ବୈଷ୍ଣବ ପାଣି

ଉଇକିପିଡ଼ିଆ ରୁ
ଗଣକବିଗଣକବି ବୈଷ୍ଣବ ପାଣି ଏଠାକୁ ମୁହାଁଇଥାନ୍ତି ।
ଗଣକବି ବୈଷ୍ଣବ ପାଣି
ଜନ୍ମ ୧୮୮୨
ଚକାପଦ,ମାହାଙ୍ଗା, କଟକ, ଓଡ଼ିଶା
ତିରୋଧାନ ମଇ ୧୦, ୧୯୫୬
ବୃତ୍ତି କବି
ଜାତୀୟତା  ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ପ୍ରକାର ସୁଆଙ୍ଗ, ଗୀତିନାଟ୍ୟ

ବୈଷ୍ଣବ ପାଣି ଜଣେ ଓଡ଼ିଆ ନାଟ୍ୟକାର, ପାଲାକାର ଥିଲେ ।

ଜୀବନକାଳ[ସମ୍ପାଦନା]

ଗଣକବି ବୈଷ୍ଣବ ପାଣି ୧୮୮୨ ମସିହା କୁମାର ପୂର୍ଣିମା ଗୁରୁବାର ଦିନ ଓଡ଼ିଶାର କଟକ ଜିଲ୍ଲାର ମାହାଙ୍ଗା ଥାନାର ଚକାପଦ ଗାଁରେ ସୁଦର୍ଶନ ପାଣିଙ୍କ ଔରସ ଏବଂ ମାତା ଚାନ୍ଦଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ତାଙ୍କର ପ୍ରକୃତ ନାମ ଶତ୍ରୁଘ୍ନ ଥିଲା । ପିଲାବେଳରୁ ରୋଗାକ୍ରାନ୍ତ ହେତୁ ତାଙ୍କ ପିତାମାତା ଜଗନ୍ନାଥଙ୍କ ବଡ଼ଛତା ମଠ ତଳେ ବୈଷ୍ଣବ କରିଦେବାରୁ ସେ ବୈଷ୍ଣବ ନାମରେ ପରିଚିତ । ତାଙ୍କ ପରିବାର ଅଭାବି ଓ ଗରିବ ଥିଲେ । ତାଙ୍କର ଜନ୍ମରୁ ଦେହାନ୍ତ ଯାଏଁ ଅଭାବ ଅନଟନ ଲାଗିରହିଥିଲା । ଏଗାର ବର୍ଷ ବୟସରୁ ସେ କୋଠପଦା ମହନ୍ତଙ୍କ ଅଧୀନରେ ଫୁଲତୋଳା, ଫୁଲଗୁନ୍ଥା କାମରେ ନିଯୁକ୍ତ ହେଲେ । ତଥାପି ପରିବାରର ଅବସ୍ଥା ଦିନକୁ ଦିନ ଖରାପ ହେବାରୁ ମଠକାମ ଛାଡ଼ି ଗୋରୁ ଚରାଇବା କାମରେ ରହିଲେ ।

ପିଲାଟି ଦିନରୁ ବୈଷ୍ଣବ ପାଣି ନୃତ୍ୟଗୀତ ପ୍ରତି ଅଧିକ ଆସକ୍ତ ଥିଲେ । କୋଠପଦାର ମହନ୍ତ ବୈଷ୍ଣବ ପାଣିଙ୍କୁ ଡୋରାବିଶ ନିବାସୀ ସ୍ଵର୍ଗତ ଶିବରାମ ସିଂହଙ୍କ ତତ୍ତ୍ଵାବଧନରେ ଛାଡ଼ିଲେ । ସେହିଦିନଠାରୁ ପାଣିଙ୍କର ନାଟକ ପ୍ରତି ଆଗ୍ରହ ବୃଦ୍ଧି ପାଇଲା । ଫୁଲଗୁନ୍ଥା ଗୋରୁଚରା କାମ ପରେ ଟ୨୪ଙ୍କା ବେତନରେ ଇଂରାଜୀ ବିଦ୍ୟାଳୟରେ ପାଚକରୂପେ ନିଯୁକ୍ତି ପାଇଲେ । ତେବେ ପ୍ରଧାନ ଶିକ୍ଷକ ସ୍ଵର୍ଗତ ଭୋଳାନାଥ ମିଶ୍ର ତାଙ୍କୁ ୪ର୍ଥ ଶ୍ରେଣୀରେ ନାମଲେଖାଇ ଅବୈତନିକ ଶିକ୍ଷା ପ୍ରଦାନ କଲେ । ଶିକ୍ଷା ସମାପନ ହେଲା ଷଷ୍ଠ ଶ୍ରେଣୀରେ । ମାସିକ ବେତନ ୪ ଟଙ୍କାରେ ସେ ଘରୋଇ ଶିକ୍ଷକ ହେଲେ ।

୧୯ ବର୍ଷ ବୟସରେ ସେ ବିବାହ କରିଥିଲେ । ପରେ ସେ ସ୍ତ୍ରୀଙ୍କୁ ଛାଡ଼ି ଅସବର୍ଣ୍ଣ ବିବାହ କରି ସମାଜରୁ ବାସନ୍ଦ ହୋଇଥିଲେ । ନାଟକ ଜୀବନର ଆରମ୍ଭ ହେଲା ମାଳିହତା ଗ୍ରାମରେ ଓସ୍ତାତିରୁ । ଓସ୍ତାଦ ତଥା ନାଟ୍ୟକାର ହିସାବରେ କ୍ରମେ ପ୍ରସିଦ୍ଧି ଅର୍ଜନ କଲେ । ଗଡ଼ଜାତର ଅଧିକାଂଶ ରାଜ୍ୟ କଲିକତା ଟାଟା ଇତ୍ୟାଦି ସ୍ଥାନରେ ଅଭିନୟ କରି ସୁନାମ ଅର୍ଜନ କଲେ । ଏପରିକି ମୋହନ ଗୋସ୍ଵାମୀ, ଗୋପାଳ ଦାଶ, କବି ମଞ୍ଚୁଳ କୃଷ୍ଣପ୍ରସାଦ ବସୁ, ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତିଙ୍କ ସହ ତାଙ୍କର ବାଦୀଯାତ୍ରା ଅନେକଥର ହୋଇଛି ।

ଗଣକବି ବୈଷ୍ଣବ ପାଣି ଓଡ଼ିଆ ଯାତ୍ରାଗୀତାଭିନୟ କ୍ଷେତ୍ରରେ ଅନେକ ନାଟକ ଲେଖିଯାଇଛନ୍ତି । ୨୧ ବର୍ଷ ବୟସରେ ସେ ପ୍ରଥମ ନାଟକ ଗୀତାଭିନୟ ‘ମେଘନାଦ ବଧ’ ଲେଖିଥିଲେ । ତାହାପରେ ସେ ଅନେକ ସୁପରିଚିତ ନାଟକ ଲେଖିଯାଇଛନ୍ତି ।

୧୦ ମେ ୧୯୫୬ ମସିହା ଅମାବାସ୍ୟା ତିଥିରେ ତାଙ୍କର ଦେହାନ୍ତ ହୋଇଥିଲା ।

ରଚନାବଳୀ[ସମ୍ପାଦନା]

ଗୀତିନାଟ୍ୟ, ଗୀତାଭିନୟ/ସୁଆଙ୍ଗ (ପୌରାଣିକ)[ସମ୍ପାଦନା]

  • ରଙ୍ଗସଭା (ଗୀତିନାଟ୍ୟ)
  • ବ୍ରଜଲୀଳା (ସୁଆଙ୍ଗ)
  • ଧ୍ରୁବ ଚରିତ (ସୁଆଙ୍ଗ)
  • କୀଚକବଧ (ସୁଆଙ୍ଗ)
  • ପ୍ରହଲ୍ଲାଦ ଚରିତ (ଗୀତାଭିନୟ)
  • ଦାଣ୍ଡିପର୍ବ (ଗୀତାଭିନୟ)
  • ଦାନବୀର ହରିଶ୍ଚନ୍ଦ୍ର (ସୁଆଙ୍ଗ)
  • ନଳଦମୟନ୍ତୀ (ଗୀତିନାଟ୍ୟ)
  • ରାବଣ ବଧ (ଗୀତିନାଟ୍ୟ)
  • ମହିଷାସୁର ବଧ
  • ସହସ୍ରା ରାବଣ ବଧ
  • ବାଲ୍ୟଲୀଳା
  • ସୁଭଦ୍ରା ହରଣ
  • ମାଧବ ସୁଲୋଚନା
  • ସାବିତ୍ରୀ ସତ୍ୟବାନ (ସୁଆଙ୍ଗ)
  • ନିକୁଞ୍ଚ ମିଳନ (ସୁଆଙ୍ଗ)
  • ଶ୍ରୀବତ୍ସ ରାଜା ବା ଶନି ଲକ୍ଷ୍ମୀ କଳି
  • ପାର୍ବତୀ ବିବାହ (ସୁଆଙ୍ଗ)
  • ରଘୁ ଅରକ୍ଷିତ ନାବକେଳି (ସୁଆଙ୍ଗ)
  • ଲକ୍ଷ୍ମୀ ପୂଜା (ଗୀତାଭିନୟ)
  • ବକାସୁର ବଧ (ଗୀତିନାଟ୍ୟ)
  • ବକାସୁର ବଧ (ଗୀତିନାଟ୍ୟ)
  • ଦୁର୍ଯ୍ୟୋଧନ ବଧ (ଗୀତିନାଟ୍ୟ)
  • ହରପାର୍ବତୀ ବିଭା (ସୁଆଙ୍ଗ)
  • ଜରାସନ୍ଧ ବଧ
  • ମୁକ୍ତାଚୋରି (ସୁଆଙ୍ଗ)

କିମ୍ବଦନ୍ତୀମୂଳକ ରଚନା[ସମ୍ପାଦନା]

  • ଯଯାତି କେଶରୀ (ଗୀତାଭିନୟ)
  • ଲାବଣ୍ୟ-ବତୀ ଚନ୍ଦ୍ରଭାନୁ ପରିଣୟ (ଗୀତିନାଟ୍ୟ)
  • ଶ୍ଵେତ ବସନ୍ତ (ସୁଆଙ୍ଗ)
  • କେଦାର ଗୌରୀ (ଗୀତିନାଟ୍ୟ)
  • ଉଷା-ବୟନ୍ତ (ଗୀତିନାଟ୍ୟ)

ଚରିତ୍ର ଧର୍ମୀ ରଚନା[ସମ୍ପାଦନା]

  • କାଳିଦାସ (ଗୀତାଭିନୟ)
  • ମିରାବାଇ
  • କଳାପାହାଡ଼ (ଗୀତିନାଟ୍ୟ)
  • ଚନ୍ଦ୍ରଗୁପ୍ତ (ଗୀତିନାଟ୍ୟ)
  • ସଂଯୁକ୍ତା ପରିଣୟ

କାଳ୍ପନିକ ରଚନା[ସମ୍ପାଦନା]

  • ଠକପୁରାଣ ସୁଆଙ୍ଗ
  • ଜୟନ୍ତ ଜୟପାଳ ସୁଆଙ୍ଗ
  • ନିର୍ବାସିତ ରାଜପୁତ୍ର
  • ଅମରବିଳାସ

ବୈଷ୍ଣବ ପାଣି ଅନେକ ଓଡ଼ିଆ ଫାର୍ଶ ରଚନା କରିଥିଲେ; ସୌଦାଗର ଫାର୍ଶ, ନାଟୁଆ ମହାନ୍ତି ଫାର୍ଶ, ଆଲିବାବା ଫାର୍ଶ, ଗୋପାଳଭାଣ୍ଡ ପ୍ରହସନ, କେଳାକେଳୁଣୀ ଫାର୍ଶ, ମା ଡାଆଣୀ-ପୁଅ ମଦୁଆ, କଲିକତିଆ ଜୋଇଁ, ବୁଢ଼ାବୁଢ଼ୀ ଫାର୍ଶ ଓ ଭୀମାବାଇ ଫାର୍ଶ ଆଦି କେତେକ ଲୋକପ୍ରିୟ ଫାର୍ଶ ।

ଗଣକବି ପାଲା ଗାୟକ ଥିବା ରାମାୟଣ, ମହାଭାରତ, ସାରଳା ମହାଭାରତ, ଭାଗବତ, ନୃସିଂହପୁରାଣ, ଦାଣ୍ଡି ରାମାୟଣ, ବିଲଙ୍କା ରାମାୟଣ ଆଦି ସେ ଅଧ୍ୟୟନ କରିଥିଲେ ଓ ସେଥିରୁ ଉପାଖ୍ୟାନ ମାନ ଗ୍ରହଣ କରି ସେଥିରୁ ଅନେକ ନାଟକ ରଚନା କରିଥିଲେ । ସେ ଆଶୁକବି, ଗଣକବି ଓ ବିଦଗ୍ଧ କବିନାମରେ ମଧ୍ୟ ଜଣା । ପାଲାକାର ଜୀବନରୁ ତାଙ୍କର ଆଶୁ କବିତା ଲିଖନ ଆରମ୍ଭ ହୋଇଥିଲା ।। ତାଙ୍କର ଗୀତାଭିନୟ ପ୍ରହସନ ଗୁଡ଼ିକରେ ସଂଯୋଜିତ ସଙ୍ଗୀତ ଗୁଡ଼ିକ ପାଇଁ ସେ ଗଣ କବି ଭାବରେ ଜଣାଶୁଣା । ଏଥିରେ ଗଣ ଜୀବନର ଭାଷା, ସୁଖ ଦୁଃଖ, ପଲ୍ଲୀ ପ୍ରାଣତା ଓ ବାସ୍ତବ ଜୀବନର ଚିତ୍ର ପରିଲକ୍ଷିତ ।

ଶକୁନ୍ତଳା ଓ ଛାନ୍ଦ କିଶୋରୀ ବିଳାପ ତାଙ୍କର ଦୁଇଟି ଗାଥାକାବ୍ୟ । ଏଥିରେ ବିଦଗ୍ଧ କାବ୍ୟିକତା ଦେଖିବାକୁ ମିଳିଥାଏ । ମହାକବି କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ଓ ସ୍ଵଭାବ କବି ଗଙ୍ଗାଧରଙ୍କ ‘ପ୍ରଣୟ ବଲ୍ଲରୀ’ କାବ୍ୟ ଅନୁସରଣ କରି ବୈଷ୍ଣବ ପାଣି ରଚନା କରିଛନ୍ତି ‘ଶକୁନ୍ତଳା’ କାବ୍ୟ । ଛାନ୍ଦ କିଶୋରୀ ବିଳାପ ଗଣକବିଙ୍କ ମର୍ମସ୍ପର୍ଶୀ ରଚନା । ବିଭିନ୍ନ ରାଗରାଗୀଣି ସମ୍ବଳିତ ଛନ୍ଦ ଏହି କାବ୍ୟର ଗୀତିଧର୍ମ କାବ୍ୟିକତାର ସ୍ଵରୂପ ବହନ କରିଛି । ଚଉତିଶା, ଚଉପଦୀ, ଭଜନ, ଜଣାଣ, ମାହାତ୍ମ୍ୟ, ମାଳିକା, ଶୋକଗୀତି, କୀର୍ତ୍ତନ ଆଦି ବିବିଧ କବିତା ରଚନା କରି ସେ ଓଡ଼ିଆ ପଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ବୈଷ୍ଣବ ପାଣି ଜଣେ ସଫଳ ଗୀତିକବି, ସ୍ଵତଃସ୍ପ୍ବର୍ତ୍ତ ତାଙ୍କର କବିତ୍ଵ । ଅନ୍ତରର ଭାବହିଁ ତାଙ୍କ କବିତାର ଭାବବିନ୍ଦୁ । ଗଣକବି ବୈଷ୍ଣବ ପାଣି ମଧ୍ୟଯୁଗୀୟ କବିମାନଙ୍କର ପରି ଚଉତିଶା ରଚନା କରିଛନ୍ତି । ଦୀନକୃଷ୍ଣ ଦାସଙ୍କ ‘ଆର୍ତ୍ତତ୍ରାଣ ଚଉତିଶା’ ପରି ଗଣକବି ‘ନୀଳାଚଳ ଚଉତିଶା’ ରଚନା କରିଛନ୍ତି ଯାହା ଖୁବ୍‌ ହୃଦ୍ୟ ଓ ଭକ୍ତିଭାବପୂର୍ଣ୍ଣ । ଏତଦ୍‌ ବ୍ୟତୀତ ତାଙ୍କର ସାରଳା ଦେବୀ ଜଣାଣ ଚଉତିଶା, ଓଲଟ ଚଉତିଶା, ରାଧାକୃଷ୍ଣ ଚଉତିଶା, ମଙ୍ଗଳା ଚଉତିଶା ଆଦି ଲୋକପ୍ରିୟ । ତାଙ୍କର ଭଜନ ଓ ଜଣାଣ ଭିତରୁ କବିଙ୍କର ଭକ୍ତିଭାବର ମାର୍ମିକ ପରିଚୟ ମିଳେ । ସେ ମଧ୍ୟ ରଚନା କରିଛନ୍ତି ଅନେକ ପ୍ରେମ ଗୀତି କବିତା । ପ୍ରେମିକର ପ୍ରେମିକା ପ୍ରତି ଓ ପ୍ରେମିକା ପ୍ରତି ପ୍ରେମିକର ନିବିଡ଼ ପ୍ରେମାନୁଭୂତିର ପରିଚୟ ବହନ କରିଛି ତାଙ୍କର ପ୍ରେମଗୀତିକା ।ଏଥିରେ ପ୍ରକାଶ ପାଇଛି କବି ହୃଦୟର ଗଭୀର ଅନୁଭୂତି ଓ ମାଧୁର୍ଯ୍ୟ ସ୍ମୃତି । ବିଚ୍ଛେଦ ଓ ଅଶ୍ରୁର ସ୍ପନ୍ଦନ ଏଥିରେ ନିବିଡ଼ । ଦେହରୁ ଦେହାତୀତ ଆଡ଼କୁ ଗତିକରିଛି ତାଙ୍କ ପ୍ରେମ ଭାବନା । ସେ ମଧ୍ୟ ଅନେକ ଗୁଡ଼ିଏ ଶୋକ ଗୀତି କବିତାର ସ୍ରଷ୍ଟା । ତାଙ୍କ ଶୋକ ଗୀତି କବିତା ମଧ୍ୟରେ ଉତ୍କଳମଣି ଗୋପବନ୍ଧୁ ଶୋକ, ପଞ୍ଜାବ କେଶରୀ ବିୟୋଗ ଓ ଅନ୍ତିମ ଶଯ୍ୟାରେ ମର୍ଦ୍ଦାରବୀ ଅନ୍ୟତମ । ସ୍ଵରାଜ୍ୟ ପ୍ରଶଂସା, ସତ୍ୟାଗ୍ରହୀ, ଜାତୀୟ ଗୀତିକା, ବାପୁଜୀ ଓ ଉତ୍କଳକୁ ନେ ସେ ବହୁ ଜାତୀୟବାଦୀ ଗୀତି କବିତା ରଚନା କରିଛନ୍ତି ।

ଗଣକବିଙ୍କ ସୃଷ୍ଟି ସାମାଜିକ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଜାତୀୟଭାବ ଉଦ୍ରେକ କରିବାରେ ସହାୟକ ହୋଇଥିଲା । ପାଣି ସାହିତ୍ୟରେ ଥିଲା ଓଡ଼ିଆ ଜାତୀୟ ଜୀବନର ଆଲେଖ୍ୟ । କବି ବୈଷ୍ଣବ ପାଣି ଗଣଙ୍କ ପାଇଁ ଲେଖିଛନ୍ତି । ଏ ଗଣ ଉଭୟ ପଲ୍ଲୀ ଓ ନଗର ପରିବେଷରେ ‘ଗଣ’ । ସେ ଯଥାର୍ଥରେ ଗଣକବି । ତେଣୁ ତାଙ୍କ ସାହିତ୍ୟରେ ମିଳେ ଗଣଜୀବନର ଛବି । ଗଣଜୀବନର ହସ-କାନ୍ଦ, ଆଶା-ଆକାଙ୍କ୍ଷା, ଅଭାବ-ଅନାଟନ, ନୀତି-ଅନୀତି, ନ୍ୟାୟ-ଅନ୍ୟାୟ, ପାପ-ପୁଣ୍ୟ, ଧର୍ମ-ଅଧର୍ମ ତାଙ୍କ ସାହିତ୍ୟର ମୂଳ ବିଷୟ । ସାମାଜିକ ନୈତିକତା ବୋଧ ସୃଷ୍ଟି କରିଛନ୍ତି ଧର୍ମକୁ ମୁଖ୍ୟ ପ୍ରାଣସ୍ପନ୍ଦନ ଭାବରେ ଗ୍ରହଣ କରି ଚିତ୍ତବିନୋଦନ ମଧ୍ୟରେ ବଞ୍ଚିବାର ନୂତନ ସ୍ପନ୍ଦନ ସୃଷ୍ଟି କରିବା ଥିଲା ତାଙ୍କର ମୁଖ୍ୟ ଲକ୍ଷ୍ୟ ।

ଗଦ୍ୟ ରଚନା ରେ ମଧ୍ୟ ସେ ଥିଲେ ସିଦ୍ଧହସ୍ତ । କବି ବୈଷ୍ଣବ ପାଣିଙ୍କର ଆତ୍ମଜୀବନୀ ପୃଥିବୀର ବୋଧହୁଏ ଏକମାତ୍ର ଆତ୍ମକାହାଣୀ ଯେଉଁଥିରେ ସେ ନିଜର ଦୁର୍ଗୁଣକୁ ବର୍ଣ୍ଣନା କରିବାରେ ପଛେଇ ଯାଇନାହାନ୍ତି । ତାଙ୍କ ଅତ୍ମକାହାଣୀରେ ରହିଛି ଜଣେ ସତ୍ୟଧର୍ମାଙ୍କର ସ୍ପଷ୍ଟ ଉଚ୍ଚାରଣ । ଯେଉଁ ଉଚ୍ଚାରଣରେ ଗୋଳି ହୋଇଯାଇଛି ଜୀବନାନୁଭୂତି, ଜୀବନ ଜିଜ୍ଞାସା, ସମସାମୟିକ ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟ ବିଶେଷ କରି ପଶ୍ଚିମବଙ୍ଗର ଭୌଗଳିକ ରୂପରେଖ । ବୈଷ୍ଣବ ପାଣିଙ୍କର ଆତ୍ମଜୀବନୀ ଓଡ଼ିଆ ସାହିତ୍ୟରେ ସ୍ଵତନ୍ତ୍ର ଆସନ ଅଧିକାର କରେ ।

କଥାକାର ଭାବରେ ବୈଷ୍ଣବ ପାଣି ଆଦ୍ୟ ଓଁକାର ତୋଳିଛନ୍ତି ତାଙ୍କର ପ୍ରଥମ ସୃଷ୍ଟି ‘ଦୁଃଖିନୀ ଗୋବର ଗୋଟେଇ’ ଉପନ୍ୟାସ ମାଧ୍ୟମରେ । ଜାତି, ଜାତକ ଓ ଯୌତୁକ ବିହୀନ ସମାଜର ଏକ ଅସମାହିତ ପ୍ରଶ୍ନକୁ ସଜୀବ ଓ ସରଳ ପ୍ରଣାଳୀରେ ସମାଧାନ କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଅସୀକୁ ମସୀର ସମ୍ମାନ ଦେଇ ତାଙ୍କ ସୃଷ୍ଟିରୁ ନିର୍ଗତ ହୋଇଛି ଭି.ପି. ବର ଉପନ୍ୟାସ । ଏହା ଏକ ବ୍ୟଙ୍ଗ ଧର୍ମୀ ଉପନ୍ୟାସ ଭାବରେ ସ୍ଵକୀୟତା ପ୍ରତିପାଦନ କରେ । ତାଙ୍କର ସଚିତ୍ର ସ୍ଵାମୀ ସ୍ତ୍ରୀ ଓ ଉତ୍କଳ ‘ଗୃହଲକ୍ଷ୍ମୀ’ ପ୍ରମୁଖ ଉପନ୍ୟାସ ନାରୀସମାଜ ପାଇଁ ଏକ ଦର୍ପଣ ଶିଳା । ତାଙ୍କର ଗଦ୍ୟ ରଚନାରେ ପ୍ରାଣବନ୍ତ ବର୍ଣ୍ଣନାଶୈଳୀ ଯେପରି ପରିଚ୍ଛନ୍ନ ସେପରି ହୃଦ୍ୟ ।

ଟୀକା[ସମ୍ପାଦନା]

ଆଧାର[ସମ୍ପାଦନା]