ଧରାତ୍ରୀ ସମୟରେ ମହାନିଶା ପୂଜା ଅନୁଷ୍ଠିତ ହୋଇଥାଏ ଏବଂ ଦିବସ ସମୟ ରେ ମା' ସିଂହଧ୍ୱଜ ରଥରେ ବସି ରଥଯାତ୍ରା କରନ୍ତି । ମା' ବିରଜା ଉତ୍କଳ ଶ୍ରୌତ ବ୍ରାହ୍ମଣ ମାନଙ୍କ ଦ୍ୱାରା ମହିଷାମର୍ଦିନୀ ଏବଂ ବନଦୁର୍ଗା ରୂପରେ ପୂଜା ପାନ୍ତି । ଏତଦ୍ ବ୍ୟତୀତ ପ୍ରଥାମାଷ୍ଟମୀ, ରଜ ସଂକ୍ରାନ୍ତି, କୁମାର ପୁନେଇ , ମାଘ ଅମାବାସ୍ୟା(ଯାହା ବିରଜା ଜନ୍ମୋତ୍ସବ ରୁପେ ପାଳିତ ହୁଏ) ,ସାବିତ୍ରୀ ଅମାବାସ୍ୟା ଆଦି ପର୍ବ ମଧ୍ୟ ବହୁ ଆନନ୍ଦ ଉଲ୍ଲାସ ସହକାରେ ପାଳିତ ହୋଇଥାଏ ।
ମା ବିରଜାଙ୍କ ରଥଯାତ୍ରା [ସମ୍ପାଦନା]
ଆଶ୍ୱିନ ଶୁକ୍ଳ ପ୍ରତିପଦ ଦିନ ରଥ ପ୍ରତିଷ୍ଠା ପର୍ବ ଅନୁଷ୍ଠିତ ହୁଏ । ମହାପାର୍ବଣରେ ମାଙ୍କୁ ସୁସଜ୍ଜିତ ରଥରେ ପରିକ୍ରମଣ କରାଯାଏ । ତା ପୂର୍ବରୁ ଦେବୀଙ୍କ ରୌପ୍ୟ ଆଶାଦଣ୍ଡ ରଥ ମଣ୍ଡପକୁ ବିଜେ କରନ୍ତି । ସେଠାରେ ଗଣପତି ଓ ଦଶଦିଗପାଳଙ୍କ କଳସ ସ୍ଥାପନ କରାଯାଇ ପୂଜା କରାଯାଇଥାଏ । ଏହି ରଥର ନାମ ସିଂହଧ୍ୱଜ । ନବଦିବସ ବ୍ୟାପି ପ୍ରତିଦିନ ଅପରାହ୍ନରେ ଏହା ମନ୍ଦିର ପରିକ୍ରମଣ କରେ । ଏହାକୁ କୃଷ୍ଣ, ଲୋହିତ ଓ ଶ୍ୱେତବସ୍ତ୍ର ଆବରଣରେ ସୁସଜ୍ଜିତ କରାଯାଏ । ରଥର ଉଚ୍ଚତା ୪୫ ହାତ ୧୨ ଆଙ୍ଗୁଳି । ରଥର ସାରଥି ଚତୁର୍ମୁଖ ବ୍ରହ୍ମା, ରଥର ରଜୁର ନାମ ସ୍ୱର୍ଣ୍ଣ ଚୂଡ଼ ଓ ଶଙ୍ଖ ଚୁଡ଼ । ଏଥିରେ ଦୁଇଟି ଅଶ୍ୱ ଧାବମାନ ମୁଦ୍ରାରେ ସୁସଜ୍ଜିତ । ଏହି ଦିବ୍ୟ ରଥରେ ରଥାରୁଢ଼ା ହୋଇ ମା ନଅ ଥର ବେଢ଼ା ପରିକ୍ରମଣ କରନ୍ତି ।[୧]
ନାଭି ଗୟା [ସମ୍ପାଦନା]
ବାମନ ପୁରାଣ ଅନୁସାରେ ବ୍ରହ୍ମା ପାଞ୍ଚଗୋଟି ସ୍ଥାନ ରେ ଅଶ୍ୱମେଧ ଯଜ୍ଞ କରିଥିଲେ । ସେଥିମଧ୍ୟରୁ ଉତ୍ତର ବେଦୀ କୁରୁକ୍ଷେତ୍ର(ହରିୟାଣା), ପଶ୍ଚିମ ବେଦୀ ପୁଷ୍କର(ରାଜସ୍ଥାନ), ଦକ୍ଷିଣ ବେଦୀ ବିରଜା ମଣ୍ଡଳ(ଉତ୍କଳସ୍ଥ), ପୁର୍ବ ବେଦୀ ଗୟା(ବିହାର), ମଧ୍ୟ ବା ଅନ୍ତରବେଦୀ ପ୍ରୟାଗ (ଆଲ୍ଲାବାଦ) ଠାରେ ଅବସ୍ଥିତ । ଆହୁରି ମଧ୍ୟ ବାୟୁ ପୁରାଣ ଅନୁସାରେ ବିଷ୍ଣୁ ଭଗବାନ ଗୟାସୁରକୁ ପାଦତଳେ ସ୍ଥାପିବା ବେଳେ ତାହାର ନାଭି ବିରଜା ମଣ୍ଡଳରେ ପଡ଼ିଥିଲା ଏବଂ ପାଦ ଆନ୍ଧ୍ର ପ୍ରଦେଶର ପିଠାପୁରମ୍ ସ୍ଥାନ ରେ ପଡିଥିଲା । ଏବେ ବିରଜା ମନ୍ଦିର ପରିସର ମଧ୍ୟରେ ନାଭି ଗୟା କୂପ ଅଛି, ଯେଉଁଠାରେ ପୁତ୍ରମାନେ ସେମାନଙ୍କ ଦିବଙ୍ଗତ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପିଣ୍ଡ ଦାନ କରିଥାନ୍ତି ।
ଆଧାର [ସମ୍ପାଦନା]
- ↑ ଅଭିମତ, ପ୍ରଗତିବାଦୀ, ୧୬ଅକ୍ଟୋବର ୨୦୧୧, ପୃଷ୍ଠା-୧୪
ଅଧିକ ତଥ୍ୟ [ସମ୍ପାଦନା]
|
|||||||||||
|
|||||||||||||||||