ସାରଳା ଦାସ

ଉଇକିପିଡ଼ିଆ‌ରୁ
ଶୂଦ୍ରମୁନି

ସାରଳା ଦାସ
Born
ସିଦ୍ଧେଶ୍ୱର ପରିଡ଼ା

୧୫ଶ ଶତାବ୍ଦୀ
ତେନ୍ତୁଳିପଦା, ଜଗତସିଂହପୁର
Diedମାଘ ଶୁକ୍ଳ ସପ୍ତମୀ
Occupationଆଦି କବି
Notable workଓଡ଼ିଆ ମହାଭାରତ

ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।

୧୫ଶ ଶତାବ୍ଦୀରେ ସେ ଥିଲେ ପ୍ରଥମ ଓଡ଼ିଆ ଯେ ଓଡ଼ିଆରେ ସାହିତ୍ୟ ରଚନା କରିଥିଲେ । ତାଙ୍କର ଜନ୍ମ ସଠିକ ଭାବରେ ନିରୂପଣ କରାଯାଇ ପାରି ନାହିଁ ।

ସାରଳା ଦାସ ପ୍ରଥମେ ମୂର୍ଖ ଥିଲେ; ପରେ ସାରଳା ଠାକୁରାଣୀଙ୍କଠାରେ ଅଧିଆ ପଡ଼ି ଠାକୁରାଣୀଙ୍କଠାରୁ ବର ପାଇଥିଲେ । ମା ଶାରଳା ଠାକୁରାଣୀଙ୍କ ମନ୍ଦିରରେ ପ୍ରତି ଦିନ ପଢ଼ା ଯାଉଥିବା ସଂସ୍କୃତ ମହାଭାରତ ପୁରାଣ ଶୁଣି ଓଡ଼ିଆରେ ମହାଭାରତ ରଚନା କରିଥିଲେ । କିନ୍ତୁ ମୂଳ ସଂସ୍କୃତ ମହାଭାରତ ସଙ୍ଗେ ଉକ୍ତ ମହାଭାରତ ଅବିକଳ ମେଳ ହୁଏ ନାହିଁ । ଏ ମହାଭାରତରେ କବି ଅନେକ ମୌଳିକ କଥା ଛାଡ଼ି ଯାଇଅଛନ୍ତି ଓ କେତେକ କାଳ୍ପନିକ ଆଖ୍ୟାନ ମଧ୍ୟ ଯୋଗ କରିଅଛନ୍ତି । ସାରଳା ଦାସ ମୂଳ ମହାଭାରତର ଭାବ ସମାନ ରଖିଥିଲେ ହେଁ ନିଜ ଜାଣତରୁ ଏଥିରେ ଅନେକ ପୌରାଣିକ ଘଟଣା ଓ କାହାଣୀମାନ ମିଶାଇ ଏହାକୁ ଅତି ସମୃଦ୍ଧ ଓ ମୌଳିକ କରି ଲେଖିଥିଲେ ।[୧]

ଓଡ଼ିଆ ପଦ୍ୟ ରଚନାରେ ଏହାଙ୍କର ଲେଖା ପ୍ରାଚୀନ ବୋଧ ହେଉଥିବାରୁ ଏହାଙ୍କୁ ଆଦିକବି ବୋଲି ଲୋକେ କହନ୍ତି । ପଞ୍ଚଦଶ ଶତାବ୍ଦୀର ଲୋକ ପୁରୀ ଜଗନ୍ନାଥଙ୍କ ଦେଉଳ ବେଢା ମଧ୍ୟସ୍ଥ କଳ୍ପବଟ ମୂଳେ ବସି ତାଙ୍କ ମହାଭାରତ ରଚନା କରିଥିଲେ । ପୁରୀ ମୁକ୍ତିମଣ୍ଡପର ପଣ୍ଡିତମାନେ ସନ୍ତୁଷ୍ଟ ହୋଇ ତାଙ୍କୁ 'ଶୂଦ୍ରମୁନି' ଉପାଧି ଦେଇଥିଲେ ।[୨]

ସେ ସମୟରେ ଓଡ଼ିଶାରେ କପିଳେନ୍ଦ୍ର ଦେବ ରାଜା ଥିଲେ । ରାଜା ତାଙ୍କ କବିତ୍ୱରେ ସନ୍ତୁଷ୍ଟ ହୋଇ ତାଙ୍କୁ 'ପରିଡ଼ା' ଉପାଧି ଦେଇଥିଲେ । ତାଙ୍କ ବଂଶଧରମାନେ ସେହି 'ପରିଡ଼ା' ଉପାଧିକୁ 'ପରିଜା' ବୋଲି ଏବେ ବ୍ୟବହାର କରୁଅଛନ୍ତି । ତାଙ୍କ ନାମ ଅନୁସାରେ ଝଙ୍କଡ଼ର ଉତ୍ତର-ପଶ୍ଚିମରେ 'ସାରଳା' ନାମରେ ଗୋଟିଏ଼ ଗ୍ରାମ ବସିଥିଲା । ସେ ଗ୍ରାମକୁ ବର୍ତ୍ତମାନ 'ବଡ଼ ସାରୋଳ' ବୋଲାଯାଏ ।

କବି ନିରକ୍ଷର ଥାଇ ଜୀବନର ପ୍ରଥମ ଅବସ୍ଥାରେ ଚାଷବାସ ଓ ମୂଲିଆ କାମ କରୁଥିଲେ । ମହାଭାରତ ଲେଖି ସାରି ସେ ବୁଢ଼ାନଦୀ କୂଳରେ ଗୋଟିଏ ମଠ ସ୍ଥାପନ କରି ସେହିଠାରେ ଶେଷ ଜୀବନ କଟାଇଲେ । ତାଙ୍କୁ ଲୋକେ 'ମୁନିଗୋସାଇଁ' ବୋଲି ଡାକୁଥିଲେ ଓ ଏବେ ମଧ୍ୟ ସେହି ଆଶ୍ରମକୁ ସ୍ଥାନୀୟ ଲୋକେ ମୁନି ଗୋସାଈଁ ମଠ କହନ୍ତି। ମାଘ ଶୁକ୍ଳ ସପ୍ତମୀ ଦିନ ସେ ପରଲୋକ ଗମନ କରିଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ସେ ପ୍ରଥମେ ବିଲଙ୍କା ରାମାୟଣ , ଦ୍ୱିତୀୟରେ ମହାଭାରତ ଓ ତୃତୀୟରେ ଚଣ୍ଡୀପୁରାଣ ବା ଶିରୀ ଭାଗବତ ରଚନା କରିଛନ୍ତି । କବିଙ୍କ ଭାଷାରେ :-

"ପ୍ରଥମେ ଶ୍ରୀ ରାମାୟଣ ଦ୍ୱିତୀୟେ ଭାରତ

ତୃତୀୟେ ଲିଖନ କଲି ଶିରୀ ଭାଗବତ" ।


ଏଠାରେ ରାମାୟଣ ଅର୍ଥ 'ବିଲଙ୍କା ରାମାୟଣ' , ଭାରତ ଅର୍ଥ 'ମହାଭାରତ' ଏବଂ ଶିରୀ ଭାଗବତ ଅର୍ଥ 'ଦେବୀ ଭାଗବତ' ବା 'ଚଣ୍ଡୀପୁରାଣ' । କେହି କେହି ଗବେଷକ ଶ୍ରୀ ରାମାୟଣ ଅର୍ଥ ବିଚିତ୍ର ରାମାୟଣ ବୋଲି ମତପୋଷଣ କରନ୍ତି । କିନ୍ତୁ ଏହା ଏପର୍ଯ୍ୟନ୍ତ ଏକ ବିବଦମାନ ବିଷୟ ହୋଇରହିଛି ।

ତାଙ୍କଦ୍ୱାରା ରଚିତ ପ୍ରମୁଖ ଗ୍ରନ୍ଥଗୁଡିକ ହେଲା :-

  • ବିଲଙ୍କା ରାମାୟଣ
  • ମହାଭାରତ
  • ଚଣ୍ଡୀପୁରାଣ [୩]
  • ଲକ୍ଷ୍ମୀନାରାୟଣ ବଚନିକା


ଆଲୋଚନା:-

ଆଦିକବି ଶାରଳା ଦାସ ନିଜ ଗ୍ରନ୍ଥମାନଙ୍କରେ ନିଜକୁ ମୁର୍ଖ, ଅଜ୍ଞାନ ତଥା କେବଳ ମା ଶାରଳାଙ୍କ ଆଶୀର୍ବାଦ ଯୋଗୁ କାବ୍ୟ ଲେଖିଛ୍ହନ୍ତି ବୋଲି ବର୍ଣ୍ଣନା କରିଛନ୍ତି; ତେଣୁ କିଛି ସମାଲୋଚକ ତାଙ୍କୁ ମହାମୁର୍ଖ ବୋଲି ବର୍ଣ୍ଣନା କରିଛନ୍ତି । ତେବେ ଯେକୌଣସି ପାଠକ ଯଦି ତାଙ୍କ ସାହିତ୍ୟ ପଢ଼ିବ, ତାହାହେଲେ ସେ ନିଶ୍ଚୟ ଅନୁଭବ କରିବ ଯେ ଶାରଳା ଦାସ ମୋଟେ ଗଜମୁର୍ଖ ନ ଥିଲେ । ବରଂ ସେ ଥିଲେ ବିଭିନ୍ନ ଶାସ୍ତ୍ରର ପଣ୍ଡିତ, ତେଣୁ ସେ ତତ୍କାଳୀନ ସମାଜର ବୁଦ୍ଧିଜୀବିମାନଙ୍କୁ ମୂର୍ଖ ବନାଇ ଦେଉଥିଲେ । ଶାରଳା ଦାସ ଅବଶ୍ୟ ମା ଶାରଳାଙ୍କର ଅନୁଗ୍ରହ ଲାଭ କରିଥିଲେ, କିନ୍ତୁ ତାଙ୍କର ବହୁ ଶାସ୍ତ୍ର ପୁରାଣରେ ପ୍ରବେଶ ଥିଲା । ଅନେକ ଗ୍ରନ୍ଥ ଅଧ୍ୟୟନ କରିଥିବାରୁ ତାଙ୍କର ଅସୀମ ଜ୍ଞାନ ଥିଲା । ସେ କପିଳେନ୍ଦ୍ରଦେବଙ୍କର ସୈନ୍ୟବାହିନୀରେ ଯୋଗଦେଇ ଅନେକବର୍ଷ ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ, ଏଣୁ ତାଙ୍କର ଭୌଗଳିକ ଜ୍ଞାନ ମଧ୍ୟ ବହୁତ ଥିଲା । ବିଭିନ୍ନ ଲୋକଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିବାଦ୍ୱାରା ସେ ଲୋକଚରିତ୍ର କଣ ଅନୁଭବ କରିପାରିଥିଲେ । ଏତେ ସବୁ ସତ୍ତ୍ୱେ ସେ ସେତେବେଳର ସମାଜକୁ ଭୟ କରୁଥିଲେ, ତେଣୁ ସାଧାରଣ ଲୋକମାନେ ବୁଝିବା ଭଳି ଭାବ ଭାଷାରେ ସେ ଓଡ଼ିଆରେ କେଖୁଥିଲେ । ତତ୍କାଳୀନ ବ୍ରାହ୍ମଣପ୍ରଧାନ ସମାଜ ଓ ସସ୍କୃତପ୍ରେମୀ ଜନତା କାଳେ ତାଙ୍କ ସାହିତ୍ୟକୁ ଅନାଦର କରିବେ, ଏଇ ଭୟରେ ସେ ଚତୁରତାର ସହ ପ୍ରଚାର କଲେ ଯେ ସେ କିଛି ଲେଖିନାହାନ୍ତି । ଯାହା ମା ଶାରଳା କୁହନ୍ତି, ତାକୁ ସେ ଲେଖନ୍ତି । ମା ଶାରଳାଙ୍କ ନାମକୁ ନେଇ କବି ତାଙ୍କ ରଚନାକୁ ସମାଜରେ ପ୍ରତିଷ୍ଠିତ କରି ପାରିଥିଲେ । ଓଡ଼ିଆ ଭାଷା ସାହିତ୍ୟର ସେ ଜଣେ ବିରଳ ପ୍ରତିଭା । ତାଙ୍କର ପ୍ରମୁଖ ଗ୍ରନ୍ଥଗୁଡିକ ମଧ୍ୟରେ "ବିଲଙ୍କା ରାମାୟଣ", "ମହାଭାରତ", "ଚଣ୍ଡି ପୁରାଣ" ଏବଂ "ଲକ୍ଷ୍ମୀନାରାୟଣ ବଚନିକା ନାମକ ଏକ କ୍ଷୁଦ୍ର ଗ୍ରନ୍ଥ ରଚନା ଅନ୍ତର୍ଭୁକ୍ତ । ଆହୁରି ଅନେକ ଗ୍ରନ୍ଥ ଶାରଳାଙ୍କଦ୍ୱାରା ରଚିତ ବୋଲି ଲେଖାଥିଲେ ମଧ୍ୟ ତାହା ପ୍ରକୃତରେ ଆଦିକବିଙ୍କଦ୍ୱାରା ଲେଖା ଯାଇଛି କି ନାହିଁ ପ୍ରମାଣ ହୋଇପାରି ନାହିଁ ।

ବିଲଙ୍କା ରାମାଯ଼ଣ

ରାବଣକୁ ବଧକରି ପ୍ରଭୁ ରାମଚନ୍ଦ୍ର ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟା ଫେରି ଆସିଥାନ୍ତି । ରାମଙ୍କର ରାଜ୍ୟାଭିଷେକର ଆୟୋଜନରେ ସାରା ଅଯୋଧ୍ୟା ଉତ୍ସବ ମୁଖର ହୋଇ ଉଠିଥାଏ । କିନ୍ତୁ ବିଧିର ବିଚିତ୍ର ବିଧାନ! ଅଭିଷେକ ହୋଇଗଲେ ରାମଚନ୍ଦ୍ର ରାଜକାର୍ଯ୍ୟରେ ବ୍ୟସ୍ତଯିବେ, ତେଣୁ ବିଲଙ୍କାସୁରକୁ ବଧ କରି ଦେବତାମାନଙ୍କୁ କିପରି ଉଦ୍ଧାର କରିବେ ବୋଲି ବ୍ରହ୍ମାଙ୍କୁ ଯମ ପଚାରିଛନ୍ତି । ନିଜ ଶକ୍ତିର ପ୍ରମାଣ ଦେବାକୁ ରାମ ଏକାକୀ ବିଲଙ୍କାସୁରକୁ ବଧ କରିବାକୁ ଯାଇଛନ୍ତି, ହେଲେ ସେଥିରେ ସଫଳ ହୋଇ ପାରି ନାହାନ୍ତି । ପରେ ହନୁମାନ ରାମଙ୍କ ସାହାଯ୍ୟ ସତ୍ତ୍ୱେ ମଧ୍ୟ ବଧ କରି ପାରି ନାହାନ୍ତି । ସେପଟେ କିପରି ରାମଙ୍କର ମୃତ୍ୟୁ ହେବ ବୋଲି ବିଲଙ୍କାସୁର ଗ୍ରାମଦେବତୀଙ୍କୁ ପୂଜା ଓ ଯଜ୍ଞ କରିଛି । ମାତ୍ର ହନୁମାନ ଓ ରାମଚନ୍ଦ୍ର ତାଙ୍କ ଯଜ୍ଞ ସମ୍ପୁର୍ଣ କରାଇ ଦେଇ ନାହାନ୍ତି । ବିଲଙ୍କାସୁରକୁ ବଧ କରିବାକୁ ସୀତାଙ୍କର ଆବଶ୍ୟକତା ଅଛି ବୋଲି ଦେବତାମାନେ କହିବାରୁ ହନୁମାନ ଯାଇ ସୀତା ଓ ଲକ୍ଷ୍ମଣଙ୍କୁ ବିଲଙ୍କା ଆଣିଛନ୍ତି । ରାମ, ଲକ୍ଷ୍ମଣ, ହନୁମାନ ମିଳିତଭାବରେ ଯୁଦ୍ଧ କରି ବିଲଙ୍କାସୁରକୁ ମାରି ପାରି ନାହାନ୍ତି । ଶେଷରେ ଦେବଗଣ ସୀତାଙ୍କୁ ପ୍ରାର୍ଥନା କରି ରାକ୍ଷସକୁ ବଧ କରିବାକୁ ନିବେଦନ କରିବାରୁ ସୀତା ଚିତ୍ରସେନ ରଥରେ ବସି ଯୁଦ୍ଧଭୁମିକୁ ଆସିଛନ୍ତି । ଯୁଦ୍ଧକରି ଶେଷରେ ବିବସ୍ତ୍ର ହେବାରୁ ବିଲଙ୍କାସୁର ସୀତାଙ୍କୁ ହରଣ କରି ନେବାକୁ ସ୍ଥିର କରିଥିବା ବେଳେ ରାମ, ଲକ୍ଷ୍ମଣଙ୍କ ମିଳିତ ଅସ୍ତ୍ରରେ ରାକ୍ଷସର ମୃତ୍ୟୁହୋଇଛି । ପରେ ରାମଙ୍କ ରାଜ୍ୟ ଅଭିଷେକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି ।

ମହାଭାରତ

ବ୍ୟାସଦେବଙ୍କ ଲିଖିତ ସଂସ୍କୃତ ମହାଭାରତର କଥାବସ୍ତୁକୁ ନେଇ ଆଦିକବି ସାରଳା ଦାସ ଓଡ଼ିଆରେ ମହାଭାରତ ଲେଖିଛନ୍ତି । ସଂସ୍କୃତରୁ ସିଧା ସିଧା ଅନୁବାଦ ନ କରି କବି ତାଙ୍କର ଦୃଷ୍ଟିଭଙ୍ଗୀ ଓ ମୌଳିକ ବିଚାରବୋଧର ପ୍ରକାଶ କରିଛନ୍ତି । ଓଡ଼ିଆ ଘରର ଚାଲିଚଳଣୀ, ରୀତିନୀତି, ଖାଦ୍ୟପେୟ,ବେଶଭୁଷା, ପୁଣ୍ୟପର୍ବ, ଯାନିଯାତ୍ରା, କଥାବାର୍ତ୍ତା ସବୁକିଛି ତାଙ୍କ ମହାଭାରତରେ ଫୁଟି ଉଠିଛି । କେତେକ ସ୍ଥାନରେ ସେ ମୂଳ ସଂସ୍କୃତ ମହାଭାରତର ଘଟଣାକୁ ସଂକ୍ଷିପ୍ତ କରିଛନ୍ତି ତ କେଉଠି ଛୋଟ ଘଟଣାକୁ ବଡ଼ କରି ବର୍ଣ୍ଣନା କରିଛନ୍ତି । ସେହିପରି ମୂଳ ମହାଭାରତର କେତେକ ଘଟଣାକୁ ସେ ସମ୍ପୁର୍ଣ ଛାଡ଼ି ଦେବାବେଳେ କିଛି ଘଟଣା ସେ ନିଜ ମନରୁ ବର୍ଣ୍ଣନା କରିଛନ୍ତି । କବି ଶାହାଡ଼ାଗଛର ମାହାତ୍ମ୍ୟ, ଶାନ୍ତନୁଙ୍କ ସହ ଗଙ୍ଗାଙ୍କ ବିବାହ, ସିନ୍ଧିଚୋର କଥା, ସତ୍ୟ ଆମ୍ବ କଥା, ବାବନାଭୁତ କଥା, ଗାନ୍ଧାରିଙ୍କ ସନ୍ତାନଲାଭ କଥା, ଧୃତରାଷ୍ଟ୍ରଙ୍କ ଶହେ ପୁଅଙ୍କ ନାମକରଣ, ଅଳସୁଆ କାହାଣୀ, ସିଂହ-ଶୃଗାଳ କଥା, ସିଂହ-ମଶା କଥା, ତୁଳସୀବଣ ବାଘତୁଳାମୁହାଁଙ୍କ ଗଳ୍ପ, କଳି ଅବତରଣ ପ୍ରସଙ୍ଗସୁହାଣୀ କନ୍ୟା ସହ ଯୁଧିଷ୍ଠିରଙ୍କ ବିବାହ କଥା - ଏମିତି କେତେସବୁ ଗପ ନିଜ ମନରୁ ସୃଷ୍ଟି କରିଛନ୍ତି ।

ଶାହଡ଼ାଗଛର ମାହାତ୍ମ୍ୟ

ଥରେ ଭଗବାନ ମହାଦେବ ବୃଷଭ ପିଠିରେ ବସି ବୁଲି ଯାଉଥିଲେ । ବାଟରେ ଯାଉ ଯାଉ ଗୋଟିଏ ଶାହଡା ଗଛ ଦେଖି ବୃଷଭ ଖୁସିହେଲା, ଗଛ ନିକଟକୁ ଯାଇ ପତ୍ରଟିଏ ଆଣି ନିଜ ମୁଣ୍ଡରେ ରଖିଲା । ମହାଦେବ ଏହାର ରହସ୍ୟ କଣ ପଚାରିବାରୁ ବୃଷଭ ଉତ୍ତରଦେଲା "ଶାହାଡ଼ା ଗଛର ପତ୍ରକୁ ମୁଣ୍ଡରେ ରଖିଲେ ସେଦିନ ଅମୃତ ସଦୃଶ ଖାଦ୍ୟ ପଦାର୍ଥ ମିଳେ" । ଏକଥା ଶୁଣି ଶିବ ଆଶ୍ଚର୍ଯ୍ୟ ହେଲେ ଓ ଘଟଣାର ସତ୍ୟତା ପରୀକ୍ଷା କରିବାକୁ ସ୍ଥିର କଲେ । ବୃଷଭକୁ ନେଇ ବିଭିନ୍ନ ସ୍ଥାନ ବୁଲିବା ପରେ କ୍ଳାନ୍ତ ହୋଇ ସୁର୍ଯ଼୍ୟାସ୍ତ ସମୟକୁ ଶିବ କୈଳାସ ଫେରି ଆସିଲେ । ଏଣେ ପତିଙ୍କ ଆସିବାରେ ବିଳମ୍ବ ଦେଖି ପାର୍ବତୀ ଅମୃତତୁଲ୍ୟ ଭୋଜନ ବାଢ଼ି କେବଳ ପଞ୍ଚଗ୍ରାସୀ କରୁଥାନ୍ତି, ଠିକ୍ ସେତିକି ବେଳେ ଶିବଙ୍କର ଡମ୍ବରୁ ଶବ୍ଦ ଶୁଣାଗଲା । ଦେବୀ ଖାଦ୍ୟ ଥାଳି ତରତରରେ ନେଇ ବୃଷଭ କୁଣ୍ଡରେ ପକାଇ ଦେଇ ସ୍ୱାମୀଙ୍କୁ ବନ୍ଦାପନା କରି ପ୍ରାସାଦକୁ ନେଇ ଆସିଲେ । ବୃଷଭକୁ କିଛି ଖାଦ୍ୟ ନ ଦେବାକୁ କଡା ଆଦେଶ ଦେଇ ଶିବ ଶୋଇଗଲେ ।

ସେପଟେ ବିଚରା ବୃଷଭ ସାରାଦିନ ବୁଲି ବୁଲି ଘରକୁ ଫେରିଲା ପରେ ପ୍ରଭୁଙ୍କ ନିଷ୍ଠୁର ଆଦେଶ ଶୁଣି ମନଦୁଃଖ କଲେ । ବାସିନଡା ଖାଇବାକୁ ପଡିବ ବୋଲି ଭାବି କୁଣ୍ଡରେ ଦେଖିଲା ବେଳକୁ ସେଥିରେ ଭଳିକି ଭଳି ଖାଦ୍ୟପଦାର୍ଥ ଭରି ରହିଥାଏ । ବୃଷଭ ଶାହଡ଼ା ଗଛ ଦେଖିବା ଓ ତା ପତ୍ରମୁଣ୍ଡରେ ରଖିବା ହେତୁ ଅପୁର୍ବ ଖାଦ୍ୟ ମିଳିଛି ଜାଣି ଖୁସି ମନରେ ସବୁ ଖାଇ ଆନନ୍ଦରେ ଶୋଇ ପଡିଲେ ।

ତା ପରଦିନ ସକାଳୁ ଶିବ ବୃଷଭଠାରୁ ସବୁ କଥା ଶୁଣି ଶାହାଡ଼ାଗଛର ମାହାତ୍ମ୍ୟ ଜାଣିପାରିଲେ ।

ଉଆଁସୀ କନ୍ୟା

ବ୍ରହ୍ମରାକ୍ଷସ ଦୋଷ ନେଇ ଜନ୍ମ ହୋଇଥିବାରୁ ଧୃତରାଷ୍ଟ୍ରଙ୍କୁ କନ୍ୟା ମିଳୁନଥିଲେ କି ଉଆଁସୀ କନ୍ୟା ଗାନ୍ଧାରୀଙ୍କୁ ବର ମିଳୁନଥିଲେ । ତେଣୁ ଦୁହେଁ ଅବିବାହିତ ଥିଲେ କାରଣ ଯେଉଁଠି ସେମାନଙ୍କ ବିବାହ ପ୍ରସ୍ତାବ ପଡୁଥିଲା, ସେ ବରକନ୍ୟାମାନେ ମରିଯାଉଥିଲେ । ଶେଷରେ ବ୍ୟାସକବି ନିଜେ ରାଜା ଗାନ୍ଧାରସେନଙ୍କୁ ତାଙ୍କ ପୁଅ ଧୃତରାଷ୍ଟ୍ରଙ୍କ ପାଇଁ ଗାନ୍ଧାରୀଙ୍କୁ ମାଗିଲେ । ଗାନ୍ଧାରସେନ ପ୍ରଥମେ ରାଜି ହେଉ ନଥିଲେ, କିନ୍ତୁ ବିବାହ ପୁର୍ବରୁ ତାଙ୍କର ଏକମାତ୍ର କନ୍ୟା ଗାନ୍ଧାରୀଙ୍କୁ ଶାହାଡ଼ାଗଛ ସହ ବିବାହ ଦେବେ ବୋଲି ବ୍ୟାସଦେବ ପରାମର୍ଶ ଦେବାରୁ ରାଜା ମାନିଲେ । ଯେମିତି ଶାହାଡ଼ାଗଛର ଡାଳରେ ଗାନ୍ଧାରୀଙ୍କ ହାତ ରଖି ହସ୍ତଗଣ୍ଠି ପଡିଛି, ଦେଖୁ ଦେଖୁ ଆଖିପିଛୁଳାକେ ସମସ୍ତଙ୍କ ଆଖି ଆଗରେ ଗଛଟି ପୋଡ଼ି ପାଉଁଶ ହୋଇଗଲା । ଗାନ୍ଧାରୀଙ୍କ ସବୁ ଦୋଷ କଟିଗଲା ଓ ସେ ଧୃତରାଷ୍ଟ୍ରଙ୍କୁ ବିବାହ କଲେ ।

ସତ୍ୟ ଆମ୍ବ କଥା

ପାଣ୍ଡବମାନଙ୍କ ଅଜ୍ଞାତ ବନବାସ ସ୍ଥାନର ପରିଚୟ ପାଇବା ଉଦ୍ଦେଶ୍ୟରେ ଦିନେ ଦୁର୍ଯୋଧନ ଶକୁନିଙ୍କ ସହିତ ମନ୍ତ୍ରଣା କରିଛନ୍ତି ଓ ତାଙ୍କ ପରାମର୍ଶକ୍ରମେ ପୁରଚନ ପଣ୍ଡାଙ୍କ ପୁତ୍ର ଗୌରମୁଖକୁ ଡାକି ଅନୁସନ୍ଧାନ ନିମିତ୍ତ ପଠାଇଛନ୍ତି । ଯେଉଁମାନେ ଆଶ୍ୱିନ ମାସରେ ଆମ୍ବଫଳ ଦେଇ ପାରିବେ, ସେମାନେ ପାଣ୍ଡବ ବୋଲି ଚିହ୍ନିବ ବୋଲି ଗୌରମୁଖଙ୍କୁ କହିଛନ୍ତି । ଚାରିମାସ ପର୍ଯନ୍ତ ଖୋଜିବା ପରେ ଶେଷରେ ଗୌରମୁଖ ପାଣ୍ଡବମାନଙ୍କୁ ଅସ୍କନ୍ଧ ବନରେ ଠାବ କରି ତାଙ୍କର ଅତିଥି ହୋଇଛନ୍ତି । ସେ ଯୁଧିଷ୍ଠିରଙ୍କୁ ପାଚିଲା ଆମ୍ବ ଖାଇବା ପାଇଁ ମାଗିଛନ୍ତି । ଅତିଥିଙ୍କର କଥା ଶୁଣି ଯୁଧିଷ୍ଠିର ଚିନ୍ତିତ ହୋଇ ପଡିଛନ୍ତି । ଅସମୟରେ ମିଳିବନାହିଁ ଜାଣି ମଧ୍ୟ ଯୁଧିଷ୍ଠିର ଚାରିଭାଇଙ୍କୁ ଆମ୍ବ ଆଣିବାକୁ ପଠାଇଛନ୍ତି ହେଲେ ସମସ୍ତେ ନିରାଶ ହୋଇ ଫେରିଛନ୍ତି । ଶେଷରେ ଯୁଧିଷ୍ଠିର ଶ୍ରୀକୃଷ୍ନଙ୍କୁ ସ୍ମରଣ କରିଛନ୍ତି ଓ ତାଙ୍କୁ ପନ୍ହୁପାଣ୍ଡବ ସତକଥା କହିଛନ୍ତି । ପାଙ୍ଚଭାଇଙ୍କ ସତ୍ୟକଥା ଶୁଣି ଆମ୍ବ ଟାକୁଆରୁ ଗଜା ହୋଇ ଗଛ ହୋଇଛି, ଫୁଲ ଫୁଟିଛି, କଷି ଧରିଛି । ଶେଷକୁ ଦ୍ରୌପଦୀଙ୍କ ସତ୍ୟକଥାରେ ଆମ୍ବଟି ପାଚି ହଳଦିଆ ପଡିଯାଇଛି । ଯୁଧିଷ୍ଠିର ଖୁସି ହୋଇ ବ୍ରାହ୍ମଣଙ୍କୁ ସେ ଅଦିନ ଆମ୍ବଟି ପ୍ରଦାନ କରିଛନ୍ତି । ବ୍ରାହ୍ମଣ ଗଧୋଇସାରି ଖାଇବେ ବୋଲି କହି ଆମ୍ବଟି ନେଇ ସେଠାରୁ ପଳାଇ ଯାଇଛନ୍ତି । ମାତ୍ର ବ୍ରାହ୍ମଣଙ୍କର ମନ୍ଦ ଉଦ୍ଦେଶ୍ୟ ଜାଣିପାରି ଶ୍ରୀକୃଷ୍ନ ଆମ୍ବଟି ହରଣ କରି ନେଇଛନ୍ତି ଓ ଦୁର୍ଯୋଧନ ପାଣ୍ଡବମାନଙ୍କ ସମ୍ବନ୍ଧରେ ଆଉ ପ୍ରମାଣ ପାଇନାହାନ୍ତି ।

ଭୁବନେଶ୍ୱର ଭଞ୍ଜ କଳାମଣ୍ଡପ ସମ୍ମୁଖରେ ଥିବା ସାରଳା ଦାସଙ୍କ ପ୍ରତିମୂର୍ତ୍ତି

ବାବନାଭୁତ କଥା

ତୁଙ୍ଗଭଦ୍ରା ନଦୀ କୁଳରେ ଜ୍ଞାନପୁର ନାମକ ଗାଁଟିଏ । ଗାଁକୁ ଲାଗି ଏକ ବଡ଼ ଭୟଙ୍କର ମଶାଣୀ ଥାଏ, ଯାହାର ରାଜା ଥିଲା ବାବନାଭୁତ । ତା ଅଧୀନରେ ଥିବା ଭୁତ, ଡାହାଣୀ, ଚିରୁଗୁଣୀ ତାର ଆଦେଶ ପାଳନ୍ତି । ବାଟରେ ଯାଉଥିବା ଲୋକମାନଙ୍କୁ ସେମାନେ ଢେଲାପଥର ପକାଇ ହଇରାଣ କରନ୍ତି । ରାତିରେ ସେମାନଙ୍କୁ ଦେଖି କେହି ଯଦି ଭେଟଣା ହୋଇଗଲା, ତେବେ ରକ୍ତବାନ୍ତି କରି ମରି ଯାଉଥିଲା । ଭୁତମାନଙ୍କର ଏପରି ଉତ୍ପାତଯୋଗୁ ଗାଁ ଲୋକମାନେ ଡରିଡରି ବଡ଼ କଷ୍ଟରେ ଦିନ ବିତାଉଥାନ୍ତି । ଦିନେ ସୋମରାଷ୍ଟ୍ର ଦେଶରୁ ଶୁଦ୍ରକ ରାଉଳ ବୋଲି ଜଣେ ବ୍ୟକ୍ତି ଆସି ସେ ଗାଁରେ ପହଙ୍ଚିଲେ, ତାଙ୍କୁ ଗୁଣି ଗାରୁଡି ଜଣାଥିଲା । ଲୋକମାନେ ରାଉଳଙ୍କୁ ପାଇ ଖୁସି ହେଲେ, ତାଙ୍କପାଇଁ ଘରଦ୍ୱାର କରିଦେଲେ । ରାଉଳଙ୍କର ଚାଷ କରିବାପାଇଁ ଜମି ଦରକାର ହେବାରୁ ସେ ସ୍ଥିର କଲେ ଯେ ବଡ଼ ମଶାଣୀକୁ ଲାଗି ଯେଉଁ ଅନାବାଦୀ ଜମି ଅଛି, ତାକୁ ତାଡି ଚାଷ କରିବେ । ଚାଷଜମିରୁ ଯାହା ଉତ୍ପନ୍ନ କରିବେ ତାକୁ ବିକି ପରିବାର ପୋଷିବେ । ଗାଁଲୋକଙ୍କୁ ସେ ମନକଥା କହିବାରୁ ସେମାନେ ତାଙ୍କୁ ବାବନାଭୁତର ଉପଦ୍ରବ କଥା କହିଲେ ଓ ସେ ଜମିରେ ଚାଷ ନ କରିବାକୁ ପରାମର୍ଶ ଦେଲେ । ଶୁଦ୍ରକ କହିଲା - "ମୁଁ କେତେ ଭୁତ ପ୍ରେତଙ୍କୁ ସାବାଡ଼ କରିଦେଇଚି, ବାବନାଟା କେତେ ମାତ୍ର! ମୁଁ ଏବର୍ଷ ସେ ଜମିରେ ମାଘତିଳ ଚାଷ କରିବି । ମୋତେ ହଳ ଚାରିଟା ଯୋଗାଡ଼ କରିଦିଅ । ତେଣିକି ମୋ ଦାୟିତ୍ୱ । ତୁମେମାନେ ବ୍ୟସ୍ତ ହୁଅନାହିଁ । ମୁଁ କେବଳ ଚାଷ ଆରମ୍ଭ କରେ, ଦେଖିବ ବାବନା କିପରି ଏ ସ୍ଥାନ ଛାଡ଼ିଯାଉଛି ।" ହଳ କାମ ଆରମ୍ଭ ହେବାରୁ ଭୁତମାନେ ଯାଇ ବାବନାଭୁତକୁ ଏକଥା ଜଣାଇଲେ । ବାବନା ଆଦେଶରେ ଶହ ଶହ ଭୁତ ତାଙ୍କର କିଳିକିଳା ନାଦରେ ହଳିଆମାନଙ୍କୁ ଭୟଭୀତ କଲେ । ଏକଥା ଶ୍ହୁଣି ଶୁଦ୍ରକ ରାଉଳ ସେଠି ପହଙ୍ଚିଯାଇ ତା ବିଦ୍ୟା ପ୍ରୟୋଗ କଲା, ଦଉଡି ଠେଙ୍ଗାରେ ଭୁତମାନଙ୍କୁ ପାନେ ଦେଲା । ଭୁତମାନେ ମୁକ୍ତିଦେବାକୁ ପ୍ରାର୍ଥନା କରିବାରୁ ରାଉଳ କହିଲା ଯଦି ତାକୁ ୬୦ପଉଟି ତିଳ ଦେବେ, ତେବେ ସେମାନଙ୍କୁ ମୁକ୍ତି ମିଳିବ । ସେମାନେ ରାଜି ହୋଇ ପଳାଇଗଲେ ଓ ବାବନାକୁ ସବୁ କହିଲେ । ବାବନାଭୁତ ସେ କଥାରେ ରାଜି ହେଲାନାହିଁ, ବରଙ୍ଗ୍ ତା କାମ କରିବାକୁ ବାହାରି ଗଲା । ରାଉଳ କିଛି ସମୟପରେ ଘରେ ପହନ୍ଚି ଦେଖିଲା ତା ପୁଅ ଖାଲି ନାଚିକୁଦି ଚିତ୍କାର କରୁଛି, ନାନା କଥା କହୁଛି । ରାଉଳ ଜାଣିଲା ତାକୁ ଭୁତ ଗ୍ରାସିଛି । ସେ ମନ୍ତ୍ର ପଢ଼ି ଭୁତକୁ ପିଟିଲା । ବାବନାଭୁତ ନାକ ଘଷି ରାଉଳକୁ ଷାଠିଏ ପଉଟି ତିଳ ଦେଲା ଓ ତାର ବଂଶ ଦଳବଳ ନେଇ କୁଅଡେ ଚାଲିଗଲା । ଲୋକମାନେ ରାଉଳକୁ ଧନ୍ୟ ଧନ୍ୟ କରି ଖୁସିରେ ରହିଲେ ।

ଦ୍ୱାପର ଯୁଗର ଶ୍ରୀକୃଷ୍ଣ କଳିଯୁଗର ଜଗନ୍ନାଥ

ଜଗନ୍ନାଥ ଓଡ଼ିଆ ଜାତିର ଆରାଧ୍ୟ ଦେବତା, ତାଙ୍କର ପ୍ରସିଦ୍ଧି ବିଶ୍ୱବ୍ୟାପୀ । ବିଶ୍ୱ ଦରବାରରେ ଓଡ଼ିଶାର ଜଗନ୍ନାଥ ଧର୍ମ ଅତୁଳନୀୟ, ସେ ହେଉଛନ୍ତି ସବୁ ଧର୍ମର ସମନ୍ୱୟ । ସବୁ ଚିନ୍ତା ଚେତନା ଏବଂ ସାରସ୍ୱତକୁ ଏକାଠି ମିଶାଇ ଦେଲେ ଯାହା ହେବ ତାହା ହିଁ ହେଉଛି - ଜଗନ୍ନାଥ ଧର୍ମ । ସେଇଥି ପାଇଁ ପ୍ରତ୍ୟେକ ଧର୍ମର ଧର୍ମାବଲମ୍ବୀ ତାଙ୍କୁ ନିଜ ନିଜ ଧର୍ମମତର ପ୍ରତୀକ ରୂପେ ଗ୍ରହଣ କରିବା ଲାଗି ଦ୍ୱିଧା ପ୍ରକଶ କରନ୍ତି ନାହିଁ । ଜଗତର ନାଥ ଜଗନ୍ନାଥଙ୍କୁ କିଏ କହେ 'ରାମ' କିଏ କହେ 'ବାମନ' କିଏ କହେ 'ଅଲେଖ ନିରଞନ' ପୁଣି କିଏ କହେ 'ବୁଦ୍ଧଦେବ' । ମାତ୍ର ଶାରଳା ଦାସ ଯୁକ୍ତି ଦର୍ଶାଇ ଦ୍ରୁଢ ସ୍ୱରରେ କହିଛନ୍ତି, ସେ ହେଉଛନ୍ତି 'ଶ୍ରୀକୃଷ୍ଣ' ।

ଦ୍ୱାପର ଯୁଗର କଥା । ଶ୍ରୀକୃଷ୍ଣ ଶିଆଳି ଲତାରେ ଚୁପ ଚାପ ଶୋଇଥିଲେ । ଏଇ ସମୟରେ ସେ ବଣକୁ ମୃଗୟା ଉଦ୍ଦେଶ୍ୟରେ ଆସିଥିବା ଜାରାଶବର ଲତା ଗହଳିରେ ଶ୍ରୀକୃଷ୍ଣର ପାଦ ଯୋଡିକୁ ଦେଖି ମୃଗୁଣୀର କାନ ବୋଲି ଭାବିଲା ଏବଂ ଶର ବିନ୍ଧିଲା । ପାଖକୁ ଯାଇ ଦେଖେ ତ ସେ ଦ୍ୱାରିକାଧିପତି ଶ୍ରୀକୃଷ୍ଣ । ଜାରା ପ୍ରଭଙ୍କର ମହିମା ଆଗରୁ ଜାଣିଥିଲା, ଏବେ ଶ୍ରୀକୃଷ୍ଣଙ୍କର ହତ୍ୟାର କାରଣ ହୋଇଥିବାରୁ ସେ ନିଜକୁ ଖୁବ ଧିକ୍କାର କଲା । ମାତ୍ର ଏହା ଥିଲା ବିଧିର ବିଧାନ - ଜାରା ପୁର୍ବ ଜନ୍ମରେ ମାଗିଥିବା ବରର ମନସ୍କାମନା ପୁରଣ ମାତ୍ର ।

"କାତରେ ବେନି ହାତ ଯୋଡି, କୃଷ୍ଣଙ୍କ ଚରଣ ତଳେ ପଡି
ଉଠି କପାଳେ ମାରି କର, ବୋଲଇ ମୁହିଁ ଦୁରାଚାର
ନ ଜାଣି କଲି ଏଡେ କର୍ମ, କେ ମତେ କଲା ମତିଭ୍ରମ
ତୁ ନାଥ ଜଗତ ସୋଦର, ଏ ଅପରାଧ କ୍ଷମା କର"

ଜାରାଶବର ହାତରେ ଶ୍ରୀକୃଷ୍ଣଙ୍କ ଦେହବସାନ ହେଲା ପରେ ପାଣ୍ଡବମାନେ ତାଙ୍କୁ ନେଇ ସମୁଦ୍ର କୁଳରେ ଦାହ କଲେ । ମାତ୍ର ସେ ଅକ୍ଷୟ ବ୍ରହ୍ମ ପୂର୍ଣ୍ଣ ଦାହ ହେଲା ନାହ୍ହି ତେଣୁ ପାଣ୍ଡବମାନେ ନିରାଶ ହୋଇ ଶେଷକୁ ଉପାୟ ନପାଇ ସେଇ ଦରପୋଡା ବ୍ରହ୍ମକୁ ସମୁଦ୍ରରେ ଭସାଇ ଦେଲେ । ସେ ବ୍ରହ୍ମ ଭାସି ଭାସି ଯାଇ ପୁରୀର ସମୁଦ୍ର ତଟରେ ପହନ୍ଚିଲା । ସେଇଠି ଯୁଗ ଯୁଗ ଧରି ସେ ନୀଳମାଧବ ରୁପରେ ପୂଜା ପାଇଲେ । ବିଷ୍ଣୁଙ୍କ ସନ୍ଧାନରେ ମାଳବରୁ ରାଜା ଇନ୍ଦ୍ରଦ୍ୟୁମ୍ନ ଏବଂ ବ୍ରାହ୍ମଣ ବିଦ୍ୟାପତି ଆସିଲେ । ନୀଳମାଧବ ଉଭେଇ ଯାଇ ବାଙ୍କି ମୁହାଣରେ ଦେଖା ଦେଲେ ଦାରୁବ୍ରହ୍ମ ଆକାରରେ । ରାଜା ସୈନ୍ୟସାମନ୍ତ, ସକଳ ଅଶ୍ୱ ଗଜ ନେଇ "ଦାରୁବ୍ରହ୍ମ" ପାଇଁ ଗଲେ । ଦାରୁବ୍ରହ୍ମ ପ୍ରୁଷ୍ଠରେ ଶ୍ରୀକୃଷ୍ଣଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ ପ୍ରଭୃତି ଚିହ୍ଣ ସବୁ ବିଦ୍ୟମାନ ଥିଲା । ମାତ୍ର ଦାରୁବ୍ରହ୍ମ ଅଟଳ ରହିବାରୁ ରାଜା ଅଧିଆ ପଡିଲେ । ଠାକୁର ତାଙ୍କୁ ସ୍ୱପ୍ନରେ ଛାୟାପ୍ରାୟ ଦୃଶ୍ୟ ହୋଇ କହିଲେ "ରାଜା, ତୋର ପାର୍ଥିବ ଶକ୍ତି ବଳରେ ଏଠାରୁ ମୋତେ ଟଳେଇ ନେବାର ବୃଥା ଚେଷ୍ଟା କରନା । ଆସନ୍ତା କାଲି ମୋର ପ୍ରକୃତ ସେବକ ବିଦ୍ୟାପତିଙ୍କର ବଂଶଧରମାନଙ୍କୁ ଡକେଇ ଆଣି ଗୋଟିଏ ପାଖରେ ଠିଆ କରାଇବୁ ଓ ଆର ପାଖରେ ଜାରାର ବଂଶଧରଙ୍କୁ । ସେଇମାନେ ଏକତ୍ର ଛୁଇଁଲେ ମୁଁ ଯିବି" । ଶେଷରେ ତାହା ହି ହେଲା । ଦାରୁବ୍ରହ୍ମ ଭକ୍ତମାନଙ୍କ ଉପସ୍ଥିତିରେ ଅକ୍ଳେଶରେ ଉଠି ଚାଲିଲେ । ଅମୁହାଁ ଦେଉଳରେ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କ ପରାମର୍ଶରେ ମୂର୍ତ୍ତୀଗଢା ଆରମ୍ଭ ହେଲା । ଏଇ ମୂର୍ତ୍ତୀ ଗଢିବା କାର୍ଯ଼୍ୟ କଲେ ସ୍ୱୟଂ ବିଶ୍ୱକର୍ମା ।

ସେଇ ଦାରୁ ଦେବତା । । । ଶବର ଦେବତା । । । ହେଉଛନ୍ତି ଦ୍ୱାପରର ଶ୍ରୀକୃଷ୍ଣ (ଜଗନ୍ନାଥ) ବଳଭଦ୍ର ଏବଂ ସୁଭଦ୍ରା! ପାଖରେ ତାଙ୍କର ସୁଦର୍ଶନ । ଯାହା ପାଖରେ ବିଚାର ନାହିଁ ଆର୍ଯ଼୍ୟ, ଅନାର୍ଯ଼୍ୟ, ବ୍ରାହ୍ମଣ, ଶୁଦ୍ର, ହିନ୍ଦୁ, ମୁସଲମାନର । ସେ ଆଚାଣ୍ଡାଳ ବ୍ରାହ୍ମଣ ସମସ୍ତଙ୍କର ।

ଆଜିକୁ ଛହଶହ ବର୍ଷ ତଳେ ଶାରଳା ଦାସ ଯାହା କଳ୍ପନା କରି ଯାଇଥିଲେ ଆଜି ତାହା ବାସ୍ତବ ରୁପ ନେଇଛି ।

କଳି ଅବତରଣ ପ୍ରସଙ୍ଗ

ମହାଭାରତ ଯୁଦ୍ଧ ଶେଷ ହେଲା, ଧର୍ମରେ ଥିବାରୁ ପନ୍ଚୁପାଣ୍ଡବଙ୍କର ବିଜୟ ହେଲା । ସେତେବେଳକୁ ଦ୍ୱାପର ଯୁଗ ସରି ଆସିଲାଣି, କଳିଯୁଗ ପ୍ରବେଶ କରିବାକୁ ଥାଏ । କଳିକାଳରେ ଧର୍ମନନ୍ଦନ ଯୁଧିଷ୍ଠିର କିପରି ରାଜ୍ୟ କରିବେ ବୋଲି ଭାବି ସହଦେବ କଳିକୁ ଅଟକାଇ ରଖିଲେ । ଯୁଧିଷ୍ଠିର ସ୍ୱର୍ଗାରୋହଣ କରିବାକୁ ପ୍ରସ୍ତୁତ ହେଉଥାନ୍ତି, ସେତିକିବେଳେ ତାଙ୍କ ପାଖହୁ ଏକ ମୋକଦ୍ଦମା ଆସିଲା । ଜଣେ ବ୍ରାହ୍ମଣ ତାଙ୍କର ଶୁଦ୍ର ଚାକର ସହ ସୁନାକଙ୍କଣ ଦୁଇଟି ଧରି ଆସିଲେ । ବ୍ରାହ୍ମଣଙ୍କ ଢିପଜମିରୁ ଖୋଳୁ ଖୋଳୁ ଶୁଦ୍ରକୁ ତାହା ମିଳିଥିଲା, ତେଣୁ ସେ ମାଲିକଙ୍କ ପାଖରେ ତାହା ଦେଲା । କିନ୍ତୁ ବ୍ରାହ୍ମଣ ସେ କଙ୍କଣ ଗ୍ରହଣ କଲେ ନାହିଁ, ବରଂ କହିଲେ ଯେ ସେ କଙ୍କଣ ତାଙ୍କର ପ୍ରାପ୍ୟ ନୁହେଁ କାରଣ ତାଙ୍କ ଚାକର ପରିଶ୍ରମ କରି ପାଇଥିବାରୁ କଙ୍କଣ ତାର ହେବା ଉଚିତ । ମାତ୍ର ଚାକର ସେକଥା ନ ଶୁଣି ମାଲିକଙ୍କ ଜମିରୁ ତାହା ମିଳିଥିବାରୁ ତାହା ମାଲିକଙ୍କର ବୋଲି ଯୁକ୍ତି କରିଥିଲା । ଏଥିପାଇଁ ଦୁଇଜଣଙ୍କ ଭିତରେ କଳିଗୋଳ ଭୟଙ୍କର ରୁପ ଧାରଣ କଲା । ଉଭୟ ଏହାର ସମାଧାନ ପାଇ ବହୁଲୋକଙ୍କ ପାଖକୁ ଯାଇ ନିରାଶ ହୋଇ ସେମାନେ ଯୁଧିଷ୍ଠିରଙ୍କ ପାଖକୁ ଆସିଲେ ନ୍ୟାୟ ପାଇଁ । ଯୁଧିଷ୍ଠିର ସବୁ ସୁଣି ସମାଧାନ ପାଇଁ ମନ୍ତ୍ରୀ ସହଦେବଙ୍କୁ ପଚାରିଲେ । ସହଦେବ କହିଲେ ମୁ କଳିକୁ ଅଟକାଇ ରଖିଛି, ଏଣୁ ଦ୍ୱାପର ଯୁଗର ପ୍ରଭାବ ଏବେ ବି ରହିଛି । ଆପଣ ତ ସ୍ୱର୍ଗକୁ ବାହାରିଲେଣି । ଆପଣଙ୍କ ଆଜ୍ଞା ହେଲେ ମୁ କଳିକୁ ମୁକ୍ତ କରିଦେବି । ରାଜା ପରୀକ୍ଷିତ ଏହାର ବିଚାର କରିବେ ।

ଯୁଧିଷ୍ଠିର ସେଥିରେ ରାଜି ହେବାରୁ ସହଦେବ କଳିକୁ ମୁକ୍ତ କରିଦେଲେ । ପରୀକ୍ଷିତଙ୍କ ଆଗରେ ହଠାତ କଳି ପ୍ରଭାବରେ ବ୍ରାହ୍ମଣ ଓ ଶୁଦ୍ରଙ୍କ କଥା ଓ ଯୁକ୍ତି ବଦଳି ଗଲା । ଦୁହେଁ କଙ୍କଣକୁ ନିଜର ବୋଲି ଦାବୀ କଲେ, ନାନା ଯୁକ୍ତି ଦେଇ ପ୍ରମାଣ କରିବାକୁ ଚେଷ୍ଟା କଲେ ଯେ କଙ୍କଣର ମାଲିକ ସେମାନେ । ହଠାତ ଦୁହେଁ କଙ୍କଣ ପାଇବା ପାଇଁ କଳିଗୋଳ ମଧ୍ୟ କଲେ । ସବୁ ଶୁଣି ରାଜା ପରୀକ୍ଷିତ କହିଲେ - ତୁମେ କେହି ସେ ଜିନିଷ ପାଇବ ନାହିଁ । ତାହା ରାଜକୋଷରେ ଜମା ହେବ ।

ସେ ଘଟଣା ଦେଖି ଯୁଧିଷ୍ଠିର ଆଉ ମୁହୁର୍ତ୍ତଟିଏ ମଧ୍ୟ କଳି ରାଜୁତିରେ ନ ରହିବାକୁ ସ୍ଥିର କଲେ । ଚାରିଭାଇ ଓ ଦ୍ରୌପଦୀଙ୍କୁ ନେଇ ହିମାଳୟ ଅଭିମୁଖେ ଚାଲିଲେ ।

ଚଣ୍ଡି ପୁରାଣ

ଶୁକ-ପରୀକ୍ଷିତ ସମ୍ବାଦ ଛଳରେ କବି ଚଣ୍ଡିପୁରାଣରେ ସମସ୍ତ କଥାକୁ ବର୍ଣ୍ଣନା କରିଛନ୍ତି । ମହାଭାରତର ବିଲଙ୍କା ରାମାୟଣ ପରି ଚଣ୍ଡିପୁରାଣ ଗ୍ରନ୍ଥଟି କବି ସାରଳା ଦାସ ଚଣ୍ଡିଙ୍କ ଆଜ୍ଞାରେ ତାଙ୍କରି ଭାଷାକୁ ପ୍ରକାଶ କରିବାର ବର୍ଣ୍ଣନା କରିଛନ୍ତି । ଏହି ପୁରାଣ ପରବର୍ତ୍ତୀ କାଳରେ ହିନ୍ଦୁମାନଙ୍କ ଘରେ ଚଣ୍ଡିପୁରାଣ ଭାବେ ଅଦ୍ୟାବଧି ପୂଜିତ ହେଉଛି ।

ବ୍ରହ୍ମାଙ୍କ ବଳରେ ବଳିୟାନ ମହିଷାସୁର ଦେବ, ଦାନବ, ଯକ୍ଷ, ରକ୍ଷ, ଗନ୍ଧର୍ବ, ନର ଓ ବାନର କାହାଦ୍ୱାରା ମୃତ୍ୟୁ ହେବନାହିଁ ବୋଲି ଜାଣି ପ୍ରବଳ ଯୁଦ୍ଧ ପରେ ସମସ୍ତଙ୍କୁ ପରାସ୍ତ କଲା । ଦିଗ୍ୱିଜୟୀ ବୀର ହୋଇ ଶେଷରେ ସ୍ୱର୍ଗ ଉପରେ ଆକ୍ରମଣ କଲା ଓ ଦେବଗଣଙ୍କୁ ପରାସ୍ତ କଲା । ଅନେକ ଦେବତାଙ୍କୁ ଆଣି ବନ୍ଦୀ କରିବାରୁ ଦେବତାମାନେ ଭୟରେ ଲୁଚିଲେ । ଦେବତାଙ୍କ ମୁଖର ଅଗ୍ନିରୁ ଦେବୀ ଦୁର୍ଗା ଜନ୍ମ ନେଲେ । ମହିଷାସୁର ଦେବୀଙ୍କ ମୋହିନୀ ରୁପରେ ଟାଣି ହୋଇ ତାଙ୍କୁ ସ୍ତ୍ରୀ ରୁପେ ପାଇବାପାଇଁ ତାର ସେନାପତି ଚାମର, ବେମାଳ, କାଳ, ବିକାଳ, କାନ୍ତିମାଳା, ବିଡାଳାକ୍ଷ, ରକ୍ତବିର୍ୟ, ବୀରଘଣ୍ଟ ଓ କାଳଦନ୍ତ ଆଦିଙ୍କୁ ପଠାଇଲା । ମାତ୍ର ଦେବୀ ସମସ୍ତଙ୍କୁ ମାରି ଶେଷରେ ମହିଷାସୁରକୁ ବଧ କରି ସମସ୍ତଙ୍କୁ ଶାନ୍ତି ପ୍ରଦାନ କଲେ ।

ଲକ୍ଷ୍ମୀନାରାୟଣ ବଚନିକା

କବିଙ୍କ ଅନ୍ୟାନ୍ୟ ଗ୍ରନ୍ଥଗୁଡ଼ିକ "ଦାଣ୍ଡିବୃତ୍ତ"ରେ ଲେଖାଯାଇଛି । "ଲକ୍ଷ୍ମୀନାରାୟଣ ବଚନିକା" ଗ୍ରନ୍ଥଟି ଖୁବ କ୍ଷୁଦ୍ର, ଅଣାଅଶୀ ପଦର । ଗ୍ରନ୍ଥଟିରେ ଲକ୍ଷ୍ମୀ ନାରାୟଣଙ୍କର କଥୋପକଥନ ବର୍ଣ୍ଣନା କରାଯାଇଛି ।

ଲକ୍ଷ୍ମୀନାରାୟଣ ତାଙ୍କର ଗୁରୁବାର ବ୍ରତ ସମ୍ବନ୍ଧରେ ଯାହା କିଛି ବର୍ଣ୍ଣନା କରିଛନ୍ତି ତାହାହିଁ ଗ୍ରନ୍ଥଟିର ବିଷୟବସ୍ତୁ । ଲକ୍ଷ୍ମୀ ମଣ୍ଡାଫୁଲ, ପଦ୍ମଫୁଲ ଓ ଅଁଳା ପୂଜାରେ ବହୁତ ଖୁସି ହୁଅନ୍ତି ଏବଂ ଭକ୍ତମାନଙ୍କୁ ମନଜାଣି ଫଳ ଦେଇଥାନ୍ତି । ଲକ୍ଷ୍ମୀ ପୁରୁଷ ଓ ସ୍ତ୍ରୀମାନଙ୍କର ବିଭିନ୍ନ ଆଚାର ବ୍ୟବହାର କଥା କହି କାହା ପାଖରେ କମ୍ ରହନ୍ତି ବର୍ଣ୍ଣନା କରିଛନ୍ତି । ଏହାଛଡା ସମାଜର ସମସ୍ତ ଅନୀତି କାର୍ଯ୍ୟକୁ ବାରଣ କରିଛନ୍ତି । ସମାଜରେ କେଉଁ ଦିନ କଣ କରିବ,କଣ ନ କରିବ, ଭଲ ବା ମନ୍ଦ କାମ କଲେ କି ଫଳ ମିଳେ, ଗୁରୁବାର ବ୍ରତ ଭାବେ ସମାଜକୁ ଉପଦେଶ ଦେଇଛନ୍ତି । ଗାଇ ବାଛୁରୀ ଜନ୍ମ ଦେଲେ କେତେ ଦିନ ପରେ ଦୁହିଁବା କଥା, କେଉଁ ତିଥିରେ କଣ ଖାଇବା ନିଷେଧ, ଦାନ୍ତରେ ନଖ କଟିଲେ କି ଫଳ ମିଳେ ବର୍ଣ୍ଣନା ରହିଛି । ଏସବୁଦ୍ୱାରା ବିଶୃଙ୍ଖଳା ଦୂର ହୋଇ ସମାଜ ସୁସ୍ଥ ହୋଇପାରିବ ବୋଲି ଜଣାଯାଏ ।

ମହାଭାରତ[ସମ୍ପାଦନା]

ସାରଳା ସାହିତ୍ୟ ସଂସଦ (କଟକ) ସମ୍ମୁଖରେ ଥିବା ସାରଳା ଦାସଙ୍କ ପ୍ରତିମୂର୍ତ୍ତି

ମହାଭାରତରେ ସେ ୧୮ଟି ପର୍ବର ବର୍ଣ୍ଣନା କରିଛନ୍ତି ।

ସଂସ୍କୃତ ମହାଭାରତର ପର୍ବଗୁଡିକ ହେଲା :-

  • ୧ ଆଦିପର୍ବ
  • ୨ ସଭାପର୍ବ
  • ୩ ବନପର୍ବ
  • ୪ ବିରାଟ ପର୍ବ
  • ୫ ଉଦଯୋଗ ପର୍ବ
  • ୬ ଭୀଷ୍ମ ପର୍ବ
  • ୭ ଦ୍ରୋଣ ପର୍ବ
  • ୮ କର୍ଣ୍ଣ ପର୍ବ
  • ୯ ଶଲ୍ୟ ପର୍ବ`
  • ୧୦ ସୌପ୍ତିକ ପର୍ବ
  • ୧୧ ସ୍ତ୍ରୀ ପର୍ବ
  • ୧୨ ଶାନ୍ତି ପର୍ବ
  • ୧୩ ଅନୁଶାସନିକ ପର୍ବ
  • ୧୪ ଅଶ୍ବମେଧ ପର୍ବ
  • ୧୫ ଆଶ୍ରମବାସିକା ପର୍ବ
  • ୧୬ ମୌଷଳ ପର୍ବ
  • ୧୭ ମହାପ୍ରସ୍ଥାନିକ ପର୍ବ
  • ୧୮ ସ୍ୱର୍ଗାରୋହଣ ପର୍ବ
  • ୧୯ ମାନଗୋବିନ୍ଦଙ୍କ ମହାନତା
ସାରଳା ମହାଭାରତର ପର୍ବଗୁଡିକ ହେଲା :-
  • ୧ ଆଦିପର୍ବ
  • ୨ ମଧ୍ୟ ପର୍ବ
  • ୩ ସଭାପର୍ବ
  • ୪ ବନପର୍ବ
  • ୫ ବିରାଟ ପର୍ବ
  • ୬ ଉଦଯୋଗ ପର୍ବ
  • ୭ ଭୀଷ୍ମ ପର୍ବ
  • ୮ ଦ୍ରୋଣ ପର୍ବ
  • ୯ କର୍ଣ୍ଣ ପର୍ବ
  • ୧୦ ଶଲ୍ୟ ପର୍ବ
  • ୧୧ ଗଦା ପର୍ବ
  • ୧୨ ଐଷିକ ବା କାଇଁଶିକା ପର୍ବ
  • ୧୩ ନାରୀ ପର୍ବ
  • ୧୪ ଶାନ୍ତି ପର୍ବ
  • ୧୫ ଆଶ୍ରମିକ ପର୍ବ
  • ୧୬ ଅଶ୍ବମେଧ ପର୍ବ
  • ୧୭ ମୂଷଳି ପର୍ବ
  • ୧୮ ସ୍ବର୍ଗାରୋହଣ ପର୍ବ

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. This contribution is a nearly verbatim reproduction of "Sarala Dasa, the Originator of the Oriya Literature" by Debendra Nath Bhoi and Priyadarshini Bakshi in the Orissa Review Archived 2007-09-27 at the Wayback Machine. of October 2004
  2. ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. Retrieved 11 April 2013. ପୁରୀ ମୁକ୍ତିମଣ୍ଡପର ପଣ୍ଡିତମାନେ ସନ୍ତୁଷ୍ଟ ହୋଇ ତାଙ୍କୁ 'ଶୂଦ୍ରମୁନି' ଉପାଧି ଦେଇଥିଲେ[permanent dead link]
  3. "SARALA DAS". orissadiary.com. Archived from the original on 2 May 2013. Retrieved 11 April 2013. In a clear statement the poet declares the Vilanka Ramayana, the Mahabharat and the Chandi Purana to be respectively the first, second and third of his compositions