ରାମାୟଣ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ଲେଖାଟି ବାଲ୍ମୀକଙ୍କ ଲିଖିତ ରାମାୟଣ ବାବଦରେ । ବାକିସବୁ ପାଇଁ, ରାମାୟଣ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।

ରାମାୟଣ ବାଲ୍ମୀକି ପ୍ରଣୀତ ରାମଚରିତ ବର୍ଣ୍ଣନାତ୍ମକ ସଂସ୍କୃତ ମହାକାବ୍ୟ ।

ବିଭାଗ[ସମ୍ପାଦନା]

ବାଲ୍ମୀକିକୃତ ରାମାୟଣ ୭କାଣ୍ଡରେ (ଭାଗରେ) ବିଭକ୍ତ ।

ଆଦିକାଣ୍ଡ ବା ବାଳକାଣ୍ଡ[ସମ୍ପାଦନା]

  • ଅଯୋଧ୍ୟା ଓ ଦଶରଥଙ୍କ ବିବରଣ

ସରଜୁ ନଦୀ କୂଳରେ ଅବସ୍ଥିତ ଅଯୋଧ୍ୟା ନଗରୀ ହେଉଛି କୋଶଳ ରାଜ୍ୟର ରାଜଧାନୀ । କୋଶଳ ନରେଶ ରାଜା ଦଶରଥଙ୍କ ରାଜତ୍ଵ କାଳରେ ପ୍ରଜାଗଣ ଅତ୍ୟନ୍ତ ସୁଖରେ କାଳାତିପାତ କରୁଥିଲେ । ରାଜା ଦଶରଥଙ୍କ ତିନି ରାଣୀ ଥିଲେ କୌଶଲ୍ୟା, କୈକେଯୀ ଏବଂ ସୁମିତ୍ରା ।

  • ଦଶରଥଙ୍କ ପୁତ୍ରେଷ୍ଟି ଯାଗ

ବହୁଦିନ ଧରି ରାଜା ଅପୁତ୍ରିକ ଥିଲେ । ତେଣୁ ର୍‌ଷି ବଶିଷ୍ଠଙ୍କ ପରାମର୍ଶକ୍ରମେ ର୍‌ଶ୍ୟଷୃଙ୍ଗ ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରି ଦ୍ଵାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ[୧]

  • ରାମ ଜନ୍ମ

ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ଵରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ ରାମ, ରାଣୀ କୈକେଯୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ ଲକ୍ଷ୍ମଣଶତ୍ରୁଘ୍ନ ଜନ୍ମ ଗ୍ରହଣ କଲେ [୨] । ପୁରାଣ କହେ, ରାକ୍ଷସରୂପି ରାବଣ ଦେବଗଣଙ୍କୁ ଅତ୍ୟାଚାର କରୁଥିଲା ଏବଂ ରାବଣର ମୃତ୍ୟୁ ମାନବଦ୍ଵାରା ନିଶ୍ଚିତ ଥିଲା ।ତେଣୁ ରାବଣ ବଧ ନିମନ୍ତେ ମର୍ତ୍ତ୍ୟରେ ମାନବ ଅବତାର ଧାରଣ କରିବାକୁ ଭଗବାନ ବିଷ୍ଣୁ ଇଚ୍ଛା ପ୍ରକଟ କରନ୍ତେ, ତାଙ୍କରି ଅଂଶରୁ ଭଗବାନଙ୍କ ଗୁଣ ସଂପନ୍ନ ଚାରିପୁଅ ଦଶରଥଙ୍କ କୋଳ ମଣ୍ଡନ କଲେ । ସମୟକ୍ରମେ ଚାରିପୁଅ ଶାସ୍ତ୍ର ଅଧ୍ୟୟନ ସହ ଶସ୍ତ୍ର ବିଦ୍ୟାରେ ନିପୁଣତା ହାସଲ କଲେ । ରାମଙ୍କୁ ହୋଇଥାଏ ୧୬ ବର୍ଷ ବୟସ । ର୍‌ଷି ବିଶ୍ଵାମିତ୍ର ଦିନେ ରାଜା ଦଶରଥଙ୍କ ଦରବାରକୁ ଆସିଲେ । ବଣରେ ଯଜ୍ଞନଷ୍ଟ କରୁଥିବା ଅସୁର ଗଣଙ୍କୁ ନିପାତ କରିବା ପାଇଁ ସହାୟତା ସ୍ଵରୂପ ସେ ରାଜା ଦଶରଥଙ୍କୁ ପୁତ୍ର ରାମଙ୍କୁ ମାଗିଲେ । ଭ୍ରାତା ଲକ୍ଷ୍ମଣ ରାମଙ୍କୁ ଅନୁସରଣ କରିବାକୁ ଇଚ୍ଛା ପ୍ରକଟ କରନ୍ତେ ରାଜାଙ୍କ ସମ୍ମତି କ୍ରମେ ର୍‌ଷି ରାମ ଓ ଲକ୍ଷ୍ମଣଙ୍କୁ ଧରି ବଣକୁ ଚାଲିଗଲେ । ସମୟ କ୍ରମେ ରାମ ଓ ଲକ୍ଷ୍ମଣ ର୍‌ଷି ବିଶ୍ଵାମିତ୍ରଙ୍କ ଠାରୁ ବହୁ ଶସ୍ତ୍ର ବିଦ୍ୟା ସହିତ ବିଭିନ୍ନ ଦୈବୀ ଅସ୍ତ୍ର ମଧ୍ୟ ଲାଭ କଲେ ଏବଂ ର୍‌ଷିଙ୍କ ହୋମରେ ବିଘ୍ନ ସୃଷ୍ଟି କରୁଥିବା ଅସୁରମାନଙ୍କୁ ନିପାତ କରିବାକୁ ଲାଗିଲେ ।

  • ରାମଙ୍କ ଦ୍ଵାରା ହରଧନୁ ଭଙ୍ଗ ଓ ସୀତାଙ୍କ ସହ ବିବାହ

ରାଜା ଜନକ ହେଉଛନ୍ତି ମିଥିଳା ନରେଶ । ଦିନେ ଜମି କର୍ଷଣ କରୁ କରୁ ରାଜା ଭୂମି ତଳୁ ଝିଅଟିଏ ପାଇ ରାଜାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଝିଅଟିକୁ ବିଧାତାଙ୍କ ବିଚିତ୍ର ଉପହାର ମନେ କରି ରାଜା ତା ନାଁ ରଖିଲେ ସୀତା । ସଂସ୍କୃତରେ ସୀତା ଶବ୍ଦର ଅର୍ଥ ଭୂମିରେ ସୃଷ୍ଟି ହୋଇଥିବା ଏକ ଫାଟ ବା ସରୁ ଗାତ । ସୀତା ଜନକ ନନ୍ଦିନୀ ଭାବେ ପାଳିତ ହେଲେ । ସୀତାଙ୍କୁ ବିବାହଯୋଗ୍ୟା ଦେଖି ରାଜା ଜନକ ଏକ ସ୍ଵୟଂବର ଆୟୋଜନ କରିବାକୁ ମନସ୍ଥ କଲେ । ସ୍ଵୟମ୍ବର ସହିତ ରାଜା ଏକ ପ୍ରତିଯୋଗିତାର ଆୟୋଜନ କଲେ । ଶିବଙ୍କ ଦୟାରୁ ରାଜା ଏକ ଧନୁ (ଶିବଧନୁ) ପ୍ରାପ୍ତ ହୋଇଥିଲେ । ରାଜା ଘୋଷଣା କଲେ, ଯେ କେହି ଶିବଧନୁର ଗୁଣରେ ତୀର ଯୋଖି ପାରିବ ତାଙ୍କୁ ହିଁ ସୀତା ପତି ରୂପେ ବରଣ କରିବେ । ଖବର ପାଇ ର୍‌ଷି ବିଶ୍ଵାମିତ୍ର ରାମ ଓ ଲକ୍ଷ୍ମଣଙ୍କୁ ଧରି ସ୍ଵୟଂବର ସ୍ଥଳରେ ପହଞ୍ଚିଲେ । ର୍‌ଷି ଜାଣିଥିଲେ ଯେ କେବଳ ରାମ ହିଁ ଶିବଧନୁରେ ଗୁଣ ଚଢାଇ ପାରିବେ । ରାମ ଯେତେବେଳେ ଶିବଧନୁରେ ଗୁଣ ଚଢାଇ ଟଂକାର କରନ୍ତେ, ଶିବଧନୁ ଭାଙ୍ଗି ଚୁରମାର ହୋଇଗଲା । ତତ୍ପରେ ସ୍ଵୟଂବରରେ ସୀତା ରାମଙ୍କୁ ବରଣ କଲେ ଏବଂ ଉର୍ମିଳା ଲକ୍ଷ୍ମଣଙ୍କୁ ବରଣ କଲେ ।

ଅଯୋଧ୍ୟାକାଣ୍ଡ[ସମ୍ପାଦନା]

  • ରାମଙ୍କ ବିବାହ
ଭରତ, ଭ୍ରାତା ରାମଙ୍କୁ ପାଦୁକାଦ୍ଵୟ ମାଗୁଛନ୍ତି

ପରବର୍ତ୍ତୀ ସମୟରେ ଭରତ ମାଣ୍ଡବୀଙ୍କୁ ଏବଂ ଶତ୍ରୁଘ୍ନ ଶ୍ରୁତକୀରଟିଙ୍କୁ ବିବାହ କଲେ । ଏହିପରି ଭାବରେ ରାଜା ଜନକଙ୍କ ପୁତ୍ରୀ ଓ ରାଜା ଦଶରଥଙ୍କ ପୁତ୍ରମାନଙ୍କ ବିବାହ ମହା ଆଡମ୍ବରରେ ସମାହିତ ହେବା ପରେ ସମସ୍ତେ ଅଯୋଧ୍ୟାକୁ ଫେରିଲେ । ରାମ ସୀତାଙ୍କର ବିବାହର କିଛି କାଳ ପରେ ବୃଦ୍ଧ ଦଶରଥ ରାମଙ୍କ ହାତରେ ରାଜ୍ୟଭାର ସମର୍ପି ଦେବାକୁ ଇଚ୍ଛା ପ୍ରକଟ କଲେ । ଏ ଖବର ଜାଣି କୋଶଳର ପ୍ରଜା ତଥା ରାଜାଙ୍କ ପାରିଷଦ ବୃନ୍ଦ ଅତ୍ୟନ୍ତ ଆନନ୍ଦିତ ହେଲେ । ହେଲେ ଏକଥା ଶୁଣି କୈକେୟୀଙ୍କ ଦାସୀ ମନ୍ଥରା କିକେୟୀଙ୍କୁ କୁମନ୍ତ୍ରଣା ଦେବାକୁ ଆରମ୍ଭ କଲେ । ମନ୍ଥରା କଥାରେ କୈକେୟୀ ରାଜା ଦଶରଥଙ୍କୁ ଏକଦା ପ୍ରତିଜ୍ଞା କରିଥିବା ଦୁଇଟି ବର ପ୍ରଦାନ କରିବା ଛଳରେ ଏହି ଦୁଇ ବର ମାଗିଲେ ଯେ, ରାମ ବାର ବର୍ଷ ପାଇଁ ବନବାସ କରିବାକୁ ଯିବେ ଓ ତାଙ୍କ ପୁତ୍ର ଭରତ ରାଜା ହେବେ । ରାଜା ଦଶରଥ ଅତିଶୟ ଦୁଃଖରେ ତାଙ୍କ ସତ୍ୟ ରକ୍ଷା କଲେ ।

  • ପିତୃସତ୍ୟ ପାଳନ ନିମନ୍ତେ ବନଗମନ

ରାମ କିନ୍ତୁ ଧୀର ଚିତ୍ତରେ ପିତୃ ସତ୍ୟ ପାଳନ ନିମନ୍ତେ କିଞ୍ଚିତେ ଦୁଃଖ ପ୍ରକାଶ କଲେ ନାହିଁ । ରାମଙ୍କର ଏହି ମହନୀୟତା ହିଁ ସାରା ରାମାୟଣରେ ଅନେକ ରୂପରେ ପ୍ରକାଶିତ ହୋଇଛି । ରାମଙ୍କର ଶତ ବାରଣ ସତ୍ତ୍ଵେ, ବନବାସ ବେଳେ ରାମଙ୍କର ଅନୁସରଣ କରିବା ପାଇଁ ଦେବୀ ସୀତା ଏବଂ ଭ୍ରାତା ଲକ୍ଷ୍ମଣ ଇଚ୍ଛା ପ୍ରକାଶ କଲେ । ରାମଙ୍କର ବାରଣର ଉତ୍ତରରେ ସୀତା କହନ୍ତି, ଆପଣ ପାଦ ଯେଉଁ ବନପ୍ରଦେଶରେ ପଡିବ ତାହା ମୋ ପାଇଁ ହେବ ଅଯୋଧ୍ୟା ଆଉ ଆପଣଙ୍କ୍ ବିନା ଅଯୋଧ୍ୟା ମଧ୍ୟ ମୋ ପାଇଁ ନର୍କ ସଦୃଶ । ଇତି ମଧ୍ୟରେ ଭରତ ଯିଏ କି ମାତୁଳଙ୍କ ଗୃହକୁ ବୁଲି ଯାଇଥିଲେ, ଏ ଖବର ଶୁଣି ଗଭୀର ଦୁଃଖ ପ୍ରକାଶ କଲେ । ରାଜା ହେବାର ସୁଯୋଗ ପରିତ୍ୟାଗ କରି ସେ ଭ୍ରାତା ରାମଙ୍କୁ ଦେଖା କରିବା ପାଈଁ ସେ ବନ ଗମନ କରି ରାମଙ୍କୁ ଦେଖା କଲେ । ରାମଙ୍କୁ ବହୁତ ଅନୁନୟ ବିନୟ ପୂର୍ବକ ଫେରିଆସିବାକୁ ଏବଂ ରାଜ୍ୟ ଭାର ଗ୍ରହଣ କରିବାକୁ ଆକୁଳ ପ୍ରାର୍ଥନା କଲେ । କିନ୍ତୁ ରାମ ପିତୃ ସତ୍ୟ ପାଳନ ନିମନ୍ତେ ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ବନବାସ ପୂର୍ବରୁ ରାଜ୍ୟଲୁ ଫେରିବାକୁ ମନା କରିଦେଲେ । ତେବେ ଏକ ବିରଳ ଭାତୃ ଭକ୍ତିର ଉଦାହରଣସ୍ଵରୂପ ଭରତ ଭ୍ରାତା ରାମଙ୍କ କଠଉ ଯୋଡିକ ମସ୍ତକରେ ଧାରଣ ପୂର୍ବକ ଫେରି ଆସିଲେ ଏବଂ ସିଂହାସନରେ ରାମଙ୍କ କଠଉ ସ୍ଥାପନ ପୂର୍ବକ ରାମଙ୍କ ପ୍ରତିନିଧି ଭାବରେ ରାଜ୍ୟ ଶାସନ କରିବାକୁ ଲାଗିଲେ ।

ଅରଣ୍ୟକାଣ୍ଡ[ସମ୍ପାଦନା]

  • ଦଶରଥଙ୍କ ମୃତ୍ୟୁ

ପ୍ରିୟପୁତ୍ର ରାମଙ୍କର ବନବାସ ଜନିତ ବିଚ୍ଛେଦ ଦୁଃଖ ସହ୍ୟ କରି ନ ପାରି ରାଜା ଦଶରଥ ଅଚିରେ ପ୍ରାଣତ୍ୟାଗ କରନ୍ତି ।

  • ରାମ, ଲକ୍ଷ୍ମଣ ଓ ସୀତାଙ୍କର ଦଣ୍ଡକାରଣ୍ୟରେ ସ୍ଥିତି

ରାମ, ସୀତା ଏବଂ ଲକ୍ଷ୍ମଣ ଏହି ବନବାସ ସମୟରେ ଗୋଦାବରୀ ନଦୀ ତଟରେ ଗମନ କରି ପନବଟି ପଞ୍ଚବଟୀ ଠାରେ ଏକ କୁଟୀର ନିର୍ମାଣ ପୂର୍ବକ ଅବସ୍ଥାନ କଲେ । ସେହି ସମୟରେ ର୍‌ଷିମାନଙ୍କର ଅନୁରୋଧ କ୍ରମେ ସେମାନେ ଅନେକ ରାକ୍ଷସଙ୍କୁ ବଧ କରିଥିଲେ । ବିରାଧ ରାକ୍ଷସ ଏମାନଙ୍କ ମଧ୍ୟରେ ପ୍ରଥମ ଥିଲା ।

  • ଖରଦୂଷଣ ବଧ

ଏହି ସମୟରେ ପଞ୍ଚବଟୀ ଠାରେ ସୂର୍ପଣଖା, ଯିଏକି ରାବଣର ଭଗିନୀ ଥିଲା, ପହଞ୍ଚି ଲକ୍ଷ୍ମଣଙ୍କୁ ବଧ କରିବାକୁ ମାୟା ବିସ୍ତାର କରିଥିଲା । ହେଲେ ରାମଙ୍କ ଆଦେଶରେ ଲକ୍ଷ୍ମଣ ସୂର୍ପଣଖାର ନାସା ଚ୍ଛେଦନ କରିଥିଲେ । ଇତ୍ୟବସରରେ ରାମ ଓ ଲକ୍ଷ୍ମଣ ଖର, ଦୁଃଷଣ ଆଦି ଅନେକ ରାକ୍ଷସଙ୍କୁ ବଧ କରି ର୍‌ଷିମାନଙ୍କର କଷ୍ଟ ଦୂର କରିଥିଲେ । ରାବଣ ଏ ଖବର ପାଇ ରାମ ଲକ୍ଷ୍ମଣଙ୍କୁ ନିପାତ କରିବାପାଇଁ ମାରୀଚ ରାକ୍ଷସ ସହାୟତାରେ ଏକ ଯୋଜନା କଲା । ସୀତା କୁଟୀରରେ ଥିବା ବେଳେ ମାୟାବୀ ମାରୀଚ ଏକ ହେମ ହରିଣୀର ରୂପ ଧାରଣ କରି ସୀତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେଲା ।

  • ରାବଣ ଦ୍ଵାରା ସୀତା ହରଣ

ସୀତାଙ୍କ ଅନୁରୋଧ କ୍ରମେ ରାମ ଲକ୍ଷ୍ମଣଙ୍କୁ ସୀତାଙ୍କ ରକ୍ଷାର ଦାୟୀତ୍ଵ ଦେଇ ମାୟା ମୃଗର ଅନୁସରଣପୂର୍ବକ ବନ ମଧ୍ୟକୁ ଚାଲିଗଲେ । ମାୟାବୀ ରାକ୍ଷସର ଚିତ୍କାରରେ ବିହ୍ଵଳିତ ହୋଇ ସୀତା ଲକ୍ଷଣଙ୍କୁ ରାମଙ୍କ ସହାୟତା ନିମନ୍ତେ ଯିବାକୁ କହିଲେ । ଲକ୍ଷଣ କିନ୍ତୁ ରାକ୍ଷସ ମାୟା ବୁଝିପାରି ଦେବୀ ସୀତାଙ୍କୁ ଏକାକିନୀ ଛାଡି ଯିବାକୁ ମନା କଲେ । ହେଲେ ଦେବୀ ସୀତାଙ୍କ ଆଦେଶ କ୍ରମେ ଲକ୍ଷ୍ମଣ ଅନୋନ୍ୟପାୟ ହୋଇ ସୀତାଙ୍କୁ ଏକାକିନୀ ଛାଡି ରାମଙ୍କ ସନ୍ଧାନରେ ଚାଲିଗଲେ । ହେଲେ ଯିବା ଆଗରୁ କୁଟୀର ସମ୍ମୁଖରେ ତିନିଟି ଗାର ଟାଣି କୌଣସି ପରିସ୍ଥିତିରେ ମଧ୍ୟ ସେହି ତିନି ଗାର ନ ଡେଇଁବାକୁ ପରାମର୍ଶ ଦେଇ ଗଲେ । ସୀତାଙ୍କୁ ଏକାକିନୀ ଦେଖି ଦୁଷ୍ଟ ରାବଣ ଏକ ସନ୍ୟାସୀ ବେଶରେ କୁଟୀର ସମ୍ମୁଖରେ ହାଜର ହେଲା । ରାବଣ ମାୟାରେ ଦେବୀ ସୀତା ଭିକ୍ଷା ଦେବା ବେଳେ ସେହି ତିନି ଗାର ଡେଇଁବାକ୍ଷଣି ସେ ବଳପୂର୍ବକ ସୀତାଙ୍କୁ ହରଣ କରି ଲଙ୍କାକୁ ନେଇଗଲା । ସୀତା ହରଣର ପ୍ରଥମ ସୋପାନରେ ଜଟାୟୁ ଦେବୀ ସୀତାଙ୍କୁ ରକ୍ଷା କରିବାକୁ ଯାଇ ରାବଣ ସହ ସଂଗ୍ରାମରେ କ୍ଷତାକ୍ତ ହୋଇପଡିଲା । ଇତିମଧ୍ୟରେ ରାବଣ ସୀତାଙ୍କୁ ନେଇ ଲଙ୍କାସ୍ଥିତ ଅଶୋକ ବନରେ ରଖିଲା । ଜଟାୟୁଠାରୁ ସୀତାହରଣ ଖବର ପାଇ ରାମ ଓ ଲକ୍ଷ୍ମଣ ସୀତାଙ୍କ ସନ୍ଧାନରେ ବାହାରି ପଡିଲେ । ପଥରେ କବନ୍ଧ ନାମକ ଅସୁର ସହ ଭେଟ ହେବାପରେ କବନ୍ଧର ଅନୁରୋଧକ୍ରମେ ରାମ ଓ ଲକ୍ଷ୍ମଣ ସୁଗ୍ରୀବ ସହ ବନ୍ଧୁତା ସ୍ଥାପନ କରିବା ନିମନ୍ତେ ତାଙ୍କ ସନ୍ଧାନରେ ଚାଲିଲେ ।

କିଷ୍କିନ୍ଧ୍ୟା କାଣ୍ଡ[ସମ୍ପାଦନା]

  • ସୁଗ୍ରୀବଙ୍କ ସଙ୍ଗେ ଶ୍ରୀରାମଙ୍କ ବନ୍ଧୁତା ସ୍ଥାପନ

ଇତି ମଧ୍ୟରେ ରାମ ଓ ଲକ୍ଷ୍ମଣ ପମ୍ପା ସରୋବର ନିକଟରେ ପହଞ୍ଚିଲେ । ପଥରେ ରାମ ଶବରୀର ଭକ୍ତିପୂର୍ଣ୍ଣ ଆତିଥ୍ୟ ଗ୍ରହଣ କରିଥିଲେ । ତତ୍ପରେ ସୁଗ୍ରୀବଙ୍କ ସନ୍ଧାନରେ ଦୁଇଭାଇ ର୍‌ଷ୍ୟମୁଖ ପର୍ବତ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ସୁଗ୍ରୀବ ସେଠାରେ ରାମଲକ୍ଷ୍ମଣ ଦୁଇ ଭାଇଙ୍କୁ ଦେଖି ପ୍ରମାଦ ଗଣିଲା । ବାଳୀଙ୍କ ଦ୍ଵାରା ପ୍ରେରିତ ହୋଇ ସୁଗ୍ରୀବଙ୍କୁ ବଧ କରିବା ଉଦ୍ଦେଶ୍ୟରେ ଆସିଥାଇପାରନ୍ତି ଭାବି ଭୟଭୀତ ହେଲା । ତେବେ ସୁଗ୍ରୀବଙ୍କ୍ ତରଫରୁ ତାଙ୍କ ମନ୍ତ୍ରୀ ହନୁମାନ ରାମ ଲକ୍ଷ୍ମଣଙ୍କୁ ଦେଖାକରି ସୁଗ୍ରୀବଙ୍କ୍ ବିଷୟରେ କହିଲେ ଏବଂ ସୁଗ୍ରୀବଙ୍କ ସହ ରାମ ଲକ୍ଷ୍ମଣଙ୍କ ସାକ୍ଷତ କରାଇଲେ । ସେଠାରେ ବିଶ୍ରାମ ନେବାପରେ ସୁଗ୍ରୀବଙ୍କ ସହ ତାଙ୍କର ଦେଖା ହେଲା । ସୁଗ୍ରୀବଙ୍କ ଭାଇ ବାଳୀ ଇତିମଧ୍ୟରେ ସୁଗ୍ରୀବଙ୍କୁ ତଡିଦେଇ ନିଜେ କିଷ୍କିନ୍ଧ୍ୟାର ରାଜା ହୋଇଥିଲେ ଏବଂ ସୁଗ୍ରୀବଙ୍କ ସ୍ତ୍ରୀଙ୍କୁ ବଳପୂର୍ବକ ନେଇ ରାଣୀକରି ରଖିଥିଲେ । ସୁଗ୍ରୀବଙ୍କ ସହ ବନ୍ଧୁତା ସ୍ଥାପନ କଲାପରେ ରାମ ଆଶ୍ଵାସନା ଦେଲେ ଯେ ସେ ସୁଗ୍ରୀବଙ୍କୁ ତାଙ୍କ ରାଜ୍ୟ ଓ ସ୍ତ୍ରୀ ଫେରିପାଇବାରେ ସହାୟତା କରିବେ । ପ୍ରତିବଦଳରେ ସୁଗ୍ରୀବ ରାମଙ୍କୁ ସୀତାଙ୍କ ଉଦ୍ଧାରରେ ବାନର ସେନା ସହ ସାହାଯ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଲେ । କିନ୍ତୁ ସମୟକ୍ରମେ ସୁଗ୍ରୀବ ତାଙ୍କ ପ୍ରତିଜ୍ଞା ଭୁଲିଯିବା ଦେଖି ତାରା, ସୁଗ୍ରୀବଙ୍କ ଦ୍ଵିତୀୟ ପତ୍ନୀ, ସୁଗ୍ରୀବଙ୍କୁ ଏ କଥା ମନେ ପକାଇଦେଇ ଲକ୍ଷ୍ମଣଙ୍କ କ୍ରୋଧରୁ ବଞ୍ଚିତ କରିପାରିଥିଲେ । ସୁଗ୍ରୀବ ତାଙ୍କର ସମସ୍ତ ବାନର ପାରିଷଦ ମାନଙ୍କୁ ଚାରି ଦିଗକୁ ପ୍ରେରଣ କରି ସୀତାଙ୍କ ସନ୍ଧାନ ନେବାକୁ ଆଦେଶ ଦେଲେ । ପୂର୍ବ, ପଶ୍ଚିମ ଏବଂ ଉତ୍ତର ଦିଗକୁ ଯାଇଥିବା ଦଳ ଖାଲି ହାତରେ ଫେରି ଆସିଲେ । ହେଲେ, ଅଙ୍ଗଦ ଓ ହନୁମାନ ଦକ୍ଷିଣ ଦିଗରୁ ସୂଚନା ଆଣିଲେ କି ସୀତାଙ୍କୁ ରାବଣ ହରଣ କରି ବେଇ ଲଙ୍କାରେ ବନ୍ଦୀ କରି ରଖିଛି [୩]

  • ଶ୍ରୀରାମଙ୍କ ଦ୍ଵାରା ବାଳୀବଧ

ରାମଙ୍କ ଆଦେଶମତେ ସୁଗ୍ରୀବ ବାଳୀଙ୍କୁ ଯୁଦ୍ଧ ପାଇଁ ଆମନ୍ତ୍ରଣ କଲେ । ପ୍ରଥ୍ମ ଯୁଦ୍ଧରେ ରାମ ବାଳୀ ଓ ସୁଗ୍ରୀଙ୍କ ରୁପ ଏବଂ ଯୁଦ୍ଧ କୌଶଳରେ ଅଦ୍ଭୁତ ସାମଞ୍ଜସ୍ୟ ଦେଖି ଦ୍ଵନ୍ଦରେ ପଡିଗଲେ ଏବଂ ବାଳୀଙ୍କୁ ବଧ କରି ପାରିଲେ ନାହିଁ । ପରାଜିତ ସୁଗ୍ରୀବ ଅତ୍ୟନ୍ତ ଦୁଃଖରେ ରାମଙ୍କୁ କହିଲେ, ପ୍ରଭୁ, ଆପଣ ଯଦି ବାଳୀ ବଧ ଚାହାଁନ୍ତିନି, ତେବେ ମୁଁ କଦାପି ବାଳୀଙ୍କୁ ଯୁଦ୍ଧପାଇଁ ଆମନ୍ତ୍ରଣ କରି ନ ଥାନ୍ତି । ରାମ କିନ୍ତୁ କହିଲେ, "ତୁମ ଦୁଇ ଭାଇଙ୍କ ମଧ୍ୟରେ ଏତେ ସାମଞ୍ଜସ୍ୟ ଥିଲା ଯେ ମୁଁ ବାଳୀଙ୍କୁ ଠିକଭାବେ ଚିହ୍ନଟ କରି ପାରି ନ ଥିଲି" । ଏହା ପରେ ରାମ ଓ ଲକ୍ଷ୍ମଣ ସୁଗ୍ରୀବଙ୍କୁ ପୁଣି ବୁଝାଇ ଆଉଥରେ ଯୁଦ୍ଧରେ ଅବତ୍ତୀର୍ଣ୍ଣ ହେବା ନିମନ୍ତେ ପରାମର୍ଶ ଦେଲେ । ଏଇଥର କିନ୍ତୁ ବାଳୀଙ୍କୁ ସହଜରେ ଚିହ୍ନଟ କରିବାପାଇଁ ସୁଗ୍ରୀଙ୍କ ଗଳାରେ ଏକ ଫୁଲମାଳା ଗଳାଇଦେଲେ । ଦୁହିଁଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଯୁଦ୍ଧରେ ସୁଗ୍ରୀବଙ୍କ ପରାଜୟ ନିକଟ ହେବାର ଦେଖି, ରାମ ତାଙ୍କ ପ୍ରତିଜ୍ଞା ରକ୍ଷା ପୂର୍ବକ ବାଳୀକୁ ଶରବିଦ୍ଧ କରି ବଧ କଲେ । ସୁଗ୍ରୀବକୁ କିଷ୍କିନ୍ଧ୍ୟାର ରାଜା କରି ସୀତାଙ୍କ ସନ୍ଧାନରେ ପୁଣି ବ୍ୟାପୃତ ହେଲେ ।

ସୁନ୍ଦରା କାଣ୍ଡ[ସମ୍ପାଦନା]

  • ହନୁମାନଙ୍କ ଲଙ୍କା ଗମନ, ସୀତାଠାବ ଓ ଲଙ୍କା ଦହନ

ସୁଗ୍ରୀବ କୃତଜ୍ଞତା ସହ ପ୍ରଭୁ ଶ୍ରୀରାମଙ୍କୁ କହିଲେ, ଏ ବିଶାଳ ବାନର ସେନା ବର୍ତ୍ତମାନ ଆପଣଙ୍କ ସେବାରେ ପ୍ରସ୍ତୁତ । ସେ ବାନର ସେନାର ଚାରିଟି ଦଳ ପ୍ରସ୍ତୁତ କରି ସେମାନଙ୍କୁ ଚାରିଦିଗକୁ ପ୍ରେରଣ କଲେ । ତତ୍ପରେ ସୁଗ୍ରୀବ ହନୁମାନଙ୍କୁ ଡାକି କହିଲେ, ହେ ବାୟୁପୁତ୍ର, ତୁମ ଅସାଧାରଣ ବୀରତ୍ଵ ଯୋଗୁଁ ରାମଚନ୍ଦ୍ରଙ୍କ ଏହି କାର୍ଯ୍ୟ ନିମିତ୍ତ ଆପଣ ହିଁ ଏକମାତ୍ର ଯୋଗ୍ୟ । ଅତଏବ ତୁମେ ପ୍ରଭୁ ରାମଙ୍କର ଏହି ସେବାରେ ନିଜକୁ ନିୟୋଜିତ କରି ଦେବୀ ସୀତାଙ୍କ ସନ୍ଧାନରେ ଯାଅ । ରାମଙ୍କ ଆଦେଶ ଅନୁସାରେ ସୁଗ୍ରୀବ ବିନତା ଏବଂ ତାଙ୍କ୍ ଦଳଙ୍କୁ ପୂର୍ବ ଦିଗକୁ, ସୁଷେଣଙ୍କ ସହ ତାଙ୍କ ଦଳକୁ ପଶ୍ଚିମକୁ, ଶତବଳିଙ୍କୁ ଉତ୍ତର ଏବଂ ହନୁମାନ ତଥା ଅଙ୍ଗଦଙ୍କୁ ଦକ୍ଷିଣ ଦିଗକୁ ପ୍ରେରଣ କଲେ । ରାମ ତାଙ୍କ ମୁଦ୍ରିକାଟିକୁ ହନୁମାନଙ୍କ ହାତରେ ଦେଇ କହିଲେ, ସୀତାଙ୍କ ସନ୍ଧାନ କରି ଏହି ମୁଦ୍ରିକା ଦେଖାଇଲେ ସେ ଜାଣିବେ ଯେ ତୁମେ ରାମଙ୍କ ଦୂତ ଏବଂ ସୀତାଙ୍କ ସନ୍ଧାନରେ ଆସିଅଛ । ବାନରମାନେ ଚାରିଦିଦରେ ତନ୍ନ ତନ୍ନ କରି ସୀତାଙ୍କ ସନ୍ଧାନ କରିବାକୁ ଲାଗିଲେ । ହନୁମାନ ଏବଂ ଅଙ୍ଗଦ ବିନ୍ଧ୍ୟ ପର୍ବତର ସମସ୍ତ ଗୁମ୍ଫାରେ ସୀତାଙ୍କ ସନ୍ଧାନ ନେଲେ । ପଥରେ ନାଗମାତା ସୁରସା ହନୁମାନଙ୍କୁ ଭକ୍ଷଣ କରିବା ନିମିତ୍ତ ତାଙ୍କ ପଥ ଓଗାଳିଲା । ହେଲେ ହନୁମାନ ଅତି ଚତୁରତାର ସହିତ ନିଜକୁ ଅତି କ୍ଷୁଦ୍ରକାୟ କରି ତାଙ୍କ ମୁଖରେ ପ୍ରବେଶ କଲେ ଓ ହଠାତ୍‌ ବାହାରି ଆସିଲେ । ଏଥିରେ ସୁରସା ପ୍ରୀତ ହୋଇ ହନୁମାନଙ୍କୁ କାର୍ଯ୍ୟସିଦ୍ଧି ନିମନ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ । ଏଥୁଅନ୍ତେ ହନୁମାନ ସମୁଦ୍ର ଉପର ଦେଇ ଉଡିଯାଆନ୍ତେ ଲକ୍ଷ୍ୟ କଲେ ଯେ, ଏକ ରାକ୍ଷସୀ ହନୁମାନଙ୍କ ସମୁଦ୍ରରେ ପଡୁଥିବା ଛାୟାକୁ ଧରି ତାଙ୍କ ଗତିରେ ବାଧା ଉପୁଜାଉଛି । ହନୁମାନ ଏକାବେଳକେ ରାକ୍ଷସୀର ମୁଖ ଦ୍ଵାର ଦେଇ ଉଦରକୁ ପ୍ରବେଶ କରି ତାର ଉଦର ବିଦୀର୍ଣ୍ଣ କରି ବାହାରି ଆସିଲେ । ରାକ୍ଷସୀ ମୃତ୍ୟୁଲାଭ କରି ସମୁଦ୍ରମଧ୍ୟରେ ଲୀନ ହୋଇଗଲା ।

  • ଶ୍ରୀରାମଚନ୍ଦ୍ରଙ୍କ ନିକଟରେ ସୀତାଙ୍କ ସମ୍ବାଦ ଆନୟନ

ହନୁମାନ ସମୁଦ୍ର ପାର ହୋଇ ଲଙ୍କାଗଡରେ ପ୍ରବେଶ କଲେ । ଲଙ୍କାର ଅଶୋକ ବନରେ ହନୁମାନ ଦେବୀ ସୀତାଙ୍କୁ ଚିନ୍ତାଗ୍ରସ୍ତ ଦେଖି ନିଜର ପରିଚୟ ଦେଲେ ଏବଂ ମାତା ସୀତାଙ୍କୁ ସାନ୍ତ୍ଵନା ଦେଇ ଅଶୋକ ବାଟିକାକୁ ଭାଙ୍ଗିବାକୁ ଲାଗିଲେ । ପରିଶେଷରେ ସେ ଜାଣିଶୁଣି ରାବାଣଙ୍କ ଅନୁଚରଙ୍କ ଦ୍ଵାରା ଧରାପଡିଲେ । ରାକ୍ଷସ ଅନୁଚରଙ୍କ ଦ୍ଵରା ଦଣ୍ଡିତ ହୋଇ, ଅଶୋକବନ ବ୍ୟତୀତ, ଲଙ୍କା ଗଡରେ ନିଆଁ ଲଗାଇଦେଲେ ଏବଂ ସୀତାଙ୍କ ସନ୍ଧାନ ଦେବା ପାଇଁ ରାମଙ୍କ ନିକଟକୁ ଫେରି ଆସିଲେ ।

ଲଙ୍କା କାଣ୍ଡ (ଯୁଦ୍ଧ କାଣ୍ଡ)[ସମ୍ପାଦନା]

  • ରାମ ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ଓ ରାବଣ ବଧ
  • ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାଗମନ

ଉତ୍ତରାକାଣ୍ଡ[ସମ୍ପାଦନା]

  • ଅଯୋଧ୍ୟାରେ ରାଜତ୍ଵ
  • ସୀତା ବନବାସ
  • ରାମଚନ୍ଦ୍ରଙ୍କ ଅଶ୍ଵମେଧ ଯଞ୍ଜ
  • ଲବକୁଶଙ୍କ ରାମାୟଣ ଗାନ
  • ସୀତା ଓ ରାମଙ୍କ ଦେହତ୍ୟାଗ

ମୂଳ ରାମାୟଣ ଗ୍ରନ୍ଥ ଅବଲମ୍ବନରେ ଲିଖିତ ଅନ୍ୟାନ୍ୟ ଗ୍ରନ୍ଥ[ସମ୍ପାଦନା]

  • ବିଶି ରାମାୟଣ: ବିଶ୍ଵନାଥ ଖୁଣ୍ଟିଆ
  • ସୁଚିତ୍ର ରାମାୟଣ: ହରିହର
  • ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣ ବା ଓଡ଼ିଆ ରାମାୟଣ: ବଳରାମ ଦାସ
  • କୃଷ୍ଣ ରାମାୟଣ: କୃଷ୍ଣ ଚରଣ ପଟ୍ଟନାୟକ
  • କେଶବ ରାମାୟଣ: କେଶବ ପଟ୍ଟନାୟକ
  • ରାମଚନ୍ଦ୍ର ବିହାର: ଚିନ୍ତାମଣୀ
  • ରଘୁନାଥ ବିଳାସ: ଧନଞ୍ଜୟ ଭଞ୍ଜ
  • ବୈଦେହୀଶବିଳାସ: ଉପେନ୍ଦ୍ର ଭଞ୍ଜ
  • ନୃସିଂହ ପୁରାଣ: ପୀତାମ୍ବର ଦାସ
  • ରାମରସାମୃତ ସିନ୍ଧୁ: କାହ୍ନୁ ଦାଶ
  • ରାମରସାମୃତ: ରାମ ଦାସ
  • ରାମଲୀଳା: ପୀତାମ୍ବର ରାଜେନ୍ଦ୍ର
  • ବାଳ ରାମାୟଣ: ବଳରାମ ଦାସ

ଆଧାର[ସମ୍ପାଦନା]

  1. "santkesavadas"ପୃ-୨୭
  2. "santkesavadas"ପୃ-29
  3. by C. Rajagopalachari"RAMAYANA retold"

ଅଧିକ ତଥ୍ୟ[ସମ୍ପାଦନା]

ଅନୁବାଦ (English)[ସମ୍ପାଦନା]

ଗବେଷଣା ନିବନ୍ଧ[ସମ୍ପାଦନା]

ଅନ୍ୟାନ୍ୟ[ସମ୍ପାଦନା]