ମାହେଶ୍ୱରୀ ମନ୍ଦିର

ଉଇକିପିଡ଼ିଆ‌ରୁ

ମାହେଶ୍ୱରୀ ମନ୍ଦିର, ଅନୁଗୋଳ ଜିଲ୍ଲାର ଆଠମଲ୍ଲିକରେ ଅବସ୍ଥିତ ଏକ ଶକ୍ତି ମନ୍ଦିର। ମା ମାହେଶ୍ୱରୀ ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ । ଆଠମଲ୍ଲିକ ସହରର ପ୍ରମୁଖ ଦର୍ଶନୀୟ ସ୍ଥାନ ମଧ୍ୟରେ ଦେବୀ ମାହେଶ୍ୱରୀଙ୍କ ମନ୍ଦିର ଅନ୍ୟତମ । ସ୍ଥାନୀୟ ମହାତ୍ମା ଗାନ୍ଧୀ ବସ ଷ୍ଟାଣ୍ଡରୁ ପ୍ରାୟ ଏକ କି.ମି. ଦୂରରେ ରୁଗୁଡିସାହିଠାରେ ତାଙ୍କ ଆସ୍ଥାନ ଅବସ୍ଥିତ । ଆଠମଲ୍ଲିକ ଅଞ୍ଚଳର ପ୍ରତ୍ୟେକ ଅଧିବାସୀଙ୍କ ଅନ୍ତରରେ ତାଙ୍କ ପ୍ରତି ଗଭୀର ଭକ୍ତି ଭାବନା ରହିଛି । କଦମ୍ବ ରାଜବଂଶର ଈଷ୍ଟଦେବୀ ଭାବରେ ଆବହମାନ କାଳରୁ ପୂଜା ପାଇ ଆସୁଥିବା ମା' ମାହେଶ୍ୱରୀ ଆଠମଲ୍ଲିକ ଅଞ୍ଚଳର ସର୍ବମୟକର୍ତ୍ତୀ ଭାବରେ ଲୋକମାନଙ୍କୁ ଅଭୟ ବର ପ୍ରଦାନ କରିଥାନ୍ତି ।

ଇତିହାସ[ସମ୍ପାଦନା]

ପୌରାଣିକ[ସମ୍ପାଦନା]

ଦେବୀ ଭାଗବତରୁ ଜଣାଯାଏ ଯେ ମହିଷାସୁରକୁ ହତ୍ୟା କରିବା ସମୟରେ ମା' ଦଶଭୁଜା ଦୁର୍ଗା ବିବସ୍ତ୍ର ହୋଇ ନିଜର ଅପରୂପ ସୌନ୍ଦର୍ଯ୍ୟରେ ତାକୁ ବିମୋହିତ କରି ଦେଇଥିଲେ । ମହିଷାସୁରକୁ ହତ୍ୟା କରିବା ପରେ ତାଙ୍କର ହିତାହିତ ଜ୍ଞାନ ଫେରିଲା । ଦେବତାମାନେ ତାଙ୍କୁ ବିବସ୍ତ୍ର ରହିଥିବା କଥା ଚେତାଇ ଦେବାରୁ ଦେବୀ ଲଜ୍ଜାବୋଧ କଲେ । ସଙ୍ଗେ ସଙ୍ଗେ ନାଭିରୁ ଅନ୍ୟ ଏକ ହାତ ବାହାରି ଆସି ତାଙ୍କ ଯୌନାଙ୍ଗକୁ ଘୋଡାଇ ଦେଲା । ଏହି ଘଟଣା ହିଁ ମାହେଶ୍ୱରୀଙ୍କ ମୂର୍ତ୍ତିରେ ପ୍ରତିଫଳିତ ହୋଇଛି ।

ଦେବୀ ମାହେଶ୍ୱରୀ ଏଠାରେ ଏକାଦଶ ଭୁଜା ଦୁର୍ଗା ରୂପରେ ପୂଜିତା । ଦେବୀ ଦୁର୍ଗାଙ୍କ ମୂର୍ତ୍ତି ସାଧାରଣତଃ ଦୁଇ, ଚାରି, ଛଅ, ଆଠ, ଦଶ ଓ କୋଡିଏ ଭୁଜା ହୋଇଥିବା ବେଳେ ଏକାଦଶ ଭୁଜା ମୂର୍ତ୍ତି ଦେଖିବା ବିରଳ ମନେହୁଏ । ତେଣୁ ମୂର୍ତ୍ତିକଳା ଇତିହାସରେ ଆଠମଲ୍ଲିକର ମା' ମାହେଶ୍ୱରୀଙ୍କ ମୂର୍ତ୍ତିର ଯେ ସ୍ୱତନ୍ତ୍ର ସ୍ଥାନ ରହିଛି ଏଥିରେ ସନ୍ଦେହ ନାହିଁ । ତେବେ ଏକାଦଶ ଭୁଜା ମୂର୍ତ୍ତି ନିର୍ମାଣର ପ୍ରାସଙ୍ଗିକତା ରହିଛି । ୧୯୨୦ ମସିହାରେ ନିର୍ମିତ ବର୍ତ୍ତମାନର ମନ୍ଦିର ଭିତରେ ଦେବୀ ମାହେଶ୍ୱରୀ ପୂର୍ବମୁଖା ହୋଇ ବସିଛନ୍ତି । ତାଙ୍କ ସହିତ ଏଠାରେ ଦଧିବାମନଙ୍କୁ ମଧ୍ୟ ପୂଜା କରାଯାଏ । ତେଣୁ ଏହା ହେଉଛି ବୈଷ୍ଣବ ଓ ଶାକ୍ତ ଧର୍ମର ଅପୂର୍ବ ସମନ୍ୱୟର ପୀଠ । ସେମାନଙ୍କ ବ୍ୟତୀତ ଏଠାରେ ମହାକାଳୀ, ନାରାୟଣୀ, ମହାଲକ୍ଷ୍ମୀ, ମହାକାଳ ଭୈରବୀ ଦେବୀମାନଙ୍କୁ ପୂଜା କରାଯାଏ । ପ୍ରତିଦିନ ମାହେଶ୍ୱରୀଙ୍କ ପୂଜା ମହାଆଡମ୍ବର ସହକାରେ ଏଠାରେ ଅନୁଷ୍ଠିତ ହୁଏ । ଭୋଗ ହିସାବରେ ତାଙ୍କୁ ମୁଆଁ,ନଡ଼ିଆ, ଦହି, ଚହ୍ଲା, କ୍ଷୀର ପ୍ରଭୃତି ଅର୍ପଣ କରାଯାଏ । ଦିନକୁ ଦୁଇବେଳା ଘୃତ ଅନ୍ନର ଭୋଗ ଲାଗେ । ଯାନିଯାତ୍ରା ଓ ପର୍ବପର୍ବାଣି ଦିନମାନଙ୍କରେ ବିଶେଷତଃ ଆଶ୍ୱିନ ମାସରେ ଷୋହଳ ପୂଜା କରାଯିବାର ବ୍ୟବସ୍ଥା ରହିଛି । ବ୍ରାହ୍ମଣମାନେ ମା' ମାହେଶ୍ୱରୀଙ୍କୁ ତାନ୍ତ୍ରିକ ରୀତିରେ ପୂଜା କରୁଥିବା ବେଳେ ତାଙ୍କ ସହିତ ପ୍ରତିଷ୍ଠିତ ଦଧିବାମନଙ୍କୁ ସାତ୍ତ୍ୱିକ ରୀତିରେ ପୂଜା କରିଥାନ୍ତି ।

ପର୍ବପର୍ବାଣି[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]