ସମାଜ ଓଡ଼ିଶାର ଏକ ପ୍ରତିଷ୍ଠିତ ଦୈନିକ ଓଡ଼ିଆ ଖବରକାଗଜ ଅଟେ । [୧] ଏହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା ୧୯୧୯ ମସିହା ରେ ପ୍ରତିଷ୍ଠା କରାଯାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ପ୍ରତି ପ୍ରକାଶ କରାଯାଏ । ଅଧୁନା ସମାଜ ଏକ ସଙ୍ଗେ କଟକ, ବାଲେଶ୍ଵର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳ ଦ୍ଵାରା ପରିଚାଳିତ ହେଉଛି । ଗୋପାଳ ମହାପାତ୍ର ଏବେ ସମାଜର ସମ୍ପାଦକ ଏବଂ କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ସମାଜ ର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସ ଜଣେ ସ୍ଵାଧୀନତା ସଂଗ୍ରାମୀ ଏବଂ ସମାଜ ସଂସ୍କାରକ ଥିଲେ । [୧]ସମାଜ ସଂସ୍କାର କାର୍ଯ୍ୟ କରିବା ପାଇଁ ସେ ସାମ୍ବାଦିକତା କୁ ବୃତି ହିସାବ ରେ ଗ୍ରହଣ କରିଥିଲେ । ପ୍ରଥମେ ସେ 'ସତ୍ୟବାଦୀ' ନାମରେ ଗୋଟିଏ ମାସିକ ପତ୍ରିକା ପ୍ରକାଶ କରୁଥିଲେ । ୧୯୧୯ ମସିହା ଅକ୍ଟୋବର ୧୦ ତାରିଖ ବିଜୟା ଦଶମୀ ଅବସର ରେ ସେ ସମାଜ ଖବରକାଗଜ ର ପ୍ରକାଶନ ଆରମ୍ଭ କରିଥିଲେ । ସମାଜ ପ୍ରଥମେ ଏକେ ସାପ୍ତାହିକ ଖବରକାଗଜ ରୁପେ ପ୍ରକାଶ ପାଉଥିଲା ଏବଂ କାଳକ୍ରମେ ଏହା ଦୈନିକ ପ୍ରକାଶ ପାଇବାକୁ ଲାଗିଲା | [୨] ନିଜେ ଉତ୍କଳମଣି ଗୋପବନ୍ଧୁ ଦାସ ଏହା ର ପ୍ରଥମ ସମ୍ପାଦକ ଥିଲେ । ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ ଆଦିଙ୍କ ସହଯୋଗରେ ଗୋପବନ୍ଧୁ ଦାସ ତତ୍କାଳୀନ ଇଁରେଜ ଶାସକଙ୍କ ବିରୁଦ୍ଧରେ ସମାଜ ରେ ଲେଖୁଥିଲେ ଏବଂ ଏଥି ପାଇଁ ତାଙ୍କୁ କାରାବରଣ କରିବାକୁ ପଡିଥିଲା । ୧୯୨୮ ମସିହାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ପୁର୍ବ ରୁ ସମାଜ କୁ ଲାଲା ଲାଜପତ ରାୟଙ୍କ ଦ୍ଵାରା ପ୍ରତିଷ୍ଟିତ ଲୋକ ସେବକ ମଣ୍ଡଳ କୁ ହସ୍ତାନ୍ତର କରାଯାଇଥିଲା । ସେବେଠାରୁ ଲୋକ ସେବକ ମଣ୍ଡଳ ସମାଜ ର ପରିଚାଳନା କରିଆସୁଛି ।[୩] ୧୯୨୮ ମସିହାରେ ଗୋପବନ୍ଧୁ ଦାସଙ୍କ ତିରୋଧାନ ପରେ, ପଣ୍ଡିତ ଲିଂଗରାଜ ମିଶ୍ର, ସମାଜର ସମ୍ପାଦକ ନିଯୁକ୍ତ ହୋଇଥିଲେ । ୧୯୩୦ ମସିହାରୁ ସମାଜ ଏକ ଦୈନିକ ସମ୍ବାଦପତ୍ର ରୁପେ ପ୍ରକାଶ ପାଇବାକୁ ଲାଗିଲା । ୧୯୪୬ ମସିହାରେ ପଣ୍ଡିତ ଲିଂଗରାଜ ମିଶ୍ରଙ୍କୁ ଓଡିଶାର ଶିକ୍ଷାମନ୍ତ୍ରୀ ନିଯୁକ୍ତ କରାଗଲା ଓ ରାଧାନାଥ ରଥ, ସମାଜର ସମ୍ପାଦନାର ଦାୟିତ୍ଵ ନେଲେ । ୧୯୫୨ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ, ରାଧାନାଥ ରଥ ସକ୍ରିୟ ରାଜନୀତି ରେ ଭାଗନେଇ ସମାଜର ସମ୍ପାଦନାରୁ ଦୁରେଇ ରହିଥିଲେ ଓ ୧୯୬୧ ମସିହାରେ ସମାଜର ସମ୍ପାଦନାକୁ ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରିଥିଲେ । ରାଧାନାଥ ରଥଙ୍କ ପରେ ମନୋରମା ମହାପାତ୍ର, ସମାଜର ସମ୍ପାଦକ ଦାୟିତ୍ଵରେ ରହିଥିଲେ ।
ସାମାଜିକ କାର୍ଯ୍ୟ ଓ ସମ୍ମାନ[ସମ୍ପାଦନା]
ସମାଜ କ୍ରମେ ନିଜକୁ ଏକ ଖବରକାଗଜରୁ ଏକ ସାମାଜିକ ଅନୁଷ୍ଠାନରେ ପରିବର୍ତିତ କରିସାରିଛି । ଏକ ସ୍ଵାଧୀନତା ପରବର୍ତି ସମୟରେ ଏହା ସମାଜ ସଂସ୍କାର ତଥା ଦେଶ ଗଠନ ଦିଗରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରି ଆସିଛି । ସମାଜର ଏହି ଗଠନ ମୁଳକ କାର୍ଯ୍ୟ ପାଇଁ ୨୦୦୭ ମସିହା ରେ ଏହା କୁ 'ଆଇ.ଏଲ୍.ଏନ୍.ଏ' ସର୍ବୋତ୍କୃଷ୍ଟ ଜାତିୟବାଦି ଖବରକାଗଜ ଭାବରେ ସମ୍ମାନିତ କରାଯାଇଛି । [୪]ଏହା ବ୍ୟତିତ ସମାଜର ରିଲିଫ କମିଟି ମଧ୍ୟ ଖୁବ ଉଚ୍ଚକୋଟିର ସମାଜ ସେବା କାର୍ଯ୍ୟ କରିଆସିଛି ।