ଚଉଷଠି ଯୋଗିନୀ ମନ୍ଦିର

ଉଇକିପିଡ଼ିଆ ରୁ
ଚଉଷଠି ଯୋଗିନୀ ମନ୍ଦିର
ଅବସ୍ଥାନ
ଦେଶ: ଭାରତ
ରାଜ୍ୟ: ଓଡ଼ିଶା
ଜିଲ୍ଲା: ଖୋର୍ଦ୍ଧା
ସ୍ଥାନ: ହୀରାପୁର, ଭୁବନେଶ୍ଵର
ଇତିହାସ
ପ୍ରତିଷ୍ଠା ତାରିଖ: ୯ମ ଶତାବ୍ଦୀ
ପ୍ରତିଷ୍ଠାତା: ରାଣୀ ହୀରାଦେବୀ, ବ୍ରହ୍ମ ରାଜବଂଶ

ଭାରତର ଚାରିଟି ସ୍ଥାନରେ ଚଉଷଠି ଯୋଗିନୀ ମନ୍ଦିର ରହିଛି । ସେଥିମଧ୍ୟରୁ ମଧ୍ୟପ୍ରଦେଶର ଖଜୁରାହୋ ଓ ଜବଲପୁରଠାରେ ଗୋଟିଏ ଲେଖାଏଁ ଚଉଷଠି ଯୋଗିନୀ ମନ୍ଦିର ଥିବାବେଳେ ଓଡିଶାର ରାଜଧାନୀ ଭୁବନେଶ୍ଵରଠାରୁ ପ୍ରାୟ ୧୦କିଲୋମିଟର ଦୂର ହୀରାପୁରଠାରେ ଗୋଟିଏ ଏବଂ କେନ୍ଦୁଝର ଜିଲ୍ଲାର ରାଣୀପୁର ଝରିଆଲଠାରେ ଆଉ ଏକ ଚଉଷଠି ଯୋଗିନୀ ମନ୍ଦିର ରହିଛି । ତେବେ ହୀରାପୁରଠାରେ ଥିବା ଚଉଷଠି ଯୋଗିନୀ ମନ୍ଦିରର ସ୍ଵତନ୍ତ୍ରତା ରହିଛି । ଚଉଷଠି ଯୋଗିନୀ ମନ୍ଦିର ଓଡ଼ିଶାର ଭୁବନେଶ୍ଵରରେ ଥିବା ହୀରାପୁର ଗାଆଁରେ ଥିବା ଏକ ପୁରାତନ ବଜ୍ରଯାନ ମନ୍ଦିର ସ୍ଥାନୀୟ ଅଞ୍ଚଳରେ ମହାମାୟା ମନ୍ଦିର ନାମରେ ପରିଚିତ । ଏହି ମନ୍ଦିର ୧୯୫୩ ମସିହାରେ ଓଡିଶା ରାଜ୍ୟ ସଂଗ୍ରହାଳୟର ସ୍ଵର୍ଗତ କେଦାରନାଥ ମହାପାତ୍ରଙ୍କ ଦ୍ଵାରା ଆବିଷୃତ ହୋଇଥିଲା । ଶ୍ରୀକ୍ଷେତ୍ର ପୁରୀ, ଅର୍କକ୍ଷେତ୍ର କୋଣାର୍କ ଓ ଏକାମ୍ରକ୍ଷେତ୍ର ଭୁବନେଶ୍ଵରର ସ୍ଵର୍ଣ୍ଣ ତ୍ରିଭୁଜ ଶକ୍ତିମଣ୍ଡଳ ମଧ୍ୟଭାଗରେ ପ୍ରବାହିତ ଚିରସ୍ରୋତା କୁଆଖାଇ, ଦୟା ଓ ଭାର୍ଗବୀ ନଦୀର ସଙ୍ଗମସ୍ଥଳ ହୀରାପୁର ଗ୍ରାମରେ ରହିଛି ତନ୍ତ୍ରସାଧନାର ପ୍ରସିଦ୍ଧ ପୀଠ ଚଉଷଠି ଯୋଗିନୀ ମନ୍ଦିର । ଏହି ମନ୍ଦିର ଉପରପାର୍ଶ୍ଵ ଖୋଲା ରହିଛି । ମନ୍ଦିରର କେନ୍ଦ୍ରସ୍ଥଳରେ ଅଷ୍ଟକୋଣୀ ବିଶାଳ ଲିଙ୍ଗ ଚାରିପଟେ ଯୋଗେଶ୍ଵର ପୁରୁଷୋତ୍ତମ ବ୍ରହ୍ମ ମହାମୁଦ୍ରାରେ ଯୋଗାସନରତ । ମନ୍ଦିର ମଧ୍ୟଭାଗରେ ପରବର୍ତ୍ତୀ ସମୟରେ ଏକ ଚଣ୍ଡିମଣ୍ଡପ ରହିଛି । ଯେଉଁଥିରେ ଚାରୋଟି ଶିବ ଓ ଯୋଗିନୀମାନଙ୍କ ପ୍ରତିମା ଅଳଙ୍କୃତ । ମନ୍ଦିରର ଗୋଲାକାର ପରିସୀମା, ମଧ୍ୟଭାଗରେ ଥିବା ଚଣ୍ଡିମଣ୍ଡପ ଓ ଏହାର ପ୍ରବେଶ ପଥକୁ ଅନୁଧ୍ୟାନ କଲେ ଏହା ଏକ ବୃହତ ଶିବଲିଙ୍ଗ ଭଳି ମନେହୁଏ ।[୧]

ମହାମାୟା ଓ ଚଉଷଠି ଯୋଗିନୀ[ସମ୍ପାଦନା]

ଚଉଷଠି ଯୋଗିନୀ ପୀଠରେ ଦଶଭୁଜା ମହାମାୟାଙ୍କ ପ୍ରତିମା ଇଷ୍ଟଦେବୀ ଭାବେ ପୂଜା ପାଆନ୍ତି । ପୀଠର ବୃତ୍ତାକାର ଶକ୍ତିକେନ୍ଦ୍ରରେ ଅଷ୍ଟଭୁଜା ମହାମାୟାଙ୍କ ପ୍ରତିମା ପୂଜା ପାଉଥିବା ବେଳେ ତାଙ୍କ ସହିତ ଲାଗି ରହିଛନ୍ତି ୬୪ଯୋଗିନୀ ମୂର୍ତ୍ତି । ଏହି ଯୋଗିନୀମାନେ ମନ୍ଦିରକାନ୍ଥରେ ଥିବା ୬୪ଠାଣିରେ ସେମାନଙ୍କ ବାହାନ ଉପରେ ବିରାଜମାନ । ସେମାନେ ସୁନ୍ଦର ବେଶଭୁଷା ସହିତ ବିଭିନ୍ନପ୍ରକାର ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି । ତେବେ ସମସ୍ତ ୬୪ଯୋଗିନୀଙ୍କ କେଶ ବିନ୍ୟାସ ପୃଥକ ପୃଥକ ଥିବା ଦେଖାଯାଏ । ଏଠାରେ ପୂଜା ପାଉଥିବା ୬୪ ଯୋଗିନୀଙ୍କ ମୂର୍ତ୍ତିର ଉଚ୍ଚତା ୨ଫୁଟରୁ ୨.୫ଫୁଟ ଏବଂ ଏଗୁଡିକ କଳା ମୁଗୁନି ପଥରରେ ନିର୍ମିତ । [୨]

ଇତିହାସ[ସମ୍ପାଦନା]

  • ଏହା ୯ମ ଶତାବ୍ଦୀରେ ବ୍ରହ୍ମ ରାଜବଂଶର ରାଣୀ ହୀରାଦେବୀଙ୍କ ଦେଇ ପ୍ରତିଷ୍ଠା କରାଯାଇଥିଲା ବୋଲି ବିଶ୍ଵାସ କରାଯାଏ ।
  • ସ୍ଥାପତ୍ୟ ଓ ଭାସ୍କର୍ଯ୍ୟଶୈଳୀରୁ ଚଉଷଠି ଯୋଗିନୀ ମନ୍ଦିରଟି ନବମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ ଓ ଏହା ଭୌମ ଓ ସୋମ ରାଜବଂଶୀଙ୍କ ସମୟରେ ପ୍ରତିଷ୍ଠିତ ହୋଇଥିବାର ଜଣାଯାଏ ।[୩]

ପୂଜା ପ୍ରକାର[ସମ୍ପାଦନା]

ଚଉଷଠି ଯୋଗିନୀ ମନ୍ଦିର ଏକ ବଜ୍ରଯାନ ବା ତନ୍ତ୍ରପୂଜାର ମନ୍ଦିର ଯେଉଁଥିରେ ଭୂମଣ୍ଡଳର ୫ଟି ଉପାଦାନ (ନିଆଁ, ଜଳ, ବସୁଧା, ଆକାଶ ଓ ପବନ)କୁ ପୂଜା କରାଯାଇଥାଏ । ଯୋଗିନୀ ମାନଙ୍କ ମୂର୍ତ୍ତୀ ସାଧାରଣତଃ ଏକ ଉଲଙ୍ଗ ନାରୀ ମୂର୍ତ୍ତୀ ଯାହା ପଶୁ, ମଣିଷ ନା ଅସୁର ଉପରେ ବିଜେ କରିଥିବାର ଦେଖିବାକୁ ମିଳିଥାଏ ଯାହା ନାରୀ ଶକ୍ତିକୁ ସୂଚାଇଥାଏ । ମୂର୍ତ୍ତୀସବୁ ରାଗ, ଅନୁରାଗ, ସୁଖ, ଦୁଃଖକୁ ପ୍ରକାଶ କରିଥାନ୍ତି ।

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ ଯେତେବେଳେ ମହିଷାସୁର ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲା ସେତେବେଳେ ପୃଥିବୀବାସୀଙ୍କୁ ତାଙ୍କ କବଳରୁ ରକ୍ଷା କରିବା ଓ ଶାନ୍ତି ପ୍ରତିଷ୍ଠା ପାଇଁ ଜଗଜ୍ଜନନୀ ମା'ଦୁର୍ଗାଙ୍କର ଆବିର୍ଭାବ ହୋଇଥିଲା । ସେତେବେଳେ ମା'ଦୁର୍ଗା ମହିଷାସୁରର ସହଯୋଗୀ ରକ୍ତବୀର୍ଯ୍ୟଙ୍କୁ ବଧ କରିବାକୁ ଘମାଘୋଟ ଯୁଦ୍ଧ କରିଥିଲେ । ତେବେ ଯୁଦ୍ଧରେ ରକ୍ତବୀର୍ଯ୍ୟର ଶରୀରରୁ ପଡୁଥିବା ପ୍ରତ୍ୟେକ ରକ୍ତ ବିନ୍ଦୁ ମାଟିରେ ପଡି଼ବାମାତ୍ରେ ଆଉ ଜଣେ ରକ୍ତବୀର୍ଯ୍ୟ ସୃଷ୍ଟି ହେଉଥିଲା । ତେଣୁ ରକ୍ତବୀର୍ଯ୍ୟର ରକ୍ତବିନ୍ଦୁ ମାଟିରେ ପଡିବା ପୂର୍ବରୁ ଶୋଷିନେଇ ଯୁଦ୍ଧରେ ବିଜୟୀ କରାଇବା ପାଇଁ ମା'ଦୁର୍ଗା ୬୪ ଯୋଗିନୀଙ୍କୁ ସୃଷ୍ଟି କରିଥିଲେ । ସେହିପରି ମହା ଭାଗବତ ପୁରାଣରେ ଉଲ୍ଲେଖ ଅଛି ଯେ, ମା'କାଳୀ ରହୁଥିବା ଏକ ପ୍ରଶସ୍ତ ସ୍ଥାନକୁ ବେଳେବେଳେ ମହାଦେବ ଭ୍ରମଣ କରିବାକୁ ଆସୁଥିଲେ । ସେହି ପ୍ରଶସ୍ତସ୍ଥଳୀର ୪ଦିଗରେ ୪ଟି ଦ୍ଵାର ଥିଲା ଓ ଏହାକୁ ୬୪ ଯୋଗିନୀ ଓ ଭୈରବୀମାନେ ଜଗୁଥିଲେ । ପୁରାଣ ବର୍ଣ୍ଣିତ କିମ୍ବଦନ୍ତୀ ଅନୁସାରେ ଏହା ଏକ ଶକ୍ତିପୀଠ ହୋଇଥିବାରୁ ତନ୍ତ୍ର ସାଧନା ପାଇଁ ଏଠାକୁ ବହୁ ତନ୍ତ୍ର ସାଧକଙ୍କ ଆଗମନ ହେଉଥିଲା । [୪] କିମ୍ବଦନ୍ତୀ ଅନୁସାରେ ଦେବୀ ଦୁର୍ଗା ଦାନବ ସଂହାର ନିମନ୍ତେ ୬୪ଟି ରୂପ ନେଇଥାନ୍ତି । ଯୁଦ୍ଧ ପରେ ଯୋଗିନୀ ମାନେ ଦୁର୍ଗାଙ୍କୁ ଏହି ମନ୍ଦିର ତିଆରି କରିବା ପାଇଁ ଅନୁରୋଧ କରିଥିଲେ ।

ମନ୍ଦିର ନିର୍ମାଣ ଶୈଳୀ[ସମ୍ପାଦନା]

ଏହି ଗୋଲାକାର ମନ୍ଦିରର ପରିଧି ୨୭.୪ମିଟର ଓ ଉଚ୍ଚତା ୨.୪ମିଟର । ଏହିମନ୍ଦିର ସମ୍ମୁଖଭାଗ ଉଦ୍‌ଗତଯୁକ୍ତ, ଯାହାକି ଏକ ଗୌରୀପଟ୍ଟ ସଦୃଶ ପ୍ରତୀୟମାନ । ମନ୍ଦିରର କାନ୍ଥସବୁ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ବାଲି ପଥରରେ ତିଆରି । ଚଉଷଠି ଯୋଗିନୀ ପୀଠର ଚାରିପଟେ ସାଧକଙ୍କ ସୁରକ୍ଷା ନିମନ୍ତେ ୯ଟି ଯକ୍ଷିଣୀ ଥିବାବେଳେ ଦୁଇଟି କ୍ଷେତ୍ରୀୟ ଓ ଯକ୍ଷ ଦ୍ଵାରପାଳ ରହିଛନ୍ତି । ଏହାବ୍ୟତୀତ ପୀଠ ଭିତରକୁ ଯିବା ପାଇଁ ଥିବା ପ୍ରବେଶପଥ ପାର୍ଶ୍ଵରେ ଦୁଇଟି ବେତାଳ ରହିଛନ୍ତି । ନାରୀ ସୌନ୍ଦର୍ଯ୍ୟକୁ ପ୍ରସ୍ଫୁଟିତ କରୁଥିବା ଏହି ମନୋରମ ପ୍ରତିମାଗୁଡିକ କଳାମୁଗୁନି ପଥରରେ ଖୋଦିତ ଓ ବାଲୁକା ପ୍ରସ୍ତରରେ ନିର୍ମିତ । ନବକାତ୍ୟାୟିନୀ \ ୯ଟିକତ୍ୟାୟିନୀଙ୍କ ପ୍ରତିମାମାନ ଏହିମନ୍ଦିରର ବହିର୍ଦେଶରେ ସୁମଣ୍ଡିତ ହୋଇଛି । [୫] ଏହି କାନ୍ଥର ଭିତର ଭାଗରେ ଯୋଗିନୀ ମାନଙ୍କ କଳାମୁଗୁନି ପଥରରେ ତିଆରି ମୁର୍ତ୍ତୀ ଅଛି । ଏହି କାନ୍ଥରେ ୫୬ ଗୋଟି ମୂର୍ତ୍ତୀ ରହିଅଛି । ମନ୍ଦିର ମଝି ଭାଗରେ ଏକ ଛୋଟ ଘରେ ୮ଗୋଟି ମୂର୍ତ୍ତୀ ଚାରି ଦିଗକୁ ମୁହଁ କରି ଅଛନ୍ତି ।

ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ରାଣିପୁର-ଝରିଆଳ ଠାରେ ମଧ୍ୟ ଏହିପରି ମନ୍ଦିରଟିଏ ଦେଖିବାକୁ ମିଳିଥାଏ ।

ମନ୍ଦିର ପରିସରରେ ଥିବା ଶିବଲିଙ୍ଗ ସଙ୍କଟେଶ୍ଵର[ସମ୍ପାଦନା]

ଏହି ମନ୍ଦିର ପରିସରରେ ଏକ ଶିବ ମନ୍ଦିର ରହିଛି । ଏହି ଶିବ ମନ୍ଦିର ନାମ ସଙ୍କଟେଶ୍ଵର ପୂଜା ହେଉଥିବା ଶିବଲିଙ୍ଗଟି ପାତାଳଫୁଟା । ଏହି ମନ୍ଦିରର ବିଶେଷତ୍ଵ ହେଉଛି ବହୁ ବର୍ଷ ତଳେ ଏକ ଶିବଲିଙ୍ଗ ମାଟି ଫଟାଇ ଆପେ ଆପେ ଉପରକୁ ବାହାରିଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଏହି ଶିବଲିଙ୍ଗର ଉଚ୍ଚତା କ୍ରମଶଃ ବୃଦ୍ଧି ପାଉଛି । ଏହି ମନ୍ଦିରର ପୂଜାର୍ଚ୍ଚନା ପାଇଁ ଦୀର୍ଘ ୧୨ବର୍ଷ ତଳେ ପୂଜକ ସନ୍ତୋଷ ପାଢୀଙ୍କୁ ନିୟୋଜିତ କରାଯାଇଥିଲା । କିଛି ବର୍ଷ ପରେ ଶିବଲିଙ୍ଗ ବୃଦ୍ଧି ପାଇଥିବା କଥା ସେ ଜାଣିପାରିଥିଲେ । ତାଙ୍କ କାର୍ଯ୍ୟକାଳ ଅର୍ଥାତ୍ ୧୨ବର୍ଷ ମଧ୍ୟରେ ଶିବଲିଙ୍ଗଟି ଦେଢଫୁଟ୍ ବୃଦ୍ଧି ପାଇଛି ବୋଲି ପୂଜକ ଶ୍ରୀ ପାଢୀ କହନ୍ତି ।ref>ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯</ref>

ଭାରତୀୟ ସଂସଦର ନକ୍‌ସା ଚଉଷଠି ଯୋଗିନୀ ମନ୍ଦିରରୁ ପ୍ରସ୍ତୁତ[ସମ୍ପାଦନା]

ମଧ୍ୟପ୍ରଦେଶର ଖଜୁରାହୋ ଓ ଜବଲପୁର ଏବଂ ଓଡିଶାର ହୀରାପୁର ଓ ରାଣୀପୁର- ଝରିଆଲର ୬୪ଯୋଗିନୀ ମନ୍ଦିର ଢାଞ୍ଚାରେ ଭାରତୀୟ ସଂସଦ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ସଂସଦ ଭବନର ଗୋଲାକାର ନକ୍‌ସା ଚଉଷଠି ଯୋଗିନୀ ମନ୍ଦିରରୁ ପ୍ରସ୍ତୁତ କରାଯାଇଛି ବୋଲି ବିଶେଷଜ୍ଞ ମତ ଦିଅନ୍ତି ।

କଳାପାହାଡ ମନ୍ଦିର ଭାଙ୍ଗିଛି[ସମ୍ପାଦନା]

ହୀରାପୁରରେ ଚଉଷଠି ଯୋଗିନୀ ମନ୍ଦିର ପୂର୍ବରୁ ଏଭଳି ଅବସ୍ଥାରେ ନଥିଲା । ନିଜ ରାଜତ୍ଵ କାଳରେ କଳାପାହାଡ ଏହି ମନ୍ଦିର ଭାଙ୍ଗିଛି ଓ ବର୍ତ୍ତମାନ ତାହାର ଭଗ୍ନାବଶେଷ ପ୍ରତୀୟମାନ ବୋଲି ଗ୍ରାମବାସୀ କୁହନ୍ତି । ଦୀର୍ଘବର୍ଷ ପରେ ମନ୍ଦିରଟି ସାଧାରଣ ଲୋକଙ୍କ ପାଇଁ ଉନ୍ମୁକ୍ତ କରାଯାଇଥିଲା ବୋଲି ସେମାନେ କୁହନ୍ତି ।

ଆଧାର[ସମ୍ପାଦନା]

  1. ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯
  2. ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯
  3. ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯
  4. ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯
  5. ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯

ଦ୍ରଷ୍ଟବ୍ୟ[ସମ୍ପାଦନା]