ପି.ଭି. କୃଷ୍ଣମୂର୍ତ୍ତି

ଉଇକିପିଡ଼ିଆ‌ରୁ
ପି.ଭି. କୃଷ୍ଣମୂର୍ତ୍ତି
Born(1921-04-01)୧ ଅପ୍ରେଲ ୧୯୨୧
ୟାଙ୍ଗୁନ
Died୧୬ ଅକ୍ଟୋବର ୨୦୧୯(2019-10-16) (ବୟସ ୯୮)
Occupationପ୍ରସାରଣ ସେବା ଅଧିକାରୀ
Relativesପି କେ ବାଳଚନ୍ଦ୍ରନ ( ପୁଅ) କନିସ୍କ ବାଳଚନ୍ଦ୍ରନ ( ନାତି )

ପି.ଭି. କୃଷ୍ଣମୂର୍ତ୍ତି (୦୧ ଅପ୍ରେଲ ୧୯୨୧ - ୧୬ ଅକ୍ଟୋବର ୨୦୧୯) ଆକାଶବାଣୀ କଟକର ପୂର୍ବତନ ନିର୍ଦ୍ଦେଶକ (୨୪ ମଇ ୧୯୫୮ - ୧୮ ଅକ୍ଟୋବର ୧୯୬୦)[୧] ଓ ଦୂରଦର୍ଶନର ପ୍ରଥମ ମହାନିର୍ଦ୍ଦେଶକ ଥିଲେ । ତାଙ୍କ ସମୟରେ ଆକାଶବାଣୀ କଟକର କାର୍ଯ୍ୟକ୍ରମର ମାନ ଉନ୍ନତି ଓ ବେତାର ପ୍ରସାରଣରେ ଓଡ଼ିଶାର କଳାସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ହୋଇଥିଲା । ଆକାଶବାଣୀ ମାଧ୍ୟମରେ ସେ ଅନେକ ଓଡ଼ିଆ କଳାକାରଙ୍କୁ ଲୋକଲୋଚନକୁ ଆଣିବାରେ ସମର୍ଥ ହୋଇଥିଲେ ।[୨][୩] ସେ ପିଭିକେ ନାମରେ ମଧ୍ୟ ଲୋକପ୍ରିୟ ଥିଲେ ।

ଜନ୍ମ ଓ ଶିକ୍ଷା[ସମ୍ପାଦନା]

କୃଷ୍ଣମୂର୍ତ୍ତି, ୧୯୨୧ ମସିହାରେ ବର୍ମାର ୟାଙ୍ଗୁନ(ରଙ୍ଗୁନ ମଧ୍ୟ କୁହାଯାଏ) ଜନ୍ମଗ୍ରହଣ କରିଥିଲେ । ସେ ରଙ୍ଗୁନ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ଭାଷାରେ ସ୍ନାତକ ଶିକ୍ଷା ହାସଲ କରିଥିଲେ ।

ବୃତିଗତ ଜୀବନ[ସମ୍ପାଦନା]

୧୯୪୪ ମସିହାରେ କୃଷ୍ଣମୂର୍ତ୍ତି ଆକାଶବାଣୀରେ ଜଣେ ଉଦଘୋଷକ ଭାବରେ ଯୋଗଦାନ କରିଥିଲେ । ଆକାଶବାଣୀରେ ସେ ନୂଆ ଦିଲ୍ଲୀ[୪], କେରଳ ଆଦି ବିଭିନ୍ନ କାର୍ଯ୍ୟକରି ଚେନ୍ନାଇ, କଲିକତାକଟକ କେନ୍ଦ୍ର ନିର୍ଦ୍ଦେଶକ ପଦମଣ୍ଡନ କରିଥିଲେ । ୧୯୭୬ ମସିହା ଅପ୍ରେଲ ୧ ତାରିଖରେ ସେ ଦୂରଦର୍ଶନର ପ୍ରଥମ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ[୫] ଓ ଏହି ପଦବୀରେ ୩ବର୍ଷ କାର୍ଯ୍ୟ କରିଥିଲେ । ଟେଲିଭିଜନକୁ ସେ କେବଳ ମନୋରଞ୍ଜନର ମାଧ୍ୟମ ନକରି, ସାମାଜିକ ଉତ୍ଥାନ ଓ ଜାଗରଣର ମାଧ୍ୟମ ଭାବରେ ବ୍ୟବହାର କରିବାକୁ ଚାହୁଁଥିଲେ । ଦୂରଦର୍ଶନରେ ସେ ୧୩୨୦ ଘଣ୍ଟାର ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଇଥିଲେ । ସେ ୟୁନିସେଫ, ୟୁନେସ୍କୋ, ଫାଓ, ୟୁଏନଡିପି ଓ ଏସିଆନ ଇନଷ୍ଟିଟୁଟ ଅଫ ବ୍ରଡ଼କାଷ୍ଟିଂ ଡେଭେଲପମେଣ୍ଟ ସହିତ ଜଡ଼ିତ ଥିଲେ । ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ଉପାଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଆକାଶବାଣୀ କଟକର ନିର୍ଦ୍ଦେଶକ ଭାବରେ[ସମ୍ପାଦନା]

କୃଷ୍ଣମୂର୍ତ୍ତି, ୧୯୫୮ରେ ଆକାଶବାଣୀ କଟକ କେନ୍ଦ୍ରର ନିର୍ଦ୍ଦେଶକ ଭାବରେ ଯୋଗ ଦେଇଥିଲେ । ନିର୍ଦ୍ଦେଶକଙ୍କର ଭୂମିକା କେବଳ ପ୍ରଶାସନିକ ଦାୟିତ୍ୱ ମଧ୍ୟରେ ସିମୀତ ରହିଥାଏ । କିନ୍ତୁ କୃଷ୍ଣମୂର୍ତ୍ତି ଏଥିରେ ବ୍ୟତିକ୍ରମ ଆଣି, ବେତାର କାର୍ଯ୍ୟକ୍ରମରେ ମଧ୍ୟ ନିଜର ଯୋଗଦାନ ଦେଇଥିଲେ । ଓଡ଼ିଶାର ଯୁବ କଳାକାରମାନଙ୍କର ପ୍ରତିଭାର ବିକାଶ କରି ତାଙ୍କୁ ଲୋକଲୋଚନକୁ ଆଣିବାର ଗୁରୁତ୍ୱପୂର୍ଣ୍ଣ କାମ କୃଷ୍ଣମୂର୍ତ୍ତି କରି ପାରିଥିଲେ ।

କୃଷ୍ଣମୂର୍ତ୍ତି ନିଜେ ଜଣେ ସଙ୍ଗୀତ ବିଶାରଦ ଥିଲେ । ସେ ଘଟମ ଆଦି ବାଦ୍ୟଯନ୍ତ୍ର ବଜାଇ ପାରୁଥିଲେ । ଆକାଶବାଣୀର ସଙ୍ଗୀତ ବିଭାଗକୁ ଯେଉଁ ଯୁବ ଶିଳ୍ପୀମାନେ ଆସୁଥିଲେ, ସେମାନଙ୍କୁ ସଂଗଠିତ କରି ସେମାନଙ୍କ ପ୍ରତିଭାର ବିକାଶ କରିଥିଲେ ଓ ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ କରିଥିଲେ । ସେହି ଯୁବ ପ୍ରତିଭାମାନଙ୍କ ମଧ୍ୟରେ ଥିଲେ ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ରାଧାକୃଷ୍ଣ ଭଞ୍ଜ, ସିକନ୍ଦର ଆଲାମ ଆଦି ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ । ଗୁରୁକୃଷ୍ଣ ଗୋସ୍ୱାମୀ, ନାରାୟଣ ପ୍ରସାଦ ସିଂହ, ନରସିଂହ ମହାପାତ୍ର, ପରଶୁରାମ ପଟ୍ଟନାୟକ, ଦେବଦାସ ଛୋଟରାୟ ଆଦି ଗୀତିକାରମାନଙ୍କୁ ସେ ନୂତନ କାର୍ଯ୍ୟକ୍ରମ କରିବାର ସୁଯୋଗ ଦେଇଥିଲେ । କଟକରେ ବିଭିନ୍ନ ସଙ୍ଗୀତ ଅନୁଷ୍ଠାନରୁ ସୁନନ୍ଦା ପଟ୍ଟନାୟକ, ଶ୍ୟାମାମଣି ଦେବୀ ଆଦି ନାରୀ ସଙ୍ଗୀତ ଶିଳ୍ପୀମାନଙ୍କୁ ଆଣି ଓଡ଼ିଶାର ଶ୍ରୋତାମାନଙ୍କ ମଧ୍ୟରେ ପରିଚିତ କରାଇଥିଲେ । ଆକାଶବାଣୀରେ ଆଗରୁ ସକ୍ରିୟ ଥିବା ବାଳକୃଷ୍ଣ ଦାଶ, ଭୁବନେଶ୍ୱର ମିଶ୍ର, ଶ୍ରୀବତ୍ସ ପଟ୍ଟନାୟକ, ବୀଣାପାଣି ମହାନ୍ତି, ହରିପ୍ରସାଦ ଚୌରାଶିଆ ଆଦିଙ୍କର ସଙ୍ଗୀତକୁ ଲୋକପ୍ରିୟ କରାଇବା ପାଇଁ ନୂତନ ଧରଣର ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଇଥିଲେ ।

ପଲ୍ଲୀଶ୍ରୋତାମାନଙ୍କ ପାଇଁ ସେ କୃଷି, ଲୋକକଳା ଓ ଲୋକଗୀତ କାର୍ଯ୍ୟକ୍ରମମାନ ଆରମ୍ଭ କରାଇଥିଲେ । ସେହି କାର୍ଯ୍ୟକ୍ରମ ସବୁ ବହୁଳ ଲୋକପ୍ରିୟତା ହାସଲ କରିଥିଲା । ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କୃଷ୍ଣଚନ୍ଦ୍ର ପାଣ୍ଡେ 'ମଙ୍ଗୁଳୀ' ଚରିତ୍ରରେ ଓ ଦୀନବନ୍ଧୁ ଦାସ 'ମଉସା' ଚରିତ୍ରରେ ମଧ୍ୟ ଲୋକପ୍ରିୟ ହୋଇଥିଲେ । ତାଙ୍କରି ସମୟରେ ନାଟକ ବିଭାଗ ଗୋପାଳ ଛୋଟରାୟ, ନରସିଂହ ମହାପାତ୍ର, ମନୋରଞ୍ଜନ ଦାସ, ସୁରେନ ମହାନ୍ତିସାମୁଏଲ ନାୟକଙ୍କ ବଳିଷ୍ଟ ରଚନା ଓ ପ୍ରଯୋଜନା ମାଧ୍ୟମରେ ସୁଦୃଢ ହୋଇଥିଲା । ଝରଣା ଦାସଉର୍ବଶୀ ଯୋଶୀ ସେହି ସମୟରେ ନାଟକରେ ଅଭିନେତ୍ରୀ ଭାବରେ ଯୋଗ ଦେଇଥିଲେ । ନାରୀମହଲ କାର୍ଯ୍ୟକ୍ରମରେ ବୀଣାଦେବୀ ପ୍ରଯୋଜକ ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳତା ଆଣିଥିଲେ । ଶିଶୁମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଶିଶୁ ସଂସାର ସମବେତ ସଙ୍ଗୀତ, ବାଦ୍ୟ ବିଚିତ୍ରା ଆଦି କାର୍ଯ୍ୟକ୍ରମ ଅଧିକ ନିର୍ମାଣ କରାଯାଇ ଶିଶୁମାନଙ୍କ ମଧ୍ୟରେ ଆକାଶବାଣୀକୁ ଲୋକପ୍ରିୟ କରାଯାଇ ପାରିଥିଲା । ପ୍ରଶାନ୍ତ ନନ୍ଦ ଏହି ଶିଶୁ ସଂସାର କାର୍ଯ୍ୟକ୍ରମରୁ ନିଜର ଅଭିନୟ ଆରମ୍ଭ କରିଥିଲେ । କୃଷ୍ଣମୂର୍ତ୍ତିଙ୍କ ଆବିଷ୍କାର ନଦୀୟା ବିହାରୀ ମହାନ୍ତି, ଶିଶୁ ସଂସାର କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଓଡ଼ିଶାରେ 'ବଡ଼ ଭାଇ' ଭାବରେ ପରିଚିତ ହୋଇଥିଲେ । ଗୁରୁ କେଳୁଚରଣ ମହାପାତ୍ରଙ୍କ ସହଯୋଗରେ ଓଡ଼ିଶୀ ନୃତ୍ୟକୁ ଜାତୀୟ ସ୍ତରରେ ଆଦୃତ କରିବା ପାଇଁ ମଧ୍ୟ କୃଷ୍ଣମୂର୍ତ୍ତି ପ୍ରୟାସ କରିଥିଲେ ।[୬]

ମାନ ସମ୍ମାନ[ସମ୍ପାଦନା]

  • ଟାଗୋର ଏକାଡେମୀ ରତ୍ନ ଫେଲୋସିପ - ୨୦୧୨ (କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ)
  • ମିଡିଆ ରତ୍ନ ସମ୍ମାନ - ୨୦୧୧[୭]
  • ଡି.ଲିଟ - ରେଭେନ୍ସା ବିଶ୍ୱବିଦ୍ୟାଳୟ
  • ସଙ୍ଗୀତ ସରସ୍ୱତୀ ସମ୍ମାନ - ବାଳକୃଷ୍ଣ ଦାଶ ଫାଉଣ୍ଡେସନ
  • ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ - ଗୁରୁ ଦେବପ୍ରସାଦ ଦାସ ଅନୁଷ୍ଠାନ[୮]

ଆଧାର[ସମ୍ପାଦନା]

  1. "Ex-Director Of Cuttack Akashvani Kendra PV Krishnamoorthy Passes Away". odishabytes.com. Odisha Bytes. Retrieved 30 July 2020.
  2. "କଟକ 'ଆକାଶବାଣୀ' ଓ 'ଦୂରଦର୍ଶନ କେନ୍ଦ୍ର'ର ମାର୍ଗଦର୍ଶକ ପି.ଭି କୃଷ୍ଣମୂର୍ତ୍ତି ଆଉ ନାହାନ୍ତି". odishasambad.in. odishasambad.in. Retrieved 30 July 2020.
  3. "କଟକ ଆକାଶବାଣୀର କିମ୍ବଦନ୍ତୀ ନିର୍ଦ୍ଦେଶକ ପି.ଭି. କୃଷ୍ଣମୂର୍ତ୍ତିଙ୍କ ଦେହାନ୍ତ". thesamikhsya.com. thesamikhsya.com. Retrieved 30 July 2020.
  4. Indian Science Congress Association (1976). Proceedings of the Indian Science Congress. Asiatic Society of Bengal.
  5. Combroad. Commonwealth Broadcasting Association. 1978.
  6. ନଦୀୟା ବିହାରୀ ମହାନ୍ତି. "ଶ୍ରଦ୍ଧାଞ୍ଜଳି" (ନଭେମ୍ବର ୨୦୧୯): ୫୮-୬୩. {{cite journal}}: |access-date= requires |url= (help); Cite journal requires |journal= (help)
  7. "Veteran broadcast journalist P.V. Krishnamoorthy passes away". www.thehindu.com. ହିନ୍ଦୁ ଖବରକାଗଜ. Retrieved 30 July 2020.
  8. "P. V. Krishnamurthy". sangeetnatak.gov.in. କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ. Retrieved 30 July 2020.