ଦୁର୍ଗା

ଉଇକିପିଡ଼ିଆ ରୁ
ଦୁର୍ଗା
ଦୁର୍ଗତିନାଶିନୀ ମା
ସଂସ୍କୃତ ଅନୁବାଦ Durgā
ଉପାଧି ଦେବୀ
ବାସସ୍ଥାନ କଦମ୍ବ ବଣ, (କଦମ୍ବ ଗଛ),ବିନ୍ଧ୍ୟ ପର୍ବତ
ମନ୍ତ୍ର ଓଁ ଦୁମ୍ ଦୁର୍ଗାୟୈ ନମଃ
ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ
ଅସ୍ତ୍ର ତ୍ରିଶୂଳ, ଖଣ୍ଡା, ନାଗପାଶ, ଶଙ୍ଖ, ଚକ୍ର, ଗଦା, ଅଙ୍କୁଶ, ଧନୁ, ବାଣ
ସାଥି ଶିବ
ବାହନ ସିଂହ

ମହାମାୟୀ ଦୁର୍ଗା ସମଗ୍ର ଦେବକୁଳର ସର୍ବୋତ୍ତମ ଅସ୍ତ୍ରଗୁଡିକର ଅଧିକାଅରିଣୀ । ସେ ମଧ୍ୟ ସେସବୁ ଅସ୍ତ୍ରର ପ୍ରୟୋଗକାରିଣୀ । ପଶୁରାଜ ସିଂହ ଦୁର୍ଗାଙ୍କ ବାହାନ । ତାଙ୍କ ଅଙ୍ଗଭୂଷଣ ତଥା ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି ବିଷଧର ନାଗକୁଳ । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ‘ଚଣ୍ଡୀ’ରେ କୁହାଯାଇଛି ଭଗବତୀ ଚଣ୍ଡିକା ମହାମାୟା ଏବଂ ସନାତନୀ ଦେବୀ ହେଇଥିଲେ ହେଁ ବିଶ୍ଵର କଲ୍ୟାଣ ପାଇଁ ସେ ବାରମ୍ବାର ଆବିର୍ଭୂତା ହୋଇଥାନ୍ତି । ପ୍ରତ୍ୟେକ ମନୁଷ୍ୟର ଶରୀରରେ ଆଦ୍ୟାଶକ୍ତି କୁଳକୁଣ୍ଡଳିନୀ ରୂପେ ବିରାଜିତା । ସୃଷ୍ଟିର ପ୍ରଥମ ଉଚ୍ଚାରଣ ମା’ । ସେ ଗର୍ଭଧାରିଣୀ ଲାଳନପାଳନ କର୍ତ୍ତ୍ରୀ ତଥା ତ୍ୟାଗ,ଦୟା,ଦୟା, କ୍ଷମା ଓ ମମତାର ପ୍ରତୀକାତ୍ମକ ରୂପ । ମା’ଙ୍କର ଉପାସନା ଇତିହାସର ବର୍ଗବନ୍ଧନୀଠାରୁ ମଧ୍ୟ ବହୁ ପୁରାତନ । ଆଦ୍ୟାଶକ୍ତି ଭାବେ ସେ ସର୍ବଶକ୍ତିମୟୀ।[୧]

ବିଷୟସୂଚୀ

ଦୁର୍ଗା ଶବ୍ଦ [ସମ୍ପାଦନା]

ଦୁର୍ଗା ଶବ୍ଦର ବିବିଧ ବିଶ୍ଳେଷଣ କରାଯାଇଛି।ସେଥିରୁ ଗୋଟିଏ ହେଉଛି ଦ+ଉ+ର+ଗ+ଆ । ‘ଦ’ ର ଅର୍ଥ ଦୈତ୍ୟ ବିନାଶ ପାଇଁଯିଏ ଉଦ୍ଦିଷ୍ଟ, ଉ-ସମସ୍ତ ବାଧାଦାୟକ ଶକ୍ତି ଦୂର କରିବାରେ ଯିଏ ସମର୍ଥ, ର- ସମସ୍ତ ରୋଗର ଯିଏ ବିନାଶକାରୀ, ଗ-ସକଳ ପାପର ଯିଏ କ୍ଷୟକାରୀ, ଆ-ସମସ୍ତ ଭୟର ଯେ ହରଣକାରୀ । ଅନ୍ୟ ଏକ ଶବ୍ଦିକ ବିଶ୍ଳେଷଣ ହେଉଛି ଦୁର୍ଗ+ଆ।ଦୁର୍ଗର ଅର୍ଥ ବିପଦ ବା ଦୁର୍ଗତି, ଆ ଅର୍ଥ ନଷ୍ଟ କରିବା ।[୨]

ପୌରାଣିକ [ସମ୍ପାଦନା]

ମହିଷାସୁରମର୍ଦିନୀ ମା’ ଦୁର୍ଗାଙ୍କର ବିଜୟ ଗାଥାର ନିଦର୍ଶନ ଦେବୀ ଭାଗବତ, ମାର୍କଣ୍ଡେୟ ପୁରାଣ ଆଦି ରେ ବର୍ଣିତ। ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ। ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶିର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ।ସମସ୍ତ ଦେବତା ଯେବେ ମହିଷାସୁର ର ଅତ୍ୟାଚାର ରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବ ଙ୍କ ପରାମର୍ଶ ରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମ ରେ ଯଜ୍ଞକୁଣ୍ଡ ରୁ ମାୟା ବୀଜ ଦ୍ବାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟିତା ହେଲେ। ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷ ରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ।ଯୁଦ୍ଧ ରେ ଦେବୀ ବିଡାଳାକ୍ଷ, ଅସିଲୋମା, ମହାହନୁ ଆଦି ମହିଷାସୁର ର ଅନେକ ମୁଖ୍ୟ ସେନାପତି ମାନଙ୍କୁ ବଧ କଲେ। ଅନ୍ତିମ ରେ ମହିଷାସୁର ନିଜର ମାୟାବୀ ଶକ୍ତି ଦ୍ଵାରା ମହାମାୟା ଙ୍କ ଉପରେ ଆକ୍ରମଣ କଲା, ଦେବୀ କ୍ଳାନ୍ତ ହୋଇପଡିବାରୁ ମହଦେବ ତାଙ୍କୁ ମଧୁ ପାନ କରିବାକୁ ଦେଇଥିଲେ। ଦେବୀ ପୁନଶ୍ଚ ଯୁଦ୍ଧ ରେ ନିମଗ୍ନା ହେଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳ ଦ୍ଵାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗ ଦ୍ଵାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀ ର ସନ୍ଧିକ୍ଷଣ, ତେଣୁ ଏହିସମୟ ରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାହୁଏ । ତ୍ରେତା ଯୁଗ ରେ ରାବଣ କୁ ପରାସ୍ତ କରିବାହେତୁ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ଵିନରେ ଏହି ପୂଜା କରିଥିଲେ, ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ଵିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟ ରେ ଦେବୀଙ୍କ ମହାପୂଜା ପ୍ରଚଳିତ । ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ, ଏହା ଦେବତାମାନଙ୍କ ଦ୍ଵାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକ ର ପରମ୍ପରା କୁ ସୂଚାଏ ।[୩]

ଦଶ ମହାବିଦ୍ୟା [ସମ୍ପାଦନା]

ଉପରେ ବାମରୁ: କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ଵରୀ ଓ ଭୈରବୀ,
ତଳେ ବାମରୁ: ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା

ଦୁର୍ଗାଙ୍କର ବିଦ୍ୟାରୂପୀ ଦଶଶକ୍ତି ନିରୂପଣ କରାଯାଇଛି ଆଗମ ଶାସ୍ତ୍ରରେ । ସେହି ଦଶ ମହାବିଦ୍ୟା ହେଉଛନ୍ତି - କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ଵରୀ, ଭୈରବୀ,ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା[୪] ଏହାମଧ୍ୟରେ କାଳୀ, ତାରା, ଛିନ୍ନମସ୍ତା, ଧୂମାବତୀ ଉଗ୍ରା, ତଥା ବଗଳା, ଭୈରବୀ ସୌମ୍ୟୋଗ୍ର ମହାବିଦ୍ୟା ଏବଂ ଷୋଡ଼ଶୀ, ଭୁବନେଶ୍ଵରୀ, କମଳା, ମାତଙ୍ଗୀ ସୌମ୍ୟ ମହାବିଦ୍ୟା ରୂପେ ପରିଚିତା । ସୌମ୍ୟ ମହାବିଦ୍ୟାଙ୍କୁ ଶ୍ରୀସୁନ୍ଦରୀ କୁଳରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଉଗ୍ର, ସୌମ୍ୟୋଗ୍ର ମହବିଦ୍ୟାଙ୍କୁ କାଳୀ କୁଳରେ ଅନ୍ତର୍ଭୁକ୍ତ କରାହୋଇଛି । ଶ୍ରୀସୁନ୍ଦରୀ ଦେବୀ ମାନଙ୍କ ଆରଧନା ଗୃହ ମଧ୍ୟରେ ହେଉଥିଲାବେଳେ କାଳୀକୁଳ ଦେବୀମାନଙ୍କ ଉପାସନା ଶ୍ମଶାନ, ବଣ, ନଦୀତଟ ଆଦି ନିର୍ଜନ ସ୍ଥାନରେ ହୋଇଥାଏ, ତଥା ସୌମ୍ୟୋଗ୍ର ବିଦ୍ୟା ଉଭୟ ସ୍ଥାନରେ ଉପାସିତା ହୁଅନ୍ତି ।[୫]

ଦୁର୍ଗାଙ୍କ ଭୁଜ ବୈଶିଷ୍ଟ୍ୟ[୬] [ସମ୍ପାଦନା]

ମନ୍ଦିରମାଳିନୀ ଓଡ଼ିଶା ସାରା ବିଶ୍ୱରେ ମୂର୍ତ୍ତି ନିର୍ମାଣ କ୍ଷେତ୍ରରେ ପ୍ରମୁଖ ସ୍ଥାନ ଗ୍ରହଣ କରୁଥିବା ବେଳେ ମନ୍ଦିର ଗାତ୍ର ହେଉ ବା ମନ୍ଦିର ବକ୍ଷରେ ହେଉ ବିଭିନ୍ନ ଦେବଦେବୀ ବିଭିନ୍ନ ରୂପରେ ପୂଜା ପାଉଥିବା ଦେଖା ଯାଏ I ସେହିପରି ଦୁର୍ଗାଙ୍କୁ ଦଶଭୁଜା ବୋଲି କୁହାଯାଉଥିଲେ ମଧ୍ୟ ବହୁ ମନ୍ଦିରରେ ତାଙ୍କୁ ବିଭିନ୍ନ ରୂପରେ ଦେଖିବାକୁ ମିଳିଥାଏ I କେଉଁଠି ଦ୍ୱିଭୁଜା ଆକାରରେ ତ କେଉଁଠି ଚତୁର୍ଭୁଜା ରୂପରେ I କେଉଁଠି ଷଡଭୁଜା ତ କେଉଁଠି ଅଷ୍ଟଭୁଜା I ଏପରିକି ଅଷ୍ଟାଦଶ ଭୁଜା ସମ୍ପନ୍ନ ଦେବୀ ମଧ୍ୟ କେତେକ ସ୍ଥାନରେ ଦୃଶ୍ୟ ହୁଅନ୍ତି I ଦୁର୍ଗା ମୂର୍ତ୍ତିର ବିଭିନ୍ନ ରୂପ ସମ୍ପର୍କରେ ଆଲୋକପାତ କରିବା ପୂର୍ବରୁ ପ୍ରଥମେ ଏହା ଠାବ କରାହୁଏ ପ୍ରାଚୀନ ସିନ୍ଧୁ ସଭ୍ୟତାରେ ମାଟି ନିର୍ମିତ ମୂର୍ତ୍ତିରୁ I ଖ୍ରୀ.ପୂ. ଦ୍ୱିତୀୟ-ପ୍ରଥମ ଶତାବ୍ଦୀର ଯେଉଁ ମୂର୍ତ୍ତି ଆବିଷ୍କାର କରାଯାଇଛି ସେଥିରେ ଜଣେ ନାରୀ ଗୋଟିଏ ମହିଷକୁ ବଧ କରିବା ଦେଖାଯାଇଛି I ତେବେ ବର୍ତ୍ତମାନର କଳା କୌଶଳ ସମ୍ପନ୍ନ ଦୁର୍ଗା ମୂର୍ତ୍ତି ସାଧାରଣତଃ ଖ୍ରୀ.ଅ.୪ର୍ଥ- ୫ମ ଶତାବ୍ଦୀରୁ ହିଁ ଦେଖାଯାଏ I

ଦ୍ୱିଭୁଜା [ସମ୍ପାଦନା]

ଓଡ଼ିଶାର ସର୍ବପ୍ରାଚୀନ ଦୁର୍ଗା ମୂର୍ତ୍ତି ହେଉଛନ୍ତି ଯାଜପୁରର ବିରଜା ମୂର୍ତ୍ତି I ସମୁଦ୍ରଗୁପ୍ତଙ୍କ ଦକ୍ଷିଣ ଭାରତ ବିଜୟ ବେଳେ ଉତ୍ତର ଭାରତର କାନ୍ୟକୁବ୍ ଜ ମାନେ ଆସି ଯାଜପୁରରେ ବାସ କରୁଥିଲେ I ସେହିସମୟରେ ଏହି ମୂର୍ତ୍ତିକୁ ଏଠାରେ ଅବସ୍ଥାପିତ କରାଯାଇଥିବା ଜଣାଯାଏ I ଏଠାରେ ଦୁର୍ଗା ଦ୍ୱିଭୁଜା ସମ୍ପନ୍ନ ଏବଂ ମୁକୁଟରେ ସନ୍ନିବେଶିତ ହୋଇଥିବା ପଞ୍ଚଦେବତା ହେଉଛନ୍ତି ଗଣେଶ, ଶଚ୍ଛିଚକ୍ର ସହ ଶିବଲିଙ୍ଗ, ନାଗ ଓ ଚନ୍ଦ୍ର I ମାହଙ୍ଗାର ଶୁକ୍ଳେଶ୍ୱର ମନ୍ଦିର, ଟାଙ୍ଗୀର ଚଣ୍ଡେଶ୍ୱର ମନ୍ଦିର, ଭୁବନେଶ୍ୱରର ଭଗ୍ନ ବୁଦ୍ଧନାଥ ମନ୍ଦିରରେ ଦ୍ୱିଭୁଜା ଦୁର୍ଗା ଦେଖିବାକୁ ମିଳେ I ମହିଷ ରୂପରେ ଥିବା ଅସୁରର ଶରୀର ସାଧାରଣତଃ ଶୈଳୋଦ୍ ଭବ ରାଜତ୍ୱ ସମୟରେ ଅର୍ଥାତ ୬ଷ୍ଠ – ୮ମ ଶତାବ୍ଦୀରେ ଦେଖାଯାଇଥିଲା I ପରେ ଏହି ରୂପ ଅଧିକାଂଶ ଜାଗାରେ ଦେଖିବାକୁ ମିଳିଥିଲା I କେତେକ କ୍ଷେତ୍ରରେ ଛିନ୍ନମସ୍ତକ ମହିଷ ଶରୀରରୁ ମନୁଷ୍ୟରୂପୀ ଅସୁରର ଆବିର୍ଭାବ ଭୁବନେଶ୍ୱରର କେତେକ ମନ୍ଦିରରେ ଦେଖାଯାଏ I ଏହିପରି ଏକ ମୂର୍ତ୍ତି ଲିଙ୍ଗରାଜ ମନ୍ଦିରରେ ରହିଛି I ନିଆଳିର ଶୋଭନେଶ୍ୱର, ଅଡଶପୁର, ମାହାଙ୍ଗାର ଶୁକ୍ଳେଶ୍ୱର, ଗଞ୍ଜାମର ବଡଗାଁ ଆଦି ମନ୍ଦିରରେ ଏହି ଧରଣର ମୂର୍ତ୍ତି ଦେଖାଯାଏ ।

ଚତୁର୍ଭୁଜା [ସମ୍ପାଦନା]

ଦୁର୍ଗାଙ୍କ ହସ୍ତ ସଂଖ୍ୟା ବୃଦ୍ଧି ଏକ ଉଲ୍ଲେଖନୀୟ ବିଷୟ ହେଲେ ବି ଏହା ଉପରେ ବିଶେଷ ଗବେଷଣା ହୋଇନାହିଁ I ଚତୁର୍ଭୁଜସମ୍ପନ୍ନ ଦୁର୍ଗାମୂର୍ତ୍ତି ଭୁବନେଶ୍ୱର ଲକ୍ଷ୍ମଣେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର, କୋଣାର୍କ ନିକଟସ୍ଥ ବୟାଳିଶିବାଟୀର ଗଙ୍ଗେଶ୍ୱରୀ ମନ୍ଦିରରେ ଦେଖାଯାଏ I ଚତୁର୍ଭୁଜ ମୂର୍ତ୍ତିରେ ଦେବୀ ମୁଖ୍ୟ ଦୁଇ ହସ୍ତରେ ତ୍ରିଶୂଳକୁ ସଳଖ ଭାବେ ଅସୁର ବକ୍ଷରେ ଭେଦ କରୁଥିବା ଦେଖାଯାଏ I ଚତୁର୍ଭୁଜା ବିଗ୍ରହ ଖୋର୍ଦ୍ଧା ନିକଟସ୍ଥ ବଳପୁରରେ ଶୋଭାପାଉଛି I ଭୁବନେଶ୍ୱରର ମେଘେଶ୍ୱର ଓ ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିରରେ ଚତୁର୍ଭୁଜା ଦୁର୍ଗାମୂର୍ତ୍ତି ରହିଛି I ଢେଙ୍କାନାଳର କପିଳାସରେ ଥିବା ମହିଷମର୍ଦ୍ଦିନୀ ଶଙ୍ଖ, ଚକ୍ର, ତ୍ରିଶୂଳ ଧାରଣ କରିଥିବା ଚତୁର୍ଭୁଜା ବକ୍ର ଭଙ୍ଗୀରେ ଠିଆ ହୋଇଥିବା ବେଳେ ଏହା ୧୪ଶ ଶତାବ୍ଦୀରେ ନିର୍ମିତ ବୋଲି କୁହାଯାଏ I

ଷଡ଼ଭୁଜା [ସମ୍ପାଦନା]

ଖ୍ରୀଷ୍ଟାବ୍ଦ ୬ଷ୍ଠ – ୮ମ ଶତବ୍ଦୀରେ ଷଡଭୁଜା ଦୁର୍ଗା ନିର୍ମିତ ହୋଇଥିଲା ବୋଲି କୁହଯାଏ I ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିରରେ ଏହିପରି ଏକ ମୂର୍ତ୍ତି ଦେଖାଯାଏ । ଭୁବନେଶ୍ୱରର ଉତ୍ତରେଶ୍ୱର ଓ ବିନ୍ଦୁସାଗର ନିକଟସ୍ଥ ମନ୍ଦିରରେ ଏହିଧରଣର ମୂର୍ତ୍ତି ଦେଖିବାକୁ ମିଳେ I ମହାନଦୀ ଟାପୁରେ ଥିବା ସିଂହନାଥ ମନ୍ଦିର ଗାତ୍ରରେ ମଧ୍ୟ ଏହିପରି ଏକ ମୂର୍ତ୍ତି ରହିଛି I

ଅଷ୍ଟଭୁଜା [ସମ୍ପାଦନା]

ଖ୍ରୀଷ୍ଟାବ୍ଦ ୮ମ – ୯ମ ଶତାବ୍ଦୀରେ ଅଷ୍ଟଭୁଜା ଦୁର୍ଗା ମୂର୍ତ୍ତିର ପ୍ରସାର ହୋଇଥିଲା ଏବଂ ଅନେକ ମନ୍ଦିରରେ ଏହିଧରଣର ମୂର୍ତ୍ତି ସ୍ଥାନ ପାଇଥିଲା I ଭୁବନେଶ୍ୱରର ଚାମୁଣ୍ଡାଦେବୀ ମନ୍ଦିର, ବୈତାଳ ଦେଉଳରେ ଏହି ମୂର୍ତ୍ତି ଦେଖାଯାଏ I ଏହାର ଉତ୍ତର ପାର୍ଶ୍ୱବାଡରେ ପାର୍ଶ୍ୱଦେବୀ ଭାବେ ସ୍ଥାନିତ ଏହିପ୍ରକାର ମୂର୍ତ୍ତିଟି ଅତ୍ୟନ୍ତ ଶ୍ରେଷ୍ଠ ବୋଲି କୁହାଯାଏ I ଅଷ୍ଟଭୁଜର ଦକ୍ଷିଣହସ୍ତରେ ଖଡ୍ଗ, ଚକ୍ତ, ତ୍ରିଶୂଳ ଆଦି ର୍ହିଥିବା ବେଳେ ବାମହସ୍ତରେ ଢାଲ, ଧନୁ, ସର୍ପ ଆଦି ରହିଛି I ପ୍ରାଚୀନଦୀ ଅବବାହିକାର ଅସ୍ତରଙ୍ଗ, ମୋଟିଆ, କୋଣାର୍କ, ବାଲେଶ୍ୱରର ଶେରଗଡ, ଢେଙ୍କାନାଳର କୁଆଳୋ ଆଦି ଗ୍ରାମର ମନ୍ଦିରରେ ଏହି ଧରଣର ମୂର୍ତ୍ତି ରହିଛି I

ଦଶଭୁଜା [ସମ୍ପାଦନା]

ଖ୍ରୀଷ୍ଟାବ୍ଦ ୧୦ମ ଶତାବ୍ଦୀରୁ ଦଶଭୁଜା ମୂର୍ତ୍ତିର ପ୍ରସାର ଆରମ୍ଭ ହୋଇଥିଲା ଏବଂ ଏହି ମୂର୍ତ୍ତି ଓଡିଶାର ବହୁ ସ୍ଥାନରେ ଦେଖାଯାଏ I ଶିଶିରେଶ୍ୱର ମନ୍ଦିର ଜଗମୋହନ ମଧ୍ୟରେ ଏହିପରି ଏକ ମୂର୍ତ୍ତି ରହିଥିବା ବେଳେ କ‌ଳାରାହଙ୍ଗ ଗ୍ରାମର ଜଳେଶ୍ୱର ମନ୍ଦିର ମୂର୍ତ୍ତିଟି ଏହି ଧରଣର I ପ୍ରାଚୀନଦୀ ଅବବାହିକାରେ ଏହି ଧରଣର ମୂର୍ତ୍ତି ବହୁଳ ମାତ୍ରାରେ ଦେଖାଯାଏ I କଟକର ଶୁକ୍ଳେଶ୍ୱର, ନିଆଳିର ଶୋଭନେଶ୍ୱର, ବାଲେଶ୍ୱରର ଦାଦପୁର, ଶେରଗଡ, କଟକର ବଟେଶ୍ୱର, ମହାନଦୀ କୂଳ ସିଂହନାଥ ଓ ବୈଦ୍ୟେଶ୍ୱରରେ ଏହି ଧରଣର ମୂର୍ତ୍ତି ରହିଛି I

ଦ୍ୱାଦଶଭୁଜା [ସମ୍ପାଦନା]

ଓଡିଶାରେ ଦ୍ୱାଦଶଭୁଜ ବିଶିଷ୍ଟ ଦୁର୍ଗା ମୂର୍ତ୍ତି ଖୁବ କମ ଦେଖିବାକୁ ମିଳେ I ଏହିମୂର୍ତ୍ତିଗୁଟିକ ସାଧାରଣତଃ ଖ୍ରୀ୭ମରୁ ୯ମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିଲା I କଟକଜିଲ୍ଲା ଧର୍ମଶାଳାରୁ ଆନୀତ ଦ୍ୱାଦଶଭୁଜା ବିଶିଷ୍ଟ ଦୁର୍ଗାମୂର୍ତ୍ତି ରାଜ୍ୟ ସଂଗ୍ରହାଳୟରେ ରହିଛି I ଢେଙ୍କାନାଳର କୁଆଳୋର କନକେଶ୍ୱର ମନ୍ଦିର ପରିସରରେ ଏହି ଧରଣର ଏକ ବିରଳ ମୂର୍ତ୍ତି ରହିଛି I ପ୍ରାଚୀନଦୀ ଅବବାହିକାର ଅମଣାକୁଦ ଗ୍ରାମରେ ଲାଲ କନ୍ଦା ପଥରରେ ନିର୍ମିତ ଏହିମୂର୍ତ୍ତି ଅତି କମନୀୟ I

ଅଷ୍ଟାଦଶଭୁଜା [ସମ୍ପାଦନା]

ଖ୍ରୀଷ୍ଟାବ୍ଦ ୧୫ଶ ଶତାବ୍ଦୀରେ ଷୋଡଶ ଭୁଜା ଓ ଅଷ୍ଟାଦଶ ଭୁଜା ବିଶିଷ୍ଟ ଦୁର୍ଗାମୂର୍ତ୍ତି ନିର୍ମିତ ହୋଇଥିଲା I ତେବେ ଖୁବ କମ୍ ସ୍ଥାନରେ ଏହିମୂର୍ତ୍ତି ଦେଖାଯାଏ I ଖୋର୍ଦ୍ଧା ନିକଟସ୍ଥ ଡିଆ ଗ୍ରାମରେ ଏହିଧରଣର ଏକ ଅଷ୍ଟାଦଶଭୁଜା ବିଶିଷ୍ଟ ଦୁର୍ଗାମୂର୍ତ୍ତି ରହିଛି I ରାଜ୍ୟରେ ଶୈଳୋଦ୍ଭବ ରାଜତ୍ୱ ସମୟରେ ନିର୍ମିତ ମନ୍ଦିରଗୁଡିକରେ ପାର୍ବତୀଙ୍କ ମୂର୍ତ୍ତିକୁ ପାର୍ଶ୍ୱଦେବୀ ଭାବେ ତିଆରି କରାଯାଉଥିବା ବେଳେ ଭୌମିକ ରାଜତ୍ୱ ସମୟରେ ଦୁର୍ଗାମୂର୍ତ୍ତିକୁ ପ୍ରାଧାନ୍ୟ ଦିଆଗଲା I ତେବେ ପୁଣି ସୋମବଂଶୀ ଓ ଗଙ୍ଗବଂଶୀ ରାଜତ୍ୱରେ ରାଜତ୍ୱରେ ପାର୍ବତୀଙ୍କ ମୂର୍ତ୍ତିକୁ ପ୍ରାଧାନ୍ୟ ଦିଆଗଲା I ତେବେ ଭୁଜ ସଂଖ୍ୟା କାହିଁକି ଭିନ୍ନ ଭିନ୍ନ ତାହାର କୌଣସି କାରଣ ଜଣାପଡି ନ ଥିବା ବେଳେ ମାନସିକ ପ୍ରତିଫଳନର ଆଧାର ବୋଲି ବିଚାର କରାଯାଏ I ପୁଣି ମଧ୍ୟଯୁଗୀୟ କଳାକୌଶଳର ଏହା ଏକ ପ୍ରତିଫଳନ ବୋଲି କେହି କେହି କହନ୍ତି ।

ପର୍ବ [ସମ୍ପାଦନା]

ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ।ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନବଦିନ, ତ୍ରିଦିନ ଧରି ପାଳିତ ହୁଏ । ମୁଖ୍ୟତ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନ ର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷ ମଧ୍ୟ ବାସନ୍ତୀ ନବରାତ୍ର ରୂପେ ପରିଚିତ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ । ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ।ଅର୍ଣର ଅର୍ଥ ଅକ୍ଷର।ନବାର୍ଣ୍ଣ ମନ୍ତ୍ରଟି ହେଉଛି - ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ। ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ।[୭]

ନାମ [ସମ୍ପାଦନା]

ଦୁର୍ଗାଙ୍କର ୧୦୮ଟି ନାମ ଅଛି।ସେଗୁଡିକ ହେଲା: ସତୀ,ସାଧ୍ଵୀ, ଭବପ୍ରିତା, ଭବାନୀ, ଭବମୋଚନୀ, ଆର୍ଯ୍ୟା, ଦୁର୍ଗେ, ଜୟା, ଆଧ୍ୟା, ଅଭୟା, ମାୟା, ତ୍ରିନେତ୍ରା, ଶୂଳଧାରିଣୀ, ପିନାକଧାରିଣୀ, ଚିତ୍ରା, ଚନ୍ଦ୍ରଘଣ୍ଟା, ମହାତପା, ବୁଦ୍ଧି, ଅହଙ୍କାରା, ଚିତ୍ତରୁପା, ଚିତା, ସର୍ବମନ୍ତ୍ରମୟୀ, ସତ୍ତା, ସତ୍ୟାନନ୍ଦସ୍ଵରୁପିଣୀ, ଅନନ୍ତା, ଭାବିନୀ, ଭବ୍ୟା, ଅଭୟା, ସଦାଗତୀ, ସାମ୍ଭାବୀ, ଦେବମାତା, ଚିନ୍ତା, ରତ୍ନପ୍ରିୟା, ସର୍ବବିଦ୍ୟା, ଦକ୍ଷକନ୍ୟା, ଦକ୍ଷଯଜ୍ଞବିନାସିନୀ, ଅପର୍ଣ୍ଣା, ଅନେକବର୍ଣ୍ଣା, ପାଟଳା, ପାଟଳାବତୀ, ପଟାମ୍ବରପରିଧାନା, କଲମଞ୍ଜରୀରଞ୍ଜିନୀ, ଅମୟା, ବିକ୍ରମା, କ୍ରୂରା, ସୁନ୍ଦରୀ, ସୁରସୁନ୍ଦରୀ, ବନଦୁର୍ଗା, ମାତଙ୍ଗୀ, ମାତଙ୍ଗମୁନିପୂଜିତା, ବ୍ରାହ୍ମୀ, ମାହେଶ୍ଵରୀ, ଐନ୍ଦ୍ରୀ, କୌମାରୀ, ବୈଷ୍ଣବୀ, ଚାମୁଣ୍ଡା, ବାରାହୀ, ଲକ୍ଷ୍ମୀ, ପୁରୁଷାକୃତି, ବିମଳା, ଉତ୍କର୍ଷିଣୀ, ଜ୍ଞାନା, କ୍ରିୟା, ନିତ୍ୟା, ବୁଦ୍ଧିଦା, ବହୁଳା, ବହୁଳାପ୍ରେମା, ସର୍ବବାହନବାହାନା, ନିଶୁମ୍ଭଶୁମ୍ଭହନନୀ, ମହିଷାସୁର ମର୍ଦ୍ଦିନୀ, ମଧୁକୈଟଭହନ୍ତ୍ରୀ, ଚଣ୍ଡମୁଣ୍ଡବିନାଶିନୀ, ସର୍ବସୁର ବିନାଶା, ସର୍ବଦାନବଘାତିନୀ, ସର୍ବଶାସ୍ତ୍ରମୟୀ, ସତ୍ୟା, ସର୍ବଶସ୍ତ୍ରଧାରିଣୀ, ଅନେକ ଶସ୍ତ୍ରହସ୍ତା, ଅନେକାସ୍ତ୍ରଧାରିଣୀ, କୁମାରୀ, ଏକକନ୍ୟା, କୈଶୋରୀ, ଯୁବତୀ, ଯତିଃ, ଅପ୍ରୌଢା, ପ୍ରୌଢା, ବୃଦ୍ଧମାତା, ବଳପ୍ରଦା, ମହୋଦରୀ, ମୁକ୍ତକେଶୀ, ଘୋରରୂପା, ମହାବଳା, ଅଗ୍ନିଜ୍ଵାଳା, ରୌଦ୍ରମୁଖୀ, କାଳରାତ୍ରିଃ, ତପସ୍ଵିନୀ, ନାରାୟଣୀ, ଭଦ୍ରକାଳୀ, ବିଷ୍ଣୁମାୟା, ଜଳୋଦରୀ, ଶିବଦୂତୀ, କରାଳୀ, ପରମେଶ୍ଵରୀ, କାତ୍ୟାୟନୀ, ସାବିତ୍ରୀ, ପ୍ରତ୍ୟକ୍ଷା ଓ ବ୍ରହ୍ମାବାଦିନୀ ।[୮][୯][୧୦]

ପ୍ରିୟ ରଙ୍ଗ [ସମ୍ପାଦନା]

ଦୁର୍ଗାଙ୍କ ପ୍ରିୟ ରଙ୍ଗ ଲାଲ। ଲାଲ ରଙ୍ଗ ସବୁଠୁ ପ୍ରଖର ଓ ଶକ୍ତି ସମନ୍ବିତ।ମଙ୍ଗଳ ଗ୍ରହର ପ୍ରତିକ ଲାଲ।ଦେବ ଓ ଦାନବଙ୍କ ମଧ୍ୟରେ ଯୁଦ୍ଧ ଚାଲୁଥିବା ବେଳେ ମଙ୍ଗଳ ଗ୍ରହ ଶକ୍ତିରୂପୀ ଦୁର୍ଗାଙ୍କୁ ସହଯୋଗ କରି ସଂହାରକ ଶକ୍ତି ପ୍ରଦାନ କରିଥିଲେ।ଦାନବଙ୍କୁ ନିରନ୍ତର ସଂହାରକରି ଦୁର୍ଗାଙ୍କ ଆଖି,ସୀମନ୍ତ,ବସ୍ତ୍ର,ଅସ୍ତ୍ରଶସ୍ତ୍ର ସବୁ ରକ୍ତରଞ୍ଜିତ ଅର୍ଥାତ ଲାଲ ରଙ୍ଗ ହେଇଯାଇଥିଲା।ଦେବୀଙ୍କୁ ଲାଲ ରଙ୍ଗର ବସ୍ତ୍ର,ରୋଲି,ଚନ୍ଦନ,ସିନ୍ଦୂର,ଲାଲ ଓଢ଼ଣୀ ଓ ଆଭୂଷଣ ଅର୍ପଣ କରାଯାଇଆସୁଛି।ନବରାତ୍ରି ଅବସରରେ ସର୍ବପ୍ରଥମେ ନବଦୁର୍ଗାଙ୍କୁ ଲାଲ ବସ୍ତ୍ର ଅର୍ପଣ କରାଯାଇଥାଏ।ପୂଜାର୍ଚ୍ଚନା ପୂର୍ବରୁ କଳସରେ ଲାଲ କପଡା ଉପରେ ନଡିଆ ରଖାଯାଏ।ପୂଜାର୍ଚ୍ଚନାର ସମସ୍ତ ସାମଗ୍ରୀ ଲାଲ୍।ପୂଜାନୁଷ୍ଠାନରେ ମଙ୍ଗଳ ଗ୍ର୍ତହଙ୍କ କୃପା ଓ ଅନୁକୁମ୍ପା ଲାଭ ପାଇଁ ଦେବୀଦୁର୍ଗାଙ୍କ ଠାରେ ଲାଲ ରଙ୍ଗ ଚଢାଯାଇଥାଏ।[୧୧]

ଶକ୍ତିପୀଠ [ସମ୍ପାଦନା]

ଶକ୍ତିଙ୍କୁ ମଧ୍ୟ ବିଦ୍ୟା କୁହାଯାଏ।ଶକ୍ତି ହେଉଛନ୍ତି ମୋକ୍ଷଦାୟିନୀ।ଦୁର୍ଗା ବା ପାର୍ବତୀଙ୍କର ୫୧ ଶକ୍ତିପୀଠ ପୁରାଣରେ ସ୍ଵୀକୃତ । କେତେକ ଶକ୍ତିପୀଠ ରହିଯାଇଛି ପାକିସ୍ତାନବାଂଲାଦେଶ ରେ । ପ୍ରଥମ ଶକ୍ତିପୀଠ ହିଙ୍ଗୁଳା ବା ହିଙ୍ଗଳାଜ ପାକିସ୍ତାନକରାଚିରେ ଅବସ୍ତିତ । ସେହି ପରି ସର୍କରରେ ଶକ୍ତିପୀଠ ପାକିସ୍ତାନସୁକ୍କର ଷ୍ଟେସନ ନିକଟରେ ଅବସ୍ତିତ । ସୁଗନ୍ଧ, ଛତ୍ରାଳ ଇତ୍ୟାଦି ଶକ୍ତିପୀଠ ବାଂଲାଦେଶଶିକାରପୁରରେ ଅବସ୍ତିତ। ଗୁହ୍ୟେଶ୍ଵରୀ ପୀଠ ନେପାଳରେ ଅବସ୍ତିତ । ପୁରାଣରେ ଏକାବନ ଶକ୍ତିପୀଠର ବିସ୍ତୃତ ବର୍ଣ୍ଣନା ରହିଛି।କେତେକ ପ୍ରମୁଖ ଶକ୍ତିପୀଠ ହେଲା-କିରୀଟ କାତ୍ୟାୟନୀ, କରବୀର, ଶ୍ରୀ ପର୍ବତ, ବିଶାଳାକ୍ଷୀ, ସୁଚିନ୍ଦ୍ରମ, ପଞ୍ଚସାଗର, ଜ୍ଵାଳାମୁଖୀ, ଭୈରବ ପର୍ବତ, ଅଟ୍ଟହାସ, ଜନସ୍ଥାନ, କାଶ୍ମୀର, ନନ୍ଦିପୁର, ଶ୍ରୀଶୈଳ, ନଳହଟୀ, ମିଥିଳା, ରତ୍ନାବଳୀ, ଅମ୍ବାଜୀ, ଜାଳନ୍ଧ୍ର, ରାମଗିରି, ହାର୍ଦ୍ଦ, ବକତ୍ରୋଶ୍ଵର, କନ୍ୟକାଶ୍ରମ କନ୍ୟାକୁମାରୀ, ବହୁଳା, ମଣିବେଦିକା, ବିରଜା, କାଞ୍ଚି, କାଳମାଧ୍ଵ, ଶୋଣ, କାମରୂପ କାମାକ୍ଷା, ଜୟନ୍ତୀ, ମଗଧ, ତ୍ରିସ୍ତୋତା, ତ୍ରିପୁରୀ ସୁନ୍ଦରୀ, ବିଭାସ, ଦେବୀକୂପ, ପୀଠକୁରୁକ୍ଷେତ୍ର, ଅମ୍ବିକା, କାଳୀ, ମାନସ, ଲଙ୍କା, ଗଣ୍ଡକୀ, ହିଙ୍ଗଳାଜ, ସୁଗନ୍ଧ, କରତ୍ୟୋୟଘାଟ, ଚଟ୍ଟଲ ଓ ଜଶରେଶ୍ଵରୀ ଶକ୍ତିପୀଠ।[୧୨][୧୩]

ମୁଖ୍ୟ ସିଦ୍ଧପୀଠ [ସମ୍ପାଦନା]

ଦୁର୍ଗାଙ୍କ ମୁଖ୍ୟ ପୀଠ ଭାବେ ଆଠଟି ସିଦ୍ଧପୀଠ ସ୍ଵୀକୃତ ଯାହା ଶକ୍ତିପୀଠ ଠାରୁ ଭିନ୍ନ । ଏହାହେଲା କାମରୂପ ବା କାମଗିରି, ପୂର୍ଣ୍ଣଗିରି, ଜାଳନ୍ଧର, ସଂହାରଗିରି, କୋଲ୍ହାଗିରି, ବିନ୍ଧ୍ୟଗିରି, କାମକୋଟି ଏବଂ ଉଡ୍ଡୀୟାନ ।

ଉଡ୍ଡୀୟାନ ପୀଠ [ସମ୍ପାଦନା]

କଳାହାଣ୍ଡିମାରାଗୁଡା ଶାକ୍ତବିହାର, ପୁରୁଷୋତ୍ତମ କ୍ଷେତ୍ରବିମଳା, ଯାଜପୁରବିରଜା, ସମ୍ବଲପୁରସମଲେଇ,ଝଙ୍କଡ଼ଶାରଳା, ଏକାମ୍ରକ୍ଷେତ୍ରର ଗୌରୀ ଏବଂ ପାର୍ବତୀଚାମୁଣ୍ଡା, ବାଙ୍କିଚର୍ଚ୍ଚିକା ଏପରି ଅସଂଖ୍ୟ ରୂପରେ ମା’ ଆବିଭୂତା । ରୁଦ୍ରଯାମଳତନ୍ତ୍ର, କୁଳାର୍ଣ୍ଣବତନ୍ତ୍ର ଓ ଜ୍ଞାନାର୍ଣ୍ଣବ ତନ୍ତ୍ରରେ ଉତ୍କଳ ଉଡ୍ଡୀୟାନ ପୀଠ ଭାବେ ପ୍ରତିଷ୍ଠିତ।ପୁନଶ୍ଚ ସପ୍ତମାତୃକା, ଦଶମହାବିଦ୍ୟା, ତଥା ଯୋଗିନୀ ଉପାସନାରେ ଓଡ଼ିଶାର ପୂର୍ଣାବୟବ ଶାକ୍ତଉପାସନା ପରିପ୍ରକାଶ ହେଇଛି।ହୀରାପୁର ତଥା ରାଣୀପୁର ଝରିଆଲରେ ରହିଛି । ଚଉଷଠି ଯୋଗିନୀଙ୍କର ବୃତ୍ତାକାର ଉପାସନା ପୀଠ ।[୧୪][୧୫]

ଆହୁରି ଦେଖନ୍ତୁ [ସମ୍ପାଦନା]

ଆଧାର [ସମ୍ପାଦନା]

ଅଧିକ ତଥ୍ୟ [ସମ୍ପାଦନା]