ହାତୀ

ଉଇକିପିଡ଼ିଆ ରୁ
Jump to navigation Jump to search
ହାତୀ
ଜୀବାଶ୍ମ କାଳ: ପ୍ଲାୟୋସିନ୍‍ରୁ ବର୍ତ୍ତମାନ
African Bush Elephant.jpg
ତାଞ୍ଜାନିଆର ମିକୁମି ଜାତୀୟ ଉଦ୍ୟାନର ଏକ ମାଈ ଆଫ୍ରିକୀୟ ବୁଦା ହାତୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ଉପସଙ୍ଘ: ମେରୁଦଣ୍ଡୀ
ବର୍ଗ: ସ୍ତନ୍ୟପାୟୀ
ଅଧିଗଣ: Afrotheria
ଗଣ: Proboscidea
କୁଳ: ଏଲିଫେଣ୍ଟିଡାଏ
ଜନ୍ ଏଡ୍‍ୱାର୍ଡ୍ ଗ୍ରେ, ୧୮୨୧
Genera

ହାତୀ (ଈଂରାଜୀରେ Elephant) ଏକ ବୃହତାକାର ସ୍ତନ୍ୟପାୟୀ ପ୍ରାଣୀ ଓ ଏହା ସର୍ବବୃହତ୍ ସ୍ଥଳଚର ସ୍ଥନ୍ୟପାୟୀ ଜୀବ । ଜୀବବିଜ୍ଞାନ ଅନୁଯାୟୀ ହାତୀକୁ ଏଲିଫେଣ୍ଟିଡାଏ ପରିବାରରେ ସ୍ଥାନିତ କରାଯାଇଛି । ହାତୀଙ୍କର ତିନୋଟି ଉପ-ପ୍ରଜାତି ଚିହ୍ନଟ କରାଯାଇଛି । ସେଗୁଡ଼ିକ ହେଲେ – ଆଫ୍ରିକୀୟ ବୁଦା ହାତୀ (African bush elephant, ଜୀବବିଜ୍ଞାନ ନାମ Loxodonta africana), ଆଫ୍ରିକୀୟ ଜଙ୍ଗଲ ହାତୀ (African forest elephant, ଜୀବବିଜ୍ଞାନ ନାମ Loxodonta cyclotis) ଏବଂ ଏସୀୟ ହାତୀ (Asian elephant, ଜୀବବିଜ୍ଞାନ ନାମ Elephas maximus) । ଭୌଗୋଳିକ ବିତରଣ ଦୃଷ୍ଟିରୁ ଉପ-ସାହାରା ଆଫ୍ରିକା, ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ହାତୀମାନେ ବ୍ୟାପ୍ତ । ପ୍ରାଚୀନ କାଳର ପ୍ରୋବୋଶିଡିଆ (proboscis-ପ୍ରୋବୋଶିସ୍ ଶବ୍ଦର ଅର୍ଥ ଶୁଣ୍ଢ) ପରିବାରରୁ କେବଳ ଏଲିଫେଣ୍ଟିଡାଏ ପରିବାର ବର୍ତ୍ତମାନ ଜୀବିତ ରହିଛି; କିନ୍ତୁ ଅନ୍ୟ ପରିବାର ଯଥା ଡାଏନୋଥେରିସ୍, ଗୋମ୍ଫୋଥିଅର୍, ମାମ୍ମଥ୍ ଓ ମାଷ୍ଟୋଡନ୍ ଇତ୍ୟାଦିର ଜୀବସମୂହ ଲୋପ ପାଇଗଲେଣି ।

ହାତୀମାନଙ୍କର ଶରୀରର ଏକ ସ୍ଵତନ୍ତ୍ର ଅଙ୍ଗ ହେଲା ଏମାନଙ୍କ ଶୁଣ୍ଢ । ଗାଧୋଇବା, ପାଣି ଉଠାଇ ପିଇବା, କୌଣସି ବସ୍ତୁକୁ ଧରିବା ଇତ୍ୟାଦି ପାଇଁ ହାତୀମାନେ ନିଜ ଶୁଣ୍ଢର ଉପଯୋଗ କରିଥାନ୍ତି । ହାତୀର ଛାମୁ ଦାନ୍ତ ଗୋଜିଆ ହୋଇ ସାମନା ପଟକୁ ବଢ଼ିଯାଏ । ଏହା ଜିନିଷ ଉଠାଇବାରେ, ମାଟି ଖୋଳିବାରେ ଏବଂ ଅସ୍ତ୍ର ଭାବରେ ହାତୀ ବ୍ୟବହାର କରିଥାଏ । ହାତୀର ବଡ଼ ବଡ଼ କାନ ତାକୁ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାରେ ସହଯୋଗ କରେ। ସେମାନଙ୍କର ସ୍ତମ୍ଭ ସଦୃଶ ଗୋଡ଼ ହାତୀର ଓଜନ ଉଠାଇ ରଖିବା ପାଇଁ ସମର୍ଥ ହୋଇଥାଏ । ଆଫ୍ରିକୀୟ ହାତୀଙ୍କର କାନ ବୃହତ୍ତର ଏବଂ ପୃଷ୍ଠଟି ଉତ୍ତଳ ହୋଇଥିବାବେଳେ ଏସୀୟ ହାତୀଙ୍କର କାନ ଛୋଟ ଏବଂ ପିଠିଟି ଅବତଳ ହୋଇଥାଏ ।

ହାତୀମାନେ ତୃଣଭୋଜୀ ଜୀବ । ସାଭାନ୍ନା ତୃଣଭୂମି, ଜଙ୍ଗଲ, ମରୁଭୂମି, ସନ୍ତସନ୍ତିଆ ଏପରି ବିଭିନ୍ନ ପରିବାସରେ ହାତୀମାନଙ୍କୁ ଦେଖାଯାଇପାରିବ । ହାତୀମାନେ କୌଣସି ଜଳାଶୟ ବା ନଦୀ ଆଖପାଖରେ ରହିବାକୁ ପସନ୍ଦ କରନ୍ତି । ହାତୀମାନଙ୍କ ସଂଖ୍ୟା ଉପରେ ସେମାନେ ରହୁଥିବା ପରିବେଶର ସନ୍ତୁଳନ ନିର୍ଭର କରେ । ପ୍ରାୟ ସମସ୍ତ ଜୀବ ହାତୀଙ୍କଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ସିଂହ, ମହାବଳ ବାଘ, ହେଟାବାଘବଳିଆ କୁକୁରଙ୍କ ପରି ମାଂସାସୀ ଶିକାରୀ ପ୍ରାଣୀମାନେ ହାତୀଛୁଆଙ୍କୁ ଶିକାର କରି ଖାଇବାକୁ ଚେଷ୍ଟା କରିଥାନ୍ତି । ହାତୀମାନଙ୍କ ପରିବାର ସର୍ବଦା ଭଙ୍ଗା-ଯୋଡ଼ା ହେଉଥାଏ । ବିଭିନ୍ନ ପରିବାର ଏକତ୍ରିତ ହୋଇ ଏକାଠି ରୁହନ୍ତି । ବହୁ ମାଈ ହାତୀ ନିଜ ଛୁଆ, ସମ୍ପର୍କୀୟ ମାଈ ହାତୀ ଓ ସେମାନଙ୍କ ଛୁଆମାନଙ୍କ ସହିତ ମିଶି ରୁହନ୍ତି । ସବୁଠାରୁ ବୟସ୍କା ମାଈ ହାତୀ (ମାତୃକା) ଏହି ମିଳିତ ଦଳ ବା ପରିବାରର ନେତୃତ୍ଵ ନିଏ ।

ବଡ଼ ହେବା ପରେ ଅଣ୍ଡିରା ହାତୀମାନେ ପରିବାର ଛାଡ଼ି ଚାଲିଯାଆନ୍ତି । ସେମାନେ ଏକାକୀ ବା ଅନ୍ୟ ଅଣ୍ଡିରା ହାତୀଙ୍କ ସହିତ ମିଶି ରୁହନ୍ତି । ଅଣ୍ଡିରା ହାତୀମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍ ପ୍ରବାହ ବଢ଼ିଗଲେ ସେମାନେ ଅତ୍ୟନ୍ତ ଆକ୍ରାମକ ହୋଇ ଉଠନ୍ତି ଓ ପ୍ରଜନନ ବା ମିଳନ ପାଇଁ ମାଈ ହାତୀଙ୍କୁ ଖୋଜି ବୁଲନ୍ତି । ଅଣ୍ଡିରା ହାତୀର ଏହି ଉନ୍ମାଦିତ ବା ଉତ୍ତେଜିତ ଅବସ୍ଥାକୁ “ମସ୍ତ (musth)” ଅବସ୍ଥା ବୋଲି ମଧ୍ୟ କୁହାଯାଏ । ଏହି ସମୟରେ ଅଣ୍ଡିରା ହାତୀମାନେ ମାଈମାନଙ୍କ ପରିବାର ପାଖକୁ ଯାଇପାରନ୍ତି । ସବୁ ହାତୀ ପରିବାରରେ ଛୁଆଙ୍କ ପ୍ରତି ଅଧିକ ଧ୍ୟାନ ଦିଆଯାଏ ଓ ପ୍ରାୟ ୩ ବର୍ଷର ହେବା ପର୍ଯ୍ୟନ୍ତ ଏମାନେ ମା’ ହାତୀ ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ଥାଆନ୍ତି । ପ୍ରାକୃତିକ ପରିବାସରେ ରହୁଥିବା ହାତୀମାନେ ପ୍ରାୟ ୭୦ ବର୍ଷ ବଞ୍ଚନ୍ତି । ସ୍ପର୍ଶ, ଦୃଷ୍ଟି, ଘ୍ରାଣ ଓ ଶବ୍ଦ ସହାୟତାରେ ଏମାନେ ପରସ୍ପର ସହ ବାର୍ତ୍ତାଳାପ କରିଥାନ୍ତି । ହାତୀମାନେ ଦୂରକୁ ବାର୍ତ୍ତା ପଠାଇବା ପାଇଁ ଇନ୍‍ଫ୍ରାସାଉଣ୍ଡ ଓ କମ୍ପନ ମାଧ୍ୟମ (seismic communication) ବ୍ୟବହାର କରନ୍ତି । ହାତୀର ବୁଦ୍ଧିମତାକୁ ବଣମଣିଷମାନଙ୍କ ସହ ତୁଳନୀୟ । ହାତୀମାନଙ୍କ ସ୍ମରଣ ଶକ୍ତି ମଧ୍ୟ ଅତ୍ୟନ୍ତ ପ୍ରଖର । ମୃତ ବା ମୃତ୍ୟୁ ଅପେକ୍ଷାରେ ରହିଥିବା ଅନ୍ୟ ଏକ ହାତୀ ପ୍ରତି ଏମାନେ ସମ୍ଵେଦନଶୀଳତା ପ୍ରଦର୍ଶନ କରିଥାନ୍ତି ।

IUCN ସଂସ୍ଥା ଆଫ୍ରିକୀୟ ହାତୀଙ୍କୁ “Vulnerable” ଓ ଏସୀୟ ହାତୀଙ୍କୁ “Endangered” ତାଲିକାଭୁକ୍ତ କରିଛି । ହାତୀଦାନ୍ତର ଚୋରା ବ୍ୟବସାୟ ସମଗ୍ର ବିଶ୍ଵର ହାତୀଙ୍କ ପ୍ରତି ବିପଦ ସୃଷ୍ଟି କରିଛି । ହାତୀଦାନ୍ତ ପାଇଁ ହାତୀଙ୍କର ଅବୈଧ ଶିକାର କରାଯାଏ । ଅଧିବାସ କ୍ଷୟ, ମନୁଷ୍ୟଙ୍କ ସହତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ମଧ୍ୟ ହାତୀଙ୍କ ପାଇଁ ବିପଦ ସୃଷ୍ଟି କରେ । ଏସିଆରେ ହାତୀଙ୍କୁ ବିଭିନ୍ନ କାମରେ ନିୟୋଜିତ କରାଯାଇଥାଏ । ପ୍ରାଚୀନ କାଳରେ ହାତୀଙ୍କୁ ଯୁଦ୍ଧରେ ବ୍ୟବହାର କରାଯାଉଥିଲା । ବର୍ତ୍ତମାନ ସମୟରେ ଚିଡ଼ିଆଖାନାରେ ପ୍ରଦର୍ଶନ, ସର୍କସ୍, ମନୋରଞ୍ଜନ, ପର୍ଯ୍ୟଟନ, ବନ ନିରୀକ୍ଷଣ ଓ ପର୍ବପର୍ବାଣୀ ଇତ୍ୟାଦି ପାଇଁ ହାତୀ ବ୍ୟବହୃତ ହେଉଛନ୍ତି । କଳା, ଲୋକକଥା, ଧର୍ମ, ସାହିତ୍ୟ ଓ ଲୋକପ୍ରିୟ ସଂସ୍କୃତିରେ ହାତୀଙ୍କ ଉପସ୍ଥିତି ଦେଖିବାକୁ ମିଳେ । ଭୁବନେଶ୍ୱରର ନନ୍ଦନ କାନନ ଏବଂ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ହାତୀ ଦେଖିବାକୁ ମିଳନ୍ତି । ଚନ୍ଦକା ଜଙ୍ଗଲ ଏକ ହାତୀ ଅଭୟାରଣ୍ୟ ରୂପେ ମଧ୍ୟ ମାନ୍ୟତା ପାଇଛି ।

ଶରୀରତତ୍ତ୍ୱ[ସମ୍ପାଦନା]

ଗୋଟିଏ ବୟସ୍କ ଏସୀୟ ହାତୀର ଓଜନ ୫୦୦୦ କେଜି ପର୍ଯ୍ୟନ୍ତ ଓ ଆଫ୍ରିକୀୟ ହାତୀର ଓଜନ ୬୦୦୦ କେଜି ପର୍ଯ୍ୟନ୍ତ ହୋଇଥାଏ। ଆକାରରେ ଆଫ୍ରିକୀୟ ହାତୀ ଏସୀୟ ହାତୀଙ୍କଠାରୁ ବଡ଼ ହୋଇ ଥାନ୍ତି। ଏସୀୟ ହାତୀର କାନ ଆଫ୍ରିକୀୟ ହାତୀ ଠାରୁ ଛୋଟ। ଆଫ୍ରିକୀୟ ହାତୀଙ୍କର ଦୁଇଟି କାନକୁ ଯୋଡ଼ିଲେ ଆଫ୍ରିକା ମହାଦେଶର ମାନଚିତ୍ର ପରି ଦେଖାଯାଏ। ଏସୀୟ ଅଣ୍ଡିରା ହାତୀଙ୍କର ଦୁଇଟି ବଡ଼ ଛାମୁ ଦାନ୍ତ (tusk) ଥାଏ, ସେଥିପାଇଁ ଏମାନଙ୍କୁ ଦନ୍ତା ହାତୀ କୁହାଯାଏ। ଦନ୍ତହୀନ ଅଣ୍ଡିରା ହାତୀଙ୍କୁ ମାଖନା କୁହାଯାଏ। ଏମାନଙ୍କ ସଂଖ୍ୟା କମ। ଏସୀୟ ମାଈ ହାତୀଙ୍କର ପରିଣତ ବୟସରେ ଛୋଟ ଛୋଟ ଦାନ୍ତ (tuss) ବାହାରେ। ଆଫ୍ରିକୀୟ ହାତୀମାନଙ୍କ କ୍ଷେତ୍ରରେ ଉଭୟ ଅଣ୍ଡିରା ଓ ମାଈଙ୍କର ବଡ ଛାମୁ ଦାନ୍ତ ଥାଏ।

ନାମକରଣର ଇତିହାସ[ସମ୍ପାଦନା]

ଈଂରାଜୀ ଶବ୍ଦ "elephant" ଲାଟିନ୍ ଶବ୍ଦ elephasରୁ ଗୃହୀତ ହୋଇଛି ଏବଂ ଏହି ଲାଟିନ୍ ଶବ୍ଦଟି ଗ୍ରୀକ୍ ଶବ୍ଦ ἐλέφας (ଏଲିଫାସ୍)ରୁ ଗୃହୀତ ।[୧] ଏହି ଶବ୍ଦଟି ଫିନିସିୟାନ୍ ପରି କୌଣସି ଏକ ଅଣ ଇଣ୍ଡୋ-ୟୁରୋପୀୟ ଭାଷାରୁ ଆସି ଥାଇପାରେ ।[୨] ମାଇକିନିଆନ୍ ଗ୍ରୀକ୍ ଭାଷାରେ ହାତୀକୁ “ଏରିପା” କୁହାଯାଏ ।[୩][୪] ମାଇକିନିଆନ୍ ଗ୍ରୀକ୍ ଭାଷାର କବି ହୋମର୍ ହାତୀଦାନ୍ତ (ivory) ପାଇଁ ଏହି ଶବ୍ଦକୁ ବ୍ୟବହାର କରିଥିବା ବେଳେ ହେରୋଡଟ୍ସ ଜୀବ ପାଇଁ ଏଲିଫାସ୍ ବା ଏରିପା ଶବ୍ଦକୁ ବ୍ୟବହାର କରିଥିଲେ ।[୧] ୧୩୦୦ ଖ୍ରୀଷ୍ଟାବ୍ଦ ବେଳକୁ ମଧ୍ୟଯୁଗୀୟ ଈଂରାଜୀ ଭାଷାରେ ଏଲିଫ୍ୟାଣ୍ଟ୍ ଶବ୍ଦଟି olyfaunt ରୂପେ ଲେଖା ଯାଉଥିଲା ଯାହା ବୋଧହୁଏ ଦ୍ଵାଦଶ ଶତାବ୍ଦୀର ପୁରୁଣା ଫରାସୀ ଶବ୍ଦ oliphantରୁ ଗୃହୀତ ହୋଇଥିଲା ।[୨] ଗ୍ରୀକ୍ ଶବ୍ଦ Loxodonta ଆଫ୍ରିକୀୟ ହାତୀମାନଙ୍କ ପାଇଁ ବ୍ୟବହୃତ ହୁଏ ଓ ଏହାର ଅର୍ଥ ହେଲା “ପାର୍ଶ୍ଵସ୍ଥ ତେର୍‍ଛା ଦାନ୍ତ" ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ଛାଞ୍ଚ:LSJ
  2. ୨.୦ ୨.୧ Harper, D. "Elephant". Online Etymology Dictionary. Retrieved 25 October 2012. 
  3. Lujan, E. R.; Bernabe, A. "Ivory and horn production in Mycenaean texts". Academia. Retrieved 22 January 2013. 
  4. "elephant". Palaeolexicon, Word study tool of ancient languages. Retrieved 19 January 2013. 
  5. Kalb, J. E.; Mebrate, A. (୧୯୯୩). Fossil Elephantoids from the Hominid-Bearing Awash Group, Middle Awash Valley, Afar Depression, Ethiopia. The American Philosophical Society. pp. ୫୨–୫୯. ISBN ୦-୮୭୧୬୯-୮୩୧-୫. 

ପୁସ୍ତକ ଆଧାର[ସମ୍ପାଦନା]

--- Shoshani, J.; Shoshani, S. L. What is an Elephant?. pp. ୧୪–୧୫. 
--- Shoshani, J. Comparing the Living Elephants. pp. ୩୬–୫୧. 
--- Shoshani, J. Anatomy and Physiology. pp. ୬୬–୮୦. 
--- Easa, P. S. Musth in Asian Elephants. pp. ୮୫–୮୬. 
--- Moss, C. Elephant Calves: The Story of Two Sexes. pp. ୧୦୬–୧୩. 
--- Payne, K. B.; Langauer, W. B. Elephant Communication. pp. ୧୧୬–୨୩. 
--- Eltringham, S. K. Ecology and Behavior. pp. ୧୨୪–୨୭. 
--- Wylie, K. C. Elephants as War Machines. pp. ୧୪୬–୪୮. 
--- McNeely, J. A. Elephants as Beasts of Burden. pp. ୧୪୯–୫୦. 
--- Smith, K. H. The Elephant Domestication Centre of Africa. pp. ୧୫୨–୫୪. 
--- McNeely, J. A. Elephants in Folklore, Religion and Art. pp. ୧୫୮–୬୫. 
--- Shoshani, S. L. Famous Elephants. pp. ୧୬୮–୭୧. 
--- Daniel, J. C. The Asian Elephant Population Today. pp. ୧୭୪–୭୭. 
--- Douglas-Hamilton, I. The African Elephant Population Today. pp. ୧୭୮–୮୩. 
--- Tuttle, C. D. Elephants in Captivity. pp. ୧୮୪–୯୩. 
--- Martin, E. B. The Rise and Fall of the Ivory Market. pp. ୨୦୨–୦୭. 
--- Shoshani, J. Why Save Elephants?. pp. ୨୨୬–୨୯. 

ଆହୁରି ପଢ଼ନ୍ତୁ[ସମ୍ପାଦନା]